Web News

ନବାର୍ଣ୍ଣ ଭକ୍ଷଣରେ ମୁଖରିତ ମହିମା ସାଧୁ ଆଶ୍ରମ
*ଗୁରୁ ସମ୍ମାନ ଓ ଭକ୍ତିଭାବରେ ଏକାଠି ହେଲେ ଓଡ଼ିଶା-ଛତିଶଗଡ଼ର ଶତାଧିକ ଭକ୍ତ* ସିନାପାଲି, ୨୮/୮: ମହିମା ଧର୍ମର ଆଧ୍ୟାତ୍ମିକ ପରମ୍ପରା ଓ ଗୁରୁ ସମ୍ମାନର ଭାବଧାରାକୁ ଉଜ୍ଜୀବିତ କରି ସିନାପାଲିସ୍ଥିତ ମହିମା ସାଧୁ ଆଶ୍ରମ, ବିଜୁ ୪-ୱେ ପାର୍ଶ୍ୱରେ ନବାର୍ଣ୍ଣ ଭକ୍ଷଣ କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶରେ ଆୟୋଜିତ ହୋଇଯାଇଛି। ଏହି ପବିତ୍ର ଅବସରରେ ଆଶ୍ରମ ପରିସର ଭକ୍ତଙ୍କ ଭିଡ଼ରେ ଚଳଚଞ୍ଚଳ ହୋଇଉଠିଥିଲା। ଆଶ୍ରମ ପରିଚାଳକ ସାଧୁ ରବୀନ୍ଦ୍ର ଦାସ ବାବାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ନବାର୍ଣ୍ଣ କାର୍ଯ୍ୟକ୍ରମରେ ମହିମା ଧର୍ମାବଲମ୍ବୀମାନେ ଏକତ୍ରିତ ହୋଇ ଗୁରୁଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତି ନିବେଦନ କରିଥିଲେ। କମିଟିର ଉପସଭାପତି ବିଦ୍ୟାଧର (ଶୈଳେଶ) ସା, ସମ୍ପାଦକ ଗୌରହରୀ ଭକ୍ତ ଓ କୋଷାଧ୍ୟକ୍ଷ ପୁରୁଷୋତ୍ତମ ସାଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଯଜ୍ଞ କାର୍ଯ୍ୟ ସମ୍ପାଦନ ପାଇଁ ସାଧୁ ରାମ ଦାସ, ବ୍ରହ୍ମାନନ୍ଦ ଦାସ, ଲକ୍ଷ୍ମଣ ଦାସ, ଦେବାର୍ଚ୍ଚନ ଦାସ, ବଂଶୀ ଭକ୍ତ, ସଚ୍ଚିଦାନନ୍ଦ ଭକ୍ତ ଓ ଭୀମ ତ୍ୟାଗୀ ପ୍ରମୁଖ ଉପସ୍ଥିତ ରହି ଧାର୍ମିକ ବିଧିବିଧାନ ସମ୍ପାଦନ କରିଥିଲେ। ଆଶ୍ରମ ପରିଚାଳନା କମିଟିର ପୁରୁଷୋତ୍ତମ ଭକ୍ତ, ଭୁବନେଶ୍ୱର ଭକ୍ତ, ଚକ୍ରଧର ଭକ୍ତ, ରାଜକୁମାର ଭକ୍ତ, ଧନିଚର ଭକ୍ତ, ମହେନ୍ଦ୍ର ଭକ୍ତ, ଦେବେନ୍ଦ୍ର ଭକ୍ତ, ବିନୟ ଭକ୍ତ, ଅନନ୍ତ ଭକ୍ତ, ଗିରିଶ ଭକ୍ତ, ଜୟପାଳ ଭକ୍ତ, ଗୋରେଖ ଭକ୍ତ, ଭୋଗୀନାଥ ଭକ୍ତ, ଚନ୍ଦ୍ର ଭକ୍ତ, ରୁଦ୍ର ଭକ୍ତଙ୍କ ସମେତ ଜାନକୀ ଭକ୍ତମାତା, ଲିପି ଭକ୍ତମାତା ଓ ରଞ୍ଜୁଳା ଭକ୍ତମାତା ପ୍ରମୁଖ ଉପସ୍ଥିତ ଥିଲେ। ଏହି ନବାର୍ଣ୍ଣ ଭକ୍ଷଣ କାର୍ଯ୍ୟକ୍ରମରେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ସମେତ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା। ଭକ୍ତମାନେ ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା ଓ ଭାଇଚାରାର ଭାବ ବିନିମୟ କରିବା ସହ ଗୁରୁ ସମ୍ମାନର ପବିତ୍ର ପରମ୍ପରାକୁ ଆହୁରି ଦୃଢ଼ କରିଥିଲେ। ନବାର୍ଣ୍ଣ ଭକ୍ଷଣକୁ ନେଇ ଭକ୍ତମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା। ମହିମା ଧର୍ମର ଆଧ୍ୟାତ୍ମିକ ଚେତନା, ଗୁରୁଭକ୍ତି ଓ ସାମାଜିକ ଏକତାର ବାର୍ତ୍ତା ଏହି ଆୟୋଜନ ମାଧ୍ୟମରେ ପ୍ରତିଫଳିତ ହୋଇଥିଲା। ଭକ୍ତି, ଶ୍ରଦ୍ଧା ଓ ଗୁରୁ ସମ୍ମାନର ଭାବନାରେ ସମଗ୍ର କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ଓ ଆନନ୍ଦମୟ ପରିବେଶରେ ସମ୍ପନ୍ନ ହୋଇଥିଲା।
Nuapada (ନୂଆପଡ଼ା) • ରିପୋର୍ଟ: ମଳୟ ମେହେର

ପରିବାରକୁ ଅନାଥ କରି ଆରପାରିକୁ ଚାଲିଗଲେ ସପନା
ଯାଜପୁର ରୋଡ, ୨୭/୮: ପରିବାରକୁ ଅନାଥ କରି ଆରପାରିକୁ ଚାଲିଗଲେ ୪୧ ବର୍ଷୀୟ ସପନ କୁମାର ଠାକୁର। କୋରେଇ ବ୍ଲକ ଅନ୍ତର୍ଗତ ତାରାକୁଟି ଗାଁର ପଦ୍ମନାଭ ବାରିକଙ୍କ ପୁଅ ସପନା ନାମରେ ପରିଚିତ ଥିଲେ। ତାଙ୍କ ପିତା ଅବସରପ୍ରାପ୍ତ ଫେରୋକ୍ରୋମ କାରଖାନା କର୍ମଚାରୀ ଥିଲେ। ପିତାଙ୍କ ମୃତ୍ୟୁର ଅଳ୍ପଦିନ ପରେ ଗତ ୨୬ ଅଗଷ୍ଟ ୨୦୨୬ ତାରିଖ ଅପରାହ୍ନ ପ୍ରାୟ ୪ଟା ସମୟରେ ସପନାଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ସେ ଜଣେ ସରଳ, ମିଷ୍ଟଭାଷୀ ଓ ମେଳାପୀ ସ୍ୱଭାବର ବ୍ୟକ୍ତି ଭାବେ ଗାଁରେ ପରିଚିତ ଥିଲେ। ସପନାଙ୍କ ଅକାଳ ବିୟୋଗରେ ତାଙ୍କ ପଛରେ ରହିଗଲେ ସ୍ତ୍ରୀ, ଦୁଇଟି ଛୋଟ ଛୋଟ ପିଲା ଓ ବିଧବା ମାଆ। ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ମାଆ ଭାଙ୍ଗିପଡ଼ିଛନ୍ତି। ନିଜ ଦୁଃଖଠାରୁ ଅଧିକ ତାଙ୍କୁ ଚିନ୍ତା ଘାରିଛି ଦୁଇ ନାତି ଓ ବୋହୂଙ୍କ ଭବିଷ୍ୟତକୁ ନେଇ। ଏବେ ପରିବାରର ସମସ୍ତ ଦାୟିତ୍ୱ ବୃଦ୍ଧା ମାଆଙ୍କ ଉପରେ ପଡ଼ିଛି। ଆଗାମୀ ଦିନରେ ଯଦି ସରକାରଙ୍କ ପକ୍ଷରୁ ପରିବାରକୁ ଆବଶ୍ୟକ ସହାୟତା ମିଳେ, ତେବେ ଅସହାୟ ପରିବାରଟି କିଛି ମାତ୍ରାରେ ଆଶ୍ୱସ୍ତ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ସପନାଙ୍କ ଅକାଳ ବିୟୋଗରେ ସାରା ତାରାକୁଟି ଗାଁ ନିସ୍ତବ୍ଧ ହୋଇଯାଇଛି।
Jajpur (ଯାଜପୁର) • ରିପୋର୍ଟ: ପ୍ରଦୀପ କୁମାର ପୃଷ୍ଟି, ଯାଜପୁର ରୋଡ

ଟାଟା ଷ୍ଟିଲ୍ ମେରାମଣ୍ଡଳୀରେ ସାର୍ ଦୋରାବଜୀ ଟାଟାଙ୍କ ୧୬୭ତମ ଜୟନ୍ତୀ ପାଳିତ
ମେରାମଣ୍ଡଳୀ: ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପ୍ଲାଣ୍ଟ ପରିସରରେ ମହାନ ଶିଳ୍ପପତି ତଥା ଦୂରଦ୍ରଷ୍ଟା ସାର୍ ଦୋରାବଜୀ ଟାଟାଙ୍କ ୧୬୭ତମ ଜୟନ୍ତୀ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଛି। ଏହି ଅବସରରେ ପ୍ଲାଣ୍ଟ କାର୍ଯ୍ୟାଳୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସାର୍ ଦୋରାବଜୀ ଟାଟାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଦେଶ, ସମାଜ ଓ ଶିଳ୍ପ ଜଗତ ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ମେକାନିକାଲ୍ ମେଣ୍ଟେନାନ୍ସ ଚିଫ୍ ରାଜୀବ ଗର୍ଗ, କର୍ପୋରେଟ୍ ସର୍ଭିସେସ୍ ଚିଫ୍ ଶୁଭ୍ରାଂଶୁ ଶେଖର ପଣ୍ଡା, ପାୱାର ସିଷ୍ଟମ୍ ଚିଫ୍ ରାଜେଶ ଅଗ୍ରୱାଲଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ। ଏହାସହ ଟାଉନସିପ୍ ପରିସରରେ କର୍ମଚାରୀଙ୍କ ପାଇଁ ଫୁଟବଲ ସମେତ ବିଭିନ୍ନ କ୍ରୀଡ଼ା ଓ ମନୋରଞ୍ଜନଧର୍ମୀ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସାର୍ ଦୋରାବଜୀ ଟାଟାଙ୍କ ନେତୃତ୍ୱ, ଉତ୍କର୍ଷତା ଓ ମହାନ ଆଦର୍ଶକୁ ସ୍ମରଣ କରିବା ସହ ତାଙ୍କ ପ୍ରତି ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଟାଟା ଷ୍ଟିଲ୍ ପକ୍ଷରୁ ପ୍ରତିବର୍ଷ ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ଏହି ଜୟନ୍ତୀ ପାଳନ କରାଯାଉଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ନାଲକୋ ସିଏସ୍ଆର୍ କେନାଲ ଓ ବ୍ରିଜ୍ ନିର୍ମାଣରେ ଅନିୟମିତତା ଅଭିଯୋଗ
ତାଳଚେର: ଗୋବରା ଗ୍ରାମରେ ନାଲକୋ ସିଏସ୍ଆର୍ ପକ୍ଷରୁ ପ୍ରାୟ ୧୮ ଲକ୍ଷ ଟଙ୍କା ବ୍ୟୟରେ ଚାଲିଥିବା କେନାଲ ଓ ବ୍ରିଜ୍ ନିର୍ମାଣ କାମକୁ ନେଇ ଅନିୟମିତତା ଓ ନିମ୍ନମାନର କାମ ହେଉଥିବା ଅଭିଯୋଗ ଉଠିଛି। କେନାଲରେ ପାଣି ପ୍ରବାହିତ ହେଉଥିବା ସମୟରେ କାମ କରାଯିବା, ନିର୍ମାଣରେ ପାଉଁଶ ବ୍ୟବହାର ଏବଂ ସୂଚନା ଫଳକ ନଥିବା ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଏହାର ନିରପେକ୍ଷ ତଦନ୍ତ ସହ ନିର୍ମାଣର ଗୁଣବତ୍ତା ଯାଞ୍ଚ ପାଇଁ ଦାବି ହୋଇଛି। ତେବେ ଅଭିଯୋଗକୁ ଖଣ୍ଡନ କରି ସମ୍ପୃକ୍ତ କଣ୍ଟ୍ରାକ୍ଟର କହିଛନ୍ତି ଯେ ସେ ନିୟମ ଅନୁଯାୟୀ କାମ କରୁଛନ୍ତି ଏବଂ ତାଙ୍କୁ ମିଥ୍ୟା ଭାବେ ବଦନାମ କରାଯାଉଛି। ଏନେଇ ନାଲକୋ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଅସହାୟଙ୍କ ମୁହଁରେ ହସ ଫୁଟାଇଲେ ସମାଜସେବୀ ଅଭିମନ୍ୟୁ ସାହୁ: ମାନବ ସେବାଶ୍ରମରେ ଅନ୍ତେବାସୀଙ୍କ ସହ ଜନ୍ମଦିନ ପାଳନ, ବାଣ୍ଟିଲେ ଖୁସି ଓ ସ୍ନେହ
ଅନୁଗୋଳ: ଜନ୍ମଦିନକୁ ନିଜ ପାଇଁ ନୁହେଁ, ଅସହାୟଙ୍କ ମୁହଁରେ ହସ ଫୁଟାଇ ପାଳନ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ସମାଜସେବୀ ଅଭିମନ୍ୟୁ ସାହୁ। ମାନବ ସେବାଶ୍ରମରେ ପହଞ୍ଚି ସେଠାରେ ରହୁଥିବା ଅନ୍ତେବାସୀଙ୍କ ସହ ଜନ୍ମଦିନ ପାଳନ କରିବା ସହ ସେମାନଙ୍କ ଖୁସିରେ ନିଜକୁ ସାମିଲ କରିଥିଲେ। ଏହି ଅବସରରେ ଅଭିମନ୍ୟୁ ସାହୁ ଅନ୍ତେବାସୀମାନଙ୍କୁ କପଡ଼ା ଓ ଡ୍ରେସ ବଣ୍ଟନ କରିଥିଲେ। ଏଥିସହ ଛେନାପୋଡ଼, ମିଠା ଓ ବିସ୍କୁଟ ଆଦି ବଣ୍ଟନ କରି ସେମାନଙ୍କ ସହ ଖୁସି ବାଣ୍ଟିଥିଲେ। ଦୀର୍ଘ ସମୟ ଧରି ଅନ୍ତେବାସୀଙ୍କ ସହ ଆତ୍ମୀୟତାର ସହ କଥାବାର୍ତ୍ତା କରି ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ। ଜନ୍ମଦିନ ଭଳି ଏକ ବିଶେଷ ଦିନରେ ଅସହାୟ ଓ ଅନ୍ତେବାସୀଙ୍କ ସହ ଖୁସି ବାଣ୍ଟିବାର ଏହି ପ୍ରୟାସ ସେବାଶ୍ରମ ପରିବେଶକୁ ଆନନ୍ଦମୟ କରିଦେଇଥିଲା। ଅନ୍ତେବାସୀଙ୍କ ମୁହଁରେ ହସ ଓ ଆଖିରେ ଖୁସି ଦେଖି ଅଭିମନ୍ୟୁ ସାହୁ ମଧ୍ୟ ଭାବବିହ୍ୱଳ ହୋଇଥିଲେ। ଅଭିମନ୍ୟୁ ସାହୁ କହିଥିଲେ, “ଅସହାୟଙ୍କ ମୁହଁରେ ହସ ଫୁଟାଇବା ଠାରୁ ବଡ଼ ଖୁସି ଆଉ କିଛି ନାହିଁ। ସମାଜର ଆବଶ୍ୟକତା ଥିବା ଲୋକଙ୍କ ସହ ଖୁସି ବାଣ୍ଟିବା ହିଁ ପ୍ରକୃତ ମାନବ ସେବା।” ତାଙ୍କର ଏଭଳି ମାନବିକ ପ୍ରୟାସକୁ ସେବାଶ୍ରମର ଅନ୍ତେବାସୀମାନେ ଖୁସିର ସହ ସ୍ୱାଗତ କରିବା ସହ ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଜନ୍ମଦିନରେ ଅନ୍ୟମାନଙ୍କୁ ଖୁସି ଦେବାର ଏହି ନିଆରା ପ୍ରୟାସ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ସାଉଁଟିଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଧାମନଗରର ୧୯ ବୁଥ୍ରେ ଭୋଟର ନାମ ବାଦ ନେଇ ଅଭିଯୋଗ, ଥାନାରେ ବିଜେଡିର ଲିଖିତ ଅଭିଯୋଗ
ଧାମନଗର: ଧାମନଗର ଏନ୍.ଏ.ସି. ଅଞ୍ଚଳର ପ୍ରାୟ ୧୯ଟି ବୁଥ୍ରେ ସଂଖ୍ୟାଲଘୁ ସମ୍ପ୍ରଦାୟର କିଛି ବୈଧ ଓ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ ଦେବା ପାଇଁ ମିଥ୍ୟା ତଥ୍ୟ ଆଧାରରେ ଅନଲାଇନ୍ ଫର୍ମ-୭ ମାଧ୍ୟମରେ ଆପତ୍ତି ଦାଖଲ କରାଯାଉଥିବା ନେଇ ଅଭିଯୋଗ ଉଠିଛି। ଏହି ଅଭିଯୋଗକୁ ନେଇ ଆଜି ଶତାଧିକ ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳା ଓ ପୁରୁଷଙ୍କ ସହ ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ଧାମନଗର ଥାନାରେ ପହଞ୍ଚିଥିଲେ। ପ୍ରତିନିଧି ଦଳ ଥାନା ଅଧିକାରୀଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବା ସହ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ବଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଯଦି ଯୋଗ୍ୟ ଭୋଟରଙ୍କ ନାମକୁ ଭୋଟର ତାଲିକାରୁ ବାଦ ଦେବା ପାଇଁ ଜାଣିଶୁଣି ମିଥ୍ୟା ତଥ୍ୟ ଦେଇ ଫର୍ମ-୭ ମାଧ୍ୟମରେ ଆପତ୍ତି ଦାଖଲ କରାଯାଇଥାଏ, ତେବେ ଏହା ଗୁରୁତର ଅନିୟମିତତା। ଏହା ଯୋଗ୍ୟ ନାଗରିକଙ୍କ ମତାଧିକାର ଓ ଗଣତାନ୍ତ୍ରିକ ଅଧିକାରକୁ ପ୍ରଭାବିତ କରିପାରେ ବୋଲି ଦଳ ପକ୍ଷରୁ କୁହାଯାଇଛି। ଅଭିଯୋଗର ସତ୍ୟତା ଯାଞ୍ଚ ପାଇଁ ଘଟଣାର ନିରପେକ୍ଷ ଓ ତୁରନ୍ତ ତଦନ୍ତ କରିବାକୁ ବିଜେଡି ପ୍ରତିନିଧି ଦଳ ଦାବି କରିଛି। ଏଥିସହ ତଦନ୍ତରେ ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ଦାୟୀ ବ୍ୟକ୍ତି ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନେବାକୁ ଦାବି କରାଯାଇଛି। ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତାଧିକାରର ସୁରକ୍ଷା ଓ ଗଣତାନ୍ତ୍ରିକ ପ୍ରକ୍ରିୟାର ସ୍ୱଚ୍ଛତା ପାଇଁ ଆଗାମୀ ଦିନରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଲଢ଼େଇ ଜାରି ରହିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଓଳଙ୍ଗ ପଞ୍ଚାୟତର ଷାଠିବାଙ୍କୁଡ଼ା ଗ୍ରାମରେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଙ୍ଗ ପଞ୍ଚାୟତର ଷାଠିବାଙ୍କୁଡ଼ା ଗ୍ରାମର ଲୋକମାନେ ବନ୍ୟା ଯୋଗୁଁ ବହୁ ଅସୁବିଧାରେ ରହୁଛନ୍ତି। ଶହ ଶହ ଲୋକ ବନ୍ୟାଜଳ ଘେରରେ ରହିଥିବା ବେଳେ ଆବଶ୍ୟକ ସହାୟତା ସମସ୍ତ ଗରିବ ଓ ଅସହାୟ ପରିବାରଙ୍କ ପାଖରେ ଠିକ୍ ଭାବେ ପହଞ୍ଚି ପାରୁନଥିବା ଅଭିଯୋଗ ହେଉଛି। ପ୍ରଶାସନ ପକ୍ଷରୁ ସହାୟତା ଦିଆଯାଉଥିଲେ ମଧ୍ୟ, ଏହା ପ୍ରକୃତ ବିପନ୍ନ ଲୋକଙ୍କ ପାଖରେ ସଠିକ୍ ଭାବେ ପହଞ୍ଚୁଛି କି ନାହିଁ, ସେଥିପ୍ରତି ପ୍ରଶାସନ ଅଧିକ ନଜର ଦେବା ଆବଶ୍ୟକ। ବନ୍ୟା ସମୟରେ ଖାଦ୍ୟ, ପାନୀୟ ଜଳ, ଔଷଧ ଓ ଅନ୍ୟାନ୍ୟ ଜରୁରୀ ସହାୟତାରୁ କୌଣସି ବିପନ୍ନ ପରିବାର ବଞ୍ଚିତ ନ ହୁଅନ୍ତୁ। ସରକାରୀ ସହାୟତା ବାଟମାରଣା ନ ହୋଇ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ନିଶ୍ଚିତ କରିବାକୁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଦରକାର। ବିପଦ ସମୟରେ ଲୋକଙ୍କ ସହାୟତା ହିଁ ପ୍ରଥମ ପ୍ରାଥମିକତା ହେଉ।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ନଳାଙ୍ଗରେ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହେଲା ପାରମ୍ପରିକ ‘ଢେରା ମଣ୍ଡା’
ମା’ ବୁଢ଼ୀଜାଗୁଳାଇଙ୍କ ପୀଠରେ ଜମିଲା ଭକ୍ତଙ୍କ ଭିଡ଼, ଭାଇଚାରା ଓ ଲୋକସଂସ୍କୃତିର ବାର୍ତ୍ତା ଦେଲା ପାରମ୍ପରିକ ଉତ୍ସବ ଭଦ୍ରକ ଜିଲ୍ଲାର ନଳାଙ୍ଗ ଅଞ୍ଚଳରେ ଥିବା ପ୍ରସିଦ୍ଧ ମା’ ବୁଢ଼ୀଜାଗୁଳାଇଙ୍କ ପୀଠରେ ପାରମ୍ପରିକ ଲୋକପର୍ବ ‘ଢେରା ମଣ୍ଡା’ ଆଜି ଶ୍ରଦ୍ଧା, ଭକ୍ତି, ଉତ୍ସାହ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନଳାଙ୍ଗ ସମେତ ଆଖପାଖ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁ ପୀଠରେ ଏକତ୍ରିତ ହୋଇ ମା’ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିଛନ୍ତି। ଏହି ପାରମ୍ପରିକ ଉତ୍ସବକୁ ନେଇ ନଳାଙ୍ଗ ଅଞ୍ଚଳରେ ଆଜିଠାରୁ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ସକାଳୁ ହିଁ ଶ୍ରଦ୍ଧାଳୁମାନେ ପୀଠ ଅଭିମୁଖେ ଆସି ମା’ ବୁଢ଼ୀଜାଗୁଳାଇଙ୍କ ଦର୍ଶନ କରିଥିଲେ। ପୂଜାର୍ଚ୍ଚନା, ଧୂପଦୀପ, ଘଣ୍ଟଘଣ୍ଟା ଓ ଭକ୍ତିମୟ ପରିବେଶ ମଧ୍ୟରେ ସମଗ୍ର ପୀଠ ପରିସର ଉତ୍ସବମୁଖର ହୋଇଉଠିଥିଲା।ଢେରା ମଣ୍ଡା’ କେବଳ ଏକ ଧାର୍ମିକ ଅନୁଷ୍ଠାନ ନୁହେଁ, ବରଂ ଏହା ନଳାଙ୍ଗ ତଥା ଭଦ୍ରକ ଅଞ୍ଚଳର ଲୋକଜୀବନ, ଲୋକବିଶ୍ୱାସ ଓ ପାରମ୍ପରିକ ସଂସ୍କୃତି ସହ ଗଭୀର ଭାବେ ଜଡ଼ିତ ଏକ ଲୋକପର୍ବ। ପିଢ଼ି ପରେ ପିଢ଼ି ଏହି ପରମ୍ପରା ଲୋକମାନଙ୍କ ମଧ୍ୟରେ ଚାଲିଆସୁଥିବା ବେଳେ ଆଜି ମଧ୍ୟ ଏହା ପ୍ରତି ଲୋକଙ୍କ ଆସ୍ଥା ଓ ଭକ୍ତି ଅତୁଟ ରହିଛି। ଏହି ପର୍ବ ଅବସରରେ ଲୋକମାନେ ନିଜ ନିଜ ମାନସିକ କାମନା ଓ ମନୋବାଞ୍ଛା ପୂରଣ ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି। ମା’ ବୁଢ଼ୀଜାଗୁଳାଇଙ୍କ ପ୍ରତି ଅଞ୍ଚଳବାସୀଙ୍କ ଗଭୀର ଆସ୍ଥା ରହିଥିବାରୁ ପ୍ରତିବର୍ଷ ଏହି ଉତ୍ସବରେ ଶ୍ରଦ୍ଧାଳୁଙ୍କ ସମାଗମ ବୃଦ୍ଧି ପାଉଥିବା ଦେଖାଯାଏ। ତ୍ସବକୁ କେନ୍ଦ୍ର କରି ପୀଠ ପରିସରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା। ମହିଳା, ପୁରୁଷ, ବୟସ୍କ ଓ ଯୁବପିଢ଼ି—ସମସ୍ତେ ଏହି ପାରମ୍ପରିକ ପର୍ବରେ ସାମିଲ ହୋଇଥିଲେ। ଅନେକ ଶ୍ରଦ୍ଧାଳୁ ଦୂରଦୂରାନ୍ତରୁ ଆସି ମା’ଙ୍କ ଦର୍ଶନ କରିଥିଲେ। ପୀଠ ପରିସରରେ ଭକ୍ତିମୟ ପରିବେଶ ସହିତ ଲୋକଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ମଧ୍ୟ ପରିଲକ୍ଷିତ ହୋଇଥିଲା। ଦୀର୍ଘଦିନର ଏହି ପରମ୍ପରାକୁ ନିଜ ଆଖିରେ ଦେଖିବା ଓ ଏହାର ଅଂଶୀଦାର ହେବା ପାଇଁ ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା। ଜୟ ମା’ ବୁଢ଼ୀଜାଗୁଳାଇ। 🙏 ମା’ଙ୍କ କୃପା ସମସ୍ତଙ୍କ ଉପରେ ରହୁ।
Bhadrak (ଭଦ୍ରକ) • ରିପୋର୍ଟ: ଶିଶିର କୁମାର ସ୍ୱାଇଁ

ଆମ ଓଡ଼ିଶା ସମ୍ବାଦ ଯାଜପୁର ସମ୍ବାଦ ସାହିତ୍ୟ ଘର ପକ୍ଷରୁ ରାକ୍ଷୀ ପୂର୍ଣ୍ଣିମା ପାଳନ
ଯାଜପୁର:୨୭/୦୮:():ଯାଜପୁର ସମ୍ବାଦ ସାହିତ୍ୟ ଘର ସମ୍ବାଦ ଆମ ଓଡ଼ିଶା ଏବଂ ଅନନ୍ୟା ସାହିତ୍ୟ ସଂସଦ ମିଳିତ ଆନୁକୂଲ୍ୟରେ ଯାଜପୁର ଜିଲ୍ଲାସ୍କୁଲ ଠାରେ ବିଶିଷ୍ଟ ସାହିତ୍ୟ ସଂଗଠକ ସନ୍ତୋଷ କୁମାର ନନ୍ଦଙ୍କର ସଭାପତିତ୍ୱରେ ରକ୍ଷାବନ୍ଧନ ଉତ୍ସବ ଉପଲକ୍ଷେ ନିଶା ନିବାରଣ ବ୍ରତ ପାଳନ କରାଯାଇଥିଲା । ଶିକ୍ଷାବିତ ଡଃ ଗିରୀଶ ବିହାରୀ ମିଶ୍ର ଅତିଥି ମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିବା ବେଳେ ଯାଜପୁର ସମ୍ବାଦ ସାହିତ୍ୟ ଘର ଓ ଆମ ଓଡ଼ିଶା ସାହିତ୍ୟ ହୃଷିକେଶ ପତି ପରିଚୟ ପ୍ରଦାନ କରିଥିଲେ । ଯାଜପୁର ସମ୍ବାଦ ପ୍ରତିନଧି ଓ ଯାଜପୁର ସମ୍ବାଦ ସାହିତ୍ୟ ଘର ସଂଯୋଜକ ଅରୁଣ କୁମାର ରାଉତରାୟ ଆଜିର ଉତ୍ସବ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ବିଶିଷ୍ଟ ଶିକ୍ଷାବିତ ତଥା ଦଶରଥପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. କାହ୍ନୁ ଚରଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ମା’ବିରଜାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ରାକ୍ଷୀ ପୂର୍ଣ୍ଣିମା ଏବଂ ରକ୍ଷାବନ୍ଧନର ତାତ୍ପର୍ଯ୍ୟ ସଂପର୍କରେ ବାମନ ପୁରାଣରେ ସ୍ୱୟଂ ପ୍ରଭୁ ନାରାୟଣ ବାମନ ବେଶରେ ବଳିରାଜାଙ୍କୁ ତିନିଗୋଟି ଦାନ ମାଗି ଶେଷରେ ତାଙ୍କ ନାଭିରୁ ଜାତ ପାଦଦ୍ୱାରା ବଳିରାଜାଙ୍କୁ ପାତାଳକୁ ପଠାଇଥିଲେ । କିନ୍ତୁ ବଳିରାଜାଙ୍କର ପ୍ରାର୍ଥନାରେ ନିଜେ ମଧ୍ୟ ସେହି ପାତାଳପୁରରେ ଅବସ୍ଥାନ କରୁଥିଲେ । ନାରାୟଣଙ୍କର ଅବର୍ତ୍ତାମାନରେ ମାତା ମହାଲକ୍ଷ୍ମୀ ପାତାଳପୁରକୁ ଗମନ କରି ବଳିରାଜାଙ୍କ ହସ୍ତରେ ରକ୍ଷାବନ୍ଧନ କରି ପ୍ରଭୁ ନାରାୟଣଙ୍କୁ ସେଠାରୁ ମୁକ୍ତ କରିଥିଲେ ବୋଲି ବିଭିନ୍ନ ପୌରାଣିକ ତଥ୍ୟ ଡଃ ମିଶ୍ର ପ୍ରଦାନ କରିଥିଲେ । ଈଶ୍ୱରୀୟ ପ୍ରଜାପିତା ବିଶ୍ୱବିଦ୍ୟାଳୟ ଯାଜପୁର ଶାଖାର ସଞ୍ଚାଳକ ସୁଶ୍ରୀ ଭାବନା ଦେବୀ ସମ୍ମାନିତ ଅତିଥିଭାବରେ ଯୋଗଦେଇ ରକ୍ଷାବନ୍ଧନ ଉତ୍ସବରେ ନିଜର ଏବଂ ସମାଜର ମଙ୍ଗଳ ନିମନ୍ତେ ପରିବାର ଗ୍ରାମ ରାଜ୍ୟ ଏବଂ ଦେଶରୁ ସଂପୂର୍ଣ୍ଣ ନଶାନିବାରଣ ପାଇଁ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଦିଆଯାଇଥିବା ଘୋଷଣା ନାମାକୁ ଉପସ୍ଥିତ ସମସ୍ତ ବିଶିଷ୍ଟ ବ୍ୟକ୍ତି ଛାତ୍ର ଶିକ୍ଷକ ଏବଂ ଅଭିଭାବକ ଏବଂ ବିଦ୍ୟାଳୟର ସମସ୍ତ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ ଏବଂ ପ୍ରତ୍ୟେକ ଆମ ସମାଜରୁ ନିଶା ନିବାରଣ ପାଇଁ ଯତ୍ନବାନ ହେବାକୁ ଆହ୍ୱାନ ଦେଇଥିଲେ । ଏହି ଉତ୍ସବରେ ଅଧିକାରୀ ନବକିଶୋର ଦାସ, ସୁବାଶ ଚନ୍ଦ୍ର ମହାପାତ୍ର, ପୂର୍ବତନ ଅଧ୍ୟକ୍ଷ ଉଦୟ ନାରାୟଣ ପରିଡ଼ା, ପୂର୍ବତନ ଅଧ୍ୟକ୍ଷ ଡ. ବିନୋଦ ଚନ୍ଦ୍ର ନାୟକ, ସଂଗ୍ରାମ ସାହାଣୀ, ଅନ୍ୱେଷଣ ସଭାପତି ବୃନ୍ଦାବନ ମିଶ୍ର, ସଂପାଦକ ଅଭିମନ୍ୟୁ ମିଶ୍ର, ରବିନାରାୟଣ ରାଉତ, ଘୁଙ୍ଗୁରର ଯୁଗ୍ମ ସଂପାଦକ, ଶଶୀଭୂଷଣ ସାମଲ, କଳିଙ୍ଗ କେଶରୀ ମହାନ୍ତି, ଶରତ କୁମାର ପଣ୍ଡା, ବାସୁଦେବ ଭୂୟା, ସାମ୍ବାଦିକ ଆଦିତ୍ୟ ମହାନ୍ତି, ଭାଗ୍ୟବତୀ ଓଝା, ମାନିନୀ ଦାଶ, ସସ୍ମିତା ପଣ୍ଡା, ଧର୍ମେନ୍ଦ୍ର ସାହୁ, ଅର୍ଜ୍ଜୁନ ମହାପାତ୍ର, ସୌରଭ ସାଗର ମହାନ୍ତି, କାମିନୀ ପାତ୍ର, ସୁମିତ୍ରା ପଣ୍ଡା, ଜାନକୀ ସାମଲ, ଦୁର୍ଗାବତୀ ପଣ୍ଡା, ବି.କେ. ମିନୁ, ଲବଙ୍ଗଲତା ପାତ୍ର, ଓମ୍ ପ୍ରକାଶ ରାୟ, ସୁନା ରାଉତ ଏବଂ ଈଶ୍ୱରୀୟ ପ୍ରଜାପିତା ବିଶ୍ୱବିଦ୍ୟାଳୟ ଯାଜପୁର ଶାଖା ତରଫରୁ ଉପସ୍ଥିତ ସମସ୍ତ ବ୍ୟକ୍ତି ଛାତ୍ରମାନଙ୍କୁ ରାକ୍ଷୀ ବନ୍ଧାଯିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଶେଷରେ ଅନନ୍ୟା ସାହିତ୍ୟ ସଂସଦର ଉପସଭାପତି ବିଭୂତି ମହାପାତ୍ର ଧନ୍ୟବାଦ ଦେଇଥିଲେ ।
Jajpur (ଯାଜପୁର) • ଅନିଲ କୁମାର ଜେନା ଙ୍କ ରିପୋର୍ଟ

ମୀନଗୁର ନିକଟରେ ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ବାଇକ ଆରୋହୀର ମୃତ୍ୟୁ
ଆଜି ସକାଳ ପ୍ରାୟ ସାଢେ ୮ଟା ବେଳେ ମୀନଗୁର ବଡ କୁଟୁ ଆର.ଡି ରାସ୍ତାର ମୀନଗୁର ନିକଟରେ ଘଟିଛି ଏକ ମର୍ମଦ ସଡକ ଦୁର୍ଘଟଣା । ଏକ ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ ଚାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିବା ଭଳି ଅଭାବନୀୟ ଘଟଣା କଲମପୁର ଥାନା ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ସୂଚନା ଅନୁସାରେ ମୀନଗୁର ଗ୍ରାମର ଇନଦାଦ ମହମ୍ମଦ ନାମକ ଜନୈକ ବାକ ଶକ୍ତି ହୀନ ଦିବ୍ୟାଙ୍ଗ ଯୁବକ ଏକ ବାଇକ ଯୋଗେ କୁକୁଡା ବୋଝେଇ କରି ଏକ ବାଇକ ଯୋଗେ ବଡ କୁଟୁ ର ଜନୈକ ଦୋକାନୀକୁ ନେଇ ଦେଉଥୁବା ବେଳେ ବିପରିତ ଦିଗରୁ ବାଲି ବୋଝେଇ କରି ତିବ୍ ଗତିରେ ଆସୁଥିବା ଏକ ନମ୍ବର ବିହୀନ ମହିନ୍ଦ୍ରା ଟ୍ରାକ୍ଟର ଇନ୍ଦାଦର ବାଇକକୁ ଧକ୍କା ଦେଇଥିଲା । ଏହାସହ ରାସ୍ତା ଉପରେ ବାଲି ବୋଝେଇ ହେଇଥିବା ଟ୍ରାକ୍ଟର ଟ୍ରଲି ଓଲଟି ପଡିଥିଲା l ଇନଦାଦ ରାସ୍ତାକଡରେ ଛିଟିକି ପଢି ଗୁରୁତର ହେଇଥିଲା । ଏନେଇ ସ୍ଥାନୀୟ ଲୋକେ ଇନଦାଦର ପରିବାର ଲୋକକୁ ସୂଚନା ଦେବା ପରେ ପରିବାର ଲୋକ ଦୁର୍ଘଟଣାସ୍ଥଳରେ ପହଂଚି ଗୁରୁତର ଇନଦାଦକୁ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେତେବେଳକୁ ଇନଦାଦର ମୃତ୍ୟୁ ଘଟି ସାରିଥିଲା । ଏନେଇ ଦାଇତ୍ବରେ ଥିବା ଡାକ୍ତର ଘୋଷଣା କରିବା ସହ କଲମପୁର ଥାନାକୁ ସୂଚନା ଦେଇଥିଲେ । ପୁଲିସ ଦୁର୍ଘଟଣା ସ୍ଥଳରେ ପହଂଚି ଉଭୟ ଟ୍ରାକ୍ଟର ଏବଂ ବାଇକକୁ ଜବତ କରିଥିବା ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଂଚି ଶବ ଜବତ କରିଛନ୍ତି ।
Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ଗଞ୍ଜାମ ଗୋଳାବନ୍ଧ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି
ଓଡ଼ିଶାର ବିସ୍ଥାପିତ ପରିବାରଙ୍କ ଦୀର୍ଘ ଦିନର ସଂଘର୍ଷର ଅନ୍ତ ଘଟାଇ ଗଞ୍ଜାମ ଜିଲ୍ଲାର ଗୋଳାବନ୍ଧ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଧରଣର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ପ୍ରଦାନ କରିଛନ୍ତି। ବିଗତ ସରକାରଙ୍କ ଶାସନକାଳରେ ଯେଉଁ ଗରିବ ପରିବାରଙ୍କ ସ୍ୱର କ୍ଷମତାର ଅଳିନ୍ଦରେ ଚାପି ହୋଇ ରହିଯାଇଥିଲା, ରାଜ୍ୟର ନୂତନ ‘ଡବଲ ଇଞ୍ଜିନ’ ସରକାର ସେମାନଙ୍କ ବହୁଦିନର ସଂଘର୍ଷକୁ ସମ୍ମାନ ଜଣାଇ ସ୍ଥାୟୀ ସମାଧାନ କରିଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଗୋଳାବନ୍ଧର ୧,୩୭୧ ବିସ୍ଥାପିତ ପରିବାରଙ୍କ ପାଇଁ ସରକାର ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରିଛନ୍ତି। ଏହା ଅଧୀନରେ ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କାର ଏକକାଳୀନ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହାସହ ଗୃହ ନିର୍ମାଣ ଏବଂ ସେହି ଅଞ୍ଚଳରେ ଆଧୁନିକ ସାମୁଦାୟିକ ଭିତ୍ତିଭୂମିର ବିକାଶ ପାଇଁ ସରକାର ଅର୍ଥ ମଞ୍ଜୁର କରିଛନ୍ତି। ଗୋଳାବନ୍ଧ ସହାୟତା ସହିତ ଛେଳିଗଡ଼ ମଧ୍ୟମ ଜଳସେଚନ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହୋଇଥିବା ପରିବାରଗୁଡ଼ିକୁ ଦିଗପହଣ୍ଡି ତହସିଲ ଅନ୍ତର୍ଗତ ସାନ୍ତରାପୁର ସ୍ଥିତ ପୁନର୍ବାସ କଲୋନୀରେ ଅଥଥାନ କରାଯାଇଛି। ସେମାନଙ୍କୁ ସ୍ଥାୟୀ ବାସଗୃହ ନିର୍ମାଣ ପାଇଁ ଘରବାରି ଜମି ଏବଂ ଜୀବିକା ନିର୍ବାହ ପାଇଁ ଚାଷ ଜମିର ପଟ୍ଟା ସରକାରଙ୍କ ତରଫରୁ ବଣ୍ଟନ କରାଯାଇଛି। ଏହି ପଦକ୍ଷେପ ଦ୍ୱାରା ବହୁ ବର୍ଷ ଧରି ସମସ୍ୟାର ସମ୍ମୁଖୀନ ହେଉଥିବା ସ୍ଥାନୀୟ ମତ୍ସ୍ୟଜୀବୀ ଓ ବିସ୍ଥାପିତ ନୋଲିଆ ଭାଇଭଉଣୀମାନେ ବିଶେଷ ଭାବେ ଉପକୃତ ହେବେ।
Bhubaneswar (ଭୁବନେଶ୍ୱର) • ରିପୋର୍ଟ୍: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ଆଜି ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ: ୧ କୋଟିରୁ ଊର୍ଦ୍ଧ୍ୱ ମହିଳା ହିତାଧିକାରୀ ପାଇବେ ୫ ହଜାର ଟଙ୍କା
ଭୁବେନେଶ୍ୱର୍: ରାଜ୍ୟର ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣ ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଯୁଗାନ୍ତକାରୀ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ଟଙ୍କା ଆଜି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରାଯାଉଛି। ନୟାଗଡ଼ ଜିଲ୍ଲା ଲାଠିପଡ଼ାଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ମେଗା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଡିବିଟି (DBT) ମାଧ୍ୟମରେ ଏହି କିସ୍ତି ଟଙ୍କାର ଶୁଭାରମ୍ଭ କରୁଛନ୍ତି। ଖାତାକୁ ଆସିବ ୫,୦୦୦ ଟଙ୍କା ସରକାରୀ ସୂଚନା ଅନୁଯାୟୀ, ଆଜି ରାଜ୍ୟର ୧ କୋଟି ୩ ଲକ୍ଷରୁ ଉର୍ଦ୍ଧ୍ୱ ଯୋଗ୍ୟ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୫ ହଜାର ଟଙ୍କା ଲେଖାଏଁ ପଞ୍ଚମ କିସ୍ତି ବାବଦରେ ପଠାଯାଉଛି। ଏଥିପାଇଁ ରାଜ୍ୟ ସରକାର ୫,୧୬୩ କୋଟିରୁ ଅଧିକ ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି। ନୟାଗଡ଼ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୫ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ ସାଧାରଣ ଜନତା ସାମିଲ ହୋଇଛନ୍ତି। କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯେଉଁ ହିତାଧିକାରୀଙ୍କ ଆକାଉଣ୍ଟ ସହ ଆଧାର ସଂଯୋଗ (Aadhaar Link) କିମ୍ବା DBT ସେବା ସକ୍ରିୟ ନଥିବ, ସେମାନଙ୍କର ଟଙ୍କା ମିଳିବାରେ ବିଳମ୍ବ ହୋଇପାରେ। ଏସବୁ ସମସ୍ୟାର ସମାଧାନ ହେବା କ୍ଷଣି ବାକି ଥିବା ଯୋଗ୍ୟ ହିତାଧିକାରୀଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଟଙ୍କା ହସ୍ତାନ୍ତର କରାଯିବ ବୋଲି ବିଭାଗୀୟ ସୂଚନା ମିଳିଛି। ହିତାଧିକାରୀମାନେ ସୁଭଦ୍ରା ଯୋଜନାର ଅଫିସିଆଲ୍ ପୋର୍ଟାଲ୍ (subhadra.odisha.gov.in) କିମ୍ବା ହେଲ୍ପଲାଇନ୍ ନମ୍ବର ମାଧ୍ୟମରେ ନିଜର ଷ୍ଟାଟସ୍ ଯାଞ୍ଚ କରିପାରିବେ।
Bhubaneswar (ଭୁବନେଶ୍ୱର) • ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି।
