Web News

କେନ୍ଦୁଝରରେ ଜିଲ୍ଲା ସ୍ତରୀୟ ୧୫୭ତମ ଗାନ୍ଧୀ ଜୟନ୍ତୀ ପାଳିତ: ନିଜର ପରିବର୍ତ୍ତନ ହିଁ ଦେଶର ପରିବର୍ତ୍ତନ - ସାଂସଦ ଶ୍ରୀ ଅନନ୍ତ ନାୟକ
କେନ୍ଦୁଝର ୨/୧୦: କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଦରବାର ହଲ୍ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀ ଓ ଅନ୍ୟ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ଏଥିରେ ମହାତ୍ମା ଗାନ୍ଧୀଙ୍କ 'ସର୍ବଧର୍ମ ସମଭାବ' ଓ ସଦ୍ଭାବନା ନୀତିକୁ ଆଧାର କରି ଏକ 'ସର୍ବଧର୍ମ ପ୍ରାର୍ଥନା ସଭା' ଆୟୋଜିତ ହୋଇଥିଲା। ଏଥିରେ ପଣ୍ଡିତ ପିନାକୀ ମିଶ୍ରଙ୍କ ଦ୍ୱାରା ଗୀତା ପାଠ, ଖାଲିଦ ମୌଲାନାଙ୍କ ଦ୍ୱାରା କୋରାନ ପାଠ ଏବଂ ରେଭରେଣ୍ଡ ସି.ଡି. ଲିମାଙ୍କ ପ୍ରତିନିଧିଙ୍କ ଦ୍ୱାରା ବାଇବେଲ ପାଠ କରାଯାଇଥିଲା। ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ ନିଜ ବକ୍ତବ୍ୟରେ ପ୍ରକାଶ ନିଜର ପରିବର୍ତ୍ତନ ଦ୍ୱାରା ହିଁ ଦେଶର ପରିବର୍ତ୍ତନ ସମ୍ଭବ। ଗାନ୍ଧୀଜୀଙ୍କ ସତ୍ୟ, ଅହିଂସା, ସ୍ୱଚ୍ଛତା ଓ ସ୍ୱାବଲମ୍ବନର ନୀତି ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଗାଁର ସର୍ବାଙ୍ଗୀନ ବିକାଶରେ ହିଁ ଦେଶର ବିକାଶ ନିହିତ ବୋଲି ପ୍ରକାଶ କରିବା ସହ ଗାନ୍ଧୀଜୀଙ୍କ ଆଦର୍ଶରେ ଗଢ଼ା ସମୃଦ୍ଧ କେନ୍ଦୁଝର ଓ ସ୍ୱପ୍ନର ଓଡ଼ିଶା ନିର୍ମାଣ ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ ବକ୍ତବ୍ୟ ରଖି ଗାନ୍ଧୀଜୀଙ୍କ ଆଦର୍ଶ ଓ ବିଚାରଧାରା ଆଜି ବି ସମଗ୍ର ମାନବ ସମାଜ ପାଇଁ ଚିର ପ୍ରାସଙ୍ଗିକ। ସ୍ୱଚ୍ଛତା ଓ ସାମ୍ପ୍ରଦାୟିକ ସଦ୍ଭାବକୁ ଆମେ ଆମର ନିତ୍ୟଦିନିଆ ଅଭ୍ୟାସରେ ପରିଣତ କରିପାରିଲେ ହିଁ ଏକ ସମୃଦ୍ଧ ଓ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ପ୍ରକାଶ କରିଥିଲେ। ବିଶେଷ କରି କୁନି କୁନି ପିଲାମାନଙ୍କ ମଧ୍ୟରେ ଶୈଶବରୁ ହିଁ ଗାନ୍ଧୀଜୀଙ୍କ ନୈତିକ ମୂଲ୍ୟବୋଧ, ସ୍ୱଚ୍ଛତା ଓ ଗୁରୁଜନଙ୍କ ପ୍ରତି ଶ୍ରଦ୍ଧା ଭାବ ଜାଗ୍ରତ କରିପାରିଲେ ସେମାନେ ଆଗାମୀ ଦିନରେ ଦେଶର ସୁନାଗରିକ ଭାବେ ଗଢ଼ିଉଠିବେ। ନିଜର ଉଜ୍ଜ୍ୱଳ ଭବିଷ୍ୟତ ପ୍ରତି ସଚେତନ ହୋଇ ଆତ୍ମ-ସୁଧାର ଓ ସ୍ୱାବଲମ୍ବନ ଦିଗରେ କାର୍ଯ୍ୟ କରିବା ପାଇଁ ସେମାନେ ପ୍ରେରଣା ପାଇବେ ବୋଲି ମତ ପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାଏକ ଏବଂ କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ଏବଂ ମାନ୍ୟବର ବିଧାୟକ ଚମ୍ପୁଆଙ୍କ ପ୍ରତିନିଧି ଶ୍ରୀ ସଞ୍ଜୀବ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲୋ। ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ମହାତ୍ମା ଗାନ୍ଧୀଙ୍କ ଆଦର୍ଶ, ଅହିଂସା, ସାମ୍ପ୍ରଦାୟିକ ସଦ୍ଭାବ ଓ ସ୍ୱଚ୍ଛତାର ସନ୍ଦେଶକୁ ନିଜ ଜୀବନରେ କାର୍ଯ୍ୟକାରୀ କରିବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସାର୍ଥକ ଅଭିନନ୍ଦନ ରାୟ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ଜ୍ୟୋତିର୍ମୟୀ ନାଏକ ଓ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ। ପରିଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଶିକ୍ଷକ, ଛାତ୍ରଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
Kendujhar (କେନ୍ଦୁଝର) • କେନ୍ଦୁଝର ରୁ ନିରଞ୍ଜନ ପାଣିଙ୍କ ରିପୋର୍ଟ

ଜୟଦେବ ବିହାର–ନନ୍ଦନକାନନ ସମାନ୍ତରାଳ ରାସ୍ତା ପାଇଁ କଟିବ ଶହେ ବର୍ଷର ଆମ୍ବ ଗଛ
ଭୁବନେଶ୍ୱର: ରାଜଧାନୀରେ ବଢ଼ୁଥିବା ଟ୍ରାଫିକ୍ ଭିଡ଼ କମାଇବା ପାଇଁ ଜୟଦେବ ବିହାର–ନନ୍ଦନକାନନ ରାସ୍ତାର ସମାନ୍ତରାଳ ଆଉ ଏକ ରାସ୍ତା ନିର୍ମାଣ କରାଯିବ। ଏହି ରାସ୍ତା ପଟିଆ ରେଳ ଷ୍ଟେସନକୁ ସଂଯୋଗ କରିବ। ତେବେ ଏହି ରାସ୍ତା ନିର୍ମାଣ ପାଇଁ ଗାଡ଼କଣ ଅଞ୍ଚଳରେ ଥିବା ପୁରୁଣା ଗଛଗୁଡ଼ିକ କାଟିବାକୁ ପଡ଼ିବା ନେଇ ପରିବେଶପ୍ରେମୀ ଓ ସ୍ଥାନୀୟଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ବିଶେଷକରି ଗାଡ଼କଣ ଅଞ୍ଚଳରେ ଥିବା ଅନେକ ଶହେ ବର୍ଷର ପୁରୁଣା ଆମ୍ବ ଗଛ ରାସ୍ତା ନିର୍ମାଣରେ ବଳି ପଡ଼ିବାକୁ ଯାଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟଙ୍କ କହିବା ଅନୁଯାୟୀ, ଦିନେ ଗାଡ଼କଣ ଗ୍ରାମରୁ ଶିଖରଚଣ୍ଡୀ ପାହାଡ଼ ପର୍ଯ୍ୟନ୍ତ ଆମ୍ବ ତୋଟା ଲମ୍ବିଥିଲା। ସହରୀକରଣ ସହ ଧୀରେ ଧୀରେ ଏହି ଅଞ୍ଚଳର ଅନେକ ପୁରୁଣା ଗଛ କଟାଯାଇଛି। ବର୍ତ୍ତମାନ ଅବଶିଷ୍ଟ ଥିବା କେତେକ ପୁରୁଣା ଗଛ ମଧ୍ୟ ରାସ୍ତା ନିର୍ମାଣ ପାଇଁ ହଟାଯିବା ଆଶଙ୍କା ରହିଛି। ଅନ୍ୟପକ୍ଷରେ, ଜୟଦେବ ବିହାର–ନନ୍ଦନକାନନ ମୁଖ୍ୟ ରାସ୍ତାରେ ପ୍ରତିଦିନ ବଢ଼ୁଥିବା ଯାତାୟାତ ଚାପ ରାଜଧାନୀବାସୀଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି। ବିଶେଷକରି ପିକ୍ ଆୱାରରେ ଦୀର୍ଘ ସମୟ ଧରି ଟ୍ରାଫିକ୍ ଜାମ୍ ହେଉଥିବାରୁ ଯାତ୍ରୀ ଓ ଚାଳକମାନେ ହଇରାଣ ହେଉଛନ୍ତି। ଏହି ଟ୍ରାଫିକ୍ ଚାପ କମାଇବା ପାଇଁ ସରକାର ଏକ ନୂଆ ସମାନ୍ତରାଳ ରାସ୍ତା ନିର୍ମାଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଗାଡ଼କଣସ୍ଥିତ କେଳୁଚରଣ ପାର୍କ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ପ୍ରସ୍ତାବିତ ସମାନ୍ତରାଳ ରାସ୍ତାର ଦୈର୍ଘ୍ୟ ପ୍ରାୟ ୧.୩୮୬ କିଲୋମିଟର ହେବ। ଏହା ପଟିଆ, ଚନ୍ଦ୍ରଶେଖରପୁର ଓ ଗାଡ଼କଣ ମୌଜା ଦେଇ ଯିବ। ରାସ୍ତା ନିର୍ମାଣରେ ପ୍ରାୟ ୫୫.୮୫ କୋଟି ଟଙ୍କା ବ୍ୟୟ ହେବାକୁ ଥିବାବେଳେ ଆସନ୍ତା ୧୮ ମାସ ମଧ୍ୟରେ କାମ ଶେଷ କରିବାର ଲକ୍ଷ୍ୟ ରହିଛି। ନୂଆ ରାସ୍ତା ନିର୍ମାଣ ହେଲେ ମୁଖ୍ୟ ଜୟଦେବ ବିହାର–ନନ୍ଦନକାନନ ରାସ୍ତାରୁ କିଛି ଯାନବାହନ ବିକଳ୍ପ ରାସ୍ତାରେ ଯାତାୟାତ କରିପାରିବେ। ଏହା ଫଳରେ ମୁଖ୍ୟ ରାସ୍ତାର ଟ୍ରାଫିକ୍ ଚାପ କମିବ ବୋଲି ଆଶା କରାଯାଉଛି। ତେବେ ରାସ୍ତା ନିର୍ମାଣ ସହ ପୁରୁଣା ଗଛ ସୁରକ୍ଷାର ପ୍ରସଙ୍ଗ ମଧ୍ୟ ଏବେ ଚର୍ଚ୍ଚାରେ। ବିକାଶମୂଳକ ପ୍ରକଳ୍ପ ପାଇଁ ପୁରୁଣା ଓ ବଡ଼ ଗଛଗୁଡ଼ିକୁ ହଟାଇବା ଆବଶ୍ୟକ କି, ନା ବିକଳ୍ପ ଡିଜାଇନ୍ ମାଧ୍ୟମରେ ଏହି ଗଛଗୁଡ଼ିକୁ ବଞ୍ଚାଇ ରାସ୍ତା ନିର୍ମାଣ କରାଯାଇପାରିବ—ଏହି ପ୍ରଶ୍ନ ଏବେ ଗୁରୁତ୍ୱ ପାଇଛି। ରାସ୍ତା ନିର୍ମାଣ ପରେ ଜୟଦେବ ବିହାର–ନନ୍ଦନକାନନ ଅଞ୍ଚଳର ଟ୍ରାଫିକ୍ ସମସ୍ୟା କେତେ ମାତ୍ରାରେ କମିବ ଏବଂ ଏହି ପ୍ରକ୍ରିୟାରେ ପୁରୁଣା ଗଛଗୁଡ଼ିକର ସୁରକ୍ଷା କିପରି କରାଯିବ, ତାହା ଉପରେ ଏବେ ନଜର।
Bhubaneswar (ଭୁବନେଶ୍ୱର) • ଜୟଦେବ ବିହାର–ନନ୍ଦନକାନନ ସମାନ୍ତରାଳ ରାସ୍ତା ପାଇଁ କଟିବ ଶହେ ବର୍ଷର ଆମ୍ବ ଗଛ

ବରଗଡ଼ରେ କଂଗ୍ରେସର ପଦଯାତ୍ରା: ବିଭିନ୍ନ ଦାବି ଓ ଜନସମସ୍ୟା ନେଇ ରାସ୍ତାକୁ ଓହ୍ଲାଇଲେ କର୍ମୀ ଓ ସମର୍ଥକ
ବରଗଡ଼: ଗାନ୍ଧୀ ଜୟନ୍ତୀ ଅବସରରେ ବରଗଡ଼ ସହରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ପଦଯାତ୍ରା ଓ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଅହିଂସା ଓ ଜନସେବାର ଆଦର୍ଶକୁ ସ୍ମରଣ କରି ଆୟୋଜିତ ଏହି ପଦଯାତ୍ରାରେ ଦଳର ବହୁ ସଂଖ୍ୟକ ନେତା, ପଦାଧିକାରୀ, ଯୁବ କର୍ମୀ ଓ ସମର୍ଥକ ସାମିଲ ହୋଇଥିଲେ। ପଦଯାତ୍ରାରେ କଂଗ୍ରେସ କର୍ମୀମାନେ ହାତରେ ଦଳୀୟ ପତାକା, ବ୍ୟାନର ଓ ପ୍ଲାକାର୍ଡ ଧରି ସହରର ବିଭିନ୍ନ ରାସ୍ତା ଦେଇ ଯାତ୍ରା କରିଥିଲେ। ଏହି ସମୟରେ ବିଭିନ୍ନ ସ୍ଲୋଗାନ ଦେବା ସହ ସାଧାରଣ ଲୋକଙ୍କ ନିକଟକୁ ପହଞ୍ଚି ସେମାନଙ୍କ ସମସ୍ୟା ଓ ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ନେଇ ଦଳ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରାଯିବ ବୋଲି ନେତାମାନେ କହିଥିଲେ। ଗାନ୍ଧୀ ଜୟନ୍ତୀକୁ କେନ୍ଦ୍ର କରି ଆୟୋଜିତ ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଲୋକଙ୍କ ସହ ସିଧାସଳଖ ଯୋଡ଼ି ହେବା ଏବଂ ତୃଣମୂଳସ୍ତରରେ ଜନସମ୍ପର୍କକୁ ଆହୁରି ମଜବୁତ କରିବା। ଏଥିସହ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା, ସ୍ଥାନୀୟ ଦାବି ଓ ଜନସ୍ୱାର୍ଥ ପ୍ରସଙ୍ଗ ଉପରେ ଲୋକଙ୍କ ସହ ମତବିନିମୟ କରାଯାଇଥିଲା। କଂଗ୍ରେସ ନେତାମାନେ କହିଥିଲେ ଯେ, ଗାନ୍ଧୀଜୀଙ୍କ ଆଦର୍ଶ କେବଳ ଗୋଟିଏ ଦିନର ସ୍ମରଣୀୟ ବିଷୟ ନୁହେଁ, ବରଂ ତାଙ୍କର ସତ୍ୟ, ଅହିଂସା ଓ ଜନସେବାର ଚିନ୍ତାଧାରାକୁ ସମାଜରେ ଆଗେଇ ନେବା ଆବଶ୍ୟକ। ସେହି ଉଦ୍ଦେଶ୍ୟରେ ଲୋକଙ୍କ ନିକଟକୁ ଯାଇ ସେମାନଙ୍କ କଥା ଶୁଣିବା ଏବଂ ଜନସମସ୍ୟାକୁ ଉପଯୁକ୍ତ ମଞ୍ଚରେ ଉଠାଇବା ଉପରେ ଦଳ ଗୁରୁତ୍ୱ ଦେଉଛି। ପଦଯାତ୍ରାରେ ଯୋଗଦେଇଥିବା ଯୁବ କର୍ମୀ ଓ ସମର୍ଥକମାନଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଥିଲା। ସହରର ବିଭିନ୍ନ ସ୍ଥାନ ଦେଇ ପଦଯାତ୍ରା ଯିବା ସମୟରେ କିଛି ସ୍ଥାନରେ ସ୍ଥାନୀୟ ଲୋକଙ୍କ ସହ ଦଳୀୟ କର୍ମୀମାନେ ଆଲୋଚନା କରିଥିଲେ। ଲୋକଙ୍କ ଅଭିଯୋଗ ଓ ଦାବିଗୁଡ଼ିକୁ ଶୁଣି ସେଗୁଡ଼ିକୁ ଆଗାମୀ ଦିନରେ ଉପଯୁକ୍ତ ମଞ୍ଚରେ ଉଠାଯିବ ବୋଲି କର୍ମୀମାନେ କହିଥିଲେ। ଏହି ଅବସରରେ ସ୍ଥାନୀୟ କଂଗ୍ରେସ ନେତା, ବିଭିନ୍ନ ପଦାଧିକାରୀ, ଯୁବ କଂଗ୍ରେସ କର୍ମୀ, ମହିଳା କର୍ମୀ ଓ ବହୁ ସଂଖ୍ୟକ ସମର୍ଥକ ଉପସ୍ଥିତ ଥିଲେ। ପଦଯାତ୍ରା ମାଧ୍ୟମରେ ଦଳୀୟ ସଂଗଠନକୁ ତୃଣମୂଳସ୍ତରରେ ଆହୁରି ସୁଦୃଢ଼ କରିବା ସହ ଜନସାଧାରଣଙ୍କ ସହ ନିରନ୍ତର ଯୋଗାଯୋଗ ରଖିବା ଉପରେ ନେତାମାନେ ଗୁରୁତ୍ୱ ଦେଇଥିଲେ। ନେତା ଓ କର୍ମୀମାନେ କହିଥିଲେ ଯେ, ସାଧାରଣ ଲୋକଙ୍କ ସମସ୍ୟା ହିଁ ଦଳର ପ୍ରମୁଖ ପ୍ରସଙ୍ଗ। ଆଗାମୀ ଦିନରେ ମଧ୍ୟ ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ସହ ଆଲୋଚନା କରିବା, ସେମାନଙ୍କ ଅଭିଯୋଗ ଶୁଣିବା ଓ ଜନସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗଗୁଡ଼ିକୁ ନେଇ କାର୍ଯ୍ୟକ୍ରମ ଜାରି ରଖାଯିବ। ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ଏହି ପଦଯାତ୍ରା ଫଳରେ ବରଗଡ଼ ସହରରେ କିଛି ସମୟ ପାଇଁ ରାଜନୈତିକ ପରିବେଶ ସରଗରମ ହୋଇଥିଲା। କଂଗ୍ରେସର ଏହି ଜନସମ୍ପର୍କ କାର୍ଯ୍ୟକ୍ରମ ମାଧ୍ୟମରେ ଦଳୀୟ କର୍ମୀମାନେ ଲୋକଙ୍କ ନିକଟରେ ପହଞ୍ଚି ନିଜର ସଂଗଠନାତ୍ମକ କାର୍ଯ୍ୟକ୍ରମକୁ ଆଗକୁ ନେଇଥିବା ଦେଖିବାକୁ ମିଳିଛି।
Bargarh (ବରଗଡ଼) • ସତ୍ୟ ସୁରୁଜଳ

ବରଗଡ଼ରେ ମହାସମାରୋହରେ ପାଳିତ ହେଲା ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
ବରଗଡ -ଜାତିର ଜନକ ମହାତ୍ମା ଗାନ୍ଧିଜୀଙ୍କ ୧୫୭ତମ ତଥା ଶାନ୍ତି ଦୂତ ଲାଲ ବାହାଦୂର ଶାସ୍ତ୍ରୀଜୀଙ୍କ ୧୨୨ତମ ଜୟନ୍ତୀ ସମାରୋହ ବରଗଡ଼ ଜିଲ୍ଲା ସଦର ମହକୁମାଠାରେ ମହାସମାରୋହରେ ପାଳିତ ହୋଇଯାଇଛି Iସ୍ଥାନୀୟ ଗାନ୍ଧୀ ଛକଠାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସନତ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ I ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ, ଆରକ୍ଷୀ ଅଧିକ୍ଷକ ରବି ନାରାୟଣ ଶତପଥୀ, ପୌରାଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଈ ପ୍ରମୁଖ ଯୋଗଦେଇ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ସ୍ମୃତିଚାରଣ କରିବା ସହ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ I କାର୍ଯ୍ୟକ୍ରମ ଅନୁସାରେ, ଭୋର ୫.୦୦ ଘଟିକା ରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଡ଼ାକବାଜି ଯନ୍ତ୍ର ଯୋଗେ ସହରରେ ରାମଧୁନ ପରିବେଷଣ କରାଯାଇଥିଲା I ଏହା ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ଏକ ପ୍ରଭାତ ଫେରି ଆୟୋଜିତ ହୋଇଥିଲା I ଏହି ଅବସରରେ ଗାନ୍ଧୀ ଛକଠାରେ ଅବସ୍ଥାପିତ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ସମେତ ବିପ୍ଳବୀ ପାର୍ବତୀ ଗିରୀ ଏବଂ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା I ପରେ ପଣ୍ଡିତ ଦେବରାଜ ଦାଶ, ଫାଦର୍ ଅନୁରଞ୍ଜନ, ମୌଲବୀ ସାହେବ ଜମିଲ୍ ଅଖତାର ଓ ପଣ୍ଡିତ ଜ୍ଞାନୀ ସିଂଙ୍କ ମାର୍ଗଦର୍ଶନରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା I ଉତ୍ସବର ଶେଷ ଭାଗରେ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା I
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ଢ଼େଙ୍କାନାଳରେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ
ଢ଼େଙ୍କାନାଳ, ୨.୧୦- ଢ଼େଙ୍କାନାଳରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତି ଦୂତ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ବସ୍ ଷ୍ଟାଣ୍ଡ ନିକଟସ୍ଥ ଗାନ୍ଧି ପାର୍କ ଠାରେ ଆୟୋଜିତ ଉତ୍ସବରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣି, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ଵର ପାଟିଲ , ଆରକ୍ଷୀ ଅଧିକ୍ଷକ ଶ୍ରୀ ଆଜିଙ୍କ୍ୟ ବାବୁରାଓ ମାନେ, ଜିଲ୍ଲା ପରିଷଦର ମୁଖ୍ଯ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତୀ ରଂଜନ ସେଠୀ, ଉପ-ଜିଲ୍ଲାପାଳ ଶ୍ରୀ ପଦ୍ମ ଚରଣ ସାହୁ, ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ଦାଶ ପ୍ରମୂଖ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଶାସ୍ତ୍ରୀଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି ଅବସରରେ ଡକ୍ଟର ଅନୁପମା ମିଶ୍ର, ଶ୍ରୀ ନଜରୁଲ ଇସଲାମ୍ ଓ ଫାଦର ଶ୍ରୀ ନକୁଳ ନାୟକ ଗୀତା, କୋରାନ୍ ଓ ବାଇବେଲ ପାଠ କରିଥିଲେ । ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ଆୟୋଜିତ ଜିଲ୍ଲା ସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ଉତ୍ସବରେ ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ବିଭାଗୀୟ ଅଧିକାରୀ, ବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଶ୍ରୀ ସତ୍ୟ ନାରାୟଣ କର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଜିଲ୍ଲା ସୂଚ଼ନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଶ୍ରୀନିବାସ ରାଉତ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ପ୍ରତ୍ୟୁଷରେ ଜିଲ୍ଲା ସୂଚ଼ନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ରାମ୍ ଧୂନ୍ ପରିବେଷଣ କରାଯାଇଥିଲା ।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ମାର୍ଥାପୁରରେ ହଇଜା ଆତଙ୍କ; ଘଟଣାସ୍ଥଳରେ ବିଡିଓ: ମୃତକଙ୍କ ପରିବାରକୁ ରେଡକ୍ରସ୍ ପକ୍ଷରୁ ଆର୍ଥିକ ସହାୟତା
ସାନଖେମୁଣ୍ଡି: ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାର୍ଥାପୁର ଗ୍ରାମରେ ହଇଜା ବ୍ୟାପିଥିବା ଖବର ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଖବର ପାଇ ସାନଖେମୁଣ୍ଡି ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ତୁରନ୍ତ ମାର୍ଥାପୁର ଗ୍ରାମରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ଗ୍ରାମରେ ରୋଗରେ ଆକ୍ରାନ୍ତ ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିବା ପରେ ବିଡିଓ ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ। ଏହାସହ ରେଡକ୍ରସ୍ ପକ୍ଷରୁ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା। ସେହିପରି ଗ୍ରାମରେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବା ଲୋକଙ୍କ ପରିବାରକୁ ମଧ୍ୟ ବିଡିଓ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ରୋଗୀମାନଙ୍କ ଚିକିତ୍ସା ଓ ଆବଶ୍ୟକ ସ୍ୱାସ୍ଥ୍ୟସେବା ନେଇ ସେମାନଙ୍କ ପରିବାର ସହ ଆଲୋଚନା କରିଥିଲେ। ଏହି ଅବସରରେ ବିଡିଓ ଗ୍ରାମବାସୀଙ୍କ ସହ ଆଲୋଚନା କରି ଗ୍ରାମର ସାମଗ୍ରିକ ପରିସ୍ଥିତି ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଘଟଣା ପରେ ପ୍ରଶାସନର ତତ୍ପରତା ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ କିଛି ମାତ୍ରାରେ ଆଶ୍ୱସ୍ତି ପ୍ରକାଶ ପାଇଛି।
Ganjam (ଗଞ୍ଜାମ) • ରିପୋର୍ଟ ଦୀପକ କୁମାର ଚୌଧୁରୀ

ନୂତନ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଭବ୍ୟ ସ୍ବାଗତ
ଖୋର୍ଦ୍ଧା: ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଗୋଡିପୁଟମାଟିଆପଡ଼ାପଞ୍ଚାୟତ ହାଇସ୍କୁଲ୍ରେ ନୂତନ ପ୍ରଧାନଶିକ୍ଷୟିତ୍ରୀ ଯୋଗଦାନ କରିଛନ୍ତି। ତାଙ୍କ ବିଦ୍ୟାଳୟରେ ଯୋଗଦାନ ଅବସରରେ ବିଦ୍ୟାଳୟ ପରିବାର ପକ୍ଷରୁ ଏକ ସ୍ବାଗତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ନୂତନ ପ୍ରଧାନଶିକ୍ଷୟିତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଆନ୍ତରିକ ସ୍ବାଗତ ଓ ଶୁଭେଚ୍ଛା ଜଣାଇଥିଲେ। ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା, ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଉନ୍ନତି, ଶୃଙ୍ଖଳା ଓ ସାମଗ୍ରିକ ବିକାଶ ଦିଗରେ ନୂତନ ପ୍ରଧାନଶିକ୍ଷୟିତ୍ରୀଙ୍କ ନେତୃତ୍ୱ ଗୁରୁତ୍ବପୂର୍ଣ ହେବ ବୋଲି ଶିକ୍ଷକ-ଶିକ୍ଷୟିତ୍ରୀମାନେ ଆଶା ପ୍ରକାଶ କରିଥିଲେ।ନୂତନ ପ୍ରଧାନଶିକ୍ଷୟିତ୍ରୀ ମଧ୍ୟ ବିଦ୍ୟାଳୟର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ସ୍ବାଗତ କାର୍ଯ୍ୟକ୍ରମ ମଧ୍ୟରେ ବିଦ୍ୟାଳୟ ପରିବାରରେ ଏକ ଆନନ୍ଦମୟ ଓ ସୌହାର୍ଦ୍ଦପୂର୍ଣ ପରିବେଶ ସୃଷ୍ଟି ହୋଇଥିଲା।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ବାଣପୁରରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ବରିଷ୍ଠଙ୍କ ଅଭିଜ୍ଞତା ଓ ଅବଦାନକୁ ସମ୍ମାନ ଜଣାଇଲେ ଅତିଥି
ଖୋର୍ଦ୍ଧା: ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଅବସରରେ ବାଣପୁର ବ୍ଲକର ପ୍ରୋତ୍ସାହନରେ ଶୁଭମଙ୍ଗଳ କଲ୍ୟାଣ ମଣ୍ଡପ ସଭାଗୃହରେ ଏକ ଭବ୍ୟ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ସଂଗଠନର ସଭାପତି ଗୋଲକ ବିହାରୀ ପରିଡ଼ାଙ୍କ ସଭାପତିତ୍ୱରେ ଓ ସମ୍ପାଦକ ଭବାନୀ ପ୍ରସାଦ ହୋତାଙ୍କ ସଂଯୋଜନାରେ ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟ, ନିମନ୍ତ୍ରିତ ଅତିଥି ଓ ବାଣପୁର ବ୍ଲକର ବିଭିନ୍ନ ଅଧିକାରୀ ଉପସ୍ଥିତ ରହି ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ ଓ ସମାଜରେ ସେମାନଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ।ସଭାରେ ବରିଷ୍ଠ ଡାକ୍ତର ରମେଶ ଚନ୍ଦ୍ର ମିଶ୍ର ଓ ଯୁବ ଆଇନଜୀବୀ ବିପ୍ଳବ ମୁଦୁଲି ବରିଷ୍ଠ ନାଗରିକଙ୍କ ଜୀବନ, ଅଭିଜ୍ଞତା, ସମାଜ ପ୍ରତି ସେମାନଙ୍କ ଅବଦାନ ଓ ସେମାନଙ୍କ ପ୍ରତି ଯୁବପିଢ଼ିର ଦାୟିତ୍ୱ ନେଇ ଭାବବିହ୍ୱଳ ବକ୍ତବ୍ୟ ରଖିଥିଲେ। ତାଙ୍କର ଭାବପୂର୍ଣ୍ଣ ଉଦ୍ବୋଧନ ଉପସ୍ଥିତ ଦର୍ଶକ ଓ ବରିଷ୍ଠ ନାଗରିକଙ୍କ ମନ ଜିଣିଥିଲା। ବରିଷ୍ଠ ନାଗରିକମାନେ ପରିବାର ଓ ସମାଜର ଅମୂଲ୍ୟ ସମ୍ପଦ। ସେମାନଙ୍କ ଅଭିଜ୍ଞତା, ଜ୍ଞାନ ଓ ଜୀବନାଦର୍ଶକୁ ସମ୍ମାନ ଦେବା ସହ ସେମାନଙ୍କ ସୁରକ୍ଷା, ସମ୍ମାନ ଓ ସୁସ୍ଥ ଜୀବନ ପାଇଁ ସମାଜର ସମସ୍ତଙ୍କ ଭୂମିକା ରହିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଚିକିଟି ବ୍ଲକର ୪ଟି ସମେତ ଗଞ୍ଜାମ ଜିଲ୍ଲାର ୫ଟି ସାଟେଲାଇଟ୍ ବିଦ୍ୟାଳୟ ପୁନଃଖୋଲିବାକୁ ସରକାରଙ୍କ ଅନୁମୋଦନ*
ଚିକିଟି , ୦୨ /୧୦/୨୦୨୬: ଗଞ୍ଜାମ ଜିଲ୍ଲାର ବନ୍ଦ ରହିଥିବା ୫ଟି ସାଟେଲାଇଟ୍ ବିଦ୍ୟାଳୟକୁ ପୁନଃଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିଛି। ଏଥିମଧ୍ୟରୁ ଚିକିଟି ବ୍ଲକର ୪ଟି ସାଟେଲାଇଟ୍ ବିଦ୍ୟାଳୟ ରହିଥିବା ବେଳେ ଅନ୍ୟ ୧ଟି ବିଦ୍ୟାଳୟ ଦିଗପହଣ୍ଡି ବ୍ଲକରେ ରହିଛି।ଚିକିଟି ବ୍ଲକର ପତ୍ରଚୁଡ଼ି ପ୍ରାଥମିକ ବିଦ୍ୟାଳୟ, ଆମ୍ବଗାଁ ପ୍ରାଥମିକ ବିଦ୍ୟାଳୟ, ଖୁଣ୍ଟପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ଓ ଖୁଦୁଡ଼ି ପ୍ରାଥମିକ ବିଦ୍ୟାଳୟ ପୁନଃଖୋଲିବାକୁ ଅନୁମୋଦନ ଦିଆଯାଇଛି। ଏହି ଅନୁମୋଦନ ଫଳରେ ଦୀର୍ଘଦିନ ଧରି ଶିକ୍ଷା ସୁଯୋଗରୁ ବଞ୍ଚିତ ହେଉଥିବା ଅଞ୍ଚଳର ଶିଶୁମାନଙ୍କ ନିକଟରେ ପୁଣିଥରେ ବିଦ୍ୟାଳୟ ଶିକ୍ଷା ପହଞ୍ଚିବାର ସୁଯୋଗ ସୃଷ୍ଟି ହୋଇଛି। ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ୍ ଅଥରିଟି ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ-ତଥା-ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷାଙ୍କୁ ଆବଶ୍ୟକ ପଦକ୍ଷେପ ନେଇ ବିଦ୍ୟାଳୟଗୁଡ଼ିକର ଶୀଘ୍ର କାର୍ଯ୍ୟକାରୀ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହି ନିଷ୍ପତ୍ତି ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଗଞ୍ଜାମ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କ ଉଦ୍ୟମ ଓ ପଦକ୍ଷେପ ପାଇଁ ବିଭିନ୍ନ ଗ୍ରାମବାସୀ, ଅଭିଭାବକ ଓ ଶିକ୍ଷାପ୍ରେମୀମାନେ ସାଧୁବାଦ ଜଣାଇଛନ୍ତି।ଏହା ଦ୍ୱାରା ସ୍ଥାନୀୟ ଶିଶୁମାନଙ୍କୁ ନିଜ ଅଞ୍ଚଳରେ ନିରନ୍ତର ଓ ସୁଗମ ଶିକ୍ଷା ପାଇବାର ସୁଯୋଗ ମିଳିବା ସହ ଗ୍ରାମୀଣ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
Ganjam (ଗଞ୍ଜାମ) • ଦୁର୍ଗା ମାଧବ

ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରୀ। ୨୦୨୩-୨୪ ଶିକ୍ଷାବର୍ଷ ର ସମସ୍ତ କନିଷ୍ଠ ଶିକ୍ଷକ ଙ୍କ ନିୟମିତ କଲେ ରାଜ୍ୟ ସରକାର
ଭୁବନେଶ୍ୱର: ରାଜ୍ୟର କନିଷ୍ଠ ଶିକ୍ଷକମାନଙ୍କ ପାଇଁ ଆସିଛି ବଡ଼ ଆଶ୍ୱସ୍ତିର ଖବର। ୨୦୨୩-୨୪ ଶିକ୍ଷାବର୍ଷରେ ନିଯୁକ୍ତ ହୋଇଥିବା ସମସ୍ତ କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କୁ ସରକାର ନିୟମିତ କରିଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭାଗର ବିଜ୍ଞପ୍ତି ଅନୁଯାୟୀ, ନିୟମିତ ହୋଇଥିବା ଶିକ୍ଷକମାନଙ୍କୁ ଏଲିମେଣ୍ଟାରୀ କ୍ୟାଡରର ଲେଭେଲ୍-V(A)ରେ ସହକାରୀ ଶିକ୍ଷକ ଭାବେ ଘୋଷଣା କରାଯାଇଛି। ଏହା ଫଳରେ ସ୍କିମାଟିକ୍ ଭିତ୍ତିରେ କାର୍ଯ୍ୟ କରୁଥିବା ଏହି ଶିକ୍ଷକମାନେ ନିୟମିତ ସେବା ବ୍ୟବସ୍ଥାରେ ସାମିଲ ହୋଇଛନ୍ତି।ନିୟମିତକରଣ ପରେ ଶିକ୍ଷକମାନେ ୨୦୨୬ ଜାନୁଆରୀ ୧ ତାରିଖରୁ ପିଛିଲା ଭାବେ ନିୟମିତ ଦରମା ପାଇବାକୁ ଯୋଗ୍ୟ ହେବେ। ଏଥିସହ ନିୟମିତ ସେବା ସହ ଜଡ଼ିତ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବ ବୋଲି ବିଭାଗୀୟ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ୨୦୨୩-୨୪ରେ ନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଥିବା କୁହାଯାଉଛି। ନିୟମିତକରଣ ନେଇ ଘୋଷଣା ପରେ ଶିକ୍ଷକ ମହଲରେ ଖୁସି ପ୍ରକାଶ ପାଇଛି। ଏହି ନିଷ୍ପତ୍ତି ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ କାର୍ଯ୍ୟରତ ଶିକ୍ଷକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ: କବିରାଜ ପାତ୍ର: ସ୍ଵତନ୍ତ୍ର ପ୍ରତିନିଧି

ଜଟଣୀ ‘ଆଶା କିରଣ’ ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକ ଦିବସ ପାଳିତ
ଖୋର୍ଦ୍ଧା-ଆଜି ‘ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ’ ଅବସରରେ ଜଟଣୀସ୍ଥିତ ‘ଆଶା କିରଣ’ ବୃଦ୍ଧାଶ୍ରମରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଯୋଗଦେବାର ସୌଭାଗ୍ୟ ମିଳିଥିଲା।ଏହି ଅବସରରେ ଆଶ୍ରମରେ ରହୁଥିବା ପୂଜ୍ୟ ବୃଦ୍ଧା ମା’ମାନଙ୍କୁ ସମ୍ମାନିତ କରିବା ସହ ସେମାନଙ୍କ ଗହଣରେ କିଛି ସମୟ ଅତିବାହିତ କରିଥିଲି। ସେମାନଙ୍କ ସ୍ନେହ, ଆତ୍ମୀୟତା ଓ ଆଶୀର୍ବାଦ ଆଜିର ଦିନକୁ ଅଧିକ ସ୍ମରଣୀୟ କରିଦେଇଥିଲା। ଏଥିସହ ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ବାର୍ତ୍ତା ଦେଇ ଆଶ୍ରମ ପରିସରରେ ବୃକ୍ଷରୋପଣ କରାଯାଇଥିଲା।ବରିଷ୍ଠମାନେ ଆମ ସମାଜର ଅମୂଲ୍ୟ ସମ୍ପଦ। ସେମାନଙ୍କ ଅନୁଭବ, ସ୍ନେହ ଓ ଆଶୀର୍ବାଦ ଆଗାମୀ ପିଢ଼ି ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ବୋଲଗଡ଼ ସାଗରଗୁଆଁରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ
ଖୋର୍ଦ୍ଧା-ଗତକାଲି ପବିତ୍ର ‘ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ’ ଅବସରରେ ବୋଲଗଡ଼ ବ୍ଲକ୍ ସାଗରଗୁଆଁ ଠାରେ ‘ଅଲଟ୍ରା’ (ULTRA) ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂଜ୍ୟପୂଜା ବରିଷ୍ଠ ନାଗରିକ ଓ ମୁରବୀମାନଙ୍କୁ ଭକ୍ତିପୂତ ପ୍ରଣାମ ଜଣାଇବା ସହ ସେମାନଙ୍କ ଆଶୀର୍ବାଦ ଗ୍ରହଣ କଲି। ସମାଜ ଗଠନ ଓ ନୂତନ ପିଢ଼ିକୁ ମାର୍ଗଦର୍ଶନ କରିବାରେ ବରିଷ୍ଠମାନଙ୍କ ଅନୁଭୂତି, ଜ୍ଞାନ ଓ ଅବଦାନ ସର୍ବଦା ଅତୁଳନୀୟ। ସେମାନଙ୍କ ସୁରକ୍ଷା, ସମ୍ମାନ ଓ ସୁସ୍ଥ ଜୀବନ ସୁନିଶ୍ଚିତ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଏଭଳି ଏକ ମହତ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ‘ଅଲଟ୍ରା’ ସଂଗଠନର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଙ୍କୁ ଆନ୍ତରିକ ଧନ୍ୟବାଦ ଓ ଶୁଭେଚ୍ଛା। ପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତ ବରିଷ୍ଠ ଗୁରୁଜନଙ୍କୁ ଦୀର୍ଘାୟୁ, ସୁସ୍ଥ ଓ ନିରାମୟ ଜୀବନ ପ୍ରଦାନ କରନ୍ତୁ।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା
