--:--:--
-- ---
Srishti News

Web News

ବେଆଇନ ବ୍ରାଉନ ସୁଗାର ଜବତ | ଜଣେ ଗିରଫ
Oct 7, 2026•27 views

ବେଆଇନ ବ୍ରାଉନ ସୁଗାର ଜବତ | ଜଣେ ଗିରଫ

ଜଗତପୁର:ଅବକାରୀ ଗୁଇନ୍ଦା ଏବଂ ଏନଫୋର୍ସମେଣ୍ଟ ବ୍ୟୁରୋ ୟୁନିଟ୍- I (ଫ୍ଲାଇଙ୍ଗ୍ ସ୍କ୍ୱାଡ୍), କଟକ ବେଆଇନ ବ୍ରାଉନ ସୁଗାର କାରବାର ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛନ୍ତି | ଗିରଫ ଅଭିଯୁକ୍ତ ଜଣକ ହେଲେ ନେମାଳ ଥାନା ଅନ୍ତର୍ଗତ ପୁରୁଣାପରି(ସାମଲସାହି)ର ଦେବାଶିଷ ପରିଡା(୨୨) | ତା ନିକଟରୁ ୧୭୭ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରାଯାଇଛି | ମିଳିଥିବା ସୂଚନା ମୁତାବକ ଅବକାରୀ ଅଧୀକ୍ଷକ ସମରଜିତ ଦାସଙ୍କ ନିର୍ଦ୍ଦେଶକ୍ରମେ ଉପ-ଅବକାରୀ ଅଧୀକ୍ଷକ ରୋଶନ ଇସୁ ହାଁସଦାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜଗତପୁର ଥାନା ଅନ୍ତର୍ଗତ କେନ୍ଦ୍ରାପଡା କେନାଲ ରୋଡ ସାତବାଟିଆ ନିକଟରେ ଚଢାଉ କରି ଦେବାଶିଷକୁ ଅଟକ ରଖି ତଲାସି କରିଥିଲେ | ତଲାସି ସମୟରେ ତାଙ୍କ ନିକଟରୁ ୧୭୭ ଗ୍ରାମ ଓଜନର ବ୍ରାଉନ ସୁଗାର ମିଳିଥିଲା | ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୭.୭ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି | ଅଭିଯୁକ୍ତକୁ NDPS ଆଇନ, ୧୯୮୫ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି | ଏହି ଚଢାଉରେ ଅବକାରୀ ସବ୍-ଇନ୍ସପେକ୍ଟର ଅମିତ କୁମାର ବିଶ୍ୱାଳ, ଏ.ଏସ.ଆଇ. କିଶୋର କୁମାର ରାଉତ, ଏ.ଏସ୍.ଆଇ. ସଞ୍ଜୀବ କୁମାର ମୁଣ୍ଡା, ଅବକାରୀ କନଷ୍ଟେବଳ ଗୌରାଙ୍ଗ ନାୟକ, ମହିଳା କନଷ୍ଟେବଳ ରୋଜାଲିନ ବେହେରା, କନଷ୍ଟେବଳ ଜଗନ୍ନାଥ ସାହୁ, କନଷ୍ଟେବଳ ଶଙ୍କର୍ଷଣ ରାଉତ, କନଷ୍ଟେବଳ ଚନ୍ଦ୍ରକାନ୍ତ ସାହୁ ଓ ଡ୍ରାଇଭର କୃଷ୍ଣ ମୋହନ ଦାସ ପ୍ରମ୍ମୁଖ ସାମିଲ ରହିଥିଲେ |

Cuttack (କଟକ) • ରିପୋର୍ଟ:ସୁରେନ୍ଦ୍ର ଜେନା, କଟକ

ବୁଲା ଷଣ୍ଢଙ୍କ ଉତ୍ପାତ | ଆକ୍ରମଣରେ କର୍ମଚାରୀ ଆହତ
Oct 7, 2026•23 views

ବୁଲା ଷଣ୍ଢଙ୍କ ଉତ୍ପାତ | ଆକ୍ରମଣରେ କର୍ମଚାରୀ ଆହତ

ଜଗତପୁର: ଜଗତପୁର ଅଞ୍ଚଳରେ ବୁଲା ଷଣ୍ଢଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି | କେତେବେଳେ ପଥଚାରୀ ମାନଙ୍କୁ ଗୋଡାଉଛନ୍ତି ତ କେତେବେଳେ ଟେକି କଚାଡି ଦେଉଛନ୍ତି | ଏମିତି ଏକ ଦୃଶ୍ୟ ଜଗତପୁର ଗୋଲେଇ ଛକରେ ଦେଖିବାକୁ ମିଳିଛି | ବୁଧବାର ଦିନ ଏକ ବୁଲା ଷଣ୍ଢ ଆକ୍ରମଣରେ ଜଣେ ପଥଚାରୀ ଗୁରୁତର ଆହତ ହୋଇ ମେଡିକାଲରେ ଚିରିତ୍ସିତ ହେଉଛନ୍ତି | ଆହତ ପଥଚାରୀ ଜଣକ ହେଉଛନ୍ତି ଜଗତପୁର ନୂତନ ଶିଳ୍ପାଞ୍ଚଳରେ ଥିବା ପ୍ରଗତି ମିଲକ କାରଖାନା କର୍ମଚାରୀ ସଞ୍ଜୟ ପାତ୍ର | ସଞ୍ଜୟଙ୍କ ଘର ଗରଦପୁର, ପାଟପୁର ହୋଇଥିବା ବେଳେ ସେ ଜଗତପୁର ସ୍ଥିତ ପ୍ରଗତି ମିଲକ କାରଖାନାରେ କାର୍ଯ୍ୟକରନ୍ତି | ସେ ବୁଧବାର ଦିନ ଜଗତପୁର ଗୋଲେଇ ଛକରୁ କାରଖାନାକୁ ଚାଲି ଚାଲି ଯାଉଥିବା ସମୟରେ ଏକ ବୁଲା ଷଣ୍ଢ ପଛରୁ ଆସି ତାଙ୍କୁ ଟେକି କଚାଡ଼ି ଦେଇଥିଲା । ଏଥିରେ ସେ ଗୁରୁତ୍ଵର ଆହତ ହେଇଥିଲେ । ସ୍ଥାନୀୟ ଲୋକେ ସଞ୍ଜୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିତ୍ସିତ ନିମନ୍ତେ କଟକ ବଡ ମେଡିକାଲକୁ ପଠାଇଥିଲେ । ପ୍ରକାଶ ଯେ, ଜଗତପୁର ଅଞ୍ଚଳରେ ବୁଲା ଷଣ୍ଢ ଦିନ ରାତି ଗାଁ ଗହଳି ଠାରୁ ଆରମ୍ଭ କରି ଗୋଲେଇ ଛକ ମାନଙ୍କରେ ସେମାନଙ୍କ ଉପଦ୍ରବ ବିଶେଷ କରି ଦେଖିବାକୁ ମିଳୁଛି । ପ୍ରତିଦିନ ଗୋଲେଇ ଛକ ବସ ଷ୍ଟାଣ୍ଡ ନିକଟରେ ଜନ ଗହଳି ସ୍ଥାନରେ ଷଣ୍ଢ ଗୁଡ଼ିକ ଆକ୍ରମଣ କରୁଛନ୍ତି । ଯାହା ଫଳରେ ଅନେକ ଧନ ଜୀବନ ହାନୀ ଘଟିବା ସହ ପଥଚାରୀମାନେ ଆହତ ହେଉଛନ୍ତି । କେଏମସି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଏ ଭଳି ଘଟଣା ଘଟୁଥିବା ଦେଖିବାକୁ ମିଳୁଛି ।

Cuttack (କଟକ) • ରିପୋର୍ଟ:ସୁରେନ୍ଦ୍ର ଜେନା, କଟକ

ଝାରବନ୍ଧ କଲେଜରେ ଦଶ ଦିନାତ୍ମକ ଅଗ୍ନିବୀର ଆଶାୟୀ ପ୍ରଶିକ୍ଷଣ ଶିବିର ଉଦଯାପିତ
Oct 7, 2026•28 views

ଝାରବନ୍ଧ କଲେଜରେ ଦଶ ଦିନାତ୍ମକ ଅଗ୍ନିବୀର ଆଶାୟୀ ପ୍ରଶିକ୍ଷଣ ଶିବିର ଉଦଯାପିତ

ଝାରବନ୍ଧ -ବରଗଡ ଜିଲ୍ଲା ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ଦଶ ଦିନାତ୍ମକ ଅଗ୍ନିବୀର ଆଶାୟୀ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଗ୍ରମୋଦୟ ଯୋଜନା ଦ୍ୱାରା ପ୍ରାୟୋଜିତ ଏହି ଶିବିର ରେ ବିଗତ ଦଶ ଦିନ ଧରି ଶିବିର ଚାଲିଥିଲା । ଉଦଯାପନୀ ସଭାରେ ଅଧ୍ୟକ୍ଷ ଶ୍ରୀ ଶ୍ୟାମସୁନ୍ଦର ବେହେରାଙ୍କ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଡ଼ିଓ ପର୍ଶୁରାମ ପଣ୍ଡା ଓ ସମ୍ମାନିତ ଅତିଥି ଭାବରେ ତହସିଲଦାର ଅଲେଖ ଘୁଟା ଓ ଥାନା ପ୍ରଭାରୀ ସଞ୍ଜୟ କୁମାର ପରିଡ଼ା ଯୋଗ ଦେଇଥିଲେ । ସଭା ଆରମ୍ଭରେ ରୀତାଞ୍ଜଳୀ ଗୁରୁ ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ କରିଥିଲେ । ଅତିଥି ମାନେ ଶିବିରାର୍ଥି ମାନଙ୍କୁ ଉଦବୋଧନ ଦେଇଥିଲେ । ୩୧ ଜଣ ଶିବିରରେ ରହି ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ନେଇଥିଲେ । ଟ୍ରେନର ଭାବରେ ଜୟକୁମାର ସାହୁ, ଯଜ୍ଞ ସିଂ ସିଦାର, ସୁବାଷ ଚନ୍ଦ୍ର ବାରିକ, ରମେଶ ଗହୀର, ଖଗେଶ୍ୱର ବିଶ୍ୱାଳ, ଜିବେଶ ନିଆଲ, ମହେଶ ବାଗ ଭଳି ପୂର୍ବତନ ଆର୍ମି ଅଫିସର୍ ଶାରୀରିକ ପ୍ରଶିକ୍ଷଣ ଦେଇଥିବା ବେଳେ, ମହାବିଦ୍ୟାଳୟ ର ଅଧ୍ୟାପକ ମାନେ ମାନସିକ ତାଲିମ ଦେଇଥିଲେ । ପ୍ରତ୍ୟହ ନିମାଇଁ ବାରିକ ଯୋଗ ତାଲିମ ଦେଇଥିଲେ । ଅଶୋକ କୁମାର ହାତୀ ଙ୍କ ନେତୃତ୍ୱରେ ଓ ଦୁର୍ଯୋଧନ ପାଣ୍ଡେ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିବା ଏହି ତାଲିମ ଶିବିର ସଫଳ କାମ ହୋଇଥିଲା । ଉଦଯାପନୀ ସଭାରେ ଡ଼ଃ ଖ୍ୟାତିମୟ ତ୍ରିପାଠୀ ଙ୍କ ପରିଚାଳନାରେ ପ୍ରଶିକ୍ଷକ ଙ୍କୁ ସମ୍ମାନିତ କରାଯାଇଥିଲା ତଥା ଶିବିରାର୍ଥି ମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ ହୋଇଥିଲା । ସଭାରେ ଡଃ ରଶ୍ମି ରଞ୍ଜନ ମହାନ୍ତି, ସାର୍ତ୍ତିକ ସାହୁ, ନବୀନ କୁମାର ମେହେର, ଗଗନ ବିହାରୀ ଡନସନା, ରଶ୍ମି ମହାଲିଙ୍ଗ, ମୁକେଶ ବାଗ, ଚନ୍ଦ୍ରମଣି ବାଗ, କୁନି ସାହା, ବଂଶୀଧର ସେଠୀ, ଅଞ୍ଜନ କୁମାର ବରିହା ବଲ୍ଲଭ କୁମାର ମିର୍ଦ୍ଧା, ପ୍ରକାଶ ପ୍ରଧାନ, ରୁକ୍ମଣୀ ସାହୁ, ମଦନ ବାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ମିନପ୍ରଭା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ସାକ୍ଷୀଙ୍କୁ ଧମକ ଅଭିଯୋଗ: ବିକ୍ରମଙ୍କୁ ୪ ଘଣ୍ଟା ଜେରା
Oct 7, 2026•71 views

ସାକ୍ଷୀଙ୍କୁ ଧମକ ଅଭିଯୋଗ: ବିକ୍ରମଙ୍କୁ ୪ ଘଣ୍ଟା ଜେରା

ବ୍ରହ୍ମପୁର, ୬/୧୦/୨୬: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀ ଲଳିତ ମୋହନ ମଙ୍ଗରାଜଙ୍କୁ ଧମକ ଦିଆଯାଇଥିବା ଅଭିଯୋଗକୁ ନେଇ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗୋଷାଣୀନୂଆଗାଁ ଥାନା ପୁଲିସ ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରିଛି।ପୁଲିସ ନୋଟିସ୍‌ ପାଇ ବିକ୍ରମ ମଙ୍ଗଳବାର ଥାନାରେ ହାଜର ହୋଇଥିଲେ। ଥାନା ଅଧିକାରୀ, ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀଙ୍କ ସମେତ ୪ ଜଣ ପୁଲିସ ଅଧିକାରୀ ତାଙ୍କୁ ପୂର୍ବାହ୍ନ ପ୍ରାୟ ୧୧ଟାରୁ ଅପରାହ୍ନ ୨ଟା ୩୫ ପର୍ଯ୍ୟନ୍ତ ପଚରାଉଚରା କରିଥିଲେ।ଥାନାରୁ ବାହାରିବା ପରେ ବିକ୍ରମ କହିଥିଲେ ଯେ, ପୁଲିସର ସମସ୍ତ ପ୍ରଶ୍ନର ଉତ୍ତର ଦେବା ସହ ନିଜ ପାଖରେ ଥିବା ତଥ୍ୟ ରଖିଛନ୍ତି। ଅନ୍ୟପଟେ ଆସନ୍ତା ୧୬ ତାରିଖରେ ତାଙ୍କୁ ପୁଣି ଥାନାରେ ହାଜର ହେବାକୁ କୁହାଯାଇଥିବା ସୂଚନା ମିଳିଛି। ବ୍ରହ୍ମପୁର ଏସ୍‌ପି ଅଭିନବ ସୋନକାରଙ୍କ କହିବା ଅନୁସାରେ, ବିକ୍ରମ ତଦନ୍ତରେ ସହଯୋଗ କରୁଛନ୍ତି। ଆବଶ୍ୟକ ପଡ଼ିଲେ ମଦନ ଦଳେଇଙ୍କୁ ମଧ୍ୟ ଜେଲରେ ପଚରାଉଚରା କରାଯିବ।

Ganjam (ଗଞ୍ଜାମ) • ଦୀପକ କୁମାର ଚୌଧୁରୀ

ଦିଲ୍ଲୀରେ ଉଗ୍ର ରୂପ ନେଲା ଆନ୍ଦୋଳନ: ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି, ପୋଲିସ-ବିକ୍ଷୋଭକାରୀ ମୁହାଁମୁହିଁ
Oct 7, 2026•27 views

ଦିଲ୍ଲୀରେ ଉଗ୍ର ରୂପ ନେଲା ଆନ୍ଦୋଳନ: ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି, ପୋଲିସ-ବିକ୍ଷୋଭକାରୀ ମୁହାଁମୁହିଁ

ନୂଆଦିଲ୍ଲୀ( ଭୁବନେଶ୍ବର): ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନ ଏବେ ହିଂସାତ୍ମକ ରୂପ ଧାରଣ କରିଛି। ଗତ ଅକ୍ଟୋବର ୪ ତାରିଖରେ ବିକ୍ଷୋଭକାରୀ ଏବଂ ପୋଲିସ ମଧ୍ୟରେ ତୀବ୍ର ସଂଘର୍ଷ ଘଟିବା ପରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି କରି କରାଯାଉଥିବା ଏହି ଆନ୍ଦୋଳନ ଅଧିକ ଉଗ୍ର ହୋଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ସଂଘର୍ଷ ଓ ହିଂସାକାଣ୍ଡରେ ପ୍ରାୟ ୧୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ୧୦୦ ରୁ ଅଧିକ ଲୋକଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଉପରେ ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (ଏସଆଇଆର) ରେ ଅନିୟମିତତାକୁ ଅନୁମତି ଦେଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ଆଞ୍ଚଳିକ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ପୋଲିସ ପକ୍ଷରୁ ବ୍ୟାପକ ବ୍ୟାରିକେଡିଂ କରାଯିବା ସହ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଥିଲେ ହେଁ, ବିକ୍ଷୋଭକାରୀମାନେ ଜନ୍ତର ମନ୍ତର ଆଡ଼କୁ ଯିବାକୁ ଚେଷ୍ଟା କରିଥିଲେ। ସେମାନେ ନିର୍ଦ୍ଧାରିତ ଆନ୍ଦୋଳନ ସ୍ଥଳ ଆଡ଼କୁ ଅଗ୍ରସର ହେଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା, ଯାହା ଫଳରେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ପୋଲିସ ଅନେକ ବିକ୍ଷୋଭକାରୀଙ୍କୁ ହେପାଜତକୁ ନେଇ ପଚରାଉଚରା ଜାରି ରଖିଛି।

Bhubaneswar (ଭୁବନେଶ୍ୱର) • ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାରରେ ଲାଗି ଚାଲି ଗଲା ଯୁବକଙ୍କ ଜୀବନ
Oct 7, 2026•23 views

ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାରରେ ଲାଗି ଚାଲି ଗଲା ଯୁବକଙ୍କ ଜୀବନ

ଗଞ୍ଜାମ ଜିଲ୍ଲାପୋଲସରା ଥାନା ଅନ୍ତର୍ଗତ ଭାବରଡ଼ା ଗ୍ରାମରେ ବାରାହା ଶିକାର ପାଇଁ ବିଛାଯାଇଥିବା ବେଆଇନ ବିଦ୍ୟୁତ ଫାସ ନେଲା ଜଣେ ଯୁବକଙ୍କ ଜୀବନ । ମୃତକ ହେଲେ ଭାବରଡ଼ା ରୋଡ଼ସାହିର ୪୦ ବର୍ଷୀୟ ସନ୍ତୋଷ ସ୍ୱାଇଁ । ଗତ ମଧ୍ୟରାତ୍ରି ପ୍ରାୟ ୧୨ଟା ସମୟରେ ନିଜ ଗୋଠରୁ ଗାଈ ଖସିଯିବା ପରେ ସନ୍ତୋଷ ତାକୁ ଖୋଜିବାକୁ ଯାଇଥିଲେ । ତେବେ ଗାଈ ଖୋଜୁଥିବା ବେଳେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ଫାସ ସଂସ୍ପର୍ଶରେ ଆସି ସେ ଗୁରୁତର ହୋଇପଡ଼ିଥିଲେ । ସନ୍ତୋଷଙ୍କ ସହ ତାଙ୍କ ବାପା ନାଲୁ ସ୍ୱାଇଁ ମଧ୍ୟ ଥିଲେ । ପୁଅ ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ଦେଖି ନାଲୁ ସତର୍କତାର ସହ ପରିବାରକୁ ଖବର ଦେଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସନ୍ତୋଷଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲସରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ବାରାହା ଶିକାର ପାଇଁ ବେଆଇନ ଭାବେ ବିଦ୍ୟୁତ ଫାସ ବିଛାଇଥିବା ଲୋକଙ୍କୁ ଚିହ୍ନଟ କରିବା ସହ କାର୍ଯ୍ୟାନୁଷ୍ଠାନ ନେଇ ପୁଲିସ ତଦନ୍ତ ଜାରି ରଖିଛି ।

Ganjam (ଗଞ୍ଜାମ) • ବିଜୟାନନ୍ଦ ତ୍ରିପାଠୀ ଭଂଜନଗର

ଚିଲିକାରେ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ: ଆରମ୍ଭ ହେଲା ୨୪ ଘଣ୍ଟିଆ ସ୍ପେଶାଲ ଅଭିଯାନ
Oct 7, 2026•28 views

ଚିଲିକାରେ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ: ଆରମ୍ଭ ହେଲା ୨୪ ଘଣ୍ଟିଆ ସ୍ପେଶାଲ ଅଭିଯାନ

ବାଲୁଗାଁ : ବିଶ୍ୱପ୍ରସିଦ୍ଧ ଚିଲିକା ହ୍ରଦକୁ ଶୀତଋତୁର ଆଗମନ ସହିତ ଅତିଥି ପକ୍ଷୀମାନଙ୍କର ଆଗମନ ଆରମ୍ଭ ହୋଇଯାଇଛି। ସୁଦୂର ସାଇବେରିଆ, କାସପିଆନ ସାଗର, ବୈକାଲ ହ୍ରଦ ଏବଂ ମଙ୍ଗୋଲିଆ ଆଦି ବିଭିନ୍ନ ବିଦେଶୀ ଅଞ୍ଚଳରୁ ହଜାର ହଜାର ମାଇଲ୍ ଅତିକ୍ରମ କରି ପକ୍ଷୀମାନେ ଏଠାକୁ ଆସିବାକୁ ଲାଗିଲେଣି। ଏହି ପରିପ୍ରେକ୍ଷୀରେ, ଏହି ନିରୀହ ବିଦେଶୀ ପକ୍ଷୀମାନଙ୍କୁ ଶିକାରୀଙ୍କ କୋପରୁ ରକ୍ଷା କରିବା ପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଚିଲିକାରେ ପକ୍ଷୀ ସୁରକ୍ଷା ଅଭିଯାନକୁ ବ୍ୟାପକ ଓ ଜୋରଦାର କରାଯାଇଛି। ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିଦେଶୀ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ଚିଲିକା ଓ ଏହାର ଆଖପାଖ ଅଞ୍ଚଳରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପକ୍ଷୀ ଶିକାର ରୋକିବା ପାଇଁ ହ୍ରଦ ମଧ୍ୟରେ ଏବଂ ସ୍ଥଳଭାଗରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କ୍ୟାମ୍ପ୍ ପ୍ରତିଷ୍ଠା କରାଯାଇ ଦିନରାତି ଜଗୁଆଳି ନିଯୁକ୍ତ କରାଯାଇଛି। ବନ୍ୟପ୍ରାଣୀ କର୍ମଚାରୀମାନେ ସ୍ପିଡ୍ ବୋଟ୍ ସାହାଯ୍ୟରେ ପାଟ୍ରୋଲିଂ କରୁଛନ୍ତି, ଯେପରି କୌଣସି ଶିକାରୀ ପକ୍ଷୀମାନଙ୍କର କ୍ଷତି କରିପାରିବେ ନାହିଁ। ଚିଲିକାର ମଙ୍ଗଳାଯୋଡ଼ି, ନଳବଣ ପକ୍ଷୀ ଅଭୟାରଣ୍ୟ, ଭୂଷଣ୍ଡପୁର ଏବଂ ସୋରଣ ଭଳି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ବନ୍ୟପ୍ରାଣୀ ବିଭାଗ ସ୍ଥାନୀୟ ପକ୍ଷୀ ସୁରକ୍ଷା ସମିତି ଏବଂ ଗ୍ରାମବାସୀମାନଙ୍କ ସହଯୋଗରେ ଏହି ଅଭିଯାନକୁ ପରିଚାଳନା କରୁଛି। ଯଦି କୌଣସି ବ୍ୟକ୍ତି ପକ୍ଷୀ ଶିକାର କିମ୍ବା ବ୍ୟବସାୟରେ ଜଡ଼ିତ ଥିବା ଜଣାପଡ଼େ, ତେବେ ତାଙ୍କ ବିରୋଧରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ତରଫରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି।

Ganjam (ଗଞ୍ଜାମ) • ରିପୋର୍ଟ ବିଜୟାନନ୍ଦ ତ୍ରିପାଠୀ ଭଂଜନଗର

ମନ୍ଦିରରୁ ଚୋରି, ୨ ଗିରଫ
Oct 7, 2026•36 views

ମନ୍ଦିରରୁ ଚୋରି, ୨ ଗିରଫ

ଖୋର୍ଦ୍ଧା: ଜଟଣୀ ଥାନା ଅଧୀନ ଶଣ୍ଢପୁରସ୍ଥିତ ଗ୍ରାମଦେବୀ ମା’ ବରଦାଙ୍ଗ ମନ୍ଦିରରୁ ଚୋରି ଘଟଣାରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଚୋରି ହୋଇଥିବା ମନ୍ଦିର ଘଣ୍ଟି, ବାଲ୍ଟି, ବାସନକୁସନ, ଦାନବାକ୍ସ ସମେତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଘଟଣାରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର ଖୋର୍ଦ୍ଧା

ଖୋର୍ଦ୍ଧା ହାବେଳୀ ପଡ଼ିଆରେ ‘ବିକଶିତ ଭାରତ ସଂକଳ୍ପ ସଭା’; ‘ସେବା ଜ୍ୟୋତି ଯାତ୍ରା’ର ଶୁଭାରମ୍ଭ
Oct 7, 2026•53 views

ଖୋର୍ଦ୍ଧା ହାବେଳୀ ପଡ଼ିଆରେ ‘ବିକଶିତ ଭାରତ ସଂକଳ୍ପ ସଭା’; ‘ସେବା ଜ୍ୟୋତି ଯାତ୍ରା’ର ଶୁଭାରମ୍ଭ

ଖୋର୍ଦ୍ଧା: ଖୋର୍ଦ୍ଧାସ୍ଥିତ ହାବେଳୀ ପଡ଼ିଆରେ ଆୟୋଜିତ ‘ବିକଶିତ ଭାରତ ସଂକଳ୍ପ ସଭା’ରେ ମାନ୍ୟବର ଓଡ଼ିଶା ମୁଖ୍ୟମନ୍ତ୍ରୀ ଯୋଗଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ସେବା ଜ୍ୟୋତି ଯାତ୍ରା’ର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ବିକଶିତ ଭାରତ ଗଠନ ଦିଗରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ପଦକ୍ଷେପ ଓ ସେବାମୂଳକ କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଥିବା ବେଳେ ଯାତ୍ରା ମାଧ୍ୟମରେ ଲୋକଙ୍କ ନିକଟରେ ସେବା ଓ ବିକାଶର ବାର୍ତ୍ତା ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ସଭାରେ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଦଳୀୟ କର୍ମକର୍ତ୍ତାଙ୍କ ସମେତ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ
Oct 7, 2026•21 views

ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

ବରଗଡ -ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ପରିସରରେ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ତଥା ସମ୍ବର୍ଦ୍ଧନା ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାନେତ୍ରୀ ଶ୍ରୀମତୀ କବିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ଷଡ଼ଙ୍ଗୀ ନିଜ ବକ୍ତବ୍ୟରେ ବରଗଡ଼ର ସମସ୍ତ ଲେଖକ ଓ ଲେଖିକାମାନଙ୍କୁ ଏକତାର ସୂତ୍ରରେ ଯୋଡ଼ିବା ପାଇଁ ଆଗାମୀ ଦିନରେ ଏକ ସ୍ୱତନ୍ତ୍ର କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଏଥିସହ ଲେଖିକାମାନଙ୍କର ଦୀର୍ଘ ବର୍ଷର ନିରବଚ୍ଛିନ୍ନ ସାହିତ୍ୟ ସାଧନା ତଥା ଜିଲ୍ଲାରେ ପରିଷଦର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିଥିବାରୁ ସେ ଭୂୟସୀ ପ୍ରଶଂସା କରିଥିଲେ। ଏହି ସମାରୋହରେ ମୁଖ୍ୟ ବକ୍ତା ଭାବେ କେନ୍ଦୁଝର ମହାବିଦ୍ୟାଳୟ ଶିକ୍ଷା ବିଭାଗର ଅଧ୍ୟାପକ ତଥା ସୁବକ୍ତା ଶ୍ରୀ ନରେନ୍ଦ୍ର ପଧାନ ଏବଂ ସ୍ୱତନ୍ତ୍ର ବକ୍ତା ଭାବେ ସରସରା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଶିକ୍ଷା ବିଭାଗ ଅଧ୍ୟାପକ ଶ୍ରୀ ଗୋପାଳ ଚନ୍ଦ୍ର ମିଶ୍ର ଯୋଗଦେଇ "ଗଙ୍ଗାଧର ସାହିତ୍ୟରେ ସନାତନ ଧର୍ମ" ଶୀର୍ଷକ ଉପରେ ସାରଗର୍ଭକ ଆଲୋଚନା ରଖିଥିଲେ। ସମ୍ମାନିତ ଅତିଥି ଭାବେ ବରଗଡ଼ ଜିଲ୍ଲା ଲେଖିକା ପରିଷଦର ଉପଦେଷ୍ଟା ଶ୍ରୀମତୀ ବୀଣାପାଣି ଆଚାର୍ଯ୍ୟ, ସୁନ୍ଦରଗଡ଼ ଫାର୍ମାସିଟିକାଲ ମହାବିଦ୍ୟାଳୟର ସମ୍ପାଦିକା ଶ୍ରୀମତୀ ସନ୍ତୋଷିନୀ କର୍ଣ୍ଣ ଏବଂ ଅତାବିରାର ଆଞ୍ଚଳିକ ଭଜନ ଗାୟିକା ଶ୍ରୀମତୀ ଝରଣା ମେହେର ମଞ୍ଚାସୀନ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ। ସଭା ଆରମ୍ଭରେ ସନ୍ଧ୍ୟାରାଣୀ ଆଚାର୍ଯ୍ୟ ଦୀପ ପ୍ରଜ୍ୱଳନ ମନ୍ତ୍ର ପାଠ କରିଥିବା ବେଳେ ସୁରେଶ୍ୱରୀ ପଣ୍ଡା ବେଦ ମନ୍ତ୍ର ଏବଂ ରୀନା ଚକ୍ରବର୍ତ୍ତୀ ଓ ମେଘମାଳା ଦାଶ ଗୀତାଶ୍ଳୋକ ଆବୃତ୍ତି କରିଥିଲେ। ସଙ୍ଗୀତ ନିର୍ଦ୍ଦେଶକ ଅମରେଶ ବାରିକଙ୍କ ନିର୍ଦ୍ଦେଶନାରେ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗଙ୍ଗାଧରଙ୍କ ଅମର ରଚନା "କିଏ ଗୋ ତୁ ଜ୍ୟୋତିର୍ମୟୀ..." ପ୍ରାରମ୍ଭିକ ସଙ୍ଗୀତ ରୂପେ ଭାବପୂର୍ଣ୍ଣ କଣ୍ଠରେ ଗାନ କରି ସମସ୍ତ ଦର୍ଶକଙ୍କୁ ଭାବପ୍ରବଣ କରିଦେଇଥିଲେ। ଏହାପରେ ଅତାବିରା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଆଲିଶା ମିଶ୍ରଙ୍କ ଦ୍ୱାରା ମନୋଜ୍ଞ ଓଡ଼ିଶୀ ନୃତ୍ୟ ଏବଂ ବରଗଡ଼ର 'ସାନ ଡାନ୍ସ ଏକାଡେମୀ'ର ଶିଶୁ କଳାକାରମାନଙ୍କ ଦ୍ୱାରା କଳାହାଣ୍ଡିଆ ନୃତ୍ୟ "ଡବ ଡବ ପାନି ଝରଣା ନାଳେ" ଦଳଗତ ଭାବେ ପରିବେଷିତ ହୋଇ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ସମାରୋହରେ ପରିଷଦର ସମ୍ପାଦିକା ତପସ୍ୱିନୀ ମହାପାତ୍ର ସ୍ୱାଗତ ଭାଷଣ ସହ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଉପ-ସଭାନେତ୍ରୀ ଅନସୂୟା ଦେବତା ସୁଚାରୁ ରୂପେ ମଞ୍ଚ ପରିଚାଳନା କରିଥିଲେ। ଟିଟିଲାଗଡ଼ ମହାବିଦ୍ୟାଳୟର ଅଧ୍ୟାପିକା ପୁନମ ମିତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ସାମ୍ବାଦିକତା ତଥା ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବରଗଡ଼ର ବରିଷ୍ଠ ସାମ୍ବାଦିକ ଶଙ୍କର ବଲ୍ଲଭ ମିଶ୍ରଙ୍କୁ "ସାମ୍ବାଦିକତା ଓ ମାଟିର ଗୌରବ ସମ୍ମାନ", ସୁରେନ୍ଦ୍ର ହୋତାଙ୍କୁ "ବରିଷ୍ଠ ସାମ୍ବାଦିକତା ଓ ସଂସ୍କୃତି ସେବା ସମ୍ମାନ", ଅଶୋକ ମିଶ୍ରଙ୍କୁ "ଅନନ୍ୟ କର୍ମବୀର ଓ ସାମ୍ବାଦିକ ଗୌରବ ସମ୍ମାନ" ଏବଂ ପ୍ରସନ୍ନ ମିଶ୍ର ଓ ପ୍ରଦୀପ୍ତ ଭାନୁ ମହାନ୍ତିଙ୍କୁ "ସାମ୍ବାଦିକ ଗୌରବ ସମ୍ମାନ" ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଷଦର ବରିଷ୍ଠା ସଭ୍ୟା ବାସନ୍ତୀ ଗୁରୁ ଓ ଛନ୍ଦା ମିଶ୍ର ମାନପତ୍ର ପାଠ କରିଥିଲେ। ଏହା ବ୍ୟତୀତ ବରପାଲିର ବନିତା ମେହେରଙ୍କ ଦ୍ୱାରା ରଚିତ ଭଜନମାଳା "ଅଲିଭା ଜ୍ୟୋତି"ର ଷଷ୍ଠ ସଂକଳନ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମର ଶେଷରେ ବୃନ୍ଦାବତୀ ମହାପାତ୍ର ସମସ୍ତଙ୍କୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।ସମାରୋହରେ ଅଞ୍ଚଳର ବହୁ ବିଶିଷ୍ଟ ବୁଦ୍ଧିଜୀବୀ, ସାହିତ୍ୟିକ, ସାମ୍ବାଦିକ ତଥା ପରିଷଦର ସଦସ୍ୟାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ବନ୍ତଳାରେ ଗୁଳିକାଣ୍ଡ, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
Oct 7, 2026•107 views

ବନ୍ତଳାରେ ଗୁଳିକାଣ୍ଡ, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ

ବନ୍ତଳା: ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ନିମସାହି ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟିଛି। ଗୁଳିମାଡ଼ରେ ବନ୍ତଳା ଗ୍ରାମର ଶରତ ଚନ୍ଦ୍ର ପ୍ରଧାନଙ୍କ ପୁଅ ଶୁସାନ୍ତ ପ୍ରଧାନ (୩୫) ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ବନ୍ତଳା ମେଡିକାଲ ଏବଂ ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଶୁସାନ୍ତଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ବନ୍ତଳା ପୁଲିସ ତଦନ୍ତ ଆରମ୍ଭ କରିଛି। କିଏ ଓ କେଉଁ କାରଣରୁ ଶୁସାନ୍ତଙ୍କୁ ଗୁଳି କରିଥିଲା, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ମିଳିନାହିଁ। ପୁଲିସର ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଓ ଅଭିଯୁକ୍ତଙ୍କ ସମ୍ପର୍କରେ ସ୍ପଷ୍ଟ ହେବ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ତୁରଙ୍ଗରେ ‘ଆଙ୍ଗନ୍ କା ଉତ୍ସବ’, ଅଙ୍ଗନୱାଡି ଓ ଆଶା କର୍ମୀଙ୍କ ସହ ‘ସେବା ସମ୍ବାଦ’
Oct 7, 2026•59 views

ତୁରଙ୍ଗରେ ‘ଆଙ୍ଗନ୍ କା ଉତ୍ସବ’, ଅଙ୍ଗନୱାଡି ଓ ଆଶା କର୍ମୀଙ୍କ ସହ ‘ସେବା ସମ୍ବାଦ’

ଅନୁଗୋଳ: ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁରଙ୍ଗ ଠାରେ “ସେବା ସଂକଳ୍ପ ଅଭିଯାନ” ଅବସରରେ ‘ଆଙ୍ଗନ୍ କା ଉତ୍ସବ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିବା ସହ ଅଙ୍ଗନୱାଡି ଓ ଆଶା କର୍ମୀ ତଥା ହିତାଧିକାରୀମାନଙ୍କ ସହ ‘ସେବା ସମ୍ବାଦ’ କରିଥିଲେ। ଶିଶୁ ଓ ମାଆମାନଙ୍କୁ ଅପପୁଷ୍ଟି ଏବଂ ରକ୍ତହୀନତାରୁ ରକ୍ଷା କରିବା ପାଇଁ ସଠିକ୍ ଆହାର, ସୁସ୍ଥ ଜୀବନଶୈଳୀ ଓ ପୋଷଣ ସଚେତନତାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପୋଷଣ ଅଭିଯାନର ବାର୍ତ୍ତା ଘରେ ଘରେ ପହଞ୍ଚାଇବା ସହ ଶିଶୁ ଓ ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି କହିଥିଲେ। ପ୍ରତ୍ୟେକ ଶିଶୁର ସୁସ୍ଥ ଶୈଶବ ହିଁ ସମୃଦ୍ଧ ଭାରତର ଭିତ୍ତି। ତେଣୁ ସାମୂହିକ ପ୍ରୟାସ ମାଧ୍ୟମରେ ପ୍ରତ୍ୟେକ ଶିଶୁର ଉଜ୍ଜ୍ୱଳ, ସୁସ୍ଥ ଓ ନିରୋଗ ଭବିଷ୍ୟତ ଗଢ଼ିବା ଆମ ସମସ୍ତଙ୍କ ସଂକଳ୍ପ ହେବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ସମେତ ବହୁ ଜନପ୍ରତିନିଧି ଓ କର୍ମୀ ଉପସ୍ଥିତ ଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ