Web News

ଶିକ୍ଷକ ତାଲିମ ଶିବିର
ଢ଼େଙ୍କାନାଳ ୧୧.୯ - ଢେ଼ଙ୍କାନାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ତଥା ଉପାନ୍ତ ଅଞ୍ଚଳ କଙ୍କଡ଼ାହାଡ଼ ବ୍ଳକ୍ ଅନ୍ତର୍ଗତ ଚଡେଇରଗଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିରାଶାଳ କ୍ଲଷ୍ଟର ସ୍ତରୀୟ ଶିକ୍ଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ୨୦୨୬-୨୭ ଶିକ୍ଷା ବର୍ଷର ଏହି ତୃତୀୟ ତାଲିମ ଶିବିରକୁ ବିରାଶାଳ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ବେହେରା ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ସି.ଆର୍.ସି.ସି ସୁଶୀଲ କୁମାର ନାୟକ ଓ ସି.ଆର.ଜି ସୁଶ୍ରୀ ଶୁଚିସ୍ମିତା ସାହୁ ,ଶିକ୍ଷକ , ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଶିକ୍ଷକ ତାଲିମ ପ୍ରତିଷ୍ଠାନ, ଢେଙ୍କାନାଳର ବରିଷ୍ଠ ପ୍ରଶିକ୍ଷିକା ପ୍ରତିଭା ଦଳେଇ ଓ ସ୍ନେହଲତା ରାଜ ଶିବିରକୁ ପରିଦର୍ଶନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନା କମିଟିର ସଦସ୍ୟ ଓ ସଦସ୍ୟାମାନେ ସହଯୋଗ କରିଥିଲେ।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ବାଲ୍ୟ ବିବାହ ନିଷେଧ ଆଇନ ୨୦୨୬ ସଚେତନତା
ଢ଼େଙ୍କାନାଳ ୧୧.୯- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ବୁହାଳିପାଳ ପଞ୍ଚାୟତ ସରକାର ଉଚ୍ଚ ବିଦ୍ୟାଳୟ ବାଳିବିଳାସ ଠାରେ ବାଲ୍ୟ ବିବାହ ନିଷେଧ ଆଇନ- ୨୦୨୬ ସମ୍ପର୍କରେ ବିଶ୍ୱ ଯୁବ କେନ୍ଦ୍ର ( ଜଷ୍ଟ ରାଇଟ୍ସ ଫର ଚିଲଡ୍ରେନ୍ ) ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କର୍ଯ୍ୟକ୍ରମ ରେ ପ୍ରକଳ୍ପ ସହାୟିକା ଜୁଲି ସ୍ୱାଇଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ଦେଇଥିବା ବେଳେ ବିଶ୍ୱ ଯୁବ କେନ୍ଦ୍ରର କାଉନସେଲର ମନସ୍ମିତା ନାୟକ ବାଲ୍ୟ ବିବାହ ନିଷେଧ ଆଇନ ୨୦୨୬ ବିଷୟରେ ପ୍ରାଞ୍ଜଳ ଭାବେ ଅବଗତ କରାଇ ଥିଲେ । ବାଲ୍ୟ ବିବାହ ପାଇଁ ଝିଅ ମାନଙ୍କ ଉପରେ ପଡୁଥିବା ଶାରୀରିକ, ମାନସିକ, ଆର୍ଥିକ ଚାପ, ଶିକ୍ଷା ତଥା ଆତ୍ମ ନିର୍ଭରଶୀଳତା ଅଭାବ ସାଙ୍ଗକୁ ସାମାଜିକ କୁପରିଣାମ ସମ୍ପର୍କରେ ଆଲୋକପାତ କରିଥିଲେ। ଏହା ବ୍ୟତୀତ ବାଲ୍ୟ ବିବାହ ରୋକିବା ସହ ଶିଶୁ ମାନଙ୍କୁ ଶିକ୍ଷା ର ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ବିଶ୍ୱ ଯୁବ କେନ୍ଦ୍ର ତରଫରୁ ବିଦ୍ୟାଳୟ ବାହାରେ ଥିବା ଶିଶୁ ଙ୍କ ନାମ ଲେଖାଇବା ଓ ସଚେତନତା ଅଭିଯାନର ଆୟୋଜନ କରାଯାଉଛି। ବିଦ୍ୟାଳୟ ବାହାରେ ଥିବା ଶିଶୁ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ନାମଲେଖା ଓ ନିୟମିତ ଉପସ୍ଥାନ ନିଶ୍ଚିତ କରିବା ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମାନଙ୍କର ସହଯୋଗ କରିବାକୁ ନିବେଦନ କରାଯାଇଥିଲା । ଏହି ସଚେତନତା ଶିବିରରେ ଶିଶୁ ଶ୍ରମିକ, ଶିଶୁ ଚାଲାଣ ଓ ଶିଶୁ ମାନଙ୍କ ଉପରେ ହେଉଥିବା ଯୌନ ନର୍ଯାତନା ଉପରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ଶେଷରେ ଛାତ୍ର ଛାତ୍ରୀ ମାନେ ଶିକ୍ଷାକୁ ହଁ,ବାଲ୍ୟ ବିବାହ କୁ ନାଁ ସମ୍ପର୍କରେ ଶପଥ ଗ୍ରହଣ କରିଥିଲେ।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ସମୃଦ୍ଧ ଭାଷା ଓ ଜାତୀୟ ଚେତନାର ପ୍ରତୀକ ‘ହିନ୍ଦୀ’,,ଜାଙ୍ଗେଡଠାରେ ଅନୁଷ୍ଠିତ ହେଲା ବ୍ଲକ୍ ସ୍ତରୀୟ ହିନ୍ଦୀ ଦିବସ, ଗୁରୁପୂଜନ ସହ କୃତୀ ଛାତ୍ରଛାତ୍ରୀ ପୁରସ୍କୃତ
ବରଗଡ -ଜାତୀୟ ଏକତା, ସମନ୍ୱୟ ଏବଂ ସାଂସ୍କୃତିକ ଚେତନାର ପ୍ରତୀକ ଭାବେ ପରିଚିତ ହିନ୍ଦୀ ଭାଷାର ପ୍ରଚାର-ପ୍ରସାର ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷାଗତ ଦକ୍ଷତାର ବିକାଶ ଲକ୍ଷ୍ୟ ନେଇ ଅତାବିରା ବ୍ଲକ ଅନ୍ତର୍ଗତ ଜାଙ୍ଗେଡ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ‘ହିନ୍ଦୀ ଦିବସ’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଭାରତବର୍ଷର ବିବିଧତା ମଧ୍ୟରେ ହିନ୍ଦୀ ଭାଷା ଏକ ସେତୁ ସଦୃଶ କାର୍ଯ୍ୟ କରୁଥିବା ବେଳେ ଏହାର ମହତ୍ତ୍ୱ ଓ ଗୁରୁତ୍ୱ ଉପରେ ଆଲୋକପାତ କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ବ୍ଲକ୍ ସଂଗଠନର ସଭାପତି ପ୍ରସନ୍ନ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅର୍ଜୁନ ବିଭାର, ସଂଘ ସମ୍ପାଦକ ବାବୁଲା ପ୍ରଧାନ, କୋଷାଧ୍ୟକ୍ଷ ରାଜେଶ ପଟେଲ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଗୋଡ଼ଭଗା ଜନତା ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଚିନ୍ମୟୀ ସେଠ୍ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଲରମ୍ଭା ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଦୀପ୍ତିମୟୀ ପଟେଲ ମଞ୍ଚ ପରିଚାଳନା କରିଥିଲେ। ସମ୍ପାଦକ ଶ୍ରୀଯୁକ୍ତ ପ୍ରଧାନ ହିନ୍ଦୀ ଭାଷାର ସମୃଦ୍ଧ ପରମ୍ପରା ଓ ଏହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଦୀର୍ଘ ବର୍ଷ ଧରି ହିନ୍ଦୀ ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଚାରିଜଣ ଅବସରପ୍ରାପ୍ତ ଶିକ୍ଷକ—ପତ୍ରାପାଲି ଉଚ୍ଚ ବିଦ୍ୟାଳୟର ଗଣପତି ଦାଶ, ହିଲ୍ଲିପାଳି ଉଚ୍ଚ ବିଦ୍ୟାଳୟର ବଳରାମ ସାହୁ, କୁଲତା ଟୁକୁରା ଉଚ୍ଚ ବିଦ୍ୟାଳୟର ରୁଦ୍ର ପ୍ରତାପ ଛନ୍ଦ ଏବଂ ସିଂହପାଲି ଉଚ୍ଚ ବିଦ୍ୟାଳୟର ପଞ୍ଚମ ସାହୁଙ୍କୁ ଉପଢୌକନ, ଫୁଲତୋଡ଼ା ଓ ଟ୍ରଫି ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ବ୍ଲକର ୩୨ଟି ବିଦ୍ୟାଳୟରୁ ମନୋନୀତ ୭୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତା ପରେ ଦିବସର ଉଦଯାପନୀ ଉତ୍ସବରେ ଜିଲ୍ଲା ସମ୍ପାଦକ ଡୋଳାମଣି ସାହୁ,ଝାରସୁଗୁଡ଼ା ଜିଲ୍ଲା ସଭାପତି ନିତ୍ୟାନନ୍ଦ ନାଏକ ମୁଖ୍ୟବକ୍ତା,ବରଗଡ଼ ଜିଲ୍ଲା ସଭାପତି ଲଳିତ ବିଶ୍ଵାଳ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଉମାକାନ୍ତ ପ୍ରଧାନ, ବ୍ଲକ ସମ୍ପାଦକ ବାବୁଲାଲ ପ୍ରଧାନ, ସଭାପତି ପ୍ରସନ୍ନ ବେହେରା ପ୍ରମୁଖ ମଞ୍ଚାସିନ ରହିଥିଲେ । ତର୍କ ପ୍ରତିଯୋଗିତା ରିତେଶ୍ୱରୀ ଦୀପ , କାହ୍ନା ବାରିକ୍ ଓ ରୁବୀ କୁମ୍ଭାର ,ପ୍ରବନ୍ଧ ଲିଖନ ରେ ତନୁଶ୍ରୀ ସାହୁ , ନମ୍ରତା ଭୋଇ ଓ ଶ୍ରୁତି ରଣା,ସଙ୍ଗୀତ ରେ ପୁନମ ସୁନା , ଅଲିଭା ପାଇକ ଓ ମୁଷ୍କାନ ସେଠ୍ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ର ଛାତ୍ରୀ ଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରି ଅତିଥି ମାନେ ପୁରସ୍କୃତ କରି ଉତ୍ସାହିତ କରିଥିଲେ । ସଚ୍ଚିଦାନନ୍ଦ ପ୍ରଧାନ, ଅମୃତ ବାରିକ୍, ପୁରନ୍ଦର ପ୍ରଧାନ, ବାବୁଲାଲ ପାଣ୍ଡିଆ, ପ୍ରିତିମୟୀ ଦାଶ, ଲଳିତ ଗଡତିଆ, ସୁବାସ ଗଡତିଆ, ପ୍ରମୋଦ ପ୍ରଧାନ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିବା ବେଳେ ବ୍ଲକ ର ସମୟ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।ଶିକ୍ଷକ ତରଣୀ ଗର୍ତିଆ, ରମେଶ ସାହୁ, ଜୟନ୍ତ ଦେହେରୀ, ଉମା ସେଠ୍, ଗଣପତି ଦାଶ, ବଳରାମ ସାହୁ, ରୁଦ୍ର ଛନ୍ଦ, ପଞ୍ଚମ ସାହୁ ଓ ରଶ୍ମିତା ବାରିକ୍ ପ୍ରମୁଖ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ। ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ବିଦ୍ୟାଳୟର ଶିକ୍ଷକ କୌସ୍ତୁଭ କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ଗଣେଶ ପୂଜାକୁ ନେଇ ଖଲ୍ଲିକୋଟ ଥାନାରେ ଜନସାଧାରଣଙ୍କ ସହ ଆଲୋଚନା ଶାନ୍ତି ଓ ଶୃଙ୍ଖଳାରେ ପୂଜା ପାଳନ ପାଇଁ ପୁଲିସର ପରାମର୍ଶ
ଖଲ୍ଲିକୋଟ, ୧୧/୦୯: ଆଗାମୀ ଗଣେଶ ଚତୁର୍ଥୀ ପୂଜା ଓ ଉତ୍ସବକୁ ଶାନ୍ତି, ଶୃଙ୍ଖଳା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ପାଳନ କରିବା ନେଇ ଖଲ୍ଲିକୋଟ ଥାନା ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ରମେଶ ପ୍ରଧାନଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ଏହି ବୈଠକରେ ଥାନାର ବିଭିନ୍ନ ପଦବୀର ଅଧିକାରୀଙ୍କ ସମେତ ଖଲ୍ଲିକୋଟ ଅଞ୍ଚଳର ୪୦ରୁ ଊର୍ଦ୍ଧ୍ୱ ଜନସାଧାରଣ ଓ ପୂଜା କମିଟି ସହ ସଂପୃକ୍ତ ବ୍ୟକ୍ତିମାନେ ଯୋଗଦେଇଥିବା ଜଣାପଡ଼ିଛି। ବୈଠକରେ ଆଗାମୀ ଗଣେଶ ପୂଜା ଓ ପାର୍ବଣ ଉତ୍ସବ ସମୟରେ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା, ଆଇନଶୃଙ୍ଖଳା ପରିସ୍ଥିତି ଅକ୍ଷୁଣ୍ଣ ରଖିବା ଏବଂ ସୁରକ୍ଷିତ ଭାବେ ପୂଜା ଆୟୋଜନ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ସମ୍ପର୍କରେ ଥାନା ଅଧିକାରୀ ରମେଶ ପ୍ରଧାନ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। ପୂଜା ସମୟରେ ସମସ୍ତେ ପୁଲିସ ପ୍ରଶାସନକୁ ସହଯୋଗ କରିବା ସହ ଭାଇଚାରା ଓ ସାମ୍ପ୍ରଦାୟିକ ସଦ୍ଭାବ ବଜାୟ ରଖିବାକୁ ଆହ୍ୱାନ ଦିଆଯାଇଥିଲା। ବୈଠକରେ ଜନସାଧାରଣଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ମତାମତ ଓ ପରାମର୍ଶ ରଖାଯାଇଥିଲା। ଥାନା ଅଧିକାରୀଙ୍କ ଏଭଳି ପଦକ୍ଷେପକୁ ଖଲ୍ଲିକୋଟବାସୀଙ୍କ ପକ୍ଷରୁ ସ୍ୱାଗତ କରାଯିବା ସହ ସାଧୁବାଦ ଜଣାଯାଇଥିଲା।
Ganjam (ଗଞ୍ଜାମ) • ରିପୋର୍ଟ: ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି

ନୂଆପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଡ. ଅଙ୍କିତ ସିଂହାଇଙ୍କୁ ଶୁଭେଚ୍ଛା
ଖରିଆର ରୋଡ୍ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ନୂଆପଡ଼ା ଜିଲ୍ଲା କଂଗ୍ରେସର ନବନିଯୁକ୍ତ ସଭାପତି ଡ. ଅଙ୍କିତ ସିଂହାଇଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ତାଙ୍କ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ଏହି ଅବସରରେ ଡ. ସିଂହାଇଙ୍କୁ ମାର୍ଗଦର୍ଶକ ଓ ବଡ଼ ଭାଇ ଭାବେ ସମ୍ମାନ ଜଣାଇ ତାଙ୍କ ନୂତନ ଦାୟିତ୍ୱରେ ସଫଳତା କାମନା କରାଯାଇଥିଲା। ତାଙ୍କ ନେତୃତ୍ୱରେ ଜିଲ୍ଲାରେ କଂଗ୍ରେସ ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ଉପସ୍ଥିତ ନେତା ଓ କର୍ମୀମାନେ ଆଶା ପ୍ରକାଶ କରିଥିଲେ। ଏହି ସାକ୍ଷାତ ସମୟରେ ନୂଆପଡ଼ା ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ପ୍ରତିଭା ପାଣିଗ୍ରାହୀ, ଜିଲ୍ଲା ସମ୍ପାଦକ ନରେନ୍ଦ୍ର ନାଗ ଏବଂ କଂଗ୍ରେସ ନେତ୍ରୀ ଶ୍ରୀମତୀ ଅନିତା ପ୍ରଧାନ ଉପସ୍ଥିତ ଥିଲେ। ଡ. ଅଙ୍କିତ ସିଂହାଇଙ୍କ ନୂତନ ନେତୃତ୍ୱରେ ଜିଲ୍ଲା କଂଗ୍ରେସରେ ସାଂଗଠନିକ ଏକତା ଓ ସମନ୍ୱୟ ଆହୁରି ମଜବୁତ ହେବା ସହ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ପ୍ରାଥମିକତା ଦେଇ ଉଠାଯିବ ବୋଲି ମତ ପ୍ରକାଶ ପାଇଛି। ଜନସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗରେ କଂଗ୍ରେସ ଆଗାମୀ ଦିନରେ ଅଧିକ ସକ୍ରିୟ ଭୂମିକା ନେବ ବୋଲି ଆଶା ପ୍ରକାଶ କରାଯାଇଛି
Nuapada (ନୂଆପଡ଼ା) • ରିପୋର୍ଟ: ଗିରେନ୍ଦ୍ର କୁମାର ଜଗତ, କୋମନା

ଗୁଡାରି ମୁଖ୍ୟ ରାସ୍ତାର ଦୁରବସ୍ଥା ନେଇ ଅସନ୍ତୋଷ ବାରମ୍ବାର ଖବର ପ୍ରକାଶ ସତ୍ତ୍ୱେ ପ୍ରଶାସନ ନିରବ, ଧାରଣା ପାଇଁ ଆଲୋଚନା
ଗୁଡାରି: ରାୟଗଡ଼ା ଜିଲ୍ଲାର ଗୁଡାରି ସହରର ମୁଖ୍ୟ ରାସ୍ତାର ଦୁରବସ୍ଥାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। ସହରର ପ୍ରମୁଖ ରାସ୍ତାର ଅବ୍ୟବସ୍ଥିତ ପରିସ୍ଥିତି ଯୋଗୁଁ ସାଧାରଣ ଲୋକେ ଯାତାୟାତ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ସମସ୍ୟା ସମ୍ପର୍କରେ ପୂର୍ବରୁ ଅନେକଥର ଖବର ପ୍ରକାଶ ପାଇଥିଲେ ମଧ୍ୟ ଏଯାଏଁ ସ୍ଥାୟୀ ସମାଧାନ ହୋଇନାହିଁ। NAC ପ୍ରଶାସନ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ (EO) ଓ ଅଧ୍ୟକ୍ଷାଙ୍କ ଭୂମିକା ନେଇ ମଧ୍ୟ ସ୍ଥାନୀୟ ମହଲରେ ପ୍ରଶ୍ନ ଉଠିଛି। ଜିଲ୍ଲା ପ୍ରଶାସନ ମଧ୍ୟ ଏହି ସମସ୍ୟା ପ୍ରତି ଆବଶ୍ୟକ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି। ଗୁଡାରି NAC ବିଭିନ୍ନ କ୍ଷେତ୍ରରେ ପୁରସ୍କାର ପାଇଥିବା ସତ୍ତ୍ୱେ ସହରର ମୁଖ୍ୟ ରାସ୍ତାର ଏଭଳି ଅବସ୍ଥା କାହିଁକି ରହିଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଏକପଟେ ଗୁଡାରି ରାଜନୈତିକ ଓ ସାମାଜିକ ଦୃଷ୍ଟିରୁ ଚର୍ଚ୍ଚିତ ସହର ହୋଇଥିବା ବେଳେ ଅନ୍ୟପଟେ ମୌଳିକ ନାଗରିକ ସମସ୍ୟାର ସମାଧାନ ନହେବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଦୀର୍ଘଦିନ ଧରି ସମସ୍ୟା ରହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ। ଯଥାଶୀଘ୍ର ମୁଖ୍ୟ ରାସ୍ତାର ସମସ୍ୟାର ସମାଧାନ କରି ଲୋକଙ୍କ ଯାତାୟାତକୁ ସୁଗମ କରାଯାଉ ବୋଲି ଦାବି ହୋଇଛି। ଅନ୍ୟପକ୍ଷରେ, ସମସ୍ୟାର ତୁରନ୍ତ ସମାଧାନ ନହେଲେ ଆଗାମୀ ଦିନରେ ଧାରଣା ଦେବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଓ NAC କର୍ତ୍ତୃପକ୍ଷ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ସ୍ଥାୟୀ ସମାଧାନ କରିବେ ବୋଲି ଗୁଡାରିବାସୀ ଆଶା ପ୍ରକାଶ କରିଛନ୍ତି।
Rayagada (ରାୟଗଡ଼ା) • ରିପୋର୍ଟ: ନିରଞ୍ଜନ ପୂଜାରୀ

ରସୁଲପୁରରେ ‘କିଷାନ ଅଧିକାର ଯାତ୍ରା’ ଚାଷୀଙ୍କ ହକ୍ ଓ ଅଧିକାର ପାଇଁ ଗର୍ଜିଲା କଂଗ୍ରେସ
ରସୁଲପୁର: ଚାଷୀ ଭାଇମାନଙ୍କ ହକ୍ ଓ ଅଧିକାରର ସୁରକ୍ଷା ଏବଂ କୃଷକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଯାଜପୁର ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ରସୁଲପୁର ବ୍ଲକ୍ରେ ‘କିଷାନ ଅଧିକାର ଯାତ୍ରା’ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି ଯାତ୍ରାରେ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ଓ ଚାଷୀ ଯୋଗଦେଇଥିଲେ। ସ୍ଥାନୀୟ ରାହାସ ବିହାରୀ ମଠସ୍ଥିତ ରାଧାକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା ପରେ ମୁଖ୍ୟ ଅତିଥି ତଥା ଅଧ୍ୟକ୍ଷ ଅଭୟ ସାହୁ ‘କିଷାନ ଅଧିକାର ଯାତ୍ରା’ର ଶୁଭାରମ୍ଭ କରିଥିଲେ। ଏହାପରେ ମନ୍ଦିର ପ୍ରାଙ୍ଗଣରୁ ଏକ ବିଶାଳ ପଦଯାତ୍ରା ବାହାରି ରସୁଲପୁର ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ବ୍ଲକ୍ କାର୍ଯ୍ୟାଳୟ ନିକଟରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ସଭାରେ ଚାଷୀମାନଙ୍କ ସମସ୍ୟା, କୃଷି କ୍ଷେତ୍ରର ବିଭିନ୍ନ ଅସୁବିଧା ଏବଂ କୃଷକଙ୍କ ଅଧିକାର ସମ୍ପର୍କରେ ଆଲୋଚନା କରାଯାଇଥିଲା। ଚାଷୀଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ ଏକଜୁଟ ହୋଇ ସ୍ୱର ଉଠାଇବାକୁ ଉପସ୍ଥିତ ନେତୃବୃନ୍ଦ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅଭୟ ସାହୁ, କାର୍ତ୍ତିକ ବରାଳ, ଶୀତିକଣ୍ଠ ମହାନ୍ତି, ନିରଞ୍ଜନ ସାମଲ, ଅଧୀର ଜେନା ଓ ଅନିଲ କୁମାର ଜେନାଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ। ସଭା ଶେଷରେ ବ୍ଲକ୍ ସଭାପତି କୂଳମଣି ନାୟକ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା, ନେତୃବୃନ୍ଦ ଓ କୃଷକ ଭାଇମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ‘ଚାଷୀ ଏକତା ଜିନ୍ଦାବାଦ’ ନାରାରେ ପରିବେଶ ପ୍ରକମ୍ପିତ ହୋଇଥିଲା।
Jajpur (ଯାଜପୁର) • Reports: Anil Kumar Jena

ଅସୁସ୍ଥ ବିଜେଡି କର୍ମୀଙ୍କୁ ଭେଟିଲେ ଯୁବ ବିଜେଡି ନେତା ମୃତ୍ୟୁଞ୍ଜୟ ଦେଓ
ସୁକିନ୍ଦା: ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୁଧୁଯୋରି ଗ୍ରାମପଞ୍ଚାୟତର ବୋଉଳପାଳ ଗ୍ରାମର ବିଜୁ ଜନତା ଦଳ (ବିଜେଡି)ର ସକ୍ରିୟ କର୍ମୀ ଶ୍ରୀ ବିଦ୍ୟାଧର ପ୍ରଧାନ ଶାରୀରିକ ଅସୁସ୍ଥତାରେ ଥିବା ଖବର ପାଇ ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ସାକ୍ଷାତ କରିଛନ୍ତି ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ନେତା ମୃତ୍ୟୁଞ୍ଜୟ ଦେଓ। ଏହି ଅବସରରେ ଶ୍ରୀ ଦେଓ ଶ୍ରୀ ପ୍ରଧାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ତାଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟ ସମ୍ପର୍କରେ ଅବଗତ ହୋଇଥିଲେ। ଅସୁସ୍ଥତା ସମୟରେ ତାଙ୍କ ସହ ରହି ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ଶ୍ରୀ ପ୍ରଧାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଶୀଘ୍ର ସୁସ୍ଥତା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୃତ୍ୟୁଞ୍ଜୟ ଦେଓ ପ୍ରାର୍ଥନା କରିଥିଲେ। ଏଭଳି ସମୟରେ ଦଳୀୟ କର୍ମୀଙ୍କ ପାଖରେ ରହି ତାଙ୍କ ମନୋବଳ ବଢ଼ାଇବା ଏକ ସକାରାତ୍ମକ ପଦକ୍ଷେପ ବୋଲି ସ୍ଥାନୀୟ ମହଲରେ ମତ ପ୍ରକାଶ ପାଇଛି।
Jajpur (ଯାଜପୁର) • Anil Kumar Jena

୫ ଦିନିଆ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଦାବିରେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ, ଗର୍ଜିଲେ OGB କର୍ମଚାରୀ
ଭୁବନେଶ୍ୱର : ୫ ଦିନିଆ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଏବଂ ଅନ୍ୟାନ୍ୟ ଅମୀମାଂସିତ ସମସ୍ୟାର ସମାଧାନ ଦାବିରେ ଆଜି (୧୧ ସେପ୍ଟେମ୍ବର ୨୦୨୬) ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିଛନ୍ତି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU) ର ଆହ୍ୱାନ କ୍ରମେ ଏହି ଶିଳ୍ପଭିତ୍ତିକ ସଂଗ୍ରାମକୁ ପୂର୍ଣ୍ଣ ସମର୍ଥନ ଜଣାଇ ‘ଅଲ୍ ଇଣ୍ଡିଆ ଆରଆରବି ଏମ୍ପ୍ଲୋଇଜ୍ ଆସୋସିଏସନ’ (AIRRBEA) ଆନ୍ଦୋଳନକୁ ଓହ୍ଲାଇଛି। ଏହି କ୍ରମରେ ଓଡ଼ିଶାରେ ମଧ୍ୟ ଏହାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି। ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ (OGB) ର ବହୁ ସଂଖ୍ୟକ ଅଫିସର ଏବଂ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି। ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀମାନେ ଏକତ୍ରିତ ହୋଇ ନିଜର ହକ୍ ପାଇଁ ବିଭିନ୍ନ ସ୍ଲୋଗାନ ଓ ନାରାବାଜି କରି ପ୍ରତିବାଦ ଜଣାଇଛନ୍ତି। ଗ୍ରାମୀଣ ବ୍ୟାଙ୍କ କର୍ମଚାରୀଙ୍କ ଏହି ପ୍ରତିବାଦ ଯୋଗୁଁ ବ୍ୟାଙ୍କିଙ୍ଗ୍ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଆନ୍ଦୋଳନକାରୀଙ୍କ ମୁଖ୍ୟ ଦାବିଗୁଡ଼ିକ ହେଲା: ୧. ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବ୍ୟାଙ୍କଗୁଡ଼ିକରେ ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ (Five Days Banking) ତୁରନ୍ତ ଲାଗୁ ହେଉ। ୨. ସରକାରଙ୍କ ଏକତରଫା ଓ ପକ୍ଷପାତମୂଳକ PLI (Performance Linked Incentive) ସ୍କିମକୁ ପ୍ରତ୍ୟାହାର କରାଯାଉ। ୩. ବ୍ୟାଙ୍କ ସଂଗଠନଗୁଡ଼ିକ ସହ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ PLI ସ୍କିମରେ ସଂଶୋଧନ କରାଯାଉ। ୪. କର୍ମଚାରୀ ଓ ଅବସରପ୍ରାପ୍ତ ସ୍ଟାଫ୍ମାନଙ୍କର ଅନ୍ୟାନ୍ୟ ସମସ୍ତ ବାକି ରହିଥିବା ସମସ୍ୟାର ସମାଧାନ କରାଯାଉ। ଆଜିର ଏହି ଧର୍ମଘଟ କେବଳ ଏକ ଚେତାବନୀ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଯଦି ସରକାର ଓ ବ୍ୟାଙ୍କ କର୍ତ୍ତୃପକ୍ଷ ତୁରନ୍ତ ଏହି ଦାବିଗୁଡ଼ିକୁ ପୂରଣ ନ କରନ୍ତି, ତେବେ ଆଗାମୀ ଦିନରେ ବ୍ୟାଙ୍କିଙ୍ଗ୍ ସେବା ସମ୍ପୂର୍ଣ୍ଣ ଠପ୍ ହେବାକୁ ଯାଉଛି। ଘୋଷିତ ଆନ୍ଦୋଳନାତ୍ମକ ପନ୍ଥା ଅନୁଯାୟୀ, ଆସନ୍ତା ୨୮, ୨୯ ଓ ୩୦ ସେପ୍ଟେମ୍ବରରେ କ୍ରମାଗତ ୩ ଦିନ ପାଇଁ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ କରାଯିବ। ଏହାପରେ ମଧ୍ୟ ସମସ୍ୟାର ସମାଧାନ ନହେଲେ, ଆସନ୍ତା ୨୬ ଅକ୍ଟୋବର ୨୦୨୬ ଠାରୁ ଦେଶବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ୟାଙ୍କ ଧର୍ମଘଟ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଦୀର୍ଘଦିନର ସମସ୍ୟାର ସମାଧାନ ପାଇଁ ତୁରନ୍ତ ଉପରିସ୍ଥ କର୍ତ୍ତୃପକ୍ଷ ହସ୍ତକ୍ଷେପ କରିବାକୁ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଗୁହାରି କରାଯାଇଛି। ଆଗାମୀ ଦିନରେ ଏହି ଆନ୍ଦୋଳନ ଯୋଗୁଁ ସାଧାରଣ ଜନତା ଏବଂ ବ୍ୟବସାୟୀମାନେ ବ୍ୟାଙ୍କିଙ୍ଗ୍ ସେବା ପାଇବାରେ ବଡ଼ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ପ୍ରକାଶ ପାଇଛି।କରିବା ଏବଂ ଅନ୍ୟାନ୍ୟ ଅମୀମାଂସିତ ସମସ୍ୟାର ସମାଧାନ ଦାବିରେ ଆଜି (୧୧ ସେପ୍ଟେମ୍ବର ୨୦୨୬) ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିଛନ୍ତି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU) ର ଆହ୍ୱାନ କ୍ରମେ ଏହି ଶିଳ୍ପଭିତ୍ତିକ ସଂଗ୍ରାମକୁ ପୂର୍ଣ୍ଣ ସମର୍ଥନ ଜଣାଇ ‘ଅଲ୍ ଇଣ୍ଡିଆ ଆରଆରବି ଏମ୍ପ୍ଲୋଇଜ୍ ଆସୋସିଏସନ’ (AIRRBEA) ଆନ୍ଦୋଳନକୁ ଓହ୍ଲାଇଛି। ଏହି କ୍ରମରେ ଓଡ଼ିଶାରେ ମଧ୍ୟ ଏହାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି। ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ (OGB) ର ବହୁ ସଂଖ୍ୟକ ଅଫିସର ଏବଂ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି। ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀମାନେ ଏକତ୍ରିତ ହୋଇ ନିଜର ହକ୍ ପାଇଁ ବିଭିନ୍ନ ସ୍ଲୋଗାନ ଓ ନାରାବାଜି କରି ପ୍ରତିବାଦ ଜଣାଇଛନ୍ତି। ଗ୍ରାମୀଣ ବ୍ୟାଙ୍କ କର୍ମଚାରୀଙ୍କ ଏହି ପ୍ରତିବାଦ ଯୋଗୁଁ ବ୍ୟାଙ୍କିଙ୍ଗ୍ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଆନ୍ଦୋଳନକାରୀଙ୍କ ମୁଖ୍ୟ ଦାବିଗୁଡ଼ିକ ହେଲା: ୧. ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବ୍ୟାଙ୍କଗୁଡ଼ିକରେ ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ (Five Days Banking) ତୁରନ୍ତ ଲାଗୁ ହେଉ। ୨. ସରକାରଙ୍କ ଏକତରଫା ଓ ପକ୍ଷପାତମୂଳକ PLI (Performance Linked Incentive) ସ୍କିମକୁ ପ୍ରତ୍ୟାହାର କରାଯାଉ। ୩. ବ୍ୟାଙ୍କ ସଂଗଠନଗୁଡ଼ିକ ସହ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ PLI ସ୍କିମରେ ସଂଶୋଧନ କରାଯାଉ। ୪. କର୍ମଚାରୀ ଓ ଅବସରପ୍ରାପ୍ତ ସ୍ଟାଫ୍ମାନଙ୍କର ଅନ୍ୟାନ୍ୟ ସମସ୍ତ ବାକି ରହିଥିବା ସମସ୍ୟାର ସମାଧାନ କରାଯାଉ। ଆଜିର ଏହି ଧର୍ମଘଟ କେବଳ ଏକ ଚେତାବନୀ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଯଦି ସରକାର ଓ ବ୍ୟାଙ୍କ କର୍ତ୍ତୃପକ୍ଷ ତୁରନ୍ତ ଏହି ଦାବିଗୁଡ଼ିକୁ ପୂରଣ ନ କରନ୍ତି, ତେବେ ଆଗାମୀ ଦିନରେ ବ୍ୟାଙ୍କିଙ୍ଗ୍ ସେବା ସମ୍ପୂର୍ଣ୍ଣ ଠପ୍ ହେବାକୁ ଯାଉଛି। ଘୋଷିତ ଆନ୍ଦୋଳନାତ୍ମକ ପନ୍ଥା ଅନୁଯାୟୀ, ଆସନ୍ତା ୨୮, ୨୯ ଓ ୩୦ ସେପ୍ଟେମ୍ବରରେ କ୍ରମାଗତ ୩ ଦିନ ପାଇଁ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ କରାଯିବ। ଏହାପରେ ମଧ୍ୟ ସମସ୍ୟାର ସମାଧାନ ନହେଲେ, ଆସନ୍ତା ୨୬ ଅକ୍ଟୋବର ୨୦୨୬ ଠାରୁ ଦେଶବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ୟାଙ୍କ ଧର୍ମଘଟ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଓଡିଶା ଗ୍ରାମୀଣ ବ୍ୟାଙ୍କ୍ ବିଭିନ୍ନ ୟୁନିଅନ୍ ମଧ୍ୟ ରୁ AOGBO ର ସଭାପତି ଶ୍ରୀଯୁକ୍ତ ମାନଭଞ୍ଜନ ମିଶ୍ର ସାଧାରଣ ସଂପାଦକ ପୀତବାସ ଜେନା OGBEA ରୁ ସଭାପତି ବିଶ୍ୱଜିତ୍ ମିଶ୍ର ସଂପାଦକ ହୃଷୀକେଶ ପାତ୍ର OGBOO ପକ୍ଷରୁ ସଭାପତି ସ୍ୱାର୍ଥକ ଆଚାର୍ଯ୍ୟ ସଂପାଦକ ଶୈଳେଶ ପଣ୍ଡା ସମେତ ବହୁ ବ୍ୟାଙ୍କ୍ କର୍ମଚାରି ଯୋଗ ଦେଇଥିଲେ। ବ୍ୟାଙ୍କ୍ କର୍ମ୍ଚାରି ମାନଂକ ବହୁ ଦିନର ଏହି ସମସ୍ୟା ଗୁଡ଼ିକ ର ତୁରନ୍ତ ଉପରିସ୍ଥ କର୍ତ୍ତୃପକ୍ଷ ହସ୍ତକ୍ଷେପ କରିବାକୁ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଗୁହାରି କରାଯାଇଛି। ଆଗାମୀ ଦିନରେ ଏହି ଆନ୍ଦୋଳନ ଯୋଗୁଁ ସାଧାରଣ ଜନତା ଏବଂ ବ୍ୟବସାୟୀମାନେ ବ୍ୟାଙ୍କିଙ୍ଗ୍ ସେବା ପାଇବାରେ ବଡ଼ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ପ୍ରକାଶ ପାଇଛି।
Ganjam (ଗଞ୍ଜାମ) • ରିପୋର୍ଟ: କବିରାଜ ପାତ୍ର, ସ୍ୱତନ୍ତ୍ର ପ୍ରତିନିଧି

ଆସିକା ଚିନିଶିଳ୍ପ ସମ୍ମୁଖରେ ଶ୍ରମିକଙ୍କ ଅନିର୍ଦ୍ଦିଷ୍ଟ କାଳ ଧାରଣା: ପ୍ରତିଶ୍ରୁତି ପୂରଣ ଦାବିରେ ଆନ୍ଦୋଳନ ତୀବ୍ର
ଆସିକା ସମବାୟ ଚିନିଶିଳ୍ପରେ ଶ୍ରମିକ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ପୂର୍ବରୁ ହୋଇଥିବା ତ୍ରିପାକ୍ଷିକ ଚୁକ୍ତି ଏବଂ 'କେ-ଫର୍ମ'ରେ ଦିଆଯାଇଥିବା ଲିଖିତ ପ୍ରତିଶ୍ରୁତି ପାଳନରେ କର୍ତ୍ତୃପକ୍ଷ ବାରମ୍ବାର ବିଳମ୍ବ କରୁଥିବା ଅଭିଯୋଗ କରି ଗତ ୧୦ ତାରିଖରୁ ଚିନିଶିଳ୍ପ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟ ଫାଟକ ସମ୍ମୁଖରେ ଏକ ଅନିର୍ଦ୍ଦିଷ୍ଟ କାଳ ଧାରଣା ଆରମ୍ଭ ହୋଇଯାଇଛି। ଏହି ଆନ୍ଦୋଳନରେ ଶତାଧିକ ଶ୍ରମିକ ଓ କର୍ମଚାରୀ ସାମିଲ ହୋଇ ପ୍ରଶାସନ ବିରୋଧରେ ନିଜର ଆକ୍ରୋଶ ପ୍ରକାଶ କରିଛନ୍ତି। ସଂଘ ପକ୍ଷରୁ ମୁଖ୍ୟତଃ ତିନୋଟି ପ୍ରମୁଖ ଦାବି ଉପସ୍ଥାପନ କରାଯାଇଛି, ଯେଉଁଥିରେ ଏନ୍.ଏମ୍.ଆର୍ (NMR) ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର ପ୍ରଦାନ କରିବା, ବିଗତ ଚାରି ବର୍ଷର ବକେୟା ପ୍ରୋତ୍ସାହନ ରାଶି ତୁରନ୍ତ ପ୍ରଦାନ କରିବା ଏବଂ ସମସ୍ତ ଯୋଗ୍ୟ ଶ୍ରମିକଙ୍କୁ ପଦୋନ୍ନତି ଦେବା ସାମିଲ ରହିଛି। ସର୍ବଭାରତୀୟ ଏଆଇଟିୟୁସି (AITUC) ନେତା ରାମକୃଷ୍ଣ ପଣ୍ଡାଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଏହି ଆନ୍ଦୋଳନ ଚାଲିଥିବା ବେଳେ ବହୁ ସଂଖ୍ୟାରେ ସଂଘର କର୍ମକର୍ତ୍ତା ଓ ସ୍ଥାନୀୟ ନେତୃବୃନ୍ଦ ଧାରଣାସ୍ଥଳରେ ଉପସ୍ଥିତ ରହି ଶ୍ରମିକମାନଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି। ସଂଘର ସ୍ପଷ୍ଟ ଚେତାବନୀ ଯେ, ଯଦି ଚୁକ୍ତି ଅନୁଯାୟୀ ପ୍ରତିଶ୍ରୁତିଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରାନଯାଏ, ତେବେ ଆଗାମୀ ଦିନରେ ଏହି ଧାରଣା ଆହୁରି ଉଗ୍ର ରୂପ ନେବ ଏବଂ ଏହା ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ରହିବ। ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଶ୍ରମିକ ଆନ୍ଦୋଳନର ପରବର୍ତ୍ତୀ ପଦକ୍ଷେପ କଣ ହେବ ଏବଂ ମିଲ୍ କର୍ତ୍ତୃପକ୍ଷ ଶ୍ରମିକମାନଙ୍କର ଏହି ନ୍ୟାଯ୍ୟ ଦାବି ଉପରେ କି ପ୍ରକାର ସକାରାତ୍ମକ ପଦକ୍ଷେପ ନେଉଛନ୍ତି, ତାହା ଏବେ ଦେଖିବାକୁ ବାକି ରହିଲା।
Ganjam (ଗଞ୍ଜାମ) • ରିପୋର୍ଟ: କବିରାଜ ପାତ୍ର, ସ୍ୱତନ୍ତ୍ର ପ୍ରତିନିଧି

ଭଦ୍ରକରେ ଭୟଙ୍କର ଦୁର୍ଘଟଣା: ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ, ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ
ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥର ବିଷ୍ଣୁପୁର ଛକ ନିକଟରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ କେନ୍ଦୁଆପଦା ଗଣ୍ଡଗରା ଗ୍ରାମର ଅଶୋକ ସେଠୀ (୪୫) ବୋଲି ସୂଚନା ମିଳିଛି। ସେ ଘରୁ ବାହାରି ବାଇକ୍ରେ ଭଦ୍ରକ ଯାଉଥିବା ବେଳେ ବିଷ୍ଣୁପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସମ୍ପୃକ୍ତ ଟ୍ରକ୍କୁ ଅଟକାଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ତାଙ୍କ ଝିଅର ପାଠପଢ଼ା ପାଇଁ ସହାୟତା ଦାବି କରି ପରିବାର ଓ ସ୍ଥାନୀୟ ଲୋକେ ରାଜପଥ ଅବରୋଧ କରିଛନ୍ତି। ଫଳରେ ୧୬ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ଯାତ୍ରୀମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖବର ପାଇ ଘଟଣାସ୍ଥଳରେ ଭଦ୍ରକ ଅତିରିକ୍ତ ଏସ୍ପି, ତହସିଲଦାର, ଧାମନଗର ଏସ୍ଡିପିଓ ଏବଂ ପୋଲିସ ଟିମ୍ ପହଞ୍ଚିଛନ୍ତି। ପରିସ୍ଥିତି ଉପରେ ପୋଲିସ ନଜର ରଖିଥିବା ବେଳେ ରାଜପଥ ଅବରୋଧ ହଟାଇବା ପାଇଁ ଆଲୋଚନା ଜାରି ରହିଛି।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ମୃତ୍ୟୁ ପରେ ଶରୀର ଦାନ କରିବେ ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର
ବରଗଡ଼: ମାନବ ସେବା ଓ ସମାଜ କଲ୍ୟାଣର ଏକ ମହତ୍ ଉଦାହରଣ ସୃଷ୍ଟି କରିଛନ୍ତି ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର। ମୃତ୍ୟୁ ପରେ ନିଜ ଶରୀର ଦାନ କରିବାକୁ ସେ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସମାଜ ଓ ମାନବ କଲ୍ୟାଣରେ ନିଜ ଶରୀର ଉପଯୋଗୀ ହେଉ ଏବଂ ମୃତ୍ୟୁ ପରେ ମଧ୍ୟ ମାନବ ସମାଜର କିଛି କାମରେ ଆସିପାରିବ—ଏହି ମହତ୍ ଉଦ୍ଦେଶ୍ୟରେ ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ରମେଶ ମହାପାତ୍ରଙ୍କ ଏହି ନିଷ୍ପତ୍ତିକୁ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଛି। ତାଙ୍କର ଏହି ମହତ୍ ପଦକ୍ଷେପ ସମାଜର ଅନ୍ୟମାନଙ୍କୁ ମଧ୍ୟ ମୃତ୍ୟୁ ପରେ ଶରୀର ଦାନ ଭଳି ମାନବିକ କାର୍ଯ୍ୟ ପାଇଁ ପ୍ରେରଣା ଯୋଗାଇବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ମାନବ ସେବାକୁ ଜୀବନର ଏକ ଅଂଶ ଭାବେ ଗ୍ରହଣ କରି ମୃତ୍ୟୁ ପରେ ମଧ୍ୟ ସମାଜ ପାଇଁ ନିଜ ଅବଦାନ ରଖିବାର ଏହି ନିଷ୍ପତ୍ତି ନିଶ୍ଚିତ ଭାବେ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।
Bargarh (ବରଗଡ଼) • ସତ୍ୟ ସୁରୁଜଳ
