ମା’ ରତ୍ନେଶ୍ୱରୀ ମନ୍ଦିର ପରିସରରେ ଡିଏଲ୍.ଏଡ୍ ଶିକ୍ଷକଙ୍କ ବନ୍ଧୁମିଳନ
Ganjam (ଗଞ୍ଜାମ)ଦୁର୍ଗା ମାଧବ ମହାରଣାOctober 11, 2026106 views

ଚିକିଟି, ୧୧ ଅକ୍ଟୋବର: ଚିକିଟି ନିକଟସ୍ଥ ପ୍ରସିଦ୍ଧ ମା’ ରତ୍ନେଶ୍ୱରୀଙ୍କ ମନ୍ଦିର ପରିସରରେ ଦିଗପହଣ୍ଡି, ଚିକିଟି , ପାତ୍ରପୁର ର ୨୦୧୫ ଡିଏଲ୍.ଏଡ୍ ତାଲିମପ୍ରାପ୍ତ ଶିକ୍ଷକମାନଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆଜି ଆନନ୍ଦ ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦଶ ବର୍ଷ ପରେ ପୁରାତନ ସହପାଠୀ ତଥା ସହକର୍ମୀ ଶିକ୍ଷକମାନଙ୍କ ଏହି ମିଳନ ସମସ୍ତଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଆତ୍ମୀୟତା ସୃଷ୍ଟି କରିଥିଲା।
ଶିକ୍ଷକ ଶ୍ରୀ ସୀମାଞ୍ଚଳ ଗୈ।ଡ ଙ୍କ ନେତୃତ୍ୱରେ ଆୟୋଜିତ ଏହି ସଭାରେ ଅଜିତ କୁମାର ସାହୁ ସଭାପତିତ୍ୱ କରିଥିବା ବେଳେ ଅନନ୍ତ ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଶିକ୍ଷକ ବାଳ୍ମୀକି ସେଠୀ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ।
ମୁଖ୍ୟବକ୍ତା ଅନନ୍ତ ବେହେରା ନିଜ ବକ୍ତବ୍ୟରେ ତାଲିମ ଜୀବନର ସଂଘର୍ଷମୟ ଦିନଗୁଡ଼ିକୁ ସ୍ମରଣ କରିଥିଲେ। ତାଲିମ ସମୟରେ ଅନେକ ବାଧାବିଘ୍ନ ଓ ସମସ୍ୟାକୁ ଅତିକ୍ରମ କରି ଆଜି ସମସ୍ତେ ଶିକ୍ଷକତା ଭଳି ଏକ ଗୁରୁଦାୟିତ୍ୱପୂର୍ଣ୍ଣ ବୃତ୍ତିରେ ନିୟୋଜିତ ହୋଇଛନ୍ତି। ନିଜ ନିଜ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷାଦାନ କରିବା ସହ ସେମାନଙ୍କ ଭବିଷ୍ୟତ ଗଠନରେ ଶିକ୍ଷକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ସେ ଉଲ୍ଲେଖ କରିଥିଲେ। ସ୍କୁଲ ପରିଚାଳନା ନେଇ ବିଭିନ୍ନ ଆଲୋଚନା ହୋଇଥିଲା। ଅତିଥି ଶିକ୍ଷକ ଭାବେ ନିମନ୍ତ୍ରିତ ଅବସର ପ୍ରାପ୍ତ ଶିକ୍ଷକ ଦୁର୍ଗା ମାଧବ ମହାରଣା ଅଭିଭାବକ ତଥା ଛାତ୍ରଛାତ୍ରୀଙ୍କ ସହିତ ଉତ୍ତମ ସଂପର୍କ ରଖି ବ୍ୟକ୍ତିଗତ ଭାବେ ଦିନକୁ ଜଣେ ଛାତ୍ର ସହିତ ଆତ୍ମୀୟତା ପୂର୍ଣ୍ଣ କଥା ବାର୍ତ୍ତା ହେବାକୁ ପରାମର୍ଶ ଦେଇଥିଲେ।
ଶିକ୍ଷକ ସନ୍ତୋଷ ବେହେରା ତାଲିମ ସମୟର ଅନୁଭୂତି ବର୍ଣ୍ଣନା କରିଥିଲେ। ହାସ୍ୟରସ ଓ ଆତ୍ମୀୟତାପୂର୍ଣ୍ଣ ପରିବେଶରେ ଶିକ୍ଷକ କୃଷ୍ଣ ପାତ୍ର ତାଲିମ ସମୟରେ ତାଙ୍କୁ ଦିଗ୍ଦର୍ଶନ ଦେଇଥିବା ଦିଗପହଣ୍ଡି ବି.କେ. ହାଇସ୍କୁଲର ଶିକ୍ଷକମାନଙ୍କ ପ୍ରତି କୃତଜ୍ଞତା ଓ ପ୍ରଶଂସା ପ୍ରକାଶ କରିଥିଲେ।
ସଭାପତି ଅଜିତ କୁମାର ସାହୁ ଶିକ୍ଷକ ଜୀବନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହ ଏଭଳି ବନ୍ଧୁମିଳନ ଶିକ୍ଷକମାନଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ, ସମ୍ପର୍କର ଦୃଢ଼ୀକରଣ ଏବଂ ଅଭିଜ୍ଞତା ବିନିମୟର ଏକ ଉତ୍ତମ ମାଧ୍ୟମ ବୋଲି କହିଥିଲେ। ବିଭିନ୍ନ ବିଦ୍ୟାଳୟର ସମସ୍ୟା ଓ ଶିକ୍ଷକତା ବୃତ୍ତି ସମ୍ପର୍କିତ ବିଷୟଗୁଡ଼ିକ ଉପରେ ପାରସ୍ପରିକ ଆଲୋଚନା ଦ୍ୱାରା ସମାଧାନର ମାର୍ଗ ଖୋଜିବାରେ ଏପରି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମରେ ଖାଦ୍ୟ ବ୍ୟବସ୍ଥା ଦାୟିତ୍ୱରେ ନକୁଳ ଜେନା ରହିଥିବା ବେଳେ ସୁଧାରାଣୀ, ସୁଜାତା ଗୈ।ଡ଼, ପଦ୍ମିନୀ ମହାରଣା ସହଯୋଗ କରିଥିଲେ। ସୂର୍ଯ୍ୟନାରାୟଣ ଦାସ,ଗଣେଶ କାର୍ଯୀ , ସୁରେନ୍ଦ୍ର ଗୈ।ଡ଼ ପ୍ରମୁଖ ଖାଦ୍ୟ ପରିବେଷଣ ଦାୟିତ୍ୱ ତୁଲାଇଥିଲେ। ମନୋରଞ୍ଜନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।
ନବରାତ୍ର ପୂଜା ଅବସରରେ ଆୟୋଜିତ ଏହି ବନ୍ଧୁମିଳନ ପୁରୁଣା ସ୍ମୃତିକୁ ସତେଜ କରିବା ସହ ଶିକ୍ଷକମାନଙ୍କ ମଧ୍ୟରେ ଭାଇଚାରା, ଏକତା ଓ ବନ୍ଧୁତ୍ୱକୁ ଅଧିକ ସୁଦୃଢ଼ କରିଥିଲା। ଭବିଷ୍ୟତରେ ମଧ୍ୟ ଏଭଳି ମିଳନ ଜାରି ରଖିବାକୁ ଉପସ୍ଥିତ ଶିକ୍ଷକମାନେ ଆଗ୍ରହ ପ୍ରକାଶ କରିଥିଲେ।
