Web News

ବୋଲଗଡ଼ରେ ସାଇବର ସୁରକ୍ଷା ପାଇଁ ପୋଲିସର ସଚେତନତା ଅଭିଯାନ
ଖୋର୍ଦ୍ଧା: ସାଇବର ଠକେଇରୁ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ବୋଲଗଡ଼ର ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଖୋର୍ଦ୍ଧା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ପ୍ରାୟ ୧୩୦ ଜଣ ଛାତ୍ରଛାତ୍ରୀ, ଶିକ୍ଷକ ଓ ବିଦ୍ୟାଳୟ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ପୋଲିସ ପକ୍ଷରୁ APK Fraud, Digital Arrest, Online Financial Fraud ସମେତ ବିଭିନ୍ନ ପ୍ରକାର ଅନଲାଇନ୍ ଠକେଇ ସମ୍ପର୍କରେ ସଚେତନ କରାଯାଇଥିଲା। ଅଜଣା ଲିଙ୍କ୍ରେ କ୍ଲିକ୍ ନକରିବା, ଅଜଣା ଆପ୍ ଡାଉନଲୋଡ୍ ନକରିବା, OTP, PIN ଓ ବ୍ୟାଙ୍କ ସମ୍ପର୍କିତ ଗୋପନୀୟ ତଥ୍ୟ କାହାକୁ ନଦେବା ପାଇଁ ପୋଲିସ ପରାମର୍ଶ ଦେଇଥିଲା। ଏଥିସହ ଡିଜିଟାଲ୍ ଆରେଷ୍ଟ ନାମରେ ଭୟଭୀତ କରି ଟଙ୍କା ଦାବି କରୁଥିବା ଠକଙ୍କଠାରୁ ସତର୍କ ରହିବାକୁ ମଧ୍ୟ କୁହାଯାଇଥିଲା। ସାଇବର ଠକେଇର ଶିକାର ହେଲେ ବିଳମ୍ବ ନକରି ତୁରନ୍ତ ୧୯୩୦ ସାଇବର ହେଲ୍ପଲାଇନ୍ ନମ୍ବରରେ ଅଭିଯୋଗ କରିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ସାଇବର ସୁରକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ସହ ଏହି ସୂଚନା ପରିବାର ଓ ସମାଜର ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବାକୁ ମଧ୍ୟ ଆହ୍ୱାନ କରାଯାଇଥିଲା।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଚିକିଟି ପ୍ରେସ୍ କ୍ଲବ ତରଫରୁ ଗଣମାଧ୍ୟମ କର୍ମୀଙ୍କ ଆଲୋଚନା ସଭା : ସାମ୍ବାଦିକଙ୍କ ସୁରକ୍ଷା, ମଙ୍ଗଳ ଓ ସାମାଜିକ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା
ଚିକିଟି, ୨୨/୮: ଚିକିଟି ପ୍ରେସ୍ କ୍ଲବ ଅନୁବନ୍ଧିତ ଡିଜିଟାଲ ଓ ପ୍ରିଣ୍ଟ ମିଡିଆ ସଂଘର ଏକ ବୈଠକ ଚିକିଟିଗଡ଼ସ୍ଥିତ ଜମ୍ଭେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚିକିଟି ଅଞ୍ଚଳର ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନେ ଯୋଗଦେଇଥିଲେ। ବୈଠକରେ ସାମ୍ବାଦିକତା କ୍ଷେତ୍ରର ବିଭିନ୍ନ ସମସ୍ୟା, ସୁବିଧା-ଅସୁବିଧା, ସାମ୍ବାଦିକଙ୍କ ସୁରକ୍ଷା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା ହୋଇଥିଲା। ପଞ୍ଜିକୃତ ସଂସ୍ଥା ଚିକିଟି ପ୍ରେସ୍ କ୍ଲବ (ସିପିସି) ଅଧୀନରେ ନୂତନ ଭାବେ ଗଠିତ ଚିକିଟି ଡିଜିଟାଲ ଓ ପ୍ରିଣ୍ଟ ମିଡିଆ ସଂଘକୁ ଅନୁବନ୍ଧିତ କରିବା ନେଇ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା। ସାମ୍ବାଦିକମାନେ ନିରପେକ୍ଷ ଭାବେ ଜନସାଧାରଣଙ୍କ ସମସ୍ୟାକୁ ସରକାର ଓ ପ୍ରଶାସନର ଦୃଷ୍ଟିକୁ ଆଣୁଥିବା ବେଳେ ସେମାନଙ୍କ ନିଜସ୍ୱ ସମସ୍ୟା ଓ ସୁରକ୍ଷା ପ୍ରତି ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ଏ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସାମ୍ବାଦିକମାନଙ୍କ ମଙ୍ଗଳ, ସୁରକ୍ଷା, ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟସେବା, ବୀମା ଓ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କିତ ଦାବିଗୁଡ଼ିକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ସହ ଏହାର ସମାଧାନ ପାଇଁ ଦୃଢ଼ ଦାବି ଜଣାଇବାକୁ ସମସ୍ତ ସାମ୍ବାଦିକ ଏକମତ ହୋଇଥିଲେ। ବୈଠକରେ ସଭାପତି ନିଗମାନନ୍ଦ ପଣ୍ଡା, (ହିମ୍ମତ, ତୀର୍ଥ କ୍ଷେତ୍ର)ଉପସଭାପତି ଦୀପକ କୁମାର ଚୌଧୁରୀ, (ପ୍ରବାହ)ସମ୍ପାଦକ ଅରୁଣ କୁମାର ପଣ୍ଡା,(ଚେତନା )ସହ ସଂପାଦକ ଦୁର୍ଗା ମାଧବ ମହାରଣା,(ସୃଷ୍ଟି ନିଉସ, ଅଭିନନ୍ଦନ)ନରସିଂହ ବେହେରା,(ଓଡ଼ିଶା ଦର୍ପଣ)ରତିକାନ୍ତ ପାଢ଼ୀ,(ହୀରାଞ୍ଚଳ)କୃଷ୍ଣ ପ୍ରସାଦ ପାଢ଼ୀ,(ସମାଲୋଚନା)ରୁପାଲୀ ମହାନ୍ତି,(ସ୍ଵରାଜ୍ୟ)ଶୁଭେନ୍ଦୁ ଶତପଥୀ,(ଆରୋପ)ପ୍ରକାଶ ଚନ୍ଦ୍ର ସାହୁ,(ଧରିତ୍ରୀ ଶ୍ରୀବତ୍ସ ସାହୁ(ଭଞ୍ଜଦୂତ)ମାନସ ରଂଜନ ପାଢ଼ୀ (ଉତ୍କଳ ସମାଜ)ଚିକିଟି ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଚିକିଟି ପ୍ରେସ କ୍ଲବ୍ ର ଟ୍ରଷ୍ଟି ତଥା ଉପଦେଷ୍ଟା ଦ୍ବୟ ବିଭୁଧେନ୍ଦ୍ର ପାଢ଼ୀ ଏବଂ ଅର୍ଜୁନ ପଣ୍ଡା ସଠିକ୍ ଦିଗଦର୍ଶନ ଦେବା ସହିତ ସେବା ମନୋଭାବ ନେଇ ସାମ୍ବାଦିକତା କାର୍ଯ୍ୟ କଲେ ନିଜେ ଶୃଙ୍ଖଳା,ସହିଷ୍ଣୁତା ଓ ଶାଳୀନତା ଅଭ୍ୟାସ କରିବାକୁ ହେବ ବୋଲି ଉପଦେଶ ଦେଇଥିଲେ। ସେମାନଙ୍କ ଦୀର୍ଘ ସାମ୍ବାଦିକତା ଜୀବନର ଅନୁଭୂତିରୁ କିଛି କିଛି ଅବତାରଣା କରି ସାଙ୍ଗଠନିକ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେଇଥିଲେ। ଏଥିସହ ଚିକିଟି ଅଞ୍ଚଳର ବିଭିନ୍ନ ଜନସମସ୍ୟାକୁ ଗୁରୁତ୍ୱର ସହ ଉଠାଇ ଲୋକଙ୍କ ସ୍ୱରକୁ ପ୍ରଶାସନ ଓ ସରକାରଙ୍କ ନିକଟରେ ପହଞ୍ଚାଇବା ସହ ଜନସ୍ୱାର୍ଥ ଜନିତ କାର୍ଯ୍ୟ ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରିବାକୁ ଶପଥ ଗ୍ରହଣ କରିଥିଲେ। ଶେଷରେ ରତିକାନ୍ତ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।
Ganjam (ଗଞ୍ଜାମ) • ଦୁର୍ଗା ମାଧବ

ସାହିତ୍ୟର ମହାମିଳନ ପାଇଁ ପ୍ରସ୍ତୁତି: ସିନାପାଲିରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ
ସିନାପାଲି: ଓଡ଼ିଆ ସାହିତ୍ୟ ଜଗତର ଅନନ୍ୟ ପ୍ରତିଭା, ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ସ୍ମୃତି ଓ ସାହିତ୍ୟକୃତିକୁ ଜନମାନସରେ ଅଧିକ ପ୍ରସାର କରିବା ଲକ୍ଷ୍ୟରେ ସିନାପାଲିରେ ଆୟୋଜିତ ହେବାକୁ ଯାଉଛି ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ। ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ସାରସ୍ୱତ ସମିତି, ସିନାପାଲିର ମିଳିତ ସହଯୋଗରେ ଆସନ୍ତା ୨୮ ଅଗଷ୍ଟ ୨୦୨୬, ଶୁକ୍ରବାର ଦିନ ସିନାପାଲିସ୍ଥିତ ଶ୍ରୀଜଗନ୍ନାଥ ମଣ୍ଡପରେ ଏହି ସାରସ୍ୱତ ସମାରୋହ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ସାହିତ୍ୟିକ, କବି, ଗବେଷକ, ବୁଦ୍ଧିଜୀବୀ ଓ ସାହିତ୍ୟପ୍ରେମୀଙ୍କ ସମାଗମ ହେବା ସହ ଗଙ୍ଗାଧର ମେହେରଙ୍କ ଜୀବନ, ସାହିତ୍ୟ ସାଧନା ଓ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କ ଅବଦାନ ଉପରେ ଆଲୋଚନା ହେବ। ଏଥିସହ ସାରସ୍ୱତ ସାଧନାକୁ ସମ୍ମାନ ଜଣାଇବା ସହ ବିଭିନ୍ନ ସାହିତ୍ୟିକ ପ୍ରତିଭାଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଆୟୋଜକଙ୍କ ସୂଚନା ଅନୁଯାୟୀ, ମୁଖ୍ୟଅତିଥି ଭାବେ ଖଡ଼ିଆଳ ବିଧାୟକ ଶ୍ରୀ ଅଧିରାଜ ମୋହନ ପାଣିଗ୍ରାହୀ, ବିଶିଷ୍ଟ ଅତିଥି ଭାବେ ପ୍ରଥିତଯଶା କବି ତଥା ନୂଆପଡ଼ା ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶ ଓ ପଦ୍ମଶ୍ରୀ ଡକ୍ଟର ମହେନ୍ଦ୍ର କୁମାର ମିଶ୍ର, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା କଳାବିକାଶ କେନ୍ଦ୍ର, କଟକର ସଭାପତି ଡକ୍ଟର ବିଜୟାନନ୍ଦ ସିଂହ, ସଭାମୁଖ୍ୟ ଭାବେ ସିନାପାଲିର ବରିଷ୍ଠ ଆଇନଜୀବୀ ଶ୍ରୀ ବୈଶମ୍ପାୟନ ମେହେର ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଗଙ୍ଗାଧର ମେହେରଙ୍କ ସାହିତ୍ୟ କେବଳ ଓଡ଼ିଆ ଭାଷାର ଗୌରବ ନୁହେଁ, ଏହା ଓଡ଼ିଆ ଜାତିର ସାଂସ୍କୃତିକ ଚେତନାର ଏକ ଅମୂଲ୍ୟ ଅଧ୍ୟାୟ। ତେଣୁ ତାଙ୍କ ଜୟନ୍ତୀ ଅବସରରେ ସିନାପାଲିରେ ହେବାକୁ ଥିବା ଏହି ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହକୁ ନେଇ ସାହିତ୍ୟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଆୟୋଜକମାନଙ୍କ ପକ୍ଷରୁ ସମସ୍ତ ସାହିତ୍ୟପ୍ରେମୀ, କବି, ଲେଖକ ଓ ବୁଦ୍ଧିଜୀବୀଙ୍କୁ ଏହି ସାରସ୍ୱତ ମହାମିଳନରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି।
Nuapada (ନୂଆପଡ଼ା) • ରିପୋର୍ଟ: ମଳୟ ମେହେର, ଜିଲ୍ଲା ପ୍ରତିନିଧି

ଗାଁ କୁ ମିଳିବ ଏଣିକି ସହରୀ ସୁବିଧା, ରୋଡ ମ୍ୟାପ ପ୍ରସ୍ତୁତ କରିଛି ପଞ୍ଚାୟତ ରାଜ ବିଭାଗ
ଗାଁରେ ମିଳିବ ସହରୀ ସୁବିଧା । ପଞ୍ଚାୟତକୁ ଅଧିକ ସୁବିଧାସମ୍ପନ୍ନ ଓ ଆକର୍ଷଣୀୟ କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛି ପଞ୍ଚାୟତିରାଜ ବିଭାଗ । ‘ଗ୍ରାମ ସମ୍ପଦ କାର୍ଯ୍ୟକ୍ରମ’ ଜରିଆରେ ପଞ୍ଚାୟତସ୍ତରରେ ଆଦର୍ଶ ଖେଳ ପଡ଼ିଆ, କଲ୍ୟାଣ ମଣ୍ଡପ, ଗ୍ରାମୀଣ ହାଟ, ପୋଖରୀ, ପାର୍କ, ପାଠାଗାର ଓ ସ୍ମଶାନ ଭଳି ବିଭିନ୍ନ ଭିତ୍ତିଭୂମି ବିକଶିତ କରାଯିବ । ଏନେଇ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ପଞ୍ଚାୟତରେ କେଉଁ ପ୍ରକଳ୍ପର ଆବଶ୍ୟକତା ରହିଛି, ତାହା ଗ୍ରାମସଭା ମାଧ୍ୟମରେ ନିର୍ଦ୍ଧାରଣ କରାଯିବ । ଲୋକଙ୍କ ଆବଶ୍ୟକତା ଓ ପ୍ରସ୍ତାବ ଆଧାରରେ ବିଭିନ୍ନ ବିକାଶମୂଳକ କାମ ପଞ୍ଚାୟତିରାଜ ବିଭାଗ ହାତକୁ ନେବ । ଏହା ମାଧ୍ୟମରେ ଗାଁରେ ମନୋରଞ୍ଜନ, କ୍ରୀଡ଼ା, ସାମାଜିକ କାର୍ଯ୍ୟ ଓ ସାର୍ବଜନୀନ ସୁବିଧାକୁ ଆହୁରି ସୁଦୃଢ଼ କରାଯିବ । ପଞ୍ଚାୟତସ୍ତରରେ ଆଦର୍ଶ ଖେଳ ପଡ଼ିଆ ନିର୍ମାଣ ପାଇଁ ସରକାର ପର୍ଯ୍ୟନ୍ତ ଖର୍ଚ୍ଚ କରିବେ । ଖେଳ ପଡ଼ିଆ ସହ ଯୁବକମାନଙ୍କ ପାଇଁ ଜିମ୍ର ବ୍ୟବସ୍ଥା ମଧ୍ୟ ରହିବ । ଏହା ଗ୍ରାମାଞ୍ଚଳର ଯୁବପିଢ଼ି ପାଇଁ ଏକ ବଡ଼ ସୁବିଧା ହେବ । ଆଦର୍ଶ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୪୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ପ୍ରାୟ ୭୦.୩୨ ଫୁଟ୍ ଅଞ୍ଚଳରେ ଏହା ନିର୍ମାଣ ହେବ । ଏଥିରେ ଦୁଇଟି ଗ୍ରୀନ୍ ରୁମ୍ ସହ ପେଣ୍ଡାଲର ବ୍ୟବସ୍ଥା ରହିବ । ନାଚ, ଗୀତ, ଡ୍ରାମା ସହ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଏଠାରେ ଆୟୋଜନ କରାଯାଇପାରିବ । ଭୋଜିଭାତ ପାଇଁ ମଧ୍ୟ ସୁବିଧା ରହିବ ଏବଂ ପଞ୍ଚାୟତ ପକ୍ଷରୁ ପାଣି ଯୋଗାଣ କରାଯିବ । ଆଦର୍ଶ ପୋଖରୀ ନିର୍ମାଣ ଓ ବିକାଶ ପାଇଁ ୩୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ପୋଖରୀ ଚାରିପଟେ ପଥର ବନ୍ଧେଇ ସହ ଫେଭର ବ୍ଲକ୍ ଲଗାଯିବ । ଏହା ସହ ଜିମ୍ ସାମଗ୍ରୀର ବ୍ୟବସ୍ଥା ମଧ୍ୟ ରହିବ । ଗାଁର ସ୍ମଶାନର ଉନ୍ନତିକରଣ ପାଇଁ ସରକାର ୨୨ ଲକ୍ଷ ଟଙ୍କା ଦେବେ । ସ୍ମଶାନର ଚାରିପଟେ ପାଚେରୀ ନିର୍ମାଣ କରାଯିବ । ଆଦର୍ଶ ଗ୍ରାମୀଣ ପାର୍କ ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ପାର୍କରେ ଜିମ୍ ସହ ଲୋକଙ୍କ ବସିବା ପାଇଁ ସ୍ଥାନ ରହିବ । ଗ୍ରାମୀଣ ହାଟକୁ ମଧ୍ୟ ଆଦର୍ଶ ରୂପ ଦିଆଯିବ । ହାଟରେ ପାନୀୟ ଜଳର ବ୍ୟବସ୍ଥା ସହ ପ୍ରବେଶ ପାଇଁ ସୁନ୍ଦର ଗେଟ୍ ଓ ଆବଶ୍ୟକ ଭିତ୍ତିଭୂମି ବିକଶିତ କରାଯିବ । ପରିବେଶ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ବୃକ୍ଷରୋପଣ କାର୍ଯ୍ୟକ୍ରମ ଅଧୀନରେ ପ୍ରତି ଗ୍ରାମ ପଞ୍ଚାୟତରେ ୭୦୦ଟି ଗଛ ଲଗାଯିବ । ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଓ ପାଠକଙ୍କ ପାଇଁ ଆଦର୍ଶ ପାଠାଗାର ନିର୍ମାଣ କରାଯିବ। ଏଥିପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଏହାବ୍ୟତୀତ ପ୍ରତିବର୍ଷ ପ୍ରତି ଗାଁରେ ଗୋଟିଏ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ନେଇ ମଧ୍ୟ ଯୋଜନା ରହିଛି । ଗ୍ରାମସଭାର ପ୍ରସ୍ତାବ ଆଧାରରେ ଏହି ସବୁ ପ୍ରକଳ୍ପକୁ ଆଗକୁ ନିଆଯିବ । ମୋଟାମୋଟି ଭାବେ, ଗାଁରେ ସହରୀ ସୁବିଧା ଯୋଗାଇ ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ନୂଆ ରୂପ ଦେବା ଉପରେ ଫୋକସ୍ କରିଛି ପଞ୍ଚାୟତିରାଜ ବିଭାଗ ।
Ganjam (ଗଞ୍ଜାମ) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଭଂଜନଗର

ରାଜଜଙ୍କିଆରେ ବଡ଼ଧରଣର ଚୋରି: ଲକ୍ଷାଧିକ ଟଙ୍କାର ସୁନା ଓ ନଗଦ ଲୁଟ୍, ଅଞ୍ଚଳବାସୀ ଆତଙ୍କିତ
ଟାଙ୍ଗୀ, ଖୋର୍ଦ୍ଧା: ଚାନ୍ଦପୁର ଥାନା ଅନ୍ତର୍ଗତ ରାଜଜଙ୍କିଆ ପଞ୍ଚାୟତରେ ଏକ ବଡ଼ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ଘରର ସମସ୍ତ ସଦସ୍ୟ ଶୋଇଥିବା ସମୟରେ ଦୁର୍ବୃତ୍ତମାନେ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ମୋଟା ଅଙ୍କର ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ରାଜଜଙ୍କିଆର ବାସୁଦେବ ପ୍ରଧାନଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଅଜ୍ଞାତ ଦୁର୍ବୃତ୍ତମାନେ କବାଟ ଭାଙ୍ଗି ପ୍ରବେଶ କରିଥିଲେ। ପରିବାରର ସଦସ୍ୟମାନେ ଶୋଇଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ଆଲମାରି ଭାଙ୍ଗି ସେଥିରେ ଥିବା ମୂଲ୍ୟବାନ ସୁନା ଅଳଙ୍କାର ଓ ନଗଦ ଟଙ୍କା ନେଇ ଚମ୍ପଟ ମାରିଥିବା ଜଣାପଡ଼ିଛି। ସକାଳେ ପରିବାର ଲୋକେ ଚୋରି ଘଟଣା ସମ୍ପର୍କରେ ଜାଣିବା ପରେ ଘରେ କାନ୍ଦବୋବାଳି ପଡ଼ିଯାଇଥିଲା। ଘଟଣା ଜଣାପଡ଼ିବା ପରେ ଆଖପାଖର ଲୋକେ ମଧ୍ୟ ବାସୁଦେବଙ୍କ ଘରେ ପହଞ୍ଚିଥିଲେ। ଅଞ୍ଚଳରେ ଗତ କିଛିଦିନ ଧରି ଚୋରି, ଲୁଟ୍ ଓ ଅନ୍ୟାନ୍ୟ ଅପରାଧିକ ଘଟଣା ବୃଦ୍ଧି ପାଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ପାଟ୍ରୋଲିଂ ବଢ଼ାଇବା ସହ ରାତ୍ରିକାଳୀନ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ବାରମ୍ବାର ଚୋରି ଘଟଣା ଘଟୁଥିବାରୁ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖାଦେଇଛି। ଖବର ପାଇ ଚାନ୍ଦପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରିରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ଶୀଘ୍ର ଚିହ୍ନଟ କରି ଗିରଫ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିବା ଦିଗରେ ପୋଲିସ ପଦକ୍ଷେପ ନେଉଛି।
Khordha (ଖୋର୍ଦ୍ଧା) • ରିପୋର୍ଟ: ଯଦୁମଣି ବେହେରା, ଟାଙ୍ଗୀ, ଖୋର୍ଦ୍ଧା

ବନ୍ୟା ବିପନ୍ନଙ୍କ ପାଖରେ ବିଜେପି ନେତ୍ରୀ ବବିତା ମଲ୍ଲିକ, ବଣ୍ଟନ କଲେ ରିଲିଫ୍ ସାମଗ୍ରୀ
ବିଂଝାରପୁର: ବନ୍ୟାରେ ଜଳବନ୍ଦୀ ହୋଇ ଦୁର୍ଦ୍ଦଶାରେ ଦିନ କାଟୁଥିବା ବିଂଝାରପୁର ଅଞ୍ଚଳର ଲୋକଙ୍କ ପାଖରେ ପହଞ୍ଚିଛନ୍ତି ବିଜେପି ନେତ୍ରୀ ବବିତା ମଲ୍ଲିକ। ସେ ରାହାଂଶ, ଗୁହାଳି, ଟିନା ଆଦି ଅଞ୍ଚଳ ଗସ୍ତ କରି ବନ୍ୟା ପ୍ରପୀଡ଼ିତ ପରିବାରଙ୍କୁ ଭେଟି ସେମାନଙ୍କ ଦୁଃଖ, ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ। ବନ୍ୟା ଯୋଗୁଁ ଅନେକ ପରିବାର ଦୀର୍ଘ ସମୟ ଧରି ପାଣି ଘେରରେ ରହିଥିବା ବେଳେ ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସାମଗ୍ରୀର ଅଭାବ ଦେଖାଦେଇଛି। ଏଭଳି ସ୍ଥିତିରେ ବିଜେପି ନେତ୍ରୀ ଶ୍ରୀମତୀ ମଲ୍ଲିକ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ଅତ୍ୟଧିକ ଅସୁବିଧାରେ ଥିବା ପରିବାରଙ୍କୁ କିଛି ରିଲିଫ୍ ସାମଗ୍ରୀ ବଣ୍ଟନ କରିଥିଲେ। ବିପଦ ସମୟରେ ପ୍ରଭାବିତ ଲୋକଙ୍କ ସହ ଠିଆ ହେବା ଓ ସେମାନଙ୍କ ଦୁଃଖରେ ସହଭାଗୀ ହେବା ହିଁ ମାନବିକତାର ପରିଚୟ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା। ବନ୍ୟା ବିପନ୍ନଙ୍କ ସମସ୍ୟା ପ୍ରତି ପ୍ରଶାସନ ଅଧିକ ଗୁରୁତ୍ୱ ଦେଇ ଆବଶ୍ୟକ ସହାୟତା ଯୋଗାଇଦେବାକୁ ମଧ୍ୟ ଦାବି ହୋଇଛି।
Jajpur (ଯାଜପୁର) • ବିଂଝାରପୁରରୁ ଉଦୟ ନାଥ ଜେନାଙ୍କ ସହ ରାଜୁ ଜେନାଙ୍କ ରିପୋର୍ଟ

ଧାନ କାର୍ଡ ପଞ୍ଜୀକରଣରେ ବିଭ୍ରାଟ: ଅସନ୍ତୋଷରେ ଚାଷୀ, ବିଳାସପୁର ସୋସାଇଟିରେ ତାଲା
ଝାରବନ୍ଧ, ୨୨/୦୮: ଧାନ ବିକ୍ରି ପାଇଁ ଆବଶ୍ୟକ ଧାନ କାର୍ଡ ପଞ୍ଜୀକରଣ ଚାଷୀଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ପ୍ୟାକ୍ସ ଅଧୀନ ବିଳାସପୁର ସୋସାଇଟିରେ ଚଳିତ ବର୍ଷ କେତେକ ଜମିର ଧାନ ବିକ୍ରି ପଞ୍ଜୀକରଣ ହୋଇପାରୁନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ପୂର୍ବ ବର୍ଷଗୁଡ଼ିକରେ ‘ଆଟ’ ଓ ସାଧାରଣ କିସମ ଜମିରେ ଚାଷ ହୋଇଥିବା ଧାନର ବିକ୍ରି ପାଇଁ ପଞ୍ଜୀକରଣ କରାଯାଉଥିଲା। କିନ୍ତୁ ଚଳିତ ବର୍ଷ ସେହି ଜମିରେ ଧାନ ଚାଷ ହୋଇଥିଲେ ମଧ୍ୟ ପଞ୍ଜୀକରଣ ହୋଇପାରୁନଥିବାରୁ ଚାଷୀମାନେ ଅସୁବିଧାରେ ପଡ଼ିଛନ୍ତି। ଏହି ସମସ୍ୟା ସମାଧାନ ପାଇଁ କୃଷକ ସଂଗଠନ ପକ୍ଷରୁ ଅନେକଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏଯାଏଁ ସମାଧାନର ବାଟ ଫିଟିନଥିବା ଅଭିଯୋଗ ହୋଇଛି। ଫଳରେ କ୍ଷୁବ୍ଧ ଚାଷୀମାନେ ନାରାୟଣ ବେହେରା, ସାଗର ଚନ୍ଦ୍ରକାର ଓ ମନୋରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ବିଳାସପୁର ସୋସାଇଟିରେ ତାଲା ପକାଇଛନ୍ତି। ଏଥିଯୋଗୁଁ ଧାନ କାର୍ଡ ପଞ୍ଜୀକରଣ ପ୍ରକ୍ରିୟା ସାମୟିକ ଭାବେ ସ୍ଥଗିତ ରହିଛି। ଚାଷୀମାନଙ୍କ କହିବା ଅନୁସାରେ, ଜମିରେ ଧାନ ଚାଷ ହୋଇଥିବା ସତ୍ତ୍ୱେ ଯଦି ପଞ୍ଜୀକରଣ ନହୁଏ, ତେବେ ଉତ୍ପାଦିତ ଧାନ ସରକାରୀ ବ୍ୟବସ୍ଥାରେ ବିକ୍ରି କରିବା ନେଇ ସେମାନେ ସମସ୍ୟାରେ ପଡ଼ିପାରନ୍ତି। ତେଣୁ ତୁରନ୍ତ ସମସ୍ୟାର ସମାଧାନ କରି ‘ଆଟ’ କିସମ ଜମିର ଧାନ ପଞ୍ଜୀକରଣ ସୁବିଧା ଦେବାକୁ ସେମାନେ ଦାବି କରିଛନ୍ତି। ଆଗାମୀ ଦିନରେ ଏହି ପଞ୍ଜୀକରଣ ସମସ୍ୟାର ସମାଧାନ ନହେଲେ ଚାଷୀମାନେ ବ୍ୟାପକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏବେ ପ୍ରଶାସନ କେବେ ଏହି ସମସ୍ୟାର ସମାଧାନ କରୁଛି, ତାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅପେକ୍ଷା ଲାଗି ରହିଛି।
Bargarh (ବରଗଡ଼) • ବଂଶୀଧର ନାୟକ

ବନ୍ୟା ବିପନ୍ନଙ୍କୁ ଭେଟିଲା ବରୀ ବ୍ଲକ କଂଗ୍ରେସ, ବଣ୍ଟନ କଲା ଶୁଖିଲା ଖାଦ୍ୟ
ବରୀ: ବନ୍ୟା ପରିସ୍ଥିତିରେ ବିପନ୍ନ ପରିବାରଙ୍କ ସହ ଠିଆ ହୋଇଛି ବରୀ ବ୍ଲକ କଂଗ୍ରେସ କମିଟି। ଏକ ପ୍ରତିନିଧି ଦଳ ବରୀ ବ୍ଲକ ବୋଦୁଅ ପଞ୍ଚାୟତର କୁମ୍ଭୁକା ଗାଁରେ ପହଞ୍ଚି ବନ୍ୟା ବିପନ୍ନ ପରିବାରଙ୍କୁ ଭେଟି ସେମାନଙ୍କ ଦୁଃଖ ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଏଥିସହ ପୀଡ଼ିତ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି ପ୍ରତିନିଧି ଦଳରେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି, ପୂର୍ବତନ ସରପଞ୍ଚ ତଥା ଯାଜପୁର ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ମନୋଜ ଦାସ, ପିସିସି ମିଡିଆ ସେଲ୍ର ମାନସ ପରିଡ଼ା, ଯାଜପୁର ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତଥା ପୂର୍ବତନ ସମିତିସଭ୍ୟ ଅପେନ୍ଦ୍ର ସାମଲ, ରାଜ୍ୟ ଯୁବ କଂଗ୍ରେସର ପୂର୍ବତନ ସମ୍ପାଦକ ସତ୍ୟ ପ୍ରକାଶ ଦାସ, ବରିଷ୍ଠ କଂଗ୍ରେସ କାର୍ଯ୍ୟକର୍ତ୍ତା ଗିରିଜା ପ୍ରସାଦ ରାୟ, ବୁନୁ ବିଶ୍ୱାଳ ଓ ପବିତ୍ର ବିଶ୍ୱାଳଙ୍କ ସମେତ ବରୀ ବ୍ଲକ କଂଗ୍ରେସ ସଭାପତି ଦେବେନ୍ଦ୍ର କୁମାର ପ୍ରଧାନ ଯୋଗଦେଇଥିଲେ। ବନ୍ୟା ଯୋଗୁଁ ପ୍ରଭାବିତ ଲୋକଙ୍କ ଜୀବନ ଓ ଜୀବିକା ବ୍ୟାହତ ହୋଇଥିବା ବେଳେ ସେମାନଙ୍କ ଆବଶ୍ୟକତା ବୁଝି ତୁରନ୍ତ ସହାୟତା ଯୋଗାଇଦେବା ଉପରେ ପ୍ରତିନିଧି ଦଳ ଗୁରୁତ୍ୱାରୋପ କରିଥିଲେ। ବିପଦ ସମୟରେ ଦଳୀୟ କର୍ମୀମାନେ ଲୋକଙ୍କ ସହ ରହି ସମ୍ଭବ ସମସ୍ତ ସହଯୋଗ ଯୋଗାଇଦେବେ ବୋଲି କଂଗ୍ରେସ ନେତୃବୃନ୍ଦ କହିଥିଲେ।
Jajpur (ଯାଜପୁର) • ଅନିଲ କୁମାର ଜେନା

ଭୁବନ ପୋଲିସ ପକ୍ଷରୁ ନିଶାମୁକ୍ତ ଅଭିଯାନ ଛାତ୍ର ଛାତ୍ରୀ ନିଶାମୁକ୍ତ ପାଇଁ ଶପଥ ନେଲେ
ଭୁବନ ୨୨.୮- ଢେ଼ଙ୍କାନାଳ ଜିଲ୍ଲା ଭୁବନ ପୋଲିସ ପକ୍ଷରୁ ନିଶାମୁକ୍ତ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଭୁବନ ବ୍ଲକ ଅନ୍ତର୍ଗତ ଭୁଷଳ ପିଏମ ଶ୍ରୀ ସ୍ୱାମୀ ତ୍ରିଗୁଣାନନ୍ଦ ସରସ୍ୱତୀ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ସଚେତନତା ଅଭିଯାନରେ ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁ ଯୋଗଦେଇ ନିଶା ସେବନ ଦ୍ୱାରା ଶାରୀରିକ,ମାନସିକ କୁପ୍ରଭାବ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ପାନ,ଗୁଟଖା , ବିଡି,ସିଗାରେଟ୍ ସେବନ ଦ୍ୱାରା ଅନେକ ଲୋକ ମୁଖ ଗହ୍ୱର କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି ଓ ମଦ୍ୟପାନ ଦ୍ୱାରା ଲିଭର ନଷ୍ଟ ହେଉଛି । ନିଶାଡି ମାନେ ଅବେଳରେ ମୃତ୍ୟୁକୁ ଆମନ୍ତ୍ରଣ କରୁଛନ୍ତି ବୋଲି କହିବା ସହ ନିଶା ଠାରୁ ଦୂରେଇ ରହିବା ଓ ପରିବାର ଏବଂ ପଡ଼ୋଶୀରେ ପରିବର୍ତ୍ତନର ଦୂତ ହେବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଏସ ଆଇ ପ୍ରଦୀପ ଭୂୟାଁ ଛାତ୍ର ଛାତ୍ରୀ ମାନଙ୍କୁ ନିଶାମୁକ୍ତ ପାଇଁ ଶପଥ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ।
Dhenkanal (ଢେଙ୍କାନାଳ) • ସୁଶାନ୍ତ କୁମାର ପୋଥାଳ

ପାର୍ବତୀଗିରି ମହିଳା ମହାବିଦ୍ୟାଳୟରେ ଡିଜିଟାଲ ସ୍କିଲ୍ ବିକାଶ କାର୍ଯ୍ୟକ୍ରମ
ବରଗଡ -ପାର୍ବତୀଗିରି ମହିଳା ମହାବିଦ୍ୟାଳୟ, ବରଗଡ଼ର କ୍ୟାରିୟର କାଉନସେଲିଂ ସେଲ୍ ପକ୍ଷରୁ ଛାତ୍ରୀମାନଙ୍କ ମଧ୍ୟରେ ଡିଜିଟାଲ ଦକ୍ଷତା ଓ ରୋଜଗାରମୁଖୀ କୌଶଳର ବିକାଶ ଉଦ୍ଦେଶ୍ୟରେ ଏକ ସ୍କିଲ୍ ଡେଭଲପମେଣ୍ଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଡିଜିଟାଲ ସ୍କିଲିଂ ପଦକ୍ଷେପ ଅନୁସାରେ GUVI Geek Network Private Limited, HCL Group ଦ୍ୱାରା ପ୍ରଦାନ କରାଯାଉଥିବା ଡିଜିଟାଲ ସ୍କିଲିଂ କୋର୍ସ ସମ୍ପର୍କରେ ଛାତ୍ରୀମାନଙ୍କୁ ଅବଗତ କରାଯାଇଥିଲା କାର୍ଯ୍ୟକ୍ରମଟି ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ନିରୋଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କ୍ୟାରିୟର କାଉନସେଲିଂ ସେଲ୍ର ମୁଖ୍ଯ ଡଃ.ଗାୟତ୍ରୀ ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ମୁଖ୍ୟ ସାଧନ କର୍ମୀ ଭାବେ HCL-GUVIର ସିନିୟର କନସଲଟାଣ୍ଟ ଶ୍ରୀ ସତୀଶ ସାହୁ ଯୋଗଦେଇ ଡିଜିଟାଲ ଦକ୍ଷତାର ଆବଶ୍ୟକତା, ଆଧୁନିକ ଚାକିରି ବଜାରର ସୁଯୋଗ ଏବଂ ଛାତ୍ରୀମାନେ କିପରି ଅନଲାଇନ୍ ମାଧ୍ୟମରେ ନିଜର କୌଶଳ ବିକଶିତ କରି ଭବିଷ୍ୟତ କ୍ୟାରିୟର ଗଢ଼ିପାରିବେ ସେ ସମ୍ପର୍କରେ ବିସ୍ତୃତ ମାର୍ଗଦର୍ଶନ ଦେଇଥିଲେ। ସେ Artificial Intelligence, Blockchain & FinTech, Data Analytics, Career Skills, Digital Marketing,Entrepreneurship, Design/Graphicsଆଦି ବିଭିନ୍ନ ଡିଜିଟାଲ କ୍ଷେତ୍ରରେ ଉପଲବ୍ଧ ସୁଯୋଗ ସମ୍ପର୍କରେ ଛାତ୍ରୀମାନଙ୍କୁ ପରିଚିତ କରାଇଥିଲେ। ସେ କହିଥିଲେ ଯେ, ଉଚ୍ଚଶିକ୍ଷା ସହିତ ଡିଜିଟାଲ ଦକ୍ଷତା ହାସଲ କରିବା ଆଜିର ପ୍ରତିଯୋଗିତାମୂଳକ ଯୁଗରେ ଛାତ୍ରଛାତ୍ରୀଙ୍କୁ ଅଧିକ ରୋଜଗାରକ୍ଷମ ଓ ଆତ୍ମନିର୍ଭର କରିବାରେ ସହାୟକ ହେବ। ଛାତ୍ରୀମାନେ ନିଜ ରୁଚି ଓ ଲକ୍ଷ୍ୟ ଅନୁଯାୟୀ ଡିଜିଟାଲ କୋର୍ସ ଚୟନ କରି ନିଜର କୌଶଳକୁ ଆହୁରି ସମୃଦ୍ଧ କରିବାକୁ ସେ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ଯାପକ ବିଶ୍ୱଜିତ ସାହୁ ଓ ଅଧ୍ଯାପିକା ଅନୁପମା ଚାନ୍ଦ ସହଯୋଗ କରିଥିଲେ । ଶେଷରେ ଅଧ୍ଯାପକ ଡଃ.ପ୍ରଶାନ୍ତ କୁମାର ଦାଶ କାର୍ଯ୍ୟକ୍ରମର ସାରାଂଶ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

କଣିହାଁ NTPCରେ ଭୟଙ୍କର ଦୁର୍ଘଟଣା: ଜଣେ ମୃତ, ୫ ଗୁରୁତର
ତାଳଚେର: ତାଳଚେର କଣିହାଁସ୍ଥିତ NTPC ପ୍ଲାଣ୍ଟରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା। ଏହି ଅଘଟଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି। ଗୁରୁତର ଆହତ ୫ ଜଣଙ୍କ ଚିକିତ୍ସା ଜାରି ରହିଛି। ଘଟଣା ପରେ NTPC ପ୍ଲାଣ୍ଟ ପରିସରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ଏନେଇ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ପରେ ଦୁର୍ଘଟଣାର କାରଣ ଓ ଅନ୍ୟାନ୍ୟ ତଥ୍ୟ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ମାନବିକତାର ନିଦର୍ଶନ: ଶୋକାକୁଳ ପରିବାର ପାଖରେ ଲୁଲୁ ସେନା
ଅନୁଗୋଳ: ଶଙ୍ଖପୁର ପଞ୍ଚାୟତ ଅଞ୍ଚଳର ହରି ସାହୁଙ୍କ ଧର୍ମପତ୍ନୀଙ୍କ ଅକାଳ ବିୟୋଗରେ ପରିବାର ଶୋକସନ୍ତପ୍ତ ଥିବାବେଳେ, ଏହି ସମୟରେ ପରିବାର ପାଖରେ ଠିଆ ହୋଇଛି ଲୁଲୁ ସେନା। ଲୁଲୁ ସେନାର ଏକ ଟିମ୍ ହରି ସାହୁଙ୍କ ପରିବାରକୁ ଭେଟି ଗଭୀର ସମବେଦନା ଜଣାଇବା ସହ ସାମର୍ଥ୍ୟ ଅନୁଯାୟୀ ସହାୟତା ପ୍ରଦାନ କରିଥିଲେ। ଏହି ସମୟରେ ଶଙ୍ଖପୁର ଲୁଲୁ ସେନାର ସଭାପତି ମହେଶ ସାହୁ ଓ କାର୍ଯ୍ୟନିର୍ବାହୀ ସଭାପତି ପ୍ରବୀଣ ଦାସ ଉପସ୍ଥିତ ରହି ଟିମ୍କୁ ନେତୃତ୍ୱ ଦେଇଥିଲେ। ସେହିପରି ଗ୍ରାମର ବରିଷ୍ଠ ନେତା ପ୍ରତାପ ଚନ୍ଦ୍ର ସାହୁ ମଧ୍ୟ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବା ସହ ସହଯୋଗର ହାତ ବଢ଼ାଇଥିଲେ। ଦୁଃଖର ସମୟରେ ଅସହାୟ ପରିବାର ପାଖରେ ଠିଆ ହୋଇ ସହଯୋଗ କରିବା ହିଁ ପ୍ରକୃତ ମାନବ ସେବା ବୋଲି ଲୁଲୁ ସେନା ପକ୍ଷରୁ କୁହାଯାଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା
