--:--:--
-- ---
Srishti News

Web News

ଗଞ୍ଜାମ ପୋଲିସର ଜିଲ୍ଲାସ୍ତରୀୟ ଅପରାଧ ସମୀକ୍ଷା ବୈଠକ  ଦୁର୍ଗାପୂଜା ଓ ଛାତ୍ର ସଂସଦ ନିର୍ବାଚନରେ ଶାନ୍ତିଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ
Oct 11, 2026•25 views

ଗଞ୍ଜାମ ପୋଲିସର ଜିଲ୍ଲାସ୍ତରୀୟ ଅପରାଧ ସମୀକ୍ଷା ବୈଠକ ଦୁର୍ଗାପୂଜା ଓ ଛାତ୍ର ସଂସଦ ନିର୍ବାଚନରେ ଶାନ୍ତିଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ

ଗଞ୍ଜାମ: ଗଞ୍ଜାମ ପୋଲିସ ମୁଖ୍ୟାଳୟରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ, ବିଚାରାଧୀନ ମାମଲାର ତ୍ୱରିତ ତଦନ୍ତ ଏବଂ ଆଗାମୀ ଦୁର୍ଗାପୂଜା ଓ ଛାତ୍ର ସଂସଦ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଡିଏସ୍‌ପି, ଏସ୍‌ଡିପିଓ ଏବଂ ଜିଲ୍ଲାର ବିଭିନ୍ନ ଥାନାର ଭାରପ୍ରାପ୍ତ ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ଜିଲ୍ଲାର ଅପରାଧ ସ୍ଥିତି ସମୀକ୍ଷା କରାଯିବା ସହ ବିଭିନ୍ନ ମାମଲାର ତଦନ୍ତ ଶୀଘ୍ର ଶେଷ କରିବା ଏବଂ ନିର୍ଦ୍ଧାରିତ ସମୟରେ ଚାର୍ଜସିଟ୍ ଦାଖଲ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ନିଶାଦ୍ରବ୍ୟ କାରବାର, ବେଆଇନ ମଦ ବ୍ୟବସାୟ ଏବଂ ଅନଲାଇନ୍ ଠକେଇ ଭଳି ଅପରାଧ ଉପରେ ଅଙ୍କୁଶ ଲଗାଇବା ପାଇଁ ଜୋରଦାର ଯାଞ୍ଚ ଓ ଆଇନ ଅନୁଯାୟୀ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଗୁରୁତ୍ୱ ଦିଆଯାଇଛି। ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ପୂଜା ମଣ୍ଡପଗୁଡ଼ିକରେ ପୋଲିସ ମୁତୟନ, ଟ୍ରାଫିକ୍ ନିୟନ୍ତ୍ରଣ, ଭିଡ଼ ପରିଚାଳନା ଏବଂ ସୋସିଆଲ ମିଡିଆ ଉପରେ ନଜର ରଖିବାକୁ ଆବଶ୍ୟକ ପଦକ୍ଷେପ ନେବା ଉପରେ ଆଲୋଚନା ହୋଇଛି। ପୂଜା ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ପୋଲିସକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଛାତ୍ର ସଂସଦ ନିର୍ବାଚନ ସମୟରେ ଶିକ୍ଷାନୁଷ୍ଠାନ ପରିସରରେ ହିଂସା, ରାଗିଂ, ଧମକ ଏବଂ ବିଶୃଙ୍ଖଳାକୁ ରୋକିବା ପାଇଁ ପୋଲିସର ସତର୍କ ନଜର ରହିବ। ଆଇନଶୃଙ୍ଖଳା ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ମାମଲାରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଥିବା ଅଧିକାରୀମାନଙ୍କୁ ଏସ୍‌ପି ପ୍ରଶଂସା କରିଥିଲେ। ଏଥିସହ ଜନସାଧାରଣଙ୍କ ସହ ସୁସମ୍ପର୍କ ଓ ସମନ୍ୱୟ ରକ୍ଷା କରି ଲୋକଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ। ଗଞ୍ଜାମ ପୋଲିସର ଅପିଲ୍: ଦୁର୍ଗାପୂଜାକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ପାଳନ କରିବା ସହ ପୋଲିସକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ସହାୟତା ପାଇଁ ଡାଏଲ୍ ୧୧୨ କରିବାକୁ କୁହାଯାଇଛି।

Ganjam (ଗଞ୍ଜାମ) • ବିଜୟାନନ୍ଦ ତ୍ରିପାଠୀ

ବରିଷ୍ଠ କଂଗ୍ରେସ କର୍ମୀ ଉମାକାନ୍ତ ଦାଶଙ୍କ ପରଲୋକ, ଶୋକରେ ବୁଡ଼ିଲା ସାହସପୁର ଅଞ୍ଚଳ
Oct 11, 2026•44 views

ବରିଷ୍ଠ କଂଗ୍ରେସ କର୍ମୀ ଉମାକାନ୍ତ ଦାଶଙ୍କ ପରଲୋକ, ଶୋକରେ ବୁଡ଼ିଲା ସାହସପୁର ଅଞ୍ଚଳ

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ସାହସପୁର ପଞ୍ଚାୟତର ବରିଷ୍ଠ କଂଗ୍ରେସ କର୍ମୀ ଉମାକାନ୍ତ ଦାଶଙ୍କ ଆଜି ସକାଳେ ଆକସ୍ମିକ ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କର ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଉମାକାନ୍ତ ଦାଶଙ୍କ ବିୟୋଗ ଖବର ପାଇ କଂଗ୍ରେସର ଆଗଧାଡ଼ିର ନେତା ସଞ୍ଜୟ ମିଶ୍ର ଓ କିଛି ସମାଜସେବୀ ତାଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଏହି ଦୁଃଖଦ ସମୟରେ ସେମାନେ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବା ସହ ଦିବଂଗତ ଆତ୍ମାଙ୍କ ସଦ୍‌ଗତି କାମନା କରିଛନ୍ତି। ଜଣେ ବରିଷ୍ଠ କଂଗ୍ରେସ କର୍ମୀଙ୍କ ଏପରି ଆକସ୍ମିକ ବିୟୋଗ ଦଳୀୟ କର୍ମୀ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି। ଦିବଂଗତ ଉମାକାନ୍ତ ଦାଶଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ମଙ୍ଗଳାପଦା ବିଦ୍ୟାଳୟରୁ ଚୋରି: ୫ କ୍ୱିଣ୍ଟାଲ ଚାଉଳ ସହ ମାଇକ୍ ମେସିନ୍ ଲୁଟ୍
Oct 11, 2026•44 views

ମଙ୍ଗଳାପଦା ବିଦ୍ୟାଳୟରୁ ଚୋରି: ୫ କ୍ୱିଣ୍ଟାଲ ଚାଉଳ ସହ ମାଇକ୍ ମେସିନ୍ ଲୁଟ୍

ଭଦ୍ରକ ଜିଲ୍ଲାରେ ଚୋରି ଘଟଣାକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଏବେ ଦୁର୍ବୃତ୍ତଙ୍କ ଟାର୍ଗେଟ୍‌ରେ ବିଦ୍ୟାଳୟ। ଜିଲ୍ଲାର ରୁରାଲ ଥାନା ଅନ୍ତର୍ଗତ ମଙ୍ଗଳାପଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଚୋରି ହୋଇଥିବା ଅଭିଯୋଗ ଆସିଛି। ଦୁର୍ବୃତ୍ତମାନେ ବିଦ୍ୟାଳୟର ଗେଟ୍ ତାଲା ଭାଙ୍ଗି ପ୍ରାୟ ୫ କ୍ୱିଣ୍ଟାଲ ଚାଉଳ, ମାଇକ୍ ମେସିନ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମଙ୍ଗଳାପଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗେଟ୍ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ବିଦ୍ୟାଳୟ ପରିସରକୁ ପ୍ରବେଶ କରିଥିଲେ। ପରେ ମଧ୍ୟାହ୍ନ ଭୋଜନ ପାଇଁ ଗଚ୍ଛିତ ରଖାଯାଇଥିବା ପ୍ରାୟ ୫ କ୍ୱିଣ୍ଟାଲ ଚାଉଳ, ମାଇକ୍ ମେସିନ୍ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ପାଇଁ ଉଦ୍ଦିଷ୍ଟ ଚାଉଳ ଚୋରି ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ଖାଦ୍ୟ ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ିଛି। ଏହି ଘଟଣାକୁ ନେଇ ଶିକ୍ଷକ, ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ବିଦ୍ୟାଳୟରୁ ଚୋରି ହୋଇଥିବା ସାମଗ୍ରୀ କେଉଁଠି ଅଛି ଏବଂ ଏହି ଘଟଣାରେ କିଏ ସମ୍ପୃକ୍ତ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ପୋଲିସର ତଦନ୍ତ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି,

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ବରଗଡ଼ରେ ନକଲି ସୁନା ବିସ୍କୁଟ ଦେଖାଇ ଠକେଇ ଓ ଲୁଟ୍‌ ଅଭିଯୋଗ  ତିନି ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ; ୪୨ ହଜାର ଟଙ୍କା ଓ ବାଇକ୍‌ ଜବତ
Oct 11, 2026•34 views

ବରଗଡ଼ରେ ନକଲି ସୁନା ବିସ୍କୁଟ ଦେଖାଇ ଠକେଇ ଓ ଲୁଟ୍‌ ଅଭିଯୋଗ ତିନି ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ; ୪୨ ହଜାର ଟଙ୍କା ଓ ବାଇକ୍‌ ଜବତ

ବରଗଡ଼: ବରଗଡ଼ ଜିଲ୍ଲାରେ ନକଲି ସୁନା ବିସ୍କୁଟ ଦେଖାଇ ଟଙ୍କା ଠକେଇ ଓ ଲୁଟ୍‌ କରିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି ମେଲଛାମୁଣ୍ଡା ପୋଲିସ। ଅଭିଯୁକ୍ତମାନଙ୍କଠାରୁ ନଗଦ ୪୨ ହଜାର ଟଙ୍କା, ସୁନା ଭଳି ଦିଶୁଥିବା ଦୁଇ ଖଣ୍ଡ ପିତ୍ତଳ ଏବଂ ଘଟଣାରେ ବ୍ୟବହୃତ ଏକ ମୋଟରସାଇକେଲ ଜବତ କରାଯାଇଛି। ଗିରଫ ତିନି ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବରଗଡ଼ ଥାନା ଅନ୍ତର୍ଗତ ଏସ୍‌. ଡୁମ୍ବେରପାଲି ଗ୍ରାମର ରମେଶ ସାହୁ ଗତ ୧୦ ଅକ୍ଟୋବର ୨୦୨୬ ରାତି ପ୍ରାୟ ୧୧ଟା ୧୫ ମିନିଟ୍‌ ସମୟରେ ମେଲଛାମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗ ଅନୁସାରେ, ଘଟଣାର ପ୍ରାୟ ସାତ ଦିନ ପୂର୍ବରୁ ରମେଶଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ ଫୋନ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ତାଙ୍କ ପାଖରେ ପ୍ରାୟ ୪ ଲକ୍ଷ ଟଙ୍କା ମୂଲ୍ୟର ସୁନା ବିସ୍କୁଟ ଥିବା କହି ଏହାକୁ ବିକ୍ରି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ରମେଶ ଏହା କିଣିବାକୁ ଇଚ୍ଛା ପ୍ରକାଶ କରି ଟଙ୍କା ବ୍ୟବସ୍ଥା କରିବା ପାଇଁ କିଛି ସମୟ ମାଗିଥିଲେ। ପରେ ଗତ ୧୦ ଅକ୍ଟୋବର ସକାଳ ପ୍ରାୟ ୯ଟା ସମୟରେ ସେହି ନମ୍ବରରୁ ପୁଣି ଫୋନ୍‌ ଆସିଥିଲା। ଫୋନ୍‌ରେ ଦିଆଯାଇଥିବା ସୂଚନା ଅନୁସାରେ ରମେଶ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଦୁବୁଲାବାହାଲ ଛକ ନିକଟରେ ପହଞ୍ଚିଥିଲେ। ସେଠାରେ OR-03-R-3080 ନମ୍ବର ବିଶିଷ୍ଟ ଏକ ମୋଟରସାଇକେଲରେ ତିନି ଜଣ ବ୍ୟକ୍ତି ଥିବା ସେ ଦେଖିଥିଲେ। ଅଭିଯୋଗ ଅନୁଯାୟୀ, ଉକ୍ତ ବ୍ୟକ୍ତିମାନେ ରମେଶଙ୍କୁ ସୁନା ଭଳି ଦିଶୁଥିବା ଦୁଇଟି ବିସ୍କୁଟ ଆକାରର ବସ୍ତୁ ଦେଖାଇଥିଲେ। ମାତ୍ର ଏହାକୁ ପରୀକ୍ଷା କରିବା ପରେ ରମେଶଙ୍କର ସନ୍ଦେହ ହୋଇଥିଲା ଏବଂ ସେ ଏହା ନକଲି ବୋଲି ପ୍ରତିବାଦ କରିଥିଲେ। ଏହାପରେ ଅଭିଯୁକ୍ତମାନେ ତାଙ୍କୁ ମାଡ଼ପିଟ୍‌ କରିବା ସହ ତାଙ୍କ ପାଖରୁ ନଗଦ ଟଙ୍କା ଛଡ଼ାଇ ନେଇ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିବା ଅଭିଯୋଗ ହୋଇଛି। ସ୍ୱତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଘଟଣାକୁ ଗୁରୁତ୍ୱର ସହ ନେଇ ପଦ୍ମପୁର ଏସ୍‌ଡିପିଓ ପାଣ୍ଡବ ଶବରଙ୍କ ତତ୍ତ୍ୱାବଧାନରେ ମେଲଛାମୁଣ୍ଡା, ପଦ୍ମପୁର ଓ ଗାଇସିଲାଟ ପୋଲିସକୁ ନେଇ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ତଦନ୍ତ ଓ ଅନୁସନ୍ଧାନ ପରେ ପୋଲିସ ଗାଇସିଲାଟ ଥାନା ଅନ୍ତର୍ଗତ କେନ୍ଦୁଭଟା ଅଞ୍ଚଳରୁ ତିନି ଅଭିଯୁକ୍ତଙ୍କୁ ଧରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ କାପନୀ ଗ୍ରାମର ଦୁର୍ଯ୍ୟୋଧନ ତାଣ୍ଡି, ପାଟଣାଗଡ଼ ଥାନା ଅନ୍ତର୍ଗତ ବଡ଼ବେଜୁରି ଗ୍ରାମର ରାଜୁ ରାୟ ଏବଂ ଖପରାଖୋଲ ଥାନା ଅନ୍ତର୍ଗତ ମାତିଖାଇ ଗ୍ରାମର ତପେଶ୍ୱର ବାଗ। ପୋଲିସ ସେମାନଙ୍କଠାରୁ ନଗଦ ୪୨ ହଜାର ଟଙ୍କା, ସୁନା ଭଳି ଦିଶୁଥିବା ଦୁଇ ଖଣ୍ଡ ପିତ୍ତଳ ଏବଂ OR-03-R-3080 ନମ୍ବର ବିଶିଷ୍ଟ ମୋଟରସାଇକେଲ ଜବତ କରିଛି। ପୂର୍ବରୁ ମଧ୍ୟ ମାମଲା ଥିବା ସୂଚନା ପୋଲିସର ତଦନ୍ତ ଅନୁଯାୟୀ, ଅଭିଯୁକ୍ତ ଦୁର୍ଯ୍ୟୋଧନ ତାଣ୍ଡି ଓ ରାଜୁ ରାୟଙ୍କ ବିରୋଧରେ ପୂର୍ବରୁ ମଧ୍ୟ ପାଇକମାଲ ଥାନାରେ ଏକ ଅପରାଧିକ ମାମଲା ରହିଛି। ୨୩ ସେପ୍ଟେମ୍ବର ୨୦୨୦ରେ ପଞ୍ଜୀକୃତ ଏହି ମାମଲାର ନମ୍ବର ୧୫୯ ଏବଂ ଏଥିରେ ଆଇପିସିର ଧାରା ୪୨୦, ୪୦୬ ଓ ୩୪ ଉଲ୍ଲେଖ ରହିଛି। ଏହି ଘଟଣାକୁ ନେଇ ମେଲଛାମୁଣ୍ଡା ଥାନାରେ କେସ୍‌ ନମ୍ବର ୨୨୦, ତାରିଖ ୧୦ ଅକ୍ଟୋବର ୨୦୨୬ରେ ବିଏନ୍‌ଏସ୍‌ର ଧାରା ୩୧୮(୪), ୩୦୯(୪) ଓ ୧୧୧(୨)(ବି) ଅନୁଯାୟୀ ମାମଲା ରୁଜୁ ହୋଇଛି। ପରେ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୁନା ବିସ୍କୁଟ କିଣିବା ନାଁରେ ଠକେଇର ଏପରି ଘଟଣା ଲୋକଙ୍କ ପାଇଁ ସତର୍କ ଘଣ୍ଟି ସଦୃଶ। ଅଳ୍ପ ମୂଲ୍ୟରେ ସୁନା ମିଳିବାର ପ୍ରଲୋଭନରେ ନପଡ଼ି ଏବଂ ଅଜଣା ବ୍ୟକ୍ତିଙ୍କ ସହ ଟଙ୍କା କାରବାର ନକରି ସତର୍କ ରହିବା ଆବଶ୍ୟକ।

Bargarh (ବରଗଡ଼) • Satya Surujal

ପରିବର୍ତ୍ତିତ ସମାଜକୁ ସୁଧାରିବାରେ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ..... ଇସ୍ପାତ୍ ସାହିତ୍ୟ ସଂସଦର ୫୬ ତମ ବାର୍ଷିକ ଉତ୍ସବ ପାଳିତ
Oct 11, 2026•35 views

ପରିବର୍ତ୍ତିତ ସମାଜକୁ ସୁଧାରିବାରେ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ..... ଇସ୍ପାତ୍ ସାହିତ୍ୟ ସଂସଦର ୫୬ ତମ ବାର୍ଷିକ ଉତ୍ସବ ପାଳିତ

ରାଉରକେଲା:)ଇସ୍ପାତ୍ ସାହିତ୍ୟ ସଂସଦର ୫୬ତମ ଦ୍ଵିଦିବସୀୟ ବାର୍ଷିକ ଉତ୍ସବ ସଭାପତି ନୃସିଂହ ଚରଣ ବିଶ୍ଵାଳଙ୍କ ସଭାପତିତ୍ବରେ ସେକ୍ଟର ସାତ ସ୍ଥିତ କାର୍ଯ୍ୟାଳୟ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି। ପ୍ରଥମ ଦିବସର ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ଉପଜିଲ୍ଲାପାଳ ରାଜେନ୍ଦ୍ର ପ୍ରକାଶ ଯୋଗ ଦେଇଥିବାବେଳେ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡିଆ ଭାଷା ସାହିତ୍ୟ ବିଭାଗର ସହକାରୀ ପ୍ରଧ୍ୟାପକ ଡ ଅଭୟ କୁମାର ରାଉତ ଯୋଗଦେଇ 'ପରିବର୍ତ୍ତିତ ସମାଜରେ ସାହିତ୍ୟର ଭୂମିକା' ସମ୍ପର୍କରେ ଆଲୋଚନା କରିଥିଲେ। କଵି ମଞ୍ଜୁଳା କୁମାରୀ ରଥ ଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ସାଧାରଣ ସମ୍ପାଦକ ମନୋଜ କୁମାର ନନ୍ଦ ଓ କାର୍ଯ୍ୟକାରୀ ସଭାପତି ପ୍ରତାପ କୁମାର ପଣ୍ଡା, ଉପସଭାପତି ରଶ୍ମିବାଳା ରାଉତରାୟ ବକ୍ତବ୍ୟ ରଖିଥିଲେ। ଶିବ କଳା ନିକେତନ ତରଫରୁ ନୃତ୍ଯ ପରିବେଷଣ କରାଯାଇ ଥିଲା। ଉନ୍ମୋଚିତ ହୋଇଥିବା ରଶ୍ମିବାଳା ରାଉତରାୟଙ୍କ 'ଗଳ୍ପରେ ବିଜ୍ଞାନ' ପୁସ୍ତକର ସମୀକ୍ଷା ଅଧ୍ୟାପକ ଉମାକାନ୍ତ ପ୍ରଧାନ କରିଥିବାବେଳେ ପଣ୍ଡିତ ହରିହର ବେହେରାଙ୍କ ପୁସ୍ତକ ' ଶ୍ରୀକୃଷ୍ଣ ରସାମୃତ ଓ 'ଭଜନ ସୁଧା' ର ସମୀକ୍ଷା କରିଥିଲେ କବି ବିଜୟିନୀ ଜେନା। ଦ୍ବିତୀୟ ପର୍ଯ୍ୟାୟ କବିତା ପାଠ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ଚିତ୍ତରଂଜନ ବ୍ରହ୍ମା। ମମତା ଜେନା ଓ ଗୀତାରାଣୀ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କବିତା ପାଠ କାର୍ଯ୍ୟକ୍ରମ ରେ ଡାକ୍ତର ଗିତାଞ୍ଜଳୀ ପତ୍ରୀ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିଲେ। ପ୍ରଥମ ଦିନ ଡ଼ ଅଭୟ କୁମାର ରାଉତ, ଇଂ ଅଶୋକ କୁମାର ପଟ୍ଟନାୟକ, ନର୍ମଦା ନାୟକ, ସୁବ୍ରତ କୁମାର ରଥ, ଅଜୟ କୁମାର ମହାନ୍ତି,ରବୀନ୍ଦ୍ର ନାଥ ମିଶ୍ରଙ୍କୁ ସ୍ମୁତି ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିଲା। ଦ୍ବିତୀୟ ଦିନରେ ମୂଖ୍ୟ ଅତିଥି ଭାବରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଏବଂ ଦ୍ୱିତୀୟଭଞ୍ଜ ସାହିତ୍ୟ ଗବେଷକ ଅଧ୍ୟାପକ ଉମାକାନ୍ତ ପ୍ରଧାନ ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ।'ବାର୍ତ୍ତମାନିକ ପରିସ୍ଥିତିରେ ଆମେ ଓ ଆମ ସାହିତ୍ୟ' ଶୀର୍ଷକ ଆଲୋଚନାରେ ପରିବର୍ତ୍ତିତ ପରିସ୍ଥିତିରେ ସହିତ୍ୟହିଁ ସମାଜକୁ ସୁଧାରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ମତ ପ୍ରକାଶ ପାଇଥିଲା । ସୁସ୍ମିତା ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ସଭାପତି ନୃସିଂହ ଚରଣ ବିଶ୍ଵାଳ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ ଏବଂ ସଧାରଣ ସମ୍ପାଦକ ଶ୍ରୀ ନନ୍ଦ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥି ମାନଙ୍କ ଦ୍ଵାରା ସଂସଦର ମୁଖପତ୍ର ସ୍ତବକ ଲୋକାର୍ପିତ ହୋଇଥିଲା। ଅଧ୍ୟାପକ ଉମାକାନ୍ତ ପ୍ରଧାନ, ଶ୍ରୀମତୀ ଉର୍ବଶୀ ଦାଶ ଏବଂ ରମାକାନ୍ତ ସୂତାରଙ୍କୁ ବ୍ୟାସକବି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଶର୍ମିଷ୍ଠା କବି ଶତପଥି,ଡ଼ ମନୋଜ କୁମାର ପଣ୍ତା, ଅଧ୍ୟାପକ ଅଖିଳ ବିଶ୍ୱାଳ, ଲୋପାମୁଦ୍ରା ମିଶ୍ର ଓ ବସନ୍ତ କୁମାର ନାଥ ଙ୍କୁ ସ୍ମୁତି ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିଲା।ଦ୍ୱିତୀୟ ପର୍ଯ୍ୟାୟ କବିତା ପାଠ କାର୍ଯ୍ୟକ୍ରମ ରେ କବି ସୁଶାନ୍ତ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ। ରଶ୍ମିବାଳା ରାଉତରାୟ ମୂଖ୍ୟ ଅତିଥି ଭାବରେ ଯୋଗଦେଇଥିବା ଏହି କବିତା ପାଠ କାର୍ଯ୍ୟକ୍ରମରେ ଡଲି ରାଣୀ ବ୍ରହ୍ମା, ଉର୍ବଶୀ ଦାଶ ଓ ଗୌତମ ଦାସ ସଂଯୋଜନା କରିଥିଲେ। ବିଭିନ୍ନ ପର୍ଯ୍ୟାୟରେ ଉପେନ୍ଦ୍ର ବସ୍ତିଆ, ସବିତା ବସ୍ତିଆ, ଅଭିରାମ ପ୍ରଧାନ ଓ ଅର୍ଚ୍ଚନା ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ପ୍ରତ୍ୟେକ ପର୍ଯାୟରେ ଜ୍ୟୋତିର୍ମୟ ଆଚାର୍ଯ୍ୟଙ୍କ ଶ୍ଳୋକ ପାଠ ତାଳେ ତାଳେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରଯାଇଥିଲା। ଏହି ରାଜ୍ୟସ୍ତରୀୟ ଉତ୍ସବରେ ବହୁ କବି ଲେଖକ ଓ ବୁଦ୍ଧିଜବୀ ଉପସ୍ଥିତ ଥିଲେ।

Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ଅସ୍ମିତା ଭାର ଉତ୍ତୋଳନ ଏକ ଦିବସୀୟ ସିଟି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
Oct 11, 2026•47 views

ଅସ୍ମିତା ଭାର ଉତ୍ତୋଳନ ଏକ ଦିବସୀୟ ସିଟି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଢେ଼ଙ୍କାନାଳ ୧୧.୧୦- ଢେଙ୍କାନାଳ ଜିଲ୍ଲାର ଭୁବନ ବିଜୁ ପଟ୍ଟନାୟକ ଖେଳ ଭବନରେ ଏକ ଦିବସୀୟ ଅସ୍ମିତା ଭାରତ୍ତୋଳନ ସିଟି ଟୁର୍ଣ୍ଣାମେଣ୍ଟର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଓ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ କିରାଣୀ କୈଳାସ ଚନ୍ଦ୍ର ବେହେରା ଉପସ୍ଥିତ ରହିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ୫୦ ରୁ ଉର୍ଦ୍ଧ କ୍ରିଡ଼ା ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସର୍ବମୋଟ ଆଠଗୋଟି ବିଭାଗ ରେ ୨୪ ଟି ପଦକ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏଥିସହିତ ଏହି ଅବସରରେ ଯୁବ ମହିଳା କ୍ରିକେଟର ସୁଭଦ୍ରା ମାଝୀଙ୍କୁ ସମ୍ମାନିତ କରାଯାଇଥିଲା । ୫୩ କିଲୋ ଗ୍ରାମ ରେ ସୋମ୍ୟା ସାଗରିକା ସାହୁ ଓ ୪୮ କିଲୋଗ୍ରାମ ଦେବାଂଶୀ ପ୍ରିୟଦର୍ଶିନୀ ସ୍ୱର୍ଣ୍ଣ ପଦକ ବିଜେତା, ୪୪ କିଲୋଗ୍ରାମ ବର୍ଗରେ ସୋନାଭି ରାଉତ କାଂସ୍ୟ ପଦକ, ୬୯ କିଲୋଗ୍ରାମ ବର୍ଗରେ ଶୁଭଶ୍ରୀ ପରିଡ଼ା ସ୍ୱର୍ଣ୍ଣ, ୬୧ କିଲୋଗ୍ରାମ ବର୍ଗରେ ସାଇ ଶାଶ୍ୱତୀ ସାମଲ ତିନୋଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୪୫ କିଲୋଗ୍ରାମ ବର୍ଗରେ ପୂର୍ଣ୍ଣିମା ମଲ୍ଲିକ ସ୍ୱର୍ଣ୍ଣ ପଦକ, ୪୫ କିଲୋଗ୍ରାମ ବର୍ଗରେ ସ୍ନେହାରାଣୀ ସେଠି ସ୍ୱର୍ଣ୍ଣ, ୪୯ କିଲୋଗ୍ରାମ ବର୍ଗରେ ସୋନାଲୀ ମଲ୍ଲିକ ରୋପ୍ୟ ପଦକ, ୬୧ କିଲୋଗ୍ରାମ ବର୍ଗରେ ମାମାଲୀ ଦଳେଇ ତିନୋଟି ରୋପ୍ୟ ପଦକ, ୫୩ କିଲୋଗ୍ରାମ ବର୍ଗରେ ମୋନାଲିସା ସାହୁ ତିନୋଟି ସ୍ୱର୍ଣ୍ଣ, ୬୯ କିଲୋଗ୍ରାମ ବର୍ଗରେ ଡିମ୍ପଲ ନାୟକ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୋପ୍ୟ ପଦକ ବିଜେତା ହୋଇଛନ୍ତି। ଅତିଥି ରୁପେ ରାଜ୍ୟ ଭାର ଉତ୍ତୋଳନ ସଂଘ ସମ୍ପାଦକ ଗୋପାଳ କୃଷ୍ଣ ଦାସ, କେ ରବି କୁମାର, ସଂଘ ସଦସ୍ୟ ଜାନକୀ ବଲ୍ଲଭ, ସୋମ୍ଯ ରଞ୍ଜନ ଖୁଣ୍ଟିଆ ପ୍ରମୁଖ ଟୁର୍ଣ୍ଣାମେଣ୍ଟର ପରିଚାଳନା କରିଥିଲେ । ବିଜୁ ପଟ୍ଟନାୟକ ଖେଳ ଭବନ ଭୁବନ ର ପରିଚାଳକ ତଥା ଭାର ଉତ୍ତୋଳନ ପ୍ରଶିକ୍ଷକ ବିଶ୍ୱଜିତ ପ୍ରସାଦ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ଲକ୍ଷ୍ମଣ ସାହୁ ଙ୍କ ପରଲୋକ
Oct 11, 2026•21 views

ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ଲକ୍ଷ୍ମଣ ସାହୁ ଙ୍କ ପରଲୋକ

ଢେ଼ଙ୍କାନାଳ ୧୧.୧୦- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୬ ନମ୍ବର ୱାର୍ଡ ବଡ଼ହାଟ ନିବାସୀ ଅବସରପ୍ରାପ୍ତ ( ଏସ ବି ଆଇ) ବ୍ୟାଙ୍କ ଅଫିସର ଲକ୍ଷ୍ମଣ କୁମାର ସାହୁ ( ୭୫) ଙ୍କ ର ହୃଦଘାତରେ ପରଲୋକ ହୋଇଯାଇଛି। ଲକ୍ଷ୍ମଣ ବାବୁ ଙ୍କ ବିୟୋଗ ଖବର ଶୁଣି ବିଧାୟକ ଶତ୍ରୁଘନ ଜେନା ,ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଘରେ ପହଞ୍ଚି ଅନ୍ତିମ ଦର୍ଶନ କରିବା ସହ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସ୍ୱର୍ଗତ ଲକ୍ଷ୍ମଣ ବାବୁ ଭୁବନ ଉଚ୍ଚ ବିଦ୍ୟାଳୟ ର ୧୯୬୯ ମାଟ୍ରିକ ବ୍ୟାଚର ଛାତ୍ର ଥିଲେ ଓ ବିନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପ୍ରତିଷ୍ଠାତା ଥିଲେ। ବ୍ୟାଙ୍କ ଚାକିରିରୁ ଅବସର ପରେ ସେ ଶ୍ରୀରାମ ମନ୍ଦିର,ବଡ଼ହାଟ ଲକ୍ଷ୍ମୀ ମନ୍ଦିର ସହିତ ବହୁ ଅନୁଷ୍ଠାନ ସହ ଜଡ଼ିତ ରହିଥିଲେ। ଜଣେ ଅତ୍ୟନ୍ତ ଭଦ୍ର,ଅମାୟିକ,ପରୋପକାରୀ, ସ୍ନେହୀ,ଦୟାଳୁ ସ୍ୱଭାବର ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ

ଅନୁଗୋଳ ଜିଲ୍ଲା ସାମ୍ବାଦିକ ୟୁନିଅନ୍ ନିର୍ବାଚନ: ଦ୍ୱିତୀୟଥର ପାଇଁ ସଭାପତି ହେଲେ ଅଜିତ କୁମାର ଧର
Oct 11, 2026•61 views

ଅନୁଗୋଳ ଜିଲ୍ଲା ସାମ୍ବାଦିକ ୟୁନିଅନ୍ ନିର୍ବାଚନ: ଦ୍ୱିତୀୟଥର ପାଇଁ ସଭାପତି ହେଲେ ଅଜିତ କୁମାର ଧର

ଅନୁଗୋଳ: ଅନୁଗୋଳ ଜିଲ୍ଲା ସାମ୍ବାଦିକ ୟୁନିଅନ୍‌ (ଏଡିୟୁଜେ)ର ନିର୍ବାଚନରେ ଅଜିତ କୁମାର ଧର ଦ୍ୱିତୀୟଥର ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ମାନସ ରଞ୍ଜନ ମହାନ୍ତି ୟୁନିଅନ୍‌ର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନ ମାଧ୍ୟମରେ ୟୁନିଅନ୍‌ର ନୂତନ ନେତୃତ୍ୱ ଚୟନ ହୋଇଥିବାବେଳେ ସାମ୍ବାଦିକମାନଙ୍କ ସ୍ୱାର୍ଥରକ୍ଷା, ସାମ୍ବାଦିକଙ୍କ ସମସ୍ୟାର ସମାଧାନ ଏବଂ ସାମ୍ବାଦିକତାର ମର୍ଯ୍ୟାଦା ବଜାୟ ରଖିବା ଦିଗରେ ନୂତନ କାର୍ଯ୍ୟକାରିଣୀ ଗୁରୁତ୍ୱ ଦେବ ବୋଲି ଆଶା ପ୍ରକାଶ ପାଇଛି। ଅଜିତ କୁମାର ଧର ପୁନର୍ବାର ସଭାପତି ନିର୍ବାଚିତ ହେବାକୁ ୟୁନିଅନ୍‌ରେ ତାଙ୍କ ନେତୃତ୍ୱର ନିରନ୍ତରତା ଭାବେ ଦେଖାଯାଉଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ଜରପଡ଼ାରେ ପକ୍ଷାଘାତ ପୀଡ଼ିତ କହେଁଇ ବେହେରାଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ଲୁଲୁ ସେନା
Oct 11, 2026•111 views

ଜରପଡ଼ାରେ ପକ୍ଷାଘାତ ପୀଡ଼ିତ କହେଁଇ ବେହେରାଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ଲୁଲୁ ସେନା

ଅନୁଗୋଳ: ମାନବିକତା ଓ ସମାଜସେବାର ଉଦାହରଣ ସୃଷ୍ଟି କରିଛି ଲୁଲୁ ସେନା। ଅନୁଗୋଳ ଜିଲ୍ଲା ଜରପଡ଼ା ଅଞ୍ଚଳର ୬୫ ବର୍ଷୀୟ କହେଁଇ ବେହେରା ପକ୍ଷାଘାତରେ ପୀଡ଼ିତ ହୋଇ କାମ କରିବାକୁ ଅସମର୍ଥ ଥିବାରୁ ତାଙ୍କ ପରିବାର ଦୈନନ୍ଦିନ ଜୀବନଯାପନରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି। ଏ ସମ୍ପର୍କରେ ତାଙ୍କର ଜଣେ ସମ୍ପର୍କୀୟ ଲୁଲୁ ସେନା ଟିମ୍‌କୁ ସହାୟତା ପାଇଁ ଅନୁରୋଧ କରିଥିଲେ। ଅନୁରୋଧ ପାଇବା ପରେ ଲୁଲୁ ସେନାର ସଦସ୍ୟମାନେ କହେଁଇ ବେହେରାଙ୍କ ପରିବାର ନିକଟରେ ପହଞ୍ଚି ତାଙ୍କ ସମସ୍ୟା ବୁଝିବା ସହ ନିଜ ସାମର୍ଥ୍ୟ ଅନୁଯାୟୀ ସହାୟତା ପ୍ରଦାନ କରିଥିଲେ। ଲୁଲୁ ସେନା ପକ୍ଷରୁ କୁହାଯାଇଛି ଯେ, ସମାଜସେବା କୌଣସି ନିର୍ଦ୍ଦିଷ୍ଟ ଗ୍ରାମ କିମ୍ବା ଅଞ୍ଚଳ ମଧ୍ୟରେ ସୀମିତ ନୁହେଁ। ଯେଉଁଠାରୁ ସହାୟତା ପାଇଁ ଅନୁରୋଧ ଆସେ, ସେଠାରେ ପ୍ରଥମେ ପ୍ରକୃତ ସ୍ଥିତି ଓ ଆବଶ୍ୟକତା ଅନୁଧ୍ୟାନ କରାଯାଇଥାଏ। ପରେ ସାମର୍ଥ୍ୟ ଅନୁସାରେ ସହଯୋଗର ହାତ ବଢ଼ାଯାଇଥାଏ। ଅଞ୍ଚଳ ନୁହେଁ, ମଣିଷର ଦୁଃଖ ଓ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଲୁଲୁ ସେନାର ଏହି ମାନବିକ ପଦକ୍ଷେପ ସମାଜ ପାଇଁ ଏକ ପ୍ରେରଣାଦାୟୀ ବାର୍ତ୍ତା ଦେଇଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ପାହାଡ଼ ଜଙ୍ଗଲ ଘେରା ବଲଙ୍ଗ ଗାଁରେ ପହଞ୍ଚିଲେ ସମାଜସେବୀ ଅଭିମନ୍ୟୁ ସାହୁ
Oct 11, 2026•96 views

ପାହାଡ଼ ଜଙ୍ଗଲ ଘେରା ବଲଙ୍ଗ ଗାଁରେ ପହଞ୍ଚିଲେ ସମାଜସେବୀ ଅଭିମନ୍ୟୁ ସାହୁ

ଅନୁଗୋଳ: ମାନବ ସେବା ହିଁ ମାଧବ ସେବା—ଏହି ମହତ୍ ଉଦ୍ଦେଶ୍ୟକୁ ପାଥେୟ କରି ପୁଣିଥରେ ମାନବିକତାର ପରିଚୟ ଦେଇଛନ୍ତି ସମାଜସେବୀ ଅଭିମନ୍ୟୁ ସାହୁ। ଅନୁଗୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାହାଡ଼ ଓ ଜଙ୍ଗଲ ଘେରା ବଲଙ୍ଗ ଗାଁରେ ପହଞ୍ଚି ସେ କ୍ୟାନସର ପୀଡ଼ିତ ବୃଦ୍ଧ ଡାଇଭର ବେହେରାଙ୍କୁ ୧୦ ହଜାର ଟଙ୍କା ସହ ଡାଲି, ଚାଉଳ ଆଦି ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, ବଲଙ୍ଗ ଗାଁର ଜଣେ କଲେଜ ଛାତ୍ରୀ ସାମାଜିକ ଗଣମାଧ୍ୟମରେ ଅଭିମନ୍ୟୁ ସାହୁଙ୍କ ସମାଜସେବା କାର୍ଯ୍ୟ ଦେଖି ଅନୁପ୍ରାଣିତ ହୋଇଥିଲେ। ସେ ବୃଦ୍ଧ ଡାଇଭର ବେହେରାଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଶ୍ରୀ ସାହୁଙ୍କୁ ଜଣାଇବା ସହ ସହାୟତା ପାଇଁ ଅନୁରୋଧ କରିଥିଲେ। ଖବର ପାଇବା ମାତ୍ରେ ବିଳମ୍ବ ନକରି ଅଭିମନ୍ୟୁ ସାହୁ ବଲଙ୍ଗ ଗାଁରେ ପହଞ୍ଚିଥିଲେ। ସେଠାରେ ବୃଦ୍ଧ ଡାଇଭର ବେହେରାଙ୍କ ଦୀର୍ଘଦିନର ଅସୁସ୍ଥତା ଓ ପେଟରେ ଘା ହେବା ପରେ କ୍ୟାନସରରେ ପୀଡ଼ିତ ଥିବା ସମ୍ପର୍କରେ ଜାଣିବାକୁ ପାଇଥିଲେ। ତାଙ୍କର ଦୁଃଖଦ ପରିସ୍ଥିତି ଜାଣିବା ପରେ ଶ୍ରୀ ସାହୁ ତାଙ୍କୁ ୧୦ ହଜାର ଟଙ୍କା ସହ ଡାଲି, ଚାଉଳ ଓ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ। ଦୁର୍ଗମ ଅଞ୍ଚଳରେ ରହୁଥିବା ଅସହାୟ ଓ ଅସୁବିଧାରେ ଥିବା ଲୋକଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଇବା ଅଭିମନ୍ୟୁ ସାହୁଙ୍କ ସମାଜସେବାର ମୁଖ୍ୟ ଲକ୍ଷ୍ୟ ରହିଛି। ତାଙ୍କର ଏହି ମାନବିକତାପୂର୍ଣ୍ଣ ପଦକ୍ଷେପକୁ ଗ୍ରାମବାସୀ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ। ଅସହାୟଙ୍କ ଦୁଃଖ ସମୟରେ ସହଯୋଗର ହାତ ବଢ଼ାଇବାର ଏହି ଉଦ୍ୟମ ସମାଜରେ ମାନବିକତା ଓ ପରୋପକାରର ଏକ ସୁନ୍ଦର ଉଦାହରଣ ପାଲଟିଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ଡ଼.ବାବାସାହେବ ଆମ୍ବେଦକରଙ୍କ ଅପମାନ ଅଭିଯୋଗ: ବିପିନ ରାଉତରାଏଙ୍କ ବିରୋଧରେ କୋମନା ବ୍ଲକ ଯୁବ ସଂଗଠନର ଏତଲା
Oct 11, 2026•18 views

ଡ଼.ବାବାସାହେବ ଆମ୍ବେଦକରଙ୍କ ଅପମାନ ଅଭିଯୋଗ: ବିପିନ ରାଉତରାଏଙ୍କ ବିରୋଧରେ କୋମନା ବ୍ଲକ ଯୁବ ସଂଗଠନର ଏତଲା

କୋମନା: ୧୧:୨୬ ଭାରତରତ୍ନ ତଥା ଭାରତୀୟ ସମ୍ବିଧାନର ପ୍ରଣେତା ଡ଼କ୍ଟର ବାବାସାହେବ ଆମ୍ବେଦକରଙ୍କୁ ଅପମାନିତ କରିଥିବା ଅଭିଯୋଗରେ ବିପିନ ରାଉତରାଏଙ୍କ ବିରୋଧରେ କୋମନା ବ୍ଲକ ଯୁବ ସଂଗଠନ ପକ୍ଷରୁ ଆଜି ଏତଲା ଦିଆଯାଇଛି। ସଂଗଠନର ସଭାପତି ଅଜମ୍ବର ତାଣିଙ୍କ ନେତୃତ୍ୱରେ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଡ଼କ୍ଟର ବାବାସାହେବ ଆମ୍ବେଦକର ଭାରତୀୟ ସମ୍ବିଧାନର ମୁଖ୍ୟ ସ୍ଥପତି ଭାବେ ପରିଚିତ। ସେ ସାମାଜିକ ନ୍ୟାୟ, ସମାନତା, ସ୍ୱାଧୀନତା ଓ ଭାଇଚାରାର ମୂଲ୍ୟବୋଧକୁ ପ୍ରତିଷ୍ଠା କରିବା ପାଇଁ ସାରା ଜୀବନ ସଂଘର୍ଷ କରିଥିଲେ। ତାଙ୍କର ଅବଦାନ ଭାରତୀୟ ଗଣତନ୍ତ୍ର ଓ ସମ୍ବିଧାନ ପାଇଁ ଅତୁଳନୀୟ। ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବାବାସାହେବଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ବା ଆଚରଣ ସମାଜରେ ଅସନ୍ତୋଷ ସୃଷ୍ଟି କରିବା ସହ ତାଙ୍କୁ ସମ୍ମାନ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଭାବନାକୁ ଆଘାତ ପହଞ୍ଚାଇଥାଏ। ଏଭଳି ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବାକୁ ସଂଗଠନ ଦାବି କରିଛି। ଏତଲା ଦେବା ସମୟରେ ସଂଗଠନର ପକ୍ଷରୁ ସମ୍ବିଧାନର ମର୍ଯ୍ୟାଦା ରକ୍ଷା କରିବା ଏବଂ ମହାପୁରୁଷମାନଙ୍କ ପ୍ରତି ସମ୍ମାନ ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଘଟଣାରେ ପ୍ରଶାସନ ନିରପେକ୍ଷ ତଦନ୍ତ କରି ସତ୍ୟାସତ୍ୟ ସାମ୍ନାକୁ ଆଣିବାକୁ ଦାବି ହୋଇଛି।ଏହି ଅବସରରେ ସଂଗଠନ ପକ୍ଷରୁ “ଜୟ ସମ୍ବିଧାନ, ଜୟ ଭାରତ” ସ୍ଲୋଗାନ ଦିଆଯାଇଥିଲା। ସମ୍ବିଧାନର ମୂଲ୍ୟବୋଧ, ସାମାଜିକ ସମାନତା ଓ ନ୍ୟାୟ ପ୍ରତିଷ୍ଠା ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ସଂଗଠନ ଆହ୍ୱାନ ଜଣାଇଛି।

Nuapada (ନୂଆପଡ଼ା) • ଗିରେନ୍ଦ୍ର କୁମାର ଜଗତ

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ବାରାଣସୀ ଓ ଅଯୋଧ୍ୟା ଅଭିମୁଖେ ବାହାରିଲେ ୧୪୦ ବରିଷ୍ଠ ନାଗରିକ
Oct 11, 2026•19 views

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ବାରାଣସୀ ଓ ଅଯୋଧ୍ୟା ଅଭିମୁଖେ ବାହାରିଲେ ୧୪୦ ବରିଷ୍ଠ ନାଗରିକ

କେନ୍ଦୁଝର, ୧୧ ଅକ୍ଟୋବର ୨୦୨୬: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ କେନ୍ଦୁଝର ଜିଲ୍ଲାରୁ ମୋଟ୍ ୧୪୦ ଜଣ ବରିଷ୍ଠ ନାଗରିକ ବାରାଣସୀ ଏବଂ ଅଯୋଧ୍ୟା ଅଭିମୁଖେ ଏକ ଆଧ୍ୟାତ୍ମିକ ତୀର୍ଥଯାତ୍ରାରେ ବାହାରିଛନ୍ତି। ଏହି ତୀର୍ଥଯାତ୍ରା ଭ୍ରମଣ ୨୦୨୬ ଅକ୍ଟୋବର ୧୧ ରୁ ୧୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। କେନ୍ଦୁଝରଗଡ଼ ପୌରପାଳିକାର କଲ୍ୟାଣ ମଣ୍ଡପଠାରେ ଅପରାହ୍ନ ୨:୪୫ ମିନିଟରେ କେନ୍ଦୁଝରଗଡ଼ ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ଏହି ତୀର୍ଥଯାତ୍ରୀ ବସ୍ କୁ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ ଶ୍ରୀ ରମେଶ ଚନ୍ଦ୍ର ନାୟକ ଏବଂ ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ସୁଶ୍ରୀ ବିନତି ମାଝୀ ଉପସ୍ଥିତ ଥିଲେ। ଅପାର ଧାର୍ମିକ ତଥା ସାଂସ୍କୃତିକ ଗୁରୁତ୍ୱ ପାଇଁ ଜଣାଶୁଣା ପବିତ୍ର ସହର ବାରାଣସୀ ଏବଂ ଅଯୋଧ୍ୟା ପରିଦର୍ଶନ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଅଂଶଗ୍ରହଣ କରିଥିବା ବରିଷ୍ଠ ନାଗରିକମାନେ ଖୁସି ଓ ଉତ୍ସାହ ପ୍ରକାଶ କରିଥିଲେ। ଏହି ଯୋଜନା ବୟସ୍କ ନାଗରିକମାନଙ୍କୁ ଏକ ଆଧ୍ୟାତ୍ମିକ ଯାତ୍ରା କରିବା ଏବଂ ଦେଶର ପ୍ରମୁଖ ତୀର୍ଥସ୍ଥଳଗୁଡ଼ିକୁ ଅନୁଭବ କରିବାର ଏକ ସୁଯୋଗ ପ୍ରଦାନ କରିଥାଏ। ତୀର୍ଥଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଓ ଯାତ୍ରାକୁ ସହଜ କରିବା ତଥା ଆବଶ୍ୟକ ସହାୟତା ପ୍ରଦାନ କରିବା ପାଇଁ ଏସକର୍ଟ ଅଫିସର (ସହଯୋଗୀ ଅଧିକାରୀ) ମାନେ ସମ୍ପୂର୍ଣ୍ଣ ଯାତ୍ରା ସମୟରେ ଏହି ଦଳ ସହିତ ରହିଛନ୍ତି। ଏହି ପଦକ୍ଷେପ ବରିଷ୍ଠ ନାଗରିକମାନଙ୍କ ପାଇଁ ତୀର୍ଥଯାତ୍ରାର ସୁଯୋଗ ସୃଷ୍ଟି କରିବା ଏବଂ ସେମାନଙ୍କ ପାଇଁ ଏକ ସୁରକ୍ଷିତ, ଆରାମଦାୟକ ତଥା ସ୍ମରଣୀୟ ଆଧ୍ୟାତ୍ମିକ ଅନୁଭୂତି ସୁନିଶ୍ଚିତ କରୁଛି।

Kendujhar (କେନ୍ଦୁଝର) • କେନ୍ଦୁଝର ରୁ ନିରଞ୍ଜନ ପାଣିଙ୍କ ରିପୋର୍ଟ