ଜୁନାଗଡ଼ରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ: ପୂର୍ବତନ ନଗରପାଳ ମୁକେଶ ଅଗ୍ରୱାଲଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ, ଉନ୍ନୟନ ପ୍ରସଙ୍ଗରେ ଆଲୋଚନା
Kalahandi (କଳାହାଣ୍ଡି)ରିପୋର୍ଟ : ଦେବରାଜ ବାଣୁଆ ଜୁନାଗଡ଼, କଳାହାଣ୍ଡିSeptember 27, 2026105 views

କଳାହାଣ୍ଡି, ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଗସ୍ତରେ ଥିବା ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଜୁନାଗଡ଼ ସହରରେ ପହଞ୍ଚିଥିଲେ। ତାଙ୍କ ଗସ୍ତକୁ ନେଇ ସ୍ଥାନୀୟ ବିଜେପି କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା।
ଏହି ଅବସରରେ ଶ୍ରୀ ସାମଲ ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ନଗରପାଳ ଶ୍ରୀ ମୁକେଶ ଅଗ୍ରୱାଲଙ୍କ ବାସଭବନକୁ ଯାଇ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଉଭୟଙ୍କ ମଧ୍ୟରେ ଜୁନାଗଡ଼ ନିର୍ବାଚନମଣ୍ଡଳୀର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଓ ସ୍ଥାନୀୟ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଜିଲ୍ଲାରେ ଆୟୋଜିତ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରୀ ସାମଲ କଳାହାଣ୍ଡି ଗସ୍ତରେ ଅଛନ୍ତି। ତାଙ୍କୁ ସାକ୍ଷାତ କରିବା ପାଇଁ ଅଞ୍ଚଳର ଶତାଧିକ ଦଳୀୟ କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ।
ଏହି ସମୟରେ ଆମ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ, କଳାହାଣ୍ଡି ଜିଲ୍ଲାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରିୟଦର୍ଶିନୀ ଦାସ ମଧ୍ୟ ଶ୍ରୀ ମନମୋହନ ସାମଲ ଓ ଶ୍ରୀ ମୁକେଶ ଅଗ୍ରୱାଲଙ୍କୁ ସାକ୍ଷାତ କରିଥିଲେ।
ବିଜେପିର ରାଜ୍ୟ ସଭାପତିଙ୍କ କଳାହାଣ୍ଡି ଗସ୍ତକୁ ନେଇ ଜିଲ୍ଲାର ବିଭିନ୍ନ ମହଲରେ ଉନ୍ନୟନ ଓ ସ୍ଥାନୀୟ ସମସ୍ୟା ସମ୍ପର୍କରେ ଚର୍ଚ୍ଚା ଜୋର ଧରିଛି। କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥିବାରୁ ଜିଲ୍ଲାର ଦୀର୍ଘଦିନର ସମସ୍ୟାଗୁଡ଼ିକର ସମାଧାନ, ନୂତନ ଉନ୍ନୟନ ପ୍ରକଳ୍ପ ଓ ଜନସାଧାରଣଙ୍କ ଆଶା-ଆକାଂକ୍ଷା ପୂରଣ ନେଇ ଲୋକଙ୍କ ମଧ୍ୟରେ ଆଶା ବଢ଼ିଛି।
ତେବେ ଜିଲ୍ଲାବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ଉନ୍ନୟନ କ୍ଷେତ୍ରରେ ସରକାର ଆଗାମୀ ଦିନରେ କେଉଁ ପଦକ୍ଷେପ ନେଉଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
