ଭଦ୍ରକରେ ଦୁଇ ତୀର୍ଥଯାତ୍ରୀ ବସ୍ ମଧ୍ୟରେ ଭୟାବହ ଦୁର୍ଘଟଣା
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁSeptember 23, 202627 views

୨୦ରୁ ଅଧିକ ଯାତ୍ରୀ ଆହତ, ୧୪ ଜଣଙ୍କ ଅବସ୍ଥା ଗୁରୁତର
ଭଦ୍ରକ: ଭଦ୍ରକ ଜିଲ୍ଲାରେ ଦୁଇ ତୀର୍ଥଯାତ୍ରୀ ବସ୍ ମଧ୍ୟରେ ଘଟିଛି ଭୟାବହ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ୧୬ ନମ୍ବର ଜାତୀୟ ରାଜପଥର ଧାମରା ରେଲୱେ ଓଭରବ୍ରିଜ୍ ନିକଟରେ ଗତ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ରାତି ପ୍ରାୟ ୨ଟା ୨୫ ମିନିଟ୍ ସମୟରେ ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍ ଆଗରେ ଯାଉଥିବା ଅନ୍ୟ ଏକ ତୀର୍ଥଯାତ୍ରୀ ବସ୍କୁ ପଛପଟୁ ଧକ୍କା ଦେଇଥିଲା।
ଦୁର୍ଘଟଣାର ତୀବ୍ରତା ଏତେ ଅଧିକ ଥିଲା ଯେ ଉଭୟ ବସ୍ରେ ଥିବା ଅନେକ ଯାତ୍ରୀ ଆହତ ହୋଇଥିଲେ। ରାତି ଅଧରେ ଜାତୀୟ ରାଜପଥ ଉପରେ ହଠାତ୍ ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା।
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଗ୍ରାମାଞ୍ଚଳ ପୁଲିସ ଓ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାରୀ ଦଳ ଆହତ ଯାତ୍ରୀମାନଙ୍କୁ ବସ୍ରୁ ବାହାର କରି ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ।
ଗୁରୁତର ଆହତ ଯାତ୍ରୀମାନଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଉଥିବା ବେଳେ ଦୁର୍ଘଟଣାର ପ୍ରକୃତ କାରଣ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ତୀର୍ଥଯାତ୍ରୀମାନେ ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।
ଦୁର୍ଘଟଣା ପରେ ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାତାୟାତ ପ୍ରଭାବିତ ହୋଇଥିବା ବେଳେ ପୁଲିସ ପକ୍ଷରୁ ଘଟଣାସ୍ଥଳରେ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା।
