--:--:--
-- ---
Srishti News

DIET ସରକାରୀ ବାସଭବନରେ ଝୁଲୁଛି ତାଲା: ପ୍ରିନ୍ସିପାଲ୍ କ୍ୱାର୍ଟର ପରିତ୍ୟକ୍ତ, ରକ୍ଷଣାବେକ୍ଷଣ ନେଇ ଉଠିଲା ପ୍ରଶ୍ନ

Ganjam (ଗଞ୍ଜାମ)ଶିବରାମ ଜେନାSeptember 7, 202656 views
DIET ସରକାରୀ ବାସଭବନରେ ଝୁଲୁଛି ତାଲା: ପ୍ରିନ୍ସିପାଲ୍ କ୍ୱାର୍ଟର ପରିତ୍ୟକ୍ତ, ରକ୍ଷଣାବେକ୍ଷଣ ନେଇ ଉଠିଲା ପ୍ରଶ୍ନ
ଖଲ୍ଲିକୋଟ, ୭/୯: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରାଜପ୍ରାସାଦ ପରିସରରେ ଥିବା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET)ର ସରକାରୀ ବାସଭବନ ଦୀର୍ଘଦିନ ଧରି ଅବ୍ୟବହୃତ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି। ଅନୁଷ୍ଠାନର ଅଧ୍ୟକ୍ଷଙ୍କ ପାଇଁ ନିର୍ମିତ ସରକାରୀ କ୍ୱାର୍ଟରରେ ସବୁବେଳେ ତାଲା ଝୁଲୁଥିବା ବେଳେ ଏହାର ଚତୁଃପାର୍ଶ୍ୱରେ ଅନାବନା ଗଛଲତା ମାଡ଼ି ଯାଇଥିବା ଦେଖାଯାଉଛି। ସୂଚନା ଅନୁଯାୟୀ, ଖଲ୍ଲିକୋଟ ରାଜପ୍ରାସାଦରେ ଥିବା ଏହି ଶିକ୍ଷାନୁଷ୍ଠାନ ୧୯୯୪ ମସିହାରୁ କାର୍ଯ୍ୟକ୍ଷମ ହୋଇଆସୁଛି। ପ୍ରଥମେ ଏହା ଇ.ଟି., ପରେ ସି.ଟି. ଭାବେ ପରିଚାଳିତ ହୋଇଥିବା ବେଳେ ବର୍ତ୍ତମାନ DIET ଭାବେ କାର୍ଯ୍ୟ କରୁଛି। ସବୁଜ ବନାନୀ ମଧ୍ୟରେ ଅବସ୍ଥିତ ଏହି ପ୍ରତିଷ୍ଠାନର ପରିବେଶ ଆକର୍ଷଣୀୟ ହୋଇଥିବା ସତ୍ତ୍ୱେ ଅଧ୍ୟକ୍ଷଙ୍କ ସରକାରୀ ବାସଭବନର ଅବସ୍ଥା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ଅନୁଯାୟୀ, ବାସଭବନଟି ବ୍ୟବହାରରେ ନଥିଲେ ମଧ୍ୟ ପ୍ରତିବର୍ଷ ଏହାର ମରାମତି, ଚୂନଧଉଳା ଓ ରଙ୍ଗ କାମ ଆଦି ପାଇଁ କଣ୍ଟିଜେନ୍ସି ଫଣ୍ଡରୁ ଅର୍ଥ ବ୍ୟୟର ଅଟକଳ କରାଯାଉଥିବା ଅଭିଯୋଗ ରହିଛି। ଏହି ପରିପ୍ରେକ୍ଷୀରେ ସରକାରୀ ଅର୍ଥର ବ୍ୟବହାର ଓ କ୍ୱାର୍ଟରର ପ୍ରକୃତ ବ୍ୟବହାରିକ ସ୍ଥିତି ନେଇ ପ୍ରଶ୍ନ ଉଠିଛି। ବର୍ତ୍ତମାନ କ୍ୱାର୍ଟରର ଚାରିପାଖରେ ଗଛଲତା ଓ ଅନାବନା ଘାସ ବଢ଼ି ପରିସରକୁ ଆଚ୍ଛାଦିତ କରିଥିବାରୁ ଏହାର ରକ୍ଷଣାବେକ୍ଷଣ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସରକାରୀ ଅର୍ଥରେ ନିର୍ମିତ ଏହି ବାସଭବନ କାହା ପାଇଁ ଉଦ୍ଦିଷ୍ଟ ଏବଂ ଦୀର୍ଘଦିନ ଧରି କାହିଁକି ବ୍ୟବହାର ହେଉନାହିଁ, ତାହାର ସ୍ପଷ୍ଟତା ଦାବି ହୋଇଛି। ଏ ସମ୍ପର୍କରେ ଖଲ୍ଲିକୋଟ ଖୋଲସାହିର ବାସିନ୍ଦା ତଥା ଅନୁଷ୍ଠାନର ପୁରାତନ ଛାତ୍ର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଓ ସାମାଜିକ କର୍ମୀ ଶିବରାମ ଜେନା ପୂର୍ବରୁ ବିଭିନ୍ନ ସମୟରେ ଗଣମାଧ୍ୟମ ଜରିଆରେ ସରକାର ଓ ସମ୍ପୃକ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି। ତଥାପି ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ତେଣୁ ସମ୍ପୃକ୍ତ ଉଚ୍ଚ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରି ସରକାରୀ ବାସଭବନର ବ୍ୟବହାର, ରକ୍ଷଣାବେକ୍ଷଣ ଓ ଏଥିପାଇଁ ହେଉଥିବା ଅର୍ଥ ବ୍ୟୟର ସ୍ଥିତି ଯାଞ୍ଚ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।