Web News

ଅଳ୍ପ ବର୍ଷାରେ ମଝି ରାସ୍ତାରେ ଜମୁଛି କାଦୁଅ ପାଣି
କୋକସରା, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଡାଳଗୁମା ଗ୍ରାମରେ ବରଗଛ ଛକ ନିକଟରେ ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ କାଦୁଅ ପାଣି ଜମି ରହୁଥିବାରୁ ଗ୍ରାମବାସୀଙ୍କ ଯାତାୟାତରେ ନାନା ସମସ୍ୟା ସୃଷ୍ଟି ହେଉଛି। ଡ୍ରେନେଜ ବ୍ୟବସ୍ଥା ଠିକ୍ ଭାବରେ ସଫା ନହେବା ଓ ବର୍ଷା ପାଣି ନିଷ୍କାସନ ପାଇଁ ସୁବ୍ୟବସ୍ଥିତ ବ୍ୟବସ୍ଥା ନଥିବାରୁ ରାସ୍ତା ଉପରେ ପାଣି ଜମି ରହୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଗ୍ରାମର ଉକ୍ତ ରାସ୍ତା ଦେଇ ପ୍ରତିଦିନ ଅନେକ ଲୋକ ଯାତାୟାତ କରୁଥିବା ବେଳେ ସ୍କୁଲକୁ ପାଠ ପଢ଼ିବା ପାଇଁ ଯାଉଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। ବର୍ଷା ହେବା ପରେ ରାସ୍ତାରେ ପାଣି ଓ କାଦୁଅ ଜମି ରହୁଥିବାରୁ ପିଲାମାନଙ୍କୁ କାଦୁଅ ପାଣି ଭିତରେ ଯିବାକୁ ପଡ଼ୁଛି। ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁସାରେ, ଡାଳଗୁମା ପଞ୍ଚାୟତରେ ହଜାର ହଜାର ଟଙ୍କା ମାଶ କ୍ଲିନିଙ୍ଗ ରେ ଖର୍ଚ୍ଚ ହେଉଥିବା ବେଳେ ଗ୍ରାମର ଡ୍ରେନେଜଗୁଡ଼ିକ ନିୟମିତ ଭାବେ ସଫା ହେଉନାହିଁ। ଡ୍ରେନଗୁଡ଼ିକରେ ମାଟି, ଅଳିଆ-ଆବର୍ଜନା ଓ କାଦୁଅ ଜମି ରହୁଥିବାରୁ ବର୍ଷା ପାଣି ସହଜରେ ନିଷ୍କାସିତ ହୋଇପାରୁନାହିଁ। ଫଳରେ ଅଳ୍ପ ବର୍ଷାରେ ମଧ୍ୟ ପାଣି ରାସ୍ତା ଉପରକୁ ଉଠିଆସୁଥିବା ଏବଂ ଦୀର୍ଘ ସମୟ ଧରୀ ଜମି ରହୁଥିବା ଦେଖିବାକୁ ମିଲୁଛି ଗ୍ରାମବାସୀଙ୍କ ଅଭିଯୋଗ ଏହି ସମସ୍ୟା କେବଳ ବର୍ଷା ଦିନରେ ଯାତାୟାତକୁ ପ୍ରଭାବିତ କରୁନାହିଁ, ବରଂ ଅଞ୍ଚଳର ପରିମଳ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ପକାଉଛି। ରାସ୍ତା ଉପରେ ଦୀର୍ଘ ସମୟ ଧରି ଅପରିଷ୍କାର ପାଣି ଜମି ରହିଲେ ଦୁର୍ଗନ୍ଧ ସୃଷ୍ଟି ହେବା ସହ ମଶା ଓ ବିଭିନ୍ନ ରୋଗବାହୀ କୀଟପତଙ୍ଗ ବଢ଼ିବାର ଆଶଙ୍କା ରହିଛି। ତେଣୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଡ୍ରେନେଜ ବ୍ୟବସ୍ଥାର ତୁରନ୍ତ ସଫେଇ ଓ ମରାମତି ଆବଶ୍ୟକ ବୋଲି ସେମାନେ କହିଛନ୍ତି। ଏନେଇ ଗ୍ରାମବାସୀମାନେ ବାରମ୍ବାର ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ପାଇଁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନଥିବା ସେମାନେ ଦାବି କରିଛନ୍ତି। ଦୀର୍ଘଦିନ ଧରି ଏହି ସମସ୍ୟା ଲାଗି ରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ଦେଖାଯାଇଛି। ଗ୍ରାମର ଛାତ୍ରଛାତ୍ରୀଙ୍କ ସୁବିଧା ଓ ସାଧାରଣ ଲୋକଙ୍କ ସୁରକ୍ଷିତ ଯାତାୟାତକୁ ଦୃଷ୍ଟିରେ ରଖି ଡ୍ରେନଗୁଡ଼ିକୁ ତୁରନ୍ତ ସଫା କରିବା ସହ ରାସ୍ତାରେ ଜମୁଥିବା ପାଣିର ସ୍ଥାୟୀ ନିଷ୍କାସନ ବ୍ୟବସ୍ଥା କରାଯିବାକୁ ଗ୍ରାମବାସୀ ଦାଵୀ କରିଛନ୍ତି।
Kalahandi (କଳାହାଣ୍ଡି) • ରିପୋର୍ଟ :ରିତେଶ କୁମାର ମୁଣ୍ଡ

ବରଗଡ଼ରେ ପଶ୍ଚିମ ଓଡ଼ିଶା ୱେବ୍ ମିଡିଆ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ
ପଶ୍ଚିମ ଓଡ଼ିଶାର ୱେବ୍ ସାମ୍ବାଦିକମାନଙ୍କ ସର୍ବବୃହତ୍ ସଂଗଠନ *ପଶ୍ଚିମ ଓଡ଼ିଶା ୱେବ୍ ମିଡିଆ ଆସୋସିଏସନ (WOWMA)*ର ଷଷ୍ଠ ବାର୍ଷିକ ଉତ୍ସବ ଓ ବନ୍ଧୁ ମିଳନ ଉତ୍ସବ ବରଗଡ଼ ସ୍ଥିତ ଯଦୁମଣି ପ୍ରଧାନ ଅଡିଟୋରିୟମ୍ରେ ଉତ୍ସାହ ଓ ଗରିମାର ସହ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ୱେବ୍ ସାମ୍ବାଦିକ, ଗଣମାଧ୍ୟମ ପ୍ରତିନିଧି, ଜନପ୍ରତିନିଧି, ସାମାଜିକ କର୍ମୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ଗରିମାମୟ ସମାରୋହରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏହି ଅବସରରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଏବଂ କଂଗ୍ରେସ ନେତା ନିପନ ଦାଶ ପ୍ରମୁଖ ଉପସ୍ଥିତ ରହି ଆସୋସିଏସନର କାର୍ଯ୍ୟଧାରାର ପ୍ରଶଂସା କରିଥିଲେ। ପଶ୍ଚିମ ଓଡ଼ିଶାର ସାମ୍ବାଦିକମାନଙ୍କ ସ୍ୱାର୍ଥରକ୍ଷା, ଏକତା ଓ ପେଶାଗତ ବିକାଶ ଦିଗରେ ଆସୋସିଏସନର ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ସେମାନେ କହିଥିଲେ। ବରଗଡ଼ ସହରରେ ସାମ୍ବାଦିକ ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ଘଟଣା ସାମ୍ବାଦିକ ସମାଜ ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା। ଆସୋସିଏସନର ସଭାପତି ଅସିତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ ଡିଜିଟାଲ୍ ସାମ୍ବାଦିକତାର ବର୍ତ୍ତମାନ ସ୍ଥିତି, ଭବିଷ୍ୟତ ଏବଂ ସମାଜ ପ୍ରତି ଏହାର ଦାୟିତ୍ୱ ଉପରେ ମତ ରଖିଥିଲେ। ସେମାନେ କହିଥିଲେ ଯେ, ବର୍ତ୍ତମାନର ଡିଜିଟାଲ୍ ଯୁଗରେ ୱେବ୍ ମିଡିଆ କେବଳ ଖବର ପ୍ରସାରଣର ମାଧ୍ୟମ ନୁହେଁ, ବରଂ ସମାଜର ଅବହେଳିତ, ନିଷ୍ପେଷିତ ଓ ବଞ୍ଚିତ ବର୍ଗର ସ୍ୱରକୁ ସରକାର ଓ ପ୍ରଶାସନ ପାଖରେ ପହଞ୍ଚାଇବାର ଏକ ଶକ୍ତିଶାଳୀ ମଞ୍ଚ। ଜନସାଧାରଣଙ୍କ ସମସ୍ୟା, ଦୁର୍ନୀତି, ଅନିୟମିତତା ଏବଂ ବିକାଶମୂଳକ ପ୍ରସଙ୍ଗକୁ ତ୍ୱରିତ ଭାବେ ଲୋକଲୋଚନକୁ ଆଣିବାରେ ୱେବ୍ ମିଡିଆର ଭୂମିକା ଦିନକୁ ଦିନ ବଢ଼ି ଚାଲିଛି। ଅତିଥିମାନେ ଆହୁରି କହିଥିଲେ ଯେ, ସତ୍ୟ, ନିଷ୍ଠା, ନିର୍ଭୀକତା ଓ ଜନସେବାର ଆଦର୍ଶକୁ ନେଇ କାର୍ଯ୍ୟ କରୁଥିବା ସାମ୍ବାଦିକମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ଗରିମାକୁ ଅକ୍ଷୁଣ୍ଣ ରଖିଛନ୍ତି। ଭୁଲ୍ ସୂଚନା ଓ ଗୁଜବର ପ୍ରସାରକୁ ରୋକି ସଠିକ୍ ଓ ତଥ୍ୟଭିତ୍ତିକ ଖବର ପରିବେଷଣ କରିବା ପ୍ରତ୍ୟେକ ସାମ୍ବାଦିକଙ୍କ ନୈତିକ ଦାୟିତ୍ୱ ବୋଲି ସେମାନେ ମତବ୍ୟକ୍ତ କରିଥିଲେ l କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ୱେବ୍ ସାମ୍ବାଦିକ, ସମାଜସେବୀ, ବିଭିନ୍ନ ସଂଗଠନ ଏବଂ ଜନହିତକର କାର୍ଯ୍ୟରେ ସଫଳତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ମାନପତ୍ର ଓ ସ୍ମାରକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ମାନିତ ଅତିଥିମାନେ ସମାଜ ପ୍ରତି ସେମାନଙ୍କର ଅବଦାନକୁ ପ୍ରଶଂସା କରି ଆଗାମୀ ଦିନରେ ମଧ୍ୟ ଜନସେବାରେ ନିୟୋଜିତ ରହିବାକୁ ଆହ୍ୱାନ ଜଣାଇଥିଲେ। ସଭାରେ ସାମ୍ବାଦିକତାର ନୈତିକ ମୂଲ୍ୟବୋଧ, ବୃତ୍ତିଗତ ଏକତା, ସାମାଜିକ ଦାୟିତ୍ୱ ଏବଂ ଆଧୁନିକ ଡିଜିଟାଲ୍ ସାମ୍ବାଦିକତାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମକୁ ମୁଗ୍ଧା ଦାଶ ଓ ଗୋପବନ୍ଧୁ ପୁରୋହିତ ସୁଚାରୁ ଭାବେ ସଂଯୋଜନା କରିଥିବା ବେଳେ ଉପସଭାପତି ଧୀରେନ୍ଦ୍ର ମହାନ୍ତି ସ୍ୱାଗତ ଓ ବିବରଣୀ ପାଠ କରିଥିଲେ କରିଥିଲେ। ଆସୋସିଏସନର ସଭାପତି ଅସିତ କୁମାର ସ୍ୱାଇଁ ସଂଗଠନର ବିଗତ ବର୍ଷର କାର୍ଯ୍ୟକଳାପ ଓ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ମତ ରଖି କହିଥିଲେ ଯେ, ପଶ୍ଚିମ ଓଡ଼ିଶାର ୱେବ୍ ସାମ୍ବାଦିକମାନଙ୍କୁ ଏକ ସଶକ୍ତ ଓ ଦାୟିତ୍ୱବାନ୍ ମଞ୍ଚ ପ୍ରଦାନ କରିବା ହିଁ ଆସୋସିଏସନର ପ୍ରମୁଖ ଲକ୍ଷ୍ୟ। ଶେଷରେ ଆସୋସିଏସନର ସାଧାରଣ ସମ୍ପାଦକ ଲୀଳାମୟ ବେହେରା ସମସ୍ତ ଅତିଥି, ସାମ୍ବାଦିକ, ସହଯୋଗୀ ଅନୁଷ୍ଠାନ ଓ ଉପସ୍ଥିତ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ, ପଶ୍ଚିମ ଓଡ଼ିଶାର ସାମ୍ବାଦିକମାନଙ୍କ ମଧ୍ୟରେ ଏକତା, ପେଶାଦାରିତା ଓ ପାରସ୍ପରିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ଦିଗରେ ଆସୋସିଏସନ ସଦା କାର୍ଯ୍ୟ କରିଆସୁଛି ଏବଂ ଆଗାମୀ ଦିନରେ ମଧ୍ୟ ସମାଜ ଓ ସାମ୍ବାଦିକ ସମୁଦାୟର ସ୍ୱାର୍ଥରେ ବିଭିନ୍ନ ଗଠନମୂଳକ ପଦକ୍ଷେପ ଗ୍ରହଣ କରିବ। କାର୍ଯ୍ୟକ୍ରମ ଶେଷରେ ଆୟୋଜିତ ସାଂସ୍କୃତିକ ପରିବେଷଣ ଉତ୍ସବରେ ଏକ ନୂତନ ଉତ୍ସାହ ଯୋଡ଼ିଥିଲା। ଉପସ୍ଥିତ ଅତିଥି ଓ ସାମ୍ବାଦିକମାନେ ଏହି ଆୟୋଜନକୁ ପଶ୍ଚିମ ଓଡ଼ିଶାର ୱେବ୍ ସାମ୍ବାଦିକମାନଙ୍କ ଏକତା, ସଂହତି ଓ ପେଶାଗତ ବିକାଶର ଏକ ସଫଳ ମଞ୍ଚ ବୋଲି ଅଭିହିତ କରିଥିଲେ।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ସରକାରଙ୍କ ଦୀର୍ଘଦିନର ନୀରବତା, ଶିକ୍ଷା ଓ ଶିକ୍ଷକ ବିରୋଧୀ ମନୋଭାବ ଏବଂ ଶିକ୍ଷକ ସମାଜ ପ୍ରତି କରାଯାଉଥିବା ଚରମ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନିଜର ନ୍ୟାଯ୍ୟ ହକ୍ ଓ ସ୍ୱାଭିମାନ ରକ୍ଷା ପାଇଁ ଆସନ୍ତା ଅଗଷ୍ଟ ୧୬ ତାରିଖରେ ଭୁବନେଶ୍ୱରଠାରେ ଏକ ବୃହତ୍ ଆନ୍ଦୋଳନର ଡାକରା ଦେଇଛି 'ଓଡ଼ିଶା ମାଧ୍ୟମିକ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି'।ଏହି ଗଣଆନ୍ଦୋଳନକୁ ତୃଣମୂଳ ସ୍ତରରୁ ଜନମୁଖୀ, ସୁଦୃଢ଼ ଓ ପ୍ରଭାବଶାଳୀ କରିବା ସହ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ରାଜ୍ୟବ୍ୟାପୀ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅଭିଯାନରେ ଶିକ୍ଷକ, କର୍ମଚାରୀଙ୍କ ସହିତ ସାଧାରଣ ଜନତା, ବୁଦ୍ଧିଜୀବୀ ଓ ଅଭିଭାବକମାନଙ୍କୁ ସାମିଲ କରାଯାଉଛି।ଏହି କ୍ରମରେ ଆଜି ରାଜ୍ୟର ପ୍ରତ୍ୟେକ ବ୍ଲକ୍ରେ ବିଡିଓଙ୍କ ଜରିଆରେ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଅତାବିରା ବ୍ଲକ୍ 'ଓଷ୍ଟା' ପକ୍ଷରୁ ବ୍ଲକ୍ ସଭାପତି ବାଳମୁକୁନ୍ଦ ସାହୁ ଙ୍କ ନେତୃତ୍ୱରେ ଅତାବିରା ବିଡିଓ ରିପୁ ନାଥ ସୁନାଙ୍କୁ ଏକ ଦାବିପତ୍ର ହସ୍ତାନ୍ତର କରାଯାଇଛି। ବିଡିଓଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରେରଣ କରାଯାଇଛି। ଦାବି ପତ୍ର ରେ ଅନୁଦାନପ୍ରାପ୍ତ ବ୍ୟବସ୍ଥା ଓ ପେନ୍ସନ୍: ସମସ୍ତ ଯୋଗ୍ୟ ସ୍କୁଲ ଓ କଲେଜକୁ ଅନୁଦାନପ୍ରାପ୍ତ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିବା ସହ ନୂତନ ଅନୁଦାନପ୍ରାପ୍ତ ସ୍କୁଲ/କଲେଜର ଶିକ୍ଷକ ଓ କର୍ମଚାରୀଙ୍କୁ ପେନ୍ସନ୍ ଏବଂ ସେବା ସର୍ତ୍ତାବଳୀ ସୁବିଧା ପ୍ରଦାନ। ନିଯୁକ୍ତି ଓ ଅବସର ବୟସସୀମା ବୃଦ୍ଧି ,ନୂତନ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜଗୁଡ଼ିକରେ ତୁରନ୍ତ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ଏବଂ ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି କରିବା। ସମସ୍ତ ବର୍ଗର ଶିକ୍ଷକଙ୍କ ଗ୍ରେଡ୍ ପେ’ରେ ଥିବା ଅସଙ୍ଗତି ଓ ବ୍ୟବଧାନ ଦୂର କରିବା ଏବଂ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ପାଇଁ ୬ଟି କାଳ୍ପନିକ ବୃଦ୍ଧି ସାମିଲ କରିବା। ସମସ୍ତ ଅନୁଦାନପ୍ରାପ୍ତ ଓ ନୂତନ ଅନୁଦାନପ୍ରାପ୍ତ ସ୍କୁଲ-କଲେଜଗୁଡ଼ିକର ସମ୍ପୂର୍ଣ୍ଣ ସରକାରୀକରଣ ସହ ସମସ୍ତଙ୍କ ପାଇଁ ପୁରୁଣା ପେନ୍ସନ୍ ଯୋଜନା ଲାଗୁ କରିବା ଆଦି ଉଲ୍ଲେଖ ରହିଛି ।ଏହି ଦାବିପତ୍ର ପ୍ରଦାନ ସମୟରେ ବ୍ଲକ ସମ୍ପାଦକ ପ୍ରସନ୍ନ କୁମାର ବେହେରା, ଜିଲ୍ଲା ଓଷ୍ଟା ଉପସଭାପତି ସଚ୍ଚିଦାନନ୍ଦ ପ୍ରଧାନ, ଜିଲ୍ଲା ଯୁଗ୍ମ ସମ୍ପାଦକ ଯାଦବ ପ୍ରଧାନ, ବ୍ଲକ ଯୁଗ୍ମ ସମ୍ପାଦିକା ସରମା ନାୟକ, ପୁରନ୍ଦର ପ୍ରଧାନ, ବରିଷ୍ଠ ସଭ୍ୟ ବଳରାମ ସାହୁ, ପୂର୍ବତନ ବ୍ଲକ ସମ୍ପାଦକ ଓକିଲ ପ୍ରଧାନଙ୍କ ସମେତ ବହୁ ସଂଖ୍ୟାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଭବିଷ୍ୟତର ନାଗରିକ ଗଢ଼ୁଥିବା ଶିକ୍ଷକମାନେ ଆଜି ନିଜର ନ୍ୟାଯ୍ୟ ଅଧିକାର ଓ ସୁରକ୍ଷା ପାଇଁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି। ଦୀର୍ଘ ଦିନରୁ ତାଙ୍କର ନ୍ୟାଯ୍ୟ ଦାବି ସମ୍ପର୍କରେ ସରକାରଙ୍କୁ ଜଣାଇ ଆସୁଥିଲେ ବି ସରକାର ସମ୍ବେଦନହୀନତାର ପରିଚୟ ଦେଉଛନ୍ତି। ଯଦି ସରକାର ଶୀଘ୍ର ଏହି ସମ୍ବେଦନଶୀଳ ସମସ୍ୟାର ସମାଧାନ ନ କରନ୍ତି, ତେବେ ଆସନ୍ତା ୧୬ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଐତିହାସିକ ଗଣଆନ୍ଦୋଳନ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ସଂଗଠନ ଚେତାବନୀ ଦେଇଛି ।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ଡିଜିଟାଲ ମିଡିଆ ମହାସଂଘର ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ଅଗଷ୍ଟ ୨୩ରେ ସାମ୍ବାଦିକ ତାଲିମ ଶିବିର
ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ପ୍ରତିଷ୍ଠାତା ମନୋଜ କୁମାର ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସାମ୍ବାଦିକମାନଙ୍କର ଗୁଣାତ୍ମକ ଦକ୍ଷତା ବୃଦ୍ଧି, ଜ୍ଞାନଚର୍ଚ୍ଚା ଓ ସାମାଜିକ ଦାୟିତ୍ୱବୋଧକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାର ପାଣିକୋଇଲିସ୍ଥିତ ଏକ ମଣ୍ଡପରେ ରବିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସାମ୍ବାଦିକତାର ନୈତିକତା, ଦାୟିତ୍ୱବୋଧ, ଗୁଣାତ୍ମକ ସମ୍ବାଦ ପରିବେଷଣ ଏବଂ ବୃତ୍ତିଗତ ଦକ୍ଷତା ବିକାଶ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଆସନ୍ତା ୨୩ ଅଗଷ୍ଟ ୨୦୨୬ ତାରିଖରେ ପାଣିକୋଇଲିଠାରେ ଏକ ଜିଲ୍ଲାସ୍ତରୀୟ ସାମ୍ବାଦିକ ତାଲିମ ଶିବିର ଆୟୋଜନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଶିବିରରେ ସାମ୍ବାଦିକମାନଙ୍କୁ ସମସାମୟିକ ସାମ୍ବାଦିକତା, ଡିଜିଟାଲ ମିଡିଆର ଭୂମିକା, ଆଇନଗତ ସଚେତନତା, ସାମାଜିକ ଦାୟିତ୍ୱ ଓ ବୃତ୍ତିଗତ ନୈତିକତା ସମ୍ପର୍କରେ ତାଲିମ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ବୈଠକରେ ସଂଗଠନର ବିଭିନ୍ନ ପଦାଧିକାରୀ ଓ ଜିଲ୍ଲାର ବହୁ ସାମ୍ବାଦିକ ଉପସ୍ଥିତ ରହି ତାଲିମ ଶିବିରକୁ ସଫଳ କରିବା ପାଇଁ ନିଜ ନିଜ ମତାମତ ରଖିଥିଲେ।
Jajpur (ଯାଜପୁର) • ଯାଜପୁର ରୁ ଉଦୟ ନାଥ ଜେନା ଙ୍କ ରିପୋର୍ଟ

ବୋଲ ବମ୍ ଧ୍ଵନୀ ରେ କମ୍ପିଲା ପଞ୍ଚଲିଙ୍ଗେଶ୍ଵର ପୀଠ। ଜଳ ଲାଗି କଲେ ହଜାର ହଜାର ଶିବ ଭକ୍ତ।
ଶ୍ରାବଣ ମାସର ତୃତୀୟ ସୋମବାର ରାଜ୍ୟର ସବୁ ଶୈବପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ହୋଇଥିଲା। ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର କାଉଡ଼ିଆଙ୍କ ବୋଲବମ୍ ହର ହର ବମ୍, ଭୋଲା ବାବା ପାର କରେଗା ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା। ରାଜ୍ୟ ଏବଂ ରାଜ୍ୟ ବାହାରୁ ହଜାର ହଜାର କାଉଡ଼ିଆ ବାଲେଶ୍ୱର ସ୍ଥିତ ବାଲିଘାଟ, ନୀଳଗିରିର କାଠପାଳ, ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ସୋନ ନଦୀରୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ଜଳ ଆଣି ଢାଳି ଢାଳି ଆସିବା ସହ ୩୩୬ଟି ପାହାଚ ଚଢ଼ି ରବିବାର ରାତି ୧୨ଟା ପରଠାରୁ ପାଠରେ ଜଳାଭିଷେକ କରିଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। କାଉଡ଼ିଆ ଓ ଭକ୍ତଙ୍କୁ ୫ଟି ଲିଙ୍ଗକୁ ସ୍ପର୍ଶ କରିବାକୁ ବାରଣ କରାଯାଇଥିଲା। ପାଣିର ସ୍ରୋତ ପ୍ରଖର ଥିବାରୁ ପଥରଖୋଲ ମଧ୍ୟରେ ଆବିର୍ଭୂତ ହୋଇଥିବା ୫ଟି ଲିଙ୍ଗକୁ ଗତ ଜୁଲାଇ ୨୭ ତାରିଖଠାରୁ କାଉଡ଼ିଆ ଓ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଟ୍ରଷ୍ଟବୋର୍ଡ ପକ୍ଷରୁ ଲିଙ୍ଗ ସ୍ପର୍ଶ ବନ୍ଦ ରଖାଯାଇଛି। ପ୍ରଶାସନ ପକ୍ଷରୁ କାଉଡ଼ିଆ ଓ ପର୍ଯ୍ୟଟକଙ୍କ ପାଇଁ ଜଳାଭିଷେକ କରିବାର ବ୍ୟବସ୍ଥା କରାଯାଇଥିଲା। ପଞ୍ଚଲିଙ୍ଗେଶ୍ୱରକୁ ସଂଯୋଗ କରୁଥିବା ରାସ୍ତା ଶେରଗଡ଼ରୁ ନୀଳଗିରି, ଛତ୍ରପୁରରୁ ନୀଳଗିରି ଓ ମିତ୍ରପୁର, ସନ୍ତରାଗଡ଼ିଆ ରାସ୍ତାରେ ଲମ୍ବା ଧାଡ଼ି ଲାଗିଥିଲା। କାଉଡ଼ିଆଙ୍କ ପାଇଁ ବିଭିନ୍ନ ସ୍ଥଳ କରି ପାଣି, ଗଜାମୁଗ ପ୍ରସାଦ, ସରବତ ଦେଉଥିବା ମିଳିଥିଲା। ଚଳିତବର୍ଷ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା।
Balasore (ବାଲେଶ୍ୱର) • ରିପୋର୍ଟ: ପ୍ରଭାତ କୁମାର ବାରିକ, ବାଲେଶ୍ଵର

ହାତୀ ଆକ୍ରମଣରେ ଘର ଚୁରମାର -ପରିବାର ଲୋକେ ମେଡିକାଲ ରେ ଭର୍ତ୍ତି l
ପୁଣିଥରେ ମୁରିବାହାଲ ଅଞ୍ଚଳରେ ହାତୀ ଆତଙ୍କ l କିଛିଦିନ ହାତୀମାନେ ଦୂରକୁ ଚାଲିଯାଇଥିବାବେଲେ ଏବେ ପୁଣିଥରେ ଗାଁ ଗଣ୍ଡାକୁ ପଶି ଆତଙ୍କ ଖେଳାଇଛନ୍ତି l ଲୋକେ ଭୟରେ ମଥା ଗୁଞ୍ଜିବାକୁ ସ୍ଥାନ ପାଉନାହାନ୍ତି l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀରଜିଲ୍ଲା ମୁରିବାହାଲବ୍ଲକ ଇଛାପଡା ପଞ୍ଚାୟତ ଅଧିନସ୍ତ ସର୍ଗୁଲ ଗ୍ରାମରେ l ଲିଙ୍ଗରାଜ ଭୋଇ ବୁଧବାର ତାଙ୍କ ପରିବାର ସହିତ ରାତ୍ରି ଶୋଇଥିବାବେଲେ ପ୍ରାୟ ରାତ୍ରି ୨ଟା ସମୟରେ ହଠାତ ହାତୀପଳ ପହଁଛି ଘରକୁ ଚୁରମାର କରିଦେଇଥିଲେ l ପରିବାର ଲୋକେ ଭୟଭୀତ ହୋଇ ପଳେଇବାକୁ ରାସ୍ତା ପାଇନଥିଲେ l ଏହି ହାତୀ ଆକ୍ରମଣରେ ଲିଙ୍ଗରାଜ ଭୋଇ ଏବଂ ତାଙ୍କ ସ୍ତ୍ରୀ ଓ ଦୁଇଜଣ ଶିଶୁ ଆହତ ହୋଇ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି l ତାଙ୍କ ଘର ସମ୍ପୂର୍ଣ୍ଣ ଚୁରମାର ହେବା ସହିତ ଆସାବ ପତ୍ର, ଘର ସାମଗ୍ରୀ ନଷ୍ଟ ହୋଇଯାଇଛି l ଏବଂ ତାଙ୍କ ପରିବାର ସମସ୍ତେ ମେଡିକାଲ ଭର୍ତ୍ତି ହୋଇଥିବାରୁ ଲିଙ୍ଗରାଜ ଭୋଇଙ୍କ ପରିବାର କୁ ମେଡିକାଲ ଖର୍ଚ୍ଚ ସହିତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ, ବନବିଭାଗ, ଓଡିଶା ସରକାରଙ୍କ ଠାରେ ଗ୍ରାମବାସୀ ଙ୍କର ଦାବୀ ହେଉଛି l
Balangir (ବଲାଙ୍ଗୀର) • ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ବଲାଙ୍ଗୀର

ଅନହରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ପରିଚାଳନା କମିଟି ଗଠିତ
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତର ଅନହରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମ୍ପ୍ରତି ସ୍କୁଲ ପରିଚାଳନା କମିଟି (ଏସଏମସି) ନିର୍ବାଚନ ସଫଳତାର ସହିତ ଅନୁଷ୍ଠିତ ହୋଇଛି। ଏହି ନିର୍ବାଚନରେ ମୋଟ ୧୧ଟି ସଦସ୍ୟ ପଦବୀ ପାଇଁ ଭୋଟଗ୍ରହଣ ହୋଇଥିବା ବେଳେ ସମସ୍ତ ୧୧ ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ପରେ ଆୟୋଜିତ ସ୍କୁଲ ପରିଚାଳନା କମିଟିର ପ୍ରଥମ ବୈଠକରେ ନବନିର୍ବାଚିତ ସମସ୍ତ ସଦସ୍ୟ ସର୍ବସମ୍ମତିକ୍ରମେ ଶ୍ରୀ ପ୍ରଦୀପ କୁମାର ରାଉତଙ୍କୁ ସଭାପତି ଏବଂ ଶ୍ରୀମତୀ କ୍ଷିତିପ୍ରଭା ବାରିକଙ୍କୁ ଉପସଭାପତି ଭାବେ ଚୟନ କରିଥିଲେ। ଉଭୟଙ୍କ ନିର୍ବାଚନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ପରିବେଶ ସୃଷ୍ଟି ହୋଇଥିବା ବେଳେ ଭଗବାନପୁର ବିଜେପି ପକ୍ଷରୁ ନବନିର୍ବାଚିତ ସଭାପତି, ଉପସଭାପତି ଏବଂ ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି। ବୈଠକରେ ବିଦ୍ୟାଳୟର ସାମଗ୍ରିକ ବିକାଶ, ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନ ବୃଦ୍ଧି, ପରିସରର ସ୍ୱଚ୍ଛତା, ଆବଶ୍ୟକ ଭିତ୍ତିଭୂମିର ଉନ୍ନତି, ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟର ରକ୍ଷଣାବେକ୍ଷଣ, ବୃକ୍ଷରୋପଣ, ଖେଳକୁଦ ସୁବିଧା ଏବଂ ସରକାରୀ ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ନବଗଠିତ କମିଟି ବିଦ୍ୟାଳୟର ସର୍ବାଙ୍ଗୀଣ ଉନ୍ନତି ପାଇଁ ସମସ୍ତଙ୍କୁ ସାଥିରେ ନେଇ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ଥିବା କଥା ପ୍ରକାଶ କରିଥିଲେ। ସ୍ଥାନୀୟ ଶିକ୍ଷାର ବିକାଶ ସହ ବିଦ୍ୟାଳୟକୁ ଏକ ଆଦର୍ଶ ଶିକ୍ଷାନୁଷ୍ଠାନରେ ପରିଣତ କରିବା ପାଇଁ ସମସ୍ତ ସଦସ୍ୟ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ମତ ପ୍ରକାଶ କରିଥିଲେ। ନୂତନ କମିଟିର ନେତୃତ୍ୱରେ ବିଦ୍ୟାଳୟର ବିକାଶରେ ଏକ ନୂତନ ଅଧ୍ୟାୟର ସୂଚନା ମିଳିବ ବୋଲି ଅଞ୍ଚଳବାସୀ ଆଶା ବ୍ୟକ୍ତ କରିଛନ୍ତି।
Bhadrak (ଭଦ୍ରକ) • ରିପୋର୍ଟ: ଶିଶିର କୁମାର ସ୍ୱାଇଁ

ଖୋରଧାରେ ବିଧାନସଭା ସ୍ଥାୟୀ କମିଟିର ସମୀକ୍ଷା: ନିଶାମୁକ୍ତ ଭାରତ ଅଭିଯାନକୁ ଗୁରୁତ୍ୱ
ଖୋରଧା,: ଓଡ଼ିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି (ଦଶମ) ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ ଏକଦିନିକିଆ ଖୋରଧା ଗସ୍ତ କରି ଜିଲ୍ଲାର ଅବକାରୀ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।କମିଟି ସଦସ୍ୟମାନେ ଓଏସ୍ବିସି ଭଣ୍ଡାର ଘର, ଯୁବିଲି ବଟଲର ପ୍ରାଇଭେଟ୍ ଲିମିଟେଡ୍, ୟୁନାଇଟେଡ୍ ବ୍ରିଓରିଜ୍ ଏବଂ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖୋରଧା ଓ ଭୁବନେଶ୍ୱର ଅବକାରୀ ଜିଲ୍ଲାର କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ ନିଶାମୁକ୍ତ ଖୋରଧା ଗଠନ, ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ବେଆଇନ ନିଶା କାରବାର ବିରୋଧରେ କଡ଼ା ଚଢ଼ାଉ, ଅବକାରୀ ବିଭାଗର ଭିତ୍ତିଭୂମି ସୁଦୃଢ଼ୀକରଣ, କର୍ମଚାରୀ ସଂଖ୍ୟା ବୃଦ୍ଧି ଏବଂ ଜବତ ଯାନବାହନର ଶୀଘ୍ର ଅପସାରଣ ପାଇଁ ଆଇନଗତ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ଶେଷରେ କମିଟି ପକ୍ଷରୁ ସରକାରଙ୍କ ‘ନିଶାମୁକ୍ତ ଭାରତ ଅଭିଯାନ’**କୁ ସଫଳ କରିବା ପାଇଁ ପ୍ରଶାସନ, ଜନପ୍ରତିନିଧି ଓ ସାଧାରଣ ଜନତାଙ୍କ ସକ୍ରିୟ ସହଯୋଗ ଆହ୍ୱାନ କରାଯାଇଥିଲା
Khordha (ଖୋର୍ଦ୍ଧା) • ରିପୋର୍ଟ-- ପ୍ରିୟଙ୍କା ମହାପାତ୍ର,ଖୋରଧା

ୱାର୍ଡ ନଂ ୨୫: RI ଅଫିସ୍ ସାମ୍ନାରେ ଅବର୍ଜନାର ପାହାଡ଼, ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା
ରାଜଧନୀ ଭୁବନେଶ୍ୱରର ୱାର୍ଡ ନମ୍ବର ୨୫ ଅନ୍ତର୍ଗତ ରାଜସ୍ୱ ନିରୀକ୍ଷକ (RI) ଅଫିସ୍ ସାମ୍ନାରେ ଦେଖାଦେଇଛି ସ୍ୱଚ୍ଛତାର ବିପର୍ଯ୍ୟସ୍ତ ରୂପ। ଅଫିସ୍ ସାମ୍ନା ରାସ୍ତା କଡ଼ରେ ବିରାଟ ଅବର୍ଜନାର ସ୍ତୂପ, ଶୁଖିଲା ଗଛ ଡାଳ ଏବଂ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଜମା ହୋଇ ରହିଥିବା ଦେଖିବାକୁ ମିଳିଛି। ଖବରର ମୁଖ୍ୟ ପଏଣ୍ଟ: ଅସ୍ୱାସ୍ଥ୍ୟକର ପରିବେଶ: ସରକାରୀ କାର୍ଯ୍ୟାଳୟକୁ ପ୍ରତିଦିନ ଶହ ଶହ ଲୋକ ନିଜର କାର୍ଯ୍ୟ ପାଇଁ ଆସୁଥିବା ବେଳେ, ପ୍ରବେଶ ପଥ ସାମ୍ନାରେ ଏପରି ଦୁର୍ଗନ୍ଧମୟ ଓ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାତାୟାତରେ ସମସ୍ୟା: ରାସ୍ତା କଡ଼ରେ ଗଛ ଡାଳ ଓ ବର୍ଜ୍ୟବସ୍ତୁ ଜମା ହୋଇ ରହିବା ଯୋଗୁଁ ରାସ୍ତା ସଙ୍କୁଚିତ ହୋଇପଡ଼ିଛି, ଯାହାଫଳରେ ଗାଡ଼ି ଚଳାଚଳ ଏବଂ ପଥଚାରୀଙ୍କ ଯାତାୟାତରେ ବାଧା ସୃଷ୍ଟି ହେଉଛି। ରୋଗ ବ୍ୟାପିବାର ଭୟ: ବର୍ଷା ଦିନେ ଏହି ଅବର୍ଜନା ସ୍ତୂପରେ ମଶା ଓ ଜୀବାଣୁ ବଂଶବୃଦ୍ଧି କରି ନାନାଦି ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ଦେଖାଦେଇଛି। ସ୍ଥାନୀୟ ଲୋକଙ୍କ ଦାବି: ଏହି ସମସ୍ୟା ନେଇ ସ୍ଥାନୀୟ ବାସିନ୍ଦା ଓ ପଥଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଭୁବନେଶ୍ୱର ମହାନଗର ନିଗମ (BMC) ଏବଂ ସମ୍ପୃକ୍ତ ସଫେଇ କର୍ତ୍ତୃପକ୍ଷ ତୁରନ୍ତ ଏହି ସ୍ଥାନରୁ ଅବର୍ଜନା ନିଷ୍କାସନ କରି ପରିବେଶକୁ ସ୍ୱଚ୍ଛ ଓ ସୁରକ୍ଷିତ କରିବାକୁ ଦାବି ହୋଇଛି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ଭୁବନେଶ୍ୱର ରାଜଧାନୀ ପ୍ରତିଷ୍ଠା ଦିବସ
ପ୍ରତିବର୍ଷ ଅପ୍ରେଲ ୧୩ ତାରିଖରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ (Capital Foundation Day) ଉତ୍ସାହର ସହ ପାଳନ କରାଯାଏ। ୧. କିଏ ଶୁଭ ଆରମ୍ଭ କରିଥିଲେ? ୧୯୪୮ ମସିହା ଅପ୍ରେଲ ୧୩ ତାରିଖରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ପ୍ରତିଷ୍ଠା କରିବା ପାଇଁ ଶିଳାନ୍ୟାସ କରିଥିଲେ। ଏହି ନୂତନ ସହରର ନକ୍ସା (Master Plan) ପ୍ରସିଦ୍ଧ ଜର୍ମାନ ଆର୍କିଟେକ୍ଟ ଓଟୋ କୋଏନିଗ୍ସବର୍ଗର (Otto Koenigsberger) ପ୍ରସ୍ତୁତ କରିଥିଲେ। ୨. ପ୍ରତିଷ୍ଠାର ଉଦ୍ଦେଶ୍ୟ କ’ଣ ଥିଲା? କଟକରେ ସ୍ଥାନାଭାବ: ପୂର୍ବରୁ ଓଡ଼ିଶାର ରାଜଧାନୀ କଟକରେ ଥିଲା। ମହାନଦୀ ଓ କାଠଯୋଡ଼ି ନଦୀ ଦ୍ୱାରା ଘେରି ହୋଇ ରହିଥିବାରୁ କଟକ ସହରରେ ଜନସଂଖ୍ୟା ବୃଦ୍ଧି ଓ ସରକାରୀ ଦପ୍ତରର ପ୍ରସାର ପାଇଁ ଆବଶ୍ୟକ ସ୍ଥାନ ନଥିଲା। ଯୋଜନାବଦ୍ଧ ଆଧୁନିକ ସହର: ଏକ ସୁନ୍ଦର, ପ୍ରଶସ୍ତ ଏବଂ ଆଧୁନିକ ସୁବିଧାସୁଯୋଗ ସମ୍ପନ୍ନ ଯୋଜନାବଦ୍ଧ ସହର ଗଢ଼ିତୋଳିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପ୍ରଶାସନିକ ସୁବିଧା: ରାଜ୍ୟର ଶାସନ କାର୍ଯ୍ୟକୁ ଅଧିକ କାର୍ଯ୍ୟକ୍ଷମ ଓ ସୁବିଧାଜନକ କରିବା ପାଇଁ ଏହି ନୂଆ ରାଜଧାନୀର ପରିକଳ୍ପନା କରାଯାଇଥିଲା। ୩. କାହିଁକି ପାଳନ କରାଯାଏ? ଇତିହାସ ଓ ବିକାଶର ସ୍ମରଣ: 'ମନ୍ଦିର ମାଳିନୀ' ସହରରୁ ଏକ ଆଧୁନିକ 'ସ୍ମାର୍ଟ ସିଟି' ଏବଂ 'ସ୍ପୋର୍ଟସ୍ କ୍ୟାପିଟାଲ୍' ଭାବେ ଭୁବନେଶ୍ୱରର ବିକାଶ ଗାଥାକୁ ଗୌରବର ସହ ମନେ ପକାଇବା ପାଇଁ ଏହି ଦିନଟି ପାଳନ ହୁଏ। ସାଂସ୍କୃତିକ ଉତ୍ସବ: ଏହି ଅବସରରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି, ବିଏମସି (BMC) ଏବଂ ସରକାରଙ୍କ ତରଫରୁ ବିଭିନ୍ନ ପରେଡ୍, ସାଂସ୍କୃତିକ କାର୍ଯ୍ୟକ୍ରମ, ଆଲୋକମାଳା ସଜ୍ଜା, ସ୍କୁଲ/କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଯୋଗିତା ଏବଂ କୃତି ପ୍ରତିଯୋଗୀଙ୍କୁ ପ୍ରଶଂସା ପତ୍ର ଦେଇ ସମ୍ମାନିତ କରାଯାଏ
Bhubaneswar (ଭୁବନେଶ୍ୱର) • ଭୁବନେଶ୍ୱର:ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

A Promising Voice Falls Silent Too Soon: Young Journalist Raj Kiran Singh Deo Passes Away
The media fraternity of Nuapada district is mourning the untimely demise of Raj Kiran Singh Deo, a young and widely respected journalist, who passed away late last night at the age of 43. His sudden death has cast a deep shadow of grief across the district, leaving colleagues, friends, and well-wishers heartbroken. According to family sources, Raj Kiran Singh Deo had been suffering from a pancreatic illness for a considerable period. He was undergoing treatment at Shri Narayana Hospital in Raipur, where he breathed his last on Wednesday night despite prolonged medical care. His mortal remains will be brought to his ancestral village, Buddhikoman under Komna Block, where his last rites will be performed. He is survived by his wife, a son, a daughter, and other grieving family members. Raj Kiran Singh Deo was admired for his integrity, humility, gentle nature, and ever-smiling personality. Throughout his career, he remained committed to truthful and responsible journalism, earning the respect and affection of people from all walks of life. For him, journalism was not merely a profession but a mission to serve society by giving voice to public concerns with honesty and dedication. His untimely demise has been widely mourned by members of social, political, administrative, and media organizations across the district. Several prominent personalities have described his passing as an irreparable loss to the journalistic community of Nuapada, remembering him as a sincere professional and a compassionate human being. With the passing of Raj Kiran Singh Deo, the district has lost a committed journalist whose contribution to society will be remembered for years to come. Tributes have poured in from every corner, with prayers for the eternal peace of his soul and heartfelt condolences to the bereaved family, wishing them strength and courage to bear this immense loss.
Nuapada (ନୂଆପଡ଼ା) • Report: Malaya Meher, DC

ଅକାଳରେ ନିରବିଗଲା ଜଣେ ପ୍ରତିଶ୍ରୁତିଶୀଳ କଲମ: ଯୁବ ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ
ନୂଆପଡ଼ା ଜିଲ୍ଲାର ସାମ୍ବାଦିକ ଜଗତ ପାଇଁ ଗୁରୁବାର ଏକ ଅତ୍ୟନ୍ତ ଦୁଃଖଦ ଦିନ। ଜିଲ୍ଲାର ଯୁବ ତଥା ଲୋକପ୍ରିୟ ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କର ମାତ୍ର ୪୩ ବର୍ଷ ବୟସରେ ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛି। ତାଙ୍କ ଅକାଳ ବିୟୋଗରେ ସମଗ୍ର ନୂଆପଡ଼ା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଥିବା ବେଳେ ସାମ୍ବାଦିକ ମହଳରେ ଗଭୀର ଶୂନ୍ୟତା ସୃଷ୍ଟି ହୋଇଛି। ପରିବାର ସୂତ୍ରରୁ ପ୍ରକାଶ ଯେ, ରାଜ କିରଣ ସିଂ ଦେଓ ଦୀର୍ଘଦିନ ଧରି ପାନକ୍ରିୟାଜନିତ ରୋଗରେ ପୀଡ଼ିତ ଥିଲେ। ରାୟପୁରସ୍ଥିତ ଶ୍ରୀ ନାରାୟଣ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ଗତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ପାର୍ଥିବ ଶରୀରକୁ ଆଜି କୋମନା ବ୍ଲକ ଅନ୍ତର୍ଗତ ପୈତୃକ ଗ୍ରାମ ବୁଦ୍ଧିକୋମନକୁ ଅଣାଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ। ସ୍ୱର୍ଗତ ରାଜ କିରଣ ସିଂ ଦେଓ ନିଜ ପଛରେ ଜଣେ ପୁଅ, ଜଣେ ଝିଅ ଏବଂ ଶୋକସନ୍ତପ୍ତ ପରିବାରକୁ ଛାଡ଼ି ଯାଇଛନ୍ତି। ଜଣେ ନିଷ୍ଠାବାନ, ସରଳ, ମିଷ୍ଟଭାଷୀ ଓ ସଦା ହସମୁଖ ସାମ୍ବାଦିକ ଭାବେ ସେ ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ସମାଜର ବିଭିନ୍ନ ସମସ୍ୟାକୁ ନିର୍ଭୀକ ଭାବେ ଉପସ୍ଥାପନ କରିବା ସହ ସାମ୍ବାଦିକତାକୁ ସେ କେବଳ ଏକ ପେଶା ନୁହେଁ, ବରଂ ସମାଜସେବାର ଏକ ମାଧ୍ୟମ ଭାବେ ଗ୍ରହଣ କରିଥିଲେ। ତାଙ୍କ ଅକାଳ ବିୟୋଗରେ ବିଭିନ୍ନ ସାମାଜିକ, ରାଜନୈତିକ, ପ୍ରଶାସନିକ ଓ ସାମ୍ବାଦିକ ସଂଗଠନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗକୁ ଜିଲ୍ଲାର ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ କରିଛନ୍ତି। ସାମ୍ବାଦିକତାର ଜଣେ ସଚ୍ଚୋଟ, ସମର୍ପିତ ଓ ସମ୍ବେଦନଶୀଳ କଣ୍ଠସ୍ୱର ଆଜି ନିରବ ହୋଇଯାଇଛି। ଈଶ୍ୱରଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯିବା ସହ ଶୋକାକୁଳ ପରିବାରବର୍ଗଙ୍କୁ ଏହି ଅସହ୍ୟ ଦୁଃଖ ସହିବା ପାଇଁ ଅସୀମ ଧୈର୍ଯ୍ୟ ଓ ମାନସିକ ଶକ୍ତି ପ୍ରଦାନ କରନ୍ତୁ ବୋଲି ସର୍ବସ୍ତରରୁ ପ୍ରାର୍ଥନା କରାଯାଇଛି।
Nuapada (ନୂଆପଡ଼ା) • ରିପୋର୍ଟ: ଗିରେନ୍ଦ୍ର ଜଗତ ଓ ମଳୟ ମେହେର
