Web News

ଦ୍ୱାରସେନି ମନ୍ଦିର ଚୋରି ଘଟଣା କୁ ନେଇ ଗର୍ଜିଲେ ଆଦିବାସୀ -ସିନ୍ଧେକେଲା ଥାନା ଘେରାଓ
ସିନ୍ଧେକେଲା :-୨୬/୮/୨୬ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ମା' ଦ୍ୱାରସେନୀ ମନ୍ଦିରରୁ ଚୋରି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଆକ୍ରୋଶ ପ୍ରକାଶ ପାଇଛି। ଚୋରମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଉତ୍ତ୍ୟକ୍ତ ଅଞ୍ଚଲବାସୀ ସିନ୍ଧେକେଲା ଥାନା ଘେରାଉ କରିବା ସହ ବ୍ୟାପକ ପ୍ରତିବାଦ କରିଛନ୍ତି।ସିନ୍ଧେକେଲାର ଅଧିଷ୍ଠାତ୍ରୀ ଦେବୀ ମା’ ଦ୍ୱାରସେନୀଙ୍କ ମନ୍ଦିରର ଗ୍ରିଲ୍ ଭାଙ୍ଗି ଦୁର୍ବୃତ୍ତମାନେ ଭିତରକୁ ପଶିବା ସହ ମା'ଙ୍କ ସୁନା ଓ ରୁପା ମୁକୁଟ ସମେତ ବିଭିନ୍ନ ଅଳଙ୍କାର ଚୋରି କରି ନେଇଥିଲେ। ଏହା ସହିତ ସେମାନେ ମନ୍ଦିରର ପ୍ରତିମୂର୍ତ୍ତିକୁ ପୋଡ଼ି ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପ୍ରତିବାଦରେ ସିନ୍ଧେକେଲା ନାଗରିକ ମଞ୍ଚ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ସିନ୍ଧେକେଲା ବନ୍ଦ ଡାକରା ଦିଆଯାଇଥିଲା। ଏହା ଯୋଗୁଁ ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇଯାଇଥିଲା। ମନ୍ଦିର ଅପବିତ୍ର ଓ ଚୋରି ଘଟଣାରେ ଶତାଧିକ ସ୍ଥାନୀୟ ବାସିନ୍ଦା ଏବଂ ଶ୍ରଦ୍ଧାଳୁ ଏକାଠି ହୋଇ ସ୍ଥାନୀୟ ସିନ୍ଧେକେଲା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅପରାଧୀଙ୍କୁ ୨୪ ଘଣ୍ଟା ମଧ୍ୟରେ କାବୁ କରିବା ପାଇଁ ସେମାନେ ପୋଲିସ ନିକଟରେ ଦୃଢ଼ ଦାବି କରିଛନ୍ତି।
Balangir (ବଲାଙ୍ଗୀର) • ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ,ବଲାଙ୍ଗୀର

ରଙ୍ଗବେରଙ୍ଗ ଆଲୋକରେ ଝଲସୁଛି ଧାମନଗର ସହର
ଭଦ୍ରକ ଜିଲ୍ଲାର ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ମହମ୍ମଦଙ୍କ ଜୟନ୍ତୀ ଉପଲକ୍ଷେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପବିତ୍ର ପର୍ବ ପାଇଁ ସମଗ୍ର ଧାମନଗର ସହର ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଥିବା ବେଳେ ସହରର ମୁଖ୍ୟ ରାସ୍ତାଘାଟ ଓ ବିଭିନ୍ନ ଅଞ୍ଚଳ ଆକର୍ଷଣୀୟ ଦୃଶ୍ୟ ସୃଷ୍ଟି କରୁଛି। ମହମ୍ମଦଙ୍କ ଜନ୍ମ ଉତ୍ସବ ପାଳନ ସହିତ ତବରୁକାତ ଦର୍ଶନ ଭଳି ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପବିତ୍ର ପର୍ବକୁ ନେଇ ସଂଖ୍ୟାଲଘୁ ଧର୍ମାବଲମ୍ବୀଙ୍କ ସାହିବସ୍ତିଠାରୁ ଆରମ୍ଭ କରି ଘରେ ଘରେ ଆଲୋକ ସଜାଯାଇଛି। ରଙ୍ଗବେରଙ୍ଗ ଆଲୋକରେ ସହରର ପରିବେଶ ବେଶ୍ ମନୋରମ ହୋଇଉଠିଛି। ଧାମନଗର ଏନ୍ଏସି ଅଧୀନ ଖାନ୍କା ସରିଫ୍ଠାରୁ ସାନବଜାର, ବଡ଼ବଜାର ଏବଂ ଚୁନୁପଡ଼ା ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାଘାଟରେ ଆଲୋକ ସଜ୍ଜା କରାଯାଇଛି। ବିଭିନ୍ନ ସ୍ଥାନରେ ସୁସଜ୍ଜିତ ତୋରଣ ନିର୍ମାଣ ସହ ଆକର୍ଷଣୀୟ ସାଜସଜ୍ଜା କରାଯାଇଥିବାରୁ ଧାମନଗର ସହରର ସୌନ୍ଦର୍ଯ୍ୟ ଆହୁରି ବଢ଼ିଯାଇଛି। ଏହି ପବିତ୍ର ଅବସରରେ ଆୟୋଜିତ ଜୁଲୁସ୍ ଓ କାଫଲା ଶୋଭାଯାତ୍ରାକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରଖ୍ୟାତ ସାଏରମାନେ ଆସି ଜୁଲୁସ୍ ଓ କାଫଲା ଶୋଭାଯାତ୍ରାରେ ଯୋଗଦେଇଥିଲେ। ଶୋଭାଯାତ୍ରାରେ ମହମ୍ମଦଙ୍କ ନୀତି, ଆଦର୍ଶ ଓ ମାନବିକତାର ବାର୍ତ୍ତାକୁ ନେଇ ନାତ ସରିଫ୍ ପାଠ କରାଯାଇଥିଲା। ଧାର୍ମିକ ଭାବାବେଗ ଓ ଭାଇଚାରାର ବାର୍ତ୍ତା ମଧ୍ୟରେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କମିଟି ପକ୍ଷରୁ ପୂର୍ବରୁ ବିଭିନ୍ନ ପ୍ରସ୍ତୁତି କରାଯାଇଥିଲା। କାର୍ଯ୍ୟକ୍ରମ ଅବସରରେ ଜୁଲୁସ୍ ଓ କାଫଲା ଶୋଭାଯାତ୍ରା ଖାନ୍କା ସରିଫ୍ଠାରୁ ଆରମ୍ଭ ହୋଇଥିଲା। ସେଠାରୁ ଶୋଭାଯାତ୍ରା ପର୍ଯ୍ୟାୟକ୍ରମେ ଇଦ୍ଗା ମଇଦାନ ଅତିକ୍ରମ କରି ଟ୍ରେକର ଷ୍ଟାଣ୍ଡ, ବଡ଼ବଜାର, ସାନବଜାର ଛକ ଦେଇ ଆଗକୁ ବଢ଼ିଥିଲା। ପରେ ବଙ୍ଗାଳି ଛକ ବାଟ ଦେଇ ଜଗତି କଦମ୍ରସୁଲଠାରେ ଶୋଭାଯାତ୍ରା ପହଞ୍ଚିଥିଲା। ଶୋଭାଯାତ୍ରା ଅବସରରେ ବିଭିନ୍ନ ସ୍ଥାନରେ ଆଲୋକ ସଜ୍ଜା, ତୋରଣ ଓ ସାଜସଜ୍ଜା ଯୋଗୁଁ ସହରର ପରିବେଶ ଉତ୍ସବମୁଖର ହୋଇଉଠିଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଲାଗିଥିବା ରଙ୍ଗବେରଙ୍ଗ ଆଲୋକ ଓ ସୁସଜ୍ଜିତ ତୋରଣ ସହରବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପବିତ୍ର ଅବସରକୁ ଶାନ୍ତି, ସୌହାର୍ଦ୍ଦ୍ୟ ଓ ଭାଇଚାରାର ସହ ପାଳନ କରିବା ପାଇଁ ଆୟୋଜକ କମିଟି ପକ୍ଷରୁ ଆହ୍ୱାନ ଦିଆଯାଇଥିଲା। ଧାମନଗର ସହରରେ ଏଭଳି ଆଲୋକ ସଜ୍ଜା ଓ ଧାର୍ମିକ କାର୍ଯ୍ୟକ୍ରମ ଯୋଗୁଁ ପର୍ବର ମାହୋଲ ଆହୁରି ଜମି ଉଠିଥିବା ବେଳେ ଏହା ସହରବାସୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି କରିଥିଲା।
Bhadrak (ଭଦ୍ରକ) • ରିପୋର୍ଟ ଶିଶିର କୁମାର ସ୍ୱାଇଁ

ପୋତି ହୋଇଗଲା ଡ୍ରେନ, ବର୍ଷାଜଳରେ ବୁଡ଼ୁଛି ଦୋକାନ
ତାଳଚେର: ତାଳଚେର ସହର ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର ରାସ୍ତା ନିର୍ମାଣ ଯୋଗୁଁ ଦୁଇପାର୍ଶ୍ୱର ଡ୍ରେନ ବ୍ୟବସ୍ଥା ବିଗିଡ଼ିଛି। ଲଗାଣ ବର୍ଷାରେ ଡ୍ରେନ ପୋତି ହୋଇଥିବାରୁ ବର୍ଷାଜଳ ନିଷ୍କାସନ ହୋଇନପାରି ଦୋକାନ ଗୁଡ଼ିକରେ ପାଣି ପଶୁଛି। ନୂତନ ରାସ୍ତାର ଉଚ୍ଚତା ବଢ଼ିବା ସହ ଡ୍ରେନର ଉଚ୍ଚତା ମଧ୍ୟ ବଢ଼ୁଥିବାରୁ ଅନେକ ଦୋକାନ ରାସ୍ତାଠାରୁ ନିମ୍ନରେ ରହିଯାଇଛି। ଫଳରେ ସାମାନ୍ୟ ବର୍ଷା ହେଲେ ମଧ୍ୟ ଦୋକାନରେ ପାଣି ପଶୁଥିବା ଅଭିଯୋଗ ହୋଇଛି। ଏଥିରେ ଦୋକାନୀମାନେ ଆର୍ଥିକ କ୍ଷତି ସହିବା ସହ ଦୁର୍ଦ୍ଦଶାରେ ରହିଛନ୍ତି। ତୁରନ୍ତ ଡ୍ରେନ ସଫା କରି ରାଜପଥର ଉଭୟପାର୍ଶ୍ୱରେ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଅନୁଗୋଳରେ ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ୧୫ ବର୍ଷ ସଶ୍ରମ କାରାଦଣ୍ଡ
ବଅଁରପାଳ: ବଅଁରପାଳ ଥାନା କେସ୍ ନମ୍ବର ୧୮୩/୨୦୨୫ ମାମଲାରେ ଅନୁଗୋଳ ଫାଷ୍ଟ ଟ୍ରାକ୍ ସ୍ୱତନ୍ତ୍ର ଅଦାଲତ ବିସୁ ଗୋଚ୍ଛାୟତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଦାଲତ ଧାରା ୬୪(୧), ୬୬, ୧୦୩(୧) ଏବଂ ୨୩୮(ଏ) ବିଏନ୍ଏସ୍ ଅନୁଯାୟୀ ତାଙ୍କୁ ୧୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ମୋଟ ୧ ଲକ୍ଷ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ମାମଲାର ତଦନ୍ତ ଓ ପ୍ରମାଣ ସଂଗ୍ରହରେ ପୋଲିସର ନିଷ୍ଠାପୂର୍ଣ୍ଣ ପ୍ରୟାସ ଏବଂ ପ୍ରଭାବଶାଳୀ ମାମଲା ପରିଚାଳନାର ଏହା ଏକ ପ୍ରତିଫଳନ ବୋଲି କୁହାଯାଇଛି। ଅଦାଲତଙ୍କ ଏହି ରାୟ ଦ୍ୱାରା ଆଇନ ପ୍ରତି ଲୋକଙ୍କ ବିଶ୍ୱାସ ଆହୁରି ସୁଦୃଢ଼ ହୋଇଥିବା ଜଣାପଡ଼ିଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ସାମ୍ବାଦିକଙ୍କୁ ମାରପିଟ୍ ଓ ଆକ୍ରମଣ ଘଟଣା: କୋରେଇ ଥାନାରେ ମାମଲା ରୁଜୁ
ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳରେ କାର୍ଯ୍ୟରତ ଜଣେ ସାମ୍ବାଦିକଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ସାମ୍ବାଦିକ ଜଣକ ନିଜର ବୃତ୍ତିଗତ କାର୍ଯ୍ୟ ସମ୍ପାଦନ କରୁଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଗାଳିଗୁଲଜ କରିବା ସହ ଅଚାନକ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ନିର୍ଘାତ ମାଡ଼ ମାରିବା ସହ ତାଙ୍କ ପାଖରେ ଥିବା କ୍ୟାମେରା, ମୋବାଇଲ୍ ଓ ଅନ୍ୟାନ୍ୟ ଜିନିଷପତ୍ର ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ଘଟଣାସ୍ଥଳରେ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ରୁଣ୍ଡ ହୋଇଯିବାରୁ ଦୁର୍ବୃତ୍ତମାନେ ସେଠାରୁ ଫେରାର୍ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ସାମ୍ବାଦିକଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ନେଇ ପୀଡ଼ିତ ସାମ୍ବାଦିକ କୋରେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହି ଆକ୍ରମଣ ଘଟଣାକୁ ସ୍ଥାନୀୟ ସାମ୍ବାଦିକ ସଂଘ ଓ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ର ସଭାପତି ମନୋଜ ଶତପଥୀ ଦୃଢ଼ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
Jajpur (ଯାଜପୁର) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଭଂଜନଗର

5ଟା ଯାଏଁ ଖୋଲା ରହିବା କଥା, ଅପରାହ୍ଣ 4ଟା ପୂର୍ବରୁ ତାଲା ପଡିଲା ଆୟତନ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ ସେବା ଠପ୍, ଲୋକେ ହଇରାଣ
ରାଜକନିକା: ୨୫/୦୮ ସରକାର ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନାମ ଦେଉଛନ୍ତି, କିନ୍ତୁ ମାଟିରେ ସ୍ଥିତି ଭିନ୍ନ। କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଆୟତନ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ଆୟୁଷମାନ ଆରୋଗ୍ୟ ସେଣ୍ଟର)ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ ହୋଇଯାଉଥିବା ଅଭିଯୋଗ ହୋଇଛି।GPS ଫଟୋରେ ସତ ସାମ୍ନାକୁ ଆସିଛି ଆଜି ଅପରାହ୍ଣ 03:58 ମିନିଟ୍ ସମୟରେ ନିଆଯାଇଥିବା ଜିପିଏସ ମ୍ୟାପ କ୍ୟାମେରା ଫଟୋରେ ଦେଖାଯାଉଛି ଯେ ଆୟତନ ଆରୋଗ୍ୟ ମନ୍ଦିରର ନୀଳ ରଙ୍ଗର ଦୁଇ ପାଲ୍ଲା କବାଟରେ ତାଲା ଝୁଲୁଛି। ଯଦିଓ ଏହି କେନ୍ଦ୍ର ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଖୋଲା ରହିବା କଥା, କିନ୍ତୁ 4ଟା ବାଜିବା ଆଗରୁ ହିଁ କେନ୍ଦ୍ର ବନ୍ଦ ହୋଇଯାଇଛି। ଫଳରେ ଦୂର ଦୂରାନ୍ତରୁ ଔଷଧ ଓ ଚିକିତ୍ସା ପାଇଁ ଆସିଥିବା ରୋଗୀମାନେ ନିରାଶ ହୋଇ ଫେରିବାକୁ ପଡୁଛି। ସ୍ଥାନୀୟ ଲୋକେ କୁହନ୍ତି, "ଆୟତନ ଆୟୁଷମାନ ଆରୋଗ୍ୟ କେନ୍ଦ୍ର ପ୍ରାୟ ସମୟ ବନ୍ଦ ରହୁଛି। ଡାକ୍ତର, ନର୍ସ କେହି ସମୟରେ ଆସୁନାହାନ୍ତି। ସରକାର 5ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ନିୟମ କରିଛନ୍ତି କିନ୍ତୁ ଏଠି 3ଟା ବେଳକୁ ତାଲା ପଡିଯାଉଛି। ଆମେ ଗରିବ ଲୋକ କୁଆଡେ ଯିବୁ?"ବର୍ଷା ଓ ବନ୍ୟା ସମୟରେ ଜ୍ୱର, ଝାଡା, ଚର୍ମ ରୋଗ ବଢୁଥିବା ବେଳେ ଏଭଳି ସ୍ୱାସ୍ଥ୍ୟ କେନ୍ଦ୍ର ବନ୍ଦ ରହିବା ଚିନ୍ତାର ବିଷୟ।ଏ ନେଇ ସ୍ଥାନୀୟ ବୁଦ୍ଧିଜୀବୀମାନେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO) ଏବଂ ରାଜକନିକା ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ । ତୁରନ୍ତ କେନ୍ଦ୍ରକୁ ନିୟମିତ ସମୟରେ ଖୋଲା ରଖିବା ଓ କର୍ତ୍ତବ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି।
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ - ଦିଲ୍ଲୀପ ପରିଡା,ରାଜକନିକା

ରାସ୍ତା ନୁହେଁ, ମରଣଯନ୍ତା! ଖାଲଖମାରେ ଭର୍ତ୍ତି ବରିକୁଳ–ପ୍ରୀତିପୁର ରାସ୍ତା
ବିଂଝାରପୁର, ଯାଜପୁର: ରାସ୍ତା ଅଛି, ହେଲେ ଯାତାୟାତ ଯୋଗ୍ୟ ନୁହେଁ। ବିଭିନ୍ନ ସ୍ଥାନରେ ବଡ଼ବଡ଼ ଖାଲଖମା, ବର୍ଷା ହେଲେ ଖାଲରେ ଜମୁଛି ପାଣି। ଫଳରେ ରାସ୍ତା ନା ମରଣଯନ୍ତା—ଏଭଳି ଅବସ୍ଥା ଦେଇ ଗତି କରୁଛି ବରିକୁଳ ଠାରୁ ପ୍ରୀତିପୁର ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ରାସ୍ତା। ବିଂଝାରପୁର ଅଞ୍ଚଳର ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ବିଭିନ୍ନ ସ୍ଥାନରେ ଦୀର୍ଘଦିନ ଧରି ଖାଲଖମା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ବର୍ଷା ଦିନେ ଖାଲଗୁଡ଼ିକ ପାଣିରେ ପୂର୍ଣ୍ଣ ହୋଇଯିବାରୁ ଗାଡ଼ି ଚାଳକଙ୍କ ପାଇଁ ଖାଲର ଗଭୀରତା ଅନୁମାନ କରିବା କଷ୍ଟକର ହେଉଛି। ଫଳରେ ଦୁଇଚକିଆ ଓ ଅନ୍ୟାନ୍ୟ ଯାନବାହନ ଦୁର୍ଘଟଣାର ଶିକାର ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ରାସ୍ତାର ଏଭଳି ଦୟନୀୟ ଅବସ୍ଥା ଯୋଗୁଁ ଦୈନନ୍ଦିନ ଯାତାୟାତ କରୁଥିବା ଲୋକେ ଭୟ ଓ ଆଶଙ୍କାରେ ରହୁଛନ୍ତି। ବିଶେଷକରି ବର୍ଷା ସମୟରେ ରାସ୍ତା ଅଧିକ ବିପଦପୂର୍ଣ୍ଣ ହୋଇପଡ଼ୁଥିବାରୁ ଯାତାୟାତ କରିବା ଏକପ୍ରକାର ଦୁଃସାହସ ପାଲଟିଛି। ସ୍ଥାନୀୟ ଲୋକଙ୍କ ପ୍ରଶ୍ନ—ସରକାର ଲୋକଙ୍କଠାରୁ ନେଉଥିବା ରୋଡ୍ ଟ୍ୟାକ୍ସ ଯାଉଛି କୁଆଡ଼େ? ଯଦି ରାସ୍ତା ମରାମତି ଓ ସୁରକ୍ଷିତ ଯାତାୟାତ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ, ତେବେ ସାଧାରଣ ଲୋକଙ୍କ ସୁରକ୍ଷା କିଏ ନେବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏହି ରାସ୍ତାର ତୁରନ୍ତ ମରାମତି କରି ଯାତାୟାତ ଉପଯୋଗୀ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଅତିଶୀଘ୍ର ରାସ୍ତା ମରାମତି ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ସେମାନେ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ରାସ୍ତାର ଦୟନୀୟ ଅବସ୍ଥା ପ୍ରତି ସମ୍ପୃକ୍ତ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ଖାଲଖମା ପୂରଣ ସହ ଆବଶ୍ୟକ ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
Jajpur (ଯାଜପୁର) • ରିପୋର୍ଟ: ଉଦୟନାଥ ଜେନା, ବିଂଝାରପୁର, ଯାଜପୁର

MMDR-୨୦୨୬ ପ୍ରତ୍ୟାହାର ଦାବିରେ ଖୋର୍ଦ୍ଧାରେ କଂଗ୍ରେସର ମଶାଲ ଶୋଭାଯାତ୍ରା
ଖୋର୍ଦ୍ଧା: କେନ୍ଦ୍ର ସରକାର ଆଣିଥିବା MMDR-୨୦୨୬ ଆଇନ ପ୍ରତ୍ୟାହାର ଦାବିରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସମେତ ଇଣ୍ଡି ମେଣ୍ଟ ପକ୍ଷରୁ ବିଶାଳ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଗୋଡ଼ି ପୋଖରୀଠାରୁ ଶୋଭାଯାତ୍ରା ବାହାରି ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଯାଇଥିଲା। ଶୋଭାଯାତ୍ରାରେ ହଜାର ହଜାର କର୍ମୀ ଓ ନେତା ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଖଣି ନୀତିକୁ ବିରୋଧ କରିଥିଲେ। ଏହି ଆଇନ ଦ୍ୱାରା ଓଡ଼ିଶାର ଖଣିଜ ସମ୍ପଦ ଓ ରାଜସ୍ୱ ଉପରେ ପ୍ରଭାବ ପଡ଼ିବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଓଡ଼ିଶାର ସ୍ୱାର୍ଥ ଓ ଖଣିଜ ସମ୍ପଦର ସୁରକ୍ଷା ପାଇଁ MMDR-୨୦୨୬ ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଶୋଭାଯାତ୍ରାରେ ଦାବି କରାଯାଇଥିଲା। ଇଣ୍ଡି ମେଣ୍ଟର ବିଭିନ୍ନ ଦଳର ନେତା ଓ କାର୍ଯ୍ୟକର୍ତ୍ତାମାନେ ଓଡ଼ିଶାର ସ୍ୱାର୍ଥ ପାଇଁ ଏକଜୁଟ ହୋଇ ଆନ୍ଦୋଳନକୁ ଜୋରଦାର କରିବାକୁ ଆହ୍ୱାନ ଦେଇଥିଲେ।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଚିଲିକା ଜେଟିରେ ପୁଲିସର ଚଢ଼ାଉ, ବ୍ରାଉନସୁଗାର ସହ ୨ ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଚିଲିକା ଜେଟି ନିକଟ ବାଲୁଗାଁ କଲେଜ ପାର୍ଶ୍ୱରେ ବ୍ରାଉନସୁଗାର ବେପାର ନେଇ ସୂଚନା ପାଇ ପୁଲିସ ଚଢ଼ାଉ କରିଛି। ଚଢ଼ାଉ ବେଳେ ୩୦.୦୪ ଗ୍ରାମ ବ୍ରାଉନସୁଗାର ଜବତ ସହ ୨ ଜଣଙ୍କୁ ଗିରଫ କରାଯାଇଛି।ଗିରଫ ବ୍ୟକ୍ତିଙ୍କ ନିକଟରୁ ୨ଟି ମୋବାଇଲ ଫୋନ୍ ଓ ଗୋଟିଏ ସ୍କୁଟି ମଧ୍ୟ ଜବତ ହୋଇଛି। ଏନଡିପିଏସ୍ ଆଇନରେ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଗୁରୁଜଙ୍ଗ ଟାଙ୍ଗୀସାହି-ନୂଆଗାଁ ରାସ୍ତା ସାଜିଛି ମରଣଯନ୍ତା ଏ ରାସ୍ତା କାହାର? ପୂର୍ତ୍ତ ବିଭାଗ ନା ଗ୍ରାମ୍ୟ ଉନ୍ନୟନ ବିଭାଗ — ଦାୟିତ୍ୱ ନେବ କିଏ?
ଖୋର୍ଦ୍ଧା ପୌରପରିଷଦ ଅଧୀନ ଗୁରୁଜଙ୍ଗ ୧୮ ନମ୍ବର ୱାର୍ଡର ଟାଙ୍ଗୀସାହି-ନୂଆଗାଁ ମୁଖ୍ୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତାର ଅବସ୍ଥା ଏଭଳି ଶୋଚନୀୟ ହୋଇପଡ଼ିଛି ଯେ, ଏହି ରାସ୍ତାରେ ଯାତାୟାତ କରିବା ସମୟରେ ଲୋକେ ଭଗବାନଙ୍କ ଭରସାରେ ଯାତ୍ରା କରୁଥିବା ଅଭିଯୋଗ ହେଉଛି।ସବୁଠାରୁ ବଡ଼ ପ୍ରଶ୍ନ ହେଉଛି— ଏହି ରାସ୍ତାଟି କାହାର? ପୂର୍ତ୍ତ ବିଭାଗର ନା ଗ୍ରାମ୍ୟ ଉନ୍ନୟନ ବିଭାଗର? ରାସ୍ତାର ଦୁରବସ୍ଥା ନେଇ ସାଧାରଣ ଲୋକେ ଅଭିଯୋଗ କରୁଥିଲେ ମଧ୍ୟ କେଉଁ ବିଭାଗ ଏହାର ଦାୟିତ୍ୱ ନେବ, ତାହା ସ୍ପଷ୍ଟ ହେଉନାହିଁ।ରାସ୍ତା ସାରା ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ବର୍ଷା ହେଲେ ସେଥିରେ ପାଣି ଜମି ଅବସ୍ଥା ଆହୁରି ସଙ୍ଗୀନ ହୋଇପଡ଼ୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତ ଦୁଇ ମାସ ମଧ୍ୟରେ ଏହି ଗର୍ତ୍ତରେ ପଡ଼ି ପ୍ରାୟ ୪୦ରୁ ୫୦ ଜଣ ଆହତ ହୋଇ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସିତ ହୋଇଛନ୍ତି। ଏପରିକି ରାସ୍ତାର ଅବସ୍ଥା ଦେଖି ଆମ୍ବୁଲାନ୍ସ ଚାଳକମାନେ ମଧ୍ୟ ଏହି ରାସ୍ତାକୁ ଯିବାକୁ ଭୟ କରୁଥିବା ଅଭିଯୋଗ ହୋଇଛି।ଏହି ରାସ୍ତା ଦେଇ ନୂଆଗାଁ, ଅରାଙ୍ଗ, ମହୁଲ, ମଧୁପୁର, ମାଜଣା, ଅଙ୍ଗାରପଡ଼ା, ପଳାସପୁର, ବିନ୍ଧଗିରି, ଛତାବର, ମିନଚୀନ ପାଟଣା, ମେଣ୍ଢାଶାଳ, ଅରିଶଲ ସମେତ ବିଭିନ୍ନ ଅଞ୍ଚଳର ଲୋକେ ଖୋର୍ଦ୍ଧା, ଭୁବନେଶ୍ୱର ଓ କଟକକୁ ଯାତାୟାତ କରନ୍ତି। ଛାତ୍ରଛାତ୍ରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଯାଉଥିବା ବେଳେ ଗର୍ଭବତୀ ମହିଳା ଓ ରୋଗୀମାନେ ମଧ୍ୟ ଏହି ରାସ୍ତା ଉପରେ ନିର୍ଭରଶୀଳ।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅରାଙ୍ଗ ମୌଜାରେ ଶିଳ୍ପାନୁଷ୍ଠାନର କାର୍ଯ୍ୟ ଆରମ୍ଭ ହେବା ପରେ ଏହି ସମସ୍ୟା ଆହୁରି ବଢ଼ିଛି। ଭାରୀ ମାଲବାହୀ ଯାନଗୁଡ଼ିକ ଏହି ଅଣଓସାରିଆ ରାସ୍ତା ଦେଇ ନିୟମିତ ଯାତାୟାତ କରିବା ଫଳରେ ରାସ୍ତାର ଅବସ୍ଥା ଦିନକୁ ଦିନ ଖରାପ ହୋଇଥିବା ଅଭିଯୋଗ ହୋଇଛି। ଶିଳ୍ପାନୁଷ୍ଠାନ ପାଇଁ ଏକ ସ୍ୱତନ୍ତ୍ର ରାସ୍ତା ନିର୍ମାଣ କରାଯାଇନଥିବାରୁ ସାଧାରଣ ଲୋକଙ୍କ ରାସ୍ତା ଉପରେ ଭାରୀ ଯାନ ଚଳାଚଳ କରୁଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି।ଅନ୍ୟପଟେ ପିତାପଲିଠାରୁ ଶରଧାପୁର ପର୍ଯ୍ୟନ୍ତ ନୂଆ ୫୭ ନମ୍ବର ଜାତୀୟ ରାଜପଥର କାମ ଦୀର୍ଘଦିନ ଧରି ଚାଲିଥିବାରୁ ଗୁରୁଜଙ୍ଗ ଓ ନୂଆଗାଁ ଓଭରବ୍ରିଜ୍ ତଳ ଅଞ୍ଚଳରେ ମଧ୍ୟ ଖାଲଖମା ସହ ପାଣି ଜମି ରହୁଛି। ଫଳରେ ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଯାଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ସବୁ ଦେଖି ମଧ୍ୟ ନିରବ ରହିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଏନେଇ ପୂର୍ବରୁ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆଯାଇନଥିବା ସାମାଜିକ କର୍ମୀ ଗୋପାଳ କୃଷ୍ଣ ପ୍ରଧାନ ଅଭିଯୋଗ କରିଛନ୍ତି। ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କେଉଁ ବିଭାଗ ଏହି ରାସ୍ତାର ଦାୟିତ୍ୱରେ ଅଛି, ତାହା ସ୍ପଷ୍ଟ ହୋଇପାରିନଥିବା ସେ କହିଛନ୍ତି। ଦୈନିକ ପ୍ରାୟ ୧୫ରୁ ୨୦ଟି ଗ୍ରାମର ଲୋକେ ନିର୍ଭର କରୁଥିବା ଏହି ରାସ୍ତାର ତୁରନ୍ତ ମରାମତି ଓ ସ୍ଥାୟୀ ସମାଧାନ ଦାବି ଜୋର ଧରିଛି। ଆଗକୁ କୌଣସି ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ନଚେତ୍ ଏହି ରାସ୍ତାକୁ ନେଇ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଚେତାବନୀ ଦିଆଯାଇଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଦୁଇ-ତିନି ବର୍ଷର ସାମାଜିକ ବାଛନ୍ଦ ପରେ ହିଂସାର ଅଭିଯୋଗ: ୧୧ ଦଳିତ ପରିବାରଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ
ପୁରୀ/ଚନ୍ଦନପୁର: ଦୀର୍ଘ ଦୁଇରୁ ତିନି ବର୍ଷ ଧରି ସାମାଜିକ ବାଛନ୍ଦର ଶିକାର ହୋଇଥିବା ଅଭିଯୋଗ ପରେ ଏବେ ହିଂସା ଓ ସମ୍ପତ୍ତି ଲୁଟ୍ ଭଳି ସଙ୍ଗୀନ ଅଭିଯୋଗକୁ ନେଇ ଚର୍ଚ୍ଚାରେ ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ଉତ୍ତରଣା ମଠସାହି ଅଞ୍ଚଳ। ଗାଁରେ ବସବାସ କରୁଥିଲେ ମଧ୍ୟ ସାମାଜିକ ଭାବେ ଦୂରେଇ ରହିବାକୁ ୧୧ଟି ଦଳିତ ପରିବାରଙ୍କୁ ବାଧ୍ୟ କରାଯାଇଥିବା ପୀଡ଼ିତ ପରିବାରମାନେ ଅଭିଯୋଗ କରିଛନ୍ତି। ପୀଡ଼ିତମାନଙ୍କ ଅଭିଯୋଗ ଅନୁସାରେ, ସେମାନଙ୍କୁ ଅନ୍ୟ କିଛି ଲୋକଙ୍କ ବିରୋଧରେ ମାମଲା କରିବାକୁ କୁହାଯାଇଥିଲା। ନିଜର କୌଣସି ଦୋଷ ନଥିବାରୁ ମିଥ୍ୟା ମାମଲା କରିବାକୁ ରାଜି ନହେବା ପରେ ସେମାନଙ୍କ ଉପରେ ସାମାଜିକ ବାଛନ୍ଦ ଲାଗୁ କରାଯାଇଥିବା ସେମାନେ କହିଛନ୍ତି। ଦୀର୍ଘ ସମୟ ଧରି ଏହି ସ୍ଥିତି ଜାରି ରହିଥିବା ଅଭିଯୋଗ ହୋଇଛି। ଏହାପରେ ନିଜ ନାମରେ ଥିବା ଜମିରୁ ଦଳ କାଢ଼ିବାକୁ ନେଇ ବିବାଦ ତୀବ୍ର ହୋଇଥିବା ଅଭିଯୋଗ ଆସିଛି। ଜମିରୁ ଦଳ କାଢ଼ିବା ସମୟରେ ଅନେକ ଲୋକ ଏକାଠି ହୋଇ ସେମାନଙ୍କ ଉପରେ ଆକ୍ରମଣ କରିଥିବା ପୀଡ଼ିତ ପରିବାରଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ଘଟଣାରେ ଅନେକ ବ୍ୟକ୍ତି ଆହତ ହୋଇଥିବା ବେଳେ ଚିକିତ୍ସା ଚାଲିଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରେ ଅର୍ଜୁନ ସେଠୀ, ଦୀନବନ୍ଧୁ ସେଠୀ, ଆରତ ସେଠୀ, ସାରଥ ସେଠୀ, ଲକ୍ଷ୍ମୀଧର ସେଠୀ, ମକରା ସେଠୀ, ପୂର୍ଣ୍ଣଚନ୍ଦ୍ର ସେଠୀ, ମହେଶ୍ୱର ସେଠୀ, ନକୁଳ ସେଠୀ, ଗଙ୍ଗାଧର ସେଠୀ ଓ ନାରାୟଣ ସେଠୀଙ୍କ ନାମ ରହିଛି। ଅଭିଯୋଗ ଏତିକିରେ ସୀମିତ ନୁହେଁ। ପୀଡ଼ିତ ପରିବାରଙ୍କ ଘରୁ ସୁନା, ରୂପା, ଟଙ୍କା, ମୋବାଇଲ ଫୋନ୍ ଓ ସ୍କୁଟି ଭଳି ସମ୍ପତ୍ତି ନେଇଯାଇଥିବା ଅଭିଯୋଗ ହୋଇଛି। ଏପରିକି ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇଦିଆଯାଇଥିବା ଭଳି ଅତ୍ୟନ୍ତ ଗୁରୁତର ଅଭିଯୋଗ ମଧ୍ୟ ପୀଡ଼ିତଙ୍କ ପକ୍ଷରୁ ଆସିଛି। ଏକପଟେ ଆହତଙ୍କ ଚିକିତ୍ସା, ଅନ୍ୟପଟେ ଘର ଓ ସମ୍ପତ୍ତି ସମ୍ପର୍କରେ ଏପରି ଅଭିଯୋଗ ଘଟଣାକୁ ଅଧିକ ସମ୍ବେଦନଶୀଳ କରିଛି। ଏହାକୁ ନେଇ ଅଞ୍ଚଳରେ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ଏହି ଘଟଣା ପରେ ସାମାଜିକ ବାଛନ୍ଦ ଭଳି ପ୍ରଥା, ଜାତିଗତ ଭେଦଭାବ ଓ ଆଇନକୁ ହାତକୁ ନେବା ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠିଛି। କୌଣସି ବିବାଦ ଥିଲେ ମଧ୍ୟ ତାହାର ସମାଧାନ ଆଇନଗତ ମାର୍ଗରେ ହେବା ଉଚିତ ବୋଲି ମତ ପ୍ରକାଶ ପାଇଛି। ପୀଡ଼ିତ ପରିବାରମାନେ ସେମାନଙ୍କ ସୁରକ୍ଷା ସହ ଘଟଣାର ନିରପେକ୍ଷ ଓ ନିଷ୍ପକ୍ଷ ତଦନ୍ତ ଦାବି କରିଛନ୍ତି। ତେବେ ଘଟଣା ସମ୍ପର୍କିତ ସମସ୍ତ ଅଭିଯୋଗର ପ୍ରକୃତ ସତ୍ୟତା ପୁଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଘଟଣାରେ ପ୍ରଶାସନ ଓ ପୁଲିସ ତୁରନ୍ତ ହସ୍ତକ୍ଷେପ କରି ପୀଡ଼ିତ ପରିବାରଙ୍କ ସୁରକ୍ଷା ନିଶ୍ଚିତ କରିବା ସହ ଦୋଷୀଙ୍କ ବିରୋଧରେ ଆଇନାନୁସାରେ ପଦକ୍ଷେପ ନେବାକୁ ଦାବି ଜୋର ଧରିଛି।
Puri (ପୁରୀ) • ରିପୋର୍ଟ: ଓଁ ପ୍ରକାଶ ସାହୁ, ପୁରୀ

ଖମାର ମାର୍କେଟ୍ରେ ଟ୍ରକ୍ ଧକ୍କାରେ ଦଶମ ଛାତ୍ର ମୃତ, ସୁରକ୍ଷା ବ୍ୟବସ୍ଥା ଦାବିରେ କଂଗ୍ରେସର ଚେତାବନୀ
ପାଲଲହଡ଼ା: ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ ଖମାର ମାର୍କେଟ୍ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଅକାଳ ମୃତ୍ୟୁ ଘଟିଛି। ବଜାର ଦେଇ ଯାଉଥିବା ବେଳେ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏହି ଦୁର୍ଘଟଣାକୁ ନେଇ ପାଲଲହଡ଼ା କଂଗ୍ରେସ ନେତା ସୁବ୍ରତ ଗଡ଼ନାୟକ କଡ଼ା ନିନ୍ଦା କରିବା ସହ ଭାରୀଯାନ ନିୟନ୍ତ୍ରଣ ପାଇଁ ବାଇପାସ୍ ରାସ୍ତା, ଏଆଇ କ୍ୟାମେରା, ନିର୍ଦ୍ଧାରିତ ସମୟରେ ନୋ-ଏଣ୍ଟ୍ରି, ଦୃଢ଼ ଟ୍ରାଫିକ୍ ବ୍ୟବସ୍ଥା ଓ ସଚେତନତା ଫଳକ ଲଗାଇବା ଦାବି କରିଛନ୍ତି। ଘଟଣାସ୍ଥଳରେ ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ସାହୁ, କୋଷାଧ୍ୟକ୍ଷ ପ୍ରଶାନ୍ତ ସାହୁ ଓ ଏସ୍ସି ସେଲ୍ ସଭାପତି ସୌରଭ ବେହେରା ପହଞ୍ଚି ପ୍ରଶାସନ ସହ ଆଲୋଚନା କରିଥିଲେ। ଏକ ମାସ ମଧ୍ୟରେ ଦାବିଗୁଡ଼ିକ ପୂରଣ ନହେଲେ କଂଗ୍ରେସ ପକ୍ଷରୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ସୁବ୍ରତ ଗଡ଼ନାୟକ ଚେତାବନୀ ଦେଇଛନ୍ତି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା
