ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ କିଶୋରନଗର ,ଅନୁଗୋଳOctober 11, 202651 views

କିଶୋରନଗର: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ଜାମ୍ମୁନାଳୀ ଗ୍ରାମପଞ୍ଚାୟତର ଗୋଲାସର ଗ୍ରାମରେ ବିଶ୍ୱ ଯୁବ କେନ୍ଦ୍ର, ବଣୀନାଳୀ ପକ୍ଷରୁ ପରିଚାଳିତ ‘ଜଷ୍ଟ ରାଇଟ୍ ଫର୍ ଚିଲଡ୍ରେନ୍’ ଅଭିଯାନ ଅଧୀନରେ ଗ୍ରାମସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଶ୍ରମ ଓ ଶିଶୁ ଯୌନ ନିର୍ଯାତନା ଭଳି ସମ୍ବେଦନଶୀଳ ବିଷୟ ଉପରେ ଆଲୋଚନା କରାଯିବା ସହ ଶିଶୁମାନଙ୍କ ମୌଳିକ ଅଧିକାର ଓ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା। ଏଥିସହ ଶିଶୁ ଅଧିକାରର ସୁରକ୍ଷା ପାଇଁ ପରିବାର ଓ ସମାଜର ଭୂମିକା ଏବଂ ଆଇନଗତ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବିଶ୍ୱ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ପ୍ରକଳ୍ପ ସହଯୋଗୀ ପପି ଦେହୁରୀ ବୈଠକ ପରିଚାଳନା କରିଥିଲେ। ଏଥିରେ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ୱାର୍ଡ ସଦସ୍ୟ, ସିଆରପି ଓ ଅନ୍ୟାନ୍ୟ ଗ୍ରାମସ୍ତରୀୟ ସଦସ୍ୟ ଯୋଗଦେଇଥିଲେ। ଶିଶୁମାନଙ୍କୁ ଏକ ସୁରକ୍ଷିତ ପରିବେଶ ଯୋଗାଇଦେବା ସହ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା।
