--:--:--
-- ---
Srishti News

Web News

ସ୍ୱାମୀଙ୍କଠୁ ଅଧିକ ରୋଜଗାର ଥିଲେ ମିଳିବନି ଭରଣପୋଷଣ: କର୍ଣ୍ଣାଟକ ହାଇକୋର୍ଟ
Jul 2, 2026•67 views

ସ୍ୱାମୀଙ୍କଠୁ ଅଧିକ ରୋଜଗାର ଥିଲେ ମିଳିବନି ଭରଣପୋଷଣ: କର୍ଣ୍ଣାଟକ ହାଇକୋର୍ଟ

ନୂଆଦିଲ୍ଲୀ : ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଭରଣପୋଷଣ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଏକ ବଡ଼ ଶୁଣାଣି କରିଛନ୍ତି। ଯଦି ସ୍ତ୍ରୀର ଆୟ ସ୍ୱାମୀଠାରୁ ଅଧିକ, ତେବେ ସେ ଭରଣପୋଷଣ ପାଇବାକୁ ହକଦାର ନୁହନ୍ତି ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ସ୍ତ୍ରୀ ପାଖରେ ଜୀବନ ଜୀବିକା ନିର୍ବାହ ପାଇଁ ପର୍ଯ୍ୟାପ୍ତ ଆର୍ଥିକ ସମ୍ବଳ ନାହିଁ ବୋଲି ନିଶ୍ଚିତ ହେବା ପରେ ହିଁ ଭରଣପୋଷଣର ଆଦେଶ ଦିଆଯିବା ଉଚିତ। ମୈସୁରର ଏକ ଟ୍ରାଏଲ୍ କୋର୍ଟ ଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀକୁ ପ୍ରତିମାସରେ ୨୦ ହଜାର ଟଙ୍କା ଭରଣପୋଷଣ ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ ସୁମଲତାଙ୍କ ଏକକ ବେଞ୍ଚ ଟ୍ରାଏଲ୍ କୋର୍ଟର ଏହି ନିର୍ଦ୍ଦେଶକୁ ରଦ୍ଦ କରି ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ମାମଲାର ଶୁଣାଣି ବେଳେ ହାଇକୋର୍ଟ କହିଛନ୍ତି ଯେ, ନିମ୍ନ ଅଦାଲତ ସ୍ୱାମୀଙ୍କ ଆୟ ଏବଂ ତାଙ୍କ ଆର୍ଥିକ ସ୍ଥିତିକୁ ଭଲଭାବେ ଅନୁଧ୍ୟାନ କରିଛନ୍ତି, କିନ୍ତୁ ସ୍ତ୍ରୀର ଆର୍ଥିକ ସ୍ୱଚ୍ଛଳତାକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରିଛନ୍ତି। ହାଇକୋର୍ଟ ନିଜ ନିର୍ଦ୍ଦେଶରେ କହିଛନ୍ତି ଯେ, ଯେତେବେଳେ ଜଣେ ମହିଳା ଘରୋଇ ହିଂସା ଅଧିନିୟମ କିମ୍ବା ହିନ୍ଦୁ ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ଭରଣପୋଷଣ ଅଧିନିୟମ ମାଧ୍ୟମରେ ଗୁଜୁରା ଭତ୍ତା ଦାବି କରନ୍ତି, ତାର ଅର୍ଥ ଏହା ନୁହେଁ ଯେ କୌଣସି ଦୃଢ଼ କାରଣ ବିନା ସ୍ୱାମୀକୁ ମେଣ୍ଟେନାନ୍ସ (ଭରଣପୋଷଣ) ଦେବାକୁ ନିର୍ଦ୍ଦେଶ ଦିଆଯିବ। କୋର୍ଟ କହିଛନ୍ତି, ସ୍ୱାମୀ-ସ୍ତ୍ରୀ ଉଭୟଙ୍କ ଆର୍ଥିକ ସ୍ଥିତିର ଆକଳନ କରାଯିବା ଉଚିତ ଏବଂ ଏହାପରେ ହିଁ କୌଣସି ନିଷ୍ପତ୍ତି ନିଆଯିବା ଦରକାର। ବର୍ଷ ୨୦୨୪ରେ ଉଭୟଙ୍କ ବିବାହ ହୋଇଥିଲା, କିନ୍ତୁ ଦୁଇ ମାସ ମଧ୍ୟରେ ହିଁ ସ୍ୱାମୀ-ସ୍ତ୍ରୀ ଅଲଗା ହୋଇଯାଇଥିଲେ। ସ୍ତ୍ରୀ ଉଭୟ ଘରୋଇ ହିଂସା ମାମଲା ଦାୟର କରି ପ୍ରତିମାସରେ ୧ ଲକ୍ଷ ୨୩ ହଜାର ୫୫ ଟଙ୍କା ଗୁଜୁରା ଭତ୍ତା ଏବଂ ୫୦ ହଜାର ଟଙ୍କା ଆଇନଗତ ଖର୍ଚ୍ଚ ଦାବି କରିଥିଲେ। ଅନ୍ୟପଟେ, ସ୍ୱାମୀ କହିଥିଲେ ଯେ ସେ ଏକ ପ୍ରାଇଭେଟ୍ ଚାକିରି କରନ୍ତି ଏବଂ ତାଙ୍କର ମାସିକ ଆୟ ମାତ୍ର ୫୨ ହଜାର ଟଙ୍କା। ଏହାର ବିପରୀତରେ ସ୍ତ୍ରୀଙ୍କ ମାସିକ ଦରମା ୧ ଲକ୍ଷରୁ ୧.୭୫ ଲକ୍ଷ ଟଙ୍କା ମଧ୍ୟରେ ଥିଲା।

ବ୍ୟୁରୋ ରିପୋର୍ଟ

ବରପାଲି ବସ୍ତି ଅଞ୍ଚଳରେ ଉତ୍କଟ ପାନୀୟ ଜଳ ସମସ୍ୟା, ଅସନ୍ତୋଷରେ ପଡ଼ାବାସୀ
Jul 2, 2026•62 views

ବରପାଲି ବସ୍ତି ଅଞ୍ଚଳରେ ଉତ୍କଟ ପାନୀୟ ଜଳ ସମସ୍ୟା, ଅସନ୍ତୋଷରେ ପଡ଼ାବାସୀ

ବରଗଡ଼/ ବରପାଲି ୩୦/୦୬ -() ବରପାଲି ବସ୍ତି ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଏବେ ଉତ୍କଟ ରୂପ ନେଇଛି। ଦୀର୍ଘ ଦିନ ଧରି ନିୟମିତ ପାଣି ଯୋଗାଣ ବନ୍ଦ ରହିଥିବାରୁ ପଡ଼ାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପାଇପ ଲାଇନ ବିଛାଇବା କାମ ଚାଲିଥିବା ଆଳରେ ଜଳ ଯୋଗାଣ ବନ୍ଦ କରାଯାଇଛି, ଯାହା ଫଳରେ ଦୈନନ୍ଦିନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅନ୍ୟପଟେ, ପାନୀୟ ଜଳ ଯୋଗାଣ ବିଭାଗରେ କୌଣସି ସ୍ଥାୟୀ ଅଧିକାରୀ ନଥିବାରୁ କାର୍ଯ୍ୟରେ ସମନ୍ୱୟର ଅଭାବ ଦେଖାଦେଇଛି। ସମସ୍ୟା ସମ୍ପର୍କରେ ଯୋଗାଯୋଗ କଲେ କେବେ ପାଣି ମୋଟର ପୋଡ଼ିଯାଇଛି, କେବେ ବିଦ୍ୟୁତ ଲାଇନ ନାହିଁ କିମ୍ବା ଲୋଡ଼ ନେଉନାହିଁ ବୋଲି ବିଭିନ୍ନ କାରଣ ଦର୍ଶାଯାଉଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ସମଲେଶ୍ୱରୀ ମନ୍ଦିର ରାସ୍ତାରେ ପାଇପ ଲାଇନ ବିଛାଇବା କାମ ଚାଲିଥିବାରୁ ରାସ୍ତା ଖୋଳାଯାଇଛି। ତେବେ ଏହି କାମ କେବେ ଶେଷ ହେବ ଏବଂ ସ୍ଥାନୀୟ ବସ୍ତିବାସୀ କେବେ ନିୟମିତ ପାନୀୟ ଜଳ ପାଇବେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୀଘ୍ର ସମସ୍ୟାର ସ୍ଥାୟୀ ସମାଧାନ କରି ବସ୍ତିବାସୀଙ୍କୁ ନିୟମିତ ପାନୀୟ ଜଳ ଯୋଗାଇବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

Bargarh (ବରଗଡ଼) • ରିପୋର୍ଟ: ସତ୍ୟ ସୁରୁଜାଲ, ବରପାଲି

ଗଛ କାଟି ଗୋଶାଳା ନିର୍ମାଣ କୁ ବିରୋଧ କଲେ ଗ୍ରାମବାସୀ - ପୌର ପରିଷଦ ଅଧିକାରୀ ଓ ଠିକାଦାର ନାଁରେ ଥାନାରେ ଏତଲା
Jul 2, 2026•164 views

ଗଛ କାଟି ଗୋଶାଳା ନିର୍ମାଣ କୁ ବିରୋଧ କଲେ ଗ୍ରାମବାସୀ - ପୌର ପରିଷଦ ଅଧିକାରୀ ଓ ଠିକାଦାର ନାଁରେ ଥାନାରେ ଏତଲା

ଟିଟିଲାଗଡ଼ :-୨/୭/୨୬ ଟିଟିଲାଗଡ଼ବ୍ଲକ ଅନ୍ତର୍ଗତ ମନିଗାଁ ଗ୍ରାମପଞ୍ଚାୟତ ଅଧିନସ୍ତ ନାନାଝର ଗ୍ରାମରେ ପୌର ପରିଷଦ ତରଫରୁ ଏକ ଗୋଶାଳା ନିର୍ମାଣ କରିବା ପାଇଁ ସ୍ଥିର କରିଥିଲେ l କିନ୍ତୁ ସେହି ଯାଗାରେ ଗାଁ ଲୋକେ ନିର୍ଭର କରୁଛନ୍ତି ଓ ସେଠାରେ ଗଛ ଗୁଡିକ ବହୁତ ରହିଥିବାରୁ ଏହାକୁ ଗ୍ରାମବାସୀ ବିରୋଧ କରି ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗକୁ ନେଇ ଉପଜିଲ୍ଲାପାଳ ଗ୍ରାମବାସୀଙ୍କ ବିନାଅନୁମତିରେ ଗୋଶାଳା ନିର୍ମାଣ କରାଯାଇ ପାରିବନାହିଁ ବୋଲି କହିଥିଲେ l କିନ୍ତୁ ପୌର ପରିଷଦ ଅଧିକାରୀ ଚନ୍ଦନ ସତପଥି ଏବଂ ଠିକାଦାର ଟୁନୁ ଅଗ୍ରୱାଲ ଜେସିବି ଲଗାଇ ବଳପୂର୍ବକ ଜଙ୍ଗଲ ବିଭାଗର ଅନୁମତି ନନେଇ ଗଛକାଟି ଗୋଶାଳା ନିର୍ମାଣ କରିବା ପାଇଁ ଚେଷ୍ଟା କରିଥିଲେ l ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିଥିଲେ l ସହର ମଧ୍ୟରେ ସହସହ ଏକର ସରକାରୀ ଜମିଥାଇ ଗ୍ରାମାଞ୍ଚଳକୁ କାହିଁକି ଗୋଶାଳା ନିର୍ମାଣ କରାଯାଉଛି ବୋଲି ଗ୍ରାମବାସୀ ପ୍ରଶ୍ନ କରିଥିଲେ l ବଳପୂର୍ବକ ଗୋଶାଳା ନିର୍ମାଣ କୁ ନେଇ ନାନାଝର ଗ୍ରାମବାସୀ ପୌରପରିଷଦ ଅଧିକାରୀ ଓ ଠିକାଦାର ନାମରେ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ରାଜ୍ୟ ସରକାର ଗଛ ଲଗାଇବା ପାଇଁ ଆହ୍ୱାନ ଦେଉଥିବାବେଲେ ଏଠାରେ ଗଛକାଟି ଗୋଶାଳା ନିର୍ମାଣ କରିବା କାହା ସ୍ୱାର୍ଥରେ ବୋଲି ଗ୍ରାମବାସୀ ତଥା ଅଞ୍ଚଳବାସୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି l ଏହି ନିର୍ମାଣ କାର୍ଯ୍ୟ ବନ୍ଦ ନକରାଗଲେ ଆଗାମୀ ଦିନରେ ଗ୍ରାମବାସୀ ତଥା ଅଞ୍ଚଳବାସୀ ରାଜରାସ୍ତା କୁ ଓହ୍ଲେଇବୁ ବୋଲି ଚେତାବନୀ ଦେଇଛନ୍ତି l

Balangir (ବଲାଙ୍ଗୀର) • ଟିଟିଲାଗଡ଼ ରୁ କୃଷ୍ଣଚନ୍ଦ୍ର ମାଝୀ ଙ୍କ ରିପୋର୍ଟ

ବନ ମହୋତ୍ସବ ସପ୍ତାହ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Jul 2, 2026•178 views

ବନ ମହୋତ୍ସବ ସପ୍ତାହ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ଼ :-୨/୭/୨୬ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୌର ପରିଷଦର ନୂତନ ନ୍ୟାୟାଳୟ ଚାରଭଟା ଠାରେ ଆଇନ୍ ତାଲୁକ ସେବା ସମିତି ଓ ଟିଟିଲାଗଡ ବନଖଣ୍ଡ ତରଫ ରୁ ବନ ମହୋତ୍ସବ ସପ୍ତାହ ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ ବନ ବିଭାଗ ରେଞ୍ଜ ଅଧିକାରୀ ଙ୍କ କହିବା ଅନୁସାରେ ଆଜି ୭୭ ତମ ବନ ମହୋତ୍ସବ ସପ୍ତାହ ପାଳନ କରାଗଲା । ଉକ୍ତ କାର୍ଯ୍ୟ କ୍ରମରେ ଟିଟିଲାଗଡ ନ୍ୟାୟାଳୟ ର ତାଲୁକ୍ ଆଇନ୍ ସେବା ସମିତି ଅଧ୍ୟକ୍ଷ ତଥା ଜିଲ୍ଲା ଅତିରିକ୍ତ ବିଚାରପତି ଆୟୁଷ୍ମାନ ମହନ୍ତ , ଏସଡିଯେଏମ ସୁମିତ କୁମାର୍ ପାଣିଗ୍ରାହୀ ,ଆଇନଜିବୀ ରଘୁନାଥ ରଥ , ତନୟ ଠାକୁର , ସୁକାନ୍ତ କୁମାର ଦୀପ , ଟିପ କାରୀ ବେହେରା , ସୁଧାଂଶୁ ଶେଖର ମହାନ୍ତି , ଶ୍ରୀମା ଖମାରୀ , ସନ୍ଧ୍ୟା ଥାପା ପାରା ଲିଗାଲ ଭଲ୍ୟୁଣ୍ଟର ବିକାଶ ଚନ୍ଦ୍ର ପଟ୍ଟନାୟକ , ନୀଳାମ୍ବର ବେହେରା , ପ୍ରଶାନ୍ତ ରଣା , କିରାଣୀ ଜିବର୍ଦ୍ଧନ ଛତ୍ରିଆ ଓ କିଶୋର କୁମାର ଦାସ୍ ଏବଂ ସିଭିଲ କୋର୍ଟ ନାଜିର ଅଭିଷେକ ଭରତ ଗଡତିଆ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ । ଉକ୍ତ କାର୍ଯ୍ୟ କ୍ରମରେ ରେଞ୍ଜ ଅଧିକାରୀ ଶୈଳେଶ କୁମାର୍ ବିଶି ଫରେଷ୍ଟ ଗାର୍ଡ ସଞ୍ଜୀବ କୁମାର ମିଶ୍ର , ଶ୍ରୀମତୀ ପୂଜାରାନି ସେଠ୍ ଫରେଷ୍ଟ ପ୍ରୋଟେକ୍ସନ ଜ୍ଞାନେସ ଗହିର , ସଚିନ୍ ବିଶୋଇ ଓ ଇଲେ ଫେଣ୍ଟ ପ୍ରୋଟେକ୍ସନ୍ ମୀନକେତନ ଖର୍ସେଲ ଯୋଗଦେଇ ସାହାଯ୍ୟ କରିଥିଲେ ।

Balangir (ବଲାଙ୍ଗୀର) • ରିପୋର୍ଟ: କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼

ତୁକୁଡା ମା' ଦକ୍ଷିଣ କାଳୀ ମନ୍ଦିରରୁ ଦାନବାକ୍ସ ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ
Jul 2, 2026•91 views

ତୁକୁଡା ମା' ଦକ୍ଷିଣ କାଳୀ ମନ୍ଦିରରୁ ଦାନବାକ୍ସ ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଅନୁଗୋଳ: ଅନୁଗୋଳ ଜିଲ୍ଲାର ତୁକୁଡା ଗ୍ରାମ ସ୍ଥିତ ମା' ଦକ୍ଷିଣ କାଳୀ ମନ୍ଦିରରେ ଦାନବାକ୍ସ ଚୋରି ଘଟଣା ଘଟିଛି। ଚୋରି ସମୟର ସମ୍ପୂର୍ଣ୍ଣ ଦୃଶ୍ୟ ମନ୍ଦିର ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଭାଇରାଲ୍ ହେଉଥିବା ସିସିଟିଭି ଫୁଟେଜରେ ଜଣେ ଦୁର୍ବୃତ୍ତ ଦାନବାକ୍ସରୁ ଟଙ୍କା ଚୋରି କରୁଥିବା ଦେଖିବାକୁ ମିଳୁଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଖବର ପାଇ ସମ୍ପୃକ୍ତ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଚାଲିଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ବଅଁରପାଳ ଥାନାରେ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ସହ 'ଆମ ପୋଲିସ ସମିତି' ବୈଠକ ଅନୁଷ୍ଠିତ
Jul 2, 2026•86 views

ବଅଁରପାଳ ଥାନାରେ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ସହ 'ଆମ ପୋଲିସ ସମିତି' ବୈଠକ ଅନୁଷ୍ଠିତ

ଅନୁଗୋଳ: ବଅଁରପାଳ ଥାନା ପକ୍ଷରୁ ନିଶାମୁକ୍ତ ସମାଜ ଗଠନର ଲକ୍ଷ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ସହ 'ଆମ ପୋଲିସ ସମିତି' ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପୋଲିସ ପକ୍ଷରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଥାନାର ପୋଲିସ ଅଧିକାରୀ ଓ 'ଆମ ପୋଲିସ ସମିତି'ର ସଦସ୍ୟମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପୋଲିସର ମହାନିର୍ଦ୍ଦେଶକ (DGP) ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ ନିଶାମୁକ୍ତ ସମାଜ ଗଠନ, ଯୁବପିଢ଼ିଙ୍କୁ ନିଶାରୁ ଦୂରେଇ ରଖିବା ଏବଂ ପୋଲିସ-ଜନସାଧାରଣଙ୍କ ମଧ୍ୟରେ ସହଯୋଗ ଓ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ବଅଁରପାଳ ଥାନାରେ ଆୟୋଜିତ ଏହି ବୈଠକରେ ଉପସ୍ଥିତ ସଦସ୍ୟମାନଙ୍କୁ ନିଶା ବିରୋଧୀ ସଚେତନତା ସୃଷ୍ଟି କରିବା, ସମାଜରେ ଶାନ୍ତି, ଶୃଙ୍ଖଳା ଓ ଆଇନ-ଶୃଙ୍ଖଳା ବଜାୟ ରଖିବାରେ ପୋଲିସକୁ ସହଯୋଗ କରିବା ପାଇଁ ଆହ୍ୱାନ କରାଯାଇଥିଲା।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ପଟ୍ଟାମୁଣ୍ଡାଇରେ ଏନ୍‌ସିସି ପ୍ରଶିକ୍ଷଣ ଶିବିର, ମନ୍ମଥନାଥ ଉଚ୍ଚ ବିଦ୍ୟାଳୟର ୨୭ କ୍ୟାଡେଟଙ୍କ ଅଂଶଗ୍ରହଣ
Jul 2, 2026•197 views

ପଟ୍ଟାମୁଣ୍ଡାଇରେ ଏନ୍‌ସିସି ପ୍ରଶିକ୍ଷଣ ଶିବିର, ମନ୍ମଥନାଥ ଉଚ୍ଚ ବିଦ୍ୟାଳୟର ୨୭ କ୍ୟାଡେଟଙ୍କ ଅଂଶଗ୍ରହଣ

ପଟ୍ଟାମୁଣ୍ଡାଇ, ୨ ଜୁଲାଇ: ୱାନ୍ ଓଡ଼ିଶା ବାଟାଲିୟନ୍ ଏନ୍‌ସିସି, କଟକ ଓ ସିଏଡିସି, ରେଭେନ୍ସା ବିଶ୍ୱବିଦ୍ୟାଳୟଙ୍କ ମିଳିତ ଆୟୋଜନରେ ପ୍ରାୟ ୬୦୦ ଜଣ କ୍ୟାଡେଟଙ୍କୁ ନେଇ ୧୦ ଦିନିଆ ଏନ୍‌ସିସି ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଏହି ଶିବିର ୨ ଜୁଲାଇରୁ ୧୧ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇସ୍ଥିତ ଐତିହାସିକ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରୁ ୨୭ ଜଣ କ୍ୟାଡେଟ ଏହି ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିଛନ୍ତି। କ୍ୟାଡେଟମାନଙ୍କ ଯାତାୟାତ, ରହଣି, ଖାଦ୍ୟ ଓ ଅନ୍ୟାନ୍ୟ ପରିଚାଳନା ଦାୟିତ୍ୱ ଏନ୍‌ସିସି ଶିକ୍ଷକ ସରୋଜ କୁମାର ସ୍ୱାଇଁ ତୁଲାଉଥିବା ବେଳେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ରାଉତରାୟଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ପରିଚାଳିତ ହେଉଛି। ଏହି ପ୍ରଶିକ୍ଷଣ ଶିବିରରେ କ୍ୟାଡେଟମାନଙ୍କୁ ଶାରୀରିକ ଓ ମାନସିକ ବିକାଶ ସହ ଡ୍ରିଲ୍, ଅସ୍ତ୍ରଚାଳନାର ମୌଳିକ ପ୍ରଶିକ୍ଷଣ, ନେତୃତ୍ୱ ବିକାଶ, ଶୃଙ୍ଖଳା, ସାମାଜିକ ସେବା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ଦକ୍ଷତାଭିତ୍ତିକ ପାଠ୍ୟକ୍ରମର ପ୍ରଶିକ୍ଷଣ ଦିଆଯାଉଛି। ଦେଶପ୍ରେମ, ଶୃଙ୍ଖଳା ଓ ଜାତୀୟ ସେବା ଭାବନାକୁ ସୁଦୃଢ଼ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ।

Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ: କୈଳାଶ ଚନ୍ଦ୍ର ବଳ, ପଟ୍ଟାମୁଣ୍ଡାଇ

ଶୁକଦେବ ଧରୁଆ  ହତ୍ୟା ଘଟଣା ର ପର୍ଦାଫାସ, ଅଭିଯୁକ୍ତ ଜ୍ବାଇଁ କୁ କୋର୍ଟ ଚାଲାଣ
Jul 2, 2026•74 views

ଶୁକଦେବ ଧରୁଆ ହତ୍ୟା ଘଟଣା ର ପର୍ଦାଫାସ, ଅଭିଯୁକ୍ତ ଜ୍ବାଇଁ କୁ କୋର୍ଟ ଚାଲାଣ

କଳାହାଣ୍ଡି : କୋକସରା ଥାନା ଅନ୍ତର୍ଗତ ଡାଲଗୁମା ଗ୍ରାମ ର ଶୁକଦେଵ ଧରୁଆ (୫୫) କୁ ଜଘନ୍ୟ ହତ୍ୟା ଘଟଣାର ପର୍ଦାଫାସ କରିଛି କୋକସରା ଥାନା ପୋଲିସ। ଗତ ରବିବାର ବିଳମ୍ବିତ ରାତିରେ ଡାଲଗୁମା ମଣ୍ଡି ନିକଟରେ ଥିବା ନିଜ ଘର ଦାଣ୍ଡ ରେ ମଶାରୀ ଟାଙ୍ଗି ଶୋଇଥିବା ଅବସ୍ଥାରେ ଶୁକଦେଵ କୁ ହତ୍ୟା କରା ଯାଇଥିବା ନେଇ ସମ୍ପର୍କୀୟ ଭାଇ ଧନନ୍ତରୀ ଧରୁଆ ଓ ବିବାହିତା ଝିଅ ରୁକ୍ମଣୀ ଧରୁଆ ଅଭିଯୋଗ କରିଥିଲେ। କୋକସରା ପୁଲିସ ସାଇଣ୍ଟିଫିକ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରି ଏହି ମାମଲା ରେ ଜଣେ ଯୁବକ ଙ୍କୁ ସନ୍ଦେହ ରେ ଅଟକ ରଖି ପଚରାଉଚରା ଜାରି ରଖିଥିଲେ। ଏହା ମଧ୍ୟରେ ପୋଲିସ କୁ ହତ୍ୟା ନେଇ କିଛି ଠୋସ ପ୍ରମାଣ ମିଳିବା ପରେ ମଙ୍ଗଳବାର ରାତିରେ ଚଢ଼ାଉ କରି ମୃତକ ଶୁକଦେଵ ଧରୁଆ ର ନିଜ ଜ୍ବାଇଁ ଡିଙ୍ଗର ମାଝୀ (ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା କାଠବେଡା ଗ୍ରାମ ବାସିନ୍ଦା) ହତ୍ୟା କରିଥିବା ନେଇ ପୁଲିସ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତ ଜ୍ବାଇଁ ମଧ୍ୟ ହତ୍ୟା କରିଥିବା ନେଇ ପୋଲିସ ଆଗରେ ପ୍ରକାଶ କରିଥିବା ଜଣାପଡ଼ିଛି। ବୁଧବାର ଅଭିଯୁକ୍ତ ମର୍ଡର ସିନ ରିକ୍ରିଏସନ କରି କେମିତି ହତ୍ୟା ଭିଆଇଛି ତାହା ଦେଖାଇଥିଲା।ତେବେ ପାରିବାରିକ କଳହ କୁ ନେଇ ନିଜ ଶଶୁର କୁ ହତ୍ୟା କରିଥିବା ପୋଲିସ ର ତଦନ୍ତ ରୁ ଜଣାପଡ଼ିଛି। ଘଟଣା ଦିନ ରାତିରେ ଶଶୁର ଶୁକଦେଵ ଡାଲଗୁମା ମଣ୍ଡି ନିକଟରେ ଥିବା ନିଜ ଘର ଦାଣ୍ଡ ରେ ଶୋଇଥିବା ଅବସ୍ଥାରେ ଜ୍ବାଇଁ ଡିଙ୍ଗର ମାଝୀ ଅତି ନିର୍ମମ ଭାବେ ଶାବଳ ରେ ବେକ ଓ ମୁଣ୍ଡ ରେ ଭୁଷିବାରୁ ଘଟଣାସ୍ଥଳରେ ଶୁକଦେଵ ର ମୃତ୍ୟୁ ହୋଇଥିଲା। ଏହି ଘଟଣା ରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ହତ୍ୟା ମାମଲା ଥାନା କେଶ ନମ୍ବର ୧୩୫/୨୬ ରେ କୋର୍ଟ ଚାଲାଣ କରାଯାଇଥିବା ନେଇ ପୁଲିସ ଏସଆଇ ଡି. ମୋହନ ସୂଚନା ଦେଇଛନ୍ତି।

Kalahandi (କଳାହାଣ୍ଡି) • ରିପୋର୍ଟ :ରିତେଶ କୁମାର ମୁଣ୍ଡ, କୋକସରା

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସିଭିଲ୍ ସୋସାଇଟିର ଦାବିପତ୍ର
Jul 2, 2026•58 views

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସିଭିଲ୍ ସୋସାଇଟିର ଦାବିପତ୍ର

ବାଲେଶ୍ୱର : ବୁଧବାର ବାଲେଶ୍ୱର ସିଭିଲ୍ ସୋସାଇଟି ପକ୍ଷରୁ ୩ ପ୍ରମୁଖ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। ବାଲେଶ୍ୱର ସହରରେ ଥିବା ସରକାରୀ ଜମିକୁ ଜବର ଦଖଲ ମୁକ୍ତ କରିବା, ଜିଲ୍ଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତିର ସୁଧାର ଆଣିବା ଓ ସରକାରୀ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଚଳିତ ବର୍ଷର ନୂଆ ପାଠ୍ୟପୁସ୍ତକ ପୂରା ନିର୍ଭୁଲ୍ କରି ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଯୋଗାଇବାକୁ ସଂଗଠନ ଦାବି କରିଛି। ସହରରେ ଯାନବାହନ ସଂଖ୍ୟା ବଢ଼ିଥିବା ବେଳେ ସହର ମୁଖ୍ୟ ପ୍ରବେଶ ପଥ (ଓଟି ରୋଡ୍) ସମ୍ପ୍ରସାରଣ ପାଇଁ ସରକାରଙ୍କ ନିଷ୍ପତ୍ତିକୁ ସିଭିଲ୍ ସୋସାଇଟି ସ୍ୱାଗତ କରିଛି। ଏଥିରେ ସରକାରୀ ଜମି ଅବରୋଧ ହୋଇଥିବାରୁ ସମ୍ପ୍ରସାରଣ କାର୍ଯ୍ୟ ଠିକରେ ହୋଇପାରୁନି। ତାମ୍ପୁଲିଆ ଓଭରବ୍ରିଜ୍‌ରୁ ଫକୀରମୋହନ ଗୋଲେଇ ପର୍ଯ୍ୟନ୍ତ ଉଭୟ ପଟେ ଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜବରଦଖଲରେ ଥିବା ବହୁ ଘର, ବିଦ୍ୟୁତ ଖୁଣ୍ଟ, ଟ୍ରାନ୍ସଫର୍ମର ଗୁଡ଼ିକୁ ଉଚ୍ଛେଦ ହୋଇନି। ତେଣୁ ରାସ୍ତା ସମ୍ପ୍ରସାରଣ ଓ ପାର୍ଶ୍ୱ ଡ୍ରେନ୍ ତିଆରି ଠିକ୍ ଭାବେ ହୋଇପାରୁନି। ଅଜ୍ଞାତଖଣ୍ଡିଆ, ତେଲେଙ୍ଗା ସାହି ଓ ପଢ଼ୁଆଁପଦା ମୌଜାରେ ଥିବା ପ୍ରାୟ ୪୦ ଏକରରୁ ଅଧିକ ସରକାରୀ ଜମିକୁ ଜବରଦଖଲ ମୁକ୍ତ କରି ସେଠାରେ ନୂଆ ମାର୍କେଟ ଓ ହାଟ ପ୍ରତିଷ୍ଠାପାଇଁ ସଂଗଠନ ସରକାରଙ୍କୁ ଏହି ଚିଠି ଦେଇଛି। ରାସ୍ତା ପାର୍ଶ୍ୱରୁ ଉଚ୍ଛେଦ ହୋଇଥିବା ବ୍ୟବସାୟୀଙ୍କୁ ଏହି ନୂଆ ମାର୍କେଟ ଓ ହାଟରେ ଅବସ୍ଥାନ ପାଇଁ ଓ ଯାନବାହନ ପାର୍କିଂର ସୁଯୋଗ ଦିଆଯାଇପାରନ୍ତା ବୋଲି ସିଭିଲ୍ ସୋସାଇଟି କହିଛି। ଏହାଛଡ଼ା ରାଜ୍ୟରେ ନୂଆ ଜାତୀୟ ଶିକ୍ଷାନୀତି ପ୍ରଚଳନ ପାଇଁ ସରକାରୀ ପାଠ୍ୟପୁସ୍ତକରେ ଅକ୍ଷମଣୀୟ ତ୍ରୁଟି ହୋଇଛି। ଏହି ଭୁଲ୍ ପାଇଁ ଦୋଷୀ ବ୍ୟକ୍ତିଙ୍କ ଠାରୁ ବହି ଛପା ବାବଦକୁ ସମସ୍ତ କ୍ଷତି ଭରଣା ପାଇଁ ଶିକ୍ଷାବିଭାଗ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସିଭିଲ୍ ସୋସାଇଟି ଦାବି କରିଛି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବିପତ୍ରରେ ସୋସାଇଟି ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସମ୍ପାଦକ ମନୋଜ ନାୟକ, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀଙ୍କ ସହିତ ସର୍ବଶ୍ରୀ ଅଜିତ କୁମାର ବରାଳ, ମଲ୍ଲୟ ରାୟ, ଶ୍ୟାମସୁନ୍ଦର ଜେନା, କମଳାକାନ୍ତ ବେହେରା, ସନ୍ତୋଷ କୁମାର ସାହୁ ପ୍ରମୁଖ ସଦସ୍ୟ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Balasore (ବାଲେଶ୍ୱର) • ରିପୋର୍ଟ: ପ୍ରଭାତ କୁମାର ବାରିକ, ବାଲେଶ୍ଵର

ରେମୁଣା ବଜାର ରାସ୍ତାର ସଂକୀର୍ଣ୍ଣତା ଦୂର ହେବ କେବେ?
Jul 2, 2026•49 views

ରେମୁଣା ବଜାର ରାସ୍ତାର ସଂକୀର୍ଣ୍ଣତା ଦୂର ହେବ କେବେ?

ବାଲେଶ୍ୱର : ବିଭିନ୍ନ ଦିଗକୁ ବିଚାରକୁ ନେଲେ ରେମୁଣା ଆଞ୍ଚଳିକ ବିଶେଷ ଗୁରୁତ୍ଵ ରହିଛି। ରେମୁଣା ଅଞ୍ଚଳରେ ବାଲେଶ୍ଵର ଆଇଟିଆଇ, ନୋସି, ବିର୍ଲା ଭଳି ବୃହତ ଶିଳ୍ପ ରହିଛି। ଖନ୍ତାପଡ଼ା, ସୋରନାଥପୁର, ବାଲେଗୋପାଳପୁରକୁ ଶିଳ୍ପାଞ୍ଚଳ କୁହାଯାଉଛି। ମାତ୍ର ରେମୁଣା ବଜାର ରାସ୍ତା ଅତି ସଂକୀର୍ଣ୍ଣ ହୋଇଥିବାରୁ ଛୋଟ ବଡ଼ ଦୁର୍ଘଟଣା ସାଧାରଣ କଥା ପାଲଟିଛି। ରେମୁଣା ବ୍ଲକ ନୂଆପାଡ଼ାରେ ରହିଛି ଫକୀରମୋହନ ବିଶ୍ଵବିଦ୍ୟାଳୟ। ସେହିପରି ଫକୀରମୋହନ ମେଡିକାଲ କଲେଜ ଏବଂ ହସପିଟାଲ, ଏମ୍‌ସାଟେଲାଇଟ୍ ସେଣ୍ଟର ରେମୁଣାକୁ ସ୍ଵତନ୍ତ୍ର ପରିଚୟ ଦେଇଛି। ରେମୁଣା ବ୍ଲକର ପ୍ରାୟ ଅର୍ଦ୍ଧାଧିକ ପଞ୍ଚାୟତରେ ଧାନ ଚାଷ ଏବଂ ପ୍ରାୟ ୭ଟି ପଞ୍ଚାୟତରେ ପାନଚାଷ ଚାଷ ହୋଇଥାଏ। ପ୍ରସିଦ୍ଧ କ୍ଷୀରଚୋରା ଗୋପୀନାଥ ମନ୍ଦିରକୁ ପ୍ରତିଦିନ ଦୂର ଦୂରାନ୍ତରୁ ସ୍ଥାନରୁ ବହୁ ଭକ୍ତ ଆସିଥାନ୍ତି। ଏସବୁ ଦୃଷ୍ଟିରୁ ପ୍ରତିଦିନ ହଜାର ହଜାର ଲୋକଙ୍କର ରେମୁଣାକୁ ଯିବା ଆସିବା ଲାଗିଥାଏ। ମାତ୍ର ଶତାଧିକ ବର୍ଷର ପୁରୁଣା ରେମୁଣା ବଜାରରେ ସଂକୀର୍ଣ୍ଣ ରାସ୍ତା ସାଧାରଣ ଲୋକଙ୍କ ଜୀବନ ଯାତ୍ରାରେ ବନ୍ଦ ବାଧକ। ଫକୀରମୋହନ ବିଶ୍ଵବିଦ୍ୟାଳୟ, ମେଡିକାଲ କଲେଜ ଏବଂ ଐତିହାସିକ କ୍ଷୀରଚୋରା ଗୋପୀନାଥ ମନ୍ଦିର ଏବଂ କଲ୍ୟାଣପୁର ଆଦିକୁ ପ୍ରତିଦିନ ଅନେକ ଗାଡ଼ି ମଟର ଚଳାଚଳ କରିଥାଏ। ମେଡିକାଲ କଲେଜ ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ପରେ ରେମୁଣାର ମୁଖ୍ୟ ରାସ୍ତା ଆମୂଳଚୂଳ ଚଉଡ଼େଇ ପାଇଁ ଅତି ଗୁରୁତ୍ଵପୂର୍ଣ୍ଣ। ମାତ୍ର ରେମୁଣା ବଜାର ରାସ୍ତାର ସଂକୀର୍ଣ୍ଣତା ଅନେକ ବାଧା ସୃଷ୍ଟି କରିଥାଏ। ଉଭୟ ପାର୍ଶ୍ଵର ଦୋକାନ ଏବଂ ପାର୍କିଂ ସଂକୀର୍ଣ୍ଣତାର ବେଶୀ ବାଧକ। ପିକ୍ଅପ୍ ବାଲେଶ୍ଵର ରାସ୍ତା-ରେମୁଣା ବର୍ତ୍ତମାନ ପୂର୍ଣ୍ଣ ରାସ୍ତା। ସଡ଼କ ସମ୍ପ୍ରସାରଣେ ସାମାନ୍ୟ ହୋଇପାରୁ ନାହିଁ। ବ୍ୟକ୍ତିଗତ ମାଲିକାନା ପାଇଁ ବଜାର ରାସ୍ତାର ସମ୍ପ୍ରସାରଣ ମଧ୍ୟ ସମ୍ଭବ ହେଉ ନାହିଁ। ଅବଶ୍ୟ ପ୍ରଶାସନ ୨୦୨୧ରେ ରେମୁଣା ବଜାରର ଉଭୟ ପାର୍ଶ୍ଵରେ ଉଚ୍ଛେଦ କରି ସମ୍ପ୍ରସାରଣେ ସାମାନ୍ୟ ଉନ୍ନତି ଆଣିଥିବାବେଳେ ରାସ୍ତାକୁ ଅଧିକ ସମ୍ପ୍ରସାରଣ କରିବା ବର୍ତ୍ତମାନ ପରିସ୍ଥିତିରେ ଅତି ଆବଶ୍ୟକ ହୋଇ ପଡ଼ିଛି। ପ୍ରତି ମିନିଟରେ ଏହାଧିକ ଅମ୍ବୁଲାନ୍ସ ମେଡିକାଲ କଲେଜ ହସ୍ପିଟାଲ ଓ ରେମୁଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯାତାୟାତ କରିଥାନ୍ତି। ମାତ୍ର ଅନେକ ସମୟରେ ରେମୁଣା ବଜାର ମଝିରେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯାଉଥିବା ଆମ୍ବୁଲାନ୍ସ ପଶି ରହିବା ରୋଗୀର ଜୀବନ ପାଇଁ ତେଣିକି ବିପଦଜନକ, ସାଧାରଣ ଲୋକଙ୍କ ଚଳାଚଳ ପାଇଁ ସେତିକି ଅସୁବିଧାଜନକ। ବାଲେଶ୍ଵରକୁ ବାହାରି ଥିବା ଏହି ରାସ୍ତା ମୟୂରଭଞ୍ଜ ହୋଇ କେନ୍ଦୁଝରର ଠାକୁରମୁଣ୍ଡା ପର୍ଯ୍ୟନ୍ତ ଲମ୍ବିଛି।

Balasore (ବାଲେଶ୍ୱର) • ରିପୋର୍ଟ: ପ୍ରଭାତ କୁମାର ବାରିକ, ବାଲେଶ୍ଵର

କେଜିରୁ ପିଜି ମାଗଣା ଶିକ୍ଷା: ‘ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି’ ଯୋଜନାକୁ କ୍ୟାବିନେଟ୍ ମୋହର, ୫ ବର୍ଷରେ ଖର୍ଚ୍ଚ ହେବ ୫,୪୬୭ କୋଟି
Jul 2, 2026•132 views

କେଜିରୁ ପିଜି ମାଗଣା ଶିକ୍ଷା: ‘ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି’ ଯୋଜନାକୁ କ୍ୟାବିନେଟ୍ ମୋହର, ୫ ବର୍ଷରେ ଖର୍ଚ୍ଚ ହେବ ୫,୪୬୭ କୋଟି

ଭୁବନେଶ୍ୱର: ରାଜ୍ୟର ଶିକ୍ଷା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ଓ ଐତିହାସିକ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । ଏଣିକି ଆର୍ଥିକ ଅଭାବ କାରଣରୁ ଓଡ଼ିଶାର କୌଣସି ବି ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହେବେ ନାହିଁ କିମ୍ବା ମଝିରୁ ପାଠ ଛାଡ଼ିବେ ନାହିଁ । ରାଜ୍ୟରେ କେଜି ଠାରୁ ଆରମ୍ଭ କରି ସ୍ନାତକୋତ୍ତର ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ମେଗା ଯୋଜନା ‘ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି’କୁ ଆନୁଷ୍ଠାନିକ ଅନୁମୋଦନ ମିଳିଛି । ଆଜିର କ୍ୟାବିନେଟ୍ରେ ରାଜ୍ୟର ବିକାଶ ପାଇଁ ମୋଟ ୧୨ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ବେଳେ ଶିକ୍ଷା କ୍ଷେତ୍ରର ଏହି ପଦକ୍ଷେପ ସବୁଠାରୁ ବଡ଼ ସଂସ୍କାର ଆଣିବ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଚଳିତ ଶିକ୍ଷାବର୍ଷ ୨୦୨୬-୨୭ରୁ ହିଁ ଏହି ଯୋଜନା ସାରା ରାଜ୍ୟରେ କାର୍ଯ୍ୟକାରୀ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଅନୁଷ୍ଠାନଗୁଡ଼ିକରେ ନିୟମିତ ପାଠ୍ୟକ୍ରମରେ ନାମ ଲେଖାଉଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ନାମଲେଖା ଫି’ ଛାଡ଼ କରାଯିବ । ଶିକ୍ଷାକୁ ସାମଗ୍ରିକ ଓ ସ୍ଥାୟୀ ବିକାଶର ମୂଳଦୁଆ ଭାବେ ଗ୍ରହଣ କରି ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଏହି ବୃହତ୍ତମ ପୁଞ୍ଜିନିବେଶ କରିଛନ୍ତି । କ୍ୟାବିନେଟ୍ ଏହି ଯୋଜନା ପାଇଁ ପ୍ରଥମ ଆର୍ଥିକ ବର୍ଷରେ ୮୯୫.୫୭ କୋଟି ଟଙ୍କା ଏବଂ ୫ ବର୍ଷ ପାଇଁ ୫,୪୬୭.୫୫ କୋଟିର ବ୍ୟୟ ଅଟକଳ ମଞ୍ଜୁର କରାଯାଇଛି । ସରକାରଙ୍କ ଏହି ପଦକ୍ଷେପ ଫଳରେ ରାଜ୍ୟର ପ୍ରତିବର୍ଷ ୩୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ଜ୍ଞାନୋଦୟ - ଶିକ୍ଷାରୁ ସମୃଦ୍ଧି" କେବଳ ଏକ ଫି’ ଛାଡ଼ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ପ୍ରତ୍ୟେକ ଶିଶୁ ଏବଂ ଯୁବକଯୁବତୀଙ୍କୁ ଶିକ୍ଷା ଗ୍ରହଣର ସମାନ ସୁଯୋଗ ଦେବାର ସଂକଳ୍ପ । ଏହି ପ୍ରୟାସ ଜାତୀୟ ଶିକ୍ଷା ନୀତି ୨୦୨୦, ଓଡ଼ିଶା ଭିଜନ ୨୦୩୬ ଏବଂ ଓଡ଼ିଶା ଭିଜନ ୨୦୪୭ର ଲକ୍ଷ୍ୟ ହାସଲ କରିବାରେ ବଡ଼ ସହାୟକ ।

Bhubaneswar (ଭୁବନେଶ୍ୱର) • ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ସୁବର୍ଣ୍ଣରେଖା ତଟରୁ ଖସୁଛି ଅତଡ଼ା, ଲୋକେ ଛାନିଆ
Jul 2, 2026•41 views

ସୁବର୍ଣ୍ଣରେଖା ତଟରୁ ଖସୁଛି ଅତଡ଼ା, ଲୋକେ ଛାନିଆ

ବାଲେଶ୍ୱର : ବର୍ଷା ଦିନ ଆସି ଯାଇଥିବାରୁ ସୁବର୍ଣ୍ଣରେଖା ନଦୀ ତଟରୁ ଅତଡ଼ା ଖସିବା କ୍ରମଶଃ ବୃଦ୍ଧି ପାଉଥିବାରୁ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସ୍ଥିତି ଏପରି ହୋଇଛି ଯେ ଜଳେଶ୍ୱର ବ୍ଲକର ଶାସନବାଡ଼ ପଞ୍ଚାୟତର ଗୋବର୍ଦ୍ଧନପୁର, ବାଣିଦା, ଦହୁଣ୍ଡା, ଜଗନ୍ନାଥପୁର ପଞ୍ଚାୟତର ନାଳବାର ଏବଂ ବାଲିଆପାଳ ବ୍ଲକର ବିସ୍ତୀର୍ଣ୍ଣ ଅଞ୍ଚଳରେ ଏହି ସମସ୍ୟା ଦେଖାଦେଇଛି। ଏହି ଅଞ୍ଚଳରେ ପ୍ରତିବର୍ଷ ବନ୍ୟା ସମୟରେ ଅତଡ଼ା ଖସିବା ସହ ଲୋକଙ୍କ ଘରଦ୍ୱାର ଏବଂ ଚାଷଜମି ନଦୀଗର୍ଭକୁ ଚାଲିଯାଉଛି। ଫଳରେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ରିପୋର୍ଟ ଅନୁସାରେ ସୁବର୍ଣ୍ଣରେଖା ନଦୀ ଗର୍ଭକୁ ଚାଷଜମି ଏବଂ ବସତି ଚାଲିଯାଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅନୁରୂପ ଭାବେ ବାଲିଆପାଳ ଅଞ୍ଚଳରେ ମଧ୍ୟ ବନ୍ୟା ଆସିଲେ ଏଭଳି ସ୍ଥିତି ଉପୁଜିଥାଏ। ଉକ୍ତ ସମସ୍ୟା ଦୂର କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି। ପ୍ରକାଶଥାଉ କି, ସୁବର୍ଣ୍ଣରେଖା ପ୍ରକଳ୍ପ ଜରିଆରେ ପଥର ପ୍ୟାକିଂ କରି କିଛି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ଅଧିକାଂଶ ସ୍ଥାନରେ ନଷ୍ଟ ହୋଇଯାଇଛି। ଏପରିକି ନଦୀ ଗର୍ଭରୁ ବାଲି ଉତ୍ତୋଳନ ଯୋଗୁଁ ନଦୀ ପଠା ଦୁର୍ବଳ ହେବାରେ ଲାଗିଛି। ଅପରପକ୍ଷରେ ସ୍ଥାନୀୟ ବାସିନ୍ଦା ଏବଂ ଜନପ୍ରତିନିଧିମାନେ ବାରମ୍ବାର ଏହି ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପ୍ରଶାସନ ତରଫରୁ କେବଳ ପ୍ରତିଶ୍ରୁତି ମିଳୁଛି, ମାତ୍ର କାର୍ଯ୍ୟକ୍ଷେତ୍ରରେ କୌଣସି ସ୍ଥାୟୀ ପ୍ରତିକାର ଦେଖିବାକୁ ମିଳୁନାହିଁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଆଗାମୀ ଦିନରେ ବଡ଼ ଧରଣର ବିପର୍ଯ୍ୟୟ ଘଟିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ବନ୍ୟା ଏବଂ ନଦୀକୂଳ ଲୋକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଜଳସମ୍ପଦ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

Balasore (ବାଲେଶ୍ୱର) • ରିପୋର୍ଟ: ପ୍ରଭାତ କୁମାର ବାରିକ, ବାଲେଶ୍ଵର