--:--:--
-- ---
Srishti News

ଖୋର୍ଦ୍ଧାରେ ଜାତୀୟ ଅନୁସୂଚିତ ଜାତି କମିଶନ ଟିମ୍‌ର ସମୀକ୍ଷା

Khordha (ଖୋର୍ଦ୍ଧା)ରିପୋର୍ଟ : ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାAugust 18, 202619 views
ଖୋର୍ଦ୍ଧାରେ ଜାତୀୟ ଅନୁସୂଚିତ ଜାତି କମିଶନ ଟିମ୍‌ର ସମୀକ୍ଷା
ସରକାରୀ ଯୋଜନାର ସୁଫଳ ଯେପରି ସମସ୍ତ ହିତାଧିକାରୀ ପାଇପାରନ୍ତି, ଗୁରୁତ୍ୱାରୋପ ଖୋର୍ଦ୍ଧା: ଅନୁସୂଚିତ ଜାତି ବର୍ଗର ହିତାଧିକାରୀଙ୍କ ପାଇଁ ସରକାର ରୂପାୟଣ କରୁଥିବା ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର କାର୍ଯ୍ୟାନ୍ୱୟନ ଓ ଅଗ୍ରଗତି ସମୀକ୍ଷା କରିଛି ଜାତୀୟ ଅନୁସୂଚିତ ଜାତି କମିଶନ। ଡ଼ଃ ପାର୍ଥ ସାରଥୀ ବିଶ୍ୱାସଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ କମିଶନ ଟିମ୍‌ ଖୋର୍ଦ୍ଧା ଜିଲ୍ଲା ପରିଦର୍ଶନ କରି ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭିନ୍ନ ବିଷୟରେ ତଥ୍ୟ ଅନୁଧ୍ୟାନ କରିଥିଲେ। ବୈଠକରେ ମନରେଗା, ଜମି ବଣ୍ଟନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱାସ୍ଥ୍ୟସେବା, ଶିକ୍ଷାବୃତ୍ତି, ଛାତ୍ରାବାସ, ମୁଦ୍ରା ଋଣ ଓ ଜନଧନ ଯୋଜନା ଭଳି ବିଭିନ୍ନ ଯୋଜନାର ସ୍ଥିତି ଓ ଅଗ୍ରଗତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସମୀକ୍ଷା ସମୟରେ ଜିଲ୍ଲାର ୧୬,୮୦୧ ଜଣ ଅନୁସୂଚିତ ଜାତି ହିତାଧିକାରୀଙ୍କୁ ମନରେଗା କାର୍ଡ ପ୍ରଦାନ କରାଯାଇଥିବା ସୂଚନା କମିଶନ ଟିମ୍‌କୁ ଦିଆଯାଇଥିଲା। ସେହିପରି ଜିଲ୍ଲାର ୧୪ଟି ଛାତ୍ରାବାସରେ ପ୍ରାୟ ୧,୪୦୦ ଛାତ୍ରଛାତ୍ରୀ ରହି ବିଭିନ୍ନ ସୁବିଧା ପାଉଥିବା ନେଇ ମଧ୍ୟ ଅବଗତ କରାଯାଇଥିଲା। ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ, ହିତାଧିକାରୀଙ୍କ ଲାଭ ଏବଂ ଅଗ୍ରଗତି ସମ୍ପର୍କରେ ଆଲୋଚନା ପରେ କମିଶନ ଟିମ୍‌ ସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଅନୁସୂଚିତ ଜାତି ବର୍ଗର କୌଣସି ହିତାଧିକାରୀ ଯେପରି ସରକାରୀ ଯୋଜନାର ସୁଫଳରୁ ବଞ୍ଚିତ ନହୁଅନ୍ତି, ସେଥିପ୍ରତି ପ୍ରଶାସନ ଅଧିକ ଗୁରୁତ୍ୱ ଦେବାକୁ କମିଶନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଥିଲା। ସରକାରୀ ଯୋଜନାର ଲାଭ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସଠିକ୍‌ ଭାବେ ପହଞ୍ଚିବା ସହ ଅନୁସୂଚିତ ଜାତି ସମୁଦାୟର ସାମାଜିକ ଓ ଆର୍ଥିକ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ବୈଠକରେ ଜୋର ଦିଆଯାଇଥିଲା।