Web News

ବ୍ଲକ ପ୍ରଶାସନର ବଡ଼ ଅବହେଳା: ବୀମା ଓ ପ୍ରଦୂଷଣ ପ୍ରମାଣପତ୍ର ନଥାଇ ‘ବିକଶିତ ଭାରତ ସଂକଳ୍ପ ସଭା’ ପ୍ରଚାରରେ ଗାଡ଼ି ନିୟୋଜିତ ଅଭିଯୋଗ
ଚିକିଟି : ସରକାରୀ କାର୍ଯ୍ୟକ୍ରମର ପ୍ରଚାର ପାଇଁ ନିୟୋଜିତ ଏକ ଗାଡ଼ିର ବୀମା ଓ ପ୍ରଦୂଷଣ ପ୍ରମାଣପତ୍ରର ବୈଧତା ଶେଷ ହୋଇଥିବା ନେଇ ଅଭିଯୋଗ ଉଠିଛି। ‘ବିକଶିତ ଭାରତ ସଂକଳ୍ପ ସଭା’ର ପ୍ରଚାର କାର୍ଯ୍ୟରେ ବ୍ୟବହୃତ OD02DG4987 ନମ୍ବର ବିଶିଷ୍ଟ ଗାଡ଼ିକୁ ନେଇ ଏହି ଅଭିଯୋଗ ସାମ୍ନାକୁ ଆସିଛି। ଭାହନ ପୋର୍ଟାଲରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ଗାଡ଼ିଟିର ଇନ୍ସୁରାନ୍ସ ଓ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC)ର ବୈଧତା ୨୮ ସେପ୍ଟେମ୍ବର ୨୦୨୬ରେ ଶେଷ ହୋଇଥିବା ଦାବି କରାଯାଇଛି। ନିୟମ ଅନୁଯାୟୀ ମୋଟରଯାନ ଚଳାଚଳ ପାଇଁ ବୈଧ ବୀମା ସହ ଆବଶ୍ୟକ ଦସ୍ତାବିଜ ରହିବା ଜରୁରୀ। ଏପରିସ୍ଥଳେ ବୀମା ଓ ପ୍ରଦୂଷଣ ପ୍ରମାଣପତ୍ରର ବୈଧତା ଶେଷ ହୋଇଥିବା ଗାଡ଼ିକୁ ସରକାରୀ କାର୍ଯ୍ୟକ୍ରମରେ କିପରି ନିୟୋଜିତ କରାଗଲା, ତାହାକୁ ନେଇ ପ୍ରଶାସନର ଦାୟିତ୍ୱବୋଧ ଉପରେ ପ୍ରଶ୍ନ ଉଠିଛି। ବିଶେଷକରି ସାଧାରଣ ଲୋକଙ୍କୁ ନିୟମ ପାଳନ କରିବାକୁ ସଚେତନ କରୁଥିବା ପ୍ରଶାସନ ନିଜେ ସରକାରୀ କାର୍ଯ୍ୟରେ ନିୟୋଜିତ ଯାନର କାଗଜପତ୍ର ଯାଞ୍ଚ କରିଥିଲା କି ନାହିଁ, ତାହା ଏବେ ବଡ଼ ପ୍ରଶ୍ନ ହୋଇଛି। ଯାନଟିର ଦସ୍ତାବିଜ ଯାଞ୍ଚ ନକରି ନିୟୋଜିତ କରାଯାଇଥିଲେ, ଏହା ପ୍ରଶାସନିକ ଅବହେଳା ବୋଲି ଅଭିଯୋଗକାରୀମାନେ କହିଛନ୍ତି। ଏନେଇ ସମ୍ପୃକ୍ତ ବ୍ଲକ ପ୍ରଶାସନ ଓ ପରିବହନ ବିଭାଗ ତୁରନ୍ତ ଘଟଣାର ଯାଞ୍ଚ କରିବା ସହ ଭାହନ ପୋର୍ଟାଲରେ ଥିବା ତଥ୍ୟର ସତ୍ୟତା ଯାଞ୍ଚ କରିବାକୁ ଦାବି ହୋଇଛି। ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ, ବୀମା ଓ PUCC ବିନା ଗାଡ଼ିକୁ ସରକାରୀ କାର୍ଯ୍ୟରେ କିଏ ଏବଂ କେଉଁ ଆଧାରରେ ନିୟୋଜିତ କରିଥିଲେ, ତାହାର ତଦନ୍ତ କରି ଦାୟୀ ବ୍ୟକ୍ତିଙ୍କ ବିରୋଧରେ ନିୟମାନୁଯାୟୀ ପଦକ୍ଷେପ ନେବାକୁ ଦାବି ହେଉଛି।
Ganjam (ଗଞ୍ଜାମ) • ରିପୋର୍ଟ ଦୀପକ କୁମାର ଚୌଧୁରୀ

ଚିକିଟି ବଡ଼ପଲଙ୍କ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ "ସୁରଭି" ୨୦୨୬
ଚିକିଟି - 7/10/2026:-ଚିକିଟି ବ୍ଲକ ଅନ୍ତର୍ଗତ ବଡ଼ପଲଙ୍କ କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି ୨୦୨୬ ବାହିନୀପତି ସ୍ଥିତ ଓ. ଏସ. ଜି. ଟି. ଆର ଉଚ୍ଚ ବିଦ୍ୟାଳୟ, ଧାନଘର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସି ଆର ସି ସି ଅମର କୁମାର ସାହୁ, ସହକାରୀ ଶିକ୍ଷକ ଫକୀର ମୋହନ ବିଷୋୟୀ, ଭବାନୀ ମହାପାତ୍ର ଙ୍କ ସୁସଂଯୋଜନାରେ କାର୍ଯ୍ୟକ୍ରମର ରଙ୍ଗୀନ ଝଲକ ସ୍ପଷ୍ଟ ଦେଖିବାକୁ ମିଳିଥିଲା, ଯେଉଁଥିରେ ଶିଶୁମାନେ ଝୁମି ହସି ଉଠିଥିଲେ । ଏହାର ଉଦ୍ଘାଟନୀ ପର୍ବରେ ସମ୍ମାନନୀୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଜି. ଜ୍ୟୋତି ରେଡି,ଏସ ଏମ ସି ସଭାପତି ମିନତି ପାଢ଼ୀ, ବିଦ୍ୟାଳୟ କ୍ୟାବିନେଟ ଛାତ୍ରୀ ରାଣୀ ନାୟକଙ୍କ ଦ୍ଵାରା କାର୍ଯ୍ୟକ୍ରମର ଶୁଭଉଦ୍ଘାଟନ ହୋଇଥିଲା । ଏଥିରେ ଚାନ୍ଦପୁର, ଅମ୍ବାଗାଁ, ଜଗମୋହନପୁର, ବଡ଼ପଲଙ୍କ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଧାନଘର ଉଚ୍ଚ ବିଦ୍ୟାଳୟ, ରାମପୁର ପ୍ରାଥମିକ ବିଦ୍ୟାଳୟ ପ୍ରଭୃତିରୁ ପ୍ରାୟ 111 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସମାବର୍ତ୍ତନ ପର୍ବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ମିଶ୍ର, ସମ୍ମାନନୀୟ ଅତିଥି ଭାବେ ଗୋଷ୍ଟୀ ଶିକ୍ଷାଧିକାରୀ ପନ୍ନଗଭୂଷଣ ମାଝି, ଜାତୀୟସ୍ତରର କଳାକାର ତଥା ବରିଷ୍ଠ ସାମ୍ବାଦିକ ରାଜଗୋପାଲ ପାଢ଼ୀ, ଏ ବି ଇ ଓ ନାୟକ ସେଠୀ, ମେଘନାଦ ବେହେରା, ସି ଆର ସି ସି ଅମର ସାହୁ, ପରିଚାଳନା କମିଟି ସଭ୍ୟ ଜି. ନାରାୟଣ ରେଡି ପ୍ରମୁଖ ଉପସ୍ଥିତ ରହି କୁଇଜ, ବକ୍ତୃତା, ଶ୍ରୁତ ଲିଖନ, ପ୍ରବନ୍ଧ ଲିଖନ, ସଙ୍ଗୀତ, ଚିତ୍ରାଙ୍କନ, ଦଳଗତ ନୃତ୍ୟ, ଗଳ୍ପ କଥନ, ଗଣିତ ଖେଳ, ସୃଜନଶୀଳ ଲିଖନ ପରି ବିଭିନ୍ନ ପ୍ରତିଯୋଗିତାର ଶିଶୁ ପ୍ରତିଭାମାନଙ୍କୁ ପୁରସ୍କାର ପ୍ରଦାନକରିବା ସହିତ ପ୍ରଥମ ସ୍ଥାନରେ ରହିଥିବା 23ଜଣ ପ୍ରତିଭାଧାରୀ ଓ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଜଗମୋହନପୁର ବିଦ୍ୟାଳୟର ସାଂସ୍କୃତିକ ନୃତ୍ୟ ଦଳକୁ ବ୍ଲକସ୍ତରୀୟ ସୁରଭି ପାଇଁ ମନୋନୀତ କରିଥିଲେ । ଏଥିରେ ଯୋଗଦେଇଥିବା ଅତିଥି, ବିଚାରକ ମଣ୍ଡଳୀ, ଗାଇଡ଼ ଶିକ୍ଷକଶିକ୍ଷୟିତ୍ରୀ, ଙ୍କୁ ଅଙ୍ଗବସ୍ତ୍ର ଓ ଫୁଲତୋଡ଼ା ଦେଇ ସମ୍ମାନୀତ କରାଯାଇଥିଲା ଶିକ୍ଷକ କାହ୍ନୁ ଚରଣ ମହାରଣା ମଞ୍ଚ ପରିଚାଳନା କରିଥିବା ବେଳେ ଶୃଙ୍ଖଳିତ ଛାତ୍ରଛାତ୍ରୀଙ୍କୁ ସି ଆର ସି ସି ଅମର କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।
Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହାରଣା ଓ ଦୀପକ କୁମାର ଚୌଧୁରୀ

ଭୁବନେଶ୍ୱରରେ ଜଙ୍ଗଲ ଅଧିକାର ଆଇନକୁ ନେଇ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀଠାରେ ଜଙ୍ଗଲ ଅଧିକାର ଆଇନ-୨୦୦୬ର ସଫଳ ରୂପାୟନ ଓ ଆଦିବାସୀମାନଙ୍କ ସାମାଜିକ ନ୍ୟାୟ ଦାବିକୁ ନେଇ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ମାନବାଧିକାର ସୁରକ୍ଷା ମଞ୍ଚ (MASM), ଓଡ଼ିଶା ଏବଂ ଅନ୍ୟାନ୍ୟ ସହଯୋଗୀ ସଂଗଠନଗୁଡ଼ିକର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆଦିବାସୀ ପ୍ରତିନିଧି, ଜଙ୍ଗଲ ସୁରକ୍ଷା କର୍ମୀ ଏବଂ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ। ମଞ୍ଚରେ ଉପସ୍ଥିତ ଥିବା ଅତିଥି ଓ ବକ୍ତାମାନେ ଜଙ୍ଗଲ ଜମି ଉପରେ ପାରମ୍ପରିକ ଅଧିକାର ଏବଂ ଏହାର ସଠିକ୍ କ୍ରିୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଥିଲେ। ବକ୍ତାମାନେ ସେମାନଙ୍କ ବକ୍ତବ୍ୟରେ ଆଦିବାସୀ ଓ ଜଙ୍ଗଲବାସୀଙ୍କ ସାମ୍ବିଧାନିକ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଏକଜୁଟ ହୋଇ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ବହୁ ସଂଖ୍ୟାରେ ସଂଗଠନର କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
Bhubaneswar (ଭୁବନେଶ୍ୱର) • ରିପୋର୍ଟ: ଲକ୍ଷ୍ମୀଧର ମୁର୍ମୁ

ବେଆଇନ ବ୍ରାଉନ ସୁଗାର ଜବତ | ଜଣେ ଗିରଫ
ଜଗତପୁର:ଅବକାରୀ ଗୁଇନ୍ଦା ଏବଂ ଏନଫୋର୍ସମେଣ୍ଟ ବ୍ୟୁରୋ ୟୁନିଟ୍- I (ଫ୍ଲାଇଙ୍ଗ୍ ସ୍କ୍ୱାଡ୍), କଟକ ବେଆଇନ ବ୍ରାଉନ ସୁଗାର କାରବାର ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛନ୍ତି | ଗିରଫ ଅଭିଯୁକ୍ତ ଜଣକ ହେଲେ ନେମାଳ ଥାନା ଅନ୍ତର୍ଗତ ପୁରୁଣାପରି(ସାମଲସାହି)ର ଦେବାଶିଷ ପରିଡା(୨୨) | ତା ନିକଟରୁ ୧୭୭ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରାଯାଇଛି | ମିଳିଥିବା ସୂଚନା ମୁତାବକ ଅବକାରୀ ଅଧୀକ୍ଷକ ସମରଜିତ ଦାସଙ୍କ ନିର୍ଦ୍ଦେଶକ୍ରମେ ଉପ-ଅବକାରୀ ଅଧୀକ୍ଷକ ରୋଶନ ଇସୁ ହାଁସଦାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜଗତପୁର ଥାନା ଅନ୍ତର୍ଗତ କେନ୍ଦ୍ରାପଡା କେନାଲ ରୋଡ ସାତବାଟିଆ ନିକଟରେ ଚଢାଉ କରି ଦେବାଶିଷକୁ ଅଟକ ରଖି ତଲାସି କରିଥିଲେ | ତଲାସି ସମୟରେ ତାଙ୍କ ନିକଟରୁ ୧୭୭ ଗ୍ରାମ ଓଜନର ବ୍ରାଉନ ସୁଗାର ମିଳିଥିଲା | ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୭.୭ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି | ଅଭିଯୁକ୍ତକୁ NDPS ଆଇନ, ୧୯୮୫ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି | ଏହି ଚଢାଉରେ ଅବକାରୀ ସବ୍-ଇନ୍ସପେକ୍ଟର ଅମିତ କୁମାର ବିଶ୍ୱାଳ, ଏ.ଏସ.ଆଇ. କିଶୋର କୁମାର ରାଉତ, ଏ.ଏସ୍.ଆଇ. ସଞ୍ଜୀବ କୁମାର ମୁଣ୍ଡା, ଅବକାରୀ କନଷ୍ଟେବଳ ଗୌରାଙ୍ଗ ନାୟକ, ମହିଳା କନଷ୍ଟେବଳ ରୋଜାଲିନ ବେହେରା, କନଷ୍ଟେବଳ ଜଗନ୍ନାଥ ସାହୁ, କନଷ୍ଟେବଳ ଶଙ୍କର୍ଷଣ ରାଉତ, କନଷ୍ଟେବଳ ଚନ୍ଦ୍ରକାନ୍ତ ସାହୁ ଓ ଡ୍ରାଇଭର କୃଷ୍ଣ ମୋହନ ଦାସ ପ୍ରମ୍ମୁଖ ସାମିଲ ରହିଥିଲେ |
Cuttack (କଟକ) • ରିପୋର୍ଟ:ସୁରେନ୍ଦ୍ର ଜେନା, କଟକ

ବୁଲା ଷଣ୍ଢଙ୍କ ଉତ୍ପାତ | ଆକ୍ରମଣରେ କର୍ମଚାରୀ ଆହତ
ଜଗତପୁର: ଜଗତପୁର ଅଞ୍ଚଳରେ ବୁଲା ଷଣ୍ଢଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି | କେତେବେଳେ ପଥଚାରୀ ମାନଙ୍କୁ ଗୋଡାଉଛନ୍ତି ତ କେତେବେଳେ ଟେକି କଚାଡି ଦେଉଛନ୍ତି | ଏମିତି ଏକ ଦୃଶ୍ୟ ଜଗତପୁର ଗୋଲେଇ ଛକରେ ଦେଖିବାକୁ ମିଳିଛି | ବୁଧବାର ଦିନ ଏକ ବୁଲା ଷଣ୍ଢ ଆକ୍ରମଣରେ ଜଣେ ପଥଚାରୀ ଗୁରୁତର ଆହତ ହୋଇ ମେଡିକାଲରେ ଚିରିତ୍ସିତ ହେଉଛନ୍ତି | ଆହତ ପଥଚାରୀ ଜଣକ ହେଉଛନ୍ତି ଜଗତପୁର ନୂତନ ଶିଳ୍ପାଞ୍ଚଳରେ ଥିବା ପ୍ରଗତି ମିଲକ କାରଖାନା କର୍ମଚାରୀ ସଞ୍ଜୟ ପାତ୍ର | ସଞ୍ଜୟଙ୍କ ଘର ଗରଦପୁର, ପାଟପୁର ହୋଇଥିବା ବେଳେ ସେ ଜଗତପୁର ସ୍ଥିତ ପ୍ରଗତି ମିଲକ କାରଖାନାରେ କାର୍ଯ୍ୟକରନ୍ତି | ସେ ବୁଧବାର ଦିନ ଜଗତପୁର ଗୋଲେଇ ଛକରୁ କାରଖାନାକୁ ଚାଲି ଚାଲି ଯାଉଥିବା ସମୟରେ ଏକ ବୁଲା ଷଣ୍ଢ ପଛରୁ ଆସି ତାଙ୍କୁ ଟେକି କଚାଡ଼ି ଦେଇଥିଲା । ଏଥିରେ ସେ ଗୁରୁତ୍ଵର ଆହତ ହେଇଥିଲେ । ସ୍ଥାନୀୟ ଲୋକେ ସଞ୍ଜୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିତ୍ସିତ ନିମନ୍ତେ କଟକ ବଡ ମେଡିକାଲକୁ ପଠାଇଥିଲେ । ପ୍ରକାଶ ଯେ, ଜଗତପୁର ଅଞ୍ଚଳରେ ବୁଲା ଷଣ୍ଢ ଦିନ ରାତି ଗାଁ ଗହଳି ଠାରୁ ଆରମ୍ଭ କରି ଗୋଲେଇ ଛକ ମାନଙ୍କରେ ସେମାନଙ୍କ ଉପଦ୍ରବ ବିଶେଷ କରି ଦେଖିବାକୁ ମିଳୁଛି । ପ୍ରତିଦିନ ଗୋଲେଇ ଛକ ବସ ଷ୍ଟାଣ୍ଡ ନିକଟରେ ଜନ ଗହଳି ସ୍ଥାନରେ ଷଣ୍ଢ ଗୁଡ଼ିକ ଆକ୍ରମଣ କରୁଛନ୍ତି । ଯାହା ଫଳରେ ଅନେକ ଧନ ଜୀବନ ହାନୀ ଘଟିବା ସହ ପଥଚାରୀମାନେ ଆହତ ହେଉଛନ୍ତି । କେଏମସି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଏ ଭଳି ଘଟଣା ଘଟୁଥିବା ଦେଖିବାକୁ ମିଳୁଛି ।
Cuttack (କଟକ) • ରିପୋର୍ଟ:ସୁରେନ୍ଦ୍ର ଜେନା, କଟକ

ଝାରବନ୍ଧ କଲେଜରେ ଦଶ ଦିନାତ୍ମକ ଅଗ୍ନିବୀର ଆଶାୟୀ ପ୍ରଶିକ୍ଷଣ ଶିବିର ଉଦଯାପିତ
ଝାରବନ୍ଧ -ବରଗଡ ଜିଲ୍ଲା ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ଦଶ ଦିନାତ୍ମକ ଅଗ୍ନିବୀର ଆଶାୟୀ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଗ୍ରମୋଦୟ ଯୋଜନା ଦ୍ୱାରା ପ୍ରାୟୋଜିତ ଏହି ଶିବିର ରେ ବିଗତ ଦଶ ଦିନ ଧରି ଶିବିର ଚାଲିଥିଲା । ଉଦଯାପନୀ ସଭାରେ ଅଧ୍ୟକ୍ଷ ଶ୍ରୀ ଶ୍ୟାମସୁନ୍ଦର ବେହେରାଙ୍କ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଡ଼ିଓ ପର୍ଶୁରାମ ପଣ୍ଡା ଓ ସମ୍ମାନିତ ଅତିଥି ଭାବରେ ତହସିଲଦାର ଅଲେଖ ଘୁଟା ଓ ଥାନା ପ୍ରଭାରୀ ସଞ୍ଜୟ କୁମାର ପରିଡ଼ା ଯୋଗ ଦେଇଥିଲେ । ସଭା ଆରମ୍ଭରେ ରୀତାଞ୍ଜଳୀ ଗୁରୁ ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ କରିଥିଲେ । ଅତିଥି ମାନେ ଶିବିରାର୍ଥି ମାନଙ୍କୁ ଉଦବୋଧନ ଦେଇଥିଲେ । ୩୧ ଜଣ ଶିବିରରେ ରହି ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ନେଇଥିଲେ । ଟ୍ରେନର ଭାବରେ ଜୟକୁମାର ସାହୁ, ଯଜ୍ଞ ସିଂ ସିଦାର, ସୁବାଷ ଚନ୍ଦ୍ର ବାରିକ, ରମେଶ ଗହୀର, ଖଗେଶ୍ୱର ବିଶ୍ୱାଳ, ଜିବେଶ ନିଆଲ, ମହେଶ ବାଗ ଭଳି ପୂର୍ବତନ ଆର୍ମି ଅଫିସର୍ ଶାରୀରିକ ପ୍ରଶିକ୍ଷଣ ଦେଇଥିବା ବେଳେ, ମହାବିଦ୍ୟାଳୟ ର ଅଧ୍ୟାପକ ମାନେ ମାନସିକ ତାଲିମ ଦେଇଥିଲେ । ପ୍ରତ୍ୟହ ନିମାଇଁ ବାରିକ ଯୋଗ ତାଲିମ ଦେଇଥିଲେ । ଅଶୋକ କୁମାର ହାତୀ ଙ୍କ ନେତୃତ୍ୱରେ ଓ ଦୁର୍ଯୋଧନ ପାଣ୍ଡେ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିବା ଏହି ତାଲିମ ଶିବିର ସଫଳ କାମ ହୋଇଥିଲା । ଉଦଯାପନୀ ସଭାରେ ଡ଼ଃ ଖ୍ୟାତିମୟ ତ୍ରିପାଠୀ ଙ୍କ ପରିଚାଳନାରେ ପ୍ରଶିକ୍ଷକ ଙ୍କୁ ସମ୍ମାନିତ କରାଯାଇଥିଲା ତଥା ଶିବିରାର୍ଥି ମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ ହୋଇଥିଲା । ସଭାରେ ଡଃ ରଶ୍ମି ରଞ୍ଜନ ମହାନ୍ତି, ସାର୍ତ୍ତିକ ସାହୁ, ନବୀନ କୁମାର ମେହେର, ଗଗନ ବିହାରୀ ଡନସନା, ରଶ୍ମି ମହାଲିଙ୍ଗ, ମୁକେଶ ବାଗ, ଚନ୍ଦ୍ରମଣି ବାଗ, କୁନି ସାହା, ବଂଶୀଧର ସେଠୀ, ଅଞ୍ଜନ କୁମାର ବରିହା ବଲ୍ଲଭ କୁମାର ମିର୍ଦ୍ଧା, ପ୍ରକାଶ ପ୍ରଧାନ, ରୁକ୍ମଣୀ ସାହୁ, ମଦନ ବାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ମିନପ୍ରଭା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ସାକ୍ଷୀଙ୍କୁ ଧମକ ଅଭିଯୋଗ: ବିକ୍ରମଙ୍କୁ ୪ ଘଣ୍ଟା ଜେରା
ବ୍ରହ୍ମପୁର, ୬/୧୦/୨୬: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀ ଲଳିତ ମୋହନ ମଙ୍ଗରାଜଙ୍କୁ ଧମକ ଦିଆଯାଇଥିବା ଅଭିଯୋଗକୁ ନେଇ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗୋଷାଣୀନୂଆଗାଁ ଥାନା ପୁଲିସ ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରିଛି।ପୁଲିସ ନୋଟିସ୍ ପାଇ ବିକ୍ରମ ମଙ୍ଗଳବାର ଥାନାରେ ହାଜର ହୋଇଥିଲେ। ଥାନା ଅଧିକାରୀ, ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀଙ୍କ ସମେତ ୪ ଜଣ ପୁଲିସ ଅଧିକାରୀ ତାଙ୍କୁ ପୂର୍ବାହ୍ନ ପ୍ରାୟ ୧୧ଟାରୁ ଅପରାହ୍ନ ୨ଟା ୩୫ ପର୍ଯ୍ୟନ୍ତ ପଚରାଉଚରା କରିଥିଲେ।ଥାନାରୁ ବାହାରିବା ପରେ ବିକ୍ରମ କହିଥିଲେ ଯେ, ପୁଲିସର ସମସ୍ତ ପ୍ରଶ୍ନର ଉତ୍ତର ଦେବା ସହ ନିଜ ପାଖରେ ଥିବା ତଥ୍ୟ ରଖିଛନ୍ତି। ଅନ୍ୟପଟେ ଆସନ୍ତା ୧୬ ତାରିଖରେ ତାଙ୍କୁ ପୁଣି ଥାନାରେ ହାଜର ହେବାକୁ କୁହାଯାଇଥିବା ସୂଚନା ମିଳିଛି। ବ୍ରହ୍ମପୁର ଏସ୍ପି ଅଭିନବ ସୋନକାରଙ୍କ କହିବା ଅନୁସାରେ, ବିକ୍ରମ ତଦନ୍ତରେ ସହଯୋଗ କରୁଛନ୍ତି। ଆବଶ୍ୟକ ପଡ଼ିଲେ ମଦନ ଦଳେଇଙ୍କୁ ମଧ୍ୟ ଜେଲରେ ପଚରାଉଚରା କରାଯିବ।
Ganjam (ଗଞ୍ଜାମ) • ଦୀପକ କୁମାର ଚୌଧୁରୀ

ଦିଲ୍ଲୀରେ ଉଗ୍ର ରୂପ ନେଲା ଆନ୍ଦୋଳନ: ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି, ପୋଲିସ-ବିକ୍ଷୋଭକାରୀ ମୁହାଁମୁହିଁ
ନୂଆଦିଲ୍ଲୀ( ଭୁବନେଶ୍ବର): ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନ ଏବେ ହିଂସାତ୍ମକ ରୂପ ଧାରଣ କରିଛି। ଗତ ଅକ୍ଟୋବର ୪ ତାରିଖରେ ବିକ୍ଷୋଭକାରୀ ଏବଂ ପୋଲିସ ମଧ୍ୟରେ ତୀବ୍ର ସଂଘର୍ଷ ଘଟିବା ପରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି କରି କରାଯାଉଥିବା ଏହି ଆନ୍ଦୋଳନ ଅଧିକ ଉଗ୍ର ହୋଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ସଂଘର୍ଷ ଓ ହିଂସାକାଣ୍ଡରେ ପ୍ରାୟ ୧୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ୧୦୦ ରୁ ଅଧିକ ଲୋକଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଉପରେ ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (ଏସଆଇଆର) ରେ ଅନିୟମିତତାକୁ ଅନୁମତି ଦେଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ଆଞ୍ଚଳିକ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ପୋଲିସ ପକ୍ଷରୁ ବ୍ୟାପକ ବ୍ୟାରିକେଡିଂ କରାଯିବା ସହ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଥିଲେ ହେଁ, ବିକ୍ଷୋଭକାରୀମାନେ ଜନ୍ତର ମନ୍ତର ଆଡ଼କୁ ଯିବାକୁ ଚେଷ୍ଟା କରିଥିଲେ। ସେମାନେ ନିର୍ଦ୍ଧାରିତ ଆନ୍ଦୋଳନ ସ୍ଥଳ ଆଡ଼କୁ ଅଗ୍ରସର ହେଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା, ଯାହା ଫଳରେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ପୋଲିସ ଅନେକ ବିକ୍ଷୋଭକାରୀଙ୍କୁ ହେପାଜତକୁ ନେଇ ପଚରାଉଚରା ଜାରି ରଖିଛି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାରରେ ଲାଗି ଚାଲି ଗଲା ଯୁବକଙ୍କ ଜୀବନ
ଗଞ୍ଜାମ ଜିଲ୍ଲାପୋଲସରା ଥାନା ଅନ୍ତର୍ଗତ ଭାବରଡ଼ା ଗ୍ରାମରେ ବାରାହା ଶିକାର ପାଇଁ ବିଛାଯାଇଥିବା ବେଆଇନ ବିଦ୍ୟୁତ ଫାସ ନେଲା ଜଣେ ଯୁବକଙ୍କ ଜୀବନ । ମୃତକ ହେଲେ ଭାବରଡ଼ା ରୋଡ଼ସାହିର ୪୦ ବର୍ଷୀୟ ସନ୍ତୋଷ ସ୍ୱାଇଁ । ଗତ ମଧ୍ୟରାତ୍ରି ପ୍ରାୟ ୧୨ଟା ସମୟରେ ନିଜ ଗୋଠରୁ ଗାଈ ଖସିଯିବା ପରେ ସନ୍ତୋଷ ତାକୁ ଖୋଜିବାକୁ ଯାଇଥିଲେ । ତେବେ ଗାଈ ଖୋଜୁଥିବା ବେଳେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ଫାସ ସଂସ୍ପର୍ଶରେ ଆସି ସେ ଗୁରୁତର ହୋଇପଡ଼ିଥିଲେ । ସନ୍ତୋଷଙ୍କ ସହ ତାଙ୍କ ବାପା ନାଲୁ ସ୍ୱାଇଁ ମଧ୍ୟ ଥିଲେ । ପୁଅ ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ଦେଖି ନାଲୁ ସତର୍କତାର ସହ ପରିବାରକୁ ଖବର ଦେଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସନ୍ତୋଷଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲସରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ବାରାହା ଶିକାର ପାଇଁ ବେଆଇନ ଭାବେ ବିଦ୍ୟୁତ ଫାସ ବିଛାଇଥିବା ଲୋକଙ୍କୁ ଚିହ୍ନଟ କରିବା ସହ କାର୍ଯ୍ୟାନୁଷ୍ଠାନ ନେଇ ପୁଲିସ ତଦନ୍ତ ଜାରି ରଖିଛି ।
Ganjam (ଗଞ୍ଜାମ) • ବିଜୟାନନ୍ଦ ତ୍ରିପାଠୀ ଭଂଜନଗର

ଚିଲିକାରେ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ: ଆରମ୍ଭ ହେଲା ୨୪ ଘଣ୍ଟିଆ ସ୍ପେଶାଲ ଅଭିଯାନ
ବାଲୁଗାଁ : ବିଶ୍ୱପ୍ରସିଦ୍ଧ ଚିଲିକା ହ୍ରଦକୁ ଶୀତଋତୁର ଆଗମନ ସହିତ ଅତିଥି ପକ୍ଷୀମାନଙ୍କର ଆଗମନ ଆରମ୍ଭ ହୋଇଯାଇଛି। ସୁଦୂର ସାଇବେରିଆ, କାସପିଆନ ସାଗର, ବୈକାଲ ହ୍ରଦ ଏବଂ ମଙ୍ଗୋଲିଆ ଆଦି ବିଭିନ୍ନ ବିଦେଶୀ ଅଞ୍ଚଳରୁ ହଜାର ହଜାର ମାଇଲ୍ ଅତିକ୍ରମ କରି ପକ୍ଷୀମାନେ ଏଠାକୁ ଆସିବାକୁ ଲାଗିଲେଣି। ଏହି ପରିପ୍ରେକ୍ଷୀରେ, ଏହି ନିରୀହ ବିଦେଶୀ ପକ୍ଷୀମାନଙ୍କୁ ଶିକାରୀଙ୍କ କୋପରୁ ରକ୍ଷା କରିବା ପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଚିଲିକାରେ ପକ୍ଷୀ ସୁରକ୍ଷା ଅଭିଯାନକୁ ବ୍ୟାପକ ଓ ଜୋରଦାର କରାଯାଇଛି। ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିଦେଶୀ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ଚିଲିକା ଓ ଏହାର ଆଖପାଖ ଅଞ୍ଚଳରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପକ୍ଷୀ ଶିକାର ରୋକିବା ପାଇଁ ହ୍ରଦ ମଧ୍ୟରେ ଏବଂ ସ୍ଥଳଭାଗରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କ୍ୟାମ୍ପ୍ ପ୍ରତିଷ୍ଠା କରାଯାଇ ଦିନରାତି ଜଗୁଆଳି ନିଯୁକ୍ତ କରାଯାଇଛି। ବନ୍ୟପ୍ରାଣୀ କର୍ମଚାରୀମାନେ ସ୍ପିଡ୍ ବୋଟ୍ ସାହାଯ୍ୟରେ ପାଟ୍ରୋଲିଂ କରୁଛନ୍ତି, ଯେପରି କୌଣସି ଶିକାରୀ ପକ୍ଷୀମାନଙ୍କର କ୍ଷତି କରିପାରିବେ ନାହିଁ। ଚିଲିକାର ମଙ୍ଗଳାଯୋଡ଼ି, ନଳବଣ ପକ୍ଷୀ ଅଭୟାରଣ୍ୟ, ଭୂଷଣ୍ଡପୁର ଏବଂ ସୋରଣ ଭଳି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ବନ୍ୟପ୍ରାଣୀ ବିଭାଗ ସ୍ଥାନୀୟ ପକ୍ଷୀ ସୁରକ୍ଷା ସମିତି ଏବଂ ଗ୍ରାମବାସୀମାନଙ୍କ ସହଯୋଗରେ ଏହି ଅଭିଯାନକୁ ପରିଚାଳନା କରୁଛି। ଯଦି କୌଣସି ବ୍ୟକ୍ତି ପକ୍ଷୀ ଶିକାର କିମ୍ବା ବ୍ୟବସାୟରେ ଜଡ଼ିତ ଥିବା ଜଣାପଡ଼େ, ତେବେ ତାଙ୍କ ବିରୋଧରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ତରଫରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି।
Ganjam (ଗଞ୍ଜାମ) • ରିପୋର୍ଟ ବିଜୟାନନ୍ଦ ତ୍ରିପାଠୀ ଭଂଜନଗର

ମନ୍ଦିରରୁ ଚୋରି, ୨ ଗିରଫ
ଖୋର୍ଦ୍ଧା: ଜଟଣୀ ଥାନା ଅଧୀନ ଶଣ୍ଢପୁରସ୍ଥିତ ଗ୍ରାମଦେବୀ ମା’ ବରଦାଙ୍ଗ ମନ୍ଦିରରୁ ଚୋରି ଘଟଣାରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଚୋରି ହୋଇଥିବା ମନ୍ଦିର ଘଣ୍ଟି, ବାଲ୍ଟି, ବାସନକୁସନ, ଦାନବାକ୍ସ ସମେତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଘଟଣାରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର ଖୋର୍ଦ୍ଧା

ଖୋର୍ଦ୍ଧା ହାବେଳୀ ପଡ଼ିଆରେ ‘ବିକଶିତ ଭାରତ ସଂକଳ୍ପ ସଭା’; ‘ସେବା ଜ୍ୟୋତି ଯାତ୍ରା’ର ଶୁଭାରମ୍ଭ
ଖୋର୍ଦ୍ଧା: ଖୋର୍ଦ୍ଧାସ୍ଥିତ ହାବେଳୀ ପଡ଼ିଆରେ ଆୟୋଜିତ ‘ବିକଶିତ ଭାରତ ସଂକଳ୍ପ ସଭା’ରେ ମାନ୍ୟବର ଓଡ଼ିଶା ମୁଖ୍ୟମନ୍ତ୍ରୀ ଯୋଗଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ସେବା ଜ୍ୟୋତି ଯାତ୍ରା’ର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ବିକଶିତ ଭାରତ ଗଠନ ଦିଗରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ପଦକ୍ଷେପ ଓ ସେବାମୂଳକ କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଥିବା ବେଳେ ଯାତ୍ରା ମାଧ୍ୟମରେ ଲୋକଙ୍କ ନିକଟରେ ସେବା ଓ ବିକାଶର ବାର୍ତ୍ତା ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ସଭାରେ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଦଳୀୟ କର୍ମକର୍ତ୍ତାଙ୍କ ସମେତ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା
