--:--:--
-- ---
Srishti News

Web News

ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ
Jun 30, 202688 views

ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ରଣପୁର:୩୦/୬ () : ନୟାଗଡ ଜିଲ୍ଲା ରଣପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସୁର୍କାବାଡ଼ି ସ୍ଥିତ ସରକାରୀ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ନନ୍ଦ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ମଙ୍ଗଳବାର ଦିନ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ବିଦ୍ୟାଳୟ ର ପଞ୍ଚସଖା ଶିକ୍ଷା କ୍ଷେତ୍ର ର ସଭାପତି କୃଷ୍ଣ ଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ l ଶିକ୍ଷକ ପ୍ରଭାତ କୁମାର ପଣ୍ଡା ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ସ୍ଥାନୀୟ ସରପଞ୍ଚ ସୁନିତା ମହାପାତ୍ର ଯୋଗଦାନ କରି ଶ୍ରୀ ନନ୍ଦଙ୍କର ସୁଗୁଣାବଳୀ ବର୍ଣ୍ଣନା କରିଥିଲେ।ବିଶିଷ୍ଟ ଅତିଥି ଲକ୍ଷ୍ମୀଧର ସାମନ୍ତରାୟ , ସୁରେଶ ଚନ୍ଦ୍ର ସାମନ୍ତରାୟ ଯୋଗଦେଇଥିଲେ l କିଶୋର ଚନ୍ଦ୍ର ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ସଂମ୍ମାନିତ ଅତିଥି ପରିଚାଳନା ପରିଷଦ ର ସଭାପତି ସୁଲୋଚନା ପ୍ରଧାନ, ଉପସଭାପତି କିଶୋର ବେହେରା , ପ୍ରଫୁଲ କୁମାର ସାହୁ,ଲିପ୍ସା ନନ୍ଦ,ନମିତା ନନ୍ଦ ବିଦାୟୀ ପ୍ରଧାନ ଶିକ୍ଷକ ବସନ୍ତ କୁମାର ନନ୍ଦ ଯୋଗଦେଇଥିଲେ l ଏହି ଅବସରରେ ଶ୍ରୀଯୁକ୍ତ ନନ୍ଦ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ କର୍ତ୍ତବ୍ୟ ପରାୟଣତା ଓ ଗ୍ରାମବାସୀ ଙ୍କ ପ୍ରଶଂସା କରିବା ସହ ନିଜର ଛାତ୍ର ଛାତ୍ରୀ ମାନଙ୍କୁ ସମାଜର ଜଣେ ଜଣେ ଆଦର୍ଶ ବ୍ୟକି ହେବାକୁ ଆହ୍ୱାନ ଦେଇଥିଲେ l ସେ ଜଣେ ଉତ୍ତମ ଶିକ୍ଷକ, କର୍ତଵ୍ୟ ପରାୟଣତା ଛାତ୍ର ବତ୍ସଳ, ସାହିତ୍ୟ ବାଗ୍ନୀ ରୂପେ ପରିଚିତ ଥିଲେ l ଉକ୍ତ ସଭାରେ ଭାସ୍କର ଆଲୋକ ମହାପାତ୍ର, ବିଜୟ କୁମାର ଦେବତା, ସୌଦାମିନୀ ସୁବୁଦ୍ଧି, ମିଳନ ମହାରଣା, ପ୍ରଦୀପ କୁମାର ବେହେରା ଙ୍କ ସମେତ ଅନେକ ବିଦ୍ୟାଳୟ ରୁ ଆସିଥିବା ପ୍ରାୟ ୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏବଂଗ୍ରାମର ଅଧିକାଂଶ ପୁରୁଷ ମହିଳା ଓ ପୁରାତନ ବିଦ୍ୟାର୍ଥୀ ଏବଂ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ। ପରିଶେଷରେ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Nayagarh (ନୟାଗଡ଼)ରିପୋଟର : ନିରଞ୍ଜନ ମହାପାତ୍ର ରଣପୁର

ଭଦ୍ରକରେ ବାଘ ଆତଙ୍କ! ଭୟଭୀତ ହୁଅନ୍ତୁ ନାହିଁ, ସତର୍କ ରୁହନ୍ତୁ
Jun 30, 202658 views

ଭଦ୍ରକରେ ବାଘ ଆତଙ୍କ! ଭୟଭୀତ ହୁଅନ୍ତୁ ନାହିଁ, ସତର୍କ ରୁହନ୍ତୁ

ଭଦ୍ରକ ପୁରୁଣା ବଜାର ଥାନା ଅନ୍ତର୍ଗତ ଧନାତୋଳା-ନୟାନଗର ଗାଁରେ ବାଘ ଥିବା ସନ୍ଦେହକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ଓ ବନ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସ୍ଥାନୀୟ ଲୋକମାନେ ବାଘ ଦେଖିଥିବା ଦାବି କରୁଥିଲେ ମଧ୍ୟ ବନ ବିଭାଗର ପ୍ରାଥମିକ ତଦନ୍ତ ଅନୁଯାୟୀ ଏହା ଏକ ଫିସିଂ କ୍ୟାଟ୍ (Fishing Cat) ହୋଇପାରେ ବୋଲି ସନ୍ଦେହ କରାଯାଉଛି। ପଶୁଟିର ସଠିକ୍ ପରିଚୟ ପାଇଁ ଖୋଜାଖୋଜି ଜାରି ରହିଛି। ଘଟଣା ପରେ ଗାଁରେ ଭୟର ପରିବେଶ ସୃଷ୍ଟି ହୋଇଥିବା ବେଳେ ବନ ବିଭାଗ ଲୋକଙ୍କୁ ଅଯଥା ଭୟଭୀତ ନହେବାକୁ ଅନୁରୋଧ କରିଛି। ଅଧିକାରୀମାନଙ୍କ କହିବା ଅନୁସାରେ, ଟିମ୍ ସମଗ୍ର ଅଞ୍ଚଳ ଉପରେ କଡ଼ା ନଜର ରଖିଛି ଏବଂ ପଶୁଟିକୁ ଚିହ୍ନଟ କରି ସୁରକ୍ଷିତ ଭାବେ ଧରିବା ପାଇଁ ପଦକ୍ଷେପ ଜାରି ରହିଛି। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ଘର ବାହାରକୁ ଯିବାବେଳେ ସତର୍କ ରୁହନ୍ତୁ, ଛୋଟ ପିଲାମାନଙ୍କୁ ଏକାକୀ ବାହାରକୁ ନ ପଠାନ୍ତୁ ଏବଂ କୌଣସି ସନ୍ଦେହଜନକ ବନ୍ୟପ୍ରାଣୀ ଦେଖିଲେ ତୁରନ୍ତ ବନ ବିଭାଗ କିମ୍ବା ପୋଲିସକୁ ସୂଚନା ଦିଅନ୍ତୁ। ଅଯଥା ଭୟଭୀତ ନହୋଇ ସତର୍କ ରହିବା ହିଁ ସବୁଠାରୁ ବଡ଼ ବୋଲି କହିଛନ୍ତି ବନବିଭାଗ ଅଧିକାରୀ,

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ବରିଷ୍ଠ କଳାକାର ବିପ୍ର ଚରଣ ସାହୁଙ୍କ ବିୟୋଗରେ ଶୋକ
Jun 30, 202660 views

ବରିଷ୍ଠ କଳାକାର ବିପ୍ର ଚରଣ ସାହୁଙ୍କ ବିୟୋଗରେ ଶୋକ

ବ୍ରହ୍ମପୁର, ତା. ୩୦/୦୬ : ବରିଷ୍ଠ ଲୋକ ନାଟକ କଳାକାର ବିପ୍ରଚରଣ ସାହୁ ୯୦ ବର୍ଷ ବୟସରେ ବ୍ରହ୍ମପୁର ବାପୁଜୀ ନଗର ୭ମ ସରଣୀସ୍ଥ ସ୍ଵ ବାସଗୃହରେ ବାର୍ଦ୍ଧକ୍ୟ ଜନିତ ପୂର୍ବାହ୍ନ ଘ. ୧୧. ୫୫ ମିନିଟ ସମୟରେ ଇହଲୀଳା ସମ୍ବରଣ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କ ମରଶଯ୍ୟା ନିକଟରେ ତାଙ୍କର ଜ୍ୟେଷ୍ଠ ପୁତ୍ର ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ସମେତ ଅନ୍ୟ ତିନି ପୁତ୍ର ସୁଦାମ, ସୁଦର୍ଶନ, ଶିଶିର ଏବଂ ଚାରି ବୋହୁ ଓ ନାତି ନାତୁଣୀମାନେ ଉପସ୍ଥିତ ଥିଲେ। ବିପ୍ର ଚରଣ ଶିଶୁ କାଳରୁ ସ୍ଵ ଗ୍ରାମ ହିଞ୍ଜିଳି ବ୍ଲକ ଅନ୍ତର୍ଗତ ବେଲଗାଁରେ ଥିବା ବିଭିନ୍ନ ନାଟ୍ୟ ଦଳ ସହ ସଂଶ୍ଳୀଷ୍ଟ ଥିଲେ। ଲୋକ ନାଟକ ରାମ ନାଟକ, ଦଣ୍ଡ ସୁଆଙ୍ଗ, ଏବଂ ଗ୍ରାମୀଣ ନାଟକରେ ଅଭିନୟ କରି ନିଜକୁ ଜଣେ ଦକ୍ଷ କଳାକାରର ପରିଚୟ ଛାଡି ଯାଇଛନ୍ତି। ତାଙ୍କ ବିୟୋଗରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ, ମଞ୍ଚଜ୍ୟୋତି, ଶିଳାପଦ୍ମ, ଜାତୀୟ ସଙ୍ଗୀତ କଳାକେନ୍ଦ୍ର ଆଦି ଅନୁଷ୍ଠାନର କର୍ମକର୍ତ୍ତମାନେ ତାଙ୍କର ଶେଷ ଦର୍ଶନ ନିମନ୍ତେ ଉପସ୍ଥିତ ଥଲେ। ତାହାଙ୍କ ବିୟୋଗରେ କଳାକାର ଜଗତରେ ଶୋକର ଛାୟା ଖେଳିଯାଇଛି।

Ganjam (ଗଞ୍ଜାମ)ବ୍ୟୁରୋ ରିପୋର୍ଟ, ବ୍ରହ୍ମପୁର

ଜଙ୍ଗଲ ଅଧିକାର ଆଇନକୁ ୨୦ବର୍ଷ: କାର୍ଯ୍ୟକାରିତା ଦାବିରେ ଆନ୍ଦୋଳନ ପାଇଁ ଆହ୍ୱାନ
Jun 30, 202641 views

ଜଙ୍ଗଲ ଅଧିକାର ଆଇନକୁ ୨୦ବର୍ଷ: କାର୍ଯ୍ୟକାରିତା ଦାବିରେ ଆନ୍ଦୋଳନ ପାଇଁ ଆହ୍ୱାନ

ଭୁବନେଶ୍ୱର, ଜୁନ୍ ୨୮: ଜଙ୍ଗଲ ଅଧିକାର ଆଇନ–୨୦୦୬କୁ ୨୦ ବର୍ଷ ପୂରଣ ହୋଇଥିଲେ ମଧ୍ୟ ଆଦିବାସୀ ଓ ପାରମ୍ପରିକ ବନବାସୀମାନେ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ପାଇନଥିବା ଅଭିଯୋଗ କରିଛି 'ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ' (ସିଏସଡି)। ଭୁବନେଶ୍ୱରରେ ସଂଗଠନ ପକ୍ଷରୁ ଆୟୋଜିତ ଏକ ଆଲୋଚନାଚକ୍ରରେ ବକ୍ତାମାନେ କହିଥିଲେ ଯେ, ପେସା ଆଇନ–୧୯୯୬ ଓ ଜଙ୍ଗଲ ଅଧିକାର ଆଇନର ସଠିକ କାର୍ଯ୍ୟକାରିତା ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ବାଧାପ୍ରାପ୍ତ ହୋଇଛି। ଆଲୋଚନାଚକ୍ରରେ ସିଜିମାଳି ସମେତ ବିଭିନ୍ନ ଜନଆନ୍ଦୋଳନକୁ ସମର୍ଥନ ଜଣାଇବା ସହ ନିୟମଗିରି ସୁରକ୍ଷା ସମିତିର ନେତା ଲଦ ସିକକାଙ୍କ ସମ୍ପତ୍ତି ବାଜ୍ୟାପ୍ତ ସମ୍ପର୍କିତ ଲାଞ୍ଜିଗଡ଼ କୋର୍ଟଙ୍କ ଆଦେଶ ପ୍ରତ୍ୟାହାର କରିବାକୁ ଦାବି କରାଯାଇଥିଲା। ସିଏସଡି ପକ୍ଷରୁ ଜଙ୍ଗଲ ଅଧିକାର ଆଇନର ୨୦ ବର୍ଷର କାର୍ଯ୍ୟକାରିତା ଉପରେ ଏକ ତଥ୍ୟଭିତ୍ତିକ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି। ବୈଠକରେ ବିଭିନ୍ନ ସାମାଜିକ କର୍ମୀ, ଗବେଷକ, ଆଇନଜୀବୀ ଓ ଜନସଂଗଠନର ପ୍ରତିନିଧିମାନେ ଯୋଗ ଦେଇ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତା, ଗ୍ରାମସଭାର ଭୂମିକା ଏବଂ ଆଦିବାସୀ ଅଧିକାର ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ। ସେହିପରି ଆଗାମୀ ଦିନରେ ଜନଜାଗରଣ ଓ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଏକ ଆବାହକ ମଣ୍ଡଳୀ ଓ ରାଜ୍ୟସ୍ତରୀୟ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଛି।

Bhubaneswar (ଭୁବନେଶ୍ୱର)ରିପୋର୍ଟ: ସୁକାନ୍ତ ପ୍ରଧାନ ଭୁବନେଶ୍ୱର

୧ ଜୁଲାଇରୁ ପେଟ୍ରୋଲ-ଡିଜେଲ ବିକ୍ରି ଉପରେ ଥିବା ଅସ୍ଥାୟୀ କଟକଣା ପ୍ରତ୍ୟାହାର
Jun 30, 202634 views

୧ ଜୁଲାଇରୁ ପେଟ୍ରୋଲ-ଡିଜେଲ ବିକ୍ରି ଉପରେ ଥିବା ଅସ୍ଥାୟୀ କଟକଣା ପ୍ରତ୍ୟାହାର

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ ପେଟ୍ରୋଲ ଓ ଡିଜେଲ ଯୋଗାଣ ସ୍ଥିତିରେ ସୁଧାର ଆସିଥିବା ପରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ବିକ୍ରି ଏବଂ ବଣ୍ଟନ ଉପରେ ଲାଗୁ ଥିବା ଅସ୍ଥାୟୀ ନିୟାମକ କଟକଣାକୁ ପ୍ରତ୍ୟାହାର କରିଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏହି ନିଷ୍ପତ୍ତି ୧ ଜୁଲାଇ ୨୦୨୬ ଠାରୁ କାର୍ଯ୍ୟକାରୀ ହେବ। ସୂଚନାଯୋଗ୍ୟ, ପଶ୍ଚିମ ଏସିଆର ସଙ୍କଟ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରୁ ଦେଶରେ ଖୁଚୁରା ପେଟ୍ରୋଲ ଓ ଡିଜେଲ ଦରକୁ ସ୍ଥିର ରଖିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଗତ ଜୁନ୍ ୧୨ ତାରିଖରେ କିଛି ଅସ୍ଥାୟୀ କଟକଣା ଲାଗୁ କରିଥିଲେ। ଏହା ଅନୁସାରେ ଖୁଚୁରା ପେଟ୍ରୋଲ ପମ୍ପରେ ପ୍ରତି ଗ୍ରାହକ କିମ୍ବା ଯାନକୁ ପ୍ରତିଦିନ ସର୍ବାଧିକ ୨୦୦ ଲିଟର ଡିଜେଲ ବିକ୍ରି କରିବାର ସୀମା ଧାର୍ଯ୍ୟ କରାଯାଇଥିଲା। ସେହିପରି ଶିଳ୍ପ, ବାଣିଜ୍ୟିକ ଓ ସଂସ୍ଥାଗତ ଉପଭୋକ୍ତାଙ୍କୁ ନିର୍ଦ୍ଦିଷ୍ଟ କଞ୍ଜ୍ୟୁମର ପମ୍ପରୁ ଇନ୍ଧନ କ୍ରୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମନ୍ତ୍ରଣାଳୟ କହିଛି ଯେ, ବର୍ତ୍ତମାନ ଦେଶରେ ପେଟ୍ରୋଲିୟମ ଉତ୍ପାଦର ଯୋଗାଣ ସ୍ୱାଭାବିକ ସ୍ଥିତିକୁ ଫେରିଥିବାରୁ ଏହି ଅସ୍ଥାୟୀ କଟକଣାର ଆଉ ଆବଶ୍ୟକତା ନାହିଁ। ତେଣୁ ଜୁନ୍ ୧୨ର ଆଦେଶକୁ ୧ ଜୁଲାଇ ୨୦୨୬ରୁ ପ୍ରତ୍ୟାହାର କରାଯାଇଛି। ସରକାରଙ୍କ ମତାନୁସାରେ, ଏହି କଟକଣା ଲାଗୁ ଥିବା ସମୟରେ ଖୁଚୁରା ଗ୍ରାହକଙ୍କ ସ୍ୱାର୍ଥ ସୁରକ୍ଷା ସହ କଳାବଜାରୀ, ଅତ୍ୟଧିକ ମହଜୁଦ ଓ ଇନ୍ଧନ ହେରଫେରକୁ ରୋକିବାରେ ସହାୟକ ହୋଇଥିଲା। କଟକଣା ପ୍ରତ୍ୟାହାର ଦେଶରେ ଇନ୍ଧନ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହୋଇଥିବାର ସଙ୍କେତ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।

Bhubaneswar (ଭୁବନେଶ୍ୱର)ରିପୋର୍ଟ: ସୁକାନ୍ତ ପ୍ରଧାନ, ଭୁବନେଶ୍ୱର

ଟାଙ୍ଗୀ ରେ ମହାପ୍ରଭୁଙ୍କ ସ୍ନାନଯାତ୍ରା
Jun 30, 202659 views

ଟାଙ୍ଗୀ ରେ ମହାପ୍ରଭୁଙ୍କ ସ୍ନାନଯାତ୍ରା

ଖୋର୍ଦ୍ଧା -ଖୋରଧା ଜିଲ୍ଲାର ଟାଙ୍ଗୀ ସଦରମହକୁମା ର ଜଗନ୍ନାଥ ମନ୍ଦିରରେ ସ୍ନାନ କଲେ ମହାପ୍ରଭୁ। ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିବ୍ୟ ସ୍ନାନନୀତି ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଉଛି । ଧାଡ଼ି ପହଣ୍ଡିରେ ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପକୁ ବିଜେ କରିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କରାଯାଇଥଲା । ଏହି ଦୁର୍ଲଭ ଦୃଶ୍ୟ ଦେଖିବା ଲାଗି ଟାଙ୍ଗୀ ଓ ଆଖପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । କାହା ହାତରେ ତୁଳସୀ, କାହା ମୁହଁରେ "ଜୟ ଜଗନ୍ନାଥ" ର ଧ୍ୱନି, ଆଉ କାହା ଆଖିରେ ଭକ୍ତିର ଅଶ୍ରୁ । ବହୁ ଦିନର ଅପେକ୍ଷା ପରେ ଆଜି ମହାପ୍ରଭୁଙ୍କ ଏହି ମହାମାନବୀୟ ଲୀଳାକୁ ଦେଖି ଭକ୍ତମାନେ ନିଜକୁ ଧନ୍ୟ ମନେ କରୁଛନ୍ତି । ସ୍ନାନପୂର୍ଣ୍ଣିମାରେ ସ୍ନାନବେଦୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୁଏ ଏବଂ ପ୍ରଭୁଙ୍କ ଅପାର କୃପା ମିଳିଥାଏ ବୋଲି ବିଶ୍ବାସ ରହିଛି ବୋଲି ଟାଙ୍ଗୀ ଜଗନ୍ନାଥ ମନ୍ଦିରର ଆଦ୍ୟ ସେବକ ଭାରତ ଭୂଷଣ ଜଗଦ୍ଦେବ କହିଛନ୍ତି । ଶାନ୍ତି ଶୃଙ୍ଖଳାର ସହିତ ମହାପ୍ରଭୁଙ୍କ ଘୋଷଯାତ୍ରା ସମାପନ କରିବା ପାଇଁ ଟାଙ୍ଗୀ ନୀଳଶୈଳ ଅନୁଷ୍ଠାନର ସମ୍ପାଦକ ସନ୍ତୋଷ ଚୈ।ଧୁରୀ ସମସ୍ତଙ୍କୁ ନିବେଦନ କରିଛନ୍ତି ।

Khordha (ଖୋର୍ଦ୍ଧା)ରିପୋର୍ଟ-- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ମାନବତାର ଉଜ୍ଜ୍ୱଳ ଉଦାହରଣ: ଦିବ୍ୟାଙ୍ଗ ଓ ବୃଦ୍ଧାଙ୍କୁ ସହାୟତା କରି ହୃଦୟ ଜିତିଲେ ପୋଲିସ କର୍ମଚାରୀ
Jun 30, 202636 views

ମାନବତାର ଉଜ୍ଜ୍ୱଳ ଉଦାହରଣ: ଦିବ୍ୟାଙ୍ଗ ଓ ବୃଦ୍ଧାଙ୍କୁ ସହାୟତା କରି ହୃଦୟ ଜିତିଲେ ପୋଲିସ କର୍ମଚାରୀ

ସମାଜରେ ପୋଲିସକୁ ନେଇ ବିଭିନ୍ନ ଧାରଣା ଥିବାବେଳେ, କିଛି ଘଟଣା ପୁଣିଥରେ ପ୍ରମାଣ କରେ ଯେ ପୋଲିସ କେବଳ ଆଇନର ରକ୍ଷକ ନୁହେଁ, ବରଂ ମାନବତାର ମଧ୍ୟ ଜୀବନ୍ତ ପ୍ରତୀକ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଦୁଇଟି ଚିତ୍ରରେ ଜଣେ ପୋଲିସ କର୍ମଚାରୀ ଜଣେ ବୃଦ୍ଧା ମହିଳାଙ୍କୁ ହାତ ଧରି ସୁରକ୍ଷିତ ଭାବେ ନେଉଥିବା ବେଳେ, ଅନ୍ୟ ଜଣେ ପୋଲିସ କର୍ମଚାରୀ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ପିଠିରେ ବୋହି ଗନ୍ତବ୍ୟ ସ୍ଥାନକୁ ପହଞ୍ଚାଉଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟ କେବଳ କର୍ତ୍ତବ୍ୟପରାୟଣତାର ନୁହେଁ, ବରଂ ମାନବିକତା, ସହାନୁଭୂତି ଓ ସେବାଭାବର ଏକ ଅନନ୍ୟ ଉଦାହରଣ। ଏଭଳି କାର୍ଯ୍ୟ ସମାଜରେ ପୋଲିସ ପ୍ରତି ସାଧାରଣ ଲୋକଙ୍କ ବିଶ୍ୱାସକୁ ଆହୁରି ସୁଦୃଢ଼ କରିଥାଏ। ସମାଜର ଦୁର୍ବଳ ଓ ଅସହାୟ ବର୍ଗଙ୍କ ପାଖରେ ଠିଆ ହୋଇ ସହାୟତାର ହାତ ବଢ଼ାଇଥିବା ଏଭଳି ପୋଲିସ କର୍ମଚାରୀମାନେ ନିଶ୍ଚିତ ଭାବେ ପ୍ରଶଂସାର ଯୋଗ୍ୟ। ତାଙ୍କର ଏହି ମାନବିକ କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ।

Ganjam (ଗଞ୍ଜାମ)ରିପୋର୍ଟ: ବିଜୟା ନନ୍ଦ ତ୍ରିପାଠୀ, ଭଞ୍ଜନଗର

ଟିକିଟିରେ ଦେବସ୍ନାନ ପୂର୍ଣ୍ଣିମା
Jun 30, 202638 views

ଟିକିଟିରେ ଦେବସ୍ନାନ ପୂର୍ଣ୍ଣିମା

ଟିକିଟି/ ତିନିଶହ ବର୍ଷରୁ ଅଧିକ ହେବ ଟିକିଟି ଗଡରେ ଅବସ୍ଥାପିତ ପ୍ରଭୁ ଅଙ୍କୁର ନାଥ ଜଗନ୍ନାଥଙ୍କ ଆଜି ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ରୀତିକାନ୍ତି ପ୍ରକାରେ ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଧାରିତ ସମୟରେ ପୂର୍ବାହ୍ନ ୧୧ଟାରେ ଦାରୁ ଦେବତା ଜଗନ୍ନାଥଙ୍କୁ ପହଣ୍ଡି କରି ସ୍ନାନ ବେଦୀକୁ ଅଣାଯାଇଥିଲା। ପଞ୍ଚାମୃତ, ଶ୍ରୀ କର୍ପୂର, ଚୁଆ ଇତ୍ୟାଦି ଲାଗି ହେଲା ପରେ ସମୁଦ୍ର ଜଳ ୮ ଗରା, କୂପଜଳ ୮ ଗରା ସହିତ ପ ଇ ତ ପାଣି, ଗୋଲାପ ଜଳ ଅନ୍ୟ ସୁଗନ୍ଧିତ ଜଳକୁ ମନ୍ତ୍ର ଦ୍ୱାରା ଅଭିଷିକ୍ତ କରି ମହାପ୍ରଭୁଙ୍କ ସ୍ନାନାଦି କର୍ମ କରାଗଲା। ଟିକିଟିର ରାଜା ସାହେବ ଶ୍ରୀ ତ୍ରିଗୁଣାତୀତ ଦେଓ ଷୋଡ଼ଷ ଉପଚାର ପରେ ଆଳତି ଅର୍ପଣ କରିଥିଲେ। ପରେ ପରେ ମଧ୍ୟାହ୍ନ ଧୂପ, ଭକ୍ତ ମାନଙ୍କ ଦର୍ଶନ ପରେ ଅପରାହ୍ନ ୪ଟା ବେଳେ ପୁଣି ପହଣ୍ଡି କରି ରତ୍ନବେଦୀକୁ ନେଇଥିଲେ। ନିତିକାନ୍ତିରେ ସୁଧାର ସାହୁ, ତ୍ରିପତି ସୁଆର, ପୁନିଆ ପାଣିଙ୍କ ସହ ଅନ୍ୟାନ୍ୟ ପହଣ୍ଡିଆ ମାନେ ସହଯୋଗ କରି ଠିକ୍ ସମୟରେ ପହୁଡ଼ କରାଇଥିବାରୁ ରାଜା ସାହେବ ଧନ୍ୟବାଦ ଦେଇଥିଲେ।

Ganjam (ଗଞ୍ଜାମ)ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି

ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ: ସଂଶୋଧିତ ବହି କିଣିବେ ପ୍ରଧାନ ଶିକ୍ଷକ, ଅବହେଳା କରିଥିବା ଅଧିକାରୀଙ୍କ ଉପରେ ହେଇଛି କାର୍ଯ୍ୟାନୁଷ୍ଠାନ
Jun 30, 202687 views

ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ: ସଂଶୋଧିତ ବହି କିଣିବେ ପ୍ରଧାନ ଶିକ୍ଷକ, ଅବହେଳା କରିଥିବା ଅଧିକାରୀଙ୍କ ଉପରେ ହେଇଛି କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଚଳିତ ଶିକ୍ଷା ବର୍ଷ ପାଇଁ ସବୁ ସ୍କୁଲକୁ ଦିଆଯିବ ସଂଶୋଧିତ ବହି। ସଂଶୋଧିତ ପୁସ୍ତକରେ ପାଠ ପଢିବେ ପିଲା। ପ୍ରତି ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ। ବିଦ୍ୟାଳୟ ଗୁଡିକରେ ଠିକ୍ ଭାବେ ପଢାଯିବା ନେଇ ଏହି ସଂଶୋଧିତ ବହି ବ୍ୟବହାର କରାଯିବ। ତଦନ୍ତ ଆଧାରରେ ଆଜି ଯଦି ଦୋଷୀ ବାହାରିବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ। ମୁଖ୍ୟମନ୍ତ୍ରୀ କହିଛନ୍ତି ବହି ତ୍ରୁଟି ନେଇ ତଦନ୍ତ କରି ଅବହେଳା କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସେ ୧୪  ପଏଣ୍ଟ ପରାମର୍ଶ ଦେବା ସହ ସ୍କୁଲ ଗୁଡିକୁ ସଂଶୋଧିତ ବହି ଦେବାକୁ କହିଛନ୍ତି। ବର୍ତ୍ତମାନ ବିଦ୍ୟାଳୟ ଗୁଡିକରେ ଠିକ୍ ଭାବେ ପଢା ଯିବା ନେଇ ଏହି ସଂଶୋଧିତ ବହି ବ୍ୟବହାର କରାଯିବ। ଏହି ସଂଶୋଧିତ ବହି ତିଲକ୍ କି ସ୍କୁଲ ପ୍ରଧାନଶିକ୍ଷକଙ୍କ ଜରିଆରେ ଦିଆଯିବ। ତଦନ୍ତ ରିପୋର୍ଟ ଅନୁସାରେ ଅଧିକ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଜି ଯଦି ଦୋଷୀ ବାହାରିବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଗତ ୨୨ ତାରିଖରେ ବହି ବିଭ୍ରାଟ ଘଟଣାରେ ମୁଖ୍ୟମନ୍ତ୍ରୀ କଡ଼ା ଆଭିମୁଖ୍ୟ ନେବା ସହ କମିଟିର ୧୪ ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହା ଭିତରେ ପ୍ରମୁଖ ରହିଛି, ଅଦେୟ ଚାରିସୂତ୍ରୀୟ ଯାଞ୍ଚ ବ୍ୟବସ୍ଥା ଓ ଫାଇନାଲ୍, ଲକଡ୍, ମେକାନିଜମ୍। ଅର୍ଥାତ ବହି ଛପାକୁ ପ୍ରିଣ୍ଟ ପର୍ଯ୍ୟନ୍ତ ୪ ସ୍ତରରେ ଯାଞ୍ଚ ବ୍ୟବସ୍ଥା କରାଯିବ। ଅନ୍ୟପଟେ ନିଲମ୍ବିତ ର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀଙ୍କ ପାଇଁ ବଢୁଛି ଅଡୁଆ। ସାମାନ୍ୟ ଆସିଥିବା ୨୦୧୪ରେ ବିଧାୟକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଲେଖୁଥିବା ଚିଠି। ସେଥିରେ ରହିଛି ୧୦ରୁ ଅଧିକ ବିଧାୟକମାନଙ୍କ ଦସ୍ତଖତ। ଚିଠିରେ ମନୋଜ ପାଢୀଙ୍କ ଦୁର୍ନୀତି ଏବଂ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ପ୍ରତି ଧମକପୂର୍ଣ୍ଣ ଏବଂ ସ୍ଵେଚ୍ଛାଚାରୀ ଆଚରଣ କଥା ଉଲ୍ଲେଖ କରିଥିଲେ ବିଧାୟକ ମାନେ। ଅଭିଯୋଗ କରିଥିଲେ ନିର୍ଦ୍ଦେଶକ ଥିବା ବେଳେ ମନୋଜ ପାଢୀ ନିଜ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଗାଳିଗୁଲଜ କରୁଛନ୍ତି। ଏହା ସହ ନିର୍ଦ୍ଦେଶକ ଭାବେ ଦୁଇ ବର୍ଷର ସେବା କାଳରେ, କୌଣସି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ହୋଇନାହିଁ। ଏହା ମଧ୍ୟ ଲେଖାଯାଇଛି ଯେ ପୂର୍ବରୁ, ମୟୂରଭଞ୍ଜ ସାଂସଦଙ୍କ ଚିଠି ପରେ ତାଙ୍କର ଅତିରିକ୍ତ ଦାୟିତ୍ଵ ପ୍ରତ୍ୟାହାର କରାଯାଇଥିଲା। କିନ୍ତୁ, ଉଚ୍ଚସ୍ତରୀୟ ହସ୍ତକ୍ଷେପ ଯୋଗୁଁ ତାଙ୍କୁ କିଛି ସମୟ ପରେ ସେହି ପଦବୀରେ ପୁନଃସ୍ଥାପିତ କରାଯାଇଥିଲା। ଅନ୍ୟପଟେ ମନୋଜ ପାଢୀଙ୍କ ସହ ୩ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ ଏ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ କରାଯାଇଛି। କିନ୍ତୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଗୃହ ଦାୟିତ୍ୱବାନ ଏହି ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ହେବ କି ନାହିଁ, ତାକୁ ନେଇ ବି ପ୍ରଶ୍ନ ଉଠିଲାଣି।

Bhubaneswar (ଭୁବନେଶ୍ୱର)ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି

ଅଙ୍ଗନବାଡି  କେନ୍ଦ୍ର ରୁ ଗ୍ୟାସ ସିଲିଣ୍ଡର ଚୋରି
Jun 30, 2026127 views

ଅଙ୍ଗନବାଡି କେନ୍ଦ୍ର ରୁ ଗ୍ୟାସ ସିଲିଣ୍ଡର ଚୋରି

ଭୁବନ ୩୦.୬- ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଲିବୋ ପଂଚାୟତ ବାଲିବୋ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ୨ ରୁ କେହି ଦୁବୁର୍ତ୍ତ ରାତିରେ ତାଲା କାଟି,ଗ୍ୟାସ ସିଲିଣ୍ଡର ସମେତ ରୋଷେଇ ସାମଗ୍ରୀ ଚୋରି କରିନେଇଥିବା ଜଣାପଡିଛି। କେନ୍ଦ୍ର ସହାୟିକା ଲିଲି ସ୍ୱାଇଁ ଙ୍କ ଠାରୁ ଖବର ପାଇଁ ଅଙ୍ଗନୱାଡି କର୍ମୀ ଦୀପ୍ତିମୟୀ ସେଠୀ ସୁପରଭାଇଜର ସୋନାଲି ସାହୁ ଙ୍କୁ ଜଣାଇବା ପରେ ଥାନାରେ ଏତଲା ଦେଇଛନ୍ତି। ଗ୍ୟାସ ସିଲିଣ୍ଡର, ଚୁଲା ,ପ୍ରେସର କୁକର, ହାଣ୍ଡି ,ଗରା, ବାଲିଟି, ଖାଇବା ଟ୍ରେ, ଗ୍ଲାସ ସମେତ ବହୁ ସାମଗ୍ରୀ ଚୋରି ହୋଇଛି।ଗତ କାଲି ରାତିରେ କେଶରପୁର ଅଙ୍ଗନବାଡି କେନ୍ଦ୍ରରୁ ମଧ୍ୟ ଗ୍ୟାସ ସିଲିଣ୍ଡର ଚୋରି ହୋଇଛି। ଅଙ୍ଗନୱାଡି କର୍ମୀ ପ୍ରମିଳା ପଣ୍ଡା ଲିଖିତ ଭାବେ ଜଣାଇଛନ୍ତି. ଗତ ମାସରେ ଗଡ଼ନୃସିଂହ ପ୍ରସାଦ, ମୃଦଙ୍ଗା ପଞ୍ଚାୟତର କୁଣ୍ଡା ଅଙ୍ଗନୱାଡି କେନ୍ଦ୍ର ସହିତ ବିଭିନ୍ନ କେନ୍ଦ୍ର କୁ ଟାର୍ଗେଟ କରି ଚୋର ଚୋରି କରୁଛନ୍ତି । ରାଜ୍ୟରେ ଘରୋଇ ଗ୍ୟାସ ସଙ୍କଟ ଅଧିକ ଥିବା ବେଳେ ଦୁବୁର୍ତ୍ତ ଙ୍କ ଟାର୍ଗେଟରେ ଅଙ୍ଗନବାଡି କେନ୍ଦ୍ର ରହୁଛି. ।ଅପରପକ୍ଷେ ଗ୍ୟାସ ସିଲିଣ୍ଡର ଚୋର ହୋଇଯିବା ପରେ କୁନି କୁନି ପିଲା ମାନେ ପୋଷଣ ଯୁକ୍ତ ଖାଦ୍ୟ ଖାଇବାରେ ବହୁତ ହଇରାଣ ,ହରକତ ହେଉଛନ୍ତି।

Dhenkanal (ଢେଙ୍କାନାଳ)ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ଭୁବନ

ଜିଲ୍ଲା କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି
Jun 30, 202659 views

ଜିଲ୍ଲା କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି

ଅନୁଗୋଳ: ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୫୦ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୪୫ଟି ବ୍ୟକ୍ତିଗତ ଓ ୫ଟି ଗ୍ରାମ୍ୟଭିତ୍ତକ ଅଭିଯୋଗର ଶୁଣାଣି ହୋଇଥିଲା । ୬ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪୫ ହଜାର ଟଙ୍କା ଓ ୨ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ହଜାର ଟଙ୍କା ଚିକିତ୍ସା ସହାୟତା ରାଶି ପ୍ରଦାନ କରାଯାଇଥିଲା ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ଶିବିରକୁ ଆସିଥିବା ଲୋକମାନେ ଗ୍ରାମ୍ୟ ସମସ୍ୟା, ସ୍ବାସ୍ଥ୍ୟ, ଗ୍ରାମୀଣ ଆବାସ, ଜମିଜମା ସମ୍ୱନ୍ଧୀୟ,ବ୍ୟକ୍ତିଗତ ସମସ୍ୟା ସମେତ ବିଭିନ୍ନ ଅଭିଯୋଗ ଦାଖଲ କରିଥିଲେ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

୨୦ ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ
Jun 30, 202613 views

୨୦ ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ

ଅନୁଗୋଳ: ପ୍ରଖ୍ୟାତ ପରିସଂଖ୍ୟାନବିତ୍ ତଥା ବୈଜ୍ଞାନିକ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନୋବିସଙ୍କ ଜନ୍ମ ଜୟନ୍ତୀ ଅବସରରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ୟୁନିଟ୍ ଆନୁକୁଲ୍ୟରେ ଆଜି ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ୨୦ ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସରକାରୀ ଯୋଜନାଗୁଡିକର ସଠିକ୍ ରୂପାୟନ ଏବଂ ପ୍ରଶାସନିକ ନିଷ୍ପତ୍ତି ଗ୍ରହଣ କ୍ଷେତ୍ରରେ ସଠିକ୍ ପରିସଂଖ୍ୟାନ ଓ ଡାଟାର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବି.ଜେ.ବି ସ୍ବୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ପରିସଂଖ୍ୟାନ ଅଧ୍ୟାପକ ଡ. ନିରଞନ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପ୍ରଶାସନିକ ମୂଲ୍ୟବୋଧରେ ଡାଟା, ସର୍ଭେ ଏବଂ ପରିସଂଖ୍ୟାନର ଊପଯୋଗିତା ବିଷୟରେ ଅବଗତ କରାଇଥିଲେ । ଏହି ଆଲୋଚନା ସଭାରେ ପରିସଂଖ୍ୟାନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗଣେଇ ମୁର୍ମୁ, ସହାୟକ ନିର୍ଦ୍ଦେଶକ ଶ୍ରୀ ବିକାଶ ନାୟକ, ପରିସଂଖ୍ୟାନ ଅଧିକାରୀ ଶ୍ରୀ ମନୋରଞନ ନନ୍ଦ, ଶ୍ରୀ ବିନୟ ଅଧିକାରୀଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ବ୍ଲକ୍ ପରିସଂଖ୍ୟାନ ଅଧିକାରୀ, ପରିସଂଖ୍ୟାନ ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ଯୋଜନା ବିଭାଗର ଅଧିକାରୀ ପ୍ରମୁଖ ଊପସ୍ଥିତ ଥିଲେ ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା