--:--:--
-- ---
Srishti News

ବ୍ରହ୍ମପୁରରେ ନକଲି ଟମାଟୋ ସସ୍ ଓ ଘିଅ କାରଖାନା ଉପରେ ଚଢ଼ାଉ: ୪ ଅଟକ, କାରଖାନା ସିଲ୍

Ganjam (ଗଞ୍ଜାମ)ରିପୋର୍ଟ ବିଜୟାନନ୍ଦ ତ୍ରିପାଠୀOctober 6, 202637 views
ବ୍ରହ୍ମପୁରରେ ନକଲି ଟମାଟୋ ସସ୍ ଓ ଘିଅ କାରଖାନା ଉପରେ ଚଢ଼ାଉ: ୪ ଅଟକ, କାରଖାନା ସିଲ୍
ବ୍ରହ୍ମପୁର ସହରରେ ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ଓ ବିକ୍ରି ଅଭିଯୋଗରେ ବଡ଼ ବଜାର ଥାନା ପୁଲିସ ଏବଂ ବ୍ରହ୍ମପୁର ମହାନଗର ନିଗମ (BeMC) ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇଛି। ସହରର ହରଡ଼ାଖଣ୍ଡି ଅଞ୍ଚଳରେ ଚାଲିଥିବା ଏକ ନକଲି ଟମାଟୋ ସସ୍ କାରଖାନା ଉପରେ ପୁଲିସ ଓ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ମିଳିତ ଟିମ୍ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଏହି କାରଖାନାରେ ଟମାଟୋ ବଦଳରେ ଆଳୁ ବ୍ୟବହାର କରି ସସ୍ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି। ଏହି ଅପମିଶ୍ରିତ ସସ୍ ବ୍ରହ୍ମପୁର ସହର ସମେତ ଆଖପାଖର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିଲା। ସୂଚନାଯୋଗ୍ୟ ଯେ, ଉକ୍ତ କାରଖାନାରେ ପୂର୍ବରୁ ମଧ୍ୟ ଚଢ଼ାଉ ହୋଇଥିବା ବେଳେ ଏବେ ପୁଣିଥରେ ସେଠାରେ ଏଭଳି ବେଆଇନ କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି। ପୁଲିସ ପକ୍ଷରୁ ବର୍ତ୍ତମାନ ଏହି କାରଖାନାକୁ ସିଲ୍ କରାଯିବା ସହ ପରୀକ୍ଷା ପାଇଁ ସାମଗ୍ରୀର ନମୁନା ସଂଗ୍ରହ କରାଯାଇଛି। ସେହିପରି ଗଜପତି ନଗର ପଞ୍ଚମ ଲାଇନରେ ଥିବା ଏକ ନକଲି ଘିଅ କାରଖାନା ଉପରେ ମଧ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ସେଠାରେ ବିଭିନ୍ନ ରାଜ୍ୟର ନାମୀଦାମୀ କମ୍ପାନୀର ଖାଇବା ତେଲ ପ୍ୟାକେଟ୍ ଗଚ୍ଛିତ ଥିବା ଦେଖିବାକୁ ମିଳିଥିଲା। ବିନା ଅନୁମତିରେ ଏହିସବୁ ତେଲ ବିକ୍ରି କରାଯାଉଥିବା ନେଇ ଖାଦ୍ୟ ନିରାପତ୍ତା ବିଭାଗ ସୂଚନା ପାଇଛି। ଏଠାରୁ ମଧ୍ୟ ପରୀକ୍ଷା ପାଇଁ ତେଲ ଓ ଘିଅର ନମୁନା ସଂଗ୍ରହ କରାଯାଇ ଲାବୋରେଟୋରୀକୁ ପଠାଯାଇଛି। ଏହି ସମଗ୍ର ଚଢ଼ାଉ ପ୍ରକ୍ରିୟାରେ ବ୍ରହ୍ମପୁର ଟାଉନ୍ ଏସଡିପିଓ, ବଡ଼ ବଜାର ଥାନା ଅଧିକାରୀଙ୍କ ସମେତ ପୁଲିସ କର୍ମଚାରୀ ଏବଂ ଖାଦ୍ୟ ନିରାପତ୍ତା ବିଭାଗର ଅଧିକାରୀମାନେ ସାମିଲ ଥିଲେ। ଏହି ଉଭୟ ଘଟଣାରେ ପୁଲିସ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ବ୍ରହ୍ମପୁର ମହାନଗର ନିଗମର ଖାଦ୍ୟ ନିରାପତ୍ତା ଅଧିକାରୀ ଲିଜା ମିଶ୍ର ଏହି ଚଢ଼ାଉ ସମ୍ପର୍କରେ ସୂଚନା ଦେଇଛନ୍ତି।