ଶଙ୍ଖଚିଲା ହିଙ୍ଗୁଳା ମନ୍ଦିର ଉନ୍ନତି କାରଣ ପାଇଁ ୬. ୬୯ କୋଟି ଟଙ୍କା ସରକାରୀ ଅନୁଦାନ
Jajpur (ଯାଜପୁର)ଅନିଲ କୁମାର ଜେନା, ଯାଜପୁରAugust 7, 202639 views

କୋରେଇ ବ୍ଲକ ଅନ୍ତର୍ଗତ ଶଙ୍ଖଚିଲାର ଅଧିଷ୍ଠାତ୍ରୀ ମା’ ହିଙ୍ଗୁଳା ମନ୍ଦିରକୁ ପ୍ରଥମ ସରକାରୀ ଅନୁଦାନ ମିଳିଛି। ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ମନ୍ଦିର ପାରିପାର୍ଶିକ ଉନ୍ନତୀକରଣ ପାଇଁ ୬ କୋଟି ୬୯ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରାଯାଇଛି। ପ୍ରଶାସନିକ ମଂଜୁରି ପରେ ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।
ଯାଜପୁର ଜିଲ୍ଲା ପ୍ରସିଦ୍ଧ ଶଙ୍ଖଚିଲା ସ୍ଥିତ ମା' ହିଙ୍ଗୁଳା ମନ୍ଦିର ପାଇଁ ପୂର୍ବରୁ ସେପରି ସରକାରୀ ଅନୁଦାନ ରାଶି ଆସିନାହିଁ । ମା'ଙ୍କ ନିଜସ୍ବ ପାଣ୍ଠି ତଥା ଅନ୍ୟ ବିଧାୟକଙ୍କ ହାତପାଣ୍ଠିରୁ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ କରାଯାଇଛି। ମନ୍ଦିରକୁ ପ୍ରତିଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସୁଥିବା ବେଳେ ଏହାକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପ୍ରଦାନ ପାଇଁ ବହୁବାର ଦାବି ହୋଇ ଆସୁଥିଲା। ଚଳିତ ଥର ପ୍ରଥମ କରି ପର୍ଯ୍ୟଟନ ବିଭାଗ ମନ୍ଦିରର ଉନ୍ନତିକରଣ ପାଇଁ ଅଣ୍ଟା ଭିଡ଼ିଛି। ମନ୍ଦିର ପରିସରରେ ଅବସ୍ଥିତ ବହୁମୁଖୀ ଗୃହଗୁଡ଼ିକ ଭାଙ୍ଗିରୁଜି ଯିବାକୁ ବସିଛି। ଏହି ଗୃହଗୁଡ଼ିକର ଉନ୍ନତିକରଣ ପାଇଁ ୧ କୋଟି ୪୮ଲକ୍ଷ ୧୪ ହଜାର ୩୩୪ଟଙ୍କା ପ୍ରଦାନ କରାଯାଇଛି। ସେହିପରି ଦୁଇଟି ଶୌଚାଳୟ ପାଇଁ ୩୬ଲକ୍ଷ ୮୨ହଜାର, ପାରିପାର୍ଶିକ ଉନ୍ନତିକରଣ ପାଇଁ ୨ କୋଟି ୬୭ଲକ୍ଷ ୪୮ହଜାର ୩୧୭ଟଙ୍କା, ପାକିଂ ପାଇଁ ୬ଲକ୍ଷ ୮୫ହଜାର ୮୬୭ ଟଙ୍କା, ଜୋତା ଷ୍ଟାଣ୍ଡ ଏବଂ ପାଦଧୁଆ ସ୍ଥାନ ନିର୍ମାଣ ପାଇଁ ୮ଲକ୍ଷ ୯୯ହଜାର ୨୧୧ଟଙ୍କା, ଡ୍ରେନେଜ ପାଇଁ ୧୭ଲକ୍ଷ ୬୦ହଜାର ୩୬୮ଟଙ୍କା, ବ୍ୟାରିକେଡ୍ ପାଇଁ ୫ ଲକ୍ଷ ୭୮ହଜାର ୯୭୩ଟଙ୍କା ପ୍ରଦାନ କରାଯାଇଛି।
ସେହିପରି ପାନୀୟ ଜଳ ଯୋଗାଣ ପାଇଁ ୨୯ଲକ୍ଷ ୬୬ହଜାର ୪୨୦ଟଙ୍କା, ଏସି ପାଇଁ ୭ଲକ୍ଷ ୮୧ହଜାର ୩୭୩ଟଙ୍କା, ସିସିଟିଭି ପାଇଁ ୮ଲକ୍ଷ ୯୮ହଜାର ୭୮୩ ଟଙ୍କା, ବାହାରେ ଲାଇଟ୍ ଲଗାଇବାକୁ ୪ଲକ୍ଷ ୭୦ହଜାର ୩୨୪ ଟଙ୍କା, ବିଦ୍ୟୁତ୍ କାର୍ଯ୍ୟ ପାଇଁ ୭ଲକ୍ଷ ୨୪ ହଜାର ୩୩୨ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ଏ ସଂପର୍କରେ ପର୍ଯ୍ୟଟନ ବିଭାଗ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇବା ସହ ପ୍ରଶାସନିକ ମଂଜୁରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି।
