--:--:--
-- ---
Srishti News

ଗିରାଙ୍ଗରେ ଘରେ କଳାକନା: ସୁନା, ରୂପା ଅଳଙ୍କାର ସହ ନଗଦ ଟଙ୍କା ଚୋରି

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ନାଲକୋ ,ଅନୁଗୋଳSeptember 20, 202667 views
ଗିରାଙ୍ଗରେ ଘରେ କଳାକନା: ସୁନା, ରୂପା ଅଳଙ୍କାର ସହ ନଗଦ ଟଙ୍କା ଚୋରି
ବଅଁରପାଳ: ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମ ବାଲିସାହିରେ ଏକ ଘରୁ ସୁନା, ରୂପା ଅଳଙ୍କାର ସହ ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଘର ମାଲିକ ବିଜୟ ବେହେରା ନାଲକୋ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ବିଜୟ ବେହେରାଙ୍କ ପରିବାର ବିଶ୍ୱକର୍ମା ପୂଜା ଦେଖିବା ପାଇଁ ନାଲକୋ କଲୋନୀକୁ ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ପ୍ରାୟ ତିନିଜଣ ଦୁର୍ବୃତ୍ତ ଘରେ ପଶି ଚୋରି କରିଥିବା ଅଭିଯୋଗ ହୋଇଛି। ରାତି ପ୍ରାୟ ୯ଟା ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ବିଶେଷ କଥା ହେଉଛି, ଘର ସମ୍ମୁଖରେ ବିଶ୍ୱକର୍ମା ପୂଜାକୁ ନେଇ ଗହଳି ଲାଗିଥିବା ସତ୍ତ୍ୱେ ଦୁର୍ବୃତ୍ତମାନେ ଏଭଳି ଚୋରି କରିଥିବାରୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଅଭିଯୋଗ ପରେ ନାଲକୋ ଆଦର୍ଶ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରି ହୋଇଥିବା ସୁନା, ରୂପା ଅଳଙ୍କାର ଓ ନଗଦ ଟଙ୍କାର ପ୍ରକୃତ ପରିମାଣ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ, ନାଲକୋ ଥାନା ଅଞ୍ଚଳରେ ଚୋରି ଓ ଅନ୍ୟାନ୍ୟ ଅପରାଧ ବୃଦ୍ଧି ପାଉଥିବା ନେଇ ସ୍ଥାନୀୟ ମହଲରେ ଅଭିଯୋଗ ହେଉଛି। ବେଆଇନ ନିଶା କାରବାର ଯୋଗୁଁ ଅପରାଧ ବଢ଼ୁଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ଏହି ଘଟଣାରେ ପୁଲିସ ଚୋରଙ୍କୁ ଚିହ୍ନଟ କରି ଶୀଘ୍ର ଗିରଫ କରିବ ବୋଲି ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି।