ଜମି କିସମ ପରିବର୍ତ୍ତନ ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ: ଭିଜିଲାନ୍ସ ଜାଲରେ ପିପିଲିର RI ଓ ARI
Puri (ପୁରୀ)ରିପୋର୍ଟ ପ୍ରତାପ ଚନ୍ଦ୍ର ଘୋଡେ଼ଇ ପିପିଲିSeptember 7, 202652 views

ପିପିଲି : ପୁରୀ ଜିଲ୍ଲା ପିପିଲି ତହସିଲ ଅନ୍ତର୍ଗତ ସିଉଳା ଆର.ଆଇ. ସର୍କଲର ରାଜସ୍ୱ ନିରୀକ୍ଷକ (RI) କଲ୍ୟାଣୀ ଜେନା ଏବଂ ସହକାରୀ ରାଜସ୍ୱ ନିରୀକ୍ଷକ (ARI) ପୂର୍ଣ୍ଣଚନ୍ଦ୍ର ବେହେରା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜମିର କିସମ ପରିବର୍ତ୍ତନ (ମ୍ୟୁଟେସନ) ରିପୋର୍ଟ ଆଗକୁ ପଠାଇବା ପାଇଁ ଜଣେ ଆବେଦନକାରୀଙ୍କଠାରୁ ୩୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଉଭୟଙ୍କୁ ରେଡ୍ହାଣ୍ଡେଡ୍ କାବୁ କରିଛି।ଜଣେ ସ୍ଥାନୀୟ ବ୍ୟକ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିୟମାନୁସାରେ ନିଜର ଚାଷ ଜମିକୁ ଘରବାରୀ କିସମକୁ ପରିବର୍ତ୍ତନ (Land Conversion) କରିବା ପାଇଁ ଆବେଦନ କରିଥିଲେ। କାମର ସ୍ଥିତି ବୁଝିବା ପାଇଁ ସେ ସିଉଳା ଆର.ଆଇ. କାର୍ଯ୍ୟାଳୟକୁ ଯାଇଥିବା ବେଳେ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି ଉପରସ୍ଥ ଅଧିକାରୀଙ୍କ ପାଖକୁ ପଠାଇବା ବାବଦକୁ ଆର.ଆଇ. କଲ୍ୟାଣୀ ଜେନା ଏବଂ ଏ.ଆର.ଆଇ. ପୂର୍ଣ୍ଣଚନ୍ଦ୍ର ବେହେରା ୩୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଆବେଦନକାରୀ ବାରମ୍ବାର ନେହାକାକୁତି ହୋଇଥିଲେ ସୁଦ୍ଧା ଉଭୟ ସରକାରୀ କର୍ମଚାରୀ ଟଙ୍କା ନଦେଲେ କାମ ହୋଇପାରିବ ନାହିଁ ବୋଲି ଜିଦ୍ ଧରି ବସିଥିଲେ। ସରକାରୀ ଅଧିକାରୀଙ୍କ ଏପରି ବେଆଇନ ଲାଞ୍ଚ ଦାବିରେ ଅତିଷ୍ଠ ହୋଇ ଆବେଦନକାରୀ ଶେଷରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଏକ ସ୍ୱତନ୍ତ୍ର ଫାନ୍ଦ (Trap) ପ୍ରସ୍ତୁତ କରାଯାଇଥିଲା। ଯୋଜନା ମୁତାବକ, ଆବେଦନକାରୀ ୩୫,୦୦୦ ଟଙ୍କା ଲାଞ୍ଚ ଦେଉଥିବା ସମୟରେ ପୂର୍ବରୁ ଓଲି ରହିଥିବା ଭିଜିଲାନ୍ସ ଟିମ୍ ଚଢ଼ଉ କରି ଦୁହିଁଙ୍କୁ ରଙ୍ଗେହାତ ଗିରଫ କରିଥିଲେ। ଘଟଣାସ୍ଥଳରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଗିରଫଦାରୀ ପରେ ଅଭିଯୁକ୍ତଙ୍କ ଅପ୍ରାପ୍ତ ସମ୍ପତ୍ତି (Disproportionate Assets) ଠାବ କରିବା ପାଇଁ ଭିଜିଲାନ୍ସ ପକ୍ଷରୁ ଏକ ସମୟରେ ୩ଟି ସ୍ଥାନରେ ଚଢ଼ଉ ଜାରି ରହିଛି: ସିଉଳାସ୍ଥିତ ଆର.ଆଇ. କାର୍ଯ୍ୟାଳୟ। ଚାରିଛକ ନିକଟସ୍ଥ ବ୍ରହ୍ମକୁମୁଡ଼ି ଏବଂ ଚନ୍ଦନପୁର ନିକଟସ୍ଥଅଚ୍ୟୁତପୁରସ୍ଥିତ ବାସଭବନ।ଭୁବନେଶ୍ୱର ରସୁଲଗଡ଼ସ୍ଥିତ ବାସଭବନ।
ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ 'ଦୁର୍ନୀତି ନିବାରଣ (ସଂଶୋଧନ) ଅଧିନିୟମ, ୨୦୧୮' ଅଧୀନରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି
