ବାରକୋଟ ବ୍ଲକ ର ବାରକୋଟ ଥାନା ଅନ୍ତର୍ଗତ ମରଡଙ୍ଗ ଗ୍ରାମରେ ପୋଲିସ୍ ଦ୍ୱାରା ଜାଲ୍ ନୋଟ୍ ଜବତ ଓ ୨ ଗିରଫ
Deogarh (ଦେଓଗଡ଼)ରିପୋର୍ଟ:- ନରୋତ୍ତମ ପରିଡ଼ାSeptember 20, 2026129 views

ଦେବଗଡ଼:- ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଏବଂ ବାରକୋଟ ଥାନା ଅଧିନସ୍ଥ ମରଡଙ୍ଗ ଗ୍ରାମର ଏକ ଦୋକାନ ରୁ ଚୋରି ଏବଂ ଜାଲ୍ ନୋଟ୍ କାରବାର ଘଟଣାରେ ପୋଲିସ ୨ ଜଣଙ୍କୁ ଶନିବାର ଦିନ ଗିରଫ କରିଛି। ଗିରଫ ଅଭିଯୁକ୍ତ ୨ ଜଣ ହେଲେ ମରଡଙ୍ଗ ଗ୍ରାମର ଅନିଲ୍ କୁମାର ସାହୁ (୩୫) ଏବଂ ରବି ଦାସ୍ (୧୯) । ସେମାନଙ୍କ ନିକଟରୁ ୬ଟି ନକଲି ୫୦୦ ଟଙ୍କିଆ ନୋଟ୍, ୮୫୦୦ ଟଙ୍କା, ଗୋଟିଏ ବାଇକ୍ (ନଂ OD02 AF-9292) ଏବଂ ଗୋଟିଏ ମୋବାଇଲ ଜବତ କରାଯାଇଛି।
ଅଭିଯୋଗ ଅନୁଯାୟୀ ଅନିଲ ନକଲି ୫୦୦ ଟଙ୍କିଆ ନୋଟ୍ ରବି କୁ ଦେଉଥିଲେ ଏବଂ ତାଙ୍କ ମାଧ୍ୟମରେ ବିଭିନ୍ନ ଦୋକାନ ରୁ ବିଭିନ୍ନ ସାମଗ୍ରୀ କିଣୁଥିଲେ। ହେଲେ ବ୍ୟବହାର ହେଉଥିବା ଉକ୍ତ ୫୦୦ ଟଙ୍କିଆ ନୋଟ୍ ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲେଖା ଯିବା ବଦଳରେ ଚିଲ୍ଡରେନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲେଖା ରହିଛି। ମାତ୍ର ଉଭୟ ଟଙ୍କା ଦେଖିବାକୁ ପ୍ରାୟ ସମାନ ଥିବାରୁ ଦୋକାନୀ ଜାଣିପାରୁ ନଥିଲେ।
ଏହି କ୍ରମରେ ଗତ ଗୁରୁବାର ମରଡଙ୍ଗ ଗ୍ରାମର ଦେବାନନ୍ଦ ସାହୁ ଙ୍କ ଦୋକାନରେ ରବି ଏକ ନକଲି ୫୦୦ ଟଙ୍କିଆ ନୋଟ୍ ଦେଇ କିଛି ଜିନିଷ କିଣିଥିଲେ। ଏଥି ସହ ସେହି ରାତିରେ ସେ ଉକ୍ତ ଦୋକାନ ଭାଙ୍ଗି ପ୍ରାୟ ୧୦,୫୦୦ ଟଙ୍କା ଚୋରି କରି ନେଇଥିଲେ। ଗ୍ରାମବାସୀ ଏ ସମ୍ପର୍କରେ ଅନୁଧ୍ୟାନ କରିବା ପରେ ସନ୍ଦେହ ରେ ରବି ଙ୍କୁ ପଚରା ଉଚରା କରିବାରୁ ଘଟଣା ବିଷୟରେ ସୂଚନା ପାଇଥିଲେ। ପରେ ଉଭୟ ଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ଏନେଇ ବାରକୋଟ ଥାନା ରେ ଏକ ମାମଲା ରୁଜୁ ହୋଇଛି।
