Web News

ରେଳ ଷ୍ଟେସନରେ ଟ୍ରେନ୍ ଡକାୟତି ଯୋଜନା ପଣ୍ଡ: ୪ ଗିରଫ, ଜଣେ ଫେରାର
ବ୍ରହ୍ମପୁର: ବ୍ରହ୍ମପୁର ରେଳ ଷ୍ଟେସନରେ ଏକ ବଡ଼ ଧରଣର ଟ୍ରେନ୍ ଡକାୟତି ଯୋଜନାକୁ ପଣ୍ଡ କରିଛି ପୁଲିସ। ଜିଆରପିଏସ୍ (GRPS) ଓ ଆରପିଏଫ (RPF) ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଗିରିମାର୍କେଟ ଅଞ୍ଚଳର କେ. ରବି କୁମାର, ଲାଞ୍ଜିପଲ୍ଲୀର ଏନ୍. ପ୍ରସାଦ ପାତ୍ର, ପଥରାର ବିଭୂତି ଭୂଷଣ ଦାସ ଏବଂ ଗୋଦାବରୀଶ ନଗରର ରାଜେନ୍ଦ୍ର ପାତ୍ର। ଏହାସହ ଫେରାର ଅଭିଯୁକ୍ତ ଜଣକ ପଥରା ଅଞ୍ଚଳର ଅନୀଲ ଦାସ ବୋଲି ଜଣାପଡ଼ିଛି। ପୁଲିସ ବର୍ତ୍ତମାନ ତାଙ୍କୁ ଧରିବା ପାଇଁ ଖୋଜାଖୋଜି ଜାରି ରଖିଛି। ଅଭିଯୁକ୍ତମାନଙ୍କଠାରୁ ବିପୁଳ ପରିମାଣର ସାମଗ୍ରୀ ଜବତ କରାଯାଇଛି। ସେମାନଙ୍କ ନିକଟରୁ ୨ଟି ଲାପଟପ୍, ୧ଟି ଟ୍ୟାବ୍, ୪ଟି ସ୍ମାର୍ଟ ମୋବାଇଲ୍ ଫୋନ୍, ହାତୁଡ଼ି, ସ୍ପାନର, ଜିପିଏସ୍ (GPS) ଟ୍ରାକର, ୨ଟି ଛୁରୀ, ୪ ପକେଟ୍ ଲଙ୍କା ଗୁଣ୍ଡ, ୨ଟି ଟ୍ରେନ୍ ଟିକେଟ୍, ୪ଟି କଳା ମାସ୍କ, ସିଗାରେଟ୍, ଖାଲି ମଦ ବୋତଲ, ଦିଆସିଲି ବାକ୍ସ ଏବଂ ଏକ କ୍ରାଇମ୍ ମ୍ୟାପ୍ ଜବତ ହୋଇଛି। ଜବତ ହୋଇଥିବା ଏହି ସମସ୍ତ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୧,୧୭,୦୦୦ ଟଙ୍କା ହେବ ବୋଲି ଜିଆରପି (GRP) ପୁଲିସ ସୂଚନା ଦେଇଛି। ଏହି ଘଟଣାକୁ ନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି।
Ganjam (ଗଞ୍ଜାମ) • ରିପୋର୍ଟ ବିଜୟାନନ୍ଦ ତ୍ରିପାଠୀ ଭଂଜନଗର

ବ୍ରହ୍ମପୁରରେ ନକଲି ଟମାଟୋ ସସ୍ ଓ ଘିଅ କାରଖାନା ଉପରେ ଚଢ଼ାଉ: ୪ ଅଟକ, କାରଖାନା ସିଲ୍
ବ୍ରହ୍ମପୁର ସହରରେ ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ଓ ବିକ୍ରି ଅଭିଯୋଗରେ ବଡ଼ ବଜାର ଥାନା ପୁଲିସ ଏବଂ ବ୍ରହ୍ମପୁର ମହାନଗର ନିଗମ (BeMC) ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇଛି। ସହରର ହରଡ଼ାଖଣ୍ଡି ଅଞ୍ଚଳରେ ଚାଲିଥିବା ଏକ ନକଲି ଟମାଟୋ ସସ୍ କାରଖାନା ଉପରେ ପୁଲିସ ଓ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ମିଳିତ ଟିମ୍ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଏହି କାରଖାନାରେ ଟମାଟୋ ବଦଳରେ ଆଳୁ ବ୍ୟବହାର କରି ସସ୍ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି। ଏହି ଅପମିଶ୍ରିତ ସସ୍ ବ୍ରହ୍ମପୁର ସହର ସମେତ ଆଖପାଖର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିଲା। ସୂଚନାଯୋଗ୍ୟ ଯେ, ଉକ୍ତ କାରଖାନାରେ ପୂର୍ବରୁ ମଧ୍ୟ ଚଢ଼ାଉ ହୋଇଥିବା ବେଳେ ଏବେ ପୁଣିଥରେ ସେଠାରେ ଏଭଳି ବେଆଇନ କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି। ପୁଲିସ ପକ୍ଷରୁ ବର୍ତ୍ତମାନ ଏହି କାରଖାନାକୁ ସିଲ୍ କରାଯିବା ସହ ପରୀକ୍ଷା ପାଇଁ ସାମଗ୍ରୀର ନମୁନା ସଂଗ୍ରହ କରାଯାଇଛି। ସେହିପରି ଗଜପତି ନଗର ପଞ୍ଚମ ଲାଇନରେ ଥିବା ଏକ ନକଲି ଘିଅ କାରଖାନା ଉପରେ ମଧ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ସେଠାରେ ବିଭିନ୍ନ ରାଜ୍ୟର ନାମୀଦାମୀ କମ୍ପାନୀର ଖାଇବା ତେଲ ପ୍ୟାକେଟ୍ ଗଚ୍ଛିତ ଥିବା ଦେଖିବାକୁ ମିଳିଥିଲା। ବିନା ଅନୁମତିରେ ଏହିସବୁ ତେଲ ବିକ୍ରି କରାଯାଉଥିବା ନେଇ ଖାଦ୍ୟ ନିରାପତ୍ତା ବିଭାଗ ସୂଚନା ପାଇଛି। ଏଠାରୁ ମଧ୍ୟ ପରୀକ୍ଷା ପାଇଁ ତେଲ ଓ ଘିଅର ନମୁନା ସଂଗ୍ରହ କରାଯାଇ ଲାବୋରେଟୋରୀକୁ ପଠାଯାଇଛି। ଏହି ସମଗ୍ର ଚଢ଼ାଉ ପ୍ରକ୍ରିୟାରେ ବ୍ରହ୍ମପୁର ଟାଉନ୍ ଏସଡିପିଓ, ବଡ଼ ବଜାର ଥାନା ଅଧିକାରୀଙ୍କ ସମେତ ପୁଲିସ କର୍ମଚାରୀ ଏବଂ ଖାଦ୍ୟ ନିରାପତ୍ତା ବିଭାଗର ଅଧିକାରୀମାନେ ସାମିଲ ଥିଲେ। ଏହି ଉଭୟ ଘଟଣାରେ ପୁଲିସ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ବ୍ରହ୍ମପୁର ମହାନଗର ନିଗମର ଖାଦ୍ୟ ନିରାପତ୍ତା ଅଧିକାରୀ ଲିଜା ମିଶ୍ର ଏହି ଚଢ଼ାଉ ସମ୍ପର୍କରେ ସୂଚନା ଦେଇଛନ୍ତି।
Ganjam (ଗଞ୍ଜାମ) • ରିପୋର୍ଟ ବିଜୟାନନ୍ଦ ତ୍ରିପାଠୀ

ନୟାଗଡ଼ରେ ଅସୁରକ୍ଷିତ ଅବସ୍ଥାରେ BSNL ଫୋନ୍ ଟାୱାର
ନୟାଗଡ଼ ଜିଲ୍ଲାରେ ଏକ BSNL ଫୋନ୍ ଟାୱାର ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି। ଟାୱାର ଚାରିପାଖରେ ଲତାଗୁଳ୍ମ ଓ ଜଙ୍ଗଲୀ ଗଛଲତା ବଢ଼ିଯାଇଥିବା ବେଳେ ବିଦ୍ୟୁତ୍ ତାର ଓ ଉପକରଣଗୁଡ଼ିକ ମଧ୍ୟ ଖୋଲା ଅବସ୍ଥାରେ ଦେଖାଯାଉଛି। ଏହା ଯୋଗୁଁ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଟାୱାରର ରକ୍ଷଣାବେକ୍ଷଣ ସହ ଚାରିପାଖରେ ଥିବା ଗଛଲତା ସଫା କରିବା ଏବଂ ବିଦ୍ୟୁତ୍ ବ୍ୟବସ୍ଥାର ଯାଞ୍ଚ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଅବହେଳାରେ BSNL ଟାୱାର—କେବେ ହେବ ସୁରକ୍ଷା ବ୍ୟବସ୍ଥା?
Nayagarh (ନୟାଗଡ଼) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ଗଞ୍ଜାମର ଅଗ୍ରଣୀ ସୁସଂଗଠକ ସ୍ଵର୍ଗତ ହରିହର ଗୌଡ଼ଙ୍କ ଗୋପାଳ ସମାଜ ପ୍ରତି ଅତୁଳନୀୟ ଯୋଗଦାନ
ଗଞ୍ଜାମ ଜିଲ୍ଲା ବୁରୁପଲ୍ଲୀ ଗ୍ରାମର ବିଶିଷ୍ଟ ସୁସଂଗଠକ ତଥା ସମାଜସେବୀ ସ୍ଵର୍ଗତ ହରିହର ଗୌଡ଼ (ପିତା: ସ୍ଵର୍ଗତ ଅର୍ଜୁନ ଗୌଡ଼) ଗୋପାଳ ସମାଜକୁ ଏକତ୍ରିତ ଓ ସୁସଂଗଠିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୧୯୨୭ ମସିହାରେ ଜନ୍ମଗ୍ରହଣ କରିଥିବା ସ୍ଵର୍ଗତ ହରିହର ଗୌଡ଼ ୧୯୭୯ ମସିହାରେ 'ପୂର୍ବଗଡ଼ ତଳ ମୁତା' ଗୋପାଳ ସମାଜ ଗଠନ କରିବାରେ ମୁଖ୍ୟ ପୁରୋଧା ସାଜିଥିଲେ। ସମାଜର ବିକାଶ ଓ ଏକତା ପାଇଁ ତାଙ୍କର ନିଷ୍ଠାପର ଉଦ୍ୟମ ଯୋଗୁଁ ସେ ସମାଜର ପ୍ରଥମ ସଭାପତି ଭାବେ ମନୋନୀତ ହୋଇଥିଲେ। ସମାଜକୁ ଏକତା ସୂତ୍ରରେ ବାନ୍ଧିବା, ସାମାଜିକ ସଂସ୍କାର ଆଣିବା ଏବଂ ଗୋପାଳ ସମାଜର କଲ୍ୟାଣ ପାଇଁ ସେ ନିଜ ଜୀବନକାଳ ମଧ୍ୟରେ ଅନେକ ପ୍ରଶଂସନୀୟ କାର୍ଯ୍ୟ କରିଯାଇଛନ୍ତି। ୨୦୧୧ ମସିହାରେ ତାଙ୍କର ତିରୋଧାନ ହୋଇଥିଲେ ମଧ୍ୟ ସମାଜ ପାଇଁ ତାଙ୍କର ଅବଦାନ ଓ ଆଦର୍ଶ ଆଜି ବି ଅଞ୍ଚଳବାସୀଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇରହିଛି।
Ganjam (ଗଞ୍ଜାମ) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ବୋଲଗଡ଼ ଗୋପବନ୍ଧୁ ଛକ ନିକଟରେ ଓଲଟିଲା ସାର ବୋଝେଇ ଟ୍ରକ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗୋପବନ୍ଧୁ ଛକ ନିକଟରେ ଏକ ସାର ବୋଝେଇ ଟ୍ରକ ଓଲଟି ପଡ଼ିଛି। ସୂଚନା ଅନୁସାରେ, ଟ୍ରକଟି ଜଟଣୀରୁ ସାର ନେଇ ନୟାଗଡ଼ ଅଭିମୁଖେ ଯାଉଥିବା ବେଳେ ଗୋପବନ୍ଧୁ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟି ପଡ଼ିଥିଲା।ଦୁର୍ଘଟଣାରେ ଟ୍ରକଟି ଓଲଟି ପଡ଼ିଥିଲେ ମଧ୍ୟ କାହାରି କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟ୍ରକଟି କେଉଁ କାରଣରୁ ଓଲଟିଲା, ତାହା ସ୍ପଷ୍ଟ ହୋଇନାହିଁ।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ମହିଳା ସମ୍ମାନ ଓ ସ୍ୱାଭିମାନ ପାଇଁ ବିଜେପି ମହିଳା ମୋର୍ଚ୍ଚାର ଦାବି ଜଟଣୀ ପୌରାଧ୍ୟକ୍ଷଙ୍କ ଇସ୍ତଫା ଦାବି, ଦାବିପତ୍ର ପ୍ରଦାନ
ଖୋର୍ଦ୍ଧା: ମହିଳାମାନଙ୍କ ସମ୍ମାନ ଓ ସ୍ୱାଭିମାନର ସୁରକ୍ଷା ଦାବିରେ ବିଜେପି ଜଟଣୀ ନଗର ମହିଳା ମୋର୍ଚ୍ଚା ପକ୍ଷରୁ ଜଟଣୀ ପୌରପରିଷଦ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରାଯାଇଛି। ପୌରାଧ୍ୟକ୍ଷ ଅନନ୍ତ ବେହେରାଙ୍କ ଇସ୍ତଫା ଦାବି ସହ ବେଆଇନ ଭାବେ ପୌରପରିଷଦ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିବା ନେଇ ଅଭିଯୋଗ ଉଠାଇଛି ମହିଳା ମୋର୍ଚ୍ଚା।ଏହି ଅଭିଯୋଗ ନେଇ ମହିଳା ମୋର୍ଚ୍ଚାର କର୍ମକର୍ତ୍ତାମାନେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଏବଂ ପୌର ଉପାଧ୍ୟକ୍ଷାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ମହିଳାମାନଙ୍କ ପ୍ରତି ସମ୍ମାନ ଓ ମର୍ଯ୍ୟାଦା ରକ୍ଷା ସହ ପୌରପରିଷଦରେ ଆଇନ ଓ ନିୟମ ଅନୁଯାୟୀ ପ୍ରଶାସନିକ କାର୍ଯ୍ୟ ପରିଚାଳନା କରିବାକୁ ମହିଳା ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି। ଏଥିସହ ପୌରାଧ୍ୟକ୍ଷଙ୍କ ବିରୋଧରେ ଆଣାଯାଇଥିବା ଅଭିଯୋଗର ଉଚିତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ମନୋଜ ଦାସଙ୍କୁ ତମ୍ବାପଟ୍ଟା ସାହିତ୍ୟ ସମ୍ମାନ
ବୁଦ୍ଧ ମନ୍ଦିର ପରିସରରେ ଗତ ଗାନ୍ଧୀ ଜୟନ୍ତୀ ଦିନ କବି ମନୋଜ କୁମାର ଦାସଙ୍କୁ ତମ୍ବାପଟ୍ଟା ସାହିତ୍ୟ ସମ୍ମାନ 2026 ପ୍ରଦାନ କରାଯାଇଛି l ଓଡ଼ିଶାର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ଶ୍ରୀ ତମ୍ବାପଟ୍ଟା ରଘୁନାଥ ସାହିତ୍ୟ ସଂସ୍କୃତି କଳା ସଂସଦ, ଢେଙ୍କାନାଳ ତରଫରୁ ରାଜ୍ୟ ସ୍ତରୀୟ ତୃତୀୟ ବାର୍ଷିକ ସମାରୋହ ପ୍ରତିଷ୍ଠାତା ସମ୍ପାଦକ ବଟକୃଷ୍ଣ ପଣ୍ଡାଙ୍କ ପରିଚାଳନାରେ ମୁଖ୍ୟ ଅତିଥି ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭଗବାନ ପଣ୍ଡା,, ବିଶିଷ୍ଟ ଅତିଥି ସନ୍ତୋଷ କୁମାର ପାଣି, ସଭାପତି କୈଳାସ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ଶ୍ରୀ ଦାସଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ l
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ - ଦିଲୀପ ପରିଡା

ଉର୍ଦ୍ଦୁ ଭାଷାର ପ୍ରଚାର-ପ୍ରସାର ପାଇଁ ‘ଏକ ସାମ୍ ଉର୍ଦ୍ଦୁ କେ ନାମ’ କାର୍ଯ୍ୟକ୍ରମ ଆରମ୍ଭ
ଉର୍ଦ୍ଦୁ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର-ପ୍ରସାର ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଉର୍ଦ୍ଦୁ ଲାଇବ୍ରେରୀ ପକ୍ଷରୁ ‘ଏକ ସାମ୍ ଉର୍ଦ୍ଦୁ କେ ନାମ’ ନାମକ ଏକ ନୂତନ ସାହିତ୍ୟିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଉର୍ଦ୍ଦୁ ଲାଇବ୍ରେରୀ ପରିସରରେ ଆୟୋଜିତ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୌଲାନା ତବରେଜ୍ ଆଲମ୍ ମିସବାହୀ ସାହେବ, ମୁଦର୍ରିସ୍, ମଦ୍ରାସା ଇସ୍ଲାମିଆ ଆରବିଆ, ଦିଲାୱରପୁର, କେନ୍ଦ୍ରାପଡ଼ା; ମହମ୍ମଦ ଜାହାଙ୍ଗୀର, ହେଡ୍ ମୌଲବୀ, ମଦ୍ରାସା ତାଲିମୁଲ୍ ଇସଲାମ୍, ବଡ଼ହାଟ; ମହମ୍ମଦ ଅସଗର ଅଲୀ, ଅର୍ଗାନାଇଜିଂ ସେକ୍ରେଟାରୀ, ଉର୍ଦ୍ଦୁ ଲାଇବ୍ରେରୀ; ଏସ୍.କେ. ମହମ୍ମଦ ଫୟାଜୁଦ୍ଦିନ, ସେକ୍ରେଟାରୀ, ଉର୍ଦ୍ଦୁ ଲାଇବ୍ରେରୀ; ମହମ୍ମଦ ଅକ୍ରମ, ମିଡିଆ କୋ-ଅର୍ଡିନେଟର, ଉର୍ଦ୍ଦୁ ଲାଇବ୍ରେରୀଙ୍କ ସମେତ ଏସ୍.କେ. ଅବ୍ଦୁଲ କରିମ୍, ହେଡମାଷ୍ଟର, ଇଚ୍ଛାପୁର ପ୍ରାଥମିକ ବିଦ୍ୟାଳୟ, ଏସ୍.କେ. ନଇମୁଦ୍ଦିନ, ଏସ୍.କେ. ଅନସାର ଅଲୀ, ରାକେଶ ଜେନା, ଏସ୍.କେ. ଅବ୍ଦୁଲ ମକସୁଦ୍, ମୀର ଗିୟାସ୍ ଓ ଉର୍ଦ୍ଦୁ ଲାଇବ୍ରେରୀର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଉର୍ଦ୍ଦୁ ଭାଷା ଓ ସାହିତ୍ୟର ଗୁରୁତ୍ୱ, ନୂତନ ପିଢ଼ି ମଧ୍ୟରେ ଉର୍ଦ୍ଦୁ ପ୍ରତି ଆଗ୍ରହ ବୃଦ୍ଧି ଏବଂ ସାହିତ୍ୟିକ ପ୍ରତିଭାକୁ ଉତ୍ସାହିତ କରିବା ନେଇ ଆଲୋଚନା ହୋଇଥିଲା। ‘ଏକ ସାମ୍ ଉର୍ଦ୍ଦୁ କେ ନାମ’ କାର୍ଯ୍ୟକ୍ରମ ପ୍ରତି ମାସର ଶେଷ ରବିବାର ଦିନ ଆୟୋଜିତ ହେବ। ଏଥିରେ ଉର୍ଦ୍ଦୁ ନଜମ୍, ଗଜଲ୍, କବିତା ପାଠ, ଭାଷଣ, ସାହିତ୍ୟ ଆଲୋଚନା ଓ ଅନ୍ୟାନ୍ୟ ସୃଜନଶୀଳ କାର୍ଯ୍ୟକ୍ରମକୁ ସ୍ଥାନ ଦିଆଯିବ। ଉର୍ଦ୍ଦୁ ଭାଷାର ମହିମା ଓ ଐତିହ୍ୟକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ସହିତ ସ୍ଥାନୀୟ ଅଞ୍ଚଳରେ ଏକ ସୁସ୍ଥ ସାହିତ୍ୟିକ ପରିବେଶ ସୃଷ୍ଟି କରିବାରେ ଏହି ମାସିକ କାର୍ଯ୍ୟକ୍ରମ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ - ଦିଲୀପ ପରିଡା

ଆଗଭଳି ପୁରୀ ଶ୍ରୀମନ୍ଦିରରେ ମିଳୁନି ଅବଢ଼ା ମହାପ୍ରସାଦ: ଅଳ୍ପ ପରିମାଣର ମହାପ୍ରସାଦ ପାଇଁ ଅଧିକ ଦର ନେବା ଅଭିଯୋଗ, ପ୍ରଶାସନର ହସ୍ତକ୍ଷେପ ଦାବି
ପୁରୀ/ଯାଜପୁର, ୦୬/୧୦: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରସାଦ କେବଳ ଖାଦ୍ୟ ନୁହେଁ, ଏହା ଭକ୍ତି ଓ ଆସ୍ଥାର ଏକ ଅବିଚ୍ଛିନ୍ନ ଅଂଶ। ତେବେ ଶ୍ରୀମନ୍ଦିରରେ ଅବଢ଼ା ମହାପ୍ରସାଦର ପରିମାଣ ଓ ମୂଲ୍ୟକୁ ନେଇ ଏବେ କିଛି ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଭକ୍ତଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ କୁଡୁଆରେ ମିଳୁଥିବା ଅବଢ଼ା ମହାପ୍ରସାଦ ତୁଳନାରେ ଏବେ ଅନେକ ସ୍ଥାନରେ ଅଳ୍ପ ପରିମାଣର ଭାତ ସହିତ ସାମାନ୍ୟ ଡାଲି ଓ କିଛି ତରକାରୀ ଦିଆଯାଉଛି। ଏଥିପାଇଁ ପ୍ରାୟ ୧୦୦ ଟଙ୍କା ଭଳି ଦର ନିଆଯାଉଥିବାରୁ ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଅଭିଯୋଗକାରୀ ଭକ୍ତମାନଙ୍କ କହିବା ଅନୁସାରେ, ଏତେ ଅଳ୍ପ ପରିମାଣର ମହାପ୍ରସାଦରେ ଜଣେ ଭକ୍ତଙ୍କ ପେଟ ପୂରୁନାହିଁ କିମ୍ବା ଖାଦ୍ୟରେ ଆଶା କରାଯାଉଥିବା ତୃପ୍ତି ମିଳୁନାହିଁ। ଫଳରେ ଦୂରଦୂରାନ୍ତରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଓ ମହାପ୍ରସାଦ ସେବନ ପାଇଁ ଆସୁଥିବା ଭକ୍ତମାନେ ନିରାଶ ହୋଇ ଫେରୁଥିବା ଅଭିଯୋଗ ହେଉଛି। ଏହାସହିତ ମହାପ୍ରସାଦ ବିକ୍ରି ବ୍ୟବସ୍ଥାରେ ଅଧିକ ଦର ଆଦାୟ ହେଉଥିବା ନେଇ ମଧ୍ୟ କିଛି ଭକ୍ତ ପ୍ରଶ୍ନ ଉଠାଇଛନ୍ତି। ଉଚ୍ଚ ଦରରେ ଠିକା ନେଇଥିବା ବ୍ୟକ୍ତି ବା ସଂସ୍ଥା ଅଧିକ ମୂଲ୍ୟରେ ମହାପ୍ରସାଦ ବିକ୍ରି କରି ଅଧିକ ଲାଭ ଉଠାଉଥିବା ଅଭିଯୋଗ ରହିଛି। ମହାପ୍ରସାଦ ଭଳି ଧାର୍ମିକ ଓ ଭାବନାତ୍ମକ ବିଷୟରେ ଏଭଳି ଅଭିଯୋଗ ଆସିବା ଶ୍ରୀମନ୍ଦିର ପ୍ରଶାସନ ପାଇଁ ଚିନ୍ତାର ବିଷୟ। ଭକ୍ତମାନଙ୍କ ଅଭିଯୋଗର ଯଥାର୍ଥତା ଯାଞ୍ଚ କରି ମହାପ୍ରସାଦର ମୂଲ୍ୟ, ପରିମାଣ ଓ ବିକ୍ରି ବ୍ୟବସ୍ଥା ଉପରେ ସ୍ପଷ୍ଟ ନଜର ରଖିବାକୁ ଭକ୍ତ ମହଲରୁ ଦାବି ହେଉଛି। ଶ୍ରୀମନ୍ଦିରର ମହାପ୍ରସାଦ ପ୍ରତି ଦେଶର କୋଣଅନୁକୋଣରୁ ଆସୁଥିବା ଭକ୍ତଙ୍କର ଗଭୀର ଆସ୍ଥା ରହିଛି। ତେଣୁ ମହାପ୍ରସାଦକୁ ନେଇ ଭକ୍ତଙ୍କ ମଧ୍ୟରେ ଯେପରି କୌଣସି ଅସନ୍ତୋଷ ସୃଷ୍ଟି ନହୁଏ, ସେଥିପାଇଁ ମନ୍ଦିର ପ୍ରଶାସନ ତୁରନ୍ତ ଏହି ଅଭିଯୋଗ ଉପରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ବୋଲି ଭକ୍ତମାନେ ମତ ପ୍ରକାଶ କରିଛନ୍ତି।
Puri (ପୁରୀ) • ରିପୋର୍ଟ: ପ୍ରଦୀପ କୁମାର ପୃଷ୍ଟି

Sinapali Truck Robbery Case Cracked, Two Arrested: Police recover stolen truck battery and motorcycle allegedly used in the crime
SINAPALI: Sinapali Police have achieved a major breakthrough in a truck robbery case by arresting two persons allegedly involved in the incident. The police also recovered the stolen truck battery and a motorcycle reportedly used during the crime. The case was cracked under the leadership of Sinapali IIC Maheswar Panigrahi, following a detailed investigation into the incident in which a truck driver was allegedly threatened with a knife and robbed during the night. According to police, the incident took place on the night of August 31, when truck driver Santram Sonwani (38) was travelling from Nabarangpur towards Khariar Road in truck bearing registration number CG-04-NP-5823. When the truck reached near Baba Matha Road in Sinapali, three miscreants allegedly arrived on a motorcycle and intercepted the vehicle. The accused reportedly broke the truck’s window and dragged the driver out after threatening him with a knife. The miscreants allegedly assaulted the driver and snatched ₹2,000 in cash from him. Fearing for his life, the driver fled through a nearby agricultural field and managed to escape. The accused then allegedly removed the truck’s battery and other articles before fleeing from the spot. Following a complaint, Sinapali Police registered a case and launched an investigation. During the course of the investigation, police arrested Gupteswar Chhatria alias Gupte (23) of Bharuamunda village and Naresh Kumar Majhi (25) of Godal village. Police recovered the stolen truck battery from the accused persons. The motorcycle bearing registration number OR-26-2530, allegedly used in the robbery, was also seized. Police further informed that another alleged co-accused, Jhasketan Bandichhor alias Lal, is already in judicial custody in connection with Sinapali Police Station Case No. 252/26. The two arrested accused were produced before the competent court today after completion of the necessary legal formalities. The swift investigation and action by Sinapali Police have led to a significant breakthrough in the case. The recovery of the stolen property and the alleged crime vehicle is expected to assist further investigation into the involvement of other persons, if any.
Nuapada (ନୂଆପଡ଼ା) • Reports: Malaya Meher, District Correspondent

ଅନୁଗୋଳରୁ ଅପହୃତ ଯୁବତୀ ମଧ୍ୟପ୍ରଦେଶରୁ ଉଦ୍ଧାର
ଅନୁଗୋଳ: ଅନୁଗୋଳରୁ ଅପହୃତ ଜଣେ ୨୩ ବର୍ଷୀୟ ଯୁବତୀଙ୍କୁ ମଧ୍ୟପ୍ରଦେଶର ସାଗର ଜିଲ୍ଲାରୁ ଉଦ୍ଧାର କରିଛି ଅନୁଗୋଳ ପୋଲିସ। ଯୁବତୀଙ୍କୁ ଅପହରଣ କରି ମଧ୍ୟପ୍ରଦେଶ ନେଇଯାଇଥିବା ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। IIC ଆଦିତ୍ୟ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଚଢ଼ାଉ କରି ଯୁବତୀଙ୍କୁ ଉଦ୍ଧାର କରିବା ସହ ସୁରେଶ ଅହିରୱାର ଓ ସନ୍ଧ୍ୟା ସେନଙ୍କୁ ଗିରଫ କରିଥିଲା। ପରେ ଅନୁଗୋଳରେ ମଧ୍ୟ ପୋଲିସ ଚଢ଼ାଉ କରି ଟୁନା ମୁଖୀ ଓ ତାଙ୍କ ପତ୍ନୀ ଟୁନି ମୁଖୀଙ୍କୁ ଗିରଫ କରିଛି। ଏହି ଘଟଣାରେ ମୋଟ ୪ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ମାମଲାର ତଦନ୍ତ ଜାରି ରହିଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ପାଲଭିଡ଼ା ସମସ୍ୟାକୁ ନେଇ କୋଇଲା ଠିକାଶ୍ରମିକ କଂଗ୍ରେସର ସଭା
ତାଳଚେର: କୋଇଲା ପରିବହନ କରୁଥିବା ରେଳୱାଗନରେ ପାଲଭିଡ଼ା ସଂଘର୍ଷକୁ ନେଇ ମହାନଦୀ କୋଇଲା ଠିକାଶ୍ରମିକ କଂଗ୍ରେସ ଓ ପ୍ରଗତି ସ୍ୱେଚ୍ଛାସେବୀ ସଂଗଠନର ମିଳିତ ଆନୁକୂଲ୍ୟରେ ଅନନ୍ତବିହାରସ୍ଥିତ ଚିଲିକା କଳାକେନ୍ଦ୍ରରେ ଏକ ସଭା ଅନୁଷ୍ଠିତ ହୋଇଛି। ସଭାରେ ମହାନଦୀ କୋଇଲା ଠିକାଶ୍ରମିକ କଂଗ୍ରେସ ସଭାପତି ରାଜକିଶୋର ସାହୁ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ପୂର୍ବତନ ସାଂସଦ ମହେଶ ସାହୁଙ୍କ ସମେତ ବହୁ ନେତା, ଆଇନଜୀବୀ, ଶ୍ରମିକ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ପାଲଭିଡ଼ା ସମସ୍ୟାକୁ ନେଇ ଦୀର୍ଘ ୭ ବର୍ଷର ସଂଘର୍ଷ ଏବଂ ଏହାର ସଫଳତା ସମ୍ପର୍କରେ ମତ ରଖିଥିଲେ। ଏହି ଅବସରରେ ଆନ୍ଦୋଳନକୁ ସହଯୋଗ କରିଥିବା ବ୍ୟକ୍ତିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ମା’ କାଳୀ ମନ୍ଦିର ଠାରୁ ଶତାଧିକ ଶ୍ରମିକ ଏକାଠି ହୋଇ କଳାକେନ୍ଦ୍ରରେ ପହଞ୍ଚିଥିଲେ। ଶେଷରେ ପ୍ରଗତି ଅନୁଷ୍ଠାନର ସମ୍ପାଦକ ପ୍ରଭାତ ରଥ ଧନ୍ୟବାଦ ଅର୍ପଣ କରିଥିଲେ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳ
