ଜୟଦେବ ବିହାର–ନନ୍ଦନକାନନ ସମାନ୍ତରାଳ ରାସ୍ତା ପାଇଁ କଟିବ ଶହେ ବର୍ଷର ଆମ୍ବ ଗଛ
Bhubaneswar (ଭୁବନେଶ୍ୱର)ଜୟଦେବ ବିହାର–ନନ୍ଦନକାନନ ସମାନ୍ତରାଳ ରାସ୍ତା ପାଇଁ କଟିବ ଶହେ ବର୍ଷର ଆମ୍ବ ଗଛOctober 2, 202625 views

ଭୁବନେଶ୍ୱର: ରାଜଧାନୀରେ ବଢ଼ୁଥିବା ଟ୍ରାଫିକ୍ ଭିଡ଼ କମାଇବା ପାଇଁ ଜୟଦେବ ବିହାର–ନନ୍ଦନକାନନ ରାସ୍ତାର ସମାନ୍ତରାଳ ଆଉ ଏକ ରାସ୍ତା ନିର୍ମାଣ କରାଯିବ। ଏହି ରାସ୍ତା ପଟିଆ ରେଳ ଷ୍ଟେସନକୁ ସଂଯୋଗ କରିବ। ତେବେ ଏହି ରାସ୍ତା ନିର୍ମାଣ ପାଇଁ ଗାଡ଼କଣ ଅଞ୍ଚଳରେ ଥିବା ପୁରୁଣା ଗଛଗୁଡ଼ିକ କାଟିବାକୁ ପଡ଼ିବା ନେଇ ପରିବେଶପ୍ରେମୀ ଓ ସ୍ଥାନୀୟଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି।
ବିଶେଷକରି ଗାଡ଼କଣ ଅଞ୍ଚଳରେ ଥିବା ଅନେକ ଶହେ ବର୍ଷର ପୁରୁଣା ଆମ୍ବ ଗଛ ରାସ୍ତା ନିର୍ମାଣରେ ବଳି ପଡ଼ିବାକୁ ଯାଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟଙ୍କ କହିବା ଅନୁଯାୟୀ, ଦିନେ ଗାଡ଼କଣ ଗ୍ରାମରୁ ଶିଖରଚଣ୍ଡୀ ପାହାଡ଼ ପର୍ଯ୍ୟନ୍ତ ଆମ୍ବ ତୋଟା ଲମ୍ବିଥିଲା। ସହରୀକରଣ ସହ ଧୀରେ ଧୀରେ ଏହି ଅଞ୍ଚଳର ଅନେକ ପୁରୁଣା ଗଛ କଟାଯାଇଛି। ବର୍ତ୍ତମାନ ଅବଶିଷ୍ଟ ଥିବା କେତେକ ପୁରୁଣା ଗଛ ମଧ୍ୟ ରାସ୍ତା ନିର୍ମାଣ ପାଇଁ ହଟାଯିବା ଆଶଙ୍କା ରହିଛି।
ଅନ୍ୟପକ୍ଷରେ, ଜୟଦେବ ବିହାର–ନନ୍ଦନକାନନ ମୁଖ୍ୟ ରାସ୍ତାରେ ପ୍ରତିଦିନ ବଢ଼ୁଥିବା ଯାତାୟାତ ଚାପ ରାଜଧାନୀବାସୀଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି। ବିଶେଷକରି ପିକ୍ ଆୱାରରେ ଦୀର୍ଘ ସମୟ ଧରି ଟ୍ରାଫିକ୍ ଜାମ୍ ହେଉଥିବାରୁ ଯାତ୍ରୀ ଓ ଚାଳକମାନେ ହଇରାଣ ହେଉଛନ୍ତି।
ଏହି ଟ୍ରାଫିକ୍ ଚାପ କମାଇବା ପାଇଁ ସରକାର ଏକ ନୂଆ ସମାନ୍ତରାଳ ରାସ୍ତା ନିର୍ମାଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଗାଡ଼କଣସ୍ଥିତ କେଳୁଚରଣ ପାର୍କ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ, ପ୍ରସ୍ତାବିତ ସମାନ୍ତରାଳ ରାସ୍ତାର ଦୈର୍ଘ୍ୟ ପ୍ରାୟ ୧.୩୮୬ କିଲୋମିଟର ହେବ। ଏହା ପଟିଆ, ଚନ୍ଦ୍ରଶେଖରପୁର ଓ ଗାଡ଼କଣ ମୌଜା ଦେଇ ଯିବ। ରାସ୍ତା ନିର୍ମାଣରେ ପ୍ରାୟ ୫୫.୮୫ କୋଟି ଟଙ୍କା ବ୍ୟୟ ହେବାକୁ ଥିବାବେଳେ ଆସନ୍ତା ୧୮ ମାସ ମଧ୍ୟରେ କାମ ଶେଷ କରିବାର ଲକ୍ଷ୍ୟ ରହିଛି।
ନୂଆ ରାସ୍ତା ନିର୍ମାଣ ହେଲେ ମୁଖ୍ୟ ଜୟଦେବ ବିହାର–ନନ୍ଦନକାନନ ରାସ୍ତାରୁ କିଛି ଯାନବାହନ ବିକଳ୍ପ ରାସ୍ତାରେ ଯାତାୟାତ କରିପାରିବେ। ଏହା ଫଳରେ ମୁଖ୍ୟ ରାସ୍ତାର ଟ୍ରାଫିକ୍ ଚାପ କମିବ ବୋଲି ଆଶା କରାଯାଉଛି।
ତେବେ ରାସ୍ତା ନିର୍ମାଣ ସହ ପୁରୁଣା ଗଛ ସୁରକ୍ଷାର ପ୍ରସଙ୍ଗ ମଧ୍ୟ ଏବେ ଚର୍ଚ୍ଚାରେ। ବିକାଶମୂଳକ ପ୍ରକଳ୍ପ ପାଇଁ ପୁରୁଣା ଓ ବଡ଼ ଗଛଗୁଡ଼ିକୁ ହଟାଇବା ଆବଶ୍ୟକ କି, ନା ବିକଳ୍ପ ଡିଜାଇନ୍ ମାଧ୍ୟମରେ ଏହି ଗଛଗୁଡ଼ିକୁ ବଞ୍ଚାଇ ରାସ୍ତା ନିର୍ମାଣ କରାଯାଇପାରିବ—ଏହି ପ୍ରଶ୍ନ ଏବେ ଗୁରୁତ୍ୱ ପାଇଛି।
ରାସ୍ତା ନିର୍ମାଣ ପରେ ଜୟଦେବ ବିହାର–ନନ୍ଦନକାନନ ଅଞ୍ଚଳର ଟ୍ରାଫିକ୍ ସମସ୍ୟା କେତେ ମାତ୍ରାରେ କମିବ ଏବଂ ଏହି ପ୍ରକ୍ରିୟାରେ ପୁରୁଣା ଗଛଗୁଡ଼ିକର ସୁରକ୍ଷା କିପରି କରାଯିବ, ତାହା ଉପରେ ଏବେ ନଜର।
