କେନ୍ଦୁଝରରେ ଜିଲ୍ଲା ସ୍ତରୀୟ ୧୫୭ତମ ଗାନ୍ଧୀ ଜୟନ୍ତୀ ପାଳିତ: ନିଜର ପରିବର୍ତ୍ତନ ହିଁ ଦେଶର ପରିବର୍ତ୍ତନ - ସାଂସଦ ଶ୍ରୀ ଅନନ୍ତ ନାୟକ
Kendujhar (କେନ୍ଦୁଝର)କେନ୍ଦୁଝର ରୁ ନିରଞ୍ଜନ ପାଣିଙ୍କ ରିପୋର୍ଟOctober 2, 202622 views

କେନ୍ଦୁଝର ୨/୧୦: କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଦରବାର ହଲ୍ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ପ୍ରାରମ୍ଭରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀ ଓ ଅନ୍ୟ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ପରେ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା।
ଏଥିରେ ମହାତ୍ମା ଗାନ୍ଧୀଙ୍କ 'ସର୍ବଧର୍ମ ସମଭାବ' ଓ ସଦ୍ଭାବନା ନୀତିକୁ ଆଧାର କରି ଏକ 'ସର୍ବଧର୍ମ ପ୍ରାର୍ଥନା ସଭା' ଆୟୋଜିତ ହୋଇଥିଲା। ଏଥିରେ ପଣ୍ଡିତ ପିନାକୀ ମିଶ୍ରଙ୍କ ଦ୍ୱାରା ଗୀତା ପାଠ, ଖାଲିଦ ମୌଲାନାଙ୍କ ଦ୍ୱାରା କୋରାନ ପାଠ ଏବଂ ରେଭରେଣ୍ଡ ସି.ଡି. ଲିମାଙ୍କ ପ୍ରତିନିଧିଙ୍କ ଦ୍ୱାରା ବାଇବେଲ ପାଠ କରାଯାଇଥିଲା।
ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ ନିଜ ବକ୍ତବ୍ୟରେ ପ୍ରକାଶ ନିଜର ପରିବର୍ତ୍ତନ ଦ୍ୱାରା ହିଁ ଦେଶର ପରିବର୍ତ୍ତନ ସମ୍ଭବ। ଗାନ୍ଧୀଜୀଙ୍କ ସତ୍ୟ, ଅହିଂସା, ସ୍ୱଚ୍ଛତା ଓ ସ୍ୱାବଲମ୍ବନର ନୀତି ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଗାଁର ସର୍ବାଙ୍ଗୀନ ବିକାଶରେ ହିଁ ଦେଶର ବିକାଶ ନିହିତ ବୋଲି ପ୍ରକାଶ କରିବା ସହ ଗାନ୍ଧୀଜୀଙ୍କ ଆଦର୍ଶରେ ଗଢ଼ା ସମୃଦ୍ଧ କେନ୍ଦୁଝର ଓ ସ୍ୱପ୍ନର ଓଡ଼ିଶା ନିର୍ମାଣ ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
ସେହିପରି ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ ବକ୍ତବ୍ୟ ରଖି ଗାନ୍ଧୀଜୀଙ୍କ ଆଦର୍ଶ ଓ ବିଚାରଧାରା ଆଜି ବି ସମଗ୍ର ମାନବ ସମାଜ ପାଇଁ ଚିର ପ୍ରାସଙ୍ଗିକ। ସ୍ୱଚ୍ଛତା ଓ ସାମ୍ପ୍ରଦାୟିକ ସଦ୍ଭାବକୁ ଆମେ ଆମର ନିତ୍ୟଦିନିଆ ଅଭ୍ୟାସରେ ପରିଣତ କରିପାରିଲେ ହିଁ ଏକ ସମୃଦ୍ଧ ଓ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ପ୍ରକାଶ କରିଥିଲେ। ବିଶେଷ କରି କୁନି କୁନି ପିଲାମାନଙ୍କ ମଧ୍ୟରେ ଶୈଶବରୁ ହିଁ ଗାନ୍ଧୀଜୀଙ୍କ ନୈତିକ ମୂଲ୍ୟବୋଧ, ସ୍ୱଚ୍ଛତା ଓ ଗୁରୁଜନଙ୍କ ପ୍ରତି ଶ୍ରଦ୍ଧା ଭାବ ଜାଗ୍ରତ କରିପାରିଲେ ସେମାନେ ଆଗାମୀ ଦିନରେ ଦେଶର ସୁନାଗରିକ ଭାବେ ଗଢ଼ିଉଠିବେ। ନିଜର ଉଜ୍ଜ୍ୱଳ ଭବିଷ୍ୟତ ପ୍ରତି ସଚେତନ ହୋଇ ଆତ୍ମ-ସୁଧାର ଓ ସ୍ୱାବଲମ୍ବନ ଦିଗରେ କାର୍ଯ୍ୟ କରିବା ପାଇଁ ସେମାନେ ପ୍ରେରଣା ପାଇବେ ବୋଲି ମତ ପୋଷଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାଏକ ଏବଂ କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ଏବଂ ମାନ୍ୟବର ବିଧାୟକ ଚମ୍ପୁଆଙ୍କ ପ୍ରତିନିଧି ଶ୍ରୀ ସଞ୍ଜୀବ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲୋ।
ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।
ମହାତ୍ମା ଗାନ୍ଧୀଙ୍କ ଆଦର୍ଶ, ଅହିଂସା, ସାମ୍ପ୍ରଦାୟିକ ସଦ୍ଭାବ ଓ ସ୍ୱଚ୍ଛତାର ସନ୍ଦେଶକୁ ନିଜ ଜୀବନରେ କାର୍ଯ୍ୟକାରୀ କରିବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସାର୍ଥକ ଅଭିନନ୍ଦନ ରାୟ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ଜ୍ୟୋତିର୍ମୟୀ ନାଏକ ଓ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ।
ପରିଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଶିକ୍ଷକ, ଛାତ୍ରଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
