ଅତ୍ୟଧିକ ଡିଜେ ସାଉଣ୍ଡ ଉପରେ ନିୟନ୍ତ୍ରଣ ଦାବି କଲା ଆମ୍ ଆଦମୀ ପାର୍ଟି
Bargarh (ବରଗଡ଼)ବରଗଡ଼ରୁ ସତ୍ୟ ସୁରୁଜାଲଙ୍କ ରିପୋର୍ଟSeptember 23, 20269 views

ବରଗଡ଼: ବରଗଡ଼ ସହର ଓ ଜିଲ୍ଲାରେ ବଢ଼ୁଥିବା ଧ୍ୱନି ପ୍ରଦୂଷଣକୁ ନେଇ ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ ହୋଇଛି ଆମ୍ ଆଦମୀ ପାର୍ଟି। ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ପ୍ରତିଦିନ ଉଚ୍ଚ ଶବ୍ଦରେ ଡିଜେ ପ୍ରୋସେସନ ଓ ବିଭିନ୍ନ କାର୍ଯ୍ୟକ୍ରମ ହେଉଥିବାରୁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।
ଆମ୍ ଆଦମୀ ପାର୍ଟି ନେତା ଭବାନୀ ସାହୁ କହିଛନ୍ତି ଯେ, ଜନବସତି ଅଞ୍ଚଳରେ ଧ୍ୱନି ପ୍ରଦୂଷଣ ନିୟନ୍ତ୍ରଣ ସମ୍ପର୍କିତ ନିୟମ ଅନୁଯାୟୀ ନିର୍ଦ୍ଧାରିତ ଶବ୍ଦ ସୀମା ମଧ୍ୟରେ ଡିଜେ ଓ ଲାଉଡ୍ସ୍ପିକରର ଶବ୍ଦ ରହିବା ଆବଶ୍ୟକ। କିନ୍ତୁ ବରଗଡ଼ର ବିଭିନ୍ନ ଅଞ୍ଚଳରେ ଏହି ସୀମାକୁ ଉଲ୍ଲଂଘନ କରି ଅତ୍ୟଧିକ ଶବ୍ଦରେ ଡିଜେ ବଜାଯାଉଥିବା ଅଭିଯୋଗ ରହିଛି।
ଦଳ ପକ୍ଷରୁ କୁହାଯାଇଛି ଯେ, ଅତ୍ୟଧିକ ଶବ୍ଦ ଯୋଗୁଁ ବୃଦ୍ଧବୃଦ୍ଧା, ରୋଗୀ, ଛୋଟ ପିଲା ଓ ସାଧାରଣ ଲୋକେ ବିଭିନ୍ନ ପ୍ରକାର ଅସୁବିଧାରେ ପଡ଼ୁଛନ୍ତି। ତେଣୁ ଧ୍ୱନି ପ୍ରଦୂଷଣ ଉପରେ ତୁରନ୍ତ ନଜର ରଖିବା ସହ ନିର୍ଦ୍ଧାରିତ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ଦାବି କରାଯାଇଛି।
ଏହା ସହିତ ଅତ୍ୟଧିକ ଶବ୍ଦରେ ଡିଜେ ବଜାଉଥିବା ଓ ଧ୍ୱନି ପ୍ରଦୂଷଣ ସୃଷ୍ଟି କରୁଥିବାଙ୍କ ବିରୋଧରେ ଆବଶ୍ୟକ ଆଇନଗତ ପଦକ୍ଷେପ ନେବାକୁ ମଧ୍ୟ ଦଳ ପକ୍ଷରୁ ଦାବି କରାଯାଇଛି।
ଏହି ଅଭିଯୋଗ ସମୟରେ ଆମ୍ ଆଦମୀ ପାର୍ଟିର ଜିଲ୍ଲା ସମ୍ପାଦକ ସ୍ୱରୂପ କୁମାର ଭୋଇ, ମହିଳା ନେତ୍ରୀ ମାରିୟମ ବାର୍ଲା, ଆଇନଜୀବୀ ରମେଶ ପତି, ମୋଇନ ମହମ୍ମଦ, ମିଲୁ ନାଗଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
