Web News

ତୃଟିମୁକ୍ତ ଓ ବିଜ୍ଞାନ ସମ୍ମତ ପାଠ୍ୟପୁସ୍ତକ ଦାବିରେ ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ବିଂଝାରପୁର ତା ୩୦.୦୬ – ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ବର୍ତ୍ତମାନ ଯାଏ ବାଇଶି ଶହରୁ ଅଧିକ ବନାନଗତ, ବ୍ୟାକରଣଗତ ଓ ତଥ୍ୟଗତ ତୃଟି ପରିଲକ୍ଷିତ ହୋଇଛି। କେବଳ ସେତିକି ନୁହେଁ ଗୁରୁତ୍ୱପୂର୍ଣ୍ଣ ମୌଳିକ ଧାରଣା ଗଢିତୋଳୁଥିବା ବିଷୟବସ୍ତୁକୁ ବାଦ ଦିଆଯାଇ ଅନେକ ଅବୈଜ୍ଞାନିକ ବିଷୟ ସ୍ଥାନିତ କରାଯାଇଛି। ବହୁ ପ୍ରତିବାଦ ପରେ ଯୋଗାଇ ଦିଆଯାଇଥିବା ସଂଶୋଧିତ ପୁସ୍ତିକା ମଧ୍ୟରେ ବି ଅନେକ ଭୁଲ ରହିଛି। ସାମାଜିକ ବିଜ୍ଞାନ ପୁସ୍ତକରେ “ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ମାଧ୍ୟମରେ ମାଟି ପବିତ୍ର ହୁଏ” ଭଳି ବହୁ ଅବୈଜ୍ଞାନିକ ବିଷୟ ସ୍ଥାନିତ ହୋଇଛି। ସେମିତି ଭୂଗୋଳରେ ଭୌଗୋଳିକ ଜ୍ଞାନର ଭିତ୍ତିଭୂମି “ପ୍ରାକୃତିକ ଭୂଗୋଳ”କୁ ସମ୍ପୂର୍ଣ୍ଣ ବାଦ ଦିଆଯାଇଛି।ବିଜ୍ଞାନ ବହିରେ ମହାନ ବୈଜ୍ଞାନିକ ସାର ଆଇଜାକ ନ୍ୟୁଟନଙ୍କୁ “ଶ୍ରେଷ୍ଠ ପାଇଲଟ” କୁହାଯାଇଛି। ଗଣିତ ବହିରୁ ଜ୍ୟାମିତି, ତ୍ରିକୋଣମିତି, ପରିମିତି, ସେଟ୍, ପଲିନୋମିଆଲ୍, ବ୍ୟବସାୟିକ ଗଣିତ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଉଠାଇ ଦିଆଯାଇଛି। ଏଥିସହିତ ଓଡ଼ିଶାର ନିୟମଗିରି ପାହାଡ଼ ଝାଡ଼ଖଣ୍ଡରେ ରହିଛି ବୋଲ କୁହାଯାଇଛି।ଏହା ହିଁ ବିଜେପି ସରକାରଙ୍କ ଓଡ଼ିଆ ଅସ୍ମିତାର ପରିଚୟ ଓ ଗୁଣାତ୍ମକ ଶିକ୍ଷାର ନମୁନା। ଏପରିକି ୩ୟ ଶ୍ରେଣୀରୁ “ବାଂଶୁରୀ-୧” ବହିରେ ୨୦ଟା ଚ୍ୟାପ୍ଟର, ଖେଳ ଯୋଗ ବହିରେ ୭ଟା ଚ୍ୟାପ୍ଟର ନୂତନ ଭାବେ ପ୍ରଚଳନ କରାଯାଇଛି। ଏହା ଦ୍ୱାରା ପିଲାମାନଙ୍କ ଉପରେ ଅନାବଶ୍ୟକ ବୋଝ ଲଦି ଦିଆଯାଇଛି। ଯାହା ପିଲାମାନଙ୍କ ଜ୍ଞାନାର୍ଜନର ମୂଳଦୁଆକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବ। ଏହି ପରିସ୍ଥିତିରେ ଶିକ୍ଷକ ମାନଙ୍କୁ ଏକ ସଂଶୋଧିତ, ମୂଳଗତ ଭାବେ ଅବୈଜ୍ଞାନିକ ଚିଠା ପୁସ୍ତକ ଧରାଇଦେଇ କାମ ଚଳାଇ ଦେବା ନ୍ୟାୟରେ ଛାତ୍ର-ଛାତ୍ରୀଙ୍କ ଭବିଷ୍ୟତ ନେଇ ଖେଳ ଖେଳିବା ବନ୍ଦକରି, ଚ଼ଳିତ ବର୍ଷ ପୁରଣା ବହିରେ ପାଠ ପଢାଇ ଆସନ୍ତା ବର୍ଷ ଠାରୁ ଯଥାର୍ଥ ବିଜ୍ଞାନ ସମ୍ମତ , ଧର୍ମନିରପେକ୍ଷ ପୁସ୍ତକ ପ୍ରସ୍ତୁତ କରି ପିଲାମାନଙ୍କୁ ଯୋଗାଇ ଦିଆଯାଇ ଏହି ସବୁ ବିଭ୍ରାଟର ମୂଳ ଉତ୍ସ ଏନ୍.ଇ.ପି- ୨୦୨୦କୁ ସମ୍ପୂର୍ଣ୍ଣ ବାତିଲ କରିବା ପାଇଁ ଏସ୍ ୟୁ ସି ଆଇ (କମ୍ୟୁନିଷ୍ଟ) ପକ୍ଷରୁ ଦୃଢ଼ ଦାବି କରାଯାଇଛି। ଏସ୍.ୟୁ.ସି.ଆଇ.(କମ୍ୟୁନିଷ୍ଟ) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦିଆଯାଇଥିବା ପ୍ରତିବାଦ ଦିବସ ଅବସରରେ ଆଜି କ୍ଷୀରୋଦ କର, ଅଚ୍ୟୁତ ପ୍ରଧାନ, ତରଙ୍ଗିଣୀ ଦାସ, ରାଧାବଲ୍ଲଭ ମଲ୍ଲିକ,ସଂଯୁକ୍ତା ନାୟକ, ବ୍ରହ୍ମାନନ୍ଦ ମଲ୍ଲିକ, ଗୋବିନ୍ଦ ସାହୁ, ମାଧବୀ ମଲ୍ଲିକ,ଧନେଶ୍ୱର ଦାସ, କାମଦେବ ମଲ୍ଲିକ, କୃଷ୍ଣ ମଲିକ, ମାନସ ଯେନା, କ୍ଷୀରୋଦ ଯେନା ଆଦିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବିଂଝାରପୁର ବି.ଡି.ଓ.ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପାଠ୍ୟପୁସ୍ତକ ଗୁଡିକରେ ପରିଲକ୍ଷିତ ତୃଟି "ସ୍ୱାଭାବିକ ଓ ସାମାନ୍ୟ” ବୋଲି ଗଣଶିକ୍ଷା ମନ୍ତ୍ରୀଙ୍କ ମନ୍ତବ୍ୟ ଅତ୍ୟନ୍ତ ଦାୟିତ୍ୱହୀନ ଓ ଚରମ ଶିକ୍ଷାବିରୋଧୀ ନୀତିର ପରିଚୟ ବୋଲି ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ଓଡିଶା ରାଜ୍ୟ ସମ୍ପାଦକ ଶଙ୍କର ଦାଶଗୁପ୍ତ କହିଛନ୍ତି।
Jajpur (ଯାଜପୁର) • ରିପୋର୍ଟ: ଉଦୟ ନାଥ ଜେନା, ବିଂଝାରପୁର

ଜୁନାଗଡ଼ ବ୍ଲକ ଭଇରିଗୁଡ଼ା ଆରୋଗ୍ୟ ଆୟୁଷ୍ମାନ ମନ୍ଦିର ତଥା ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦାବି
ଜୁନାଗଡ : ମିଳିଥିବା ସୂଚନା ମୁତାବକ ଭଇରିଗୁଡ଼ା ଆରୋଗ୍ୟ ଆୟୁଷ୍ମାନ ମନ୍ଦିର ତଥା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ଗ୍ରାମୀଣ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି l କେବଳ ଏକମାତ୍ର ସ୍ବାସ୍ଥ୍ୟ କର୍ମୀ ସହାୟତାରେ କିପରି ସ୍ବାସ୍ଥ୍ୟ କେନ୍ଦ୍ର ପରିଚାଳିତ ହେଉଛି ସହଜରେ ଅନୁମାନ କରାଯାଇପାରେ। ସ୍ୱାସ୍ଥ୍ୟ ସେବା ଏକ ମୌଳିକ ଅଧିକାର କିନ୍ତୁ ମୌଳିକ ଅଧିକାର ପାଇଁ ମଧ୍ୟ ସ୍ୱର ଉତ୍ତୋଳନ କରିବାକୁ ପଡୁଛି ବୋଲି ଜନସାଧାରଣରେ ପ୍ରଶ୍ନ ଉଠୁଛି। ଉପକେନ୍ଦ୍ର ପାଇଁ ଏକ ଡାକ୍ତର ନିଯୁକ୍ତି ଦେଲେ ଅଞ୍ଚଳର ଲୋକେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇ ପାରିବେ ବୋଲି ଆଶା ରଖିଛନ୍ତି। ଏଣୁ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
Kalahandi (କଳାହାଣ୍ଡି) • ରିପୋର୍ଟ - ଦେବରାଜ ବାଣୁଆ ଜୁନାଗଡ

ଅନୁଗୋଳ ପୋଲିସ ପକ୍ଷରୁ ଅବସରପ୍ରାପ୍ତ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଅନୁଗୋଳ: ଅନୁଗୋଳ ପୋଲିସ ପକ୍ଷରୁ ଅବସରପ୍ରାପ୍ତ ତିନିଜଣ ପୋଲିସ ଅଧିକାରୀଙ୍କୁ ଏକ ଭାବପ୍ରବଣ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଦୀର୍ଘ ବର୍ଷ ଧରି ନିଷ୍ଠା, ସଚ୍ଚୋଟତା ଓ ଉତ୍ସର୍ଗୀକୃତ ଭାବେ ସେବା ପ୍ରଦାନ କରିଥିବା ଏସଆଇ ଗୋବିନ୍ଦ ଚନ୍ଦ୍ର ମିଶ୍ର, ହାବିଲଦାର କାଳନ୍ଦୀ ଚରଣ ଧଳ ଏବଂ ହାବିଲଦାର ଲକ୍ଷ୍ମୀଧର ସାମଲଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ବରିଷ୍ଠ ପୋଲିସ ଅଧିକାରୀମାନେ ଅବସରପ୍ରାପ୍ତ ଅଧିକାରୀଙ୍କ ନିଷ୍ଠାପର ସେବା, କର୍ତ୍ତବ୍ୟନିଷ୍ଠା ଓ ପୋଲିସ ବିଭାଗ ପ୍ରତି ସେମାନଙ୍କ ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ। ସେମାନଙ୍କର ଉତ୍ସର୍ଗୀକୃତ ସେବା ପାଇଁ ଆନ୍ତରିକ କୃତଜ୍ଞତା ଜଣାଇବା ସହ ଅବସର ପରବର୍ତ୍ତୀ ଜୀବନ ସୁଖ, ଶାନ୍ତି ଓ ସୁସ୍ୱାସ୍ଥ୍ୟମୟ ହେଉ ବୋଲି ଶୁଭେଚ୍ଛା ଜଣାଯାଇଥିଲା।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନୂତନ ବସ ଲୋକାର୍ପିତ
ଅନୁଗୋଳ: ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଏକ ନୂତନ ସ୍କୁଲ ବସ ଆଜି ଏକ ସ୍ୱତନ୍ତ୍ର ଉତ୍ସବ ମଧ୍ୟରେ ଲୋକାର୍ପିତ ହୋଇଛି। ଏହି ବସ ଯୋଗ ହେବା ଫଳରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଯାତାୟାତ ବ୍ୟବସ୍ଥା ଅଧିକ ସୁଗମ ଓ ସୁରକ୍ଷିତ ହେବ ବୋଲି ଆଶା କରାଯାଉଛି। ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ତଥା ଶିକ୍ଷାବିତ୍ ଦୁର୍ଯ୍ୟୋଧନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର କୁମାର ସିଂହ ମୁଖ୍ୟ ଅତିଥି ଏବଂ ସମାଜସେବୀ ଗଗନ ବିହାରୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ପରିଚାଳନା ସମିତିର ଉପସଭାପତି ତପନ କୁମାର ସାହୁ, ଯୁଗ୍ମ ସମ୍ପାଦକ ବିକ୍ରମ ଜେନା ଓ କୋଷାଧ୍ୟକ୍ଷ ପଞ୍ଚାନନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ଅତିଥିମାନେ ଫିତା କାଟି ନୂତନ ବସର ଶୁଭ ଲୋକାର୍ପଣ କରିବା ସହ ବିଦ୍ୟାଳୟର ଉନ୍ନତି ଏବଂ ଛାତ୍ରଛାତ୍ରୀଙ୍କ ବିକାଶ କାମନା କରିଥିଲେ। ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ମଙ୍ଗୁଳୁ ଚରଣ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟ ଚତୁର୍ଭୂଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଚାର୍ଯ୍ୟ ଅନୀଲ କୁମାର ସାହୁ, କୁମୁଦ ଚନ୍ଦ୍ର ସାହୁ, ଅଭୟ ସାହୁ, ସଞ୍ଜୟ ସାଲିମା, ବସନ୍ତ ମହାନ୍ତି, ମଳୟ ଦାସ ଓ କୁମୁଦ ବେହେରା ପ୍ରମୁଖ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ତାଳଚେରରେ ଅଘୋଷିତ ଘନଘନ ବିଦ୍ୟୁତ୍ କାଟ୍: ଅତିଷ୍ଠ ଜନଜୀବନ
ଅନୁଗୋଳ: ରାଜ୍ୟର ଅନ୍ୟତମ ଶିଳ୍ପନଗରୀ ତାଳଚେରରେ ଅଘୋଷିତ ଘନଘନ ବିଦ୍ୟୁତ୍ କାଟ୍ ଓ ଲୋ-ଭୋଲଟେଜ୍ ସମସ୍ୟା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅଞ୍ଚଳରେ ଏନଟିପିସି, ଟିଟିପିଏସ୍, ରେଙ୍ଗାଳୀ ସମେତ ଏକାଧିକ ବୃହତ୍ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଥିବା ସତ୍ତ୍ୱେ ସ୍ଥାନୀୟ ଲୋକଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ମିଳୁନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ସ୍ଥାନୀୟଙ୍କ କହିବା ଅନୁସାରେ, ବର୍ଷା କିମ୍ବା ବଜ୍ରପାତ ନଥିଲେ ମଧ୍ୟ ବାରମ୍ବାର ବିଦ୍ୟୁତ୍ କାଟ୍ ହେଉଛି। ଏହା ସହ ଲୋ-ଭୋଲଟେଜ୍ ସମସ୍ୟା ମଧ୍ୟ ଦୈନନ୍ଦିନ ଜୀବନକୁ ବ୍ୟାପକ ଭାବେ ପ୍ରଭାବିତ କରୁଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗରମ ମଧ୍ୟରେ ଘନଘନ ବିଦ୍ୟୁତ୍ କାଟ୍ ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ ସେସୁ ଅଧୀନରେ ଥିବା ସମୟରେ ଯେତିକି ବିଦ୍ୟୁତ୍ ବିଭ୍ରାଟ ହେଉଥିଲା, ବର୍ତ୍ତମାନ ଟାଟା ପାୱାର ଅଧୀନରେ ତାହା ଅଧିକ ବୃଦ୍ଧି ପାଇଛି। ବାରମ୍ବାର ବିଦ୍ୟୁତ୍ କାଟ୍ ଓ ଲୋ-ଭୋଲଟେଜ୍ ସମସ୍ୟା ଯୋଗୁଁ ଘରୋଇ ଉପଭୋକ୍ତାଙ୍କ ସହ ବ୍ୟବସାୟୀମାନେ ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି। ରାଜ୍ୟ ସରକାର ଖରାଦିନରେ ଅନାବଶ୍ୟକ ବିଦ୍ୟୁତ୍ କାଟ୍ ନକରିବାକୁ ନିର୍ଦ୍ଦେଶ ଦେଇଥିବା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଏଭଳି ଘଟଣାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଥିଲେ। ତେବେ ତାଳଚେରରେ ସେହି ନିର୍ଦ୍ଦେଶର କୌଣସି ପ୍ରତିଫଳନ ଦେଖିବାକୁ ମିଳୁନଥିବା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଅଞ୍ଚଳବାସୀ ସରକାର ଓ ବିଦ୍ୟୁତ୍ ବଣ୍ଟନ କମ୍ପାନୀ ନିକଟରେ ଦାବି କରିଛନ୍ତି। ଶୀଘ୍ର ପଦକ୍ଷେପ ନ ନିଆଗଲେ ଆଗାମୀ ଦିନରେ ବ୍ୟାପକ ଜନଆନ୍ଦୋଳନ ହେବାର ସମ୍ଭାବନା ଥିବା ନେଇ ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡିଥିଲା ଦ୍ରୁତଗାମୀ ମାଲ ବୋଝେଇ ଟ୍ରକ
ଅନୁଗୋଳ: ବଅଁରପାଳ ଥାନା ନୂଆହତା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ମୁତାବକ ନୂଆହତା ପଞ୍ଚାୟତ ଯୋରାଗାଡ଼ିଆ ଗ୍ରୀଡ ସମ୍ମୁଖ ରେ ଦ୍ରୁତଗାମୀ ଏକ ମାଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଆଜି ଅପରାହ୍ଣ ୧୨ ଘଟିକା ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଗାଡ଼ି ଚାଳକର ଭଗବାନ ଙ୍କ କୃପାରୁ କୌଣସି କ୍ଷତି ଘଟିନାହିଁ । ଡ୍ରାଇଭର୍ ସୂଚନା ମୁତାବକ ଟ୍ରକ ଟି ଢେଙ୍କାନାଳରୁ ମାଲଧରି ଛତ୍ତିଶଗଡ଼ ଅଭିମୁଖେ ଦ୍ରୁତଗତିରେ ଯାଉଥିବା ବେଳେ କୌଣସି ଏକ କାରଣରୁ ନିୟନ୍ତ୍ରଣ ହରାଇ ଓଲଟି ପଡିଥିବା ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରେ ସ୍ତାନୀୟ ଲୋକ ପହଞ୍ଚି ଗାଡ଼ି ଚାଳକକୁ ଗାଡି ମଧ୍ୟରୁ ଉଦ୍ଧାର କରିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଆଧାର ଭତ୍ତାଧାରୀ ସାବଧାନ: ଆଧାର ଲିଙ୍କ୍ ନକଲେ ବନ୍ଦ ହୋଇଯିବ ମାସିକ ଭତ୍ତା, ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ମାସିକ ପେନସନ୍ ବା ଭତ୍ତା ପାଉଛନ୍ତି, ତେବେ ତୁରନ୍ତ ନିଜର ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ନମ୍ବରକୁ ଲିଙ୍କ୍ କରାଇ ନିଅନ୍ତୁ। ନଚେତ୍ ଯେକୌଣସି ମୁହୂର୍ତ୍ତରେ ଆପଣଙ୍କ ମାସିକ ଭତ୍ତା ବନ୍ଦ ହେବାର ଆଶଙ୍କା ରହିଛି। ବୈଷୟିକ କାରଣରୁ ପ୍ରାୟ ୨ରୁ ୩ମାସ ଧରି ସାମାଜିକ ସୁରକ୍ଷା ଭତ୍ତା ପାଇବାରେ ସମସ୍ୟା ଭୋଗିଥିବା ହିତାଧିକାରୀ ସାବଧାନ। ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅନ୍ତର୍ଗତ ମାସିକ ପେନସନ୍ ବା ଭତ୍ତା ପାଉଛନ୍ତି, ତେବେ ତୁରନ୍ତ ନିଜର ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ନମ୍ବରକୁ ଲିଙ୍କ୍ କରାଇ ନିଅନ୍ତୁ। ନଚେତ୍ ଯେକୌଣସି ମୁହୂର୍ତ୍ତରେ ଆପଣଙ୍କ ମାସିକ ଭତ୍ତା ବନ୍ଦ ହେବାର ଆଶଙ୍କା ରହିଛି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ

ମଞ୍ଜୁରୀପ୍ରାପ୍ତ ପଦ ନଥିବା ଦର୍ଶାଇ ନିୟମିତ ନିଯୁକ୍ତିରୁ ବଞ୍ଚିତ କରିହେବ ନାହିଁ: ହାଇକୋର୍ଟ
କଟକ : କେବଳ ମଞ୍ଜୁରୀପ୍ରାପ୍ତ ପଦରେ ନିଯୁକ୍ତି ପାଇ ନ ଥିବା ଦର୍ଶାଇ ଦୀର୍ଘ ବର୍ଷ ଧରି ସେବା ଯୋଗାଇ ଆସୁଥିବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ ନିଯୁକ୍ତିର ସୁଯୋଗରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ଓଡିଶା ହାଇକୋର୍ଟ ରାୟ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଦାଖଲ ରିଟ୍ ଅପିଲକୁ ଖାରଜ କରି ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଜଷ୍ଟିସ କୃଷ୍ଣ ଏସ. ଦାଶିତ ଏବଂ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଖଣ୍ଡପୀଠ ଅମିତା ମହାପାତ୍ରଙ୍କ ସମ୍ପର୍କିତ ମାମଲାର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି। ଅମିତା ୨୦୦୬ ମସିହାରେ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ହସ୍ପିଟାଲରେ ଫାର୍ମାସିଷ୍ଟ ଫେଲୋ ଭାବେ ନିଯୁକ୍ତ ହୋଇଥିଲେ। ସେ ୧୪ ବର୍ଷରୁ ଅଧିକ ସମୟ ଧରି ସେବା ପ୍ରଦାନ କରିଥିଲେ ଏବଂ ତାଙ୍କ ନିୟମିତକରଣ ପାଇଁ ସକ୍ଷମ କର୍ତ୍ତୃପକ୍ଷ ଏକାଧିକ ଥର ସୁପାରିସ ମଧ୍ୟ କରିଥିଲେ। ତେବେ ୨୦୨୦ ମସିହାରେ ସେ ମଞ୍ଜୁରୀପ୍ରାପ୍ତ ପଦରେ କାର୍ଯ୍ୟରତ ନ ଥିବା ଦର୍ଶାଇ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା। ଏହାକୁ ଚାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଣିକିଆ ବିଚାରପତି ତାଙ୍କ ସପକ୍ଷରେ ରାୟ ଦେଇ ବରଖାସ୍ତ ଆଦେଶ ପ୍ରତ୍ୟାହାର ଓ ନିୟମିତକରଣ ପ୍ରସଙ୍ଗର ପୁନଃବିଚାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ଡିଭିଜନ ବେଞ୍ଚରେ ଅପିଲ କରିଥିଲେ। ଫଳରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ଅପିଲକୁ ଖାରଜ କରିବା ସହ ଜଣିକିଆ ବିଚାରପତିଙ୍କ ରାୟକୁ ବଳବତ୍ତର ରଖିଛନ୍ତି। ଜଣିକିଆ ବିଚାରପତିଙ୍କ ଆଦେଶକୁ ତିନି ମାସରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Cuttack (କଟକ) • ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି

ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ ସ୍ୱନିଧି ମହୋତ୍ସବ ପାଳିତ
ଗଞ୍ଜାମ : ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ ସ୍ୱନିଧି ମହୋତ୍ସବ ଜିଲ୍ଲା ଯୋଜନା ବୋର୍ଡର ମାନ୍ୟବର ଅଧ୍ୟକ୍ଷ, ଛତ୍ରପୁର ଓ ବ୍ରହ୍ମପୁର ବିଧାୟକ, ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜନ ପ୍ରତିନିଧି ଓ ହିତାଧିକାରୀମାନଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା । ଏହି ଅବସରରେ ସଫଳ ହିତାଧିକାରୀ ଓ ଶ୍ରେଷ୍ଠ ବ୍ୟାଙ୍କକୁ ସମ୍ମାନିତ କରାଯିବା ସହ ଡିଜିଟାଲ ପେମେଣ୍ଟ ଓ ଖାଦ୍ୟ ସୁରକ୍ଷା ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।
Ganjam (ଗଞ୍ଜାମ) • ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି

ହୁଲ୍ ଦିବସରେ ସାହସୀ ଆଦିବାସୀ ବୀରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ, ଜୁନ୍ ୩୦: ହୁଲ୍ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ବିଦେଶୀ ଶାସନ ବିରୋଧରେ ସଂଗ୍ରାମ କରିଥିବା ସାହସୀ ଆଦିବାସୀ ବୀର ସିଦୋ-କାହ୍ନୁ, ଚାନ୍ଦ-ଭୈରବ ଏବଂ ଫୁଲୋ-ଝାନୋଙ୍କ ସମେତ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। 'ଏକ୍ସ'ରେ କରିଥିବା ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ହୁଲ୍ ଦିବସ ଦେଶର ଆଦିବାସୀ ସମାଜର ଅଦମ୍ୟ ସାହସ, ସଂଘର୍ଷ ଏବଂ ଆତ୍ମସମ୍ମାନର ଏକ ଶକ୍ତିଶାଳୀ ପ୍ରତୀକ। ଭାରତୀୟ ଇତିହାସର ଏହି ଗୌରବମୟ ଅବସରରେ ବିଦେଶୀ ଶାସନର ଅନ୍ୟାୟ ବିରୋଧରେ ଲଢ଼ିଥିବା ସମସ୍ତ ବୀର ଯୋଦ୍ଧାଙ୍କୁ ସେ ଶ୍ରଦ୍ଧାପୂର୍ବକ ସ୍ମରଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଦିବାସୀ ସମାଜର ମର୍ଯ୍ୟାଦା ଓ ସମ୍ମାନର ସୁରକ୍ଷା ପାଇଁ ଏହି ବୀରମାନଙ୍କ ସଂଘର୍ଷ ଓ ବଳିଦାନର କାହାଣୀ ଦେଶବାସୀଙ୍କ ହୃଦୟରେ ନୂତନ ଶକ୍ତି ଓ ଦେଶପ୍ରେମର ଭାବନା ସଞ୍ଚାର କରିବ।
Bhubaneswar (ଭୁବନେଶ୍ୱର) • ରିପୋଟ ସୁକାନ୍ତ ପ୍ରଧାନ

ପ୍ରଥମ ଓଡ଼ିଆ ଝିଅ ଭାବେ NSDରେ ସୋନାଲି ବେହେରାଙ୍କ ସଫଳତା
ଝାରସୁଗୁଡ଼ା:୩୦/୬: ଓଡ଼ିଶାରେ ପ୍ରଥମ କରି ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଅଞ୍ଚଳର ଓଡ଼ିଆ ଝିଅ ସୋନାଲି ବେହେରା ନୂଆଦିଲ୍ଲୀରେ ଥିବା ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ(NSD)ରେ ଅଧ୍ୟୟନ ପାଇଁ କୃତକାର୍ଯ୍ୟ ହୋଇ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ସୋନାଲି ଏନ୍ଏସଡି ର ମୁଖ୍ୟ କ୍ୟାମ୍ପସରେ କୃତକାର୍ଯ୍ୟ ହୋଇ ଅଧ୍ୟୟନ ପାଇଁ ମନୋନୀତ ହୋଇଛନ୍ତି। ଏନଏସଡି ପକ୍ଷରୁ ପ୍ରକାଶିତ ଚୂଡ଼ାନ୍ତ ଫଳାଫଳ ଅନୁଯାୟୀ, ଗତ ୧୪ରୁ ୧୯ ଜୁନ୍ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ସାକ୍ଷାତକାର, କର୍ମଶାଳା ଓ ଚୂଡ଼ାନ୍ତ ମନୋନୟନ ପ୍ରକ୍ରିୟାରେ ସେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ୮୦.୦୫ ନମ୍ବର ହାସଲ କରି ସେ ଉତ୍କଳ ଭାରତୀୟ ମେରିଟ୍ ତାଲିକାରେ ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି। ବେଲପାହାଡ଼ର ପ୍ରତିଷ୍ଠିତ ନାଟ୍ୟ ଅନୁଷ୍ଠାନ ‘ମିରର ଥୂଏଟର' ସହ ୨୦୧୫ ମସିହାରୁ ଜଡ଼ିତ ଥିଲେ। ସେ ନିଜର ଅଭିନୟ ପ୍ରତିଭା ଓ ପରିଶ୍ରମ ବଳରେ ରାଜ୍ୟ ଏବଂ ଜାତୀୟସ୍ତରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ବିଶ୍ବ ରେକର୍ଡଧାରୀ ‘କାଏଁନଜୁରୀ’ ନାଟକରେ ମୁଖ୍ୟ ଚରିତ୍ରରେ ତାଙ୍କ ଅଭିନୟ ତାଙ୍କୁ ବ୍ୟାପକ ପ୍ରଶଂସା ଆଣିଦେଇଥିଲା। ସେହିପରି ‘ଉଲପି’ ଓ ‘ଲାଲ ପାଏନ' ଭଳି ନାଟକରେ ତାଙ୍କର ଜୀବନ୍ତ ଅଭିନୟ ମିରର ଥିଏଟରକୁ ଜାତୀୟ ସ୍ତରରେ ସ୍ବତନ୍ତ୍ର ପରିଚୟ ଦେବାରେ ସହାୟକ ହୋଇଛି। ପରିବାରର ଆର୍ଥିକ ଅନଟନ ସତ୍ତ୍ୱେ ସେ ନିଜ ପ୍ରତିଭାକୁ ମାଉଳିବାକୁ ଦେଇ ନଥିଲେ। ବରଂ ତାଙ୍କ ମାଆ ତାଙ୍କୁ ସବୁବେଳେ ପ୍ରୋତ୍ସାହିତ କରୁଥିଲେ। ସୋନାଲି ନିଜର ସଫଳତାର ଶ୍ରେୟ ପରିବାରଲୋକଙ୍କୁ ଦିଅନ୍ତି। ଏନ୍ଏସଡିରେ ପଢିବା ପାଇଁ ଚାହୁଁଥିବା ଯୁବପିଢିମାନେ ଥିଏଟରରେ ଅଭିନୟ କରନ୍ତୁ। ଏହାଦ୍ୱାରା ଅଭିନୟର ଗମ୍ଭୀରତାକୁ ଅନୁଭବ କରିପାରିବେ ବୋଲି ସୋନାଲି କହିଛନ୍ତି।
Jharsuguda (ଝାରସୁଗୁଡ଼ା) • ରିପୋଟର ସୁକାନ୍ତ ପ୍ରଧାନ, ଝାରସୁଗୁଡା

ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ପ୍ରୋତ୍ସାହନ: କେନ୍ଦ୍ରର ଦୁଇ ବଡ଼ ପଦକ୍ଷେପ
ନୂଆଦିଲ୍ଲୀ, ଜୁନ୍ ୨୯: ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ବିଶ୍ୱସ୍ତରରେ ଅଧିକ ପ୍ରତିଯୋଗିତାମୂଳକ କରିବା ଏବଂ ଦେଶରେ ସିନେମା ହଲ୍ର ସଂଖ୍ୟା ବଢ଼ାଇବା ଲକ୍ଷ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ପ୍ରଥମ ପଦକ୍ଷେପ ସ୍ୱରୂପ ପ୍ରସୂନ ଜୋଶୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଅଧ୍ୟୟନ ଗୋଷ୍ଠୀ ଗଠନ କରାଯାଇଛି। ଏହି ଗୋଷ୍ଠୀରେ ଚଳଚ୍ଚିତ୍ର ଜଗତର ବିଶେଷଜ୍ଞ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ପ୍ରତିନିଧିମାନେ ସାମିଲ ହେବେ। ଗୋଷ୍ଠୀ ଭାରତୀୟ ସିନେମାର ସମ୍ଭାବନା ଓ ଚ୍ୟାଲେଞ୍ଜର ସମୀକ୍ଷା କରିବା ସହ ଏଆଇ, ଭର୍ଚୁଆଲ୍ ପ୍ରଡକ୍ସନ୍, ଆର୍ଥିକ ସହାୟତା, ନିବେଶ ଓ ବଣ୍ଟନ ବ୍ୟବସ୍ଥା ଭଳି ବିଷୟରେ ସୁପାରିଶ ଦେବ। ଏହା ତିନି ମାସ ମଧ୍ୟରେ ମନ୍ତ୍ରଣାଳୟକୁ ନିଜ ରିପୋର୍ଟ ଦାଖଲ କରିବ। ଦ୍ୱିତୀୟ ପଦକ୍ଷେପ ଭାବେ ମନ୍ତ୍ରଣାଳୟ ‘ମଡେଲ୍ ରାଜ୍ୟ ସିନେମା ନିୟମାବଳୀ’ ପ୍ରସ୍ତୁତ କରି ସମସ୍ତ ରାଜ୍ୟ ସରକାରଙ୍କୁ ପଠାଇଛି। ସିନେମା ହଲ୍ ସ୍ଥାପନ ପାଇଁ ଅନୁମତି ପ୍ରକ୍ରିୟାକୁ ସରଳ ଓ ଏକରୂପ କରିବା ସହ ଛୋଟ ସହର ଏବଂ ଗ୍ରାମାଞ୍ଚଳରେ ସିନେମା ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବା ଏହାର ଲକ୍ଷ୍ୟ। ମନ୍ତ୍ରଣାଳୟର କହିବାନୁସାରେ, ଏହି ଦୁଇ ପଦକ୍ଷେପ ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ଅଧିକ ସୁଦୃଢ଼, ଆଧୁନିକ ଓ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ କରିବା ସହ ସିନେମା ଶିଳ୍ପର ସାମଗ୍ରିକ ବିକାଶରେ ସହାୟକ ହେବ।
Bhubaneswar (ଭୁବନେଶ୍ୱର) • ରିପୋର୍ଟ: ସୁକାନ୍ତ ପ୍ରଧାନ ଭୁବନେଶ୍ୱର
