ଚିଲିକାରେ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ: ଆରମ୍ଭ ହେଲା ୨୪ ଘଣ୍ଟିଆ ସ୍ପେଶାଲ ଅଭିଯାନ
Ganjam (ଗଞ୍ଜାମ)ରିପୋର୍ଟ ବିଜୟାନନ୍ଦ ତ୍ରିପାଠୀ ଭଂଜନଗରOctober 7, 202628 views

ବାଲୁଗାଁ : ବିଶ୍ୱପ୍ରସିଦ୍ଧ ଚିଲିକା ହ୍ରଦକୁ ଶୀତଋତୁର ଆଗମନ ସହିତ ଅତିଥି ପକ୍ଷୀମାନଙ୍କର ଆଗମନ ଆରମ୍ଭ ହୋଇଯାଇଛି। ସୁଦୂର ସାଇବେରିଆ, କାସପିଆନ ସାଗର, ବୈକାଲ ହ୍ରଦ ଏବଂ ମଙ୍ଗୋଲିଆ ଆଦି ବିଭିନ୍ନ ବିଦେଶୀ ଅଞ୍ଚଳରୁ ହଜାର ହଜାର ମାଇଲ୍ ଅତିକ୍ରମ କରି ପକ୍ଷୀମାନେ ଏଠାକୁ ଆସିବାକୁ ଲାଗିଲେଣି। ଏହି ପରିପ୍ରେକ୍ଷୀରେ, ଏହି ନିରୀହ ବିଦେଶୀ ପକ୍ଷୀମାନଙ୍କୁ ଶିକାରୀଙ୍କ କୋପରୁ ରକ୍ଷା କରିବା ପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଚିଲିକାରେ ପକ୍ଷୀ ସୁରକ୍ଷା ଅଭିଯାନକୁ ବ୍ୟାପକ ଓ ଜୋରଦାର କରାଯାଇଛି।
ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିଦେଶୀ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ଚିଲିକା ଓ ଏହାର ଆଖପାଖ ଅଞ୍ଚଳରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପକ୍ଷୀ ଶିକାର ରୋକିବା ପାଇଁ ହ୍ରଦ ମଧ୍ୟରେ ଏବଂ ସ୍ଥଳଭାଗରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କ୍ୟାମ୍ପ୍ ପ୍ରତିଷ୍ଠା କରାଯାଇ ଦିନରାତି ଜଗୁଆଳି ନିଯୁକ୍ତ କରାଯାଇଛି। ବନ୍ୟପ୍ରାଣୀ କର୍ମଚାରୀମାନେ ସ୍ପିଡ୍ ବୋଟ୍ ସାହାଯ୍ୟରେ ପାଟ୍ରୋଲିଂ କରୁଛନ୍ତି, ଯେପରି କୌଣସି ଶିକାରୀ ପକ୍ଷୀମାନଙ୍କର କ୍ଷତି କରିପାରିବେ ନାହିଁ।
ଚିଲିକାର ମଙ୍ଗଳାଯୋଡ଼ି, ନଳବଣ ପକ୍ଷୀ ଅଭୟାରଣ୍ୟ, ଭୂଷଣ୍ଡପୁର ଏବଂ ସୋରଣ ଭଳି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ବନ୍ୟପ୍ରାଣୀ ବିଭାଗ ସ୍ଥାନୀୟ ପକ୍ଷୀ ସୁରକ୍ଷା ସମିତି ଏବଂ ଗ୍ରାମବାସୀମାନଙ୍କ ସହଯୋଗରେ ଏହି ଅଭିଯାନକୁ ପରିଚାଳନା କରୁଛି। ଯଦି କୌଣସି ବ୍ୟକ୍ତି ପକ୍ଷୀ ଶିକାର କିମ୍ବା ବ୍ୟବସାୟରେ ଜଡ଼ିତ ଥିବା ଜଣାପଡ଼େ, ତେବେ ତାଙ୍କ ବିରୋଧରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ତରଫରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି।
