Web News

ବ୍ରାହ୍ମଣୀରେ ବନ୍ୟା, ପାଞ୍ଚ ପଞ୍ଚାୟତର ଛଅ ଗ୍ରାମ ପାଣି ଘେରରେ ରିଲିଫ୍ ପାଇଁ ଦାବି,ବୁଦ୍ଧେଶ୍ୱର ମନ୍ଦିର ରାସ୍ତାରେ ବନ୍ୟାଜଳ
ଭୁବନ, ୧୭/୮: ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀରେ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ବନ୍ୟା ଆସିବାରୁ ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ୫ ପଞ୍ଚାୟତର ୬ ଗ୍ରାମ ପାଣି ଘେରରେ ରହିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଦୁର୍ଦ୍ଦଶା ଦୁଇଗୁଣିତ ହୋଇପଡ଼ିଛି। ଦୁଇ ଦିନ ହେଲା ୬ଟି ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି। ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହେବା ସହ ଚାଷଜମିରେ ବନ୍ୟାଜଳ ଜମି ରହିଥିବାରୁ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ପ୍ରସିଦ୍ଧ ଶୈବପୀଠ ବୁଦ୍ଧେଶ୍ୱର ମନ୍ଦିର ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ କାଉଡ଼ିଆ ମାନେ ବହୁ ହିନସ୍ତା ହୋଇ ଦୀର୍ଘ ପଥ ଅତିକ୍ରମ କରି ମନ୍ଦିରରେ ପହଞ୍ଚି ଜଳଲାଗି କରିଥିଲେ । ଭୂଷଳ ପଞ୍ଚାୟତର ଜୟପୁର, ଯମୁନାକୋଟର କୃଷ୍ଣପୁର, ବାଲିବୋ ପଞ୍ଚାୟତର କୁମର୍ଦ୍ଦା ଓ ଅରିଲୋ, ସୁରପ୍ରତାପପୁର ପଞ୍ଚାୟତର ପାଟପୁର ଏବଂ ଗଡ଼ନୃସିଂହପ୍ରସାଦ ପଞ୍ଚାୟତର କାଶୀପୁର ଗ୍ରାମ ସମ୍ପୂର୍ଣ ବନ୍ୟାଜଳ ଘେରରେ ରହିଛି। ଲୋକମାନେ ଘରୁ ବାହାରିବାକୁ ଅସମର୍ଥ ହୋଇଥିବା ବେଳେ ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟ ଯୋଗାଡ଼ ମଧ୍ୟ ଚିନ୍ତାର କାରଣ ପାଲଟିଛି। ମାଳପୁରା ଇନ୍ଟେକ୍ ରାସ୍ତା ବିପଦରେ ରହିଛି । ମାର୍ଥାପୁର ପଞ୍ଚାୟତର ମାଳପୁରା ଗାଁ ନିକଟରେ ଥିବା ଇନ୍ଟେକ୍ ୱେଲ୍କୁ ଯାଇଥିବା ରାସ୍ତା ଏବେ ବିପଦସଙ୍କୁଳ ହୋଇପଡ଼ିଛି। ବନ୍ୟାଜଳର ପ୍ରଖର ସ୍ରୋତରେ ରାସ୍ତାର ବିଭିନ୍ନ ସ୍ଥାନ କ୍ଷତିଗ୍ରସ୍ତ ହୋଇ ପଡ଼ିଛି । ମଠକରଗୋଲା ନିକଟରେ ରାମିଆଳ ନଦୀ ଗର୍ଭରେ ଥିବା ଏକ ଫାର୍ମହାଉସ୍ ବନ୍ୟାଜଳ ଘେରରେ ଫସିଯାଇଥିଲା ବେଳେ ସେଠାରେ ରହୁଥିବା ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କୁ ଅଗ୍ନିଶମ ବାହିନୀ ବୋଟ୍ ଯୋଗେ ଉଦ୍ଧାର କରି ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଥିଲା। ଯମୁନାକୋଟ-ମାର୍ଥାପୁର ପୂର୍ତ୍ତ ରାସ୍ତାରେ ଥିବା ନିଛା ପୋଲ୍ ଉପରେ ପ୍ରାୟ ୩ ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ଏବେ ବନ୍ୟାଜଳ ହ୍ରାସ ପାଇବା ପରେ ରାସ୍ତାର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ସ୍ପଷ୍ଟ ହୋଇଛି । ମହିମା ସେତୁରୁ ଗୋବିନ୍ଦପୁର ମାଳବନ୍ଧ ଦେଇ ଯାଇଥିବା ରାସ୍ତାର ରତାସାହି ନିକଟରେ ପୂର୍ତ୍ତ ରାସ୍ତା ଧସିପଡ଼ିଛି। ଅନ୍ୟପଟେ ଓଢଣା ଗ୍ରାମ ନିକଟରେ ମାଳବନ୍ଧ ଭାଙ୍ଗିଯାଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ବଢ଼ିଛି। ବନ୍ୟାର ପ୍ରଖର ସ୍ରୋତରେ ମାର୍ଥାପୁର ବ୍ରିଜ୍କୁ ଯାଇଥିବା ରାସ୍ତା ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଅନେକ ସ୍ଥାନରେ ମାଟି ଧୋଇଯିବା ସହ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଫଳରେ ଯାତାୟାତ ଓ ଦୈନନ୍ଦିନ ଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବ୍ଲକର ବିଭିନ୍ନ ଗ୍ରାମରେ ହଜାର ହଜାର ହେକ୍ଟର ଚାଷଜମି ବନ୍ୟାଜଳରେ ବୁଡ଼ି ରହିଛି। ଅନେକ ଦିନ ଧରି ପାଣିରେ ବୁଡ଼ି ରହିବାରୁ ଧାନ ଗଛ ପଚିବା ଆରମ୍ଭ ହୋଇଛି। ଚାଷୀମାନେ ଚାଷରେ ଖର୍ଚ୍ଚ କରିଥିବା ଟଙ୍କା ଫେରିପାଇବା ନେଇ ଚିନ୍ତାରେ ପଡ଼ିଛନ୍ତି। ତୁରନ୍ତ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ସରକାରୀ ସହାୟତା ଓ କ୍ଷତିପୂରଣ ଦେବାକୁ ଦାବି ହୋଇଛି। ସରକାରୀ ଅଧିକାରୀଙ୍କ ଅନୁପସ୍ଥିତି ନେଇ ଅସନ୍ତୋଷ ଦେଖାଦେଇଛି । ବନ୍ୟା ପ୍ରଭାବିତ ଗ୍ରାମଗୁଡ଼ିକରେ ନିୟମିତ ଭାବେ ସ୍ଥିତି ଅନୁଧ୍ୟାନ, ଲୋକଙ୍କୁ ଆବଶ୍ୟକ ସହାୟତା, ପଶୁଙ୍କ ପାଇଁ ଖାଦ୍ୟ ଏବଂ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଲାଇଫ ଜ୍ୟାକେଟ ପିନ୍ଧି ବୋଟ ରେ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଥିବା ବେଳେ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଜୟପୁର ଗ୍ରାମରେ ୧୨ କ୍ଵିଣ୍ଟାଲ ଗୋଖାଦ୍ୟ ଯୋଗାଇ ଦେଇଛନ୍ତି । ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ଥର ବନ୍ୟା ଯୋଗୁଁ ଭୁବନ ବ୍ଲକର ଅନେକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ରାସ୍ତା, ମାଳବନ୍ଧ, ପୋଲ ଓ ଚାଷଜମି ଜଳମଗ୍ନ ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି।
Dhenkanal (ଢେଙ୍କାନାଳ) • ସୁଶାନ୍ତ କୁମାର ପୋଥାଳ

କେଶପୁରରେ ବଜାର କମିଟି ଗଠିତ ବଜାରର ବିକାଶ ଓ ସମସ୍ୟା ସମାଧାନକୁ ଗୁରୁତ୍ୱ
ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କେଶପୁର ପଞ୍ଚାୟତରେ ବଜାର କମିଟି ଗଠନ ପ୍ରକ୍ରିୟା ଲକ୍ଷ୍ମୀନାରାୟଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେଶପୁର ବଜାରର ବହୁ ବ୍ୟବସାୟୀ ଓ ସ୍ଥାନୀୟ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ। ବୈଠକରେ ସର୍ବସମ୍ମତିକ୍ରମେ ରାଜୀବ କୁମାର ପାତ୍ରଙ୍କୁ ସଭାପତି, ସୁରେନ୍ଦ୍ରନାଥ ସାହୁଙ୍କୁ ଉପସଭାପତି, ପ୍ରତୀକ କିଶାନଙ୍କୁ ସମ୍ପାଦକ, ପ୍ରକାଶ ବିଶ୍ୱାଳଙ୍କୁ ସହସମ୍ପାଦକ ଏବଂ ଦୀପକ କୁମାର ସାହୁଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା। ଦୀନବନ୍ଧୁ ତରାଇଙ୍କୁ କମିଟିର ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି। ନବଗଠିତ ବଜାର କମିଟି ପକ୍ଷରୁ କେଶପୁର ବଜାରର ବିଭିନ୍ନ ସମସ୍ୟାର ସମାଧାନ ସହ ଏହାର ଉନ୍ନତିମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ବଜାରର ସ୍ୱଚ୍ଛତା, ମୌଳିକ ସୁବିଧା ଓ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଗାମୀ ଦିନରେ କମିଟି ଗୁରୁତ୍ୱ ଦେବ ବୋଲି କୁହାଯାଇଛି। କମିଟି ଗଠନରେ ଦୀନବନ୍ଧୁ ତରାଇଙ୍କ ସମେତ ଗୋଲଡେନ୍ ଟେଲର ଅର୍ଜୁନ ସାହୁ ଓ ଅନ୍ୟମାନେ ସହଯୋଗ କରିଥିଲେ। ଖଲ୍ଲିକୋଟ ସହର ନିକଟରେ ଜାତୀୟ ରାଜପଥ କଡ଼ରେ ଅବସ୍ଥିତ କେଶପୁର ବ୍ୟବସାୟିକ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଭାବେ ପରିଚିତ। ନୂତନ ବଜାର କମିଟି ଗଠନ ହେବା ପରେ ଅଞ୍ଚଳର ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। ଏଠାରେ ପ୍ରତିବର୍ଷ ଗଜଲକ୍ଷ୍ମୀ ପୂଜା ମଧ୍ୟ ଆୟୋଜିତ ହୋଇଥାଏ।
Ganjam (ଗଞ୍ଜାମ) • ରିପୋର୍ଟ: ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି

ଯାଜପୁରରେ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ :ରିଲିଫ୍ ଓ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି
ଯାଜପୁର, ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲା ଗସ୍ତରେ ଆସି ଦଶରଥପୁର ବ୍ଲକ୍ର କସପା ଓ ତରପଦା ପଞ୍ଚାୟତ ଅନ୍ତର୍ଗତ ବନ୍ୟା ପ୍ରଭାବିତ ଅଞ୍ଛଳ ପରିଦର୍ଶନ କରିବା ସହ ବନ୍ୟା ପରିସ୍ଥିତି ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଗସ୍ତ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ରାମଚନ୍ଦ୍ରପୁର, ବାଲଦା ଓ ଡୋଭାବିଲ୍ ଗ୍ରାମର ବନ୍ୟା ପ୍ରଭାବିତ ଲୋକଙ୍କୁ ସାକ୍ଷାତ କରି ସେମାନଙ୍କ ସମସ୍ୟା, ଆବଶ୍ୟକତା ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଭାବିତଙ୍କ ପାଇଁ ପ୍ରସ୍ତୁତ ରନ୍ଧା ଖାଦ୍ୟର ମାନ ଯାଞ୍ଚ କରିଥିଲେ। ଏଥିସହ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକୁ ତ୍ୱରିତ ଓ ପର୍ଯ୍ୟାପ୍ତ ରିଲିଫ୍ ସହାୟତା, ନିରାପଦ ପାନୀୟ ଜଳ ଏବଂ ଆବଶ୍ୟକ ସ୍ୱାସ୍ଥ୍ୟସେବା ନିରବଚ୍ଛିନ୍ନ ଭାବେ ଯୋଗାଇଦେବା ସହ ବନ୍ୟା ପରିସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଗସ୍ତ ଅବସରରେ ମାନ୍ୟବର ମନ୍ତ୍ରୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଶ୍ରୀ ସୁରେଶ ପୂଜାରୀ, ମାନ୍ୟବର ମନ୍ତ୍ରୀ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ମାନ୍ୟବର ମନ୍ତ୍ରୀ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଶ୍ରୀ ପ୍ରଦୀପ ବଳ ସାମନ୍ତ, ମାନ୍ୟବର ଲୋକସଭା ସାଂସଦ (ଯାଜପୁର) ଡଃ ରବିନ୍ଦ୍ର ନାରାୟଣ ବେହେରା, ଏବଂ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ମାନ୍ୟବର ବିଧାୟିକା, ବିଞ୍ଝାରପୁର ଶ୍ରୀମତୀ ପ୍ରମିଳା ମଲ୍ଲିକ, ମାନ୍ୟବର ବିଧାୟକ, ବଡ଼ଚଣା ଶ୍ରୀ ଅମର କୁମାର ନାୟକ, , ମାନ୍ୟବର ବିଧାୟକ, କୋରେଇ ଶ୍ରୀ ଆକାଶ ଦାସନାୟକ, ମାନ୍ୟବର ବିଧାୟକ, ଧର୍ମଶାଳା, ଶ୍ରୀ ହିମାଂଶୁ ଶେଖର ସାହୁ, ଏବଂ ମାନ୍ୟବର ବିଧାୟିକା, ଯାଜପୁର ଶ୍ରୀମତୀ ସୁଜାତା ସାହୁ ପ୍ରମୁଖ ସାମିଲ ଥିଲେ। ପ୍ରଶାସନିକ ସ୍ତରରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ,ଯାଜପୁର ଜିଲ୍ଲା ପାଇଁ ସ୍ୱତନ୍ତ୍ର ଦାୟିତ୍ୱରେ ଥିବା ଅବକାରୀ କମିଶନର, ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ (IAS), ଜିଲ୍ଲାପାଳ , ଯାଜପୁର, ଶ୍ରୀ ଅମ୍ବର କୁମାର କର, ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶପ୍ରତାପ ଶ୍ରୀମାଲ,ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ ଏବଂ ବିଭିନ୍ନ ବିଭାଗର ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ,ବିଡ଼ିଓ, ତହସିଲଦାର ସମାଜସେବୀ, ବୁଦ୍ଧିଜୀବୀ, ସ୍ଥାନୀୟ ଲୋକପ୍ରତିନିଧି ଏବଂ ବହୁ ସଂଖ୍ୟାରେ ସାଧାରଣ ଜନତା ଏହି ଗସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
Jajpur (ଯାଜପୁର) • ରିପୋର୍ଟ _ ନିରୋଜ କୁମାର ସେଠୀ

ମା ମନସା ଦେବୀଙ୍କ ନିକଟରେ ମାନବ ସମାଜର ମଙ୍ଗଳ କାମନା କଲେ ବିଧାୟକ ଶ୍ରୀ ଦୁର୍ଗା ତନ୍ତୀ
ରାଉରକେଲା : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ସେକ୍ଟର-୧୩/୧୪ ନିକଟରେ ଥିବା ଲୁଆକେରା ଗ୍ରାମରେ ଗ୍ରାମବାସୀଙ୍କ ଦ୍ବାରା ଆଜି ମା ମାନସା ଦେବୀଙ୍କ ପୂଜା ଆୟୋଜନ କରାଯାଇଥିଲା । ଏହି ପୂଜାରେ ଅନ୍ୟତମ କର୍ତ୍ତା ଭାବେ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ ନିଜ ଧର୍ମପତ୍ନୀ ସୁଚିତ୍ରା ତନ୍ତୀଙ୍କ ସହିତ ଯୋଗ ଦେଇ ପୂଜାର୍ଚ୍ଚନା କରିବା ସହିତ ମା ମନସା ଦେବୀଙ୍କ ନିକଟରେ ମାନବ ସମାଜର କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ ।
Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ବନ୍ୟାଞ୍ଚଳ ପରିଦର୍ଶନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ
ଭଦ୍ରକ/ଧାମନଗର: ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଥିବା ବେଳେ ଆଜି ଧାମନଗର ନିର୍ବାଚନମଣ୍ଡଳୀର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଉତ୍ସାହ ସହ ଆଶା ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶ୍ୟାମସୁନ୍ଦର ପଞ୍ଚାୟତର ଓରାଳୀ ଜଗ୍ରାମରେ ପହଞ୍ଚିଥିଲେ। ସେଠାରେ ମା’ ଗ୍ରାମଦେବତୀଙ୍କୁ ଦର୍ଶନ କରିବା ପରେ ବନ୍ୟା ପରିସ୍ଥିତିର ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ବୋଟ୍ ଯୋଗେ ବିଭିନ୍ନ ବନ୍ୟା ପ୍ରଭାବିତ ଗ୍ରାମକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ବନ୍ୟା ଯୋଗୁଁ ଲୋକମାନେ କେଉଁ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଖାଦ୍ୟ, ପାନୀୟ ଜଳ, ଚିକିତ୍ସା ଓ ଅନ୍ୟାନ୍ୟ ଆବଶ୍ୟକତା କିଭଳି ରହିଛି, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ପଚାରି ବୁଝିଥିଲେ। ଏଥିସହ ବନ୍ୟା ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଚାଲିଥିବା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ମଧ୍ୟ ସେ ଅବଗତ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଧାମନଗର ଅଞ୍ଚଳର ବିଧାୟକ, ସାଂସଦଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ ପୋଲିସ ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବନ୍ୟା ପ୍ରଭାବିତ ଲୋକଙ୍କ ନିକଟରେ ସରକାରୀ ସହାୟତା ଶୀଘ୍ର ପହଞ୍ଚାଇବା ଏବଂ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱର ସହ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ଏହି ଗସ୍ତରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ବନ୍ୟାଞ୍ଚଳ ପରିଦର୍ଶନ ଓ ଲୋକଙ୍କ ସହ ଆଲୋଚନାକୁ ସ୍ଥାନୀୟ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି। ବିପଦ ସମୟରେ ମୁଖ୍ୟମନ୍ତ୍ରୀ ନିଜେ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆସି ଲୋକଙ୍କ ସମସ୍ୟା ବୁଝିବା ଘଟଣା ସାଧାରଣ ଲୋକଙ୍କ ମନରେ ଆଶ୍ୱାସନା ସୃଷ୍ଟି କରିଛି।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

୬ ଲକ୍ଷ ଟଙ୍କାର ଚୋରୀ ଅଳଙ୍କାର ଜବତ ସହ ୨ ପେସାଦାର ଲୁଟେରା ଗିରଫ
ଜଗତପୁର: ଜଗତପୁର ଥାନା ପୋଲିସ ଏକ ପେସାଦର ଚୋର ରାକେଟର ପର୍ଦ୍ଦାଫାଶ କରି ୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୬ ଲକ୍ଷ ଟଙ୍କାର ଚୋରୀ ସୁନା ଓ ରୁପା ଅଳଙ୍କାର ଜବତ କରିଛି l ଗିରଫ ଅଭିଯୁକ୍ତ କେନ୍ଦୁଝର ଟମକା ଥାନା ଅନ୍ତର୍ଗତ ବଗପାଟିଆର ରବୀନ୍ଦ୍ର ପାତ୍ର (୩୦) ଓ ଯାଜପୁର ରୋଡ଼ ଲକ୍ଷ୍ମୀନଗରର କ୍ରିଷ୍ଣା ଦାସ (୨୭) l ଏସିପି ଅରୁଣ ସ୍ବାଇଁଙ୍କ ସୂଚନା ମୁତାବକ ଗତ ୧୧ ତାରିଖରେ ତରୋଳ ରମାଦେବୀ ନଗରର ଭାସ୍କର ପାଢ଼ୀ ତାଙ୍କ ଦୋକାନ ଯାଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଅନୁପସ୍ଥିତିର ସୁଯୋଗରେ ତାଙ୍କ ଘରେ ପଶି ଆଲମିରା ଭାଙ୍ଗି ଆଲମିରାରେ ଥିବା ସୁନା ଓ ରୁପା ଅଳଙ୍କାର ଚୋରି କରିନେଇଥିଲେ l ଶ୍ରୀ ପାଢ଼ୀ ଏନେଇ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା l ପୂର୍ବରୁ ଏହି ଏକା ପ୍ରକାର ଚୋରି ନେଇ ଏକାଧିକ ଅଭିଯୋଗ ହୋଇଥିଲା l ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା l ଏଥିସହିତ ଫୋରେନସିକ ଟିମର ସହାୟତା ନିଆଯାଇଥିଲା l ସିସିଟିଭି ଫୁଟେଜ ସଂଗ୍ରହ କରାଯିବା ସହ ସ୍ଥାନୀୟ ଗୁପ୍ତ ସୂତ୍ର ଆଧାରରେ ଅଭିଯୁକ୍ତଙ୍କ ସନ୍ଧାନ ପାଇ ସେମାନଙ୍କୁ ଗିରଫ କରାଯାଇଥିଲା | ସେମାନଙ୍କ ଠାରୁ ସୁନା ହାର, ଚେନ, ମୁଦି, ଚୁଡ଼ି, ବ୍ରେସଲେଟ, ପାଉଁଜି ଓ ଅଣ୍ଟା ଚେନ ଆଦି ଜବତ କରିଛି l ଜବତ ସାମଗ୍ରୀର ମୂଲ୍ୟ ୬ ଲକ୍ଷରୁ ଅଧିକ ହେବ ବୋଲି ପୁଲିସ ଆକଳନ କରିଛି l ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସିପି ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି l ଅଭିଯୁକ୍ତ କ୍ରିଷ୍ଣା ନାମରେ ଯାଜପୁର ରୋଡ ଥାନାରେ ୧୮ଟି, କୋରେଇ ଥାନାରେ ୫ଟି ଓ ଜଗତପୁର ଥାନାରେ ୩ଟି ମାମଲା ରହିଥିବା ବେଳେ ଅଭିଯୁକ୍ତ ରବିନ୍ଦ୍ର ନାମରେ ଯାଜପୁର ରୋଡ ଥାନାରେ ୮ଟି, କୋରେଇ ଥାନାରେ ୧ଟି ଓ ଜଗତପୁର ଥାନାରେ ୩ଟି ମାମଲା ରହିଥିବା ପୁଲିସ ସୂଚନା ଦେଇଛି |
Cuttack (କଟକ) • ରିପୋର୍ଟ:ସୁରେନ୍ଦ୍ର ଜେନା, କଟକ

ସହରର ଲୋକଙ୍କ ସମସ୍ୟାକୁ ନେଇ ସି ଜି ଏମଙ୍କ ସହିତ ସାକ୍ଷାତ କଲେ ବିଧାୟକ
ରାଉରକେଲା : ସମ୍ପ୍ରତି ସହରରେ ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ନାଳ ନାର୍ଦ୍ଦମାରେ ବର୍ଷା ଜଳ ଜମି ରହିଯିବା କାରଣରୁ ନାଳ ପାଣି ସବୁ ଲୋକଙ୍କ ଘର ଭିତରେ ପଶି ଯାଇଥିଲା । ଯେଉଁଥିପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହାସର ଏକମାତ୍ର କାରଣ ବର୍ଷା ଜଳ ନିଷ୍କାସନ ପାଇଁ ଅତୀତରେ ଥିବା ବ୍ୟବସ୍ଥା ସମ୍ପୁର୍ଣ୍ଣ ଭୁଶୁଡି ପଡିଛି । ଏସବୁ ସମସ୍ୟାର ସମାଧାନ ପାଇଁ ଆଜି ମଧ୍ୟାହ୍ନରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଟାଉନ ଇଞ୍ଜିନିୟରିଙ୍ଗ ବିଭାଗର ସି ଜି ଏମ ଚନ୍ଦ୍ରମୋହନ ଚୁଗଙ୍କୁ ସାକ୍ଷାତ କରି ପ୍ରବଳ ବର୍ଷା ଯୋଗୁଁ ଇସ୍ପାତ ସହରାଞ୍ଚଳରେ ଥିବା ସେକ୍ଟର-୧,୨,୬,୧୫,୧୩,୧୪,୧୫, ୧୬ ସମେତ ଅନ୍ୟାନ୍ୟ ସେକ୍ଟର ଏବଂ ଏହାର ଆଖପାଖରେ ଥିବା ଏକାଧିକ ବସ୍ତି,ଗୋଲ ଘର,ନୂଆ ହିଲଟପ ବସ୍ତି,ଆଜାଦ ବସ୍ତି,ଦକ୍ଷିଣ ରାଉରକେଲା,ସେକ୍ଟର-୨୨,ସେକ୍ଟର-୬ ଅଞ୍ଚଳରେ ଥିବା ମୁଣ୍ଡାରୀ ବସ୍ତି,ପାହାଡ଼ପୁର ବସ୍ତି, ଲୁଆକେରା,ତୁମକେଲା,ବିଶ୍ରା ବନ୍ଧମୁଣ୍ଡା ରାସ୍ତା ଏବଂ ଇସ୍ପାତ ସହରାଞ୍ଚଳରେ ଥିବା ରାସ୍ତାର ଅବସ୍ଥା ସମ୍ବନ୍ଧରେ ଆଲୋଚନା କରିଥିଲେ । ସମସ୍ୟାର ସମାଧାନ ପାଇଁ ଡ୍ରେନେଜ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ରିଙ୍ଗ ରୋଡ଼ରେ ଜଳ ନିଷ୍କାସନ ପାଇଁ ପୂର୍ବ ପରି ରାସ୍ତାର ଉଭୟ ପାର୍ଶ୍ଵରେ ବର୍ଷା ଜଳ ନିଷ୍କାସନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ଉପରେ ବିଧାୟକ ଶ୍ରୀ ତନ୍ତୀ ଗୁରୁତ୍ୱାରୋପ ଦେଇଥିଲେ । ବିଧାୟକଙ୍କ ସହ ଆଲୋଚନା ବେଳେ ଇସ୍ପାତ ସହରାଞ୍ଚଳରେ ଥିବା ସମସ୍ତ ବସ୍ତିକୁ ୪ଟି ଯୋନରେ ବିଭକ୍ତ କରି ବସ୍ତିର ସମସ୍ୟାର ସମାଧାନ ପାଇଁ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇ ଟେଣ୍ଡର ହୋଇଛି । ବର୍ଷା କମିଲେ କାର୍ଯ୍ୟ ପ୍ରାରମ୍ଭ ହେବ ବୋଲି ସିଜିଏମ ଶ୍ରୀ ଚୁଗ ବିଧାୟକ ଶ୍ରୀ ତନ୍ତୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଆଜିର ଏହି ଆଲୋଚନା ସମୟରେ ବିରମିତ୍ରପୁ ର ପୂର୍ବତନ ବିଧାୟକ ଶଙ୍କର ଓରାମଙ୍କ ସହିତ ଭାରତୀୟ ଜନତା ପାର୍ଟିର ବହୁ ନେତା ଓ କର୍ମୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।
Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ସ୍ବାଧୀନତା ସଂଗ୍ରାମରେ ସାହିତ୍ୟିକଙ୍କ ଅବଦାନ ସମ୍ପର୍କରେ ଆଲୋଚନାଚକ୍ର
ରାଉରକେଲା: ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସାରନଗରୀ ଶାଖା ଓ ଫର୍ଟିଲାଇଜର ସ୍ଥିତ ଚିନ୍ମୟ ଏକାଡେମୀ ର ମିଳିତ ଆନୁକୂଲ୍ୟରେ ସ୍ବାଧୀନତା ସଂଗ୍ରାମରେ ସାହିତ୍ୟିକଙ୍କ ଅବଦାନ ସମ୍ପର୍କରେ ଏକ ବୈ।ଦ୍ଧିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଶାଖାର କାର୍ଯ୍ୟକାରୀ ସଭାପତି ଡ ତ୍ରିନାଥ ଦାଶ ମୋହିନୀଙ୍କ ସଭାପତିତ୍ବ, ସହ ସମ୍ପାଦିକା ଶ୍ବେତାଲିନା ଶତପଥୀ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଉରକେଲା କଲେଜର ଓଡ଼ିଆ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ବିଷୟ ବିଶେଷଜ୍ଞ ଭାବେ ଶିକ୍ଷାବିତ୍ ଶାନ୍ତନୁ ମୁଦୁଲି, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଆଦିତ୍ୟ କୁମାର ଷଡଙ୍ଗୀ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ। ପ୍ରାରମ୍ଭରେ ଶାଖାର ସଭାପତି ଗାନ୍ଧୀ ମହାବିଦ୍ୟାଳୟର ବରିଷ୍ଠ ଓଡ଼ିଆ ବିଭାଗର ମୁଖ୍ୟ ଡ ସୁରେନ୍ଦ୍ର କୁମାର ବେହେରା ଅତିଥି ମାନଙ୍କ ପରିଚୟ ଓ ଆଲୋଚନା ପ୍ରସଙ୍ଗରେ ମତ ରଖି କହିଲେ ଯେ ସାହିତ୍ୟ ହେଉଛି ଆଗ୍ରହ, ଆକାଂକ୍ଷା ଓ ସ୍ବପ୍ନ। ଏହା ସହ ସେ ବିଭିନ୍ନ ସାହିତ୍ୟିକଙ୍କ ସ୍ବାଧୀନତା ସଂଗ୍ରାମରେ ଅବଦାନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ବିଷୟ ବିଶେଷଜ୍ଞ ଶ୍ରୀ ମୁଦୁଲି ତାଙ୍କ ବକ୍ତବ୍ୟରେ କହିଲେ ଯେ ସାହିତ୍ୟ ଏକ ବିରାଟ ସମୁଦ୍ର। ଖଣ୍ଡା ଓ କଲମ ମଧ୍ୟରେ ତୁଳନାତ୍ମକ ଚିତ୍ର ପ୍ରଦାନ କରିବା ସହ ଯୁଗଯୁଗ ଧରି ସାହିତ୍ୟିକ ମାନେ ସମାଜକୁ ସଂସ୍କାରିତ କରିବା ପାଇଁ କଲମ ଚାଳନା କରିଛନ୍ତି ଓ ମଣିଷ କୁ ମଣିଷ ଭଳି ତିଆରି କରିବାରେ ସାହିତ୍ୟର ଆବଶ୍ୟକତା ତଥା ବିଭିନ୍ନ ସାହିତ୍ୟିକ,କବି ଙ୍କ ବିଭିନ୍ନ ଉକ୍ତି ସହ ତତ୍କାଳୀନ ସମୟରେ କିପରି ଜନମାନସକୁ ପ୍ରେରିତ କରିଥିଲା ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟଅତିଥି ଶ୍ରୀ ପାଟ୍ଟଶାଣୀ ମା, ମାତୃଭୂମି,ସ୍ବର୍ଗ ତଥା ବିଦ୍ରୋହ କିପରି ଚାଷ ଜମିରୁ ଆରମ୍ଭ ହୋଇଥିଲା ଓ ୧୯୨୦ ରୁ ଓଡ଼ିଆ ମାନେ କିପରି ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସଭାପତିତ୍ବ କରୁଥିବା ଡ ଦାଶ ମୋହିନୀ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ ବିଶ୍ବରେ ଯେତେ ବିପ୍ଳବ ହୋଇଛି, ସେଥିରେ ସାହିତ୍ୟ ଓ ସାହିତ୍ୟିକଙ୍କ ଭୂମିକା ତଥା ସେମାନଙ୍କ ଲେଖନୀ ଦେଶବାସୀଙ୍କୁ ପ୍ରେରଣା ଯୋଗାଇଛି। ସମ୍ମାନିତ ଅତିଥି ଶ୍ରୀ ଷଡ଼ଙ୍ଗୀ ଗୋପବନ୍ଧୁଙ୍କ ବନ୍ଦିର ଆତ୍ମକଥା ଓ ଉପସଭାପତି ସୁବାସ ଚନ୍ଦ୍ର ପାତ୍ର ପ୍ରାକ୍ କଥନ ସହ ବିଭିନ୍ନ ସାହିତ୍ୟିକଙ୍କ ସମ୍ପର୍କରେ ଆଲୋଚନା କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଅନ୍ୟତମ ସହ ସମ୍ପାଦିକା ଶୁଚିସ୍ମିତା ପଣ୍ଡାଙ୍କ ସଂଯୋଜନାରେ ସର୍ବଶ୍ରୀ ସାହିଲ ପ୍ରଧାନ, କୁଞ୍ଜବିହାରୀ ରାଉତ, ସୁବର୍ଣ୍ଣ ଦତ୍ତ, ବୀଣାପାଣି ସାହୁ, ଆଦିତ୍ୟ କୁମାର ଷଡଙ୍ଗୀ,ଶ୍ବେତଲିନା ଶତପଥୀ ଓ ଶୁଚିସ୍ମିତା ପଣ୍ଡା ପ୍ରମୁଖ ଦେଶାତ୍ମବୋଧକ ଓ ବର୍ଷା ସମ୍ପର୍କିତ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରତିଭା ଦାଶ ମୋହିନୀ, ଜୟନ୍ତୀ ସମାସୀ, ମଧୁସ୍ମିତା ମାର୍ଥା, ରଶ୍ମିତା ବଢ଼େଇ, ବିଷ୍ଣୁପ୍ରିୟା ରାଉତ, ରବିନ୍ଦ୍ରନାଥ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ରାଉରକେଲା ମହାନଗର ସଂଗଠନ ସମ୍ପାଦକ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ଅଙ୍ଗନବାଡି କର୍ମୀଙ୍କ ଦାବି ନେଇ BMSର ପ୍ରତିବାଦ
ଖୋର୍ଦ୍ଧା: ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ମାନଦେୟ ବୃଦ୍ଧି, ସରକାରୀ କର୍ମଚାରୀର ମାନ୍ୟତା, ପେନସନ, ଅବସରକାଳୀନ ସହାୟତା ଓ ସାମାଜିକ ସୁରକ୍ଷା ଭଳି ବିଭିନ୍ନ ଦାବି ନେଇ ଖୋର୍ଦ୍ଧାରେ ଭାରତୀୟ ମଜଦୁର ସଂଘ (BMS) ପକ୍ଷରୁ ପ୍ରତିବାଦ ଦିବସ ପାଳିତ ହୋଇଛି।ଏହି ଅବସରରେ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ଏବଂ ସରକାରଙ୍କ ପୂର୍ବ ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବାକୁ BMS ପକ୍ଷରୁ ଦାବି କରାଯାଇଥିଲା। ପରେ ଏନେଇ ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ଅଧିକାର ଏବଂ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ସହ ଦାବିଗୁଡ଼ିକ ଶୀଘ୍ର ପୂରଣ କରିବାକୁ BMS ଦାବି କରିଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଆନ୍ତଃ ବିଦ୍ୟାଳୟ ଚେସ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ
ରାଉରକେଲା: ସିନିଅର ସିଟିଜେନ ସୋସାଇଟି ର ଗୃହଲକ୍ଷ୍ମୀ ତରଫରୁ ଦ୍ବିଦିବସୀୟ ଆନ୍ତଃ ବିଦ୍ୟାଳୟ ଚେସ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ଗୈ।ରାଙ୍ଗ ସେଠୀଙ୍କ ଆବାହକତ୍ୱ ରେ ତଥା ସେକ୍ଟର ୧୮ ସ୍ଥିତ ଗୁରୁ ତେଗବାହାଦୂର ପବ୍ଲିକ ସ୍କୁଲ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ସୁରେଶ ପ୍ରଧାନ ଅତିଥି ଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୁକ୍ତିକାନ୍ତ ବେହେରା,ଗ୍ରେସୀ ଡେଭିଡ, କୁଞ୍ଜବିହାରୀ ରାଉତ, ଅଶୋକ ରାଉତ,ସୁଚିସ୍ମିତା ରାଉତ ଓ ବାଇନ ସାହୁ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ଅନୁଷ୍ଠାନର ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ପ୍ରାୟ ଦୁଇ ଶହ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କୁ ଅଣ୍ଡର ୭,୯,୧୧,୧୩,୧୫ ବର୍ଷରେ ବିଭକ୍ତ କରାଯାଇ ପ୍ରତିଯୋଗିତା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଗୁରୁଦ୍ୱାରା କମିଟିର ସର୍ଦ୍ଦାର ବଲବିନ୍ଦର ସିଂ, ସର୍ଦ୍ଦାର ଯୋଗେନ୍ଦ୍ର ସିଂ ଓ ଅନୁଷ୍ଠାନର ସୁବାସିନୀ ବିଶ୍ବାଳ,ଶୁକମତୀ ସୋରେନ, ଉର୍ମିଳା ଡାଳୁଆ, ମୀନାକ୍ଷୀ ଓଝା, ପ୍ରଶ୍ମିତା ସାହୁ, ସବିତା ରାଉଳ, ସୁଦାମ ବେହେରା, ନରେନ୍ଦ୍ର ସିଂ କାହ୍ଲା, ଜଗଦୀଶସ୍ବରୀ ଦାସ, ସୁଲୋଚନା ଓଝା ଓ ଟୁର୍ଣ୍ଣାମେଣ୍ଟ ପରିଚାଳନା ରେ ଜେ ଆର ଏମ୍ ବେହେରା,ଗୁରୁନାଥ ପ୍ରଧାନ, ସୁଶାନ୍ତ କୁମାର ଦାସ,ପି କେ ସାହୁ,ସାମୁ ହେମ୍ରମ,ପି କେ ବିଶୋଇ, ଶ୍ରଦ୍ଧାଞ୍ଜଳି ବାରିକ ପ୍ରମୁଖ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ ଆସନ୍ତା ୨୨ ଓ ୨୩ ତାରିଖ ଦିନ ସେହି ବିଦ୍ୟାଳୟ ଠାରେ ଡ୍ରଇଂ, ପେଣ୍ଟିଂ, ବତ୍କୃତା ଓ ଆଙ୍କରିଂ ପ୍ରତିଯୋଗିତା କରାଯିବ। ଏହି ସମସ୍ତ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅନୁଷ୍ଠାନର ବାର୍ଷିକୋତ୍ସବ ରେ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ମୁଖ୍ୟ ଶ୍ରୀ ସେଠୀ ସୂଚନା ଦେଇଛନ୍ତି।
Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ବିଭିନ୍ନ ଦାବି ନେଇ ଭାରତୀୟ ମଜଦୁର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ
ଶ୍ରମିକ ଏବଂ କର୍ମଚାରୀଙ୍କ ଦୀର୍ଘଦିନର ଦାବିଗୁଡ଼ିକୁ ସମାଧାନ କରାଯାଉ : ଭାରତୀୟ ମଜଦୁର ସଂଘ ରାଉରକେଲା ୧୭/୮, ବିଭିନ୍ନ ଦାବି ନେଇ ଆଜି ଭାରତୀୟ ମଜଦୁର ସଂଘ ପକ୍ଷରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉଦ୍ଦେଶ୍ଯରେ ଏକ ସ୍ମାରକପତ୍ର ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଗତ ୨୦୨୬ ଜୁଲାଇ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଞ୍ଚିଠାରେ ଅନୁଷ୍ଠିତ ଭାରତୀୟ ମଜଦୁର ସଂଘ (BMS)ର ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତି ବୈଠକରେ, ସଂଗଠିତ ଓ ଅସଂଗଠିତ ଶ୍ରମିକମାନଙ୍କର ଦୀର୍ଘଦିନର ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ତଥା ସରକାରଙ୍କ ଦୃଷ୍ଟିଗୋଚର କରିବା ଉଦ୍ଦେଶ୍ୟରେ ୨୦୨୬ ଅଗଷ୍ଟ ୧୭ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନପାଇଁ ଆହ୍ୱାନ କରାଯାଇଥିଲା। ଏଥିରେ ଉତ୍ଥାପିତ ଦାବିଗୁଡ଼ିକ କେବଳ ମଜୁରୀ କିମ୍ବା ସେବା ସର୍ତ୍ତାବଳୀ ମଧ୍ୟରେ ସୀମିତ ନୁହେଁ। ଏଥିରେ ସାମାଜିକ ସୁରକ୍ଷା, ଶ୍ରମର ମର୍ଯ୍ୟାଦା, ଶ୍ରମିକ ସ୍ଵାର୍ଥରକ୍ଷା, ଉଚିତ ପାରିଶ୍ରମିକ, ନିରାପଦ କାର୍ଯ୍ୟ ପରିବେଶ, କର୍ମଚାରୀ ଓ ସେମାନଙ୍କ ପରିବାରର ଆର୍ଥିକ ସୁରକ୍ଷା ସହିତ ଜଡ଼ିତ ଭାରତୀୟ ମଜଦୁର ସଂଘ ପକ୍ଷରୁ ତ୍ବରିତ ସମାଧାନ କରାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ଦାବିଗୁଡିକ ମଧ୍ୟରେ ରହିଛି ଅଙ୍ଗନୱାଡି ଏବଂ ଆଶା କର୍ମୀମାନଙ୍କୁ କର୍ମଚାରୀ ମାନ୍ୟତା ସହିତ ସମ୍ମାନଜନକ ବେତନ ପ୍ରଦାନ। ଆଶା କର୍ମୀମାନଙ୍କୁ ପ୍ରସୂତିକାଳୀନ ଛୁଟି ପ୍ରଦାନ ସହିତ ପୂର୍ଣ୍ଣ ଦେୟ ପ୍ରଦାନ କରିବାର ନୀତି ପ୍ରଣୟନ କରିବା। ନିର୍ବାଚନ ପ୍ରତିଶୃତି ମୁତାବକ ଯଥାଶୀଘ୍ର ଅଙ୍ଗନୱାଡି ଓ ଆଶା କର୍ମୀଙ୍କ ମାନଦେୟ ବୃଦ୍ଧି କରାଯିବାକୁ ଦାବି କରାଯାଇଛି। ଚୁକ୍ତି ଭିତ୍ତିକ ଓ ଠିକା କର୍ମଚାରୀଙ୍କ ସମେତ ସମସ୍ତ କର୍ମଚାରୀଙ୍କ ପାଇଁ ସମାନ କାମ ପାଇଁ ସମାନ ଦରମା ଲାଗୁ କରାଯିବାକୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ବୃଦ୍ଧି ପାଉଥିବା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ସହିତ ତାଳଦେଇ ସର୍ବନିମ୍ନ ମଜୁରୀ ୩୦,୦୦୦ ଟଙ୍କାକୁ ବୃଦ୍ଧି କରାଯିବାକୁ ଏଥିରେ ଉଲ୍ଲେଖ କରାଯାଇଛି। ଇପିଏସ୍ - ୯୫(EPS - 95) ଅନ୍ତର୍ଭୁକ୍ତ ନ୍ୟୁନତମ ପେନସନକୁ ମାସିକ ୧୧,୦୦୦ରୁ ୧୭,୫୦୦ ଟଙ୍କାକୁ ବୃଦ୍ଧିକରିବା ସହିତ ମହଙ୍ଗା ଭତ୍ତା (VDA) ଯୋଡ଼ିବା ଏବଂ ଏହାକୁ ଆୟୁଷ୍ମାନ ଭାରତ ଯୋଜନା ସହିତ ସଂଯୋଗ କରାଯିବା ପାଇଁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ଇପିଏଫ୍, ଇଏସ୍ଆଇସି ଏବଂ ବୋନସ ଗଣନା ଅଧୀନରେ ଥିବା ସମସ୍ତ ସୀମା (Ceiling Limits)କୁ ଦ୍ବିଗୁଣିତ କରାଯିବାକୁ ଦାବି କରାଯାଇଛି। ପୁରୁଣା ପେନସନ ଯୋଜନା (OPS) ର ପୁନଃ ପ୍ରଚଳନ ସହିତ ଗ୍ରାଚ୍ୟୁଇଟି ଗଣନାକୁ ୧୫ ଦିନର ମଜୁରୀ, ବଦଳରେ କୌଣସି ସୀମାରେଖା ନରଖି ୩୦ଦିନର ମଜୁରୀକୁ ବୃଦ୍ଧି କରାଯିବା ପାଇଁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ସେହିପରି ଶ୍ରମ ସଂହିତା (Labour Codes)ରେ ଥିବା ସମସ୍ତ ଶ୍ରମିକ-ବିରୋଧୀ ନିୟମକୁ ହଟାଇବା ପାଇଁ ଆବଶ୍ୟକୀୟ ସଂଶୋଧନ କରାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ଓଡିଶାର ବିଭିନ୍ନ ଉଦ୍ୟୋଗରେ ହୋଇଥିବା ବେଆଇନ୍ ଛଟେଇ ସବୁକୁ ପ୍ରତ୍ୟାହାର କରି ପୁନଃ ନିଯୁକ୍ତି ପ୍ରଦାନ କରାଯିବାକୁ ଦାବି କରାଯାଇଛି। ଦାବିଗୁଡ଼ିକର ସମାଧାନ କେବଳ କର୍ମଚାରୀଙ୍କ ଜୀବନ ଧାରଣ ଏବଂ କାର୍ଯ୍ୟ ପରି ଦେଶରେ ସୁଧାର ଆଣିବ ନାହିଁ, ବରଂ କର୍ମଚାରୀ, ମାଲିକ ଏବଂ ସରକାରଙ୍କ ମଧ୍ୟରେ ଶିଳ୍ପ କ୍ଷେତ୍ରରେ ସୌହାର୍ଦ୍ଦ ଓ ଉତ୍ପାଦନ ଶୀଳତାକୁ ମଧ୍ୟ ସୁଦୃଢ଼ କରିବା ସହିତ ସୁସ୍ଥ ବାତାବରଣ ଫେରାଇ ଆଣିବ ବୋଲି ଭାରତୀୟ ମଜଦୁର ସଂଘ ପକ୍ଷରୁ ଆଶାପୋଷଣ କରାଯାଇଛି। ଆଜି ଭାରତୀୟ ମଜଦୁର ସଂଘ ପକ୍ଷରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ର ପ୍ରଦାନ ସମୟରେ ଜ଼ିଲ୍ଲା ପ୍ରଭାରୀ ରାଜେନ୍ଦ୍ର ନାଥ ମହାନ୍ତ, ଜ଼ିଲ୍ଲା ସମ୍ପାଦକ ଅମର ଭୂୟାଁ, ଜ଼ିଲ୍ଲା ସଭାପତି ସଂଯୁକ୍ତା କାଲୋ, ଇସ୍ପାତ ସହ ଉଦ୍ୟୋଗ ପ୍ରଭାରୀ ହିମାଂଶୁ ଶେଖର ବଳ, ଭାରତୀୟ ମଜଦୁର ସଂଘ ରାଜ୍ୟ ସଭାପତି ବାଦଲ ମହାରଣାଙ୍କ ସମେତ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ସମିତା ମିଶ୍ରଙ୍କ ନେତୃତ୍ୱରେ ରାଉରକେଲା ଅତିରିକ୍ତ ଜ଼ିଲ୍ଲାପାଳଙ୍କୁ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଜ଼ିଲ୍ଲାରେ କାର୍ଯ୍ୟରତ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ, ରାଉରକେଲା ଇସ୍ପାତ ଠିକା ମଜ଼ଦୂର ସଂଘ, ମୋଟର କର୍ମଚାରୀ ସଂଘ, ରାଉରକେଲା ଅଟୋ ମଜ଼ଦୂର ସଂଘ, ବୀରମିତ୍ରପୁର ଖଣି ମଜ଼ଦୂର ସଂଘ, ଗାଙ୍ଗପୁର ଶ୍ରମିକ ସଂଘ, ଅଲ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କରସ ଆସୋସିଏସନ, ଓଡିଶା ଆଶା କର୍ମଚାରୀ ସଙ୍ଘ, ଓଡିଶା ନିର୍ମାଣ ମଜ଼ଦୂର ସଂଘର ହଜାର ହଜାର କାର୍ଯ୍ୟକର୍ତ୍ତା ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରୁ ଶାନ୍ତିପୁର୍ଣ ଭାବେ ଏକ ଶୋଭାଯାତ୍ରାରେ ଯାଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ଆନ୍ଦୋଳନରେ ବିମଳା ଲାକ୍ରା, ସୁନନ୍ଦା ନାଥ, ସଂଜୀବ ପତି, ମାନସ ଦାସ, ନିରଞ୍ଜନ ପଟେଲ,ଅମର ଯୈସ୍ୱଲ, ଦୀନବନ୍ଧୁ ପାତ୍ର, କାଳିଚରଣ ଦାସ, ପ୍ରଦୀପ ସାହୁ, ପିନାକୀ ମହାନ୍ତି, ରାଜେଶ ଦାସ, ସତ୍ୟାନନ୍ଦ ଦାଶ, ଉମାକାନ୍ତ ସାମଲ, ଲଳିତ ସୁନ୍ଦର ଜେନା, ଜୟ ପ୍ରକାଶ ସ୍ୱାଇଁ, ପ୍ରବୀର ସ୍ୱାଇଁ, ସୁଶୀଲ ସେଠି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ
ମଧ୍ୟସ୍ଥତା' ମାଧ୍ୟମରେ ମାମଲାର ସମାଧାନ ପାଇଁ ଦେଶବ୍ୟାପୀ ନୂତନ ଅଭିଯାନ-ଦେଶ ନିମନ୍ତେ "ମଧ୍ୟସ୍ଥତା ୩.୦
ବରଗଡ "ମଧ୍ୟସ୍ଥତା' ମାଧ୍ୟମରେ ଉଚ୍ଚ ନ୍ୟାୟାଳୟ, ଜିଲ୍ଲା ଅଦାଲତ ଓ ତାଲୁକ ସ୍ତରର ଅଦାଲତରେ ଥିବା ସମସ୍ତ ବିଚାରଧୀନ ମାମଲା ଗୁଡିକର ସରଳ ଓ ସହଜ ସମାଧାନ ନିମନ୍ତେ ସମଗ୍ର ଦେଶରେ ତା. ୦୧.୧୦.୨୦୨୬ ଠାରୁ ତୃତୀୟଥର ପାଇଁ ଆଉ ଏକ ନୂତନ ଅଭିଯାନ ଚଲୁ ହେବାକୁ ଯାଉଅଛି । ଏହା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବରଗଡ଼ ସମେତ ତାଲୁକ ଆଇନସେବା କାର୍ଯ୍ୟାଳୟ ପଦ୍ମପୁର, ସୋହେଲା, ବରପାଲି ଓ ଭେଡେନ ପରିସରରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀ ବିଭୂତି ଭୁଷଣ ନାୟକ ସୂଚନା ଦେଇଛନ୍ତି । ଉକ୍ତ ମଧ୍ୟସ୍ଥତା କାର୍ଯ୍ୟକ୍ରମ ମାଧ୍ୟମରେ କୋର୍ଟରେ ବିଚାରଧୀନ ଥିବ ସମସ୍ତ ପାରିବାରିକ ବିବାଦ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଚେକ୍ ବାଉନ୍ସ ମାମଲା, ରଫାଯୋଗ୍ୟ ଫୌଜଦାରି ମାମଲା, ଖାଉଟି ଅଦାଲତରେ ଥିବା ବିବାଦା, ଋଣ ଆଦ।।ୟ ମାମଲା/ ସାରଫେସି ମାମଲା, ଆଇନଗତ ନିଷ୍ପାଦନ କାର୍ଯ୍ୟାନୁଷ୍ଠାନ ମାମଲା , ମଧ୍ଧସ୍ଥତା ସମ୍ବନ୍ଦୀୟ ମାମଲା, ବାଣିଜ୍ୟିକ ଅଦାଲତରେ ଥିବା ମାମଲା, ନିଯୁକ୍ତି ସମ୍ପର୍କୀୟ ମାମଲା, ସମ୍ଫତ୍ତି ବଣ୍ଟନ ବିବାଦ, ଉଚ୍ଛେଦ ମାମଲା, ଭୂ-ଅଧ୍ôଗ୍ରହଣ ଜନିତ ମାମଲା, ଶ୍ରମିକ ଅଧ୍ôନିୟମ ସର୍ମ୍ପକୀୟ ବିବାଦ ଓ ଅନ୍ୟାନ୍ୟ ଯୋଗ୍ୟ ଦେୱାନୀ ମାମଲା ଗୁଡିକ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରାଯାଇପାରିବ ବୋଲି ସୂଚନା ଦେଇଛନ୍ତି । ଏହାର ସୁଯୋଗ ନେଇ ମାମଲାର ପରିସମାପ୍ତି କରିବା ଦ୍ୱାରା ଜନସାଧାରଣମାନେ ସମୟ ଏବଂ ଖର୍ଚ୍ଚ ଅପଚୟ ହେବାରୁ ରକ୍ଷା ପାଇପାରିବେ । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ମଧ୍ୟସ୍ଥତା ମାଧ୍ୟମରେ ସମସ୍ତ ବିିଚାରଧିନ ମାମଲାର ସମାଧାନ କରିବା । ସବିଶେଷ ବିବରଣୀ ନିମନ୍ତେ ନିକ୍ଟସ୍ଥ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବରଗଡ଼ ବା ତାଲୁକ ଆଇନସେବା କାର୍ଯ୍ୟାଳୟ ପଦ୍ମପୁର, ସୋହେଲା, ବରପାଲି ଓ ଭେଡେନ ସହିତ ଜନସାଧାରଣ ଯୋଗାଯୋଗ କରିପାରିବେ ।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ
