ନିଶା ବିରୋଧରେ ବୋଲଗଡ଼ ପୋଲିସର ସଚେତନତା ଅଭିଯାନ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାAugust 24, 202666 views

ଖୋର୍ଦ୍ଧା: ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ବୋଲଗଡ଼ ଥାନା ପକ୍ଷରୁ ନଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବୋଲଗଡ଼ ଥାନା ପକ୍ଷରୁ ସାଗରଗାଁ ହାଇସ୍କୁଲ୍ ଓ ବାଙ୍କୋଇ ସରକାରୀ ବିଦ୍ୟାଳୟରେ ଏହି ନିଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ନିଶା ସେବନର ଭୟାବହ ପରିଣାମ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଯାଇଥିଲା। ନିଶା କିପରି ଜଣେ ବ୍ୟକ୍ତିର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ସହିତ ତାଙ୍କ ପରିବାର ଓ ସମାଜ ଉପରେ ନକାରାତ୍ମକ ପ୍ରଭାବ ପକାଏ, ସେନେଇ ପୋଲିସ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ।ବିଶେଷକରି କିଶୋର ଓ ଯୁବପିଢ଼ି ନିଶା ପ୍ରତି ଆକର୍ଷିତ ନହୋଇ ଶିକ୍ଷା, କ୍ରୀଡ଼ା ଓ ସୃଜନଶୀଳ କାର୍ଯ୍ୟରେ ନିଜକୁନିୟୋଜିତ କରିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ନିଶାଦ୍ରବ୍ୟରୁ ଦୂରେଇ ରହିବା ସହ ନିଜ ସାଙ୍ଗସାଥୀ ଓ ପରିବାର ସଦସ୍ୟଙ୍କୁ ମଧ୍ୟ ନିଶାର କୁପ୍ରଭାବ ବିଷୟରେ ସଚେତନ କରିବାକୁ ଆହ୍ୱାନ ଦିଆଯାଇଥିଲା।ପୋଲିସ ପକ୍ଷରୁ କୁହାଯାଇଥିଲା ଯେ, ନିଶା କେବଳ ଜଣେ ବ୍ୟକ୍ତିର ଜୀବନକୁ ନଷ୍ଟ କରେ ନାହିଁ, ବରଂ ଏହା ପରିବାରର ଶାନ୍ତି ଓ ସାମାଜିକ ସୁରକ୍ଷା ପାଇଁ ମଧ୍ୟ ଏକ ବଡ଼ ବିପଦ। ତେଣୁ ନିଶା ବିରୋଧରେ ସମସ୍ତଙ୍କୁ ଏକଜୁଟ ହୋଇ ସଚେତନତା ସୃଷ୍ଟି କରିବା ଆବଶ୍ୟକ।ଏହି ଅବସରରେ ଛାତ୍ରଛାତ୍ରୀମାନେ ନିଶାଠାରୁ ଦୂରେଇ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ନିଶା ବିରୋଧରେ ସଚେତନ କରିବାକୁ ସଂକଳ୍ପ ନେଇଥିଲେ। ବିଦ୍ୟାଳୟ ପରିସରରେ ନିଶା ବିରୋଧୀ ବାର୍ତ୍ତା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା।
ସାଗରଗାଁ ହାଇସ୍କୁଲ୍ ଓ ବାଙ୍କୋଇ ସରକାରୀ ବିଦ୍ୟାଳୟରେ ଆୟୋଜିତ ଏହି ଅଭିଯାନରେ ମୋଟ ୩୧୬ ଜଣ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ କର୍ମଚାରୀ ଯୋଗଦେଇଥିଲେ। ଯୁବପିଢ଼ିଙ୍କ ମଧ୍ୟରେ ନିଶା ବିରୋଧୀ ମନୋଭାବ ସୃଷ୍ଟି କରିବା ସହ ଏକ ସୁସ୍ଥ, ସୁରକ୍ଷିତ ଓ ନିଶାମୁକ୍ତ ସମାଜ ଗଠନ ଦିଗରେ ବୋଲଗଡ଼ ପୋଲିସର ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି।
