ରକ୍ଷାବନ୍ଧନ ଦିନରେ ପରଲୋକରେ ଅବସରପ୍ରାପ୍ତ ସେନାକର୍ମଚାରୀ ଦେବେନ୍ଦ୍ର ମିଶ୍ର
Ganjam (ଗଞ୍ଜାମ)ଖଲ୍ଲିକୋଟରୁ ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧିAugust 27, 2026283 views

ଖଲ୍ଲିକୋଟ, ୨୭/୦୮: ଖଲ୍ଲିକୋଟ ଏନ୍ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱରପୁର ଗ୍ରାମର ଅବସରପ୍ରାପ୍ତ ସେନାକର୍ମଚାରୀ ଦେବେନ୍ଦ୍ର ମିଶ୍ରଙ୍କର ରକ୍ଷାବନ୍ଧନ ଦିନରେ ହଠାତ୍ ପରଲୋକ ଘଟିଛି। ତାଙ୍କ ମୃତ୍ୟୁରେ ବାଲୁଙ୍କେଶ୍ୱରପୁର ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସ୍ୱର୍ଗତ ମିଶ୍ର ଭାରତୀୟ ସେନାବାହିନୀରେ ଦୀର୍ଘଦିନ ଧରି କାର୍ଯ୍ୟରତ ରହି ଦେଶମାତୃକାର ସୁରକ୍ଷା ପାଇଁ ନିଜକୁ ସମର୍ପିତ କରିଥିଲେ। ଅବସର ଗ୍ରହଣ ପରେ ସେ ନିଜ ଜନ୍ମମାଟି ବାଲୁଙ୍କେଶ୍ୱରପୁରକୁ ଫେରି ଆସି ସମାଜସେବା ଓ ବିଭିନ୍ନ ସ୍ୱେଚ୍ଛାସେବୀ କାର୍ଯ୍ୟ ସହ ଜଡ଼ିତ ରହିଥିଲେ। ମେଳାପୀ, ସଂଘପ୍ରେମୀ, ମିଷ୍ଟଭାଷୀ ଓ ଶାନ୍ତ ସ୍ୱଭାବର ବ୍ୟକ୍ତି ଭାବେ ସେ ସ୍ଥାନୀୟ ଅଞ୍ଚଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।
ତାଙ୍କ ଅନ୍ତିମ ସଂସ୍କାର ଓ ଶେଷ ସମ୍ମାନ କାର୍ଯ୍ୟକ୍ରମରେ କେଆଇଏସ୍ଏ ଖଲ୍ଲିକୋଟ ଅବସରପ୍ରାପ୍ତ ସେନା ସଂଘର କର୍ଣ୍ଣେଲ କିଶୋର କୁମାର ବିଷୋୟୀ, ରତ୍ନାକର ଦାସ, ପୂର୍ଣ୍ଣଚନ୍ଦ୍ର ଖାଡ଼ଙ୍ଗା, ବିଜୟ କୁମାର ସାହୁ, ପିତାମ୍ବର ସାହୁ, ବୃନ୍ଦାବନ ସାହୁ, ହେମନ୍ତ ଜେନା, ରଙ୍କନାଥ ବେହେରା, ଗୁରୁଦେବ ରାଉତ, ସୁଦର୍ଶନ ମୁଦୁଲି, ଗୋପାଳଚନ୍ଦ୍ର ପଲେଇ, ସୁରେଶ ଦାସ ଓ ଚକ୍ରପାଣି ସାହୁଙ୍କ ସମେତ ବହୁ ପୂର୍ବତନ ସେନାକର୍ମଚାରୀ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।
ଉପସ୍ଥିତ ସେନା ସହଯୋଗୀମାନେ ସ୍ୱର୍ଗତ ଦେବେନ୍ଦ୍ର ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତ୍ରିରଙ୍ଗା ପତାକାରେ ଶେଷ ସମ୍ମାନ ପ୍ରଦାନ କରିଥିଲେ। ଏହି ସମୟରେ ଶୋକାକୁଳ ପରିବେଶ ମଧ୍ୟରେ ଉପସ୍ଥିତ ଜନସାଧାରଣଙ୍କ ‘ଅମର ରହେ, ଅମର ରହେ’ ଧ୍ୱନିରେ ଗାଁ ଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା।
ଦେଶସେବାରେ ଦୀର୍ଘ ସମୟ ନିଜକୁ ନିୟୋଜିତ କରିଥିବା ଜଣେ ପୂର୍ବତନ ସେନାକର୍ମଚାରୀଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ସ୍ମୃତି ଚିରସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି।
ଖଲ୍ଲିକୋଟରୁ ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି।
