ବନ୍ୟାଞ୍ଚଳ ପରିଦର୍ଶନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁAugust 18, 202633 views

ଭଦ୍ରକ/ଧାମନଗର: ଭଦ୍ରକ ଜିଲ୍ଲାରେ
ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଥିବା ବେଳେ ଆଜି ଧାମନଗର ନିର୍ବାଚନମଣ୍ଡଳୀର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଉତ୍ସାହ ସହ ଆଶା ସୃଷ୍ଟି ହୋଇଛି।
ମୁଖ୍ୟମନ୍ତ୍ରୀ ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶ୍ୟାମସୁନ୍ଦର ପଞ୍ଚାୟତର ଓରାଳୀ ଜଗ୍ରାମରେ ପହଞ୍ଚିଥିଲେ। ସେଠାରେ ମା’ ଗ୍ରାମଦେବତୀଙ୍କୁ ଦର୍ଶନ କରିବା ପରେ ବନ୍ୟା ପରିସ୍ଥିତିର ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ବୋଟ୍ ଯୋଗେ ବିଭିନ୍ନ ବନ୍ୟା ପ୍ରଭାବିତ ଗ୍ରାମକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।
ବନ୍ୟା ଯୋଗୁଁ ଲୋକମାନେ କେଉଁ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଖାଦ୍ୟ, ପାନୀୟ ଜଳ, ଚିକିତ୍ସା ଓ ଅନ୍ୟାନ୍ୟ ଆବଶ୍ୟକତା କିଭଳି ରହିଛି, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ପଚାରି ବୁଝିଥିଲେ। ଏଥିସହ ବନ୍ୟା ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଚାଲିଥିବା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ମଧ୍ୟ ସେ ଅବଗତ ହୋଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ସହ ଧାମନଗର ଅଞ୍ଚଳର ବିଧାୟକ, ସାଂସଦଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ ପୋଲିସ ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ବନ୍ୟା ପ୍ରଭାବିତ ଲୋକଙ୍କ ନିକଟରେ ସରକାରୀ ସହାୟତା ଶୀଘ୍ର ପହଞ୍ଚାଇବା ଏବଂ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱର ସହ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ଏହି ଗସ୍ତରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ବନ୍ୟାଞ୍ଚଳ ପରିଦର୍ଶନ ଓ ଲୋକଙ୍କ ସହ ଆଲୋଚନାକୁ ସ୍ଥାନୀୟ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି। ବିପଦ ସମୟରେ ମୁଖ୍ୟମନ୍ତ୍ରୀ ନିଜେ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆସି ଲୋକଙ୍କ ସମସ୍ୟା ବୁଝିବା ଘଟଣା ସାଧାରଣ ଲୋକଙ୍କ ମନରେ ଆଶ୍ୱାସନା ସୃଷ୍ଟି କରିଛି।
