ରାସ୍ତା ପ୍ରଶସ୍ତୀକରଣ ନାଁରେ ନୀଳଗିରି ଗଛ କାଟିବା ଘଟଣା: ମୈଦଲପୁର ବନପାଳ ନିଲମ୍ବିତ
Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀ ଙ୍କ ରିପୋର୍ଟ୍ ନବରଙ୍ଗପୁରSeptember 20, 202614 views

ନବରଙ୍ଗପୁର, ୨୦/୯ : ବିନା ଅନୁମତିରେ ରାସ୍ତା ପ୍ରଶସ୍ତୀକରଣ ନାଁରେ ୨୦ଟି ନୀଳଗିରି ଗଛ କାଟିବା ଘଟଣାରେ ତତ୍କାଳୀନ ଝରିଗାଁ ବନପାଳ ତଥା ମୈଦଲପୁର ବନପାଳ ବିପିନ ହରିଜନଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ନବରଙ୍ଗପୁର ଡିଏଫଓ ଉଦୟନ ସୁବୁଦ୍ଧି। ଏଥିସହ ନିଲମ୍ବିତ ଫରେଷ୍ଟରଙ୍କୁ ଡିଏଫଓ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି। ବିନା ଅନୁମତିରେ ସେ ଜିଲ୍ଲା ସଦର ମହକୁମା ଛାଡ଼ି ଯାଇପାରିବେନି ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି।
ସୂଚନା ଅନୁସାରେ, ଝରିଗାଁ ରେଞ୍ଜ ଅଞ୍ଚଳର ଚନ୍ଦାହାଣ୍ଡି ବ୍ଳକର ଦେଓବନ୍ଧ ଠାରୁ ଜାମାପଦର ରାସ୍ତାର ପ୍ରଶସ୍ତୀକରଣ ଚାଲିଥିବା ବେଳେ ଉଚ୍ଚପଦସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ଶ୍ରୀ ହରିଜନ ୨୦ଟି ନୀଳଗିରି ଗଛକାଟି ବେପାରୀଙ୍କ ହାତକୁ ଟେକି ଦେଇଥିଲେ। ଏଥିରେ ଅର୍ଥ କାରବାର ହୋଇଥିଲା। ଅନ୍ୟପକ୍ଷରେ ସଂପୃକ୍ତ ଅଞ୍ଚଳରେ ରାସ୍ତା ପ୍ରଶସ୍ତୀକରଣ ପାଇଁ କୌଣସି ବିଭାଗ ପକ୍ଷରୁ ବନବିଭାଗକୁ ଅନୁମତି ମଗାଯାଇ ନଥିଲା। ସ୍ଥାନୀୟ ଲୋକେ ନିଜ ଇଚ୍ଛାରେ ରାସ୍ତା ପାର୍ଶ୍ଵରେ
୨୦ଟି ନୀଳଗିରି ଗଛ ଲଗାଇଥିବା ବେଳେ ଫରେଷ୍ଟର ପଦା କରିଦେଇଥିଲେ। ଏନେଇ ଅଭିଯୋଗ ପରେ ଡିଏଫଓ ଶ୍ରୀ ସୁବୁଦ୍ଧି ବନପାଳ ଶ୍ରୀ ହରିଜନଙ୍କୁ ଗତ ୨ ତାରିଖ ଦିନ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ | ତେବେ ବନପାଳ ସନ୍ତୋଷଜନକ ଉତ୍ତର ଦେଇପାରି ନଥିବାରୁ ତାଙ୍କୁ ଚାକିରିରୁ ଚା ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ଅପରପକ୍ଷରେ ଏକପାଖିଆ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି କହିଛନ୍ତି ବନପାଳ ଶ୍ରୀ ହରିଜନ ବନପାଳ କହିବା ହେଲା ତାଙ୍କର ଝରିଗାଁ ରେଞ୍ଜରଙ୍କ ସହ ଝଗଡ଼ା ହେବା ପରେ ଗତ ଅଗଷ୍ଟ ୪ ତାରିଖରେ ତାଙ୍କୁ ମୈଦଲପୁରକୁ ବଦଳି କରାଯାଇଥିଲା। ତେଣୁ ଗଛ କାଟିବା ଘଟଣାରେ କିମ୍ବା ଗଛକାଟି ବିକ୍ରି ଘଟଣାରେ ତାଙ୍କର ସମ୍ପୃକ୍ତ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବନପାଳ ବିପିନ ହରିଜନଙ୍କ ବଦଳି ପରେ ବି ସେ ଦାୟିତ୍ଵ ଦେଇନଥିଲେ। ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ପାଇବା ପରେ ଡିଏଫଓ ପଦକ୍ଷେପ ନେଇଛନ୍ତି। ଅଧିକା ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଏସିଏଫଓ ସୁବାସ ଚନ୍ଦ୍ର ଖୁଣ୍ଟିଆ।
