Web News

ଛାତ୍ର ନିବାସରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ: ଘଟଣାକୁ ନେଇ ଉଠିଲା ଅନେକ ପ୍ରଶ୍ନ
ବିଶ୍ରା, ୨୪/୦୮: ସୁନ୍ଦରଗଡ଼ ଜିଲ୍ଲାର ସୀମାନ୍ତ ବିଶ୍ରା ବ୍ଲକ ଅନ୍ତର୍ଗତ ଏର୍ଲା ଆଶ୍ରମ ବିଦ୍ୟାଳୟର ଛାତ୍ର ନିବାସରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ଛାତ୍ର ଜଣକ ବିଶ୍ରା ଥାନା ଅନ୍ତର୍ଗତ ନୂଆଗାଁ ବ୍ଲକର ଅଙ୍କୁରପାଲ୍ଲୀ ଗ୍ରାମପଞ୍ଚାୟତର କେମାଙ୍ଗ ଗ୍ରାମର ଅଭିଷେକ ମିଞ୍ଜ (୧୩) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଅଭିଷେକ ଏର୍ଲା ଆଶ୍ରମ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼ିବା ସହ ଛାତ୍ର ନିବାସରେ ରହୁଥିଲେ। କିଛି ମାସ ପୂର୍ବେ ସେହି ବିଦ୍ୟାଳୟର ଜଣେ ଛାତ୍ରୀଙ୍କ ସହ ତାଙ୍କର ଘନିଷ୍ଠତା ହୋଇଥିବା ଜଣାପଡ଼ିଥିଲା। ବିଷୟଟି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନଜରକୁ ଆସିବା ପରେ ଉଭୟଙ୍କ ଅଭିଭାବକଙ୍କୁ ଡକାଇ ଆଲୋଚନା କରାଯାଇଥିଲା। ପରେ ସମ୍ପୃକ୍ତ ଛାତ୍ରୀଙ୍କୁ ବିଦ୍ୟାଳୟରୁ ଟିସି ଦିଆଯାଇଥିବା କୁହାଯାଇଛି। ଅନ୍ୟପକ୍ଷରେ, ଅଭିଷେକଙ୍କ ବାପାଙ୍କ ଅନୁରୋଧ ଓ ଲିଖିତ ଆବେଦନ ପରେ ତାଙ୍କୁ ପୁନର୍ବାର ବିଦ୍ୟାଳୟରେ ରଖାଯାଇଥିଲା। ଏହାପରଠାରୁ ଅଭିଷେକଙ୍କ ମାନସିକ ସ୍ଥିତି ସ୍ୱାଭାବିକ ନଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ କହିଥିବା ଜଣାପଡ଼ିଛି। ତେବେ ଗତକାଲି ଛାତ୍ର ନିବାସରେ ଅଭିଷେକଙ୍କ ମୃତଦେହ ମିଳିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ପ୍ରଧାନଶିକ୍ଷକ ଅରୁଣ ପଟେଲ ବିଶ୍ରା ଥାନାକୁ ଏନେଇ ସୂଚନା ଦେଇଥିଲେ। ଖବର ପାଇ ବିଶ୍ରା ଥାନା ଏସ୍ଆଇ ପ୍ରସନ୍ନ କୁମାର ଜେନା ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ଘଟଣାର ବିଭିନ୍ନ ଦିଗ ଯାଞ୍ଚ କରିବା ସହ ବିଶ୍ରା ତହସିଲଦାର ପି. ଉର୍ମାଙ୍କ ଉପସ୍ଥିତିରେ ମୃତଦେହକୁ ବିଶ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଅଭିଷେକଙ୍କ ମୃତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। କେଉଁ ପରିସ୍ଥିତିରେ ଜଣେ ୧୩ ବର୍ଷୀୟ ଛାତ୍ର ଏଭଳି ଚରମ ପଦକ୍ଷେପ ନେଲେ, ତାଙ୍କ ମାନସିକ ସ୍ଥିତି ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ କେତେ ଦୂର ଅବଗତ ଥିଲେ ଏବଂ ଛାତ୍ର ନିବାସରେ ତାଙ୍କ ସୁରକ୍ଷା ପାଇଁ କି ପଦକ୍ଷେପ ନିଆଯାଇଥିଲା—ଏସବୁ ଦିଗ ଏବେ ତଦନ୍ତର ପରିସରକୁ ଆସିଛି। ଘଟଣାର ପ୍ରକୃତ କାରଣ ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ତେବେ ଜଣେ ନାବାଳକ ଛାତ୍ରଙ୍କ ମୃତ୍ୟୁକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଚିନ୍ତା ପ୍ରକାଶ ପାଇଛି। ବିଦ୍ୟାଳୟ ପରିଚାଳନା ଓ ଛାତ୍ର ନିବାସରେ ଛାତ୍ରଛାତ୍ରୀଙ୍କ ମାନସିକ ସୁରକ୍ଷା ଓ ନିରୀକ୍ଷଣ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
Rourkela (ରାଉରକେଲା) • ଜିଲ୍ଲା ପ୍ରତିନିଧି ଗଣପତି ଦାଶ ଙ୍କ ରିପୋର୍ଟ

ଦଶରଥପୁର ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ଯାଜପୁର, ୨୪।୦୮।୨୦୨୬ ରିଖ : ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଦଶରଥପୁର ବ୍ଲକ୍ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ। ବିଭାଗୀୟ ଅଧିକାରୀ ମାନେ ଏହି ଅଭିଯୋଗ ଗୁଡିକ ଯାଞ୍ଚ କରିବେ ଓ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କର ଯଥାସମ୍ଭବ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ମୋଟ ୪୭ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୩୬ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କିତ ୦୩ ଗୋଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୦୮ ଗୋଟି ଅଭିଯୋଗର ଶୁଣାଣି କରାଯାଇଥିଲା। ୧୦ ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ଏହି ମିଳିତ ଜନ ଅଭିଯୋଗ ଶୁଣାଣିରେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଅତିରିକ୍ତ ମୁଖ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଲମ୍ବୋଦର ଖୁଣ୍ଟିଆ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଶ୍ରୀ ନଗେନ୍ଦ୍ର ନାଥ ମହାପାତ୍ର, ଡେପୁଟି କଲେକ୍ଟର, ଅଭିଯୋଗ ପ୍ରକୋଷ୍ଠ, ଶ୍ରୀ ସାରସ୍ୱତ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦଶରଥପୁର, ଶ୍ରୀ ଆକାଶ ପଟ୍ଟନାୟକ, ତହସିଲଦାର, ଦଶରଥପୁର, ଶ୍ରୀ ଶୁଭ୍ରାଂଶୁ ସାହୁ ଓ ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ। ଏହି ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବିହାରି ଗ୍ରାମ ପଞ୍ଚାୟତର ବିଚିତ୍ର ମଲିକ ଓ ଖଣ୍ଡରା ଗ୍ରାମ ପଞ୍ଚାୟତର ସଂଯୁକ୍ତା ନାୟକଙ୍କୁ ହୁଇଲ୍ ଚେୟାର ପ୍ରଦାନ କରାଯାଇଥିଲା।
Jajpur (ଯାଜପୁର) • ନିରୋଜ କୁମାର ସେଠୀ

ଚିକିଟି ରେ ପଠାଣିସାମନ୍ତ ଗଣିତ ମେଧାବୃତ୍ତିରେ ସାନ୍ଦିପନୀ ବିଦ୍ୟା ନିକେତନ ଶୀର୍ଷରେ
ଚିକିଟି, ୨୪/୦୮ /26 ଚିକିଟି ବ୍ଲକର ପଠାଣିସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷାର ୨୦୨୩-୨୪ ଓ ୨୦୨୪-୨୫ ଶିକ୍ଷାବର୍ଷର ଫଳାଫଳ ପ୍ରକାଶ ପାଇଛି। ଏଥିରେ ନୂଆପଡ଼ାସ୍ଥିତ ସାନ୍ଦୀପନି ବିଦ୍ୟାନିକେତନର ଦୁଇ ଛାତ୍ର ଉଲ୍ଲେଖନୀୟ କୃତିତ୍ୱ ଅର୍ଜନ କରିଛନ୍ତି। ବିଇଓ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୩-୨୪ ଶିକ୍ଷାବର୍ଷରେ ବିଦ୍ୟାନିକେତନର ଛାତ୍ର ଶାନ୍ତୁନୁ କୁମାର ପାଣିଗ୍ରାହୀ ଚିକିଟି ବ୍ଲକରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ୨୦୨୪-୨୫ ଶିକ୍ଷାବର୍ଷରେ ଛାତ୍ର ରୁଦ୍ର ପ୍ରସାଦ ସାହୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ସଫଳତାରେ ଅନୁଷ୍ଠାନର ପରିଚାଳକ ପ୍ରକାଶ ଚନ୍ଦ୍ର ସାହୁ ଉଭୟ ଛାତ୍ରଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଅଭିଭାବକ, ଗୁରୁଜୀ-ଗୁରୁମା ଓ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାନୁସାରେ, ଚିକିଟି ବ୍ଲକରେ ମୋଟ ୯୩ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ଉକ୍ତ ଦୁଇ ଶିକ୍ଷାବର୍ଷରେ ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପଠାଣିସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୨୦୨୩-୨୪ରେ ୨୮ ଜଣ ଏବଂ ୨୦୨୪-୨୫ରେ ୨୧ ଜଣ ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଥିବା ଜଣାପଡ଼ିଛି।
Ganjam (ଗଞ୍ଜାମ) • ଦୁର୍ଗା ମାଧବ

ନିଶା ବିରୋଧରେ ବୋଲଗଡ଼ ପୋଲିସର ସଚେତନତା ଅଭିଯାନ
ଖୋର୍ଦ୍ଧା: ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ବୋଲଗଡ଼ ଥାନା ପକ୍ଷରୁ ନଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବୋଲଗଡ଼ ଥାନା ପକ୍ଷରୁ ସାଗରଗାଁ ହାଇସ୍କୁଲ୍ ଓ ବାଙ୍କୋଇ ସରକାରୀ ବିଦ୍ୟାଳୟରେ ଏହି ନିଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ନିଶା ସେବନର ଭୟାବହ ପରିଣାମ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଯାଇଥିଲା। ନିଶା କିପରି ଜଣେ ବ୍ୟକ୍ତିର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ସହିତ ତାଙ୍କ ପରିବାର ଓ ସମାଜ ଉପରେ ନକାରାତ୍ମକ ପ୍ରଭାବ ପକାଏ, ସେନେଇ ପୋଲିସ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ।ବିଶେଷକରି କିଶୋର ଓ ଯୁବପିଢ଼ି ନିଶା ପ୍ରତି ଆକର୍ଷିତ ନହୋଇ ଶିକ୍ଷା, କ୍ରୀଡ଼ା ଓ ସୃଜନଶୀଳ କାର୍ଯ୍ୟରେ ନିଜକୁନିୟୋଜିତ କରିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ନିଶାଦ୍ରବ୍ୟରୁ ଦୂରେଇ ରହିବା ସହ ନିଜ ସାଙ୍ଗସାଥୀ ଓ ପରିବାର ସଦସ୍ୟଙ୍କୁ ମଧ୍ୟ ନିଶାର କୁପ୍ରଭାବ ବିଷୟରେ ସଚେତନ କରିବାକୁ ଆହ୍ୱାନ ଦିଆଯାଇଥିଲା।ପୋଲିସ ପକ୍ଷରୁ କୁହାଯାଇଥିଲା ଯେ, ନିଶା କେବଳ ଜଣେ ବ୍ୟକ୍ତିର ଜୀବନକୁ ନଷ୍ଟ କରେ ନାହିଁ, ବରଂ ଏହା ପରିବାରର ଶାନ୍ତି ଓ ସାମାଜିକ ସୁରକ୍ଷା ପାଇଁ ମଧ୍ୟ ଏକ ବଡ଼ ବିପଦ। ତେଣୁ ନିଶା ବିରୋଧରେ ସମସ୍ତଙ୍କୁ ଏକଜୁଟ ହୋଇ ସଚେତନତା ସୃଷ୍ଟି କରିବା ଆବଶ୍ୟକ।ଏହି ଅବସରରେ ଛାତ୍ରଛାତ୍ରୀମାନେ ନିଶାଠାରୁ ଦୂରେଇ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ନିଶା ବିରୋଧରେ ସଚେତନ କରିବାକୁ ସଂକଳ୍ପ ନେଇଥିଲେ। ବିଦ୍ୟାଳୟ ପରିସରରେ ନିଶା ବିରୋଧୀ ବାର୍ତ୍ତା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା। ସାଗରଗାଁ ହାଇସ୍କୁଲ୍ ଓ ବାଙ୍କୋଇ ସରକାରୀ ବିଦ୍ୟାଳୟରେ ଆୟୋଜିତ ଏହି ଅଭିଯାନରେ ମୋଟ ୩୧୬ ଜଣ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ କର୍ମଚାରୀ ଯୋଗଦେଇଥିଲେ। ଯୁବପିଢ଼ିଙ୍କ ମଧ୍ୟରେ ନିଶା ବିରୋଧୀ ମନୋଭାବ ସୃଷ୍ଟି କରିବା ସହ ଏକ ସୁସ୍ଥ, ସୁରକ୍ଷିତ ଓ ନିଶାମୁକ୍ତ ସମାଜ ଗଠନ ଦିଗରେ ବୋଲଗଡ଼ ପୋଲିସର ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଗ୍ରାମସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ
ବଅଁରପାଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ସାନ୍ତରାପୁର, ବଉଳିଗଡ ଓ ଗଡସନ୍ତ୍ରୀ ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ଗ୍ରାମସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ଯୁବ କେନ୍ଦ୍ର, ବଣୀନାଳୀ, ଅନୁଗୋଳ ଦ୍ୱାରା ପରିଚାଳିତ ‘ଜଷ୍ଟ ରାଇଟ୍ ଫର୍ ଚିଲଡ୍ରେନ୍’ ପକ୍ଷରୁ ଭକ୍ତପୁର, ଗଡସନ୍ତ୍ରୀ, ଅରାହାଟ, ବଉଳିଗଡ, ସିମିଲିଛୁଇଁ ଓ ଯୁହାରପୁର ଗ୍ରାମରେ ଏହି ବୈଠକ ଆୟୋଜନ କରାଯାଇଥିଲା। ଏଥିରେ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ୱାର୍ଡମେମ୍ବର ଓ କିଶୋରୀମାନେ ଯୋଗଦେଇଥିଲେ। ବୈଠକରେ ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମ ଏବଂ ଶିଶୁମାନଙ୍କୁ ବିପଦସଙ୍କୁଳ କାର୍ଯ୍ୟରେ ନିୟୋଜିତ କରିବାର ଭୟାବହତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହ ବାଲ୍ୟ ବିବାହ ଓ ଶିଶୁ ଶ୍ରମ ନିୟୋଜନ ବିରୋଧରେ ଭାରତୀୟ ଆଇନରେ ଥିବା ଦଣ୍ଡବିଧାନ ଓ ନିୟମାବଳୀ ବିଷୟରେ ସଚେତନ କରାଯାଇଥିଲା। ପ୍ରତ୍ୟେକ ଶିଶୁର ଚାରୋଟି ପ୍ରାଥମିକ ଅଧିକାର ଏବଂ ଶିଶୁମାନଙ୍କ ସୁରକ୍ଷା ପାଇଁ ସମାଜର ଦାୟିତ୍ୱ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବିଶ୍ୱ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ପ୍ରକଳ୍ପ ସହଯୋଗୀ ଲକ୍ଷ୍ମୀ ବେହେରା ସଭା ପରିଚାଳନା କରିଥିଲେ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ବିଦ୍ୟୁତ ଆଘାତରେ ହାତୀ ର ମୃତ୍ୟୁ
ଭୁବନ ୨୪.୮-ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଶ୍ରୀମନ୍ତପୁର ଅଞ୍ଚଳରେ ସୋଲାର କରେଣ୍ଟ ଲାଗି ଏକ ମାଇ ହାତୀର ମୃତ୍ୟୁ ଘଟିଛି। ମୃତ ହାତୀର ବୟସ ଆନୁମାନିକ ୧୦ରୁ ୧୨ ବର୍ଷ ହେବ ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ ଶ୍ରୀମନ୍ତପୁର ଅଞ୍ଚଳରେ ଏକ ମାଇ ହାତୀର ମୃତଦେହ ଠାବ ହୋଇଥିଲା। ସୋଲାର ବାଡ଼ରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ କୁହାଯାଉଛି।ଘଟଣା ଜଣାପଡ଼ିବା ପରେ ଷଡ଼ଙ୍ଗୀ ରେଞ୍ଜର ,ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ହାତୀଟିର କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ଏବଂ ସୋଲାର ବାଡ଼ରେ ବିଦ୍ୟୁତ୍ ପ୍ରବାହ କିପରି ହେଲା, ସେନେଇ ତଦନ୍ତ ଚାଲିଛି।ଗଁଦିଆ ଅଞ୍ଚଳରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା ହାତୀ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି। ବନ ବିଭାଗ ପକ୍ଷରୁ ସୋଲାର ବାଡ଼ଗୁଡ଼ିକର ନିୟମିତ ଯାଞ୍ଚ ଓ ହାତୀଙ୍କ ସୁରକ୍ଷା ପାଇଁ ଅଧିକ ନଜରଦାରୀର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
Dhenkanal (ଢେଙ୍କାନାଳ) • ସୁଶାନ୍ତ କୁମାର ପୋଥାଳ

ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର
ଖୋର୍ଦ୍ଧା: ବାଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ବାଣପୁର ବ୍ଲକ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଆସିଥିବା ଲୋକମାନେ ଜିଲ୍ଲାପାଳଙ୍କ ନିକଟରେ ନିଜ ନିଜ ଅଭିଯୋଗ ଉପସ୍ଥାପନ କରିଥିଲେ।ବ୍ୟକ୍ତିଗତ ସମସ୍ୟା ସହିତ ରାସ୍ତାଘାଟ, ପାନୀୟଜଳ, ଆବାସ, ରାସନ, ବିଦ୍ୟୁତ, ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କିତ ଅଭିଯୋଗ ଶୁଣାଣି କରାଯାଇଥିଲା। ଜିଲ୍ଲାପାଳ ଅଭିଯୋଗଗୁଡ଼ିକ ଶୁଣି ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେଇ ଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଶିବିରରେ ଜିଲ୍ଲା ଓ ବ୍ଲକ ପ୍ରଶାସନର ବିଭିନ୍ନ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସହଯୋଗ କରିଥିଲେ। ଜନସାଧାରଣଙ୍କ ନିକଟରେ ପ୍ରଶାସନ ପହଞ୍ଚି ସମସ୍ୟା ଶୁଣିବା ଓ ତ୍ୱରିତ ସମାଧାନ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
Khordha (ଖୋର୍ଦ୍ଧା) • ପ୍ରିୟଙ୍କା ମହାପାତ୍ର

ଭୂବନ ଏନ୍ ଏ ସି ୧୬ ତମ ସାଧାରଣ ବୈଠକ : ବିଧାୟକ ଙ୍କ ସମେତ ବିଜେପି କାଉନସିଲର ଅନୁପସ୍ଥିତ
ଭୁବନ ୨୪.୮- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୬ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧ ନମ୍ବର ୱାର୍ଡ କାଉନସିଲର ଗିରିଧାରୀ ସାହୁ ପ୍ରଥମେ ୱାର୍ଡ ସମସ୍ୟା ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ,ଭୁବନ ସହରରେ ଦ୍ୱିତୀୟ ଦଶହରାର ପରିଚୟ ପାଇଥିବା ପ୍ରସିଦ୍ଧ ଗଣେଶ ପୂଜା ଭସାଣୀ ଶୋଭାଯାତ୍ରା ରାମ ମନ୍ଦିର ଛକରୁ ବାହାରି ଟୋଲଙ୍କବେରେଣି ,ବଉଳ ଛକ ,ସିନେମା ହଲ୍ ଛକ ଓ ଗୋଡ଼ି ପୋଖରୀ ଛକ ଦେଇ ସହର ପରିକ୍ରମା କରିଥାଏ । ୨୦ ଟି କ୍ଳବର ପ୍ରାୟ ୨ ହଜାର ଯୁବକ ( ଜେନ ଜି) ଏହି ଶୋଭାଯାତ୍ରାରେ ସାମିଲ ହୋଇଥାନ୍ତି । ବର୍ତ୍ତମାନ ଏହି ରାସ୍ତାରେ ଗାଡ଼ିଆ ସୃଷ୍ଟି ହୋଇଛି ।ତେଣୁ ଯଥାଶୀଘ୍ର ଏହି ରାସ୍ତା ନିର୍ମାଣ କରିବାକୁ ଦୃଢ଼ ଦାବି କରିଥିଲେ। ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୁବନ ର ପ୍ରସିଦ୍ଧ ଶୈବପୀଠ ବାବା ବୁଦ୍ଧେଶ୍ୱର ମନ୍ଦିର ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଶୈବଭକ୍ତ ଓ ବୋଲବମ ଭକ୍ତ ମାନେ ମନ୍ଦିରକୁ ଯାଇ ପାରିଲେ ନାହିଁ । ଦକ୍ଷୀଣ କାଳୀ ପୀଠ ପୂର୍ବରୁ ଥିବା ଘୋଷରା ରେ ପ୍ରାୟ ୨/୩ ଫୁଟ ପାଣି ପ୍ରବାହିତ ହେଉଥିଲା । ଏହି ଘୋଷରା ବଦଳରେ ବକ୍ସ କଲଭର୍ଟ କରି ଜଗନ୍ନାଥ ମନ୍ଦିର ଠାରୁ ବୁଦ୍ଧେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଉଚ୍ଚା ରାସ୍ତା ନିର୍ମାଣ କରାଯିବା ସହିତ ଚିନରା ପୋଖରୀ ଠାରୁ ହିଙ୍ଗୁଳା ମନ୍ଦିର ପର୍ଯ୍ୟନ୍ତ ଉଚ୍ଚା ରାସ୍ତା ନିର୍ମାଣ କରାଯିବା ପାଇଁ ବୈଠକରେ ଦାବି ହୋଇଥିଲା । ଗୁଜୁରି ହାଟ ରେ ଆମିଷ ବିକ୍ରି ଯୋଗୁ ପ୍ରବଳ ଗହଳି ହେବା ସହିତ ପୁତି ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ଏହି ରାସ୍ତା ଦେଇ ଶ୍ରଦ୍ଧାଳୁ ମାନେ ଜଗନ୍ନାଥ ମନ୍ଦିର ଓ ବୁଦ୍ଧେଶ୍ୱର ମନ୍ଦିର କୁ ଯିବାରେ ସମସ୍ୟା ହେଉଛି । ଏଥିପାଇଁ ଏକ ନୂତନ ଆମିଷ ବଜାର କରାଯିବାକୁ ଜାଗା ସ୍ଥିର କରାଯାଇଥିଲା । ଉପାଧ୍ୟକ୍ଷା ମାନିନୀ ସାହୁ ଙ୍କ ସମେତ କାଉନସିଲର ପପୁ କୁମାର ସାହୁ,କଳ୍ପନା ବେହେରା, ଝୁନି ନାୟକ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏନ୍ ଏ ସି କର୍ମଚାରୀ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦତ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।। ଏକ ତୃତୀୟାଂଶ ସଦସ୍ୟଙ୍କ ଉପସ୍ଥିତିରେ କୋରମ ହୋଇ ଉପରୋକ୍ତ ପ୍ରସ୍ତାବ ପାରିତ ହୋଇଥିଲା । ତେବେ ବିଧାୟକ ଙ୍କ ସମେତ ସମସ୍ତ ବିଜେପି କାଉନସିଲର ବୈଠକରେ ଅନୁପସ୍ଥିତ ରହିବା ଘଟଣା ମୁଖ୍ୟ ଚର୍ଚ୍ଚା ଓ ଆଲୋଚନାର ବିଷୟ ପାଲଟିଛି । ଏହି ଅସହଯୋଗ ପାଇଁ ସରକାରୀ ଦଳକୁ କ୍ଷତି ସହିବାକୁ ପଡିବ ବୋଲି ବୁଦ୍ଧିଜୀବୀ ଓ ରାଜନୈତିକ ମହଲ ମତ ଦେଉଛନ୍ତି ।
Dhenkanal (ଢେଙ୍କାନାଳ) • ସୁଶାନ୍ତ କୁମାର ପୋଥାଳ

ଶେଷ ସୋମବାର ଧବଳେଶ୍ୱର ମନ୍ଦିର ଠାରେ ଶ୍ରଦ୍ଧାଳୁଙ୍କ ଭିଡ଼
ଟିଟିଲାଗଡ଼ :-୨୪/୮/୨୬ ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ ଟିଟିଲାଗଡ଼ ଧବଳେଶ୍ୱର ମନ୍ଦିର ଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିବାର ଦେଖିବାକୁ ମିଳିଥିଲା l ବୋଲବମ ଭକ୍ତମାନେ ରବିବାର ସନ୍ଧ୍ୟାରେ ପହଞ୍ଚି ଶିବ ମନ୍ଦିର ପ୍ରାଙ୍ଗଣରେ ରହିଥିଲେ l ଭୋର ସକାଳୁ ବାବା ଧବଳେଶ୍ୱରଙ୍କୁ ପୂଜାର୍ଚନା କରିବା ପାଇଁ ଲମ୍ବା ଲାଇନରେ ଶ୍ରଦ୍ଧାଳୁମାନେ ଛିଡା ହୋଇଥିଲେ l ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା l ଚଳଚଞ୍ଚଳ ହୋଇପଡ଼ିଥିଲା କୁମୁଡା ପାହାଡ଼ ଧବଳେଶ୍ୱର ମନ୍ଦିର l ଏଥିରେ ଅନେକ ପ୍ରକାର ଦୁକାନବଜାର ଷ୍ଟଲ ଲାଗିଥିଲା l ସୋମବାର ଭୋର ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଭିଡ଼ ଜମିଥିଲା l ଶ୍ରଦ୍ଧାଳୁମାନଙ୍କୁ ଅର୍ଣ୍ଣଭୋଗ ମଧ୍ୟ ଦାତା ମାନଙ୍କ ପକ୍ଷରୁ ବଣ୍ଟନ କରାଯାଇଥିଲା l ବହୁତ ଦୂରଦୁରାନ୍ତ ରୁ ଶ୍ରଦ୍ଧାଳୁମାନେ ଧବଳେଶ୍ୱର ମନ୍ଦିର କୁ ଆସିଥିଲେ l
Balangir (ବଲାଙ୍ଗୀର) • ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼, ବଲାଙ୍ଗୀର

ପନ୍ଦର ବର୍ଷ କୋଣରେ ପଡ଼ିରହିଛି ଭିନ୍ନକ୍ଷମ ନମିତା ମୁଦୁଲି ଜୀବନ
ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବୈଇସିରିଆ ଗ୍ରାମପଞ୍ଚାୟତ ରାମଚନ୍ଦ୍ରପୁର ଥାନା ଵୈଇସିରିଆ ଗ୍ରାମ ର ପୂର୍ଣ୍ଣ ଚନ୍ଦ୍ର ମୁଦୁଲିଙ୍କ ଏକମାତ୍ର କନ୍ୟା ବହୁ ହସ ଖୁସିରେ ଜୀବନ ବିତାଉ ଥିଲେ ଭାଗ୍ୟର ବିଡମ୍ବନା ହଠାତ୍ ବ୍ରେନ ଟ୍ୟୁମର ହେବା ଦ୍ଵାରା ସମସ୍ତ ଶରୀର ବିକଳାଙ୍ଗ ହୋଇଯାଇଛି। ବିଛଣିରୁ ଉଠିବା ପାଇଁ ଅସମର୍ଥ ହେଲେ ଆଜି ପଯ୍ୟନ୍ତ ଏ ମେଡିକାଲ ରୁ ସେ ମେଡିକାଲ ଦୈାଡି ଦୈାଡି ନିରାଶ ହେଲାଣି ହେଲେ ଭିନ୍ନକ୍ଷମ ସାର୍ଟିଫିକେଟ ପାଇଁ ୨୧/୭/୨୦୨୧ ଭିନ୍ନ କ୍ଷମ ପ୍ରଣାଣ ପତ୍ର ପାଇବା ପାଇଁ ଆବେଦନ କରିଥିଲେ ହେଲେ ତାକୁ ଏ ପର୍ଯ୍ୟନ୍ତ କୋୖଣସି ସୁବିଧା ମିଳି ପାରିଲା ନାହିଁ। ଦେଖାଯାଉ ଆଗକୁ ପ୍ରଶାସନ କି ପ୍ରଦଯେପ ନେଉଛି।
Jajpur (ଯାଜପୁର) • ରିପୋର୍ଟ -ନିରୋଜ କୁମାର ସେଠୀ

କିଶୋରନଗରରେ ମିଳିତ ଜନ ଅଭିଯୋଗ ଶୁଣାଣି
କିଶୋରନଗର: ବ୍ଲକ ହେଡକ୍ୱାର୍ଟର କିଶୋରନଗରଠାରେ ଜିଲ୍ଲାପାଳ, ଅନୁଗୋଳ ଏବଂ ଜିଲ୍ଲାସ୍ତରୀୟ ବିଭିନ୍ନ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ଏହି ଶୁଣାଣିରେ ମୋଟ ୪୩ଟି ଅଭିଯୋଗ ଶୁଣାଯାଇଥିବା ବେଳେ, ସେଥିମଧ୍ୟରୁ ୫ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକର ଯଥାଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ସହିତ ଶୁଣାଣି ସମୟରେ ୩ ଜଣ ଅଭାବୀ ଓ ଦୁଃଖୀ ବ୍ୟକ୍ତିଙ୍କୁ ରେଡକ୍ରସ ପାଣ୍ଠିରୁ ମୋଟ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ସହ ଅସହାୟ ଲୋକଙ୍କୁ ସହାୟତା ପ୍ରଦାନ ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି
ବରଗଡ -ଅତାବିରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶତପଥୀଙ୍କ ସମେତ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ବରଗଡ଼ ଉପ-ଜିଲ୍ଲାପାଳ ଶ୍ରୀ ପ୍ରସନ୍ନ କୁମାର ପାଣ୍ଡେ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ସୁବାଷ ଅଗ୍ରୱାଲ, ଅତାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରିପୁନାଥ ସୁନା ଏବଂ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାୟକ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ସୂଚନାଯୋଗ୍ୟ କି, ଉକ୍ତ ଶିବିରରେ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା, ରାସ୍ତା ନିର୍ମାଣ, କୃଷି ଆଦି ସମସ୍ୟା ଅଧାରିତ ସମୁଦାୟ ୭୪ ଗୋଟି ଅଭିଯୋଗ ମଧ୍ୟରୁ ୪୫ ଗୋଟି ବ୍ୟକ୍ତିଗତ ଏବଂ ୨୯ ଗୋଟି ସାମୁହିକ ଅଭିଯୋଗର ଶୁଣାଣି କରି ସମସ୍ତ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ
