--:--:--
-- ---
Srishti News

Web News

ଭାରତୀୟ ପରିସଂଖ୍ୟାନର ଜନକ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲାନୋବିସ୍ ଙ୍କ ଜନ୍ମ ଦିବସରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ
Jun 30, 202641 views

ଭାରତୀୟ ପରିସଂଖ୍ୟାନର ଜନକ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲାନୋବିସ୍ ଙ୍କ ଜନ୍ମ ଦିବସରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ

କଳାହାଣ୍ଡି ୨୯ ଜୁନ,୨୦୨୬: କଳାହାଣ୍ଡି ଜିଲ୍ଲା ଯୋଜନା ଏବଂ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ( ଯୋଜନା ବିଭାଗ ) ସମ୍ମିଳନୀ ସଭାଗୃହରେ ଜିଲ୍ଲା ସ୍ତରୀୟ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଉପନିର୍ଦ୍ଦେଶକ (ଯୋଜନା ଓ ପରିସଂଖ୍ୟାନ), ଡି.ପି.ଏମ.ୟୁ, କଳାହାଣ୍ଡି ଶ୍ରୀ ଶ୍ରୀକାନ୍ତ ଦଳେଇଙ୍କ ତତ୍ତ୍ୱାବଧାନରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଟି ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବୈତୁର ଦୀପ୍ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗର ସହକାରୀ ପ୍ରଫେସର ଡ଼. ଚିତ୍ରସେନ ଭୁଏ ଯୋଗଦେଇ ପ୍ରଶାନ୍ତ ଚନ୍ଦ୍ର ମହାଲାନୋବିସ୍ ଙ୍କ ଭାରତୀୟ ପରିସଂଖ୍ୟାନ କୁ ସୁଦୃଢ କରିବାରେ ବିଶେଷ ଅବଦାନ ଏବଂ ଚଳିତ ବର୍ଷର ବିଷୟବସ୍ତୁ ପ୍ରଶାସନିକ ତଥ୍ୟର ସମ୍ଭାବନାକୁ ଉନ୍ମୋଚନ କରିବା ନିମନ୍ତେ ଯୋଜନା ପ୍ରସ୍ତୁତି, ସରକାରୀ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟନ ଏବଂ ଉତ୍ତମ ଜନସେବା ପ୍ରଦାନରେ ପ୍ରଶାସନିକ ତଥ୍ୟ ର ଭୁମିକା ବାବଦରେ ଅବଗତ କରାଇଥିଲେ । ସେହିପରି ଅନ୍ୟତମ ବକ୍ତା ରୂପେ ଭବାନୀପାଟଣା ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼.ତ୍ରିଲୋଚନ ଜେନା, ଏନର୍ଜି ଷ୍ଟାଟିଷ୍ଟିକ୍ସ, ଥୁଆମୂଳ ରାମପୁର ସ୍ଥିତ ମା ମାଣିକେଶ୍ୱରୀ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ସତ୍ୟ ନାରାୟଣ ମୁଣ୍ଡଚିଣା, ସ୍ଥାୟୀ ବିକାଶ ଲକ୍ଷ୍ୟ (SDGs)ର ପ୍ରଗତି ଆକଳନ ଓ ନିରୀକ୍ଷଣରେ ପ୍ରଶାସନିକ ତଥ୍ୟର ଗୁରୁତ୍ୱ, ଅବସରପ୍ରାପ୍ତ ପ୍ରଫେସର ଶ୍ରୀ ସୀମାଞ୍ଚଳ ମିଶ୍ର, ଜଳବାୟୁ ପରିବର୍ତ୍ତନ ଷ୍ଟାଟିଷ୍ଟିକ୍ସ ବାବଦରେ ଅଂଶଗ୍ରହଣକାରିଙ୍କୁ ଅବଗତ କରାଇଥିଲେ । ଗତ ୨୫.୦୬.୨୦୨୬ ରେ ଜିଲ୍ଲା ଯୋଜନା ଏବଂ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ( ପରିସଂଖ୍ୟାନ ବିଭାଗ ) ଦ୍ୱାରା ଅନୁଷ୍ଠିତ ବିତର୍କ ଏବଂ କୁଇଜ୍ ପ୍ରତିଯୋଗିତାର ବିଜେତାମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ସେହିପରି ଡି.ପି.ଏମ୍.ୟୁ ର ଶ୍ରେଷ୍ଠ ୩ଜଣ କାର୍ଯ୍ୟଦକ୍ଷ କ୍ଷେତ୍ର କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ବିଭିନ୍ନ ବିଭାଗର ଅଧିକାରୀ ଏବଂ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ , ଡି.ପି.ଏମ.ୟୁ ର ସହକାରୀ ନିର୍ଦ୍ଦେଶକ (ପରିସଂଖ୍ୟାନ) ଏଵଂ ସହକାରୀ ନିର୍ଦ୍ଦେଶକ (ଯୋଜନା) , ପରିସଂଖ୍ୟାନ ଅଧିକାରୀ, ଅତିରିକ୍ତ ପରିସଂଖ୍ୟାନ ଅଧିକାରୀ, ବରିଷ୍ଠ ଅର୍ଥନୈତିକ ଅନୁସନ୍ଧାନକାରୀ, ବିଶେଷଜ୍ଞ ଏବଂ ପରିସଂଖ୍ୟାନ ଵିଭାଗ ର କ୍ଷେତ୍ର କର୍ମଚାରୀମାନେ ଯୋଗଦେଇଥିଲେ। ଶେଷରେ ଶ୍ରୀ ଶ୍ରୀକାନ୍ତ ଦଳେଇ, ଉପନିର୍ଦ୍ଦେଶକ(ଯୋଜନା ଓ ପରିସଂଖ୍ୟାନ), ଡି.ପି.ଏମ.ୟୁ, କଳାହାଣ୍ଡି ଙ୍କ ଦ୍ଵାରା ଧନ୍ୟବାଦ ଜ୍ଞାପନ କରାଯାଇଥିଲା।

Kalahandi (କଳାହାଣ୍ଡି)ରିପୋର୍ଟ :ରିତେଶ କୁମାର ମୁଣ୍ଡ, ଭବାନୀପାଟଣା

ଆଜୀବନ ସଜ୍ଜା କାଟୁଥିବା ଫେରାର କଏଦୀ ୯ ବର୍ଷ ପରେ ଗିରଫ
Jun 30, 202690 views

ଆଜୀବନ ସଜ୍ଜା କାଟୁଥିବା ଫେରାର କଏଦୀ ୯ ବର୍ଷ ପରେ ଗିରଫ

ଜଗତପୁର:ଜଗତପୁର ଥାନା ପୋଲିସ ଜଣେ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଶ୍ରମ କାରାଦଣ୍ଡ ଭୋଗୁଥିବା ବେଳେ ଛୁଟିରେ ଆସି ଫେରାର ହୋଇଥିବା ଜଣେ ଆସାମୀକୁ ଦୀର୍ଘ ୯ ବର୍ଷ ପରେ ପଞ୍ଜାଵର ଅମୃତସରରୁ ଗିରଫ କରିବାରେ ସଫଳ ହୋଇଛି l ଗିରଫ ଆସାମୀ ସାଜିତ ଖାନ l ପୁଲିସ ସୂଚନା ମୁତାବକ ୨୦୦୮ ମସିହା ଏପ୍ରିଲ ମାସ ୨୮ ତାରିଖରେ ସ୍ଥାନୀୟ ଭୈରପୁରର ସାଜିତ ଖାନ ଓ ତା' ସାଙ୍ଗ ମୁଜାଫର ଓରଫ ଫାକା, ସେକ ସାନୱାର ଓରଫ ଟୁକୁ ଓ ସେକ ନୁରହାସନ ଓରଫ ରାଜା ମିଳିତ ଭାବେ ସେହି ଗ୍ରାମର ଜଣେ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିଲେ l ଏହି ଘଟଣାର ଏକ ମାତ୍ର ସାକ୍ଷୀ ମୃତ ମହିଳାଙ୍କ ବଡ଼ ଭଉଣୀ ଉର୍ମିଳା ସାହୁ ଓରଫ ଝିଲିଙ୍କ ସାକ୍ଷ ଓ ପ୍ରମାଣ ଆଧାରରେ କଟକ ଫାଷ୍ଟ ଟ୍ରାକ କୋର୍ଟ ୨୦୧୦ ମସିହାରେ ମୁଖ୍ୟ ହତ୍ୟାକାରୀ ସାଜିତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡ ସହ ଏକ ହଜାର ଟଙ୍କା ଜରିମାନା ଆଦେଶ ଦେଇଥିଲେ l ତଦନୁଯାୟୀ ସେ ଚୌଦ୍ୱାର ଜେଲରେ କଏଦୀ ନଂ ୧୦୦୧/ଏ ଭାବେ ସଜ୍ଜା କାଟୁଥିଲା l ସାଜିତ ୨୦୧୭ ମସିହା ମାର୍ଚ୍ଚ ୭ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଛୁଟିରେ ଆସିଥିଲା | ଛୁଟି ସରିବା ପରେ ୨୧ ତାରିଖରେ ଆତ୍ମସମର୍ପଣ କରିବା କଥା l ମାତ୍ର ଆତ୍ମସମର୍ପଣ କରିବା ବଦଳରେ ସେ ଫେରାର ହୋଇ ଯାଇଥିଲା l ଏ ନେଇ ଚୌଦ୍ୱାର ଜେଲର ବରିଷ୍ଠ ଅଧିକ୍ଷକ ଜଗତପୁର ଥାନାରେ ଅଭିଯୋଗ କଲାପରେ ଏକ ମାମଲା ରୁଜୁ କରାଯାଇ ଏଏସଆଇ ତପନ କୁମାର ସ୍ବାଇଁଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା l ତଦନ୍ତ ସମୟରେ ତା'ର ସାଙ୍ଗ ସାଥି ଓ ସମ୍ପର୍କୀୟଙ୍କ ଟେଲିଫୋନ କଲରୁ ସନ୍ଦିଗ୍ଧ ଟେଲିଫୋନ ନମ୍ବରକୁ ଠାବ କରାଯାଇଥିଲା l ଏଥିପାଇଁ ଏସିପି ଅରୁଣ କୁମାର ସ୍ୱାଇଁ ଓ ଥାନାଧିକାରୀ ପ୍ରଶାନ୍ତ କୁମାର ସାସମଲଙ୍କ ନେତୃତ୍ୱରେ ଏକ ଟିମ ଗଠିତ ହୋଇଥିଲା l ଗତ ୨୩ ତାରିଖରେ ଏଏସଆଇ ତପନ କୁମାର ସ୍ୱାଇଁ ପଞ୍ଜାଵର ଅମୃତସର ଗସ୍ତ କରି ସେଠାକାର ପୋଲିସ ଓ ଓଡ଼ିଆ ଲୋକ ମାନଙ୍କ ସହାୟତାରେ ଆସାମୀ ସାଜିତକୁ ଠାବ କରିଥିଲେ l ସେ ସେଠାରେ ତା' ନାମ ବଦଳାଇ ଜାଲ ଦସ୍ତାବିଜ ପ୍ରସ୍ତୁତ କରି ଫୟାଜ ଖାନ ନାମରେ ଅମୃତସରର ସୁଦର୍ଶନ ନଗରରେ ରହି ବେଡ଼ ସିଟ ହକର ଭାବେ କାର୍ଯ୍ୟ କରୁଥିଲା l ସେଠାରେ ସେ ବିବାହ ମଧ୍ୟ କରି ପରିବାର ସହ ରହୁଥିଲା l ମଝିରେ ମଝିରେ ତାଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରୁଥିଲା l ତାକୁ ଗତ ୨୭ ତାରିଖରେ ଗିରଫ କରାଯାଇ ଅମୃତସର କୋର୍ଟରେ ହାଜର କରାଯାଇ ୪ ଦିନିଆ ରିମାଣ୍ଡରେ ଅଣାଯାଇଛି l ଆଜି ତାକୁ କୋର୍ଟ ଚାଲାଣ କରାଯାଇ ଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାସମଲ ସୂଚନା ଦେଇଛନ୍ତି ।

Cuttack (କଟକ)ରିପୋର୍ଟ:ସୁରେନ୍ଦ୍ର ଜେନା, କଟକ

ଝରାଫୁଲ ହତ୍ୟାକାଣ୍ଡରେ ରାୟ, ମୁଖ୍ୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ; ସହଯୋଗୀକୁ ୫ ବର୍ଷ ଜେଲ୍
Jun 30, 202632 views

ଝରାଫୁଲ ହତ୍ୟାକାଣ୍ଡରେ ରାୟ, ମୁଖ୍ୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ; ସହଯୋଗୀକୁ ୫ ବର୍ଷ ଜେଲ୍

ଭଞ୍ଜନଗର: ପ୍ରାୟ ପାଞ୍ଚ ବର୍ଷ ଧରି ସାରା ଓଡ଼ିଶାକୁ ଆନ୍ଦୋଳିତ କରିଥିବା ବହୁଚର୍ଚ୍ଚିତ ଝରାଫୁଲ ନାୟକ ହତ୍ୟାକାଣ୍ଡ ମାମଲାରେ ସୋମବାର ଆସିଛି ବହୁ ପ୍ରତୀକ୍ଷିତ ରାୟ। ଯାଜପୁର ଅତିରିକ୍ତ ଜିଲ୍ଲା ଜଜ୍ ମାମଲାର ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ, ପ୍ରମାଣ ନଷ୍ଟ କରିବା ଷଡ଼ଯନ୍ତ୍ରରେ ସହଯୋଗ କରିଥିବା ଅମରେଶ ରାଉତକୁ ୫ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି। ୨୦୨୧ ମସିହାରେ ଘଟିଥିବା ଏହି ହତ୍ୟାକାଣ୍ଡ ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଦେଇଥିଲା। ମୟୂରଭଞ୍ଜ ଜିଲ୍ଲାର ଝରାଫୁଲ ନାୟକ ସେତେବେଳେ ରମାଦେବୀ ବିଶ୍ୱବିଦ୍ୟାଳୟର ଯୁକ୍ତ-୩ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ଜାନୁଆରୀ ୨୭ରେ ଭୁବନେଶ୍ୱରରୁ ଘରକୁ ଯିବା ପାଇଁ ବସରେ ବାହାରିଥିବା ଝରାଫୁଲ ଆଉ ଘରେ ପହଞ୍ଚିପାରି ନଥିଲେ। ପରଦିନ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରୁ ତାଙ୍କ ମୃତଦେହ ଉଦ୍ଧାର ହେବା ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ତଦନ୍ତରେ ଜଣାପଡ଼ିଥିଲା ଯେ, ରାକେଶ ସ୍ୱାଁଇ ଝରାଫୁଲଙ୍କ ପୁରୁଷ ବନ୍ଧୁ ଥିଲା। ଭୁବନେଶ୍ୱରରେ ତାଙ୍କୁ ହତ୍ୟା କରିବା ପରେ ସହଯୋଗୀ ଅମରେଶଙ୍କ ସହ ମିଶି ସ୍କୁଟରରେ ମୃତଦେହକୁ ଯାଜପୁର ନେଇ ଫିଙ୍ଗି ଦେଇଥିଲେ। ଘଟଣାକୁ ଲୁଚାଇବା ଓ ପୋଲିସକୁ ଭ୍ରମିତ କରିବା ପାଇଁ ବଡ଼ ଷଡ଼ଯନ୍ତ୍ର ମଧ୍ୟ ରଚାଯାଇଥିଲା। ସିସିଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ବୈଜ୍ଞାନିକ ପ୍ରମାଣ ଆଧାରରେ ପୋଲିସ ଘଟଣାର ପର୍ଦ୍ଦାଫାଶ କରିଥିଲା। ଦୀର୍ଘ ଆଇନଗତ ପ୍ରକ୍ରିୟା ପରେ ଆସିଥିବା ଏହି ରାୟକୁ ଝରାଫୁଲଙ୍କ ପରିବାର ପାଇଁ ନ୍ୟାୟର ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଏହି ରାୟ ପୁଣିଥରେ ସ୍ପଷ୍ଟ କରିଛି ଯେ, ଅପରାଧ ଯେତେ ଚତୁରତାର ସହ କରା ଯାଉ ନା କାହିଁକି, ଶେଷରେ ଆଇନର ହାତରୁ କେହି ବର୍ତ୍ତିପାରିବେ ନାହିଁ।

Ganjam (ଗଞ୍ଜାମ)ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଭଞ୍ଜନଗର

ଭୁବନ ମହିଳା ମହାବିଦ୍ୟାଳୟର କର୍ମଚାରୀ ଲକ୍ଷ୍ମଣ ସାହୁ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
Jun 30, 202666 views

ଭୁବନ ମହିଳା ମହାବିଦ୍ୟାଳୟର କର୍ମଚାରୀ ଲକ୍ଷ୍ମଣ ସାହୁ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଭୁବନ ୩୦.୬ - ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଲକ୍ଷ୍ମଣ ସାହୁ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। +୩ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଧନା ସଭାରେ ପୂର୍ବତ୍ତନ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପୋଥାଳ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ ସୂପ୍ତିମୟୀ ସେନ, ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତରାୟ ,ପୂର୍ବତନ ଅଧ୍ୟାପକ ଶାନ୍ତନୁ କୁମାର ଦାଶ, ଅଧ୍ୟାପିକା ଡକ୍ଟର ମମତା ପାତ୍ର, ଡକ୍ଟର ପ୍ରମିଳା ଦାସ , ଡକ୍ଟର ନମିତା ଦାଶ, ପ୍ରଣତୀ ବେହେରା, ଅଧ୍ୟାପକ ସୁଧାଂଶୁ ଶେଖର ଓଝା,କର୍ମଚାରୀ ଅମ୍ବୁଜ କୁମାର ସାହୁ , କୈଳାସ ଚନ୍ଦ୍ର ପାତ୍ର,ବାସନ୍ତୀ ବେହେରା, ଗୟାଧର ଦାସ, ନମିତା ଦ୍ବିବେଦୀ ,ପୂର୍ବତନ କର୍ମଚାରୀ ବିଜୟ କୁମାର ପୃଷ୍ଟି,ମହେଶ୍ୱର ବୈଶାକ ପ୍ରମୁଖ ବିଦାୟୀ ସମ୍ବର୍ଦ୍ଧନା ସଭାରେ ବକ୍ତବ୍ୟ ପ୍ରଦାନ କରି ଲକ୍ଷ୍ମଣ ସାହୁ ଙ୍କ କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରିବା ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ବିଦାୟୀ କର୍ମଚାରୀ ଶ୍ରୀଯୁକ୍ତ ସାହୁ ଭାବ ବିହ୍ୱଳ ହୋଇ ମହାବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଦିବଂଗତ ନେତା ସ୍ବର୍ଗତ ପ୍ରସନ୍ନ ପଟ୍ଟନାୟକ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କଲେଜ ତରଫରୁ ଶ୍ରୀଯୁକ୍ତ ସାହୁ ଙ୍କୁ ପୁଷ୍ପଗୁଚ୍ଛ,ମାନପତ୍ର, ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଉପହାର ପ୍ରଦାନ କରାଯାଇଥିଲା।

Dhenkanal (ଢେଙ୍କାନାଳ)ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ଭୁବନ

ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ବିଜେପିର ଦୁଇ ନେତା ନିଲମ୍ବିତ
Jun 30, 2026128 views

ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ବିଜେପିର ଦୁଇ ନେତା ନିଲମ୍ବିତ

ଅନୁଗୋଳ: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶ ଏବଂ ରାଜ୍ୟ ଶୃଙ୍ଖଳା କମିଟିର ନିଷ୍ପତ୍ତି କ୍ରମେ ଦଳ ବିରୋଧୀ କାର୍ଯ୍ୟକଳାପ ଓ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ଅନୁଗୋଳ ଜିଲ୍ଲା ବିଜେପିର ଦୁଇଜଣ ନେତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ସୂଚନା ଅନୁସାରେ, ଛେଣ୍ଡିପଦା ବିଧାନସଭାର ବିଧାୟକ ଶ୍ରୀ ଅଗସ୍ତି ବେହେରାଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ କରିବା ସହ ଦଳର ଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗରେ ଜିଲ୍ଲା ବିଜେପିର ପୂର୍ବତନ ଜିଲ୍ଲା ଉପସଭାପତି ଶ୍ରୀ ଅମିୟ ତ୍ରିପାଠୀ ଓ ଶ୍ରୀ ବିଷ୍ଣୁ ଚରଣ ବେହେରାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦଳୀୟ ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଉଭୟ ନେତାଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରାଯାଇଥିବା ବିଜେପି ପକ୍ଷରୁ ସୂଚନା ମିଳିଛି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଅନୁଗୋଳରେ ସର୍ଭାଇଭର ନେଟୱାର୍କ କାର୍ଯ୍ୟକ୍ରମ ଆୟୋଜିତ
Jun 30, 202698 views

ଅନୁଗୋଳରେ ସର୍ଭାଇଭର ନେଟୱାର୍କ କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୋଳ: ବିଶ୍ୱ ଯୁବ କେନ୍ଦ୍ର ପରିଚାଳିତ ଆକ୍ସେସ ଟୁ ଜଷ୍ଟିସ ପ୍ରକଳ୍ପ ଅଧୀନରେ ମଙ୍ଗଳବାର ଅନୁଗୋଳ ମିଶନ ଶକ୍ତି ଭବନରେ ବାଲ୍ୟ ବିବାହ, ଶିଶୁ ଯୌନ ନିର୍ଯାତନା ଓ ଅପହରଣ ପୀଡ଼ିତା ଏବଂ ସେମାନଙ୍କ ଅଭିଭାବକଙ୍କୁ ନେଇ ସର୍ଭାଇଭର ନେଟୱାର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା, ଶିଶୁ ସୁରକ୍ଷା ଓ ପ୍ରୋଗ୍ରାମ ଅଧିକାରୀ ରୁନୁ ପ୍ରଧାନ, ମିଶନ ଶକ୍ତି ହବ୍‌ର ଜିଲ୍ଲା ସଂଯୋଜକ ବିଦ୍ୟାଧର ପ୍ରଧାନ, ବିଶ୍ୱ ଯୁବ କେନ୍ଦ୍ରର ସଭାପତି ବସନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ଅତିଥି ଯୋଗଦେଇ ଶିଶୁ ଅଧିକାର, ବୃତ୍ତିଗତ ତାଲିମ, ଗ୍ରୀନ ପାସେଜ ଯୋଜନା, ଋତୁସ୍ରାବ ସ୍ୱଚ୍ଛତା, କିଶୋର ସ୍ୱାସ୍ଥ୍ୟ, ପ୍ରଜନନ ସ୍ୱାସ୍ଥ୍ୟ, ବାଲ୍ୟ ବିବାହର କୁପ୍ରଭାବ, STIs ଓ HIV/AIDS ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ। ଏହାସହ ପୀଡ଼ିତା ଓ ସେମାନଙ୍କ ଅଭିଭାବକଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରାଯାଇ ଆଇନଗତ ସହାୟତା ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା। ଶେଷରେ ସମସ୍ତ ପୀଡ଼ିତାଙ୍କୁ ଉପହାର କିଟ୍ ପ୍ରଦାନ କରାଯାଇଥିବା ବେଳେ ପ୍ରକଳ୍ପ ସଂଯୋଜିକା ପୂଜା ସ୍ୱାଇଁ ଓ ତାଙ୍କ ଟିମ୍ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ନବମ ଶ୍ରେଣୀ ଛାତ୍ରୀକୁ ପେଟ୍ରୋଲ ଢାଳି ମାରିବାକୁ ଉଦ୍ୟମ
Jun 30, 202667 views

ନବମ ଶ୍ରେଣୀ ଛାତ୍ରୀକୁ ପେଟ୍ରୋଲ ଢାଳି ମାରିବାକୁ ଉଦ୍ୟମ

ଭଦ୍ରକ: ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ଥାନା ଅଞ୍ଚଳର ଫତେପୁର ପଞ୍ଚାୟତରେ ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ଜୀବନ୍ତ ପୋଡ଼ି ମାରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପରିବାରର ଅଭିଯୋଗ ଅନୁସାରେ, ଧର୍ମାଗତପୁର ଗ୍ରାମର ୩୨ ବର୍ଷୀୟ ଦିଲ୍ଲିପ ଜେନା ଦୀର୍ଘଦିନ ଧରି ଛାତ୍ରୀଙ୍କୁ ପ୍ରେମ ପ୍ରସ୍ତାବ ଦେଉଥିଲେ। ଛାତ୍ରୀ ପ୍ରତ୍ୟାଖ୍ୟାନ କରିବା ପରେ ସେ ସ୍କୁଲକୁ ଯାଉଥିବା ବେଳେ ଅଟକାଇ ଏହି କାଣ୍ଡ ଘଟାଇବାକୁ ଉଦ୍ୟମ କରିଥିବା ଅଭିଯୋଗ ରହିଛି। ଛାତ୍ରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଅଭିଯୁକ୍ତଙ୍କୁ କାବୁ କରି ପୁଲିସଙ୍କ ଜିମା ଦେଇଥିଲେ, ଯାହା ଫଳରେ ଏକ ବଡ଼ ଅଘଟଣ ଟଳିଯାଇଥିବା କୁହାଯାଉଛି। ପୀଡ଼ିତାଙ୍କ ପରିବାର ଧୁଷୁରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଏବଂ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ସୂତ୍ର ଅନୁସାରେ, ଅଭିଯୁକ୍ତଙ୍କର ପୂର୍ବରୁ ଦୁଇଟି ବିବାହ ହୋଇଥିବା କଥା ମଧ୍ୟ ସାମ୍ନାକୁ ଆସିଛି।

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁ, ଧାମନଗର

ବାଲେଶ୍ଵରରେ ବଜ୍ରପାତରେ ୨ମୃତ
Jun 30, 202650 views

ବାଲେଶ୍ଵରରେ ବଜ୍ରପାତରେ ୨ମୃତ

ସୋମବାର ଅପରାହ୍ନରେ ବାଲେଶ୍ୱର ଜିଲ୍ଲାର ଦୁଇଟି ସ୍ଥାନରେ ବଜ୍ରପାତ ଘଟି ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ, ଟାଉନ ଥାନା ଅଧୀନ ତୁନଡାଟି ଅଞ୍ଚଳର କନକ ପଲେଇ (୫୫) ଓ ସଦର ଥାନା ଅଧୀନ ମିର୍ଜାପୁର ଅଞ୍ଚଳର ମଧୁସୂଦନ ମହାନ୍ତି (୭୮) । ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଜୋରରେ ବର୍ଷା ପବନ ଆସିବା ସହ ବଜ୍ରପାତ ହୋଇଥିଲା । ଶ୍ରୀମତୀ ପଲେଇ ଛାତ ଉପରକୁ ଲୁଗା ତୋଳିବାକୁ ଯାଇଥିଲେ । ସେହି ସମୟରେ ବିଜୁଳି ମାରିଥିଲା । ଫଳରେ ସେ ଅଚେତ ହୋଇ ତଳେ ପଡିଯାଇଥିଲେ । ତାଙ୍କୁ ପରିବାର ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତ କନକଙ୍କ ମଝିଆ ପୁଅ ମୃତ୍ୟୁ ହେବାର ୭ ଦିନ ପରେ ମା’ଙ୍କ ଜୀବନ ଯିବା ଅଞ୍ଚଳରେ ଗଭୀର ଶୋକ ପ୍ରକାଶ କରିଛି । ସେହିପରି ସଦର ଥାନା ଅଧୀନ ମିର୍ଜାପୁର ଅଞ୍ଚଳର ଶ୍ରୀ ମହାନ୍ତି ମଧ୍ୟ ବଜ୍ରପାତରେ ପ୍ରାଣ ହରାଇଛନ୍ତି । ସେ ବିଲକୁ ଚାଷ କାମ ଦେଖିବାକୁ ଯାଇଥିବାବେଳେ ବର୍ଷା ଆରମ୍ଭ ହୋଇଥିଲା । ମଧୁସୂଦନ ବଜ୍ରପାତରେ ପ୍ରାଣ ହରାଇଥିବା ମେଡିକାଲ ଫାଣ୍ଡି ପୋଲିସ କହିଛି । ତାଙ୍କୁ ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ସଦର ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହେବା ସହିତ, ମୃତ ଦୁଇ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ହେବ ବୋଲି ପୋଲିସ କହିଛି । ଅନ୍ୟପଟେ ବଜ୍ରପାତ ସମୟରେ ସହରର ବିସି ସେନ ରୋଡ ଅଞ୍ଚଳରେ ରହୁଥିବା ଲୋକଙ୍କ ଘରେ ଇନଭର୍ଟର, ଫ୍ରିଜ୍, ପଙ୍ଖା ଭଳି ବିଭିନ୍ନ ବୈଦ୍ୟୁତିକ ସାମଗ୍ରୀ ପୋଡିଯାଇଛି । ଏହା ସହିତ କିଛି ନଡ଼ିଆ ଗଛ ମଧ୍ୟ ଜଳିଯାଇଛି । ୨ଟି ନଡ଼ିଆ ଗଛରେ ବହୁ ସମୟ ଧରି ନିଆଁ ନ ଲିଭିବାରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

Balasore (ବାଲେଶ୍ୱର)ରିପୋର୍ଟ: ପ୍ରଭାତ କୁମାର ବାରିକ, ବାଲେଶ୍ଵର

ବିନେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପୋଷାକ ବିତରଣ କାର୍ଯ୍ୟକ୍ରମ
Jun 30, 2026277 views

ବିନେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପୋଷାକ ବିତରଣ କାର୍ଯ୍ୟକ୍ରମ

ଟିଟିଲାଗଡ଼ :- ୩୦/୬/୨୬ ଟିଟିଲାଗଡ଼ବ୍ଲକ ବିନେକେଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୨୦୨୬-୨୭ ବର୍ଷର ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୂର୍ବତନ ସଭାପତି ତଥା ସମାଜସେଵୀ କୃଷ୍ଣଚନ୍ଦ୍ର ମାଝୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ରହି ପୋଷାକ ବିତରଣ କରିଥିଲେ l ଏହି କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନନ୍ଦ ପରିଚାଳନା କରିଥିବାବେଳେ କମିଟି ସଦସ୍ୟ ମତିଲାଲ ମାଝୀ, ଅକ୍ଷୟ ଗହୀର, ତୁମେଶ୍ୱର ଆଡ଼ଯୁଆଡେ, କିଶୋର ମାଝୀ, ଶିକ୍ଷକ ସୁଦାମ ଚରଣ ମାଝୀ, ମହିଳାଲ କୁମ୍ଭାର, ଶିକ୍ଷୟିତ୍ରୀ ସୁମନ ଭାରତୀ, ସଂଗୀତା ଓରାମ, ପ୍ରିୟଙ୍କା ନାଗ, ଶିକ୍ଷକ ଅନଙ୍ଗ କୁମାର ବିଶି, ପିଇଆଇ ଚୈତନ୍ୟ ଠେଲା, ଏଇଆଇ ନିର୍ମଳ ପାତ୍ର ସମୂହ ଉପସ୍ଥିତ ଥିଲେ l

Balangir (ବଲାଙ୍ଗୀର)ଟିଟିଲାଗଡ଼ ରୁ କୃଷ୍ଣଚନ୍ଦ୍ର ମାଝୀ ଙ୍କ ରିପୋର୍ଟ

ଖୋରଧା ଜିଲ୍ଲାସ୍ତରୀୟ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ
Jun 30, 202656 views

ଖୋରଧା ଜିଲ୍ଲାସ୍ତରୀୟ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ

ଖୋରଧା: ଖୋରଧା ଜିଲ୍ଲାସ୍ତରରେ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ଉତ୍ସାହ ଓ ଗାମ୍ଭୀର୍ଯ୍ୟର ସହ ପାଳିତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିସଂଖ୍ୟାନର ଗୁରୁତ୍ୱ, ସଠିକ୍ ତଥ୍ୟ ସଂଗ୍ରହ ଏବଂ ନୀତି ଓ ଯୋଜନା ପ୍ରସ୍ତୁତିରେ ଏହାର ଭୂମିକା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ଅଧିକାରୀ, କର୍ମଚାରୀ ଓ ଆମନ୍ତ୍ରିତ ଅତିଥିମାନେ ଯୋଗଦେଇ ଦେଶର ସାମାଜିକ ଓ ଆର୍ଥିକ ବିକାଶରେ ପରିସଂଖ୍ୟାନର ଅପରିହାର୍ଯ୍ୟ ଅବଦାନ ଉପରେ ମତ ପ୍ରକାଶ କରିଥିଲେ। ସଠିକ୍ ତଥ୍ୟ ହିଁ ସଠିକ୍ ଯୋଜନା ଓ ବିକାଶର ମୂଳ ଆଧାର ବୋଲି ବକ୍ତାମାନେ କହିଥିଲେ। ଏହି ଅବସରରେ ପରିସଂଖ୍ୟାନ କ୍ଷେତ୍ରରେ ସଚେତନତା ବୃଦ୍ଧି ସହ ତଥ୍ୟର ଗୁଣବତ୍ତା ଓ ବିଶ୍ୱସନୀୟତା ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା।

Khordha (ଖୋର୍ଦ୍ଧା)ରିପୋର୍ଟ: ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

୨୦ ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ
Jun 30, 202673 views

୨୦ ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ

ଅନୁଗୋଳ: ପ୍ରଖ୍ୟାତ ପରିସଂଖ୍ୟାନବିତ୍ ତଥା ବୈଜ୍ଞାନିକ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନୋବିସଙ୍କ ଜନ୍ମ ଜୟନ୍ତୀ ଅବସରରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ୟୁନିଟ୍ ଆନୁକୁଲ୍ୟରେ ଆଜି ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ୨୦ ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସରକାରୀ ଯୋଜନାଗୁଡିକର ସଠିକ୍ ରୂପାୟନ ଏବଂ ପ୍ରଶାସନିକ ନିଷ୍ପତ୍ତି ଗ୍ରହଣ କ୍ଷେତ୍ରରେ ସଠିକ୍ ପରିସଂଖ୍ୟାନ ଓ ଡାଟାର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବି.ଜେ.ବି ସ୍ବୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ପରିସଂଖ୍ୟାନ ଅଧ୍ୟାପକ ଡ. ନିରଞନ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପ୍ରଶାସନିକ ମୂଲ୍ୟବୋଧରେ ଡାଟା, ସର୍ଭେ ଏବଂ ପରିସଂଖ୍ୟାନର ଊପଯୋଗିତା ବିଷୟରେ ଅବଗତ କରାଇଥିଲେ । ଏହି ଆଲୋଚନା ସଭାରେ ପରିସଂଖ୍ୟାନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗଣେଇ ମୁର୍ମୁ, ସହାୟକ ନିର୍ଦ୍ଦେଶକ ଶ୍ରୀ ବିକାଶ ନାୟକ, ପରିସଂଖ୍ୟାନ ଅଧିକାରୀ ଶ୍ରୀ ମନୋରଞନ ନନ୍ଦ, ଶ୍ରୀ ବିନୟ ଅଧିକାରୀଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ବ୍ଲକ୍ ପରିସଂଖ୍ୟାନ ଅଧିକାରୀ, ପରିସଂଖ୍ୟାନ ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ଯୋଜନା ବିଭାଗର ଅଧିକାରୀ ପ୍ରମୁଖ ଊପସ୍ଥିତ ଥିଲେ ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ
Jun 30, 202688 views

ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ରଣପୁର:୩୦/୬ () : ନୟାଗଡ ଜିଲ୍ଲା ରଣପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସୁର୍କାବାଡ଼ି ସ୍ଥିତ ସରକାରୀ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ନନ୍ଦ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ମଙ୍ଗଳବାର ଦିନ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ବିଦ୍ୟାଳୟ ର ପଞ୍ଚସଖା ଶିକ୍ଷା କ୍ଷେତ୍ର ର ସଭାପତି କୃଷ୍ଣ ଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ l ଶିକ୍ଷକ ପ୍ରଭାତ କୁମାର ପଣ୍ଡା ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ସ୍ଥାନୀୟ ସରପଞ୍ଚ ସୁନିତା ମହାପାତ୍ର ଯୋଗଦାନ କରି ଶ୍ରୀ ନନ୍ଦଙ୍କର ସୁଗୁଣାବଳୀ ବର୍ଣ୍ଣନା କରିଥିଲେ।ବିଶିଷ୍ଟ ଅତିଥି ଲକ୍ଷ୍ମୀଧର ସାମନ୍ତରାୟ , ସୁରେଶ ଚନ୍ଦ୍ର ସାମନ୍ତରାୟ ଯୋଗଦେଇଥିଲେ l କିଶୋର ଚନ୍ଦ୍ର ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ସଂମ୍ମାନିତ ଅତିଥି ପରିଚାଳନା ପରିଷଦ ର ସଭାପତି ସୁଲୋଚନା ପ୍ରଧାନ, ଉପସଭାପତି କିଶୋର ବେହେରା , ପ୍ରଫୁଲ କୁମାର ସାହୁ,ଲିପ୍ସା ନନ୍ଦ,ନମିତା ନନ୍ଦ ବିଦାୟୀ ପ୍ରଧାନ ଶିକ୍ଷକ ବସନ୍ତ କୁମାର ନନ୍ଦ ଯୋଗଦେଇଥିଲେ l ଏହି ଅବସରରେ ଶ୍ରୀଯୁକ୍ତ ନନ୍ଦ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ କର୍ତ୍ତବ୍ୟ ପରାୟଣତା ଓ ଗ୍ରାମବାସୀ ଙ୍କ ପ୍ରଶଂସା କରିବା ସହ ନିଜର ଛାତ୍ର ଛାତ୍ରୀ ମାନଙ୍କୁ ସମାଜର ଜଣେ ଜଣେ ଆଦର୍ଶ ବ୍ୟକି ହେବାକୁ ଆହ୍ୱାନ ଦେଇଥିଲେ l ସେ ଜଣେ ଉତ୍ତମ ଶିକ୍ଷକ, କର୍ତଵ୍ୟ ପରାୟଣତା ଛାତ୍ର ବତ୍ସଳ, ସାହିତ୍ୟ ବାଗ୍ନୀ ରୂପେ ପରିଚିତ ଥିଲେ l ଉକ୍ତ ସଭାରେ ଭାସ୍କର ଆଲୋକ ମହାପାତ୍ର, ବିଜୟ କୁମାର ଦେବତା, ସୌଦାମିନୀ ସୁବୁଦ୍ଧି, ମିଳନ ମହାରଣା, ପ୍ରଦୀପ କୁମାର ବେହେରା ଙ୍କ ସମେତ ଅନେକ ବିଦ୍ୟାଳୟ ରୁ ଆସିଥିବା ପ୍ରାୟ ୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏବଂଗ୍ରାମର ଅଧିକାଂଶ ପୁରୁଷ ମହିଳା ଓ ପୁରାତନ ବିଦ୍ୟାର୍ଥୀ ଏବଂ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ। ପରିଶେଷରେ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Nayagarh (ନୟାଗଡ଼)ରିପୋଟର : ନିରଞ୍ଜନ ମହାପାତ୍ର ରଣପୁର