--:--:--
-- ---
Srishti News

Web News

ଭଦ୍ରକରେ ଅରୁନ୍ଧତୀ ସ୍ୱର୍ଣ୍ଣ ଅଳଙ୍କାରର ୧୧ ନମ୍ବର ସୋରୁମ୍ ଉଦଘାଟିତ
Sep 23, 2026•62 views

ଭଦ୍ରକରେ ଅରୁନ୍ଧତୀ ସ୍ୱର୍ଣ୍ଣ ଅଳଙ୍କାରର ୧୧ ନମ୍ବର ସୋରୁମ୍ ଉଦଘାଟିତ

ଭଦ୍ରକ: ଭଦ୍ରକବାସୀଙ୍କ ପାଇଁ ଖୁସି ଖବର। ଏଣିକି ସୁନା ଓ ବିଭିନ୍ନ ପ୍ରକାରର ଅଳଙ୍କାର କିଣିବା ପାଇଁ କଟକ କିମ୍ବା ଭୁବନେଶ୍ୱର ଯିବାର ଆବଶ୍ୟକତା ନାହିଁ। ଭଦ୍ରକ ସହରରେ ହିଁ ଗ୍ରାହକମାନଙ୍କ ପାଇଁ ଖୋଲିଛି ଅରୁନ୍ଧତୀ ସ୍ୱର୍ଣ୍ଣ ଅଳଙ୍କାରର ନୂଆ ସୋରୁମ୍। ଅରୁନ୍ଧତୀ ସ୍ୱର୍ଣ୍ଣ ଅଳଙ୍କାରର ଏହା ହେଉଛି ୧୧ ନମ୍ବର ସୋରୁମ୍। ଏହି ନୂଆ ସୋରୁମ୍‌ର ଉଦଘାଟନୀ ଉତ୍ସବ ଓଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ ଅର୍ଚ୍ଚିତା ଓ ଶିବାନୀଙ୍କ ଉପସ୍ଥିତିରେ ଆକର୍ଷଣୀୟ ଭାବେ ସମ୍ପନ୍ନ ହୋଇଛି। ଦୁଇ ଅଭିନେତ୍ରୀଙ୍କୁ ଦେଖିବା ପାଇଁ ମଧ୍ୟ ଉଦଘାଟନୀ ସମୟରେ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଥିଲା। ଅରୁନ୍ଧତୀ ସ୍ୱର୍ଣ୍ଣ ଅଳଙ୍କାର ପକ୍ଷରୁ ଗ୍ରାହକଙ୍କ ଆବଶ୍ୟକତା ଓ ପସନ୍ଦକୁ ଗୁରୁତ୍ୱ ଦେଇ ବିଭିନ୍ନ ଡିଜାଇନ୍‌ର ଅଳଙ୍କାର ଉପଲବ୍ଧ କରାଯାଇଛି। ଦୈନନ୍ଦିନ ବ୍ୟବହାରଠାରୁ ଆରମ୍ଭ କରି ବାହାଘର, ବ୍ରତଘର ଓ ବିଭିନ୍ନ ଶୁଭକାର୍ଯ୍ୟ ପାଇଁ ଆବଶ୍ୟକ ଅଳଙ୍କାର ଏଠାରେ ପାଇପାରିବେ ଗ୍ରାହକ। ବିଶେଷକରି ବାହାଘର ପାଇଁ ବର ଓ କନ୍ୟାଙ୍କ ପାଇଁ ଆବଶ୍ୟକ ଅଳଙ୍କାର, ପରିବାରର ସଦସ୍ୟଙ୍କ ପାଇଁ ବିଭିନ୍ନ ଗହଣା, ଶୁଭକାର୍ଯ୍ୟରେ ବ୍ୟବହାର ହେଉଥିବା ଅଳଙ୍କାର ସମେତ ବିଭିନ୍ନ ପସନ୍ଦର ଡିଜାଇନ୍ ଏଠାରେ ଉପଲବ୍ଧ ହେବ।ଗ୍ରାହକଙ୍କ ପାଇଁ ଆଉ ଏକ ଆକର୍ଷଣୀୟ ବିଷୟ ହେଉଛି ସୁଲଭ ମୂଲ୍ୟରେ ଅଳଙ୍କାର ପାଇବାର ସୁଯୋଗ। ନିଜ ପସନ୍ଦ ଓ ବଜେଟ୍ ଅନୁଯାୟୀ ଗ୍ରାହକମାନେ ଏଠାରୁ ଅଳଙ୍କାର କିଣିପାରିବେ। ବିଭିନ୍ନ ପର୍ବପର୍ବାଣୀ, ବିବାହ ଓ ଶୁଭକାର୍ଯ୍ୟକୁ ଆଖି ଆଗରେ ରଖି ଗ୍ରାହକଙ୍କ ପାଇଁ ବିଭିନ୍ନ ପସନ୍ଦର ଅଳଙ୍କାର ରଖାଯାଇଛି। ଦୀର୍ଘଦିନ ଧରି ବଡ଼ ସହରରେ ଅଳଙ୍କାର କିଣିବାର ଯେଉଁ ଅଭିଜ୍ଞତା ଗ୍ରାହକମାନେ ପାଉଥିଲେ, ଏବେ ସେହି ସୁବିଧା ଭଦ୍ରକରେ ହିଁ ପାଇପାରିବେ। କଟକ କିମ୍ବା ଭୁବନେଶ୍ୱର ଯାଇ ଅଳଙ୍କାର କିଣିବାର ଚିନ୍ତା ନକରି ଭଦ୍ରକରେ ହିଁ ବିଭିନ୍ନ ପ୍ରକାରର ଅଳଙ୍କାର ଦେଖିବା ଓ କିଣିବାର ସୁଯୋଗ ମିଳିବ। ଅରୁନ୍ଧତୀ ସ୍ୱର୍ଣ୍ଣ ଅଳଙ୍କାରର ୧୧ ନମ୍ବର ସୋରୁମ୍ ଭଦ୍ରକରେ ଖୋଲିବା ପରେ ସ୍ଥାନୀୟ ଗ୍ରାହକଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ବଢ଼ିଛି। ନୂଆ ଡିଜାଇନ୍, ବିଭିନ୍ନ ପ୍ରକାରର ଅଳଙ୍କାର, ଶୁଭକାର୍ଯ୍ୟ ପାଇଁ ଆବଶ୍ୟକ ଗହଣା ଏବଂ ଗ୍ରାହକଙ୍କ ସୁବିଧାକୁ ନଜରରେ ରଖି ଏହି ସୋରୁମ୍‌କୁ ପ୍ରସ୍ତୁତ କରାଯାଇଛି। ଅଳଙ୍କାର କେବଳ ସଜସଜ୍ଜା ନୁହେଁ, ଏହା ଆମ ଓଡ଼ିଆ ପରମ୍ପରା, ସଂସ୍କୃତି ଓ ଶୁଭ ମୁହୂର୍ତ୍ତ ସହ ଜଡ଼ିତ। ବିଶେଷକରି ବିବାହ ଓ ବ୍ରତଘର ଭଳି ପାରିବାରିକ ଉତ୍ସବରେ ଅଳଙ୍କାରର ଗୁରୁତ୍ୱ ରହିଥାଏ। ଏହି ସମସ୍ତ ଆବଶ୍ୟକତାକୁ ଗୋଟିଏ ସ୍ଥାନରେ ପୂରଣ କରିବାର ସୁଯୋଗ ନେଇ ଭଦ୍ରକରେ ପହଞ୍ଚିଛି ଅରୁନ୍ଧତୀ ସ୍ୱର୍ଣ୍ଣ ଅଳଙ୍କାରର ଏହି ନୂଆ ସୋରୁମ୍। ଉଦଘାଟନୀ ଉତ୍ସବରେ ଅର୍ଚ୍ଚିତା ଓ ଶିବାନୀଙ୍କ ଉପସ୍ଥିତି ଉତ୍ସବର ଆକର୍ଷଣକୁ ଆହୁରି ବଢ଼ାଇଥିଲା। ଅଳଙ୍କାର ପ୍ରେମୀ ଗ୍ରାହକଙ୍କ ପାଇଁ ଭଦ୍ରକରେ ଏହି ନୂଆ ସୋରୁମ୍ ଏକ ନୂଆ ବିକଳ୍ପ ଭାବେ ସାମ୍ନାକୁ ଆସିଛି। ତେଣୁ ଆପଣଙ୍କ ଘରେ ବାହାଘର ହେଉ କି ବ୍ରତଘର, କିମ୍ବା କୌଣସି ଶୁଭକାର୍ଯ୍ୟ—ଅଳଙ୍କାର ପାଇଁ ଆଉ ଦୂରକୁ ଯିବା ଦରକାର ନାହିଁ। ଭଦ୍ରକରେ ହିଁ ମିଳିବ ଆପଣଙ୍କ ପସନ୍ଦର ଅଳଙ୍କାର। ଅରୁନ୍ଧତୀ ସ୍ୱର୍ଣ୍ଣ ଅଳଙ୍କାର — ଭରସା, ପରମ୍ପରା ଓ ସୁନ୍ଦର ଡିଜାଇନ୍‌ର ଏକ ନୂଆ ଠିକଣା।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଘରୋଇ ହସ୍ପିଟାଲ ପରିସରରେ ମହିଳା କର୍ମଚାରୀଙ୍କ ମୃତ୍ୟୁ, ତଦନ୍ତ ଆରମ୍ଭ
Sep 23, 2026•49 views

ଘରୋଇ ହସ୍ପିଟାଲ ପରିସରରେ ମହିଳା କର୍ମଚାରୀଙ୍କ ମୃତ୍ୟୁ, ତଦନ୍ତ ଆରମ୍ଭ

ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅଧୀନ ସାଇବର ଥାନା ନିକଟସ୍ଥ ଏକ ଘରୋଇ ହେଲ୍ଥ କେୟାର ପରିସରରେ ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକଙ୍କ ପରିବାର ପକ୍ଷରୁ ହସ୍ପିଟାଲର ଅନ୍ୟ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଅଣାଯାଇଛି। ସୂଚନା ଅନୁଯାୟୀ, ଚାନ୍ଦବାଲି ଥାନା ମତୋ ଫାଣ୍ଡି ଅଧୀନ କରାଣ୍ଡିମାଳ ଗାଁର ଶୁଭଲକ୍ଷ୍ମୀ ସାହୁ ଗତ ୯ ତାରିଖରୁ ଉକ୍ତ ହେଲ୍ଥ କେୟାରରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରୁଥିଲେ। ଗତକାଲି ରାତିରେ ସେ ତାଙ୍କ ମାଆଙ୍କ ସହ ଫୋନରେ କଥା ହୋଇଥିଲେ। ଏହି ସମୟରେ ହସ୍ପିଟାଲର କେତେକ କର୍ମଚାରୀ ତାଙ୍କ ସହ କଥା ହେଉନଥିବା ସେ କହିଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ତେବେ ଆଜି ପରିବାର ଲୋକେ ସୀମାଙ୍କ ମୃତ୍ୟୁ ଖବର ପାଇଥିଲେ। ଅନ୍ୟପକ୍ଷରେ, ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ସୀମା କୌଣସି ପ୍ରକାର ଅଭିଯୋଗ କରିନଥିଲେ। ଗତକାଲି କାମ ସରିବା ପରେ ସେ ହସ୍ପିଟାଲ ପରିସରରେ ବୁଲାବୁଲି କରୁଥିବା ମଧ୍ୟ କର୍ତ୍ତୃପକ୍ଷ କହିଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ପୁରୁଣା ବଜାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ କିଛି ସମୟ ପାଇଁ ହସ୍ପିଟାଲ ପରିସରରେ ଉତ୍ତେଜନା ମଧ୍ୟ ଦେଖାଦେଇଥିଲା। ପୋଲିସ ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।ଭଦ୍ରକ ରୁ ଶିଶିର କୁମାର ସ୍ୱାଇଁ ଙ୍କ ରିପୋର୍ଟ ସୃଷ୍ଟି ନିୟୁଜ,

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଆଜି ରାତି ସୁଦ୍ଧା ସ୍ଥଳଭାଗ ଛୁଇଁବ ଅବପାତ: ଆଗାମୀ ୪୮ ଘଣ୍ଟା ପ୍ରବଳ ବର୍ଷା, ୨୮ ଜିଲ୍ଲାକୁ ସତର୍କତା
Sep 23, 2026•12 views

ଆଜି ରାତି ସୁଦ୍ଧା ସ୍ଥଳଭାଗ ଛୁଇଁବ ଅବପାତ: ଆଗାମୀ ୪୮ ଘଣ୍ଟା ପ୍ରବଳ ବର୍ଷା, ୨୮ ଜିଲ୍ଲାକୁ ସତର୍କତା

ଭୁବନେଶ୍ୱର: ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିଛି। ଆଜି ରାତି ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବ ସୃଷ୍ଟି ହୋଇଥିବା ଅବପାତ। ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପୂର୍ବରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାବେଳେ, ଆସନ୍ତା ୨୮ ତାରିଖ ବେଳକୁ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି। ଗଭୀର ଅବପାତ ସତ୍ତ୍ୱେ ପବନର ବିଶେଷ ଭୟ ନାହିଁ, ମାତ୍ର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼ ଓ ଦେବଗଡ଼କୁ ଛାଡ଼ିଦେଲେ ରାଜ୍ୟର ବାକି ୨୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡି ଭଳି ୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲାର ସିମିଳିଗୁଡ଼ାରେ ସର୍ବାଧିକ ୨୩୦.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ବିପତ୍ତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି।

Bhubaneswar (ଭୁବନେଶ୍ୱର) • ରିପୋର୍ଟ ବିଜୟାନନ୍ଦ ତ୍ରିପାଠୀ ଭଂଜନଗର

ଭଞ୍ଜନଗରରେ ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ପ୍ରଶାସନିକ ତତ୍ପରତା: ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଉପଜିଲ୍ଲାପାଳ
Sep 23, 2026•8 views

ଭଞ୍ଜନଗରରେ ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ପ୍ରଶାସନିକ ତତ୍ପରତା: ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଉପଜିଲ୍ଲାପାଳ

ଭଞ୍ଜନଗର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ସମ୍ଭାବ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା, ପବନ, ଭୂସ୍ଖଳନ ଏବଂ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ଆଜି ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ମନ୍ଦାର, ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଡୁମୁମ୍ବ ବହୁମୁଖୀ ବାତ୍ୟା ଆଶ୍ରୟ କେନ୍ଦ୍ର ଏବଂ କଳିଙ୍ଗା ଘାଟି ଅଞ୍ଚଳ ପରିଦର୍ଶନ କରି ବିପର୍ଯ୍ୟୟ ମୁକାବିଲା ପାଇଁ ରହିଥିବା ପ୍ରସ୍ତୁତି ଓ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଆଶ୍ରୟସ୍ଥଳୀ ଗୁଡ଼ିକରେ ପାନୀୟ ଜଳ, ବିଦ୍ୟୁତ, ଆଲୋକ, ପରିମଳ ବ୍ୟବସ୍ଥା, ଆବଶ୍ୟକ ଔଷଧ, ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ପ୍ରସ୍ତୁତ ରଖିବା ସହ ଆବଶ୍ୟକ ସମୟରେ ଅସୁରକ୍ଷିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ପାଇଁ ସଜାଗ ରହିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଅସୁରକ୍ଷିତ ଅଞ୍ଚଳର ଲୋକଙ୍କ ସମେତ ଗର୍ଭବତୀ ମହିଳାମାନଙ୍କୁ ଆବଶ୍ୟକତା ଅନୁଯାୟୀ ପୂର୍ବରୁ ସୁରକ୍ଷିତ ଆଶ୍ରୟସ୍ଥଳୀ କିମ୍ବା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରଣ ପାଇଁ ସେ ପରାମର୍ଶ ଦେଇଛନ୍ତି। ଅପରପକ୍ଷରେ, ବର୍ଷା ସମୟରେ ନଦୀ, ନାଳ ଓ ଜଳାଶୟ ନିକଟକୁ ନଯିବା, ବଜ୍ରପାତ ସମୟରେ ଘର ଭିତରେ ରହିବା ଏବଂ ଗଛତଳେ କିମ୍ବା ଖୋଲା ପଡ଼ିଆରେ ଆଶ୍ରୟ ନନେବାକୁ ଜନସାଧାରଣଙ୍କୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି। ଏହାସହ ଅଗ୍ନିଶମ ସେବା, ଜେସିବି ଓ ସ୍ୱାସ୍ଥ୍ୟ ଟିମ୍ ଆଦିକୁ ସତର୍କ ରହିବାକୁ କୁହାଯାଇଛି। ଆଜି ଜଗନ୍ନାଥ ପ୍ରସାଦ ବ୍ଲକ ସମ୍ମିଳନୀ କକ୍ଷରେ ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ଏକ ଆପତକାଳୀନ ପ୍ରସ୍ତୁତି ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ ଏହି ପରିଦର୍ଶନ ଓ ସମୀକ୍ଷା ସମୟରେ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲି ଆମା, ବିଡ଼ିଓ ଭାରତୀ ଦେବୀ, ଅତିରିକ୍ତ ତହସିଲଦାର ଅବିନାଶ କୁମାର ମହାରଙ୍କ ସମେତ ଉପଖଣ୍ଡ ପ୍ରଶାସନ, ତହସିଲ, ବ୍ଲକ ପ୍ରଶାସନ ଓ ବିଭିନ୍ନ ବିଭାଗର ସମ୍ପୃକ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।

Ganjam (ଗଞ୍ଜାମ) • ରିପୋର୍ଟ ବିଜୟାନନ୍ଦ ତ୍ରିପାଠୀ ଭଂଜନଗର

ଖଣି ଆମର ରାଜସ୍ବ ଅଧିକାର, କାହିଁକି ସଙ୍କୁଚିତ  ହେବ  MMDR କୁ ନେଇ ବର୍ଷିଲେ ସୁଜାତା
Sep 23, 2026•9 views

ଖଣି ଆମର ରାଜସ୍ବ ଅଧିକାର, କାହିଁକି ସଙ୍କୁଚିତ ହେବ MMDR କୁ ନେଇ ବର୍ଷିଲେ ସୁଜାତା

ଭୁବନେଶ୍ୱର: ଖଣି ଓ ଖଣିଜ ସମ୍ପଦକୁ ନେଇ ଓଡ଼ିଶାରେ ପୁଣି ତେଜିଲା ରାଜନୀତି। MMDR ସଂଶୋଧନକୁ ନେଇ ବର୍ଷିଛନ୍ତି ବିଜେଡି ନେତ୍ରୀ ସୁଜାତା ରାଉତ। ଖଣିଜ ସମ୍ପଦରେ ଭରପୂର ଓଡ଼ିଶାର ସ୍ୱାର୍ଥ ଓ ରାଜସ୍ୱ ଅଧିକାରକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସୁଜାତାଙ୍କ କହିବା ଅନୁସାରେ, ସୁପ୍ରିମକୋର୍ଟଙ୍କ ୨୦୨୪ର ରାୟ ପରେ ରାଜ୍ୟଗୁଡ଼ିକର ଖଣିଜ ଅଧିକାର ଉପରେ ଟିକସ ଲଗାଇବାର ସାମ୍ବିଧାନିକ କ୍ଷମତାକୁ ନେଇ ଏକ ବଡ଼ ଆଇନଗତ ଦିଗ ସ୍ପଷ୍ଟ ହୋଇଥିଲା। ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ରାୟରେ କହିଥିଲେ ଯେ ରୟାଲଟି ନିଜେ ଟିକସ ନୁହେଁ ଏବଂ ରାଜ୍ୟମାନଙ୍କର ଖଣିଜ ଅଧିକାର ଉପରେ ଟିକସ ଲଗାଇବାର କ୍ଷମତା ରହିଛି। ଏହି ରାୟକୁ ଆଧାର କରି ଓଡ଼ିଶା ଭଳି ଖଣିଜ ସମୃଦ୍ଧ ରାଜ୍ୟ ଅତିରିକ୍ତ ରାଜସ୍ୱ ପାଇବାର ସୁଯୋଗ ପାଇଥିଲେ ବୋଲି ସୁଜାତା କହିଛନ୍ତି। ତାଙ୍କ ମତରେ, ଏହି ଅର୍ଥ ରାଜ୍ୟର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ କରାଯାଇପାରିଥାନ୍ତା। କିନ୍ତୁ ଏବେ MMDR ସଂଶୋଧନକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ସଂଶୋଧିତ ଆଇନରେ ରାଜ୍ୟମାନଙ୍କ ଦ୍ୱାରା ଖଣିଜ ଅଧିକାର ଓ ଖଣିଜ ଜମି ଉପରେ ଅତିରିକ୍ତ ଟିକସ, ସେସ୍ କିମ୍ବା ଅନ୍ୟାନ୍ୟ ଲେଭି ଲଗାଇବାର କ୍ଷମତାକୁ ସୀମିତ କରାଯାଇଛି ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରୁଛନ୍ତି। ଏହାକୁ ନେଇ ଓଡ଼ିଶାର ଖଣିଜ ରାଜସ୍ୱ ଉପରେ ପ୍ରଭାବ ପଡ଼ିପାରେ ବୋଲି ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ସୁଜାତା ରାଉତ ପ୍ରଶ୍ନ କରିଛନ୍ତି—ଓଡ଼ିଶା ଯେତେବେଳେ ଦେଶର ଖଣିଜ ସମ୍ପଦରେ ବଡ଼ ଅବଦାନ ଦେଉଛି, ସେତେବେଳେ ଏହାର ରାଜସ୍ୱ ଅଧିକାର କାହିଁକି ସଙ୍କୁଚିତ ହେବ? ତାଙ୍କ ମତରେ, ଖଣି ଖନନର ପ୍ରଭାବ ଓଡ଼ିଶାକୁ ମଧ୍ୟ ବହନ କରିବାକୁ ପଡ଼ୁଛି। ଖଣି ଅଞ୍ଚଳରେ ପରିବେଶ ଉପରେ ଚାପ, ଜଙ୍ଗଲ କ୍ଷୟ, ପ୍ରଦୂଷଣ ଏବଂ ଅନ୍ୟାନ୍ୟ ସାମାଜିକ-ପରିବେଶୀୟ ପ୍ରଭାବକୁ ରାଜ୍ୟ ସାମ୍ନା କରୁଛି ବୋଲି ସେ ଦର୍ଶାଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ୱ ଉପରେ ରାଜ୍ୟର ଅଧିକାର ରହିବା ଦରକାର ବୋଲି ସେ ଦାବି କରିଛନ୍ତି। ଆଉ ଏକ ବଡ଼ ପ୍ରଶ୍ନ ଉଠାଇଛନ୍ତି ବିଜେଡି ନେତ୍ରୀ—MMDR ସଂଶୋଧନ ବିଲ୍ ପାରିତ ହେବା ସମୟରେ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଯଥେଷ୍ଟ ଆଲୋଚନା ହୋଇଥିଲା କି? ଏହାକୁ ନେଇ ସାଂସଦମାନଙ୍କ ଭୂମିକା ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଖଣିଜ ସମ୍ପଦରେ ଦେଶର ଅନ୍ୟତମ ପ୍ରମୁଖ ରାଜ୍ୟ ଓଡ଼ିଶା ହୋଇଥିବାରୁ ଏଭଳି ଏକ ଆଇନରେ ରାଜ୍ୟର ଦୀର୍ଘମିଆଦୀ ସ୍ୱାର୍ଥକୁ ନେଇ ବ୍ୟାପକ ଆଲୋଚନା ଆବଶ୍ୟକ ଥିଲା ବୋଲି ସେ କହିଛନ୍ତି। ଏପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତଥାପି ଭିନ୍ନ ମତ ରଖାଯାଇଛି। ସରକାରଙ୍କ କହିବା ଅନୁସାରେ, ୨୦୨୬ର MMDR ସଂଶୋଧନ ରାଜ୍ୟମାନଙ୍କ ଖଣିଜ ରାଜସ୍ୱକୁ ସମ୍ପୂର୍ଣ୍ଣ ଭାବେ ଛଡ଼ାଇ ନେଉନାହିଁ। କେନ୍ଦ୍ରର ତଥ୍ୟ ଅନୁସାରେ, ଦେଶର ଖଣି କ୍ଷେତ୍ରର ରାଜସ୍ୱର ପ୍ରାୟ ୯୦ ପ୍ରତିଶତ ରାଜ୍ୟଗୁଡ଼ିକୁ ଯାଉଛି ଏବଂ ୨୦୨୫-୨୬ରେ ରାଜ୍ୟମାନଙ୍କ ଖଣିଜ ରାଜସ୍ୱ ପ୍ରାୟ ୧.୧୪ ଲକ୍ଷ କୋଟି ଟଙ୍କା ଥିବା କେନ୍ଦ୍ର କହିଛି। ତେଣୁ MMDR ସଂଶୋଧନକୁ ନେଇ ଏବେ ମୁଖ୍ୟ ବିବାଦ ହେଉଛି—ରାଜ୍ୟର ଖଣିଜ ରାଜସ୍ୱ ଅଧିକାର କେତେଦୂର ସୁରକ୍ଷିତ ରହିବ ଏବଂ କେନ୍ଦ୍ର-ରାଜ୍ୟ ଆର୍ଥିକ ସମ୍ପର୍କ ଉପରେ ଏହାର ପ୍ରଭାବ କ’ଣ ହେବ? ସୁଜାତା ରାଉତ ଏହି ସଂଶୋଧନକୁ ବିରୋଧ କରିବା ସହ ଓଡ଼ିଶାର ହକ୍ ଏବଂ ସଂଘୀୟ ଢାଞ୍ଚାର ସୁରକ୍ଷା ପାଇଁ ଦାବି କରିଛନ୍ତି। ତାଙ୍କ ଅଭିଯୋଗକୁ ନେଇ ରାଜ୍ୟ ରାଜନୀତିରେ ଆଗକୁ ଆହୁରି ତାପ ବଢ଼ିବାର ସମ୍ଭାବନା ରହିଛି।

Bhubaneswar (ଭୁବନେଶ୍ୱର) • ରିପୋର୍ଟ ବିଜୟାନନ୍ଦ ତ୍ରିପାଠୀ

ଲଗାଣ ବର୍ଷାରେ ଜନଜୀବନ ପ୍ରଭାବିତ  ମାନାପଲୀ ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ
Sep 23, 2026•18 views

ଲଗାଣ ବର୍ଷାରେ ଜନଜୀବନ ପ୍ରଭାବିତ ମାନାପଲୀ ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ

ଖଲ୍ଲିକୋଟ, ୨୩/୦୯: ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ଖଲ୍ଲିକୋଟ ସହରର ବଜାର ଅଞ୍ଚଳରେ ବର୍ଷାର ପ୍ରଭାବରେ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିବା ବେଳେ ରାସ୍ତାଘାଟରେ ଯାନବାହାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିବା ଦେଖାଯାଇଛି। ଏହି ମଧ୍ୟରେ ଖଲ୍ଲିକୋଟ ବ୍ଲକ୍‌ ଅନ୍ତର୍ଗତ ମାନାପଲୀ ରାସ୍ତାରେ ଏକ ଗଛ ଭାଙ୍ଗି ପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ଖଲ୍ଲିକୋଟ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ରାସ୍ତା ଉପରେ ପଡ଼ିଥିବା ଗଛକୁ କାଟି ହଟାଇବା ସହ ରାସ୍ତାକୁ ଯାତାୟାତ ଉପଯୋଗୀ କରିଥିଲେ। ରାସ୍ତା ସଫା ହେବା ପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହେବା ସହ ସାଧାରଣ ଲୋକଙ୍କ ଯାତାୟାତ ମଧ୍ୟ ସୁଗମ ହୋଇଥିଲା। ଅନ୍ୟପକ୍ଷରେ ଆଗାମୀ ଦିନରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନାକୁ ନଜରରେ ରଖି ସାଧାରଣ ଲୋକେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ପ୍ରଶାସନକୁ ସଜାଗ ରହିବା ଏବଂ ଆବଶ୍ୟକ ପଦକ୍ଷେପ ନେବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

Ganjam (ଗଞ୍ଜାମ) • ରିପୋର୍ଟ: ଶିବରାମ ଜେନା, ଖଲ୍ଲିକୋଟ

ଜଗତପୁର ଖଣ୍ଡେଇ ହୋଟେଲରେ ଗୋମାଂସ ତରକାରୀକୁ ନେଇ ଚାପା ଉତ୍ତେଜନା | ଜବତ ହାଡ ଓ ତରକାରୀକୁ ଫୋରେନସିକ୍ ଟେଷ୍ଟ ପାଇଁ ପଠାଗଲା
Sep 23, 2026•78 views

ଜଗତପୁର ଖଣ୍ଡେଇ ହୋଟେଲରେ ଗୋମାଂସ ତରକାରୀକୁ ନେଇ ଚାପା ଉତ୍ତେଜନା | ଜବତ ହାଡ ଓ ତରକାରୀକୁ ଫୋରେନସିକ୍ ଟେଷ୍ଟ ପାଇଁ ପଠାଗଲା

ଜଗତପୁର: ଜଗତପୁର ଖଣ୍ଢେଇ ହୋଟେଲରେ ମଟନ୍ ମିଲରେ ଗୋମାଂସ ମିଶାଇ ଖାଇବାକୁ ଦିଆଯାଉଛି ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା। ଖବର ପାଇ ଜଗତପୁର ଥାନାଅଧିକାରୀ ପ୍ରଶାନ୍ତ କୁମାର ସାସମଲ ଓ କଟକ ଜୋନ ୧ ଏସିପି ଅରୁଣ କୁମାର ସ୍ବାଇଁ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଜନତାଙ୍କୁ ବୁଝାସୁଝା କରି ସନ୍ଦେହ ସୃଷ୍ଟି କରିଥିବା ମଟନର ହାଡ଼କୁ ଜବତ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ସାଲେପୁର ବ୍ଲକ୍ ଅନ୍ତର୍ଗତ ପାଟପୁରର ଜନୈକ ବ୍ୟକ୍ତି ସ୍ମୃତି ରଞ୍ଜନ ମହାନ୍ତି ତାଙ୍କ ପରିବାରଙ୍କ ସହ ଉକ୍ତ ହୋଟେଲରେ ମଟନ୍ ମିଲ ଖାଇବାକୁ ମାଗିଥିଲେ। ମିଲ୍ ଖାଇବା ସମୟରେ ସେ ଏକ ବଡ଼ ହାଡ଼ ଦେଖିବାକୁ ପାଇଥିଲେ। ହାଡ଼ଟି ଏକ ଲାଲ ରଙ୍ଗର ଥିଲା। ତେଣୁ ଏହା ମଟନ୍ ବା ଛେଳି ମାଂସ ହୋଇନଥିବା ସେ ସନ୍ଦେହ କଲେ । ତେଣୁ ସେ ସଙ୍ଗେ ସଙ୍ଗେ ହୋଟେଲ କର୍ମଚାରୀଙ୍କୁ ଏନେଇ ପଚାରିବା ସହ ହାଡ଼ଟିକୁ ଦେଖାଇଥିଲେ l ତାଙ୍କ ଅଭିଯୋଗ ଶୁଣି ନିକଟ ଟେବୁଲରେ ଖାଉଥିବା ଅନ୍ୟ ୩ ଜଣ ମଧ୍ୟ ଅନୁରୂପ ଅଭିଯୋଗ କରିଥିଲେ l ଏହାପରେ କାଉଣ୍ଟରରେ ବସିଥିବା ବ୍ୟକ୍ତି ସେମାନଙ୍କୁ ପାଟି ନକରିବାକୁ କହିବା ସହ ଆଉ ଏକ ମଟନ ପ୍ଲେଟ ଦେବାକୁ କହିବାରୁ ତାଙ୍କର ସନ୍ଦେହ ବଢିଲା ଓ ଏହା ମଟନ ନୁହେଁ ବୋଲି ସେ ନିଶ୍ଚିତ ହେଲେ l ଏହାପରେ ତାଙ୍କର ଯୁକ୍ତିତର୍କ ହୋଇଥିଲା l ହିନ୍ଦୁ ହୋଇ ଗୋମାଂସ ଖାଇ ତାଙ୍କ ଧର୍ମ ଓ କାୟା ନଷ୍ଟ ହୋଇଥିବା ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ତାଙ୍କ ସହ କେନ୍ଦ୍ରାପଡ଼ା ରାଜକନିକାର ରଞ୍ଜନ ମଲ୍ଲିକ ଓ ଓଲାବରର ରାଜେଶ ମଲିକ ମଧ୍ୟ ସମାନ ଅଭିଯୋଗ କରିଥିଲେ l ଏହି ଖବର ପ୍ରଚାରିତ ହେବା କ୍ଷଣି ଶହ ଶହ ବଜରଙ୍ଗ ଦଳ କର୍ମୀ ମଧ୍ୟ ସେଠାରେ ପହଞ୍ଚି ପ୍ରତିବାଦ କରିଥିଲେ l ପୋଲିସ ପହଞ୍ଚି ବୁଝାସୁଝା କରି ପରିସ୍ଥିତି ନିୟନ୍ତ୍ରଣ କରିଥିଲା l ପୋଲିସ ହାଡକୁ ଜବତ କରି ଭେଟେନାରୀ ସର୍ଜନଙ୍କ ନିକଟକୁ ଫୋରେନସିକ ଟେଷ୍ଟ ପାଇଁ ପଠାଇଛି l ଏନେଇ ଏକ ମାମଲା ରୁଜୁ ହୋଇଛି |ଯଦି ଟେଷ୍ଟରେ ତାହା ଗୋମାଂସ ପ୍ରମାଣିତ ହୁଏ ତେବେ ଉକ୍ତ ହୋଟେଲ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସିପି ଶ୍ରୀ ସ୍ୱାଇଁ କହିଛନ୍ତି l ତେବେ ତତକ୍ଷଣାତ ହୋଟେଲ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ସାଧାରଣରେ ଅସନ୍ତୋଷ ଓ ପୁଲିସ କାର୍ଯ୍ୟକଳାପ ନେଇ ସନ୍ଦେହ ସୃଷ୍ଟି କରିଛି l

Cuttack (କଟକ) • ରିପୋର୍ଟ:ସୁରେନ୍ଦ୍ର ଜେନା, କଟକ

ପୀରବଜାର ଖୁଦୁରୁକୁଣୀ ଭସାଣି ଉତ୍ସବ | ଯୋଗଦେଲେ ୧୧ଗୋଟି ମେଢ଼
Sep 23, 2026•7 views

ପୀରବଜାର ଖୁଦୁରୁକୁଣୀ ଭସାଣି ଉତ୍ସବ | ଯୋଗଦେଲେ ୧୧ଗୋଟି ମେଢ଼

ଜଗତପୁର:ଜଗତପୁର ନିକଟସ୍ଥ ପୀରବଜାର ଯାତ୍ରା ପଡିଆ ଠାରେ ପ୍ରସିଦ୍ଧ ଖୁଦୁରୁକୁଣୀ ଭସାଣି ଉତ୍ସବ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ଗୁଜରପୁର ମହାଦେବସାହି,ଖଲିଫା ସାହି,ବାରିକ ସାହି, ମଙ୍ଗଳାସାହି, ଭାଗବତ ସାହି, ଖରଦାସହି, ଅଣ୍ଡଇସାହି, ପାଟରାସାହି, ବେହେରାସାହି, କଣିବାଟି ଓ ଚମ୍ପତି ସମେତ ମୋଟ୍ ୧୧ଗୋଟି ମେଢ ଯୋଗଦେଇଥିଲେ । ବୁଧବାର ମଧ୍ୟାହ୍ନ ସମୟରେ ସୁସଜ୍ଜିତ ମୃଣ୍ମୟୀ ପ୍ରତିମା ଗୁଡିକ ଯାତ୍ରା ପଡିଆରୁ ଶୋଭାଯାତ୍ରାରେ ବାହାରି ସନ୍ଧ୍ୟା ସମୟରେ ଖଇରା ଠାରେ ଏକ ଅସ୍ଥାୟୀ ଖାତରେ ବିସର୍ଜିତ କରାଯାଇଥିଲା | ଯାତ୍ରା କମିଟି କୋଷାଧ୍ୟକ୍ଷ ଲକ୍ଷ୍ମୀଧର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ସମ୍ମାନୀତ ଅତିଥି ଭାବେ ଜଗତପୁର ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାସମଲ, ଗୁଜରପୁର ସରପଞ୍ଚ ପ୍ରତିନିଧି ଚିତ୍ତରଞ୍ଜନ ନନ୍ଦି, ଚମ୍ପତି ସରପଞ୍ଚ ଗୌରାଙ୍ଗ ପରିଡା, ଯାତ୍ରା କମିଟି ସଭାପତି କେଶବ ଚନ୍ଦ୍ର ବେହେରା, ସମ୍ପାଦକ ଦୁଷ୍ମନ୍ତ ବେହେରା, ଉପସଭାପତି ମୁସ୍ତାକିମ ଖାଁ, ସହ ସମ୍ପାଦକ ଅସଲମ ଖାଁ,ଶିକ୍ଷାବିତ୍ ଚୈତନ୍ୟ ବେହୁରା ପ୍ରମ୍ମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ଯାତ୍ରା କମିଟି ପ୍ରତିଷ୍ଠାତା ସ୍ବର୍ଗତ କୃତିବାସ ବେହେରାଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପୀରବଜାର ଯାତ୍ରା କମିଟି ପକ୍ଷରୁ ବରିଷ୍ଠ ସଦସ୍ୟ ସୁଦାମ ବେହେରା, ଉପଦେଷ୍ଠା ଭାସ୍କର ବେହେରା, ଆଜମଲ ଖାଁ, ମନ୍ମଥ ବେହେରା, ସେକ୍ ହାସିମ୍ ଓ ପପୁ ସାହେବ ପ୍ରମ୍ମୁଖ ପରିଚାଳନାରେ ସହଯୋଗ କରିଥିଲେ।

Cuttack (କଟକ) • ରିପୋର୍ଟ:ସୁରେନ୍ଦ୍ର ଜେନା, କଟକ

ସିମର ବସଷ୍ଟାଣ୍ଡ ନିକଟରୁ ୨୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
Sep 23, 2026•38 views

ସିମର ବସଷ୍ଟାଣ୍ଡ ନିକଟରୁ ୨୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଖୋର୍ଦ୍ଧା:ଖୋର୍ଦ୍ଧାରେ ଅବକାରୀ ବିଭାଗର ବଡ଼ ଚଢ଼ାଉ। ବାଘମାରୀ–କଳାପଥର ରାସ୍ତାର ସିମର ବସଷ୍ଟାଣ୍ଡ ନିକଟରେ ଚଢ଼ାଉ କରି ୨୨ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ଏହି ଘଟଣାରେ ଦୀପକ ଜେନାଙ୍କୁ ଗିରଫ କରାଯାଇଛି।ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଗଞ୍ଜେଇ ଜବତ ପରେ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯାଇଛି। ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ତଦନ୍ତ ଜାରି ରହିଛି।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର , ଖୋର୍ଦ୍ଧା

ବିଦ୍ୟାଳୟ ରେ ପାଳନ ହେଲା ଶିକ୍ଷୟତ୍ରୀ ଙ୍କ ଦ୍ୱାଦଶାହ
Sep 23, 2026•50 views

ବିଦ୍ୟାଳୟ ରେ ପାଳନ ହେଲା ଶିକ୍ଷୟତ୍ରୀ ଙ୍କ ଦ୍ୱାଦଶାହ

ନିଆରା ପରମ୍ପରା ସୃଷ୍ଟିକଲେ ବିଦ୍ୟାଳୟ କର୍ମକର୍ତ୍ତା ଭୁଦ୍ଧିଜୀବୀ ମହଲ ରେ ପ୍ରଂଶସା ର ସୁଅ ଖୋର୍ଦ୍ଧା - ବେଗୁନିଆ ବ୍ଲକ ପୋଡାଡ଼ିହ ସ୍ଥିତ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଭାରତୀୟ ବିଦ୍ୟା ନିକେତନ ରେ ପାଳିତ ହୋଇ ଯାଇଛି ପ୍ରଧାନ ଆଚାର୍ଯ୍ୟା ସ୍ବର୍ଗତଃ ସୁଷମା ମହାପାତ୍ର ଙ୍କ ଦ୍ୱାଦଶାହ।ବିଦ୍ୟାଳୟ ର ପ୍ରତିଷ୍ଠା ୨୦୦୭ ମସିହାରେ ହୋଇଥିଲା ସେବେଠାରୁ ନିଷ୍ଠାପର ଭାବେ କାର୍ଯ୍ୟ କରି ଶିକ୍ଷା କ୍ଷେତ୍ର ରେ ବିଦ୍ୟାଳୟ କୁ ସଫଳତା ର ଶୀର୍ଷରେ ପହଞ୍ଚାଇ ଥିବା ଶ୍ରୀମତୀ ମହାପାତ୍ର ଫୁସଫୁସ ସଂକ୍ରମଣ ହେତୁ ଶ୍ୱାସ କ୍ରିୟା ଜନିତ ସମସ୍ୟା ରେ ଦୁଇବର୍ଷ ପୀଡିତ ହୋଇ ଗତ ୧୦ ତାରିଖରେ ଇହଲୀଳା ତ୍ୟାଗ କରିଥିଲେ। ତାଙ୍କ ଅମର ଆତ୍ମା ର ସଦଗତି ଓ ସ୍ମୃତି ଉଦେଶ୍ୟରେ କର୍ମକ୍ଷେତ୍ର ଭାରତୀୟ ବିଦ୍ୟାନିକେତନର ପ୍ରତିଷ୍ଠାତା ସମ୍ପାଦକ ଶୁଭକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ବର୍ତ୍ତମାନର ପ୍ରଧାନ ଆଚାର୍ଯ୍ୟା ସୁକାନ୍ତି ଜେନା ଙ୍କ ସଂଯୋଜନା କ୍ରମେ ବିଦ୍ୟାଳୟର ସମସ୍ତ ଗୁରୁମା ମାନଙ୍କ ସହଯୋଗ ଭିତ୍ତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ତାଙ୍କ ଫୋଟୋ ଚିତ୍ରରେ ସମସ୍ତ କର୍ମଚାରୀ ସମେତ ଶିଶୁ ଭାଇ ଭଉଣୀ ମାନେ ସମୂହ ଶ୍ରଦ୍ଧାସୁମନ ଅର୍ପଣ କରି ମହାନ୍ ଅମର ଆତ୍ମାଙ୍କ ସଦଗତି ନିମନ୍ତେ ମହାପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ବିଦ୍ୟାନିକେତର ସମ୍ପାଦକ ଶ୍ରୀ ମହାପାତ୍ର ଙ୍କ ସମେତ ସମସ୍ତ ଗୁରୁମା, ଛାତ୍ର ଛାତ୍ରୀ ତାଙ୍କର ସ୍ମୃତି ଚାରଣ କରିଥିଲେ। ପରେ ପରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ପକ୍ଷ ରୁ ଜଳପାନ ବ୍ୟବସ୍ଥା କରାଯାଇଥିଲା। ଏଭଳି ଏକ ମହତ୍ ଉଦ୍ଦେଶ୍ୟ ରଖି ବିଦ୍ୟାଳୟରେ ଅନୁଷ୍ଟିତ ହୋଇଥିବା ସ୍ୱର୍ଗତା ପ୍ରଧାନ ଆଚର୍ଯ୍ୟାଙ୍କ ଆତ୍ମାର ସଦଗତି ନିମନ୍ତେ ଅନନ୍ୟ ଭାବେ ଶ୍ରଦ୍ଧାଞ୍ଜଳି ସଭାକୁ ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ପ୍ରଶଂସାର କେନ୍ଦ୍ରବିନ୍ଦୁ ପାଲଟିଛି । ପୋଡ଼ାଡିହ ବିଦ୍ୟା ନିକେତନର ଏଭଳି ନିଆରା କାର୍ଯ୍ୟକ୍ରମ ଆୟୋଜନ ସମାଜକୁ ଏକ ନୂତନ ବାର୍ତ୍ତା ପ୍ରଦାନ କରିଥିବା ବେଳେ ଗୁରୁ ଓ ଶିଷ୍ୟ ପରମ୍ପରାର ଏକ ନୂତନ ଦିଗଦର୍ଶନ ଦେଇଥିଲା।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ତିନି ଦଫା ଦାବିରେ ଟିକାତାଳ ଟୋଲ୍‌ଗେଟ୍‌କୁ ସ୍ଥାନୀୟଙ୍କ ବିରୋଧ
Sep 23, 2026•7 views

ତିନି ଦଫା ଦାବିରେ ଟିକାତାଳ ଟୋଲ୍‌ଗେଟ୍‌କୁ ସ୍ଥାନୀୟଙ୍କ ବିରୋଧ

ଖୋର୍ଦ୍ଧା-ତିନି ଦଫା ଦାବି ନେଇ ଟିକାତାଳ ଟୋଲ୍‌ଗେଟ୍‌କୁ ସ୍ଥାନୀୟ ଲୋକଙ୍କ ବିରୋଧ। ରାସ୍ତାର ପୁନରୁଦ୍ଧାର, ସ୍ଥାନୀୟ ଯୁବକ-ଯୁବତୀଙ୍କୁ ନିଯୁକ୍ତି ଏବଂ ବୋଲଗଡ଼ ଓ ବେଗୁନିଆ ଅଞ୍ଚଳର ସମସ୍ତ ଚାରିଚକିଆ ଯାନର ଯାତାୟାତକୁ ଟୋଲ୍‌ମୁକ୍ତ କରିବା ଦାବି କରିଛନ୍ତି ସ୍ଥାନୀୟ ଲୋକେ। ସ୍ଥାନୀୟଙ୍କ ଅଭିଯୋଗ ଅନୁସାରେ, ଟୋଲ୍‌ଗେଟ୍‌ ଚାଲୁ ହେବା ପୂର୍ବରୁ ରାସ୍ତାର ଆବଶ୍ୟକ ପୁନରୁଦ୍ଧାର କରାଯିବା ସହ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଦାବିଗୁଡ଼ିକ ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସ୍ଥାନୀୟମାନେ କହିଛନ୍ତି।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଫୁଲୁଛି ବାହୁଦା  ବାଘଲଟି ବନ୍ୟାଜଳ ଛାଡିଲେ ବିପଦ ବଢ଼ିପାରେ
Sep 23, 2026•174 views

ଫୁଲୁଛି ବାହୁଦା ବାଘଲଟି ବନ୍ୟାଜଳ ଛାଡିଲେ ବିପଦ ବଢ଼ିପାରେ

ଚିକିଟି, ୨୩/୯ ):ବାତ୍ୟା ଅର୍ଣ୍ଣବ ପ୍ରଭାବ ରେ ଚିକିଟି ବ୍ଲକ ରେ ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ହୋଇଛି ଏବଂ ବର୍ଷା ର ମୋଟ ପରିମାଣ ୭୩. ୨ ମିଲି ମିଟର ରେକର୍ଡ ରହିଛି l ଯାହା ଫଳ ରେ ଚିକିଟି ର ଜୀବନ ରେଖା ବାହୁଦା ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି l ସେହିପରି ବାଘଲାଟି ଜଳଭଣ୍ଡାରକୁ ଜଳ ପ୍ରବେଶ ପରିମାଣ ଗତ ଏକ ଘଣ୍ଟା ମଧ୍ୟରେ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ବାଘଲଟି ଜଳ ଭଣ୍ଡାର ର ଜଳ ଧାରଣ ମୋଟ ୧୦୬ ରହିଛି l ବର୍ତମାନ ୯୮ ରହିଥିବା ବେଳେ ଜଳ ଧାରଣ କ୍ଷମତା ୧୦୪ କୁ ବୃଦ୍ଧି ପାଇଲେ ବାଘଲଟି ପାଣି ବାହୁଦା ରେ ଛାଡିବାକୁ ବାଘଲଟି କତୃପକ୍ଷ ନିଷ୍ପତି ନେଇଛନ୍ତି l ଏହି ପରିସ୍ଥିତିରେ ଆଜି ରାତି ସୁଦ୍ଧା ବାଘଲାଟି ଜଳଭଣ୍ଡାରରୁ ଅତିରିକ୍ତ ଜଳ ନିଷ୍କାସନ କରାଯାଇପାରେ ବୋଲି କୁହାଯାଇଛି l ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ନିମ୍ନମୁହାଁ ଏବଂ ବାହୁଦା ନଦୀକୁଳିଆ ରହୁଥିବା ଜନସାଧାରଣ ଆଗୁଆ ସତର୍କ ରହିବା ସହ ନିଜ ନିଜ ସୁରକ୍ଷା ପାଇଁ ଆବଶ୍ୟକ ପ୍ରସ୍ତୁତି ନେବାକୁ ବାଘଲଟି ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି । ଜନସାଧାରଣ ନଦୀ, ନାଳ, ଜଳପ୍ରବାହ ଅଞ୍ଚଳ ଏବଂ ଜଳଭଣ୍ଡାରର ନିମ୍ନମୁହାଁ ଅଞ୍ଚଳକୁ ନଯିବା ସହ ଜଳସ୍ରୋତ ଅତିକ୍ରମ କରନ୍ତୁ ନାହିଁ ଏବଂ ପରିସ୍ଥିତିକୁ ନେଇ ଭୟଭୀତ ନହେବା ପାଇଁ କୁହାଯାଇଛି l ଅନ୍ୟପଟେ ବାତ୍ୟା କୁ ଦୃଷ୍ଟି ରେ ରଖି ସୁନାପୁର ବାତ୍ୟା ଆଶ୍ରୟ ସ୍ଥଳକୁ ୪୦ ଜଣ ଙ୍କୁ ସ୍ଥାନାନ୍ତର କରାଯାଇଛି l ସେଥିମଧ୍ୟରୁ ୧୧ ପୁରୁଷ, ୨୦ ମହିଳା ଏବଂ ୯ ଜଣ ଶିଶୁ ରହିଛନ୍ତି l ଚିକିଟି ବ୍ଲକ ର ୨୫ ଜଣ ଗର୍ଭବତୀ ମହିଳା ଙ୍କୁ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ବୋଲି ଚିକିଟି ବ୍ଲକ ପ୍ରଶାସନ ତରଫରୁ ସୂଚନା ମିଳିଛି l ଖବର ଲେଖା ହେବା ସୁଦ୍ଧା କୌଣସି କ୍ଷୟକ୍ଷତି ର ସୂଚନା ନଥିବା ତହସିଲଦାର ବିଶ୍ୱରଂଜନ କଂହର କହିଛନ୍ତି l

Ganjam (ଗଞ୍ଜାମ) • ରିପୋର୍ଟ ଦୀପକ କୁମାର ଚୌଧୁରୀ