Web News

ରାଜ୍ୟପାଳ ପୁରଷ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦିବାକର ପ୍ରଧାନଙ୍କ ବିୟୋଗରେ ଶୋକ
କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମାର୍ଶାଘାଇ ବ୍ଲକ ଅଧୀନ କୁହୁଡି ଗ୍ରାମ ପଞ୍ଚାୟତ କୁହୁଡି ମଧ୍ୟ ଇଂରାଜି ବିଦ୍ୟାଳୟର ପ୍ରଥମ ପ୍ରଧାନ ଶିକ୍ଷକ, ବରିଷ୍ଠ ସାମ୍ବାଦିକ ରାଜ୍ୟପାଳ ପୁରଷ୍କାର ପ୍ରାପ୍ତ ଶିକ୍ଷକ ମଧୁସାଗର ବିଦ୍ୟାପୀଠ ଚିନ୍ତାମଣୀ ଦୁରୁଜୀଙ୍କ ପ୍ରିୟ ଛାତ୍ର, ଚିନ୍ତାମଣୀ ଗୁରୁଜୀ ଓ ରୁକ୍ମିଣୀ ଦେବୀ ସ୍ମାରକୀ ନ୍ୟାସର ପ୍ରତିଷ୍ଠାତା ସଭ୍ୟ ଦିବାକର ପ୍ରଧାନଙ୍କ ଆଜି ୨୬/୦୯/୨୦୨୬ରିଖରେ ବିୟୋଗ ପାଇଁ ଚିନ୍ତାମଣୀ ଗୁରୁଜୀ ସ୍ମାରକୀ ନ୍ୟାସର ସଭାପତି ହୃଦାନନ୍ଦ ରାଉତ, ସମ୍ପାଦକ ତଥା ପଞ୍ଚସଖା ଶିକ୍ଷା ସେତୁ କମିଟିର ସଭାପତି ଭ୍ରମର ରାଉତ, ମଧୁସାଗର ପୁରାତନ ଛାତ୍ର ସଂସଦର ସଭାପତି ପ୍ରହ୍ଲାଦ ଚନ୍ଦ୍ର ସ୍ୱାଇଁ, ସ୍ମାରକୀ ନ୍ୟାସର ସଭ୍ୟ ତଥା ମଧୁସାଗର ବିଦ୍ୟାପୀଠର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁଧ ରଞ୍ଜନ ବାରିକ, ସ୍ମାରକୀ ନ୍ୟାସର ସଭ୍ୟ, ଯଦୁମଣୀ ପରିଡା, ନୀଳମାଧବ ରାଉତ, କେଶବ ଚରଣ ଲେଙ୍କା, ତରଣୀ ସେନ ମଲ୍ଲିକ, ପ୍ରତାପ ଚନ୍ଦ୍ର ଦାସ, ଅରବିନ୍ଦ ସ୍ୱାଇଁ, ପ୍ରଭାତୀ ସାହୁ, ବଳରାମ ଜେନା, ଧୀରେନ୍ଦ୍ର ପ୍ରସାଦ ପୃଷ୍ଟି, ଭକ୍ତି ଚରଣ ମଲ୍ଲ, ଧୂ୍ରବ ଚରଣ ସାହୁ, ମଦନ ମୋହନ ମଲ୍ଲିକ ମୁରଲୀଧର ବେହେରା, ପଞ୍ଚାନନ ବେହେରା, ଗଣେଶ୍ୱର ରାଉତ, ବୈଷ୍ଣବ ଚରଣ ଖଣ୍ଡୁଆଳ ଅମର ଆତ୍ମାର ସଦଗତି କାମନା କରିଛନ୍ତି । --
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ - ଦିଲୀପ ପରିଡା

କଳାହାଣ୍ଡି ଜିଲ୍ଲାରେ ଅବପାତ ପ୍ରଭାବରେ ବନ୍ୟା ଯୋଗୁଁ ହଜାର ହଜାର ହେକ୍ଟର ଧାନ ଚାଷ ନଷ୍ଟ ହୋଇଯାଇଛି, ଚାଷୀ ହତାଶ, କ୍ଷତି ପୂରଣ ଦେବାକୁ ଦାଵୀ l ସ୍ୱାଭାବିକ ହୋଇପାରିନି ସ୍ଥିତି
କଳାହାଣ୍ଡି ଜିଲ୍ଲା ରେ ଅବପାତ ପ୍ରଭାବରେ ଲଗାଣ ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ ଓ ଇନ୍ଦ୍ରାବତୀ ଜଳ ସ୍ତର ବୃଦ୍ଧି ଯୋଗୁଁ ହାତୀ ନଦୀ ର ଉଭୟ ପାର୍ଶ୍ୱରେ ଚାଷ ଜମିରେ ଜଳମଗ୍ନ ହୋଇଥିଲା। ପରିସ୍ଥିତି ସ୍ୱାଭାବିକ ହୋଇପାରିନି,ବର୍ତ୍ତମାନ ସୁଦ୍ଧା ଜମିରୁ ପାଣି ନିଷ୍କାସନ ହୋପାରୁନଥିବାରୁ ଧାନ ନଷ୍ଟ ହେବାର ସମ୍ଭାବନା ବଢ଼ିଯାଇଛି। ଚାଷୀ ମାନେ ହତାଶ । ଜିଲ୍ଲାର ର ହଜାର ହଜାର ହେକ୍ଟର ଧାନ ଚାଷ ଜମିରେ କ୍ଷୟ କ୍ଷତି ହୋଇଥିବା ଅନେକ ଚାଷୀ ଅଭିଯୋଗ କରିଛନ୍ତି । ତାହାର ସଠିକ୍ ଆକଳନ କରାଯାଇ ଚାଷୀଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ସାଧାରଣରେ ଦାବି ହେଉଛି। ହାତୀ ନଦୀ ଓ ତେଲ ନଦୀର ଉଭୟ ପାର୍ଶ୍ୱରେ ଥିବା ଗାଁ ମାନଙ୍କର ହଜାର ହଜାର ଚାଷୀ ପ୍ରଭାବିତ ହୋଇ ଛନ୍ତି। ବିଶେଷ ଭାବରେ ଜିଲ୍ଲାର ଜୟପାଟଣା, କଲମପୁର,ଜୁନାଗଡ,ଗୋଲାମୁଣ୍ଡା,ଧର୍ମଗଡ଼,ଜୁନାଗଡ ବ୍ଲକ ଚାଷୀ ପ୍ରଭାବିତ ହୋଇଛନ୍ତି। ଚାଷ ସହ ଚାଷଜମି , ରାସ୍ତା ଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଇଛି।ଏଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
Kalahandi (କଳାହାଣ୍ଡି) • ଦେବରାଜ ବଣୁଆ

କଳିଙ୍ଗ ହସ୍ପିଟାଲ ଛକ ନିକଟରେ ଡ୍ରେନ୍ର ଦୁରବସ୍ଥା: ଦୁର୍ଗନ୍ଧରେ ଅତିଷ୍ଠ ଲୋକେ, ବିଏମ୍ସିର ନିଘା ନାହିଁ
ଭୁବନେଶ୍ୱର: କଳିଙ୍ଗ ହସ୍ପିଟାଲ ଛକ ନିକଟରେ ଡ୍ରେନ୍ର ଦୁରବସ୍ଥାକୁ ନେଇ ସ୍ଥାନୀୟ ଲୋକ ଓ ଯାତାୟାତ କରୁଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଡ୍ରେନ୍ରେ ଅପରିଷ୍କାର ପାଣି ଓ ଆବର୍ଜନା ଜମି ରହିଥିବାରୁ ପାଣି ଠିକ୍ ଭାବେ ନିଷ୍କାସିତ ହୋଇପାରୁନାହିଁ। ଫଳରେ ଡ୍ରେନ୍ର ପାଣି ଓଭରଫ୍ଲୋ ହୋଇ ରାସ୍ତା ଉପରକୁ ଆସୁଥିବା ଅଭିଯୋଗ ହୋଇଛି। ଡ୍ରେନ୍ ଭିତରେ ଜରି, ପ୍ଲାଷ୍ଟିକ୍ ଓ ବିଭିନ୍ନ ପ୍ରକାର ଆବର୍ଜନା ଜମି ରହିଥିବାରୁ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି। ଏହା ସହିତ ଡ୍ରେନ୍ରୁ ବାହାରୁଥିବା ତୀବ୍ର ଦୁର୍ଗନ୍ଧ ଯୋଗୁଁ ରାସ୍ତାରେ ଯାତାୟାତ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି ବୋଲି ସ୍ଥାନୀୟ ଲୋକଙ୍କ ଅଭିଯୋଗ। ସ୍ଥାନୀୟଙ୍କ କହିବା ଅନୁଯାୟୀ, ଡ୍ରେନ୍ ଉପରେ ରଡ୍ ଓ ଅନ୍ୟାନ୍ୟ ସାମଗ୍ରୀ ଦେଇ ସପୋର୍ଟ କରାଯାଇଥିଲେ ମଧ୍ୟ ତାହାର ତଳେ ଆବର୍ଜନା ଜମି ରହିଛି। ଦୀର୍ଘ ସମୟ ଧରି ଡ୍ରେନ୍ ସଫା ନହେବାରୁ ସମସ୍ୟା ଆହୁରି ବଢ଼ୁଥିବା ଅଭିଯୋଗ ହୋଇଛି। ଏହି ଅଞ୍ଚଳରେ ଡ୍ରେନ୍କୁ ତୁରନ୍ତ ସଫା କରି ଜମିଥିବା ଆବର୍ଜନା ହଟାଇବା ସହ ପାଣି ନିଷ୍କାସନ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ସ୍ଥାନୀୟ ଲୋକେ ବିଏମ୍ସି କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ =ସୁକାନ୍ତ ପ୍ରଧାନ

କର୍ଲ୍ଲାକୋଟ–ଦରଗାଁ ବନ୍ଧପଡା ରାସ୍ତାର ଦୁର୍ଦ୍ଦଶା: ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ସତ୍ତ୍ୱେ ପ୍ରଶାସନ ନିରବ; ମରାମତି ପାଇଁ ଅଞ୍ଚଳବାସୀଙ୍କ ଦାବି
ବୋଡେ଼ନ: ବୋଡେ଼ନ ବ୍ଲକ ଅନ୍ତର୍ଗତ କର୍ଲ୍ଲାକୋଟ ଦୁର୍ଗା ମଣ୍ଡପଠାରୁ ଦରଗାଁ ବନ୍ଧପଡାକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘଦିନ ଧରି ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା, ବଡ଼ ବଡ଼ ଗାତ ଓ ଭଙ୍ଗା ଅଂଶ ସୃଷ୍ଟି ହୋଇଥିବାରୁ ଯାତାୟାତ ସମୟରେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ବର୍ଷାଦିନେ ରାସ୍ତାର ଗାତଗୁଡ଼ିକରେ ପାଣି ଜମି ରହୁଥିବାରୁ ଗାତର ଗଭୀରତା ଜଣାପଡ଼ୁନାହିଁ। ଫଳରେ ଦୁଇଚକିଆ ଯାନ, ଅଟୋ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳରେ ଦୁର୍ଘଟଣାର ଆଶଙ୍କା ବଢ଼ିଛି। ଛାତ୍ରଛାତ୍ରୀ, ଚାଷୀ, ରୋଗୀ ଓ ଦୈନନ୍ଦିନ କାମରେ ଯାତାୟାତ କରୁଥିବା ସାଧାରଣ ଲୋକେ ଏହି ରାସ୍ତାର ଦୁରବସ୍ଥା ଯୋଗୁଁ ବିଶେଷ ଭାବେ ହଇରାଣ ହେଉଛନ୍ତି। ରାସ୍ତାର ଦୁର୍ଦ୍ଦଶା ନେଇ ଅନେକ ଥର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ମରାମତି ପାଇଁ ପ୍ରଶାସନିକ ପଦକ୍ଷେପ ଦେଖିବାକୁ ମିଳୁନାହିଁ। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ପ୍ରଶାସନର କାର୍ଯ୍ୟପ୍ରଣାଳୀ ନେଇ ପ୍ରଶ୍ନ ଉଠୁଛି। ଏହି ରାସ୍ତା ଉପରେ ନିର୍ଭରଶୀଳ ଅଞ୍ଚଳବାସୀ ତୁରନ୍ତ ରାସ୍ତାର ଅବସ୍ଥା ଅନୁଧ୍ୟାନ କରି ଆବଶ୍ୟକ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଜନସାଧାରଣଙ୍କ ଦୀର୍ଘଦିନର ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ପ୍ରଶାସନ କେବେ ପଦକ୍ଷେପ ନେବ, ତାହାକୁ ନେଇ ଏବେ ଅଞ୍ଚଳବାସୀଙ୍କ ଅପେକ୍ଷା।
Nuapada (ନୂଆପଡ଼ା) • ରିପୋର୍ଟ: କଶ୍ୟପ ଜଗତ

ଜୁନାଗଡ଼ରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ: ପୂର୍ବତନ ନଗରପାଳ ମୁକେଶ ଅଗ୍ରୱାଲଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ, ଉନ୍ନୟନ ପ୍ରସଙ୍ଗରେ ଆଲୋଚନା
କଳାହାଣ୍ଡି, ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଗସ୍ତରେ ଥିବା ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଜୁନାଗଡ଼ ସହରରେ ପହଞ୍ଚିଥିଲେ। ତାଙ୍କ ଗସ୍ତକୁ ନେଇ ସ୍ଥାନୀୟ ବିଜେପି କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏହି ଅବସରରେ ଶ୍ରୀ ସାମଲ ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ନଗରପାଳ ଶ୍ରୀ ମୁକେଶ ଅଗ୍ରୱାଲଙ୍କ ବାସଭବନକୁ ଯାଇ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଉଭୟଙ୍କ ମଧ୍ୟରେ ଜୁନାଗଡ଼ ନିର୍ବାଚନମଣ୍ଡଳୀର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଓ ସ୍ଥାନୀୟ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଜିଲ୍ଲାରେ ଆୟୋଜିତ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରୀ ସାମଲ କଳାହାଣ୍ଡି ଗସ୍ତରେ ଅଛନ୍ତି। ତାଙ୍କୁ ସାକ୍ଷାତ କରିବା ପାଇଁ ଅଞ୍ଚଳର ଶତାଧିକ ଦଳୀୟ କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ। ଏହି ସମୟରେ ଆମ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ, କଳାହାଣ୍ଡି ଜିଲ୍ଲାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରିୟଦର୍ଶିନୀ ଦାସ ମଧ୍ୟ ଶ୍ରୀ ମନମୋହନ ସାମଲ ଓ ଶ୍ରୀ ମୁକେଶ ଅଗ୍ରୱାଲଙ୍କୁ ସାକ୍ଷାତ କରିଥିଲେ। ବିଜେପିର ରାଜ୍ୟ ସଭାପତିଙ୍କ କଳାହାଣ୍ଡି ଗସ୍ତକୁ ନେଇ ଜିଲ୍ଲାର ବିଭିନ୍ନ ମହଲରେ ଉନ୍ନୟନ ଓ ସ୍ଥାନୀୟ ସମସ୍ୟା ସମ୍ପର୍କରେ ଚର୍ଚ୍ଚା ଜୋର ଧରିଛି। କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥିବାରୁ ଜିଲ୍ଲାର ଦୀର୍ଘଦିନର ସମସ୍ୟାଗୁଡ଼ିକର ସମାଧାନ, ନୂତନ ଉନ୍ନୟନ ପ୍ରକଳ୍ପ ଓ ଜନସାଧାରଣଙ୍କ ଆଶା-ଆକାଂକ୍ଷା ପୂରଣ ନେଇ ଲୋକଙ୍କ ମଧ୍ୟରେ ଆଶା ବଢ଼ିଛି। ତେବେ ଜିଲ୍ଲାବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ଉନ୍ନୟନ କ୍ଷେତ୍ରରେ ସରକାର ଆଗାମୀ ଦିନରେ କେଉଁ ପଦକ୍ଷେପ ନେଉଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
Kalahandi (କଳାହାଣ୍ଡି) • ରିପୋର୍ଟ : ଦେବରାଜ ବାଣୁଆ ଜୁନାଗଡ଼, କଳାହାଣ୍ଡି

ଜାତୀୟ ପର୍ଯ୍ୟଟନ ମହୋତ୍ସବ ଓ ଲୋକକଳା ସମାରୋହ ଉଦଘାଟିତ
ବ୍ରହ୍ମପୁର--ପର୍ଯ୍ୟଟନ ଭାରତ ତରଫରୁ ବ୍ରହ୍ମପୁର ସଂସ୍କୃତି ଭବନ ପରିସରରେ ଶନିବାର ଆରମ୍ଭ ହୋଇଛି ତିନିଦିନିଆ ଜାତୀୟ ପର୍ଯ୍ୟଟନ ମହୋତ୍ସବ ଓ ଲୋକକଳା ସମାରୋହ । ମହୋତ୍ସବ ରେ ଭାଷା,ସାହିତ୍ୟ,ସଂସ୍କୃତି,ଲୋକକଳା ଓ ପର୍ଯ୍ୟଟନର ମିଳିତ ସମାବେଶର ଝଲକ ମଞ୍ଚରେ ଦେଖିବକୁ ମିଳିଥିଲା । କକାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ପର୍ଯ୍ୟଟନ ଭାରତର ସମ୍ପାଦକ ନାରାୟଣ ମହାଙ୍କୁଡ଼ଙ୍କ ସଂଯୋଜନା ଏବଂ କାର୍ଯ୍ୟକ୍ରମର ସଭାପତି ଇଂ.ଉମାଶଙ୍କର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ସାଧାରଣ ସଭାରେ ଵ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅସୀମା ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିବା ବେଳେ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ବିଇଏମସି କମିଶନର ଇ.ସସ୍ୟା ରେଡ୍ଡୀ,ଅନୁଷ୍ଠାନ ଉପସଭାପତି କାଳିଚରଣ ସାହୁ,ଯୁଗ୍ମ ସମ୍ପାଦକ ଇଂ.ଦୀପକ ରାଓ ପ୍ରମୂଖ ଉପସ୍ଥିତ ରହି ଏଭଳି କାର୍ଯ୍ୟକ୍ରମ ଓଡିଶା ସହ ଗଞ୍ଜାମ ପର୍ଯ୍ୟଟନର ବିକାଶ ପାଇଁ ଏକ ସୁନ୍ଦର ପ୍ଲାଟଫୋର୍ମ ବୋଲି କହିଥିଲେ । ପ୍ରଥମ ଦିନର ଉଦଘାଟନୀସଭା ମଂଚକୁ ରାଜ ଗୋପାଳ ପାଢ଼ୀ ପରିଚାଳନା କରିଥିବା ବେଳେ ଅନିଲ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ କାର୍ତ୍ତିକ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ସମସ୍ତ କଳାକାରଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଅବସରରେ ନାଟ୍ୟଶ୍ରୀ ବ୍ରହ୍ମପୁର ତରଫରୁ ନାଟକ "ବାସବଦତ୍ତା" ମଂଚସ୍ଥ ହୋଇ ବେଶ ପ୍ରଶଂସିତ ହୋଇଥିଲା । ନାଟକର ନାଟ୍ୟକାର ଦୀପିକା ଦାସ ଓ ନିର୍ଦ୍ଦେଶକ ସତ୍ୟବ୍ରତ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଥମ ଦିବସର କାର୍ଯ୍ୟକ୍ରମ ଆରମ୍ଭରେ ଓଡ଼ିଆ ସାହିତ୍ୟ ଏକାଡେମୀ ତରଫରୁ ସାହିତ୍ୟ ଚର୍ଚ୍ଚା , କବିତା ଆସର ,ଜବ ଫେୟାର ଅନୁଷ୍ଠିତ ହୋଇଥିବା ବେଳେ ଅପରାହ୍ନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପର୍ଯ୍ୟଟନ ଓ ଭ୍ରମଣ ଶିକ୍ଷା ତରଫରୁ "ପର୍ଯ୍ୟଟନ କ୍ଷେତ୍ରରେ ନୂଆ ରୂପରେଖ ପ୍ରସ୍ତୁତ ପାଇଁଡିଜିଟାଲ କାର୍ଯ୍ୟସୂଚୀ ଓ କୁତ୍ରିମ ବୁଦ୍ଧିମତ୍ତା" ବିଷୟ ସମ୍ବଳିତ ଏକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମ ରେ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ,ସୁନୀଲ ସ୍ୱାଇଁ,ସରୋଜ ପଣ୍ଡା,କୈଳାସ ପାଣିଗ୍ରାହୀ,ମୀନା ଦାସ, ମିନତା ମହାନ୍ତି ,ଶଙ୍କର ଗୋସ୍ୱାମୀ, ଡ଼.ଇସାକ ସରିଫ ମୁଖଙ୍କ ସହ ଅନୁଷ୍ଠାନର ସମସ୍ତ କର୍ମକାର୍ତ୍ତ। ବିଶେଷ ସହଯୋଗ କରିଥିଲେ ।
Ganjam (ଗଞ୍ଜାମ) • ରିପୋର୍ଟ. ଦୀପକ କୁମାର ଚୌଧୁରୀ

ଗୋଲାପାଟଣାରେ ଭାଗବତ ଜନ୍ମବାର୍ଷିକ ଉତ୍ସବ
ଖୋର୍ଦ୍ଧା: ପବିତ୍ର ଭାଗବତ ଜନ୍ମ ଅବସରରେ ବେଗୁନିଆ ଗ୍ରାମପଞ୍ଚାୟତ ଅଧୀନ ଗୋଲାପାଟଣା ଗ୍ରାମର ଶ୍ରୀ ଶ୍ରୀ ଭଗବତଦେବଙ୍କ ପୀଠରେ ଶ୍ରୀମଦ୍ ଭାଗବତ ଜନ୍ମବାର୍ଷିକ ଉତ୍ସବ ଶ୍ରଦ୍ଧା ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଛି।ଏହି ଅବସରରେ ଯୋଗଦେଇ ଅତିଥିମାନେ ଭଗବତଦେବଙ୍କ ଦର୍ଶନ କରିବା ସହ ଗ୍ରାମବାସୀଙ୍କ ସହ ଭାଗବତ ଚର୍ଚ୍ଚାରେ ସାମିଲ ହୋଇଥିଲେ। ଏଥିସହ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରି ଭଗବତଦେବଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା।କାର୍ଯ୍ୟକ୍ରମରେ ଗ୍ରାମବାସୀ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଉତ୍ସବର ସୁନ୍ଦର ଆୟୋଜନ ପାଇଁ ଆୟୋଜକ, କର୍ମକର୍ତ୍ତା ଓ ଗୋଲାପାଟଣା ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣାଯାଇଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଅର୍ଥାଭାବରୁ ପ୍ରତିଯୋଗୀ ପରୀକ୍ଷାରୁ ବଞ୍ଚିତ ଗରିବ ଛାତ୍ରଛାତ୍ରୀ
ଯାଜପୁର: ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଅର୍ଥାଭାବ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ବାଧକ ସାଜିଛି। ବିଭିନ୍ନ ସରକାରୀ ଓ ବେସରକାରୀ ଚାକିରି ପାଇଁ ହେଉଥିବା ପରୀକ୍ଷାର ଫି’ ବାବଦରେ ମୋଟା ଅଙ୍କର ଟଙ୍କା ଦେବାକୁ ପଡ଼ୁଥିବାରୁ ଗରିବ ପରିବାରର ଛାତ୍ରଛାତ୍ରୀ ଅସୁବିଧାରେ ପଡ଼ୁଛନ୍ତି। ବ୍ୟାଙ୍କିଙ୍ଗ୍ ପରୀକ୍ଷାରେ ପ୍ରାୟ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଥିବାର ଅଭିଯୋଗ ରହିଛି। ଏହା ସହ ପରୀକ୍ଷା କେନ୍ଦ୍ର ନିଜ ଜିଲ୍ଲାଠାରୁ ଦୂରରେ ହେବାରୁ ଯାତାୟାତ ଓ ରହଣି ପାଇଁ ଅତିରିକ୍ତ ଖର୍ଚ୍ଚ ମଧ୍ୟ ବହନ କରିବାକୁ ପଡ଼ୁଛି। ଫଳରେ ଅର୍ଥ ଅଭାବ ଯୋଗୁଁ ଅନେକ ମେଧାବୀ ଛାତ୍ରଛାତ୍ରୀ ଚାକିରି ପାଇଁ ନିଜ ଯୋଗ୍ୟତା ପ୍ରମାଣ କରିବାର ସୁଯୋଗରୁ ବଞ୍ଚିତ ହେଉଥିବା ଦାବି ହେଉଛି। ପରୀକ୍ଷା ଫି’ରେ ରିହାତି ଏବଂ ପରୀକ୍ଷା କେନ୍ଦ୍ର ନିକଟସ୍ଥ ଅଞ୍ଚଳରେ କରିବା ସହ ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ସ୍ୱତନ୍ତ୍ର ସହାୟତା ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି। ବ୍ୟାସନଗରରୁ ପ୍ରଦୀପ କୁମାର ପୃଷ୍ଟି, ସୃଷ୍ଟି ନ୍ୟୁଜ୍।
Jajpur (ଯାଜପୁର) • ବ୍ୟାସନଗର ପ୍ରଦୀପ କୁମାର ପୃଷ୍ଟି

ସମୁଦ୍ର ଶାନ୍ତ ହେବା ପରେ ନିଜ ଅଞ୍ଚଳକୁ ଫେରୁଛନ୍ତି ଫସି ରହିଥିବା ମାଛଧରା ଟ୍ରଲର
ଛତ୍ରପୁର: ଗଭୀର ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ହେବା ଯୋଗୁଁ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରୁ ଆସିଥିବା ଅନେକ ମାଛଧରା ଟ୍ରଲର ଗଭୀର ସମୁଦ୍ର ମଧ୍ୟରେ ଫସି ରହିଥିଲେ। ଏହି ସୂଚନା ମିଳିବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପ୍ରଶାସନର ତତ୍ପରତା ଯୋଗୁଁ ୨୫ରୁ ଅଧିକ ଟ୍ରଲରକୁ ଆର୍ଯ୍ୟପଲ୍ଲୀ ଜେଟି ଏବଂ ଗୋପାଳପୁର ବନ୍ଦରରେ ସୁରକ୍ଷିତ ଭାବେ ଆଶ୍ରୟ ଦିଆଯାଇଥିଲା।ତେବେ ବର୍ତ୍ତମାନ ସମୁଦ୍ର ପରିସ୍ଥିତିରେ କିଛିଟା ସୁଧାର ଆସିବା ଏବଂ ସ୍ଥିତି ସ୍ୱାଭାବିକ ହେବା ପରେ, ସେଠାରେ ଆଶ୍ରୟ ନେଇଥିବା ଟ୍ରଲରଗୁଡ଼ିକ ଧୀରେ ଧୀରେ ନିଜ ନିଜ ଅଞ୍ଚଳକୁ ଫେରିବା ଆରମ୍ଭ କରିଛନ୍ତି। ଅନ୍ୟପଟେ, ସମୁଦ୍ର ଅଶାନ୍ତ ଥିବା ସମୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପ୍ରଶାସନ ଓ ପାଣିପାଗ ବିଭାଗ ପକ୍ଷରୁ ବାରମ୍ବାର ସତର୍କ ସୂଚନା ଜାରି କରାଯାଉଛି। ଏହା ସତ୍ତ୍ୱେ ମଧ୍ୟ ପ୍ରତିଥର ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ଆସୁଥିବା ଟ୍ରଲରଗୁଡ଼ିକ ଅଶାନ୍ତ ସମୁଦ୍ରରେ ଫସିଯିବା ଘଟଣା ଏବେ ଚିନ୍ତାର କାରଣ ପାଲଟିଛି।
Ganjam (ଗଞ୍ଜାମ) • ରିପୋର୍ଟ: ପିତାମ୍ବର ମହାରଣା, ଛତ୍ରପୁର

ବନ୍ୟା ରେ ଉବୁଡୁବୁ କୋକସରା ବ୍ଲକ ର ଚାଷି, ବନ୍ୟାଜଳ ମାଡି ବ୍ୟାପକ ଚାଷ ନଷ୍ଟ,ଭାଙ୍ଗିଲା ଘର , କ୍ଷତିପୂରଣ ଦାବି କଲେ କ୍ଷତିଗ୍ରସ୍ତ
କଳାହାଣ୍ଡି, ସାମୁଦ୍ରିକ ବନ୍ୟା ଅର୍ଣ୍ଣଭ ପ୍ରଭାବ ରେ କଳାହାଣ୍ଡି ଜିଲ୍ଲା ରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଥିବା ବେଳେ ଜିଲ୍ଲାର ବିଭିନ୍ନ ନଦୀ ରେ ଜଳସ୍ତର ବୃଦ୍ଧି ସହ ନଦୀ ର ବନ୍ୟାଜଳ ଚାଷଜମି କୁ ମାଡି ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିଛି। ଏହି କ୍ରମ ରେ କୋକସରା ବ୍ଲକ ରେ ମଧ୍ୟ ଅବିଶ୍ରାନ୍ତ ବର୍ଷା ଯୋଗୁଁ ବ୍ଲକ ର ମୁଡ୍ରା,କମଳ, ବେହେରା ନଦୀ ରେ ବନ୍ୟାଜଳ ପ୍ରବାହିତ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବନ୍ୟାଜଳ ମାଡି ବ୍ଲକ ହେକ୍ଟର ହେକ୍ଟର ଧାନଚାଷ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ବିଗତ ୩ ଦିନ ମଧ୍ୟରେ କୋକସରା ବ୍ଲକ ରେ ୨୧୫ ମିଲିମିଟର ବର୍ଷା ହୋଇଥିବା ନେଇ ବ୍ଲକ ରିପୋର୍ଟ ରୁ ସୂଚନା ମିଳିଥିବା ବେଳେ ଅପ୍ରତ୍ୟାଶିତ ବର୍ଷା ଯୋଗୁଁ ଚାଷଜମି ଜଳମଗ୍ନ ହେବାସହ ବାଲିଚର ଓ ମାଟି ମାଡି ହେକ୍ଟର ହେକ୍ଟର ଚାଷଜମି ର ଧାନଚାଷ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ସେହିପରି ଗମ୍ଭାରୀଗୁଡା, ଫୁଫଗାଁ, ଟେମରା ଅଞ୍ଚଳ ରେ ଚାଷି ଙ୍କ ବ୍ୟାପକ ଭାବେ ପନିପରିବା ଚାଷ ମଧ୍ୟ ନଷ୍ଟ ହୋଇଥିବା ନେଇ ଚାଷି କହିଛନ୍ତି। ଅନ୍ୟପଟେ ବ୍ଲକ ରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ନେଇ ବ୍ଲକ ପ୍ରଶାସନ ପକ୍ଷରୁ ସତର୍କ ନଜର ରହିଥିବା ବେଳେ ଅନେକ ସ୍ଥାନରେ ଲଗାଣ ବର୍ଷା ରେ ଲୋକଙ୍କ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି। ଅନେକ ଗ୍ରାମରେ ବର୍ଷା ପାଣି ନିଷ୍କାସନ ହୋଇନପାରି ଘରେ ଘରେ ପଶିଥିବା ବେଳେ ବର୍ଷା ଜଳ ନିଷ୍କାସନ କରିବାକୁ ଲୋକେ ନାକେଦମ ହୋଇଥିବା ବେଳେ ସ୍ଥାନୀୟ ପଞ୍ଚାୟତ ର ଅବହେଳା କୁ ଦାୟୀ କରିଛନ୍ତି। ତେବେ ବନ୍ୟା ରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ ବିଭିନ୍ନ ବ୍ୟାଙ୍କ ଋଣ,ଧାର କରଜ କରି ମୁଣ୍ଡ ଝାଳ ତୁଣ୍ଡ ରେ ମାରି ଧାନଚାଷ କରିଥିବା ଚାଷି ଙ୍କ ପାଇଁ ବନ୍ୟା ଦୁର୍ବିସହ ସ୍ଥିତି ନେଇ ଆସିଛି। ବନ୍ୟାଜଳ ମାଡିଯିବା ଫଳରେ ଚାଷି ଙ୍କ ଚାଷ ନଷ୍ଟ ହେବାସହ କେମିତି ପରିବାର ଭରଣା କରିବେ ସେନେଇ ଅନେକ ଚାଷି ଚିନ୍ତାରେ ରହିଛନ୍ତି। ଜିଲ୍ଲା ପ୍ରଶାସନ ତଥା ବ୍ଲକ କୃଷି ବିଭାଗ ବନ୍ୟା ରେ କ୍ଷତିଗ୍ରସ୍ତ ଚାଷି ଙ୍କ ଚାଷ କ୍ଷତି ର ଆକଳନ କରି ସରକାରୀ ସ୍ତରରେ କ୍ଷତିପୂରଣ ପ୍ରଦାନ କରିବା ପାଇଁ କୋକସରା ବ୍ଲକ ଅଞ୍ଚଳ ର ବନ୍ୟା ପ୍ରଭାବିତ ଚାଷୀମାନେ ଦାବି କରିଛନ୍ତି।ବର୍ଷା ରେ ଘର ଭାଙ୍ଗିଥିବା ପରିବାର କୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ତ୍ୱରିତ ପଦକ୍ଷେପ ନେଇ ପଲିଥିନ ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି।
Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ବର୍ଷା ବିତ୍ପାତ,ଭାଙ୍ଗିଲା ଘର, ବେସାହାରା ହେଲେ ଦୁଇ ପରିବାର, କ୍ଷତିପୂରଣ ଦାବି
କଳାହାଣ୍ଡି, ସାମୁଦ୍ରିକ ବନ୍ୟା ଅର୍ଣ୍ଣଭ ପ୍ରଭାବ ରେ ବିଗତ ୩ ଦିନ ଧରି ଲଗାଣ ବର୍ଷା ଜିଲ୍ଲା ର ବିଭିନ୍ନ ସ୍ଥାନରେ ଜାରି ରହିଛି। କୋକସରା ବ୍ଲକ ରେ ମଧ୍ୟ ବିଗତ ୩ ଦିନରେ ୨୧୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହି ଲଗାଣ ବର୍ଷାରେ ଗୋତମୁଣ୍ଡା ପଞ୍ଚାୟତ ବନ୍ଧ ଗ୍ରାମ ର ଉପେନ୍ଦ୍ର ଧରୁଆ ଙ୍କ ମାଟିଘର ଗତକାଲି ରାତିରେ ଭୁଶୁଡି ପଡିଛି। ଗୋଟିଏ ପଟେ ଉପେନ୍ଦ୍ର ପରିବାର ପେଟ ରେ ଦାନା ଯୋଗାଡ଼ କରିବାକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଘରେ ସ୍ତ୍ରୀ ଲଳିତା ଓ ଦୁଇ ନାବାଳକ ପୁଅ ସହ ରହୁଥିଲେ। ଘର ଭୁଶୁଡିବା ପରେ ଏବେ ମା ଓ ଦୁଇ ପୁଅ ଅନ୍ୟଘରେ ଆଶ୍ରମ ନେଇଥିବା ଜଣାପଡିଛି। ସେହିପରି ଗମ୍ଭାରୀଗୁଡା ପଞ୍ଚାୟତ ଅଁଳାଗୁଡା ଗ୍ରାମର ଖଗେଶ୍ବର ନାଗ ଙ୍କ ଘର ମଧ୍ୟ ବିଳମ୍ବିତ ରାତିରେ ବର୍ଷା ର ଦାଉ ସହି ନପାରି ଭୁଶୁଡି ପଡିଛି। ଘରେ ବୃଦ୍ଧ ଖଗେଶ୍ବର ଓ ତାଙ୍କ ପତ୍ନୀ ରେବତୀ ଥିବା ବେଳେ ଘର ଭୁଶୁଡି ପଡିଥିଲା, ତେବେ ଏହି ଦୁର୍ଘଟଣା ରୁ ସ୍ୱାମୀ ସ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବର୍ତ୍ତମାନ ବୃଦ୍ଧ ଦମ୍ପତି ଅସହାୟ ଅବସ୍ଥାରେ ରହିଛନ୍ତି। ତେବେ ଏହି ଘଟଣା ପରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଉଭୟ ପରିବାର କୁ ପଲିଥିନ ଯୋଗାଇ ଦିଆ ଯାଇଥିବା ଜଣାପଡିଛି। ତେବେ ଏହାସହ ବ୍ଲକ ର ଅନେକ ସ୍ଥାନରେ ଲୋକଙ୍କ ଘର ଭୁଶୁଡିବା ଘଟଣା ମଧ୍ୟ ଅଭିଯୋଗ ହୋଇଛି। ବ୍ଲକ ପ୍ରଶାସନ ଏଦିଗରେ ତ୍ୱରିତ ପଦକ୍ଷେପ ନେଇ ବନ୍ୟା ରେ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣ ରେ ଦାବି ହେଉଛି
Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ବିଦ୍ୟୁତ ସଂଯୋଗ ନାହିଁ,ଡିବିରି ଆଲୁଅ ଭରଷା ରେ ମହେନ୍ଦ୍ରନଗର ପଡ଼ାବାସୀ
କଳାହାଣ୍ଡି, ସ୍ୱାଧୀନତା ର ୭୦ ଦଶକ ପରେ ମଧ୍ୟ କିଛି ଏମିତି ପଡା ରହିଛି ଯେଉଁଠି ଆଜି ମଧ୍ୟ ବିଜୁଳି ଆଲୁଅ ପହଞ୍ଚି ନାହିଁ। ବିକଶିତ ଗାଁ ର ନାରା ଦେଉଥିବା ସରକାର ଙ୍କ ଦୃଷ୍ଟି ଆଢୁଆଳରେ ଏବେ ମଧ୍ୟ ସନ୍ଧ୍ୟା ନଇଁଲେ ଡିବିରି ର ମିଞ୍ଜି ମିଞ୍ଜି ଆଲୁଅ ଭରସାରେ ଜୀବନ କାଟୁଛନ୍ତି ମହେନ୍ଦ୍ର ନଗର ପଡାବାସୀ। କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଚିକିଲି ପଞ୍ଚାୟତ ମହେନ୍ଦ୍ରନଗର ପଡ଼ା,ଚିକିଲି ଗାଁରେ ଜନସଂଖ୍ୟା ବୃଦ୍ଧି ଓ ଜାଗା ଅଭାବରୁ ଗଢ଼ିଉଠିଥିଲା ଏହି ଜନବସତି। ଚିକିଲି ରୁ ତୁନଗାଁ ଓ ଧନସରା ଯିବା ରାସ୍ତା ଦେଇ ଗଲା ବେଳେ ପଡେ ଏହି ଜନବସତି ପ୍ରାୟ ୧୨ ଟି ପରିବାରର ଶହେରୁ ଊର୍ଦ୍ଧ୍ୱ ଲୋକ ପ୍ରାୟ ୧୦ ବର୍ଷ ହେଲା ଏଠାରେ ବସବାସ କରୁଛନ୍ତି। ତେବେ ବସତି ର ୧୦ ବର୍ଷ ପରେ ମୌଳିକ ସୁବିଧା ରୁ ବଞ୍ଚିତ ଏହି ପଡା ବାସୀ। ସନ୍ଧ୍ୟା ନଇଁଲେ ଅନ୍ଧାରରେ ବୁଡ଼ିଯାଉଛି ପୂରା ଜନବସତି।ବିଦ୍ୟୁତ ନଥିବାରୁ ସନ୍ଧ୍ୟା ହେଲେ ଘରେ ଘରେ ଜଳୁଛି ଡିବିରି। ଏହି କ୍ଷୀଣ ଆଲୁଅରେ ପିଲାଙ୍କ ପାଠପଢ଼ା ଠାରୁ ଆରମ୍ଭ କରି ଦୈନନ୍ଦିନ କାମ ଚାଲୁଛି।ବିଦ୍ୟୁତ ସମସ୍ୟା ସାଙ୍ଗକୁ ପଡା କୁ ଯିବାପାଇଁ ନାହିଁ ଭଲ ରାସ୍ତା ଓ ବିଶୁଦ୍ଧ ପାନୀୟଜଳ ର ସମସ୍ୟା ମଧ୍ୟ ରହିଛି ବୋଲି ଅଭିଯୋଗ କରନ୍ତି ପଡା ର ମହିଳା ଓ ପୁରୁଷ। ସରକାରଙ୍କ ପକ୍ଷରୁ ବିଦ୍ୟୁତ ଓ ସୌର ଶକ୍ତି ଯୋଗାଣ ପାଇଁ ବିଭିନ୍ନ ଯୋଜନା ରହିଥିଲେ ମଧ୍ୟ ମହେନ୍ଦ୍ରନଗର ପଡ଼ାବାସୀ ସେଥିରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି। ସମସ୍ୟା ସମାଧାନ ପାଇଁ ବହୁବାର ସ୍ଥାନୀୟ ଗ୍ରାମ ପଞ୍ଚାୟତ ସମେତ ବ୍ଲକ ପ୍ରଶାସନ,ଜିଲ୍ଲାପାଳ,ଉପଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସମାଧାନ ହୋଇନଥିବା ଗ୍ରାମବାସୀ ଭୌଦେବ ପଟେଲ, କ୍ଷୀର ପଟେଲ, ଶ୍ୟାମ ସୁନ୍ଦର ଶବର ପ୍ରମୁଖ ପ୍ରକାଶ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ପଡା ର ମୌଳିକ ସମସ୍ୟା ନେଇ ସ୍ଥାନୀୟ ଗମ୍ଭାରୀଗୁଡ଼ା ସରପଞ୍ଚ ଇଶରାମ ସୁନାନୀ ଙ୍କ ପ୍ରତିକ୍ରିୟା ନେବାରୁ ମହେନ୍ଦ୍ରନଗର ପଡ଼ାର ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଖୁବଶୀଘ୍ର ସମସ୍ୟା ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଳି କହିଛନ୍ତି। ତେବେ ୧୦ ବର୍ଷର ଅପେକ୍ଷା ପରେ ମଧ୍ୟ ବିଗତ ସରକାର କିମ୍ବା ବର୍ତ୍ତମାନ ର ସରକାର ଙ୍କ ଜନ ପ୍ରତିନିଧି କିମ୍ବା ଅଧିକାରୀ ଙ୍କ ଦୃଷ୍ଟି କାହିଁକି ଏହି ପଡା ପଡ଼ିନାହିଁ ତାହା ଦୁର୍ଭାଗ୍ୟଜନକ।ସରକାରୀ ଯୋଜନାର ଆଲୁଅ କେବେ ଏହି ଅବହେଳିତ ଜନବସତିରେ ପହଞ୍ଚିବ, ତାହାକୁ ଅପେକ୍ଷା କରିଛନ୍ତି ମହେନ୍ଦ୍ରନଗର ପଡ଼ାବାସୀ।
Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ
