--:--:--
-- ---
Srishti News

ବିପଦସଙ୍କୁଳ ଅବସ୍ଥାରେ ମିଲିଟାରୀ ରୋଡ଼କୁ ସଂଯୋଗ କରୁଥିବା ଖରଡ଼ିର ମୁଖ୍ୟ ରାସ୍ତା ରାସ୍ତାର ଦୁର୍ଦ୍ଦଶାକୁ ନେଇ ବଢ଼ୁଛି ଜନଅସନ୍ତୋଷ; ତୁରନ୍ତ ସ୍ଥାୟୀ ନିର୍ମାଣ ନହେଲେ ଗଣଆନ୍ଦୋଳନର ଚେତାବନୀ

Jajpur (ଯାଜପୁର)ରିପୋର୍ଟ ଅନିଲ କୁମାର ଜେନା କଳିଙ୍ଗନଗରAugust 25, 202623 views
ବିପଦସଙ୍କୁଳ ଅବସ୍ଥାରେ ମିଲିଟାରୀ ରୋଡ଼କୁ ସଂଯୋଗ କରୁଥିବା ଖରଡ଼ିର ମୁଖ୍ୟ ରାସ୍ତା  ରାସ୍ତାର ଦୁର୍ଦ୍ଦଶାକୁ ନେଇ ବଢ଼ୁଛି ଜନଅସନ୍ତୋଷ; ତୁରନ୍ତ ସ୍ଥାୟୀ ନିର୍ମାଣ ନହେଲେ ଗଣଆନ୍ଦୋଳନର ଚେତାବନୀ
ଜଖପୁରା, ତା.୪/୮ ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତର ଖରଡ଼ି ଗ୍ରାମକୁ ମିଲିଟାରୀ ରୋଡ଼ ସହ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଆଜି ଗ୍ରାମାଞ୍ଚଳର ବିକାଶ ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗ୍ରାମ୍ୟ ବିକାଶ ବିଭାଗ ଅଧୀନରେ ଥିବା ଏହି ରାସ୍ତା ବର୍ଷ ବର୍ଷ ଧରି ଅବହେଳାର ଶିକାର ହୋଇ ଆଜି ମରଣଯନ୍ତାରେ ପରିଣତ ହୋଇଛି। ବର୍ଷା ଆସିଲେ ଏହି ରାସ୍ତାର ଦୃଶ୍ୟ ଦେଖି ଲାଗୁଛି, ଯେପରି ରାସ୍ତା ନୁହେଁ ବରଂ କାଦୁଅ ଓ ପାଣିରେ ଭର୍ତ୍ତି ଏକ ବିପଦପୂର୍ଣ୍ଣ ଖାଲ। ତଥାପି ଗ୍ରାମ୍ୟ ବିକାଶ ବିଭାଗର ନିଦ ଭାଙ୍ଗୁ ନାହିଁ।ଖରଡ଼ି ଗ୍ରାମର ଏହି ମୁଖ୍ୟ ରାସ୍ତା କେବଳ ଯାତାୟାତର ମାଧ୍ୟମ ନୁହେଁ, ବରଂ ହଜାର ହଜାର ଲୋକଙ୍କ ଦୈନନ୍ଦିନ ଜୀବନର ଆଧାର। ପ୍ରତିଦିନ ଏହି ରାସ୍ତା ଦେଇ ଛାତ୍ରଛାତ୍ରୀ, ଚାଷୀ, ଶ୍ରମିକ, ବ୍ୟବସାୟୀ, ସରକାରୀ କର୍ମଚାରୀ, ରୋଗୀ ଓ ସାଧାରଣ ଲୋକ ମିଲିଟାରୀ ରୋଡ଼କୁ ଯାତାୟାତ କରୁଛନ୍ତି। କିନ୍ତୁ ବର୍ତ୍ତମାନ ରାସ୍ତାର ଅବସ୍ଥା ଏପରି ହୋଇଛି ଯେ, ବଡ଼ ଯାନବାହନ କଥା ଦୂରର କଥା, ଖାଲି ପାଦରେ ଚାଲିବାକୁ ମଧ୍ୟ ଲୋକମାନେ ଭୟ କରୁଛନ୍ତି। ରାସ୍ତାରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଗର୍ତ୍ତରେ ବର୍ଷା ପାଣି ଜମି ରହୁଥିବାରୁ କେଉଁଠି ରାସ୍ତା ଓ କେଉଁଠି ଖାଲ, ତାହା ଜାଣିବା କଷ୍ଟକର ହୋଇପଡ଼ୁଛି। ଦୁଇଚକିଆ ଯାନଚାଳକମାନେ ପ୍ରତିଦିନ ଜୀବନକୁ ବାଜି ଲଗାଇ ଏହି ରାସ୍ତାରେ ଯାତାୟାତ କରୁଛନ୍ତି। ସ୍କୁଲ ଯାଉଥିବା ଛୋଟ ଛୋଟ ପିଲାମାନେ କାଦୁଅରେ ପଡ଼ି ଆହତ ହେଉଛନ୍ତି। ବୃଦ୍ଧବୃଦ୍ଧା, ଗର୍ଭବତୀ ମହିଳା ଓ ରୋଗୀଙ୍କ ପାଇଁ ଏହି ରାସ୍ତା ଯମଯନ୍ତ୍ରଣାରେ ପରିଣତ ହୋଇଛି। ଜରୁରୀ ସମୟରେ ଆମ୍ବୁଲାନ୍ସ ମଧ୍ୟ ଠିକ୍ ସମୟରେ ପହଞ୍ଚିବାରେ ସମସ୍ୟା ହେଉଥିବାରୁ ସ୍ଥାନୀୟ ଲୋକ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଏହି ରାସ୍ତାର ସ୍ଥାୟୀ ନିର୍ମାଣ ପାଇଁ ବହୁବାର ଗ୍ରାମ୍ୟ ବିକାଶ ବିଭାଗ, ବ୍ଲକ ପ୍ରଶାସନ ଓ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ ପ୍ରତିଥର ମିଳିଛି କେବଳ ପ୍ରତିଶ୍ରୁତି। ମଧ୍ୟେମଧ୍ୟେ ଗର୍ତ୍ତରେ କିଛି ମୋରମ କିମ୍ବା ପଥର ପକାଇ ଦାୟିତ୍ୱ ସାରି ଦିଆଯାଉଛି। ପ୍ରଥମ ବର୍ଷାରେ ସେହି କାମ ଧୋଇଯାଉଛି ଏବଂ ପୁଣି ରାସ୍ତା ପୂର୍ବଭଳି ମରଣଯନ୍ତା ପାଲଟିଯାଉଛି। ଏହା ସରକାରୀ ଅର୍ଥର ଅପଚୟ ସହ ଲୋକଙ୍କ ଟିକସ ଟଙ୍କାର ଖୋଲାଖୋଲି ଦୁରୁପଯୋଗ ବୋଲି ସାଧାରଣରେ ଆଲୋଚନା ହେଉଛି।ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଗ୍ରାମ୍ୟ ବିକାଶ ବିଭାଗର ଅଧିକାରୀମାନେ କେବେ ଏହି ରାସ୍ତାର ବାସ୍ତବ ଅବସ୍ଥା ଦେଖିଛନ୍ତି କି? ଯଦି ଦେଖିଛନ୍ତି, ତେବେ ଏହାର ସ୍ଥାୟୀ ସମାଧାନ କାହିଁକି ହୋଇନାହିଁ? ନା କୌଣସି ବଡ଼ ଦୁର୍ଘଟଣା, ଜୀବନହାନି କିମ୍ବା ଜନଆନ୍ଦୋଳନ ପରେ ହିଁ ବିଭାଗର ନିଦ ଭାଙ୍ଗିବ? ଲୋକଙ୍କ ଜୀବନଠାରୁ କି ଫାଇଲର ନୋଟିଂ ଓ ଟେଣ୍ଡର ପ୍ରକ୍ରିୟା ଅଧିକ ମୂଲ୍ୟବାନ? ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ, ଉନ୍ନତ ସଡ଼କ ଯୋଗାଯୋଗ ଓ ବିକଶିତ ଓଡ଼ିଶାର ସ୍ୱପ୍ନ ଦେଖାଉଥିବା ବେଳେ ଖରଡ଼ି ଗ୍ରାମର ଏହି ରାସ୍ତା ସେହି ସବୁ ଦାବିକୁ ପ୍ରଶ୍ନବାଚୀ ସମ୍ମୁଖରେ ଠିଆ କରିଛି। କାଗଜକଲମରେ ବିକାଶର ଚିତ୍ର ଯେତେ ସୁନ୍ଦର ଦେଖାଯାଉ, ବାସ୍ତବରେ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ତାହାର ସମ୍ପୂର୍ଣ୍ଣ ବିପରୀତ କାହାଣୀ କହୁଛି। ସ୍ଥାନୀୟ ବୁଦ୍ଧିଜୀବୀ, ଯୁବବର୍ଗ ଓ ସାଧାରଣ ଲୋକେ ଜିଲ୍ଲାପାଳ, ଦାନଗଦି ବିଡିଓ, ଗ୍ରାମ୍ୟ ବିକାଶ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି ଯେ, ଏହି ରାସ୍ତାର ତୁରନ୍ତ ସ୍ଥାୟୀ ପକ୍କା ନିର୍ମାଣ, ଡ୍ରେନେଜ୍ ବ୍ୟବସ୍ଥା ଓ ଗୁଣାତ୍ମକ କାର୍ଯ୍ୟ କରାଯାଉ। ଆଉ ଅସ୍ଥାୟୀ ମରାମତି ନୁହେଁ, ବରଂ ସ୍ଥାୟୀ ସମାଧାନ ହିଁ ସମୟର ଦାବି।ଖରଡ଼ିବାସୀଙ୍କ ଗୋଟିଏ ହିଁ ପ୍ରଶ୍ନ, ଆଉ କେତେ ଦିନ ଏହି ମରଣଯନ୍ତା ରାସ୍ତାରେ ଜୀବନକୁ ବାଜି ଲଗାଇ ଚାଲିବୁ? ଗ୍ରାମ୍ୟ ବିକାଶ ବିଭାଗର ନିଦ ଭାଙ୍ଗିବ କେବେ?