--:--:--
-- ---
Srishti News

ଦେବଗଡ଼ ମେଡିକାଲରେ କିନ୍ନରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ଚିକିତ୍ସା ଅବହେଳା ଅଭିଯୋଗ

Deogarh (ଦେଓଗଡ଼)ସୌମ୍ୟ ବ୍ରତ ଦଳବେହେରା ଙ୍କ ରିପୋର୍ଟSeptember 23, 202616 views
ଦେବଗଡ଼ ମେଡିକାଲରେ କିନ୍ନରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ଚିକିତ୍ସା ଅବହେଳା ଅଭିଯୋଗ
ଦେବଗଡ଼: ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ଘଟିଥିବା ଅଭିଯୋଗ କରି କିନ୍ନର ସଂଘ ପକ୍ଷରୁ ମେଡିକାଲ ପରିସରରେ ପ୍ରତିବାଦ କରାଯାଇଛି। ମୃତକ ହେଉଛନ୍ତି ଦେବଗଡ଼ ପୌରାଞ୍ଚଳ ବାସୁଦେବପୁରର ନଗେନ ବାଗ (୨୬)। ସୂଚନା ଅନୁସାରେ, ଜ୍ୱରରେ ପୀଡ଼ିତ ହେବା ପରେ ଆଜି ସକାଳେ ନଗେନଙ୍କୁ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସନ୍ଧ୍ୟା ସମୟରେ ଏକ ଇଞ୍ଜେକ୍ସନ୍ ଦିଆଯିବା ପରେ ତାଙ୍କର ମୃତ୍ୟୁ ଘଟିଥିବା କିନ୍ନର ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ଘଟଣା ପରେ କିନ୍ନର ସମାଜର ସଦସ୍ୟମାନେ ମେଡିକାଲ ପରିସରରେ ପହଞ୍ଚି ପ୍ରତିବାଦ କରିଥିଲେ। ସମ୍ପୃକ୍ତ ଚିକିତ୍ସକଙ୍କ ବିରୋଧରେ ନିରପେକ୍ଷ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି। ଖବର ପାଇ ଦେବଗଡ଼ ଆଦର୍ଶ ଥାନା ପୋଲିସ ମେଡିକାଲ ପରିସରରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲା। ସୂଚନା ଅନୁସାରେ, ନଗେନ ବାଗ ଜଣେ ପ୍ରତିଭାସମ୍ପନ୍ନ ଦଣ୍ଡ କଳାକାର ଭାବେ ଦେବଗଡ଼ ଓ ଅନୁଗୋଳ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ଅକାଳ ମୃତ୍ୟୁରେ କିନ୍ନର ସମାଜ ସମେତ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି। ତେବେ ନଗେନଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ, ଚିକିତ୍ସା ସମୟରେ କୌଣସି ଅବହେଳା ହୋଇଥିଲା କି ନାହିଁ ଏବଂ ଇଞ୍ଜେକ୍ସନ୍ ଦିଆଯିବା ସହ ମୃତ୍ୟୁର କୌଣସି ସମ୍ପର୍କ ରହିଛି କି ନାହିଁ—ତାହା ତଦନ୍ତ ଓ ଚିକିତ୍ସାସମ୍ବନ୍ଧୀୟ ରିପୋର୍ଟ ପରେ ସ୍ପଷ୍ଟ ହେବ।