--:--:--
-- ---
Srishti News

ରଙ୍ଗବେରଙ୍ଗ ଆଲୋକରେ ଝଲସୁଛି ଧାମନଗର ସହର

Bhadrak (ଭଦ୍ରକ)ରିପୋର୍ଟ ଶିଶିର କୁମାର ସ୍ୱାଇଁAugust 26, 202685 views
ରଙ୍ଗବେରଙ୍ଗ ଆଲୋକରେ ଝଲସୁଛି ଧାମନଗର ସହର
ଭଦ୍ରକ ଜିଲ୍ଲାର ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ମହମ୍ମଦଙ୍କ ଜୟନ୍ତୀ ଉପଲକ୍ଷେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପବିତ୍ର ପର୍ବ ପାଇଁ ସମଗ୍ର ଧାମନଗର ସହର ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଥିବା ବେଳେ ସହରର ମୁଖ୍ୟ ରାସ୍ତାଘାଟ ଓ ବିଭିନ୍ନ ଅଞ୍ଚଳ ଆକର୍ଷଣୀୟ ଦୃଶ୍ୟ ସୃଷ୍ଟି କରୁଛି। ମହମ୍ମଦଙ୍କ ଜନ୍ମ ଉତ୍ସବ ପାଳନ ସହିତ ତବରୁକାତ ଦର୍ଶନ ଭଳି ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପବିତ୍ର ପର୍ବକୁ ନେଇ ସଂଖ୍ୟାଲଘୁ ଧର୍ମାବଲମ୍ବୀଙ୍କ ସାହିବସ୍ତିଠାରୁ ଆରମ୍ଭ କରି ଘରେ ଘରେ ଆଲୋକ ସଜାଯାଇଛି। ରଙ୍ଗବେରଙ୍ଗ ଆଲୋକରେ ସହରର ପରିବେଶ ବେଶ୍‌ ମନୋରମ ହୋଇଉଠିଛି। ଧାମନଗର ଏନ୍‌ଏସି ଅଧୀନ ଖାନ୍‌କା ସରିଫ୍‌ଠାରୁ ସାନବଜାର, ବଡ଼ବଜାର ଏବଂ ଚୁନୁପଡ଼ା ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାଘାଟରେ ଆଲୋକ ସଜ୍ଜା କରାଯାଇଛି। ବିଭିନ୍ନ ସ୍ଥାନରେ ସୁସଜ୍ଜିତ ତୋରଣ ନିର୍ମାଣ ସହ ଆକର୍ଷଣୀୟ ସାଜସଜ୍ଜା କରାଯାଇଥିବାରୁ ଧାମନଗର ସହରର ସୌନ୍ଦର୍ଯ୍ୟ ଆହୁରି ବଢ଼ିଯାଇଛି। ଏହି ପବିତ୍ର ଅବସରରେ ଆୟୋଜିତ ଜୁଲୁସ୍‌ ଓ କାଫଲା ଶୋଭାଯାତ୍ରାକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରଖ୍ୟାତ ସାଏରମାନେ ଆସି ଜୁଲୁସ୍‌ ଓ କାଫଲା ଶୋଭାଯାତ୍ରାରେ ଯୋଗଦେଇଥିଲେ। ଶୋଭାଯାତ୍ରାରେ ମହମ୍ମଦଙ୍କ ନୀତି, ଆଦର୍ଶ ଓ ମାନବିକତାର ବାର୍ତ୍ତାକୁ ନେଇ ନାତ ସରିଫ୍‌ ପାଠ କରାଯାଇଥିଲା। ଧାର୍ମିକ ଭାବାବେଗ ଓ ଭାଇଚାରାର ବାର୍ତ୍ତା ମଧ୍ୟରେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କମିଟି ପକ୍ଷରୁ ପୂର୍ବରୁ ବିଭିନ୍ନ ପ୍ରସ୍ତୁତି କରାଯାଇଥିଲା। କାର୍ଯ୍ୟକ୍ରମ ଅବସରରେ ଜୁଲୁସ୍‌ ଓ କାଫଲା ଶୋଭାଯାତ୍ରା ଖାନ୍‌କା ସରିଫ୍‌ଠାରୁ ଆରମ୍ଭ ହୋଇଥିଲା। ସେଠାରୁ ଶୋଭାଯାତ୍ରା ପର୍ଯ୍ୟାୟକ୍ରମେ ଇଦ୍‌ଗା ମଇଦାନ ଅତିକ୍ରମ କରି ଟ୍ରେକର ଷ୍ଟାଣ୍ଡ, ବଡ଼ବଜାର, ସାନବଜାର ଛକ ଦେଇ ଆଗକୁ ବଢ଼ିଥିଲା। ପରେ ବଙ୍ଗାଳି ଛକ ବାଟ ଦେଇ ଜଗତି କଦମ୍‌ରସୁଲଠାରେ ଶୋଭାଯାତ୍ରା ପହଞ୍ଚିଥିଲା। ଶୋଭାଯାତ୍ରା ଅବସରରେ ବିଭିନ୍ନ ସ୍ଥାନରେ ଆଲୋକ ସଜ୍ଜା, ତୋରଣ ଓ ସାଜସଜ୍ଜା ଯୋଗୁଁ ସହରର ପରିବେଶ ଉତ୍ସବମୁଖର ହୋଇଉଠିଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଲାଗିଥିବା ରଙ୍ଗବେରଙ୍ଗ ଆଲୋକ ଓ ସୁସଜ୍ଜିତ ତୋରଣ ସହରବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପବିତ୍ର ଅବସରକୁ ଶାନ୍ତି, ସୌହାର୍ଦ୍ଦ୍ୟ ଓ ଭାଇଚାରାର ସହ ପାଳନ କରିବା ପାଇଁ ଆୟୋଜକ କମିଟି ପକ୍ଷରୁ ଆହ୍ୱାନ ଦିଆଯାଇଥିଲା। ଧାମନଗର ସହରରେ ଏଭଳି ଆଲୋକ ସଜ୍ଜା ଓ ଧାର୍ମିକ କାର୍ଯ୍ୟକ୍ରମ ଯୋଗୁଁ ପର୍ବର ମାହୋଲ ଆହୁରି ଜମି ଉଠିଥିବା ବେଳେ ଏହା ସହରବାସୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି କରିଥିଲା।