--:--:--
-- ---
Srishti News

ଗୁରୁ ଦିବସରେ ଶିକ୍ଷକ ସାଜିଲେ ଗଞ୍ଜାମ ଜିଲ୍ଲାପାଳ, ସାନ ଆର୍ଯ୍ୟପଲ୍ଲୀ ହାଇସ୍କୁଲରେ ପଢ଼ାଇଲେ ପାଠ

Ganjam (ଗଞ୍ଜାମ)ରିପୋର୍ଟ: ପିତାମ୍ବର ମହାରଣା, ଛତ୍ରପୁରSeptember 5, 202614 views
ଗୁରୁ ଦିବସରେ ଶିକ୍ଷକ ସାଜିଲେ ଗଞ୍ଜାମ ଜିଲ୍ଲାପାଳ, ସାନ ଆର୍ଯ୍ୟପଲ୍ଲୀ ହାଇସ୍କୁଲରେ ପଢ଼ାଇଲେ ପାଠ
​ଛତ୍ରପୁର:ପବିତ୍ର ଗୁରୁ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିଆରା ନିଦର୍ଶନ ଦେଖିବାକୁ ମିଳିଛି। ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାଷନ ନିଜେ ଶିକ୍ଷକ ସାଜି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଛନ୍ତି। ଜିଲ୍ଲାପାଳଙ୍କ ଏହି ଆଭିମୁଖ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଏକ ଅଭୂତପୂର୍ବ ଉତ୍ସାହ ଭରିଦେଇଛି। ​ବିଦ୍ୟାଳୟ ପରିଦର୍ଶନ ସମୟରେ ଜିଲ୍ଲାପାଳ ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ପ୍ରବେଶ କରି ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଭାବପ୍ରକାଶ କରିଥିଲେ। ସେ ସ୍ମାର୍ଟ ବୋର୍ଡ ଓ ଭିଡିଓ ମାଧ୍ୟମରେ ବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ଜଟିଳ ବିଷୟବସ୍ତୁକୁ ଅତି ସହଜ ଓ ରୋଚକ ଢଙ୍ଗରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ପାଠପଢ଼ା ସହିତ ସେ ବିଦ୍ୟାଳୟର ସୁବିଧା-ଅସୁବିଧା, ଶିକ୍ଷାଦାନର ମାନ ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଲକ୍ଷ୍ୟ ବିଷୟରେ ପଚାରି ବୁଝିଥିଲେ। ​ଜିଲ୍ଲାପାଳଙ୍କ ଏହି ସହଜ ଓ ସରଳ ଶୈଳୀ ଯୋଗୁଁ ଛାତ୍ରଛାତ୍ରୀମାନେ ବିନା ଭୟରେ ନିଜ ନିଜର ମନୋଭାବ ପ୍ରକାଶ କରିବା ସହ ଅନେକ ପ୍ରଶ୍ନ ପଚାରିଥିଲେ। ପ୍ରଶାସନର ମୁଖ୍ୟ ନିଜେ ଆସି ପାଠ ପଢ଼ାଇବା ଏବଂ ସେମାନଙ୍କ ଗହଣରେ ସମୟ ବିତାଇବା ସେମାନଙ୍କ ପାଇଁ ଏକ ଚିରସ୍ମରଣୀୟ ଓ ପ୍ରେରଣାଦାୟୀ ଅନୁଭୂତି ହୋଇ ରହିବ ବୋଲି ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି। ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଓ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।