--:--:--
-- ---
Srishti News

ସଙ୍କର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ଶ୍ରେଣୀଗୃହ ଉଦ୍‌ଘାଟିତ

Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକAugust 7, 202614 views
ସଙ୍କର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ଶ୍ରେଣୀଗୃହ ଉଦ୍‌ଘାଟିତ
ବରଗଡ଼ ଜିଲ୍ଲା ବିଜେପୁରସ୍ଥିତ ସଙ୍କର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇଟି ନୂତନ ଶ୍ରେଣୀଗୃହ ଶୁକ୍ରବାର ଶୁଭ ଉଦ୍‌ଘାଟିତ ହୋଇଯାଇଛି l ସ୍ଥାନୀୟ ଜମିଦାର ତଥା ବିଜେପୁର ବିଧାୟକ ସନତ କୁମାର ଗଡ଼ତୀୟାଙ୍କ କରକମଳରେ ନୂତନ ଶ୍ରେଣୀଗୃହ ଦୁଇଟିର ଉଦ୍‌ଘାଟନ କରାଯାଇଥିଲା।ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକମାନଙ୍କୁ ସମ୍ମାନିତ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷାଦାନ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ପୂର୍ବତନ ଶିକ୍ଷକମାନଙ୍କ ଅବଦାନକୁ ସ୍ମରଣ କରି ସେମାନଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ ଆରମ୍ଭରେ ପୂଜକ ପ୍ରଦୀପ ପାଣିଗ୍ରାହୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା। ପରେ ସହକାରୀ ଶିକ୍ଷକ ବିଡ଼ିଓ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥି ଓ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ। ଏହାପରେ ମିନିକେତନ ପଧାନ ଓ ସୁମନ୍ତ ଗଡ଼ତୀୟା ବିଦ୍ୟାଳୟର ଇତିହାସ, ଶିକ୍ଷା ବ୍ୟବସ୍ଥା ଓ ନୂତନ ଶ୍ରେଣୀଗୃହ ନିର୍ମାଣ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ।ଉପସ୍ଥିତ ଅତିଥିମାନେ କହିଥିଲେ ଯେ, ଶିକ୍ଷାର ବିକାଶ ପାଇଁ ଉତ୍ତମ ଭିତ୍ତିଭୂମିର ଆବଶ୍ୟକତା ରହିଛି। ଦୁଇଟି ନୂତନ ଶ୍ରେଣୀଗୃହ ନିର୍ମାଣ ହେବା ଫଳରେ ଛାତ୍ରଛାତ୍ରୀମାନେ ଅଧିକ ସୁବିଧାଜନକ ପାଠପଢ଼ିବାର ସୁଯୋଗ ପାଇବେ। ଏହା ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ବୋଲି ମତ ପ୍ରକାଶ ପାଇଥିଲା।ସମାରୋହରେ ଶିକ୍ଷକ-ଶିକ୍ଷୟିତ୍ରୀ, ପୂର୍ବତନ ଶିକ୍ଷକ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।