--:--:--
-- ---
Srishti News

ଛାତ୍ର ନିବାସରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ: ଘଟଣାକୁ ନେଇ ଉଠିଲା ଅନେକ ପ୍ରଶ୍ନ

Rourkela (ରାଉରକେଲା)ଜିଲ୍ଲା ପ୍ରତିନିଧି ଗଣପତି ଦାଶ ଙ୍କ ରିପୋର୍ଟAugust 24, 2026222 views
ଛାତ୍ର ନିବାସରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ: ଘଟଣାକୁ ନେଇ ଉଠିଲା ଅନେକ ପ୍ରଶ୍ନ
ବିଶ୍ରା, ୨୪/୦୮: ସୁନ୍ଦରଗଡ଼ ଜିଲ୍ଲାର ସୀମାନ୍ତ ବିଶ୍ରା ବ୍ଲକ ଅନ୍ତର୍ଗତ ଏର୍ଲା ଆଶ୍ରମ ବିଦ୍ୟାଳୟର ଛାତ୍ର ନିବାସରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ଛାତ୍ର ଜଣକ ବିଶ୍ରା ଥାନା ଅନ୍ତର୍ଗତ ନୂଆଗାଁ ବ୍ଲକର ଅଙ୍କୁରପାଲ୍ଲୀ ଗ୍ରାମପଞ୍ଚାୟତର କେମାଙ୍ଗ ଗ୍ରାମର ଅଭିଷେକ ମିଞ୍ଜ (୧୩) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଅଭିଷେକ ଏର୍ଲା ଆଶ୍ରମ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼ିବା ସହ ଛାତ୍ର ନିବାସରେ ରହୁଥିଲେ। କିଛି ମାସ ପୂର୍ବେ ସେହି ବିଦ୍ୟାଳୟର ଜଣେ ଛାତ୍ରୀଙ୍କ ସହ ତାଙ୍କର ଘନିଷ୍ଠତା ହୋଇଥିବା ଜଣାପଡ଼ିଥିଲା। ବିଷୟଟି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନଜରକୁ ଆସିବା ପରେ ଉଭୟଙ୍କ ଅଭିଭାବକଙ୍କୁ ଡକାଇ ଆଲୋଚନା କରାଯାଇଥିଲା। ପରେ ସମ୍ପୃକ୍ତ ଛାତ୍ରୀଙ୍କୁ ବିଦ୍ୟାଳୟରୁ ଟିସି ଦିଆଯାଇଥିବା କୁହାଯାଇଛି। ଅନ୍ୟପକ୍ଷରେ, ଅଭିଷେକଙ୍କ ବାପାଙ୍କ ଅନୁରୋଧ ଓ ଲିଖିତ ଆବେଦନ ପରେ ତାଙ୍କୁ ପୁନର୍ବାର ବିଦ୍ୟାଳୟରେ ରଖାଯାଇଥିଲା। ଏହାପରଠାରୁ ଅଭିଷେକଙ୍କ ମାନସିକ ସ୍ଥିତି ସ୍ୱାଭାବିକ ନଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ କହିଥିବା ଜଣାପଡ଼ିଛି। ତେବେ ଗତକାଲି ଛାତ୍ର ନିବାସରେ ଅଭିଷେକଙ୍କ ମୃତଦେହ ମିଳିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ପ୍ରଧାନଶିକ୍ଷକ ଅରୁଣ ପଟେଲ ବିଶ୍ରା ଥାନାକୁ ଏନେଇ ସୂଚନା ଦେଇଥିଲେ। ଖବର ପାଇ ବିଶ୍ରା ଥାନା ଏସ୍‌ଆଇ ପ୍ରସନ୍ନ କୁମାର ଜେନା ପୋଲିସ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ଘଟଣାର ବିଭିନ୍ନ ଦିଗ ଯାଞ୍ଚ କରିବା ସହ ବିଶ୍ରା ତହସିଲଦାର ପି. ଉର୍ମାଙ୍କ ଉପସ୍ଥିତିରେ ମୃତଦେହକୁ ବିଶ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଅଭିଷେକଙ୍କ ମୃତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। କେଉଁ ପରିସ୍ଥିତିରେ ଜଣେ ୧୩ ବର୍ଷୀୟ ଛାତ୍ର ଏଭଳି ଚରମ ପଦକ୍ଷେପ ନେଲେ, ତାଙ୍କ ମାନସିକ ସ୍ଥିତି ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ କେତେ ଦୂର ଅବଗତ ଥିଲେ ଏବଂ ଛାତ୍ର ନିବାସରେ ତାଙ୍କ ସୁରକ୍ଷା ପାଇଁ କି ପଦକ୍ଷେପ ନିଆଯାଇଥିଲା—ଏସବୁ ଦିଗ ଏବେ ତଦନ୍ତର ପରିସରକୁ ଆସିଛି। ଘଟଣାର ପ୍ରକୃତ କାରଣ ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ତେବେ ଜଣେ ନାବାଳକ ଛାତ୍ରଙ୍କ ମୃତ୍ୟୁକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଚିନ୍ତା ପ୍ରକାଶ ପାଇଛି। ବିଦ୍ୟାଳୟ ପରିଚାଳନା ଓ ଛାତ୍ର ନିବାସରେ ଛାତ୍ରଛାତ୍ରୀଙ୍କ ମାନସିକ ସୁରକ୍ଷା ଓ ନିରୀକ୍ଷଣ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।