ସାକ୍ଷୀଙ୍କୁ ଧମକ ଅଭିଯୋଗ: ବିକ୍ରମଙ୍କୁ ୪ ଘଣ୍ଟା ଜେରା
Ganjam (ଗଞ୍ଜାମ)ଦୀପକ କୁମାର ଚୌଧୁରୀOctober 7, 202671 views

ବ୍ରହ୍ମପୁର, ୬/୧୦/୨୬: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀ ଲଳିତ ମୋହନ ମଙ୍ଗରାଜଙ୍କୁ ଧମକ ଦିଆଯାଇଥିବା ଅଭିଯୋଗକୁ ନେଇ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗୋଷାଣୀନୂଆଗାଁ ଥାନା ପୁଲିସ ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରିଛି।ପୁଲିସ ନୋଟିସ୍ ପାଇ ବିକ୍ରମ ମଙ୍ଗଳବାର ଥାନାରେ ହାଜର ହୋଇଥିଲେ। ଥାନା ଅଧିକାରୀ, ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀଙ୍କ ସମେତ ୪ ଜଣ ପୁଲିସ ଅଧିକାରୀ ତାଙ୍କୁ ପୂର୍ବାହ୍ନ ପ୍ରାୟ ୧୧ଟାରୁ ଅପରାହ୍ନ ୨ଟା ୩୫ ପର୍ଯ୍ୟନ୍ତ ପଚରାଉଚରା କରିଥିଲେ।ଥାନାରୁ ବାହାରିବା ପରେ ବିକ୍ରମ କହିଥିଲେ ଯେ, ପୁଲିସର ସମସ୍ତ ପ୍ରଶ୍ନର ଉତ୍ତର ଦେବା ସହ ନିଜ ପାଖରେ ଥିବା ତଥ୍ୟ ରଖିଛନ୍ତି। ଅନ୍ୟପଟେ ଆସନ୍ତା ୧୬ ତାରିଖରେ ତାଙ୍କୁ ପୁଣି ଥାନାରେ ହାଜର ହେବାକୁ କୁହାଯାଇଥିବା ସୂଚନା ମିଳିଛି। ବ୍ରହ୍ମପୁର ଏସ୍ପି ଅଭିନବ ସୋନକାରଙ୍କ କହିବା ଅନୁସାରେ, ବିକ୍ରମ ତଦନ୍ତରେ ସହଯୋଗ କରୁଛନ୍ତି। ଆବଶ୍ୟକ ପଡ଼ିଲେ ମଦନ ଦଳେଇଙ୍କୁ ମଧ୍ୟ ଜେଲରେ ପଚରାଉଚରା କରାଯିବ।
