ରାଜସ୍ୱ ପ୍ରଶାସନରେ ଗତି ଆଣିବାକୁ ଜିଲ୍ଲାପାଳଙ୍କ କଡ଼ା ବାର୍ତ୍ତା: ରାଜସ୍ୱ ଆଦାୟ ବୃଦ୍ଧି, କୃଷକ ପଞ୍ଜୀକରଣ ଓ ଜମି ମାମଲାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ – ସିନାପାଲିର ମୋହନ ହଂସଙ୍କୁ ‘ରାଜସ୍ୱ ମିତ୍ର ପୁରସ୍କାର
Nuapada (ନୂଆପଡ଼ା)ରିପୋର୍ଟ: ବିଜୟ ବରିହାAugust 7, 202610 views

ନୂଆପଡ଼ା, ତା. ୭/୮: ରାଜସ୍ୱ ପ୍ରଶାସନକୁ ଅଧିକ ସକ୍ରିୟ, ସ୍ୱଚ୍ଛ ଓ ଜନମୁଖୀ କରିବା ଲକ୍ଷ୍ୟରେ ଶୁକ୍ରବାର ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରାଜସ୍ୱ ଆଦାୟ, କୃଷକ ପଞ୍ଜୀକରଣ, ଜମି ସମ୍ବନ୍ଧୀୟ ମାମଲାର ଫଇସଲା, ସଡ଼କ ସୁରକ୍ଷା ଓ ବେଆଇନ ଖଣିଜ ଉତ୍ତୋଳନ ନିୟନ୍ତ୍ରଣ ସହ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।
ବୈଠକ ଆରମ୍ଭରେ ଜିଲ୍ଲାପାଳ ସମସ୍ତ ତହସିଲଦାରଙ୍କୁ ନିୟମିତ ଭାବେ ଟୁର୍ ଡାଏରୀ ଦାଖଲ କରିବା ସହ କ୍ଷେତ୍ର ପରିଦର୍ଶନକୁ ଅଧିକ ଫଳପ୍ରଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସରକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ସହ ଜନସାଧାରଣଙ୍କ ଅଭିଯୋଗ ଓ ସମସ୍ୟାର ତ୍ୱରିତ ସମାଧାନ ପାଇଁ କ୍ଷେତ୍ରସ୍ତରରେ ଅଧିକ ସକ୍ରିୟ ରହିବାକୁ ସେ ପରାମର୍ଶ ଦେଇଥିଲେ।
କୃଷକ ପଞ୍ଜୀକରଣର ଅଗ୍ରଗତି ସମୀକ୍ଷା କରି ଜିଲ୍ଲାପାଳ ପ୍ରତ୍ୟେକ ସପ୍ତାହରେ ତହସିଲ ସ୍ତରରେ ସମୀକ୍ଷା ବୈଠକ କରି ବଳକା ଆବେଦନଗୁଡ଼ିକର ଶୀଘ୍ର ଅନୁମୋଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ଏପର୍ଯ୍ୟନ୍ତ ୩୩,୭୭୬ ଜଣ କୃଷକ ପଞ୍ଜୀକୃତ ହୋଇଥିବା ବେଳେ ୧୪,୯୧୨ଟି ଆବେଦନ ଅନୁମୋଦନ ହୋଇଛି ଏବଂ ୫୭୮ଟି ଆବେଦନ ଅନୁମୋଦନ ଅପେକ୍ଷାରେ ରହିଥିବା ସୂଚନା ଦିଆଯାଇଥିଲା।
ରାଜସ୍ୱ ଆଦାୟର ଅଗ୍ରଗତି ସମୀକ୍ଷା କରି ଜିଲ୍ଲାପାଳ ସମସ୍ତ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ପାଇଁ ଅଧିକ ତତ୍ପରତାର ସହ କାର୍ଯ୍ୟ କରିବାକୁ କହିଥିଲେ। ଜୁଲାଇ ଶେଷ ସୁଦ୍ଧା ଷ୍ଟାମ୍ପ ଶୁଳ୍କ ଓ ପଞ୍ଜୀକରଣ ଫି ବାବଦରେ ୪ କୋଟି ୭୧ ଲକ୍ଷ ୧୬ ହଜାର ୧୧୮ ଟଙ୍କା ସଂଗ୍ରହ ହୋଇଥିବା ବେଳେ ପରିବହନ ବିଭାଗ ୪ କୋଟି ୭୯ ଲକ୍ଷ ୬୭ ହଜାର ୭୩୩ ଟଙ୍କା ରାଜସ୍ୱ ସଂଗ୍ରହ କରିଥିବା ସୂଚନା ଉପସ୍ଥାପିତ ହୋଇଥିଲା।
ସଡ଼କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଜିଲ୍ଲାପାଳ ‘ହେଲମେଟ୍ ହବ୍’ କାର୍ଯ୍ୟକ୍ରମକୁ ଆହୁରି ସକ୍ରିୟ କରିବା ସହ ତହସିଲଦାର ଓ ଅତିରିକ୍ତ ତହସିଲଦାରମାନଙ୍କୁ ପ୍ରତିମାସରେ ଅତି କମରେ ପାଞ୍ଚ ଦିନ କ୍ଷେତ୍ର ପରିଦର୍ଶନ କରି ଜନସଚେତନତା ସୃଷ୍ଟି ଏବଂ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଚଳିତ ଆର୍ଥିକ ବର୍ଷର ଜୁଲାଇ ଶେଷ ସୁଦ୍ଧା ଖଣିଜ ରାଜସ୍ୱ ବାବଦରେ ୭୦.୨୬ ଲକ୍ଷ ଟଙ୍କା ସଂଗ୍ରହ ହୋଇଥିବା ବେଳେ ବେଆଇନ ଖଣିଜ ଉତ୍ତୋଳନ ବିରୋଧୀ କାର୍ଯ୍ୟାନୁଷ୍ଠାନରୁ ୩୩.୯୭ ଲକ୍ଷ ଟଙ୍କା ଆଦାୟ କରାଯାଇଥିବା ସମୀକ୍ଷାରୁ ଜଣାପଡ଼ିଥିଲା।
ଜମି ସମ୍ବନ୍ଧୀୟ ମାମଲା ଓ ମ୍ୟୁଟେସନ୍ର ସମୀକ୍ଷା କରି ଜିଲ୍ଲାପାଳ ଶୀଘ୍ର ଫଇସଲା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ଚଳିତ ଆର୍ଥିକ ବର୍ଷରେ ଜୁଲାଇ ସୁଦ୍ଧା ୫,୯୧୯ଟି ମ୍ୟୁଟେସନ୍ ମାମଲା ମଧ୍ୟରୁ ୩,୯୩୮ଟିର ଫଇସଲା ହୋଇଥିବା ବେଳେ ଅବଶିଷ୍ଟ ମାମଲାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।
ଏହାସହ ଜିଲ୍ଲାର ସମସ୍ତ ରାଜସ୍ୱ ଗ୍ରାମରେ ‘ଗୋଚର ଜମି ବଞ୍ଚାଓ ଅଭିଯାନ’ ଆରମ୍ଭ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସରକାରୀ ଗୋଚର ଜମିର ସୁରକ୍ଷା ଓ ସଂରକ୍ଷଣ ପାଇଁ ସମସ୍ତ ତହସିଲ ପ୍ରଶାସନକୁ ସକ୍ରିୟ ଭୂମିକା ନେବାକୁ କୁହାଯାଇଥିଲା।
ବୈଠକର ଏକ ଉଲ୍ଲେଖନୀୟ ମୁହୂର୍ତ୍ତରେ ସିନାପାଲି ତହସିଲର ମୋହନ ହଂସଙ୍କୁ ରାଜସ୍ୱ ପ୍ରଶାସନରେ ଉଲ୍ଲେଖନୀୟ ସହଯୋଗ, ସକ୍ରିୟ ଭୂମିକା, ଉତ୍କୃଷ୍ଟ ସମନ୍ୱୟ, ସତନିଷ୍ଠା ଓ ଜନହିତକର କାର୍ଯ୍ୟ ପାଇଁ ‘ରାଜସ୍ୱ ମିତ୍ର ପୁରସ୍କାର’ ପ୍ରଦାନ କରାଯାଇଥିଲା।
ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ସୁର୍ମୀ ସୋରେନ, ଡେପୁଟି ଜିଲ୍ଲାପାଳ (ରାଜସ୍ୱ) ସୁଚିସ୍ମିତା ମହାଉତୀ, ଡେପୁଟି ଜିଲ୍ଲାପାଳ (ନିର୍ବାଚନ) ଶେଖ ନାସିମ, ସମସ୍ତ ତହସିଲଦାର, ବିଭିନ୍ନ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
