--:--:--
-- ---
Srishti News

Web News

ତୁଳସୀପାଳ ପଞ୍ଚାୟତ ବିଜେଡିର ନୂତନ କର୍ମକର୍ତ୍ତା ଚୟନ
Sep 19, 2026•80 views

ତୁଳସୀପାଳ ପଞ୍ଚାୟତ ବିଜେଡିର ନୂତନ କର୍ମକର୍ତ୍ତା ଚୟନ

ବଅଁରପାଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ଗ୍ରାମର ଫଟାକାଞ୍ଜିଆସ୍ଥିତ ମା’ ମହାପାଟଙ୍କ ମନ୍ଦିର ସମ୍ମୁଖରେ ତୁଳସୀପାଳ ପଞ୍ଚାୟତ ବିଜେଡି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ବୈଠକରେ ପଞ୍ଚାୟତ ବିଜେଡି ସଭାପତି ଦୁଃଖବନ୍ଧୁ ବିଶ୍ୱାଳ ସଭାପତିତ୍ୱ କରିଥିଲେ। ଏହି ବୈଠକରେ ଜିଲ୍ଲା ବିଜେଡି ଉପସଭାପତି ବାଉରୀବନ୍ଧୁ ସାହୁ, ବନ୍ଦା ସମିତିସଭ୍ୟ ଦୁଷ୍ମନ୍ତ କୁମାର ଗଡ଼ନାୟକ, ସ୍ଥାନୀୟ ସମିତିସଭ୍ୟ କର୍ଣ୍ଣ ଗୋଛାୟତ ଏବଂ ସରପଞ୍ଚଙ୍କ ପ୍ରତିନିଧି ଅଭୟ ସେଠୀ ପ୍ରମୁଖ ଯୋଗଦେଇଥିଲେ। ବୈଠକରେ ରାଜ୍ୟର ବିଜେପି ସରକାରଙ୍କ ଶାସନ ବ୍ୟବସ୍ଥା ନେଇ ଦଳୀୟ ନେତାମାନେ ଆଲୋଚନା କରିଥିଲେ। ଚାଷୀଙ୍କୁ ସାର ମିଳୁନଥିବା, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପ୍ରଦାନରେ ସମସ୍ୟା ରହିଥିବା ନେଇ ଉଦବେଗ ପ୍ରକାଶ କରାଯାଇଥିଲା। ଏଥିସହ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଦୀପଦାନ ପାଇଁ ରାଜକୋଷରୁ ଅର୍ଥ ଖର୍ଚ୍ଚ କରାଯିବା ନିଷ୍ପତ୍ତିକୁ ବୈଠକରେ ନେତାମାନେ ସମାଲୋଚନା କରିଥିଲେ। ପୂର୍ବତନ ବିଜେଡି ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟ ଏବଂ ବର୍ତ୍ତମାନର ବିଜେପି ସରକାରଙ୍କ ନୀତିକୁ ପଞ୍ଚାୟତର ପ୍ରତ୍ୟେକ ଘରେ ଘରେ ପହଞ୍ଚାଇବା ସହ ଦଳୀୟ ସଂଗଠନକୁ ମଜବୁତ କରିବାକୁ ଉପସ୍ଥିତ କର୍ମକର୍ତ୍ତା ଓ କର୍ମୀମାନେ ସଂକଳ୍ପ ନେଇଥିଲେ। ନୂତନ କର୍ମକର୍ତ୍ତା ଚୟନରେ ଦୁଃଖବନ୍ଧୁ ବିଶ୍ୱାଳ ପୁନର୍ବାର ପଞ୍ଚାୟତ ସଭାପତି ଭାବେ ଚୟନ ହୋଇଥିବା ବେଳେ ଉପସଭାପତି ଭାବେ ରାମଚନ୍ଦ୍ର ବେହେରା, ପ୍ରତାପ ସାମଲ ଓ ଗିରିଶ ଚନ୍ଦ୍ର ବିଶ୍ୱାଳ, ସାଧାରଣ ସମ୍ପାଦକ ଭାବେ ବୈକୁଣ୍ଠ ସାହୁ ଏବଂ ସହସମ୍ପାଦକ ଭାବେ ମନୋଜ କୁମାର ସାହୁ ଓ ସୁବ୍ରତ କୁମାର ବିଶ୍ୱାଳ ଚୟନ ହୋଇଛନ୍ତି। ସେହିପରି ମହିଳା ସଭାପତି ଭାବେ ସସ୍ମିତା ସାମଲ, ଯୁବ ସଭାପତି ଭାବେ ବିନୋଦ କୁମାର ବିଶ୍ୱାଳ, ମିଡିଆ କୋର୍ଡିନେଟର ଭାବେ ସିଧେଶ୍ୱର ସାହୁ, ପ୍ରକାଶ ବିଶ୍ୱାଳ, କୁନା ମହାନ୍ତି ଓ ଜିତେନ୍ଦ୍ର ସାହୁ, ଡିଜିଟାଲ ସେକ୍ରେଟାରୀ ଭାବେ ରାଜାରାମ ସାହୁ ଚୟନ ହୋଇଛନ୍ତି। ବୁଥ କମିଟି ସଭାପତି ଭାବେ ଶ୍ରୀକାନ୍ତ ସାମଲ, ସୁମନ୍ତ ବିଶ୍ୱାଳ, ବିଦ୍ୟାଧର ନାଏକ, ରମେଶ ବାରିକ ଓ ଜ୍ୟୋତିର୍ମୟ ଦେହୁରୀ ପ୍ରମୁଖଙ୍କୁ ଚୟନ କରାଯାଇଥିଲା। ଶେଷରେ ପଞ୍ଚାୟତର ବରିଷ୍ଠ ବିଜେଡି ନେତା ଉଦୟନାଥ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ , ଅନୁଗୋଳ

ବିଶ୍ୱକର୍ମା ପୂଜାରେ ସେଣ୍ଟ୍ରାଲ ୱର୍କସପ୍‌ରେ ବିଧାୟକ ବ୍ରଜକିଶୋର ପ୍ରଧାନ
Sep 19, 2026•44 views

ବିଶ୍ୱକର୍ମା ପୂଜାରେ ସେଣ୍ଟ୍ରାଲ ୱର୍କସପ୍‌ରେ ବିଧାୟକ ବ୍ରଜକିଶୋର ପ୍ରଧାନ

ତାଳଚେର: ଦେବଶିଳ୍ପୀ ପ୍ରଭୁ ଶ୍ରୀ ବିଶ୍ୱକର୍ମାଙ୍କ ପବିତ୍ର ପୂଜା ଅବସରରେ ତାଳଚେର ସେଣ୍ଟ୍ରାଲ ୱର୍କସପ୍‌ ପରିସରରେ ଆୟୋଜିତ ପୂଜା ମଣ୍ଡପକୁ ପରିଦର୍ଶନ କରିଥିଲେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ। ଏହି ଅବସରରେ ସେ ପ୍ରଭୁ ଶ୍ରୀ ବିଶ୍ୱକର୍ମାଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ପୂଜା ଅବସରରେ ବିଧାୟକ ଶ୍ରୀ ପ୍ରଧାନ ସେଣ୍ଟ୍ରାଲ ୱର୍କସପ୍‌ର ସମସ୍ତ କର୍ମଚାରୀ, ଶ୍ରମିକ ଭାଇଭଉଣୀ ଓ ଶ୍ରଦ୍ଧାଳୁମାନଙ୍କୁ ପବିତ୍ର ବିଶ୍ୱକର୍ମା ପୂଜାର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ଏଥିସହ ସମସ୍ତଙ୍କ ସୁଖ, ସମୃଦ୍ଧି, ଶାନ୍ତି ଓ ମଙ୍ଗଳ କାମନା କରିଥିଲେ। ପୂଜା ମଣ୍ଡପ ପରିଦର୍ଶନ ସମୟରେ କର୍ମଚାରୀ ଓ ଶ୍ରଦ୍ଧାଳୁମାନଙ୍କ ସହ ବିଧାୟକ ଶ୍ରୀ ପ୍ରଧାନ ଆଲୋଚନା କରିଥିବା ଜଣାପଡ଼ିଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳ

ବଉଳିଗଡ଼ର ବିଭିନ୍ନ ଗଣେଶ ପୂଜା ମଣ୍ଡପ ବୁଲିଲେ ବିଧାୟକ ପ୍ରତାପ ପ୍ରଧାନ
Sep 19, 2026•46 views

ବଉଳିଗଡ଼ର ବିଭିନ୍ନ ଗଣେଶ ପୂଜା ମଣ୍ଡପ ବୁଲିଲେ ବିଧାୟକ ପ୍ରତାପ ପ୍ରଧାନ

ବଅଁରପାଳ: ଗଣେଶ ପୂଜା ଅବସରରେ ବଉଳିଗଡ଼ ଗ୍ରାମ ପଞ୍ଚାୟତର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ। ପୁରିକିଆର ନଡ଼ିଆ କ୍ଲବ୍‌, ଗଣପତି କ୍ଲବ୍‌, ଅରହାଟ ସିକ୍‌ ସାହି ଗଣେଶ ପୂଜା କମିଟି ଏବଂ ବଉଳିଗଡ଼ ଗଡ଼ନାୟକ ସାହିର ସିଦ୍ଧିବିନାୟକ କ୍ଲବ୍‌ର ପୂଜା ମଣ୍ଡପରେ ପହଞ୍ଚି ବିଧାୟକ ଶ୍ରୀ ପ୍ରଧାନ ପ୍ରଭୁ ଶ୍ରୀଗଣେଶଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଏଥିସହ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ। ଏହି ଅବସରରେ ସରପଞ୍ଚ ଅମରେନ୍ଦ୍ର ଗଡ଼ନାୟକ, ସମିତି ସଭ୍ୟ ପ୍ରତାପ ସାମଲଙ୍କ ସମେତ ବିଜେପି ନେତା, ଦଳୀୟ କର୍ମକର୍ତ୍ତା ଓ ବିଭିନ୍ନ ପୂଜା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ବିଧାୟକଙ୍କ ମଣ୍ଡପ ପରିଦର୍ଶନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ପ୍ରକାଶ ପାଇଥିଲା।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ , ଅନୁଗୋଳ

ଅନୁଗୋଳରେ ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ
Sep 19, 2026•41 views

ଅନୁଗୋଳରେ ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଦଳୀୟ ସଂଗଠନକୁ ତୃଣମୂଳସ୍ତରରେ ସୁଦୃଢ଼ କରିବା, ଆଗାମୀ କାର୍ଯ୍ୟପନ୍ଥା ଓ ଜନସେବା ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଲଲହଡ଼ା ବିଧାୟକ ଅଶୋକ କୁମାର ମହାନ୍ତି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପୂର୍ବତନ ବିଧାୟକ ରମେଶ ସାଏ, ଜିଲ୍ଲା ବିଜେପି ସଭାପତି ଯଜାତି ପଟ୍ଟନାୟକ ଓ ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ରଙ୍କ ସମେତ ବହୁ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ଲୋକଙ୍କ ସହ ନିରନ୍ତର ଯୋଗାଯୋଗ ରଖି ସେମାନଙ୍କ ସମସ୍ୟା ସମାଧାନ ଦିଗରେ ଗୁରୁତ୍ୱ ଦେବା ସହ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ କରିବା ନେଇ ବୈଠକରେ ମତବିନିମୟ ହୋଇଥିଲା।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ପଞ୍ଚମହଲା ଦୋକାନ ଅଗ୍ନିକାଣ୍ଡ ଘଟଣା: ଅଭିଯୁକ୍ତ ଗିରଫ
Sep 19, 2026•55 views

ପଞ୍ଚମହଲା ଦୋକାନ ଅଗ୍ନିକାଣ୍ଡ ଘଟଣା: ଅଭିଯୁକ୍ତ ଗିରଫ

ଅନୁଗୋଳ: ସଦର ଥାନା ଅନ୍ତର୍ଗତ ନୁଆମୌଜା ପଞ୍ଚମହଲା ଅଞ୍ଚଳରେ ଦୋକାନରେ ନିଆଁ ଲଗାଇବା ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଗତ ୧୫ ସେପ୍ଟେମ୍ବର ୨୦୨୬ ଭୋର ସମୟରେ ପଞ୍ଚମହଲା ର କୁମୁଦ ଚନ୍ଦ୍ର ନାଏକଙ୍କ ଗ୍ରୋସରୀ ଓ ଭେରାଇଟି ଦୋକାନରେ ଜଣେ ଅଜଣା ବ୍ୟକ୍ତି ଜାଣିଶୁଣି ନିଆଁ ଲଗାଇଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଥିଲା। ନିଆଁ ପରେ ନିକଟସ୍ଥ ଗ୍ୟାରେଜ୍‌ ଓ ଦୋକାନକୁ ବ୍ୟାପିଯାଇଥିବା ବେଳେ ସେଠାରେ ଥିବା ବିଭିନ୍ନ ସମ୍ପତ୍ତି ସହ ଏକ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଘଟଣାର ତଦନ୍ତ ବେଳେ ପୋଲିସ CCTV ଫୁଟେଜ୍‌ ଯାଞ୍ଚ କରିଥିଲା। ଫୁଟେଜ୍‌ରେ ମୁହଁ ଢାଙ୍କିଥିବା ଜଣେ ବ୍ୟକ୍ତି ଘଟଣାସ୍ଥଳକୁ ଆସି ପେଟ୍ରୋଲ ଢାଳି ଦୋକାନରେ ନିଆଁ ଲଗାଉଥିବା ଦେଖାଯାଇଥିଲା। CCTV ଫୁଟେଜ୍‌ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ପୋଲିସ ଅଭିଯୁକ୍ତ କାଳିଆ ଭୋଇ ବୋଲି ଚିହ୍ନଟ କରିଥିଲା। ତଦନ୍ତରୁ ଅଭିଯୁକ୍ତ ଓ ଅଭିଯୋଗକାରୀଙ୍କ ମଧ୍ୟରେ ପୂର୍ବରୁ ବିବାଦ ରହିଥିବା ମଧ୍ୟ ଜଣାପଡ଼ିଥିବା ପୋଲିସ ସୂଚନା ଦେଇଛି। ପରେ ପୋଲିସ କାଳିଆ ଭୋଇଙ୍କୁ ଗିରଫ କରି ମାନ୍ୟବର ନ୍ୟାୟାଳୟକୁ ପଠାଇଛି। ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ବ୍ରାଉନ ସୁଗାର ବେପାରୀ ଗିରଫ, ୮.୬୬୦ ଗ୍ରାମ ବ୍ରାଉନ ସୁଗାର ଜବତ
Sep 19, 2026•42 views

ବ୍ରାଉନ ସୁଗାର ବେପାରୀ ଗିରଫ, ୮.୬୬୦ ଗ୍ରାମ ବ୍ରାଉନ ସୁଗାର ଜବତ

ତାଳଚେର: ବ୍ରାଉନ ସୁଗାର ବେପାରୀଙ୍କ ବିରୋଧରେ ତାଳଚେର ପୋଲିସର ଚଢ଼ାଉ। ତାଳଚେର ବାଘୁଅବୋଲ ଶିବ ମନ୍ଦିର ନିକଟରେ ଚଢ଼ାଉ କରି ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ୮.୬୬୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କୋଲିୟାରୀ ଥାନା ଅନ୍ତର୍ଗତ କେନ୍ଦୁବାନିଆସାହିର ସନ୍ତୁ ଓରଫ ସନ୍ତୋଷ ଜାଲ (୩୬), ଶରତ ଜାଲ (୩୦) ଏବଂ ଟେରୁ ଓରଫ ଦିପ୍ତୀରଞ୍ଜନ ବେହେରା (୨୪)। ଘଟଣାରେ ତାଳଚେର ପୋଲିସ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେଇଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳ

ଅନୁଗୋଳ DHH ପରିଦର୍ଶନ କଲେ ଏସ୍‌ପି, ସୁରକ୍ଷା ବ୍ୟବସ୍ଥାର କଲେ ସମୀକ୍ଷା
Sep 19, 2026•42 views

ଅନୁଗୋଳ DHH ପରିଦର୍ଶନ କଲେ ଏସ୍‌ପି, ସୁରକ୍ଷା ବ୍ୟବସ୍ଥାର କଲେ ସମୀକ୍ଷା

ଅନୁଗୋଳ: ଅନୁଗୋଳ ଏସ୍‌ପି ଏବଂ ଅନୁଗୋଳ ଥାନା ଅଧିକାରୀ ଶନିବାର ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ପରିଦର୍ଶନ କରି ହସ୍ପିଟାଲ ପରିସର ଓ ଏହାର ଆଖପାଖ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ଏସ୍‌ପି ହସ୍ପିଟାଲର ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ସହ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରିଥିଲେ। ହସ୍ପିଟାଲକୁ ଆସୁଥିବା ରୋଗୀ, ସମ୍ପର୍କୀୟ ଓ ସାଧାରଣ ଲୋକଙ୍କ ସୁରକ୍ଷା ନେଇ ଥିବା ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିଥିଲେ। ହସ୍ପିଟାଲ ପରିସରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା, ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଓ ଆବଶ୍ୟକ ସ୍ଥାନରେ ପୋଲିସ ପକ୍ଷରୁ ନିରୀକ୍ଷଣ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ସମୀକ୍ଷା ସମୟରେ ପି.ଏମ୍.ପି. ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ହସ୍ପିଟାଲରେ ରୋଗୀ ଓ ସାଧାରଣ ଲୋକଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ଗଣେଶ ପୂଜା ଅବସରରେ ରକ୍ତଦାନ ଶିବିର, ସଂଗୃହୀତ ହେଲା ୧୦୬ ୟୁନିଟ୍ ରକ୍ତ
Sep 19, 2026•47 views

ଗଣେଶ ପୂଜା ଅବସରରେ ରକ୍ତଦାନ ଶିବିର, ସଂଗୃହୀତ ହେଲା ୧୦୬ ୟୁନିଟ୍ ରକ୍ତ

ଅନୁଗୋଳ: ପବିତ୍ର ଗଣେଶ ପୂଜା ଅବସରରେ ଅନୁଗୋଳ ପୌରପାଳିକା ୱାର୍ଡ ନଂ-୬ ଅନ୍ତର୍ଗତ ଆମ୍ବେଦକର ନଗରଠାରେ ଆଜାଦ୍ ମଜଦୂର ସଂଘ ଓ ଇନ୍ଦିରା କ୍ଲବ୍ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଶିବିରରେ ମୋଟ ୧୦୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହି ରକ୍ତଦାନ ଶିବିରରେ ଅନୁଗୋଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଅରୁଣାଭ ସିଂହ, ୱାର୍ଡ ନଂ-୫ର କାଉନସିଲର ରଞ୍ଜିତ୍ ମଣ୍ଡୋଠିଆ, ୱାର୍ଡ ନଂ-୧୬ର କାଉନସିଲର ସଦାନନ୍ଦ ପଣ୍ଡା, ୱାର୍ଡ ନଂ-୧୯ର କାଉନସିଲର ବଳରାମ ଜେନା, ଅନୁଗୋଳ ନଗର ବିଜେଡ଼ି ସଭାପତି ବୃନ୍ଦାବନ ସ୍ୱାଇଁ, ଉପସଭାପତି ସୁଜିତ ନନ୍ଦଙ୍କ ସମେତ ବିଶିଷ୍ଟ ସମାଜସେବୀ ପ୍ରଦ୍ୟୁମ୍ନ ନନ୍ଦ, ଦୁର୍ଗା ପ୍ରସାଦ ଦାସ, ଡ଼ଃ ଅସିତ୍ ପ୍ରଧାନ, ଅଭିମନ୍ୟୁ ସାହୁ, ଡ଼ଃ ଶକ୍ତି ପ୍ରସାଦ ସାହୁ ଓ ବାପି ପ୍ରଧାନ ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ୱାର୍ଡ ନଂ-୬ କାଉନସିଲର ତଥା ଇନ୍ଦିରା କ୍ଲବ୍ ସଭାପତି ସୁଶୀଲ ମୁଖୀ, ସମ୍ପାଦକ କରନ ମୁଖୀ, ଆଜାଦ୍ ମଜଦୂର ସଂଘର ସଭାପତି ଶଙ୍କର ବେହେରା ଓ ସମ୍ପାଦକ ବିନୋଦ ବେହେରାଙ୍କ ନେତୃତ୍ୱ ଓ ତତ୍ତ୍ୱାବଧାନରେ ଶିବିରଟି ସୁଚାରୁ ରୂପେ ଅନୁଷ୍ଠିତ ହୋଇଥିଲା। ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବ୍ଲଡ୍ ବ୍ୟାଙ୍କର ଡାକ୍ତର ଓ କର୍ମଚାରୀମାନେ ଶିବିରରେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ। ଗଣେଶ ପୂଜା ଭଳି ଏକ ପବିତ୍ର ଅବସରରେ ଏଭଳି ମହତ୍ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ମୋଦୀଙ୍କ ଜନ୍ମଦିନରେ ଶୈଳ ଶ୍ରୀକ୍ଷେତ୍ରରେ ଦୀପ ପ୍ରଜ୍ୱଳନ
Sep 19, 2026•53 views

ମୋଦୀଙ୍କ ଜନ୍ମଦିନରେ ଶୈଳ ଶ୍ରୀକ୍ଷେତ୍ରରେ ଦୀପ ପ୍ରଜ୍ୱଳନ

ଅନୁଗୋଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଦଳୀୟ ନେତୃବୃନ୍ଦ, କର୍ମୀ ଓ ସମର୍ଥକଙ୍କ ସହ ଯୋଗଦେଇ ଦୀପ ପ୍ରଜ୍ୱଳନ କରିଥିଲେ। ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦୀର୍ଘାୟୁ, ସୁସ୍ଥ ଓ ନିରାମୟ ଜୀବନ କାମନା କରି ପ୍ରାର୍ଥନା କରାଯାଇଥିଲା। ବିଧାୟକ ଶ୍ରୀ ପ୍ରଧାନ କହିଥିଲେ ଯେ, ଦେଶ ସେବା ଓ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ଆହୁରି ସୁଦୃଢ଼ ହେଉ। ଦେଶର ଉନ୍ନତି ଓ ଜନସେବା ପାଇଁ ସେ ଦୀର୍ଘଦିନ ଧରି କାର୍ଯ୍ୟ କରିବାର ସୁଯୋଗ ପାଆନ୍ତୁ ବୋଲି ମହାପ୍ରଭୁଙ୍କ ନିକଟରେ କାମନା କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ ଦଳୀୟ ନେତା, କର୍ମୀ ଓ ସମର୍ଥକ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ଦୁଃଖିତ ପରିବାର ପାଖରେ ଲୁଲୁ ସେନା
Sep 19, 2026•78 views

ଦୁଃଖିତ ପରିବାର ପାଖରେ ଲୁଲୁ ସେନା

ଅନୁଗୋଳ: ବନ୍ତଳା ଥାନା ଅଧୀନ ମାଣପୁର ଗ୍ରାମର ଶ୍ରୀ ଦିବାକର ମହାପାତ୍ରଙ୍କ ଧର୍ମପତ୍ନୀ ସ୍ୱର୍ଗତା ରୀନା ମହାପାତ୍ରଙ୍କ ଅକାଳ ବିୟୋଗରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ରୀନାଙ୍କ ବିୟୋଗ ପରେ ପରିବାର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବା ସହ ଦୁଇଜଣ ବଡ଼ ଝିଅଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ରହିଛନ୍ତି। ପରିବାରର ଏହି ଦୁଃଖଦ ପରିସ୍ଥିତି ସମ୍ପର୍କରେ ଜାଣି ଲୁଲୁ ସେନା ଟିମ୍ ମାଣପୁର ଗ୍ରାମରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବା ସହ ତାଙ୍କ ଦୁଃଖରେ ସାମିଲ ହୋଇଥିଲା। ଏଥିସହିତ ପରିବାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଲୁଲୁ ସେନା ପକ୍ଷରୁ ସାମର୍ଥ୍ୟ ଅନୁଯାୟୀ ସହାୟତା ପ୍ରଦାନ କରାଯାଇଥିଲା। ଦୁଃଖର ସମୟରେ ଅସହାୟ ପରିବାର ପାଖରେ ଠିଆ ହୋଇ ସହଯୋଗର ହାତ ବଢ଼ାଇବା ଲୁଲୁ ସେନାର ଏହି ପଦକ୍ଷେପକୁ ସ୍ଥାନୀୟ ମହଲରେ ପ୍ରଶଂସା କରାଯାଇଛି। ସ୍ୱର୍ଗତା ରୀନା ମହାପାତ୍ରଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଏହି କଠିନ ସମୟରେ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯାଇଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ବନ୍ତଳା, ଅନୁଗୋଳ

କାଶତଣ୍ଡିର ଶୁଭ୍ର ଆଭାରେ ଶରତର ଆଗମନ: ବରୀର ନଦୀପଠା ଓ ଖୋଲା ପଡ଼ିଆରେ ମନୋରମ ଦୃଶ୍ୟ
Sep 19, 2026•29 views

କାଶତଣ୍ଡିର ଶୁଭ୍ର ଆଭାରେ ଶରତର ଆଗମନ: ବରୀର ନଦୀପଠା ଓ ଖୋଲା ପଡ଼ିଆରେ ମନୋରମ ଦୃଶ୍ୟ

ବରୀ, ୧୯/୦୯ : ବର୍ଷା ଋତୁର ବିଦାୟ ପରେ ପ୍ରକୃତିରେ ଧୀରେ ଧୀରେ ଶରତର ଆଗମନୀ ସ୍ପର୍ଶ ଅନୁଭୂତ ହେଉଛି। ବରୀ ଅଞ୍ଚଳର ବିଭିନ୍ନ ନଦୀପଠା, ଖୋଲା ପଡ଼ିଆ ଓ ରାସ୍ତାପାର୍ଶ୍ୱରେ ଫୁଟିଥିବା ଧଳା କାଶତଣ୍ଡି ପ୍ରକୃତିକୁ ଏକ ମନୋମୁଗ୍ଧକର ରୂପ ଦେଇଛି। ହାଲୁକା ପବନରେ କାଶଫୁଲର ଦୋଳନ ଶରତ ଋତୁର ଆଗମନୀ ବାର୍ତ୍ତା ବହନ କରୁଛି। ସବୁଜ ପରିବେଶ ମଧ୍ୟରେ ଧଳା କାଶଫୁଲର ସମ୍ଭାର ପ୍ରକୃତିର ସୌନ୍ଦର୍ଯ୍ୟକୁ ଆହୁରି ମନୋରମ କରିଛି। ଏହି ଦୃଶ୍ୟ ପଥଚାରୀ, ସ୍ଥାନୀୟ ଲୋକଙ୍କ ସମେତ ପ୍ରକୃତିପ୍ରେମୀଙ୍କୁ ବେଶ୍ ଆକର୍ଷିତ କରୁଛି। କାଶତଣ୍ଡିର ଶୁଭ୍ର ଆଭା ସହିତ ଅଞ୍ଚଳରେ ଧୀରେ ଧୀରେ ପାର୍ବଣର ମାହୋଲ ମଧ୍ୟ ସୃଷ୍ଟି ହେବାରେ ଲାଗିଛି। ଆଗକୁ ଆସୁଥିବା ଦୁର୍ଗାପୂଜା ସମେତ ବିଭିନ୍ନ ପାର୍ବଣକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ବଢ଼ିବାରେ ଲାଗିଛି। କାଶଫୁଲର ଏହି ଶୁଭ୍ର ସମ୍ଭାର ଶରତର ଆଗମନ ସହ ପାର୍ବଣ ଋତୁର ଆଭାସ ଦେଉଛି।

Jajpur (ଯାଜପୁର) • ବରୀରୁ ସୁଧାଂଶୁ ଶେଖର ଓଝାଙ୍କ ରିପୋର୍ଟ

ଭୁବନେଶ୍ୱର ନୂଆସାହିରେ ଗଣେଶ ପୂଜାର ଅଭୂତପୂର୍ବ ଆୟୋଜନ: ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି ବିଶାଳକାୟ ପ୍ରତିମା
Sep 19, 2026•18 views

ଭୁବନେଶ୍ୱର ନୂଆସାହିରେ ଗଣେଶ ପୂଜାର ଅଭୂତପୂର୍ବ ଆୟୋଜନ: ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି ବିଶାଳକାୟ ପ୍ରତିମା

ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ନୂଆସାହିରେ ଚଳିତ ବର୍ଷ ଗଣେଶ ପୂଜା ଅତ୍ୟନ୍ତ ଧୁମଧାମ ଓ ଭବ୍ୟତା ସହ ପାଳିତ ହେଉଛି। ଇତିହାସରେ ପ୍ରଥମ ଥର ପାଇଁ ଏତେ ସୁନ୍ଦର ଓ ବିଶାଳ ଆୟୋଜନ କରାଯାଇ ଭକ୍ତମାନଙ୍କୁ ଆକୃଷ୍ଟ କରାଯାଉଛି। ​ଗଣପତିଙ୍କ ବିଶାଳ ପ୍ରତିମା: ଚଳିତ ବର୍ଷ ନୂଆସାହି ମଣ୍ଡପରେ ଭଗବାନ ଗଣେଶଙ୍କର ଏକ ବିଶାଳ ଓ ନୟନପ୍ରୀତିକର ପ୍ରତିମା ସ୍ଥାପନ କରାଯାଇଛି। ଶ୍ରୀଗଣେଶଙ୍କ ଆକର୍ଷଣୀୟ ଶୃଙ୍ଗାର, ମୁକୁଟ, ସୁନ୍ଦର ହାର ଏବଂ ନିଖୁଣ କାରୁକାର୍ଯ୍ୟ ଦେଖିବାକୁ ମଣ୍ଡପରେ ପ୍ରବଳ ଭିଡ଼ ଜମୁଛି। ​ଆକର୍ଷଣୀୟ ତୋରଣ ଓ ସଜ୍ଜା: ଭକ୍ତଙ୍କ ସ୍ୱାଗତ ପାଇଁ ମଣ୍ଡପର ସାଜସଜ୍ଜା ଓ ଆଲୋକମାଳା ଅତ୍ୟନ୍ତ ଆକର୍ଷଣୀୟ ହୋଇଛି। ​ଶ୍ରଦ୍ଧାଳୁଙ୍କ ସମାଗମ: ପୂଜା କମିଟି ପକ୍ଷରୁ ଭକ୍ତଙ୍କ ଦର୍ଶନ ଓ ପ୍ରସାଦ ସେବନ ପାଇଁ ସ୍ୱତନ୍ତ୍ର ଏବଂ ସୁରକ୍ଷିତ ବ୍ୟବସ୍ଥା କରାଯାଇଛି। ​ଏହି ସୁନ୍ଦର ଓ ନିଶ୍ଚିତ ଭାବେ ସ୍ମରଣୀୟ ଆୟୋଜନ ଚଳିତ ବର୍ଷ ଭୁବନେଶ୍ୱରର ପୂଜା ମାହୋଲକୁ ଆହୁରି ଉତ୍ସବମୁଖର କରିତୋଳିଛି।

Bhubaneswar (ଭୁବନେଶ୍ୱର) • ଭୁବନେଶ୍ୱର:ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼