--:--:--
-- ---
Srishti News

କର୍ଲାକୋଟରେ ପାଣି ସମସ୍ୟାକୁ ନେଇ ତେଜିଲା ଅସନ୍ତୋଷ, ଆନ୍ଦୋଳନ ପାଇଁ କଂଗ୍ରେସର ସଜବାଜ

Nuapada (ନୂଆପଡ଼ା)କଶ୍ୟପ ଜଗତ: ବୋଡେ଼ନAugust 25, 202619 views
କର୍ଲାକୋଟରେ ପାଣି ସମସ୍ୟାକୁ ନେଇ ତେଜିଲା ଅସନ୍ତୋଷ, ଆନ୍ଦୋଳନ ପାଇଁ କଂଗ୍ରେସର ସଜବାଜ
ବୋଡେ଼ନ: ୨୪/୦୮ ବୋଡେ଼ନ ବ୍ଲକ ଅନ୍ତର୍ଗତ କର୍ଲାକୋଟ ପଞ୍ଚାୟତର କର୍ଲାକୋଟ ଗ୍ରାମରେ ଦୀର୍ଘଦିନ ଧରି ଲାଗି ରହିଥିବା ପାନୀୟଜଳ ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି। ପାଣି ଭଳି ମୌଳିକ ଆବଶ୍ୟକତା ପାଇଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ସମସ୍ୟାର ସ୍ଥାୟୀ ସମାଧାନ ନ ହେବାକୁ ନେଇ ଗ୍ରାମବାସୀ ପ୍ରଶାସନ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଖଡ଼ିଆଳ ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ କମଳ ଚରଣ ତାଣ୍ଡି ମଙ୍ଗଳବାର କର୍ଲାକୋଟ ଗ୍ରାମକୁ ଗସ୍ତ କରି ଗ୍ରାମବାସୀଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଆଲୋଚନା ସମୟରେ ପାନୀୟଜଳ ସମସ୍ୟା ହିଁ ସବୁଠାରୁ ଗୁରୁତର ପ୍ରସଙ୍ଗ ଭାବେ ସାମ୍ନାକୁ ଆସିଥିଲା। ଗ୍ରାମବାସୀଙ୍କ କହିବାନୁସାରେ, ଦୀର୍ଘ ସମୟ ଧରି ପାଣି ପାଇଁ ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି। ଏନେଇ ବାରମ୍ବାର ଦାବି ଓ ଅଭିଯୋଗ ହୋଇଥିଲେ ମଧ୍ୟ ଏଯାଏଁ ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। କମଳ ଚରଣ ତାଣ୍ଡି କହିଛନ୍ତି ଯେ, “ପାଣି ଲୋକଙ୍କର ମୌଳିକ ଆବଶ୍ୟକତା। ଗ୍ରାମବାସୀଙ୍କ ନ୍ୟାୟସଙ୍ଗତ ଦାବିକୁ ଆଉ ଅଣଦେଖା କରାଯିବ ନାହିଁ।” ଏହି ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଦଳ ପକ୍ଷରୁ ଜନସାଧାରଣଙ୍କୁ ସାଙ୍ଗରେ ନେଇ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ଅବସରରେ କଂଗ୍ରେସ ଦଳର ଏକ ପ୍ରତିନିଧି ଦଳ ଗ୍ରାମବାସୀଙ୍କ ସହ ବିସ୍ତୃତ ଆଲୋଚନା କରି ପାଣି ସମସ୍ୟାର ସ୍ଥାୟୀ ସମାଧାନ ନେଇ ପରବର୍ତ୍ତୀ ପଦକ୍ଷେପ ଉପରେ ମତବିନିମୟ କରିଥିଲେ। କର୍ଲାକୋଟ ଗ୍ରାମର ପାନୀୟଜଳ ସମସ୍ୟାକୁ ପ୍ରଶାସନ ଗୁରୁତ୍ୱର ସହ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କ ଦୀର୍ଘଦିନର ଦାବିର ସ୍ଥାୟୀ ସମାଧାନ କରୁ, ଏହା ହିଁ ବର୍ତ୍ତମାନ ଗ୍ରାମବାସୀଙ୍କ ପ୍ରମୁଖ ଦାବି ହୋଇଛି ।