--:--:--
-- ---
Srishti News

Web News

ପାହାଡ଼ ଜଙ୍ଗଲ ଘେରା ବଲଙ୍ଗ ଗାଁରେ ପହଞ୍ଚିଲେ ସମାଜସେବୀ ଅଭିମନ୍ୟୁ ସାହୁ
Oct 11, 2026•96 views

ପାହାଡ଼ ଜଙ୍ଗଲ ଘେରା ବଲଙ୍ଗ ଗାଁରେ ପହଞ୍ଚିଲେ ସମାଜସେବୀ ଅଭିମନ୍ୟୁ ସାହୁ

ଅନୁଗୋଳ: ମାନବ ସେବା ହିଁ ମାଧବ ସେବା—ଏହି ମହତ୍ ଉଦ୍ଦେଶ୍ୟକୁ ପାଥେୟ କରି ପୁଣିଥରେ ମାନବିକତାର ପରିଚୟ ଦେଇଛନ୍ତି ସମାଜସେବୀ ଅଭିମନ୍ୟୁ ସାହୁ। ଅନୁଗୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାହାଡ଼ ଓ ଜଙ୍ଗଲ ଘେରା ବଲଙ୍ଗ ଗାଁରେ ପହଞ୍ଚି ସେ କ୍ୟାନସର ପୀଡ଼ିତ ବୃଦ୍ଧ ଡାଇଭର ବେହେରାଙ୍କୁ ୧୦ ହଜାର ଟଙ୍କା ସହ ଡାଲି, ଚାଉଳ ଆଦି ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, ବଲଙ୍ଗ ଗାଁର ଜଣେ କଲେଜ ଛାତ୍ରୀ ସାମାଜିକ ଗଣମାଧ୍ୟମରେ ଅଭିମନ୍ୟୁ ସାହୁଙ୍କ ସମାଜସେବା କାର୍ଯ୍ୟ ଦେଖି ଅନୁପ୍ରାଣିତ ହୋଇଥିଲେ। ସେ ବୃଦ୍ଧ ଡାଇଭର ବେହେରାଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଶ୍ରୀ ସାହୁଙ୍କୁ ଜଣାଇବା ସହ ସହାୟତା ପାଇଁ ଅନୁରୋଧ କରିଥିଲେ। ଖବର ପାଇବା ମାତ୍ରେ ବିଳମ୍ବ ନକରି ଅଭିମନ୍ୟୁ ସାହୁ ବଲଙ୍ଗ ଗାଁରେ ପହଞ୍ଚିଥିଲେ। ସେଠାରେ ବୃଦ୍ଧ ଡାଇଭର ବେହେରାଙ୍କ ଦୀର୍ଘଦିନର ଅସୁସ୍ଥତା ଓ ପେଟରେ ଘା ହେବା ପରେ କ୍ୟାନସରରେ ପୀଡ଼ିତ ଥିବା ସମ୍ପର୍କରେ ଜାଣିବାକୁ ପାଇଥିଲେ। ତାଙ୍କର ଦୁଃଖଦ ପରିସ୍ଥିତି ଜାଣିବା ପରେ ଶ୍ରୀ ସାହୁ ତାଙ୍କୁ ୧୦ ହଜାର ଟଙ୍କା ସହ ଡାଲି, ଚାଉଳ ଓ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ। ଦୁର୍ଗମ ଅଞ୍ଚଳରେ ରହୁଥିବା ଅସହାୟ ଓ ଅସୁବିଧାରେ ଥିବା ଲୋକଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଇବା ଅଭିମନ୍ୟୁ ସାହୁଙ୍କ ସମାଜସେବାର ମୁଖ୍ୟ ଲକ୍ଷ୍ୟ ରହିଛି। ତାଙ୍କର ଏହି ମାନବିକତାପୂର୍ଣ୍ଣ ପଦକ୍ଷେପକୁ ଗ୍ରାମବାସୀ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ। ଅସହାୟଙ୍କ ଦୁଃଖ ସମୟରେ ସହଯୋଗର ହାତ ବଢ଼ାଇବାର ଏହି ଉଦ୍ୟମ ସମାଜରେ ମାନବିକତା ଓ ପରୋପକାରର ଏକ ସୁନ୍ଦର ଉଦାହରଣ ପାଲଟିଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ଡ଼.ବାବାସାହେବ ଆମ୍ବେଦକରଙ୍କ ଅପମାନ ଅଭିଯୋଗ: ବିପିନ ରାଉତରାଏଙ୍କ ବିରୋଧରେ କୋମନା ବ୍ଲକ ଯୁବ ସଂଗଠନର ଏତଲା
Oct 11, 2026•18 views

ଡ଼.ବାବାସାହେବ ଆମ୍ବେଦକରଙ୍କ ଅପମାନ ଅଭିଯୋଗ: ବିପିନ ରାଉତରାଏଙ୍କ ବିରୋଧରେ କୋମନା ବ୍ଲକ ଯୁବ ସଂଗଠନର ଏତଲା

କୋମନା: ୧୧:୨୬ ଭାରତରତ୍ନ ତଥା ଭାରତୀୟ ସମ୍ବିଧାନର ପ୍ରଣେତା ଡ଼କ୍ଟର ବାବାସାହେବ ଆମ୍ବେଦକରଙ୍କୁ ଅପମାନିତ କରିଥିବା ଅଭିଯୋଗରେ ବିପିନ ରାଉତରାଏଙ୍କ ବିରୋଧରେ କୋମନା ବ୍ଲକ ଯୁବ ସଂଗଠନ ପକ୍ଷରୁ ଆଜି ଏତଲା ଦିଆଯାଇଛି। ସଂଗଠନର ସଭାପତି ଅଜମ୍ବର ତାଣିଙ୍କ ନେତୃତ୍ୱରେ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଡ଼କ୍ଟର ବାବାସାହେବ ଆମ୍ବେଦକର ଭାରତୀୟ ସମ୍ବିଧାନର ମୁଖ୍ୟ ସ୍ଥପତି ଭାବେ ପରିଚିତ। ସେ ସାମାଜିକ ନ୍ୟାୟ, ସମାନତା, ସ୍ୱାଧୀନତା ଓ ଭାଇଚାରାର ମୂଲ୍ୟବୋଧକୁ ପ୍ରତିଷ୍ଠା କରିବା ପାଇଁ ସାରା ଜୀବନ ସଂଘର୍ଷ କରିଥିଲେ। ତାଙ୍କର ଅବଦାନ ଭାରତୀୟ ଗଣତନ୍ତ୍ର ଓ ସମ୍ବିଧାନ ପାଇଁ ଅତୁଳନୀୟ। ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବାବାସାହେବଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ବା ଆଚରଣ ସମାଜରେ ଅସନ୍ତୋଷ ସୃଷ୍ଟି କରିବା ସହ ତାଙ୍କୁ ସମ୍ମାନ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଭାବନାକୁ ଆଘାତ ପହଞ୍ଚାଇଥାଏ। ଏଭଳି ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବାକୁ ସଂଗଠନ ଦାବି କରିଛି। ଏତଲା ଦେବା ସମୟରେ ସଂଗଠନର ପକ୍ଷରୁ ସମ୍ବିଧାନର ମର୍ଯ୍ୟାଦା ରକ୍ଷା କରିବା ଏବଂ ମହାପୁରୁଷମାନଙ୍କ ପ୍ରତି ସମ୍ମାନ ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଘଟଣାରେ ପ୍ରଶାସନ ନିରପେକ୍ଷ ତଦନ୍ତ କରି ସତ୍ୟାସତ୍ୟ ସାମ୍ନାକୁ ଆଣିବାକୁ ଦାବି ହୋଇଛି।ଏହି ଅବସରରେ ସଂଗଠନ ପକ୍ଷରୁ “ଜୟ ସମ୍ବିଧାନ, ଜୟ ଭାରତ” ସ୍ଲୋଗାନ ଦିଆଯାଇଥିଲା। ସମ୍ବିଧାନର ମୂଲ୍ୟବୋଧ, ସାମାଜିକ ସମାନତା ଓ ନ୍ୟାୟ ପ୍ରତିଷ୍ଠା ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ସଂଗଠନ ଆହ୍ୱାନ ଜଣାଇଛି।

Nuapada (ନୂଆପଡ଼ା) • ଗିରେନ୍ଦ୍ର କୁମାର ଜଗତ

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ବାରାଣସୀ ଓ ଅଯୋଧ୍ୟା ଅଭିମୁଖେ ବାହାରିଲେ ୧୪୦ ବରିଷ୍ଠ ନାଗରିକ
Oct 11, 2026•19 views

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ବାରାଣସୀ ଓ ଅଯୋଧ୍ୟା ଅଭିମୁଖେ ବାହାରିଲେ ୧୪୦ ବରିଷ୍ଠ ନାଗରିକ

କେନ୍ଦୁଝର, ୧୧ ଅକ୍ଟୋବର ୨୦୨୬: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ କେନ୍ଦୁଝର ଜିଲ୍ଲାରୁ ମୋଟ୍ ୧୪୦ ଜଣ ବରିଷ୍ଠ ନାଗରିକ ବାରାଣସୀ ଏବଂ ଅଯୋଧ୍ୟା ଅଭିମୁଖେ ଏକ ଆଧ୍ୟାତ୍ମିକ ତୀର୍ଥଯାତ୍ରାରେ ବାହାରିଛନ୍ତି। ଏହି ତୀର୍ଥଯାତ୍ରା ଭ୍ରମଣ ୨୦୨୬ ଅକ୍ଟୋବର ୧୧ ରୁ ୧୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। କେନ୍ଦୁଝରଗଡ଼ ପୌରପାଳିକାର କଲ୍ୟାଣ ମଣ୍ଡପଠାରେ ଅପରାହ୍ନ ୨:୪୫ ମିନିଟରେ କେନ୍ଦୁଝରଗଡ଼ ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ଏହି ତୀର୍ଥଯାତ୍ରୀ ବସ୍ କୁ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ ଶ୍ରୀ ରମେଶ ଚନ୍ଦ୍ର ନାୟକ ଏବଂ ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ସୁଶ୍ରୀ ବିନତି ମାଝୀ ଉପସ୍ଥିତ ଥିଲେ। ଅପାର ଧାର୍ମିକ ତଥା ସାଂସ୍କୃତିକ ଗୁରୁତ୍ୱ ପାଇଁ ଜଣାଶୁଣା ପବିତ୍ର ସହର ବାରାଣସୀ ଏବଂ ଅଯୋଧ୍ୟା ପରିଦର୍ଶନ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଅଂଶଗ୍ରହଣ କରିଥିବା ବରିଷ୍ଠ ନାଗରିକମାନେ ଖୁସି ଓ ଉତ୍ସାହ ପ୍ରକାଶ କରିଥିଲେ। ଏହି ଯୋଜନା ବୟସ୍କ ନାଗରିକମାନଙ୍କୁ ଏକ ଆଧ୍ୟାତ୍ମିକ ଯାତ୍ରା କରିବା ଏବଂ ଦେଶର ପ୍ରମୁଖ ତୀର୍ଥସ୍ଥଳଗୁଡ଼ିକୁ ଅନୁଭବ କରିବାର ଏକ ସୁଯୋଗ ପ୍ରଦାନ କରିଥାଏ। ତୀର୍ଥଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଓ ଯାତ୍ରାକୁ ସହଜ କରିବା ତଥା ଆବଶ୍ୟକ ସହାୟତା ପ୍ରଦାନ କରିବା ପାଇଁ ଏସକର୍ଟ ଅଫିସର (ସହଯୋଗୀ ଅଧିକାରୀ) ମାନେ ସମ୍ପୂର୍ଣ୍ଣ ଯାତ୍ରା ସମୟରେ ଏହି ଦଳ ସହିତ ରହିଛନ୍ତି। ଏହି ପଦକ୍ଷେପ ବରିଷ୍ଠ ନାଗରିକମାନଙ୍କ ପାଇଁ ତୀର୍ଥଯାତ୍ରାର ସୁଯୋଗ ସୃଷ୍ଟି କରିବା ଏବଂ ସେମାନଙ୍କ ପାଇଁ ଏକ ସୁରକ୍ଷିତ, ଆରାମଦାୟକ ତଥା ସ୍ମରଣୀୟ ଆଧ୍ୟାତ୍ମିକ ଅନୁଭୂତି ସୁନିଶ୍ଚିତ କରୁଛି।

Kendujhar (କେନ୍ଦୁଝର) • କେନ୍ଦୁଝର ରୁ ନିରଞ୍ଜନ ପାଣିଙ୍କ ରିପୋର୍ଟ

ଅକ୍ଟୋବର ୧୩ ରେ ହେବାକୁ ଥିବା ପିଇଟି ୱାକିଂ ଟେଷ୍ଟ ସମୟରେ ସହଯୋଗ ପାଇଁ ଜନସାଧାରଣଙ୍କୁ ନିବେଦନ
Oct 11, 2026•30 views

ଅକ୍ଟୋବର ୧୩ ରେ ହେବାକୁ ଥିବା ପିଇଟି ୱାକିଂ ଟେଷ୍ଟ ସମୟରେ ସହଯୋଗ ପାଇଁ ଜନସାଧାରଣଙ୍କୁ ନିବେଦନ

କେନ୍ଦୁଝର, ୧୧ ଅକ୍ଟୋବର ୨୦୨୬: ସମ୍ମିଳିତ ନିଯୁକ୍ତି ପରୀକ୍ଷା -୨୦୨୫ ଅଧୀନରେ ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ପଦବୀ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ପ୍ରାର୍ଥୀମାନଙ୍କ ଶାରୀରିକ ଦକ୍ଷତା ପରୀକ୍ଷା ୱାକିଂ ଟେଷ୍ଟ (ଚାଲିବା ପରୀକ୍ଷା) ଆସନ୍ତା ଅକ୍ଟୋବର ୧୩, ୨୦୨୬ ସକାଳ ୫:୦୦ ଟାରୁ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରୀକ୍ଷାକୁ ସୂଚାରୁ ଓ ସୁରକ୍ଷିତ ଭାବେ ପରିଚାଳନା କରିବା ପାଇଁ କେନ୍ଦୁଝର ବନଖଣ୍ଡର ବନଖଣ୍ଡ ଅଧିକାରୀ (ଡିଏଫଓ) ସର୍ବସାଧାରଣ ଏବଂ ଯାନବାହନ ଚାଳକମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଏହି ଚାଲିବା ପରୀକ୍ଷା ନରଣପୁର (ଖୋଳପା) ସ୍ଥିତ ଓଏଫଡିସି (OFDC) ଟିମ୍ବର ଡିପୋରୁ ଆରମ୍ଭ ହୋଇ ଗୁହାଳଚଟୁ ଏବଂ ନୁଣଝରଣ ଦେଇ କଜଳେଇପୋଷି ପର୍ଯ୍ୟନ୍ତ ଯିବ, ଯାହାକି ଏକ ନିର୍ଦ୍ଧାରିତ ୧୨.୫ କିଲୋମିଟର ରାସ୍ତା ଅତିକ୍ରମ କରିବ। ପ୍ରାର୍ଥୀମାନଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ପରୀକ୍ଷା ଦିନ ସକାଳ ୪:୦୦ ଟାରୁ ପୂର୍ବାହ୍ନ ୧୧:୦୦ ଟା ମଧ୍ୟରେ ଏହି ନିର୍ଦ୍ଧାରିତ ମାର୍ଗରେ ଅନାବଶ୍ୟକ ଯାତାୟାତ ନକରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ବିଶେଷ କରି ଭାରୀ ଯାନ ଚାଳକମାନଙ୍କୁ ଏହି ସମୟ ମଧ୍ୟରେ ଉକ୍ତ ମାର୍ଗରେ ଯାନବାହନ ଚଳାଚଳ ସୀମିତ ରଖିବାକୁ ଅନୁରୋଧ କରାଯାଇଥିବାବେଳେ, ଅନ୍ୟ ସମସ୍ତ ଯାତ୍ରୀମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ, ଧୀରେ ଗାଡ଼ି ଚଲାଇବାକୁ ଏବଂ କାର୍ଯ୍ୟରେ ନିୟୋଜିତ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଏବଂ ପରୀକ୍ଷାକୁ ନିରାପଦ, ସୁଗମ ଓ ନିରବଚ୍ଛିନ୍ନ ଭାବେ ସମ୍ପନ୍ନ କରିବା ପାଇଁ ଜନସାଧାରଣଙ୍କ ସହଯୋଗ ଏକାନ୍ତ ଆବଶ୍ୟକ। ଜନସାଧାରଣଙ୍କ ସୁରକ୍ଷା ସ୍ୱାର୍ଥରେ ସମସ୍ତ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଏହି ପରାମର୍ଶାବଳୀ ପାଳନ କରିବା ସହ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

Kendujhar (କେନ୍ଦୁଝର) • କେନ୍ଦୁଝର ରୁ ନିରଞ୍ଜନ ପାଣିଙ୍କ ରିପୋର୍ଟ

ସାମ୍ବାଦିକ ମାନଙ୍କ ବିଭିନ୍ନ ଦାବିନେଇ ଅକ୍ଟୋବର ୧୨ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମୟୁରଭଞ୍ଜ ସାମ୍ବାଦିକ ମିଳିତ ମହାମଞ୍ଚର ଧାରଣା
Oct 11, 2026•83 views

ସାମ୍ବାଦିକ ମାନଙ୍କ ବିଭିନ୍ନ ଦାବିନେଇ ଅକ୍ଟୋବର ୧୨ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମୟୁରଭଞ୍ଜ ସାମ୍ବାଦିକ ମିଳିତ ମହାମଞ୍ଚର ଧାରଣା

ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ମିଳିତ ମହାମଞ୍ଚ ତରଫରୁ ଓଡିଶା ସାମ୍ବାଦିକ ସଙ୍ଘ (ଓଜେୟୂ), ଉତ୍କଳ ସାମ୍ବାଦିକ ସଙ୍ଘ, ରାଜ୍ୟ ସାମ୍ବାଦିକ ସଙ୍ଘ (ଏସୟୁଜେ), କଳିଙ୍ଗ ପେସାଦାର ସାମ୍ବାଦିକ ସଙ୍ଘ, ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଙ୍ଘ, ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ପରିବାର, ଓଡିଶା ଡିଜିଟାଲ ମିଡ଼ିଆ ମହାସଙ୍ଘ ପ୍ରମୁଖ ଅନୁଷ୍ଠାନର ସମ୍ମତି କ୍ରମେ ଆସନ୍ତା ଅକ୍ଟୋବର ୧୨ ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାରେ ସାମ୍ବାଦିକ ମାନଙ୍କର ସ୍ୱାଭିମାନ, ସ୍ୱାର୍ଥ ଏବଂ ସୁରକ୍ଷା ଦାବୀରେ ଏକ ଶାନ୍ତିପୂର୍ଣ୍ଣ ଧାରଣା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଥିବା ସୂଚନା ମିଳିଛି l ଏଥିପାଇଁ ବିଧିବଦ୍ଧ ଭାବେ ପୋଲିସ ଅନୁମତି ନିଆଯାଇଛି l ଜିଲ୍ଲାର ସମସ୍ତ ସଂଗ୍ରାମୀ ସାମ୍ବାଦିକ ମାନଙ୍କୁ, ସଙ୍ଘ ମତ ନିର୍ବିଶେଷରେ ଜିଲ୍ଲାର ସାମ୍ବାଦିକ ମାନଙ୍କର ସ୍ୱାଭିମାନ, ସ୍ୱାର୍ଥ ଏବଂ ସୁରକ୍ଷା ପାଇଁ ଆସନ୍ତା ସୋମବାର, ଅକ୍ଟୋବର ୧୨ ତାରିଖରେ ଦିବା ୧୦ ଘଟିକା ସମୟରେ ବାରିପଦା ସ୍ଥିତ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହେବାକୁ ଥିବା ଧାରଣରେ ଯୋଗ ଦେବାକୁ ମିଳିତ ମହାମଞ୍ଚ ତରଫରୁ ଅନୁରୋଧ କରାଯାଇଛି l

Mayurbhanj (ମୟୂରଭଞ୍ଜ) • ବ୍ୟୁରୋ ରିପୋର୍ଟ, ସ୍ରିଷ୍ଟି ନିୟୁଜ, ମୟୁରଭଞ୍ଜ

ନୀଳକଣ୍ଠପୁରଠାରେ ବୀର ବାଜି ରାଉତଙ୍କ ୮୯ତମ ଶ୍ରାଦ୍ଧବାର୍ଷିକୀ ପାଳିତ
Oct 11, 2026•26 views

ନୀଳକଣ୍ଠପୁରଠାରେ ବୀର ବାଜି ରାଉତଙ୍କ ୮୯ତମ ଶ୍ରାଦ୍ଧବାର୍ଷିକୀ ପାଳିତ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁରଠାରେ ଆଜି ଅମର ସହିଦ ବୀର ବାଜି ରାଉତଙ୍କ ୮୯ତମ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ରାହ୍ମଣୀ ନଦୀକୂଳରେ ତିଳତର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ବୀର ବାଜି ରାଉତଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ଢେଙ୍କାନାଳ ଏବଂ ବାଜି ରାଉତ ସ୍ମୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ରନାରାୟଣ ପାଣି, କାମାକ୍ଷାନଗର ବିଧାୟକ ଶ୍ରୀ ଶତ୍ରୁଘ୍ନ ଜେନା, ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଜିଙ୍କ୍ୟ ବାବୁରାଓ ମାନେ, ଗଁଦିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରିନାରାଣୀ ଖଟୁଆ ଏବଂ ବାଜି ରାଉତ ସ୍ମୃତି ପରିଷଦର ସଭାପତି ଶ୍ରୀ କୋଦଣ୍ଡଧର ସାହୁ ପ୍ରମୁଖ ଉପସ୍ଥିତ ରହି ବୀର ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସଭାରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଯେ, ବୀର ବାଜି ରାଉତଙ୍କ ଅମର ଗାଥା ଓ ବଳିଦାନର ଗୌରବମୟ ଇତିହାସକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ଏଥିସହ ବ୍ରାହ୍ମଣୀ ନଦୀକୂଳରେ ବାଜି ରାଉତଙ୍କ ଏକ ବିଶାଳ ଓ ଆକର୍ଷଣୀୟ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ଯୋଜନା ରହିଥିବା ସେ ପ୍ରକାଶ କରିଥିଲେ। ଏହି ପ୍ରତିମୂର୍ତ୍ତି ଏକତାର ପ୍ରତୀକ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଢାଞ୍ଚାରେ ନିର୍ମାଣ କରିବାର ପରିକଳ୍ପନା ରହିଛି। ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ ନିଜ ବକ୍ତବ୍ୟରେ କହିଥିଲେ ଯେ, ବାଜି ରାଉତ ସ୍ମୃତି ପୀଠ ନିକଟରେ ଏକ ଆଧୁନିକ ସ୍ମାରକୀ ପରିସର ନିର୍ମାଣ କରିବା ପାଇଁ ନ୍ୟାସନାଲ ବିଲ୍ଡିଂସ୍ କନଷ୍ଟ୍ରକସନ୍ କର୍ପୋରେସନ୍ ଲିମିଟେଡ୍ (ଏନ୍‌ବିସିସି ଇଣ୍ଡିଆ ଲିମିଟେଡ୍‌)କୁ ଦାୟିତ୍ୱ ଦିଆଯାଉଛି। ଏହି ସ୍ମାରକୀ ପରିସର ବୀର ବାଜି ରାଉତଙ୍କ ଅମର ସ୍ମୃତିକୁ ସଂରକ୍ଷିତ ରଖିବା ସହ ଭବିଷ୍ୟତ ପିଢ଼ିକୁ ତାଙ୍କ ତ୍ୟାଗ, ସାହସ ଓ ଦେଶପ୍ରେମରୁ ପ୍ରେରଣା ଯୋଗାଇବ। ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ରନାରାୟଣ ପାଣି ନିଜ ବକ୍ତବ୍ୟରେ ବାଜି ରାଉତଙ୍କ ଆଦର୍ଶ ଓ ତାଙ୍କ ବଳିଦାନର ଗାଥାକୁ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶ୍ରୀନିବାସ ରାଉତ ଧନ୍ୟବାଦ ଅର୍ପଣ କରିଥିବାବେଳେ ଶ୍ରୀ ସତ୍ୟନାରାୟଣ କର ସଭା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଭୁବନ ବିଡିଓ ଶ୍ରୀମତୀ ଆୟୁଷୀ ମହାପାତ୍ର ସକ୍ରିୟ ଭୂମିକା ନିର୍ବାହ କରିଥିଲେ। ଏହା ପୂର୍ବରୁ ଆଜି ସକାଳେ ଢେଙ୍କାନାଳ ସହରର ବାଜିଚୌକ ଠାରେ ଥିବା ବୀର ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରମେଶ ଚନ୍ଦ୍ର ସେଠୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୀପ୍ତିରଞ୍ଜନ ସେଠୀ, ଢେଙ୍କାନାଳ ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ରଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ରହି ବୀର ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।

Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ
Oct 11, 2026•51 views

ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ

କିଶୋରନଗର: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ଜାମ୍ମୁନାଳୀ ଗ୍ରାମପଞ୍ଚାୟତର ଗୋଲାସର ଗ୍ରାମରେ ବିଶ୍ୱ ଯୁବ କେନ୍ଦ୍ର, ବଣୀନାଳୀ ପକ୍ଷରୁ ପରିଚାଳିତ ‘ଜଷ୍ଟ ରାଇଟ୍ ଫର୍ ଚିଲଡ୍ରେନ୍’ ଅଭିଯାନ ଅଧୀନରେ ଗ୍ରାମସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଶ୍ରମ ଓ ଶିଶୁ ଯୌନ ନିର୍ଯାତନା ଭଳି ସମ୍ବେଦନଶୀଳ ବିଷୟ ଉପରେ ଆଲୋଚନା କରାଯିବା ସହ ଶିଶୁମାନଙ୍କ ମୌଳିକ ଅଧିକାର ଓ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା। ଏଥିସହ ଶିଶୁ ଅଧିକାରର ସୁରକ୍ଷା ପାଇଁ ପରିବାର ଓ ସମାଜର ଭୂମିକା ଏବଂ ଆଇନଗତ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶ୍ୱ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ପ୍ରକଳ୍ପ ସହଯୋଗୀ ପପି ଦେହୁରୀ ବୈଠକ ପରିଚାଳନା କରିଥିଲେ। ଏଥିରେ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ୱାର୍ଡ ସଦସ୍ୟ, ସିଆରପି ଓ ଅନ୍ୟାନ୍ୟ ଗ୍ରାମସ୍ତରୀୟ ସଦସ୍ୟ ଯୋଗଦେଇଥିଲେ। ଶିଶୁମାନଙ୍କୁ ଏକ ସୁରକ୍ଷିତ ପରିବେଶ ଯୋଗାଇଦେବା ସହ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ କିଶୋରନଗର ,ଅନୁଗୋଳ

ଅଜାଣ ଶୋଭନୀୟ ଶିକ୍ଷାଶ୍ରମରେ ସ୍ୱାସ୍ଥ୍ୟସେବାର ମହାକୁମ୍ଭ
Oct 11, 2026•38 views

ଅଜାଣ ଶୋଭନୀୟ ଶିକ୍ଷାଶ୍ରମରେ ସ୍ୱାସ୍ଥ୍ୟସେବାର ମହାକୁମ୍ଭ

ବରୀ, ଯାଜପୁର: ମାନବସେବା ହିଁ ମାଧବସେବା। ଏହି ମହତ୍ ଉଦ୍ଦେଶ୍ୟକୁ ଆଧାର କରି ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ମନ୍ଦାରୀ ପଞ୍ଚାୟତର ମେଦୁଆକୁଳସ୍ଥିତ ଅଜାଣ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ବିଭିନ୍ନ ବିଭାଗର ଚିକିତ୍ସକମାନେ ଯୋଗଦେଇ ରୋଗୀଙ୍କୁ ଚିକିତ୍ସା ପରାମର୍ଶ ଓ ସ୍ୱାସ୍ଥ୍ୟସେବା ପ୍ରଦାନ କରିଥିଲେ। ପୂର୍ବତନ ବିଧାୟିକା ସୁନନ୍ଦା ଦାସ, ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଏବଂ ଇଣ୍ଡିଆନ୍ ବାଏ ବିଥ୍ ଟ୍ରଷ୍ଟ ଆଣ୍ଡ ଫାଉଣ୍ଡେସନ୍‌ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସହଯୋଗରେ ଏହି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ବିଭିନ୍ନ ବିଭାଗର ଚିକିତ୍ସକଙ୍କ ଦ୍ୱାରା ସେବା ପ୍ରଦାନ ଶିବିରରେ ଅସ୍ଥିଶଲ୍ୟ, ସ୍ତ୍ରୀ ଓ ପ୍ରସୂତି, ଭେଷଜ, ସ୍ନାୟୁ, ଦନ୍ତ ଓ ଚକ୍ଷୁ ବିଭାଗ ସମେତ ବିଭିନ୍ନ ବିଭାଗର ଚିକିତ୍ସକମାନେ ଯୋଗଦେଇଥିଲେ। ସେମାନେ ଉପସ୍ଥିତ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ପରାମର୍ଶ ଓ ଚିକିତ୍ସା ସେବା ଯୋଗାଇ ଦେଇଥିଲେ। ଏହି ଅବସରରେ ଚକ୍ଷୁ ବିଭାଗ ପକ୍ଷରୁ ଆବଶ୍ୟକତା ଅନୁଯାୟୀ ରୋଗୀଙ୍କୁ ଚଷମା ବଣ୍ଟନ କରାଯାଇଥିଲା। ସାଧାରଣ ଲୋକଙ୍କୁ ନିଜ ଅଞ୍ଚଳରେ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇଦେବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ବିଶେଷକରି ବିଭିନ୍ନ ରୋଗରେ ପୀଡ଼ିତ ଲୋକଙ୍କୁ ଚିକିତ୍ସକଙ୍କ ପରାମର୍ଶ ପାଇବାର ସୁଯୋଗ ମିଳିଥିବାରୁ ଏହି ପଦକ୍ଷେପକୁ ଉପସ୍ଥିତ ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ରୋଗୀଙ୍କ ସମ୍ପର୍କୀୟମାନେ ପ୍ରଶଂସା କରିଥିଲେ। ଆଗାମୀ ଚିକିତ୍ସା ପାଇଁ ସହଯୋଗର ପ୍ରତିଶ୍ରୁତି ଶିବିରରେ ଚିକିତ୍ସା ପାଇଥିବା ରୋଗୀମାନେ ଆଗାମୀ ଦିନରେ ଯେପରି ଆବଶ୍ୟକ ଚିକିତ୍ସା ସୁବିଧା ପାଇପାରିବେ, ସେଥିପାଇଁ ଇଣ୍ଡିଆନ୍ ବାଏ ବିଥ୍ ଟ୍ରଷ୍ଟ ଆଣ୍ଡ ଫାଉଣ୍ଡେସନ୍ ପକ୍ଷରୁ ସମ୍ଭବ ସମସ୍ତ ସହଯୋଗ ଯୋଗାଇଦେବା ନେଇ ସୂଚନା ଦିଆଯାଇଛି। ଏଭଳି ପଦକ୍ଷେପ ଗ୍ରାମାଞ୍ଚଳର ଲୋକଙ୍କୁ ସ୍ୱାସ୍ଥ୍ୟସେବା ସହ ଯୋଡ଼ିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ତୁଷାର ଶ୍ୟାନ୍ତି, ବିଜୟ କୁମାର ସାହୁ, ବିରେନ ରାଉତ, ଶିବ ପ୍ରସାଦ ଦାସ, ସୌଭାଗ୍ୟ ଜେନା, ରାଜକିଶୋର ମହାନ୍ତି, ପର୍ଶୁରାମ ଜେନା, ଶରତ ମହାନ୍ତି, ଦୁର୍ଯ୍ୟୋଧନ ରାୟ, ପୂର୍ଣ୍ଣଚନ୍ଦ୍ର ସାମଲ, ବିବେକାନନ୍ଦ ନାଥଶର୍ମା ଓ ଦେବାଶିଷ ଜେନା ପ୍ରମୁଖ ସହଯୋଗ କରିଥିଲେ। ଗ୍ରାମାଞ୍ଚଳରେ ମାଗଣା ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା ଦିଗରେ ଏଭଳି ଉଦ୍ୟମ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।

Jajpur (ଯାଜପୁର) • ବରୀରୁ ସୁଧାଂଶୁ ଶେଖର ଓଝାଙ୍କ ରିପୋର୍ଟ

ସନ୍ଥନରେ ନୂତନ ବିଦ୍ୟୁତ କାର୍ଯ୍ୟାଳୟ ଆରମ୍ଭ
Oct 11, 2026•26 views

ସନ୍ଥନରେ ନୂତନ ବିଦ୍ୟୁତ କାର୍ଯ୍ୟାଳୟ ଆରମ୍ଭ

ବରୀ ବିଦ୍ୟୁତ ଉପଖଣ୍ଡର ସ୍ଥାନାନ୍ତର, ଉପଭୋକ୍ତାଙ୍କୁ ମିଳିବ ନିରନ୍ତର ସେବା ବରୀ, ଯାଜପୁର: ବରୀ ଅଞ୍ଚଳର ବିଦ୍ୟୁତ ଉପଭୋକ୍ତାଙ୍କୁ ସେବା ଯୋଗାଇବା ଦିଗରେ ଏକ ନୂତନ ପଦକ୍ଷେପ ନିଆଯାଇଛି। ଦୀର୍ଘବର୍ଷ ଧରି ବରୀ ମାଉଣ୍ଡଠାରେ କାର୍ଯ୍ୟ କରୁଥିବା ବରୀ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟକୁ ସନ୍ଥନଠାରେ ଥିବା ୩୩ କେଭି ବିଦ୍ୟୁତ ଷ୍ଟ୍ରକ୍ଚର ପରିସରକୁ ସ୍ଥାନାନ୍ତର କରାଯାଇଛି। ଏଠାରେ ନିଜସ୍ୱ ଗୃହରେ କାର୍ଯ୍ୟାଳୟର କାର୍ଯ୍ୟ ଆରମ୍ଭ ହୋଇଛି। ଦୀର୍ଘଦିନ ଧରି ପୁରୁଣା ସ୍ଥାନରୁ ଉପଭୋକ୍ତାଙ୍କୁ ସେବା ଯୋଗାଇ ଆସୁଥିବା ଏହି କାର୍ଯ୍ୟାଳୟ ନୂତନ ସ୍ଥାନକୁ ସ୍ଥାନାନ୍ତର ହେବା ପରେ ମଧ୍ୟ ପୂର୍ବଭଳି ବିଦ୍ୟୁତ ସମ୍ବନ୍ଧୀୟ ସେବା ଜାରି ରହିବ। ବିଦ୍ୟୁତ ଉପଭୋକ୍ତାମାନେ ଯେପରି ନିୟମିତ ଓ ନିରନ୍ତର ସେବା ପାଇପାରିବେ, ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ବରୀ ବିଦ୍ୟୁତ ଉପଖଣ୍ଡ ଅଧିକାରୀ ଭବାନୀ ଶଙ୍କର ରାୟ ସୂଚନା ଦେଇଛନ୍ତି। ନୂତନ କାର୍ଯ୍ୟାଳୟରୁ ବିଦ୍ୟୁତ ଉପଭୋକ୍ତାଙ୍କୁ ଆଗାମୀ ଦିନରେ ସୁବିଧାଜନକ ଭାବେ ସେବା ଯୋଗାଇ ଦିଆଯିବା ନେଇ ଆଶା ପ୍ରକାଶ ପାଇଛି।

Jajpur (ଯାଜପୁର) • ବରୀରୁ ସୁଧାଂଶୁ ଶେଖର ଓଝାଙ୍କ ରିପୋର୍ଟ

ମା’ ରତ୍ନେଶ୍ୱରୀ ମନ୍ଦିର ପରିସରରେ ଡିଏଲ୍‌.ଏଡ୍‌ ଶିକ୍ଷକଙ୍କ ବନ୍ଧୁମିଳନ
Oct 11, 2026•104 views

ମା’ ରତ୍ନେଶ୍ୱରୀ ମନ୍ଦିର ପରିସରରେ ଡିଏଲ୍‌.ଏଡ୍‌ ଶିକ୍ଷକଙ୍କ ବନ୍ଧୁମିଳନ

ଚିକିଟି, ୧୧ ଅକ୍ଟୋବର: ଚିକିଟି ନିକଟସ୍ଥ ପ୍ରସିଦ୍ଧ ମା’ ରତ୍ନେଶ୍ୱରୀଙ୍କ ମନ୍ଦିର ପରିସରରେ ଦିଗପହଣ୍ଡି, ଚିକିଟି , ପାତ୍ରପୁର ର ୨୦୧୫ ଡିଏଲ୍‌.ଏଡ୍‌ ତାଲିମପ୍ରାପ୍ତ ଶିକ୍ଷକମାନଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆଜି ଆନନ୍ଦ ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦଶ ବର୍ଷ ପରେ ପୁରାତନ ସହପାଠୀ ତଥା ସହକର୍ମୀ ଶିକ୍ଷକମାନଙ୍କ ଏହି ମିଳନ ସମସ୍ତଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଆତ୍ମୀୟତା ସୃଷ୍ଟି କରିଥିଲା। ଶିକ୍ଷକ ଶ୍ରୀ ସୀମାଞ୍ଚଳ ଗୈ।ଡ ଙ୍କ ନେତୃତ୍ୱରେ ଆୟୋଜିତ ଏହି ସଭାରେ ଅଜିତ କୁମାର ସାହୁ ସଭାପତିତ୍ୱ କରିଥିବା ବେଳେ ଅନନ୍ତ ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଶିକ୍ଷକ ବାଳ୍ମୀକି ସେଠୀ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ମୁଖ୍ୟବକ୍ତା ଅନନ୍ତ ବେହେରା ନିଜ ବକ୍ତବ୍ୟରେ ତାଲିମ ଜୀବନର ସଂଘର୍ଷମୟ ଦିନଗୁଡ଼ିକୁ ସ୍ମରଣ କରିଥିଲେ। ତାଲିମ ସମୟରେ ଅନେକ ବାଧାବିଘ୍ନ ଓ ସମସ୍ୟାକୁ ଅତିକ୍ରମ କରି ଆଜି ସମସ୍ତେ ଶିକ୍ଷକତା ଭଳି ଏକ ଗୁରୁଦାୟିତ୍ୱପୂର୍ଣ୍ଣ ବୃତ୍ତିରେ ନିୟୋଜିତ ହୋଇଛନ୍ତି। ନିଜ ନିଜ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷାଦାନ କରିବା ସହ ସେମାନଙ୍କ ଭବିଷ୍ୟତ ଗଠନରେ ଶିକ୍ଷକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ସେ ଉଲ୍ଲେଖ କରିଥିଲେ। ସ୍କୁଲ ପରିଚାଳନା ନେଇ ବିଭିନ୍ନ ଆଲୋଚନା ହୋଇଥିଲା। ଅତିଥି ଶିକ୍ଷକ ଭାବେ ନିମନ୍ତ୍ରିତ ଅବସର ପ୍ରାପ୍ତ ଶିକ୍ଷକ ଦୁର୍ଗା ମାଧବ ମହାରଣା ଅଭିଭାବକ ତଥା ଛାତ୍ରଛାତ୍ରୀଙ୍କ ସହିତ ଉତ୍ତମ ସଂପର୍କ ରଖି ବ୍ୟକ୍ତିଗତ ଭାବେ ଦିନକୁ ଜଣେ ଛାତ୍ର ସହିତ ଆତ୍ମୀୟତା ପୂର୍ଣ୍ଣ କଥା ବାର୍ତ୍ତା ହେବାକୁ ପରାମର୍ଶ ଦେଇଥିଲେ। ଶିକ୍ଷକ ସନ୍ତୋଷ ବେହେରା ତାଲିମ ସମୟର ଅନୁଭୂତି ବର୍ଣ୍ଣନା କରିଥିଲେ। ହାସ୍ୟରସ ଓ ଆତ୍ମୀୟତାପୂର୍ଣ୍ଣ ପରିବେଶରେ ଶିକ୍ଷକ କୃଷ୍ଣ ପାତ୍ର ତାଲିମ ସମୟରେ ତାଙ୍କୁ ଦିଗ୍‌ଦର୍ଶନ ଦେଇଥିବା ଦିଗପହଣ୍ଡି ବି.କେ. ହାଇସ୍କୁଲର ଶିକ୍ଷକମାନଙ୍କ ପ୍ରତି କୃତଜ୍ଞତା ଓ ପ୍ରଶଂସା ପ୍ରକାଶ କରିଥିଲେ। ସଭାପତି ଅଜିତ କୁମାର ସାହୁ ଶିକ୍ଷକ ଜୀବନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହ ଏଭଳି ବନ୍ଧୁମିଳନ ଶିକ୍ଷକମାନଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ, ସମ୍ପର୍କର ଦୃଢ଼ୀକରଣ ଏବଂ ଅଭିଜ୍ଞତା ବିନିମୟର ଏକ ଉତ୍ତମ ମାଧ୍ୟମ ବୋଲି କହିଥିଲେ। ବିଭିନ୍ନ ବିଦ୍ୟାଳୟର ସମସ୍ୟା ଓ ଶିକ୍ଷକତା ବୃତ୍ତି ସମ୍ପର୍କିତ ବିଷୟଗୁଡ଼ିକ ଉପରେ ପାରସ୍ପରିକ ଆଲୋଚନା ଦ୍ୱାରା ସମାଧାନର ମାର୍ଗ ଖୋଜିବାରେ ଏପରି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଖାଦ୍ୟ ବ୍ୟବସ୍ଥା ଦାୟିତ୍ୱରେ ନକୁଳ ଜେନା ରହିଥିବା ବେଳେ ସୁଧାରାଣୀ, ସୁଜାତା ଗୈ।ଡ଼, ପଦ୍ମିନୀ ମହାରଣା ସହଯୋଗ କରିଥିଲେ। ସୂର୍ଯ୍ୟନାରାୟଣ ଦାସ,ଗଣେଶ କାର୍ଯୀ , ସୁରେନ୍ଦ୍ର ଗୈ।ଡ଼ ପ୍ରମୁଖ ଖାଦ୍ୟ ପରିବେଷଣ ଦାୟିତ୍ୱ ତୁଲାଇଥିଲେ। ମନୋରଞ୍ଜନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ନବରାତ୍ର ପୂଜା ଅବସରରେ ଆୟୋଜିତ ଏହି ବନ୍ଧୁମିଳନ ପୁରୁଣା ସ୍ମୃତିକୁ ସତେଜ କରିବା ସହ ଶିକ୍ଷକମାନଙ୍କ ମଧ୍ୟରେ ଭାଇଚାରା, ଏକତା ଓ ବନ୍ଧୁତ୍ୱକୁ ଅଧିକ ସୁଦୃଢ଼ କରିଥିଲା। ଭବିଷ୍ୟତରେ ମଧ୍ୟ ଏଭଳି ମିଳନ ଜାରି ରଖିବାକୁ ଉପସ୍ଥିତ ଶିକ୍ଷକମାନେ ଆଗ୍ରହ ପ୍ରକାଶ କରିଥିଲେ।

Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହାରଣା

ବଅଁରପାଳ ବ୍ଲକରେ କଂଗ୍ରେସ ପକ୍ଷରୁ ବ୍ଲକ କମିଟି ଓ ୩୫ ପଞ୍ଚାୟତ ସଭାପତିଙ୍କୁ ସମ୍ବର୍ଦ୍ଧନା
Oct 11, 2026•100 views

ବଅଁରପାଳ ବ୍ଲକରେ କଂଗ୍ରେସ ପକ୍ଷରୁ ବ୍ଲକ କମିଟି ଓ ୩୫ ପଞ୍ଚାୟତ ସଭାପତିଙ୍କୁ ସମ୍ବର୍ଦ୍ଧନା

ବଅଁରପାଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକରେ ଆଜି କଂଗ୍ରେସ ପକ୍ଷରୁ ବ୍ଲକ କମିଟି ଓ ୩୫ଟି ପଞ୍ଚାୟତର ସଭାପତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ କଂଗ୍ରେସର ବହୁ ବରିଷ୍ଠ ନେତା ଓ କର୍ମକର୍ତ୍ତା ଉପସ୍ଥିତ ରହି ନବଗଠିତ କମିଟିର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇଏନ୍‌ଟିୟୁସି (INTUC)ର ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ପିସିସି ଉପସଭାପତି ସସ୍ମିତା ବେହେରା, ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ କୁମାର ପ୍ରଧାନ, ଜିଲ୍ଲା ମହିଳା କଂଗ୍ରେସ ସଭାପତି ସବିତା ରାଣୀ ଧୀର ଏବଂ ତପନ କୁମାର ପ୍ରଧାନ ଯୋଗ ଦେଇଥିଲେ। ସେହିପରି ଅନୁଗୋଳ ବ୍ଲକ କଂଗ୍ରେସ ସଭାପତି ରାକେଶ ମିଶ୍ର ଓ ବଅଁରପାଳ ବ୍ଲକ କଂଗ୍ରେସ ସଭାପତି ବିନୋଦ କୁମାର ମାଝୀଙ୍କ ସମେତ ଅନ୍ୟାନ୍ୟ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମାଧ୍ୟମରେ ବ୍ଲକ ଓ ପଞ୍ଚାୟତ ସ୍ତରରେ ସଂଗଠନକୁ ସୁଦୃଢ଼ କରିବା ସହ ଦଳୀୟ କାର୍ଯ୍ୟକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ , ଅନୁଗୋଳ

Widow Allegedly Denied Government Assistance in Nuapada: Jahanbi Durga Awaits Harishchandra Scheme Benefits and Widow Pension
Oct 11, 2026•40 views

Widow Allegedly Denied Government Assistance in Nuapada: Jahanbi Durga Awaits Harishchandra Scheme Benefits and Widow Pension

Sinapali: The loss of a husband is an immense personal tragedy, but for Jahanbi Durga of Makhapadar Gram Panchayat under Sinapali block in Nuapada district, the struggle has reportedly continued with an alleged delay in receiving government assistance. She has claimed that she has not received financial assistance under the Harishchandra Scheme or a widow pension following the death of her husband. According to the information provided, Jahanbi’s husband, late Jayalal Dharua, passed away on October 3, 2025. Following his death, she has reportedly been facing financial and social difficulties. She alleges that despite the passage of several months, the benefits she expected from the government have not reached her. Allegations Against Panchayat Authorities Jahanbi has also alleged that the Executive Officer (EO) and the Sarpanch of the concerned panchayat have been causing her difficulties while she seeks assistance. However, the allegations have not been independently verified, and the response of the concerned officials was not available at the time of reporting. The incident has raised concerns about the accessibility of government welfare schemes for widows and economically vulnerable families. Such schemes are intended to provide financial support to eligible beneficiaries during difficult circumstances. Delays in processing applications can add to the hardships of families already facing financial distress. Demand for Administrative Intervention The matter calls for the attention of the Makhapadar Gram Panchayat authorities and the Sinapali block administration. A fair inquiry into Jahanbi’s allegations could establish the reasons behind the reported delay and determine her eligibility for the benefits. If she fulfils the prescribed eligibility criteria, the concerned authorities should take appropriate steps to ensure that she receives the assistance due to her under the applicable rules. The key question now is whether the administration will investigate the matter and provide timely relief to the woman. Her case highlights the importance of ensuring that welfare schemes reach eligible beneficiaries without unnecessary delays.

Nuapada (ନୂଆପଡ଼ା) • Reports: Malaya Meher, Sub-Editor