--:--:--
-- ---
Srishti News

ବ୍ଲକ ପ୍ରଶାସନର ବଡ଼ ଅବହେଳା: ବୀମା ଓ ପ୍ରଦୂଷଣ ପ୍ରମାଣପତ୍ର ନଥାଇ ‘ବିକଶିତ ଭାରତ ସଂକଳ୍ପ ସଭା’ ପ୍ରଚାରରେ ଗାଡ଼ି ନିୟୋଜିତ ଅଭିଯୋଗ

Ganjam (ଗଞ୍ଜାମ)ରିପୋର୍ଟ ଦୀପକ କୁମାର ଚୌଧୁରୀOctober 7, 2026119 views
ବ୍ଲକ ପ୍ରଶାସନର ବଡ଼ ଅବହେଳା: ବୀମା ଓ ପ୍ରଦୂଷଣ ପ୍ରମାଣପତ୍ର ନଥାଇ ‘ବିକଶିତ ଭାରତ ସଂକଳ୍ପ ସଭା’ ପ୍ରଚାରରେ ଗାଡ଼ି ନିୟୋଜିତ ଅଭିଯୋଗ
ଚିକିଟି : ସରକାରୀ କାର୍ଯ୍ୟକ୍ରମର ପ୍ରଚାର ପାଇଁ ନିୟୋଜିତ ଏକ ଗାଡ଼ିର ବୀମା ଓ ପ୍ରଦୂଷଣ ପ୍ରମାଣପତ୍ରର ବୈଧତା ଶେଷ ହୋଇଥିବା ନେଇ ଅଭିଯୋଗ ଉଠିଛି। ‘ବିକଶିତ ଭାରତ ସଂକଳ୍ପ ସଭା’ର ପ୍ରଚାର କାର୍ଯ୍ୟରେ ବ୍ୟବହୃତ OD02DG4987 ନମ୍ବର ବିଶିଷ୍ଟ ଗାଡ଼ିକୁ ନେଇ ଏହି ଅଭିଯୋଗ ସାମ୍ନାକୁ ଆସିଛି। ଭାହନ ପୋର୍ଟାଲରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ଗାଡ଼ିଟିର ଇନ୍‌ସୁରାନ୍ସ ଓ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC)ର ବୈଧତା ୨୮ ସେପ୍ଟେମ୍ବର ୨୦୨୬ରେ ଶେଷ ହୋଇଥିବା ଦାବି କରାଯାଇଛି। ନିୟମ ଅନୁଯାୟୀ ମୋଟରଯାନ ଚଳାଚଳ ପାଇଁ ବୈଧ ବୀମା ସହ ଆବଶ୍ୟକ ଦସ୍ତାବିଜ ରହିବା ଜରୁରୀ। ଏପରିସ୍ଥଳେ ବୀମା ଓ ପ୍ରଦୂଷଣ ପ୍ରମାଣପତ୍ରର ବୈଧତା ଶେଷ ହୋଇଥିବା ଗାଡ଼ିକୁ ସରକାରୀ କାର୍ଯ୍ୟକ୍ରମରେ କିପରି ନିୟୋଜିତ କରାଗଲା, ତାହାକୁ ନେଇ ପ୍ରଶାସନର ଦାୟିତ୍ୱବୋଧ ଉପରେ ପ୍ରଶ୍ନ ଉଠିଛି। ବିଶେଷକରି ସାଧାରଣ ଲୋକଙ୍କୁ ନିୟମ ପାଳନ କରିବାକୁ ସଚେତନ କରୁଥିବା ପ୍ରଶାସନ ନିଜେ ସରକାରୀ କାର୍ଯ୍ୟରେ ନିୟୋଜିତ ଯାନର କାଗଜପତ୍ର ଯାଞ୍ଚ କରିଥିଲା କି ନାହିଁ, ତାହା ଏବେ ବଡ଼ ପ୍ରଶ୍ନ ହୋଇଛି। ଯାନଟିର ଦସ୍ତାବିଜ ଯାଞ୍ଚ ନକରି ନିୟୋଜିତ କରାଯାଇଥିଲେ, ଏହା ପ୍ରଶାସନିକ ଅବହେଳା ବୋଲି ଅଭିଯୋଗକାରୀମାନେ କହିଛନ୍ତି। ଏନେଇ ସମ୍ପୃକ୍ତ ବ୍ଲକ ପ୍ରଶାସନ ଓ ପରିବହନ ବିଭାଗ ତୁରନ୍ତ ଘଟଣାର ଯାଞ୍ଚ କରିବା ସହ ଭାହନ ପୋର୍ଟାଲରେ ଥିବା ତଥ୍ୟର ସତ୍ୟତା ଯାଞ୍ଚ କରିବାକୁ ଦାବି ହୋଇଛି। ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ, ବୀମା ଓ PUCC ବିନା ଗାଡ଼ିକୁ ସରକାରୀ କାର୍ଯ୍ୟରେ କିଏ ଏବଂ କେଉଁ ଆଧାରରେ ନିୟୋଜିତ କରିଥିଲେ, ତାହାର ତଦନ୍ତ କରି ଦାୟୀ ବ୍ୟକ୍ତିଙ୍କ ବିରୋଧରେ ନିୟମାନୁଯାୟୀ ପଦକ୍ଷେପ ନେବାକୁ ଦାବି ହେଉଛି।