Web News

ନିରାକାରପୁର–ପୁରୀ ନୂଆ ଜଗନ୍ନାଥ ସଡ଼କ ପାଲଟିଛି ମରଣଯନ୍ତା
ଖୋର୍ଦ୍ଧା- ନିରାକାରପୁର–ପୁରୀ ନୂଆ ଜଗନ୍ନାଥ ସଡ଼କ ଏବେ ଯାତ୍ରୀ ଓ ବାଟୋଇଙ୍କ ପାଇଁ ପାଲଟିଛି ମରଣଯନ୍ତା। ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା, ଗର୍ତ୍ତ ଓ ବର୍ଷାଜଳ ଜମି ରହିବା ଯୋଗୁଁ ଯାତାୟାତ ସମୟରେ ଦୁର୍ଘଟଣାର ଆଶଙ୍କା ବଢ଼ିଛି।ପ୍ରତିଦିନ ଏହି ରାସ୍ତାରେ ଯାତ୍ରୀ, ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ଯାତାୟାତ କରୁଥିବା ବେଳେ ରାସ୍ତାର ଦୁରବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। ତୁରନ୍ତ ରାସ୍ତା ମରାମତି କରି ଯାତାୟାତକୁ ସୁରକ୍ଷିତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ବୋଲଗଡ଼ରେ ପ୍ରବଳ ବର୍ଷା, ପବନରେ ବିଦ୍ୟୁତ ସେବା ବିପର୍ଯ୍ୟସ୍ତ
ଖୋର୍ଦ୍ଧା-ବୋଲଗଡ଼ ଅଞ୍ଚଳରେ ଗୁରୁବାର ରାତିରେ ପ୍ରବଳ ବର୍ଷା ସହ ଜୋରଦାର ପବନ ବହିଥିଲା। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦୀର୍ଘ ସମୟ ଧରି ବିଦ୍ୟୁତ ନଥିବାରୁ ଅଞ୍ଚଳବାସୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିଦ୍ୟୁତ ବିଭାଗ ପକ୍ଷରୁ ତ୍ରୁଟି ମରାମତି କରି ସେବା ସ୍ୱାଭାବିକ କରିବାକୁ ପ୍ରୟାସ ଜାରି ରହିଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଏକ ପେଡ୍ ମା କେ ନାମ୍ ୩.୦ ଅଭିଯାନରେ ବୃକ୍ଷରୋପଣ
ଢେଙ୍କାନାଳ, ୨୫.୯- ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ସଦେଇବେରେଣୀ କଳାକୃତି ଗ୍ରାମଠାରେ ଆଜି ‘ଏକ ପେଡ୍ ମା କେ ନାମ୍ ୩.୦’ ଅଭିଯାନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ୍ ଆମ୍ବ ଚାରା ରୋପଣ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠୀ ଏବଂ ଢେଙ୍କାନାଳ ସଦର ବିଡିଓ ଶ୍ରୀ ରାହୁଲ ମଣ୍ଡଳ ମଧ୍ୟ ଚାରା ରୋପଣ କରିଥିଲେ। ‘ଏକ ପେଡ୍ ମା କେ ନାମ୍ ୩.୦’ ଅଭିଯାନ ମାଧ୍ୟମରେ ପରିବେଶ ସୁରକ୍ଷା, ସବୁଜିମା ବୃଦ୍ଧି ଏବଂ ବୃକ୍ଷରୋପଣ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ଓ ଦାୟିତ୍ୱବୋଧ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବିପୁଳ ଉତ୍ସାହ ଓ ଉଦ୍ଦୀପନାର ସହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ ସେମାନଙ୍କ ଉତ୍ସାହରେ କୌଣସି ହ୍ରାସ ଦେଖାଯାଇନଥିଲା। ସଦସ୍ୟାମାନେ ଆନନ୍ଦ ଓ ଉତ୍ସାହର ସହ ପରିସରରେ ୨୦୦ରୁ ଅଧିକ ଫଳଦାୟୀ ଓ ଅନ୍ୟାନ୍ୟ ଚାରା ରୋପଣ କରିଥିଲେ।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ପଲ୍ଲିଶ୍ରୀ ମେଳା-୨୦୨୬ ଆୟୋଜନ ନେଇ ପ୍ରସ୍ତୁତି ବୈଠକ
ଢେଙ୍କାନାଳ, ୨୫୯- ଆଗାମୀ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅବସରରେ ଢେଙ୍କାନାଳ ମହିଷାପାଟ ପଡ଼ିଆଠାରେ ଆୟୋଜିତ ହେବାକୁ ଥିବା ପଲ୍ଲିଶ୍ରୀ ମେଳା-୨୦୨୬ର ସୁଚାରୁ ଆୟୋଜନ ନେଇ ଆଜି ସଦ୍ଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ୍ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରମେଶ ଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଲଳିତ ମୋହନ ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠୀ, ଉପଜିଲ୍ଲାପାଳ ଶ୍ରୀ ପଦ୍ମଚରଣ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଓରମାସର ଉପମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୁବଳ କୁମାର ଜେନାମଣି ବୈଠକ ପରିଚାଳନା କରିଥିଲେ। ବୈଠକରେ ମେଳାରେ ଷ୍ଟଲ୍ ନିର୍ମାଣ, ଖାଦ୍ୟ ଷ୍ଟଲ୍ ଓ ଫୁଡ୍ ପ୍ଲାଜା, ଅଂଶଗ୍ରହଣକାରୀଙ୍କ ରହଣି, ବିଦ୍ୟୁତ୍ ଯୋଗାଣ, ଜଳ ଯୋଗାଣ, ପୋଲିସ୍ ବ୍ୟବସ୍ଥା ଓ ଟ୍ରାଫିକ୍ ନିୟନ୍ତ୍ରଣ, ଅଗ୍ନିଶମ ବ୍ୟବସ୍ଥା, ପରିମଳ ଓ ପରିଚ୍ଛନ୍ନତା, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରାଥମିକ ଚିକିତ୍ସା, ବୀମା, ଅସ୍ଥାୟୀ ଶୌଚାଳୟ, ପାର୍କିଂ, ପ୍ରଚାରପ୍ରସାର, ବ୍ୟାଙ୍କିଂ ସୁବିଧା ଓ ହ୍ୱିଲ୍ଚେୟାର ବ୍ୟବସ୍ଥା ଆଦି ବିଷୟରେ ଆଲୋଚନା କରାଯାଇଥିଲା। ମେଳା ସମୟରେ ପ୍ରତିଦିନ ବହୁ ସଂଖ୍ୟକ ଦର୍ଶକ ଓ ଅଂଶଗ୍ରହଣକାରୀଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା ସମୟ ପୂର୍ବରୁ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ଶ୍ରୀ ପାଟିଲ୍ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ସ୍ୱଚ୍ଛତା, ପରିମଳ ଓ ପରିଚ୍ଛନ୍ନତା ପ୍ରତି ଅଧିକ ଧ୍ୟାନ ଦେବା ସହ ମେଳା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମହିଷାପାଟ ପଡ଼ିଆ ଚାରିପାଖରେ ଥିବା ଅବୈଧ ଜବରଦଖଲ ହଟାଇ ପଡ଼ିଆ ଓ ଏହାର ଆଖପାଖ ଅଞ୍ଚଳକୁ ଅଧିକ ପ୍ରଶସ୍ତ ଓ ସୁଗମ କରିବା ପାଇଁ ମଧ୍ୟ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ। ମେଳାକୁ ସୁବ୍ୟବସ୍ଥିତ, ସୁରକ୍ଷିତ ଓ ସ୍ୱଚ୍ଛ ଭାବେ ଆୟୋଜନ କରିବା ପାଇଁ ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ସ୍ତମ୍ଭକାର ପ୍ରେମାନନ୍ଦ ପାଣିଗ୍ରାହୀ ସମ୍ମାନୀତ
ଭୁବନ ତା ୨୫.୯ - ଭୁବନ ଅଞ୍ଚଳର ଯୁବ ଲେଖକ ,ସ୍ତମ୍ଭକାର ପ୍ରେମାନନ୍ଦ ପାଣିଗ୍ରାହୀଙ୍କୁ 'ନବମ ଭୁବନ ଗଣେଶ ମେଳଣ ମହୋତ୍ସବ -୨୦୨୬'ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଅନୁଷ୍ଠାନ ପକ୍ଷରୁ ଆୟୋଜିତ କନିଷ୍ଠ,ସର୍ବ କନିଷ୍ଠ ଓ ବରିଷ୍ଠ ବିଭାଗର ପ୍ରବନ୍ଧ ପ୍ରତିଯୋଗିତାର ବିଚାରକ ଭାବରେ ସେ ଦୀର୍ଘ ବର୍ଷ ଧରି ଦାୟିତ୍ଵ ସମ୍ପାଦନ କରିଆସୁଛନ୍ତି। ମହୋତ୍ସବର ଅନ୍ତିମ ଦିବସରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ମୁଖ୍ୟ ବକ୍ତା ଭାବରେ ଗୋବର୍ଦ୍ଧନ ପୀଠ, ପୁରୀର ଆଦିତ୍ୟ ବାହିନୀ ମୁଖ୍ୟ ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ସମ୍ମାନୀତ ଅତିଥି ଭାବରେ ସମାଜସେବୀ ଡଃ ଅବିନାଶ ସାମଲ, ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ, ଭୁବନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ,ଗୋପାଳକୃଷ୍ଣ ରାଓ,ସନ୍ଦିପ ଷଡ଼ଙ୍ଗୀ, ଗଣେଶ ମେଳଣ ମହୋତ୍ସବ କମିଟିର ସଭାପତି ସୁବ୍ରତ କୁମାର ସାହୁ ପ୍ରମୁଖ ପ୍ରେମାନନ୍ଦ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
Dhenkanal (ଢେଙ୍କାନାଳ) • Sushant Kumar Pothal

ବିଦାୟ ନେଲେ ପ୍ରଭୁ ଗଜାନନ ବାଜା, ବାଣ, ଡିଜେ ସାଉଣ୍ଡରେ ସହର ପ୍ରକମ୍ପିତ
ଢେ଼ଙ୍କାନାଳ ୨୫.୯- ବିଘ୍ନ ବିନାଶକ,ବିଦ୍ୟାଦାତା, ଅଗ୍ରପୂଜ୍ୟ ପ୍ରଭୁ ଗଜାନନ ଙ୍କ ଭସାଣି ଉତ୍ସବ ଯାକ ଯମକରେ ଅନୁଷ୍ଠିତ ହେଉଛି । ପ୍ରତିକୂଳ ପାଗ ( ତୁହାକୁ ତୁହା ବର୍ଷା) ସତ୍ତ୍ୱେ ବାଜା,ବାଣ , ଡି ଜେ ସାଉଣ୍ଡରେ ସାରା ସହର ଦୁଲୁକୁଛି । ଗତ ୧୪ ତାରିଖ ସୋମବାର ଠାରୁ ୨୧ଟି ମଣ୍ଡପ ରେ ପୂଜା ପାଉଥିବା ଗଣେଶ ମୂର୍ତ୍ତୀ ଆଜି ଭସାଣି ଉତ୍ସବରେ ସାମିଲ ହୋଇଛି । ଗଣେଶ ମେଲଣ ସଭାପତି ସୁବ୍ରତ କୁମାର ସାହୁ ଦିବା ୧୦ ଘଟିକା ସମୟରେ ମେଲଣ ପଡିଆ ଠାରେ ନଡ଼ିଆ ଭାଙ୍ଗି ଭସାଣି ଉତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ଯାତ୍ରା ଆରମ୍ଭ ହୋଇଥିଲା । ସର୍ବ ପ୍ରଥମେ ୧୨ ବର୍ଷ ପୂର୍ତ୍ତି ପାଳନ କରୁଥିବା ଫ୍ରେଣ୍ଡସିପ କ୍ଲବ୍ ଓ ତା ପଛକୁ ୨୦ ଟି କ୍ଲବ କ୍ରମାନ୍ୱୟରେ ଭସାଣି ଯାତ୍ରା ରେ ସାମିଲ ହୋଇ ରାମ ମନ୍ଦିର ଛକ , ଲାତବିଲ,ଗୋଡ଼ି ପୋଖରୀ ଛକ,ନୂଆ ବଜାର (ବସ ଷ୍ଟାଣ୍ଡ) ,ଗୁଜୁରି ହାଟ, ଦୁର୍ଗା ଛକ,ଲକ୍ଷ୍ମୀ ଛକ,ବଣିଆ ସାହି ଦେଇ ସହର ପରିକ୍ରମା କରୁଛନ୍ତି । ସମୁଦାୟ ୨୧ ଟି ମେଢ଼ ଯାତ୍ରାରେ ସାମିଲ ହୋଇଛି । ଗଣେଶ ପୂଜା ଶାନ୍ତି କମିଟି ସଭାପତି ସୁବ୍ରତ କୁମାର ସାହୁ, ସମ୍ପାଦକ ଜିତେନ୍ଦ୍ର ଦାସ ,ବରିଷ୍ଠ ସଦସ୍ୟ ପ୍ରଦୀପ୍ତ କୁମାର ସାହୁ ଙ୍କ ନେତୃତ୍ୱରେ ଯାକ ଜମକରେ ଗଣେଶ ପୂଜା ଭସାଣି ପାଳିତ ହେଉଛି । ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ତହସିଲଦାର ଜ୍ୟୋତିରୂପା ଶତପଥୀ,ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁ ଙ୍କ ତତ୍ତ୍ଵାବଧାନରେ ଜିଲ୍ଲାର ୪ ଥାନାର ଅଧିକାରୀ ୮ ଜଣ ଅଫିସର, ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ସମବାୟ ସଦସ୍ୟତା ମହାଅଭିଯାନ "ସମ୍ବନ୍ଧ" ଶୁଭାରମ୍ଭ "ସମବାୟ ହେଉଛି ଗ୍ରାମୀଣ ଅର୍ଥନୀତି ର ମେରୁଦଣ୍ଡ
ଢେଙ୍କାନାଳ, ତା. ୨୫.୯ - ଆଜି ସାରା ରାଜ୍ୟରେ ସମବାୟ ସଦସ୍ୟତା ମହା ଅଭିଯାନ "ସମ୍ବନ୍ଧ" ଶୁଭାରମ୍ଭ ହୋଇଛି । ଭୁବନେଶ୍ଵରସ୍ଥିତ ଓ.ୟୁ.ଏ.ଟି. ର କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ଉତ୍ସବରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚ଼ରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଭାଷି ମାଧ୍ୟମରେ ୪ଟି ମଡ଼େଲ ମଣ୍ଡି ଓ ୩ଟି ବୃହତ୍ ଶସ୍ୟ ଗୋଦାମର ଭିତ୍ତିପ୍ରସ୍ତର ସ୍ଥାପନ ସହିତ ଆଧୁନିକ ସୁବିଧା ଥିବା ୧୮୫ ଟି ଧାନ କ୍ରୟ କେନ୍ଦ୍ର ଓ ୬୬ ଟି ପ୍ୟାକ୍ସ ଏବଂ ଲ୍ୟାମ୍ପ୍ସର ଅଫିସ ଗୃହ ଓ ଗୋଦାମର ଶୁଭ ଉଦ୍ଘାଟନ କରିଥିଲେ । ଏଥିମଧ୍ୟରୁ ଢ଼େଙ୍କାନାଳ ଜିଲ୍ଲାର ୨୫ଟି ଧାନ କ୍ରୟ କେନ୍ଦ୍ରର ନୂତନ ଭିତ୍ତିଭୂମି ଲୋକାର୍ପିତ ହୋଇଛି । ଏହି ଅବସରରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟର ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ମୁଖ୍ୟ ଅତିଥି ଭାବେ ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ଏହି ସମ୍ବନ୍ଧ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳର ଅଧିକ ସଂଖ୍ୟକ ଲୋକ ମୁଖ୍ୟତଃ ଯୁବକ-ଯୁବତୀ ସାମିଲ ହେଲେ, କୃଷି ଓ ଗ୍ରାମାଞ୍ଚଳର ଦ୍ରୁତ ବିକାଶ ସମ୍ଭବ ହେବ ବୋଲି ମତବ୍ୟକ୍ତ କରିଥିଲେ । ଦୀର୍ଘ୍ୟକାଳୀନ ଓ ଫଳପ୍ରସୂ ବିକାଶ ପାଇଁ ଏହି ସମ୍ବନ୍ଧ ଅଭିଯାନ ବିଶେଷ ଭାବରେ ସହାୟକ ହେବ ବୋଲି ସେ କହିଥିଲେ । କୃଷି ଓ କୃଷକ ମାନଙ୍କ ଉନ୍ନତି କଳ୍ପେ ରାଜ୍ୟ ସରକାର ବିିଭିନ୍ନ କାର୍ଯ୍ୟକ୍ରମକୁ ଡ଼ିଜିଟାଇଜେସନ୍ ମାଧ୍ୟମରେ ତ୍ୱରାନ୍ୱିତ କରାଇ ସେମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସରକାର ଯତ୍ନବାନ ଅଛନ୍ତି ବୋଲି ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ଵ) ଶ୍ରୀ ଲଳିତ ମୋହନ ବେହେରା ପ୍ରକାଶ କହିଥିଲେ । ସମବାୟ ସମିତି ସମୂହର ଉପ-ନିବନ୍ଧକ ଶ୍ରୀ ଉମା ଶଙ୍କର ଦାସ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । ସମବାୟ ହେଉଛି ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ । ବର୍ତ୍ତମାନ ଜିଲ୍ଲାରେ ସମବାୟରେ ୨ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀ ସାମିଲ ଅଛନ୍ତି, ୨ ମାସ ଧରି ଚାଲିବାକୁ ଥିବା ଏହି ସମ୍ବନ୍ଧ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରରୁ ଜଣେ ଲେଖାଏଁ ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରାଇ ସମବାୟର ପରିବେଷ୍ଟନୀକୁ ଅଧିକ ବୃଦ୍ଧି କରାଯାଇ କୃଷି, କୃଷକ ଓ ଗ୍ରାମାଞ୍ଚଳରେ ସାମାଜିକ ବିକାଶକୁ ଆଗେଇ ନିଆଯିବ ବୋଲି ସେ ପ୍ରକାଶ କରିଥିଲେ । କୃଷି ସହିତ ଶିକ୍ଷା ଓ ମହିଳାଙ୍କ ସାମଗ୍ରିକ ବିକାଶ ସାଧାରଣ ଲୋକଙ୍କ ଜୀବନକୁ ସୁଖମୟ କରିବ ବୋଲି ସେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଚାଷୀ ଭାଇ ଭଉଣୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ସଂପଦ ଅଧିକାରୀ ଶ୍ରୀ ପ୍ରଭାଷ କୁମାର ବେହୁରା, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ହେମନ୍ତ କୁମାର ପଢ଼ିଆରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶୁଭଶ୍ରୀ ମିଶ୍ର ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଶ୍ରୀ ଅବନୀ ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ ।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ସିଂହପୁର ସ୍ଥିତ ଅଗ୍ରଣୀ ଶିକ୍ଷାଅନୁଷ୍ଠାନ ଖରସ୍ରୋତା ମହାବିଦ୍ୟାଳୟର ଗୌରବ ଗାଥା ଭିତ୍ତିକ ସଙ୍ଗୀତ କଟକ ବି.ଏମ୍ ଷ୍ଟୁଡିଓ ଠାରେ ରେକଡିଂ ହୋଇଯାଇଛି
ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଠା ରେ ସିଂହପୁର ର ଖରସ୍ରୋତା ମହାବିଦ୍ୟାଳୟ ଅନୁଷ୍ଠିତ ଏହି ମହାବିଦ୍ୟାଳୟର ଅନ୍ୟ ସମସ୍ତ ମହାବିଦ୍ୟାଳୟ ମଧ୍ୟରେ ଅନ୍ୟତମ ଅଟେ l ଜଜ୍ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁଧାଂଶୁ କୁମାର ଦାସ ଙ୍କ ତତ୍ତ୍ଵାବଧାନରେ ଗୀତଟି ସମ୍ପୂର୍ଣ୍ଣ ହୋଇଯାଇଛି। ଏହି ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକ। ଶିବନ୍ତ୍ ସରକାରୀ ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ ଡଃ ନଳିନୀ ପ୍ରଭା ଦାସ ଗୀତଟି କୁ ରଚନା କରିଛନ୍ତି। ଓଡ଼ିଶାର ସୁନାମଧନ୍ୟ ଚଳଚ୍ଚିତ୍ର ଗାୟକ କରୁଣା କର ସେଠୀ ଓ ବିଜୟିନୀ ଦାଶ କଣ୍ଠଦାନ କରିଥିଲେ। ବରିଷ୍ଠ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ସାମଲ, ଅଧ୍ୟାପକ କୈଳାସ ଚନ୍ଦ୍ର ମିଶ୍ର କାର୍ଯ୍ୟକ୍ରମକୁ ସଞ୍ଚାଳନା କରିଥିଲେ।
Jajpur (ଯାଜପୁର) • ଯାଜପୁର ବିଂଝାରପୁର ରୁ ଉଦୟ ନାଥ ଜେନା ଙ୍କ ରିପୋର୍ଟ

ଓଡ଼ିଶାରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମୃଦ୍ଧ’ର ଶୁଭାରମ୍ଭ: ପୁରୀଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ
ପୁରୀ: ওଡ଼ିଶାରେ ସମବାୟ ଆନ୍ଦୋଳନକୁ ଅଧିକ କ୍ରିୟାଶୀଳ ଓ ବ୍ୟାପକ କରିବା ଲକ୍ଷ୍ୟରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମୃଦ୍ଧ’ର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଭାସୀ (ଭର୍ଚୁଆଲ) ମାଧ୍ୟମରେ ଏହି ମହତ୍ତ୍ୱପୂର୍ଣ୍ଣ ମହାଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ମାନ୍ୟବର ସାଂସଦ ଡ. ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସମବାୟ ବ୍ୟବସ୍ଥା ଦ୍ୱାରା ତୃଣମୂଳ ସ୍ତରରେ ଲୋକମାନେ କିଭଳି ଆର୍ଥିକ ସମୃଦ୍ଧି ହାସଲ କରିପାରିବେ, ସେ ନେଇ ସେ ନିଜ ଅଭିଭାଷଣରେ ଆଲୋକପାତ କରିଥିଲେ। ଏହି ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ବେହେରାଙ୍କ ସମେତ ବିଭିନ୍ନ ବିଭାଗର ମାନ୍ୟଗଣ୍ୟ ଅତିଥି, ସମବାୟ ସମିତିର ସଦସ୍ୟ ଏବଂ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଏହି ଅଭିଯାନ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସମବାୟ ଆନ୍ଦୋଳନ ସହ ଯୋଡ଼ିବାରେ ଏକ ପ୍ରମୁଖ ମାଧ୍ୟମ ସାଜିବ ବୋଲି କାର୍ଯ୍ୟକ୍ରମରେ ଆଶା ପ୍ରକାଶ କରାଯାଇଛି।
Puri (ପୁରୀ) • ରିପୋର୍ଟ: ପ୍ରତାପ ଚନ୍ଦ୍ର ଘୋଡେ଼ଇ ପିପିଲି ପୁରୀ

ରକ୍ତ ଅଭାବରୁ ନଯାଉ କାହାରି ଜୀବନ ଡ଼. ବଳିଷ୍ଠ ଦୁର୍ଗାଙ୍କ ଜନ୍ମଦିନରେ ୨୧ ୟୁନିଟ୍ ରକ୍ତ ସଂଗ୍ରହ
ବରଗଡ଼: “ରକ୍ତର ବିକଳ୍ପ ନାହିଁ, ରକ୍ତଦାନ କରନ୍ତୁ, ଜୀବନ ବଞ୍ଚାନ୍ତୁ”—ଏହି ମାନବିକ ବାର୍ତ୍ତାକୁ ନେଇ ଜିଲ୍ଲା ସମାଜସେବୀ ସଂଘ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଜିଲ୍ଲା ସମାଜସେବୀ ସଂଘର ସଭାପତି ଡ଼. ବଳିଷ୍ଠ ଦୁର୍ଗାଙ୍କ ଶୁଭ ଜନ୍ମଦିନ ଅବସରରେ ବରଗଡ଼ ଆରଟିଓ ଅଫିସ୍ ନିକଟସ୍ଥ ହନୁମାନ ମନ୍ଦିର ପରିସରରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ସମୟରେ ରକ୍ତଭଣ୍ଡାରଗୁଡ଼ିକରେ ରକ୍ତର ଆବଶ୍ୟକତା ରହିଥିବା ବେଳେ ଏହି ଅଭାବକୁ ଦୂର କରିବା ଏବଂ ଜରୁରୀ ସମୟରେ ରୋଗୀଙ୍କୁ ରକ୍ତ ଯୋଗାଇବା ଉଦ୍ଦେଶ୍ୟରେ ଜିଲ୍ଲା ସମାଜସେବୀ ସଂଘ ପକ୍ଷରୁ ଏଭଳି ମହତ୍ ପ୍ରୟାସ କରାଯାଇଛି। ଶିବିରରେ ବରଗଡ଼ ଜିଲ୍ଲାର ବିଭିନ୍ନ ସଂଗଠନର କର୍ମକର୍ତ୍ତା, ବିଭିନ୍ନ ଗ୍ରାମ ପଞ୍ଚାୟତର ଯୁବକ ଏବଂ ଜିଲ୍ଲା ସମାଜସେବୀ ସଂଘର ସଦସ୍ୟ-ସଦସ୍ୟାମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ରକ୍ତଦାତାମାନେ ଉତ୍ସାହର ସହ ଏହି ମହତ୍ କାର୍ଯ୍ୟରେ ସାମିଲ ହୋଇ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଥିଲେ। ଏହି ଶିବିରରୁ ସର୍ବମୋଟ ୨୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ବରଗଡ଼ ରକ୍ତଭଣ୍ଡାରର ଭ୍ରମଣଶୀଳ ରକ୍ତ ସଂଗ୍ରହ ଗାଡ଼ି ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଏହି ରକ୍ତ ଆବଶ୍ୟକତା ସମୟରେ ରୋଗୀଙ୍କ ଜୀବନ ରକ୍ଷାରେ ସହାୟକ ହେବ। ଶିବିରକୁ ଯୁବ ନେତା ତଥା ସମାଜସେବୀ ଶ୍ରୀ ନବକିଶୋର ପାଣିଗ୍ରାହୀ ଫିତା କାଟି ଉଦ୍ଘାଟନ କରିଥିଲେ। ଏହି ଅବସରରେ ସମାଜସେବୀ ତଥା ଶିକ୍ଷାବିତ୍, ପୂର୍ବତନ କାମଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରେମାନନ୍ଦ ପଟେଲ, ସମାଜସେବୀ ସଂଘର ବରିଷ୍ଠ ସଦସ୍ୟ ମିଠାରାମ ସାହୁ, ଅଶୋକ ଅଗ୍ରୱାଲଙ୍କ ସମେତ ସଂଘର ବହୁ ସଦସ୍ୟ ଓ ସମାଜସେବୀ ଉପସ୍ଥିତ ଥିଲେ। ଜନ୍ମଦିନକୁ କେବଳ ଉତ୍ସବ ଭାବେ ପାଳନ ନକରି ରକ୍ତଦାନ ଭଳି ମହତ୍ କାର୍ଯ୍ୟ ମାଧ୍ୟମରେ ଏହାକୁ ସ୍ମରଣୀୟ କରିବାର ଏହି ପ୍ରୟାସକୁ ନେଇ ସାଧାରଣ ମହଳରେ ପ୍ରଶଂସା ପ୍ରକାଶ ପାଇଛି। ଆଗାମୀ ଦିନରେ ମଧ୍ୟ ରକ୍ତ ଅଭାବ ଦୂର କରିବା ପାଇଁ ଏଭଳି ମାନବିକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜିଲ୍ଲା ସମାଜସେବୀ ସଂଘ ପକ୍ଷରୁ କୁହାଯାଇଛି। “ରକ୍ତଦାନ ହେଉଛି ମହତ୍ ଦାନ—ଆପଣଙ୍କ ଦିଆ ରକ୍ତ କାହାରି ଜୀବନ ବଞ୍ଚାଇପାରେ।”
Bargarh (ବରଗଡ଼) • ସତ୍ୟ ସୁରୁଜଳ

ଧନୁଯାତ୍ରାରେ କଂସ ଚରିତ୍ର ଚୟନକୁ ନେଇ ଦାବି ପୁନଃ ଚୟନ ସହ ସ୍ୱଚ୍ଛ ଓ ନିରପେକ୍ଷ ପ୍ରକ୍ରିୟା ପାଇଁ ଧନୁଯାତ୍ରା କମିଟିକୁ ଦାବିପତ୍ର
ବରଗଡ଼: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଚରିତ୍ର ଚୟନକୁ ନେଇ ନୂଆ ଦାବି ଉଠିଛି। କଂସ ଚରିତ୍ରର ଚୟନ ପ୍ରକ୍ରିୟାକୁ ପୁନଃ କରିବା ସହ ଏହାକୁ ଅଧିକ ସ୍ୱଚ୍ଛ, ନିରପେକ୍ଷ ଓ ନ୍ୟାୟସଙ୍ଗତ କରିବାକୁ ଧନୁଯାତ୍ରା ମହୋତ୍ସବ କମିଟିର ସଭାପତିଙ୍କ ନିକଟରେ ଦାବି କରାଯାଇଛି। ସେପ୍ଟେମ୍ବର ୨୪ ତାରିଖରେ ଦିଆଯାଇଥିବା ଦାବିପତ୍ରରେ କୁହାଯାଇଛି ଯେ, ବରଗଡ଼ ଧନୁଯାତ୍ରା କେବଳ ଏକ ଉତ୍ସବ ନୁହେଁ, ଏହା ବରଗଡ଼ର ସାଂସ୍କୃତିକ ପରିଚୟ। ଧନୁଯାତ୍ରାର ମୁଖ୍ୟ ଆକର୍ଷଣ କଂସ ମହାରାଜଙ୍କ ଚରିତ୍ର ହୋଇଥିବାରୁ ଏହି ଚରିତ୍ର ପାଇଁ ଚୟନ ପ୍ରକ୍ରିୟାକୁ ନେଇ ସ୍ପଷ୍ଟତା ଓ ଜନସ୍ୱୀକୃତି ରହିବା ଆବଶ୍ୟକ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଦାବିପତ୍ରରେ କଂସ ଚରିତ୍ର ପାଇଁ ନୂତନ ଭାବେ ସ୍ୱଚ୍ଛ ଓ ନିରପେକ୍ଷ ଚୟନ ପ୍ରକ୍ରିୟା କରିବାକୁ କୁହାଯାଇଛି। ଏହା ସହ ଚୟନ ପ୍ରକ୍ରିୟାରେ ଜନସାଧାରଣଙ୍କ ଭାଗିଦାରିକୁ ବିଚାର କରିବା ଏବଂ ଯୋଗ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରୁ ଲୋକମାନେ ନିଜ ପସନ୍ଦ ପ୍ରକାଶ କରିପାରିବା ପାଇଁ ଉପଯୁକ୍ତ ଭୋଟିଂ ବ୍ୟବସ୍ଥା କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଆସନ୍ତା ଧନୁଯାତ୍ରା ପ୍ରସ୍ତୁତି ବୈଠକରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରି ଉତ୍ସବ ପୂର୍ବରୁ ସ୍ପଷ୍ଟ ନିଷ୍ପତ୍ତି ନେବାକୁ ମଧ୍ୟ ଦାବି କରାଯାଇଛି। ତେବେ ଏହି ଦାବି କୌଣସି କଳାକାରଙ୍କୁ ବ୍ୟକ୍ତିଗତ ଭାବେ ସମାଲୋଚନା କରିବା ଉଦ୍ଦେଶ୍ୟରେ ନୁହେଁ, ବରଂ ଧନୁଯାତ୍ରାର ମର୍ଯ୍ୟାଦା, ଗୁଣବତ୍ତା ଓ ଜନସ୍ୱୀକୃତିକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଦାବି କରାଯାଇଥିବା ଦାବିପତ୍ରରେ ଉଲ୍ଲେଖ ରହିଛି। ଗତ ଧନୁଯାତ୍ରାରେ ମଧ୍ୟ କଂସ ଚରିତ୍ର ଚୟନ ଓ ଚରିତ୍ର ଚିତ୍ରଣକୁ ନେଇ ବିଭିନ୍ନ ମତାମତ ସାମ୍ନାକୁ ଆସିଥିଲା। ଏବେ ଆଗାମୀ ଧନୁଯାତ୍ରା ପୂର୍ବରୁ କଂସ ଚରିତ୍ର ଚୟନ ନେଇ କମିଟି କି ନିଷ୍ପତ୍ତି ନେଉଛି, ତାହା ଉପରେ ନଜର ରହିଛି।
Bargarh (ବରଗଡ଼) • ସତ୍ୟ ସୁରୁଜଳ

ବର୍ଷା ହେଲେ ରାସ୍ତା ପାଲଟୁଛି ଜଳାଶୟ ଗାନ୍ଧୀ ଛକରୁ ଭଟଲି ଛକ ରାସ୍ତାରେ ଜଳାବଦ୍ଧତା, ଯାତାୟାତ ହେଉଛି ଦୁର୍ବିସହ
ବରଗଡ଼: ବର୍ଷା ହେଲେ ବରଗଡ଼ ସହରର ଗାନ୍ଧୀ ଛକରୁ ଭଟଲି ଛକକୁ ଯାଉଥିବା ରାସ୍ତାର ଅବସ୍ଥା ଦୟନୀୟ ହୋଇପଡ଼ୁଛି। ରାସ୍ତା ଉପରେ ବର୍ଷାଜଳ ଜମି ରହିବା ଯୋଗୁଁ ଏହି ପ୍ରମୁଖ ରାସ୍ତାଟି ଏବେ ଜଳାଶୟର ରୂପ ନେଉଛି। ବର୍ଷା ପରେ ରାସ୍ତାର ଅନେକ ସ୍ଥାନରେ ପାଣି ଜମି ରହୁଥିବାରୁ ଦୁଇଚକିଆ ଯାନ ଚାଳକଙ୍କଠାରୁ ଆରମ୍ଭ କରି ପଥଚାରୀ ପର୍ଯ୍ୟନ୍ତ ସମସ୍ତେ ହଇରାଣ ହେଉଛନ୍ତି। ଜମିଥିବା ପାଣି ଭିତରେ ଯାନବାହନ ଚଳାଚଳ କରିବା ସମୟରେ ପାଣି ଛିଟିକି ରାସ୍ତାକଡ଼ରେ ଥିବା ଲୋକ ଓ ଦୋକାନୀମାନେ ମଧ୍ୟ ଅସୁବିଧାରେ ପଡ଼ୁଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବର୍ଷା ଦିନରେ ପ୍ରତିବର୍ଷ ଏହି ଅଞ୍ଚଳରେ ଜଳାବଦ୍ଧତା ସମସ୍ୟା ଦେଖାଦେଉଛି। ଠିକ୍ ଭାବେ ବର୍ଷାଜଳ ନିଷ୍କାସନ ନହେବାରୁ ରାସ୍ତା ଉପରେ ଦୀର୍ଘ ସମୟ ଧରି ପାଣି ଜମି ରହୁଛି। ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେଉଛି। ବିଶେଷକରି ବର୍ଷା ସମୟରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ସ୍କୁଲ୍ ଛାତ୍ରଛାତ୍ରୀ, ବୃଦ୍ଧ ଓ ଦୁଇଚକିଆ ଯାନ ଚାଳକମାନେ ଅଧିକ ସମସ୍ୟାରେ ପଡ଼ୁଛନ୍ତି। ଜଳାବଦ୍ଧତା ଯୋଗୁଁ ରାସ୍ତାର ଅବସ୍ଥା ମଧ୍ୟ ଧୀରେ ଧୀରେ ଖରାପ ହେବାର ଆଶଙ୍କା ରହିଛି। ତେଣୁ ଗାନ୍ଧୀ ଛକରୁ ଭଟଲି ଛକ ରାସ୍ତାରେ ସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହ ବର୍ଷାଜଳ ଜମିବା ସମସ୍ୟାର ସମାଧାନ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Bargarh (ବରଗଡ଼) • ସତ୍ୟ ସୁରୁଜଳ
